ସକାଳ ୯.୦୦ ରେ, ଯେତେବେଳେ ସହରତଳି ଉତ୍ତର ମୁମ୍ବାଇରେ ସ୍ଥିତ ବୋରିଭାଲି ଷ୍ଟେସନ୍‌ରେ ପହଞ୍ଚିବା ପାଇଁ ଗହଳି ମଧ୍ୟରେ ଯାତ୍ରୀମାନେ ସଂଘର୍ଷ କରୁଥାନ୍ତି ଓ ଯେତେବେଳେ ଦୋକାନୀମାନେ ସେମାନଙ୍କ ଦୋକାନର ସଟର୍‌ସ ଉଠାଇବା କାର୍ଯ୍ୟ ଆରମ୍ଭ କରନ୍ତି, ସେହି ସମୟରେ ୨୪  ବର୍ଷ ବୟସ୍କ ଲକ୍ଷ୍ମଣ କଟପ୍ପା ମଧ୍ୟ ତାଙ୍କ କାର୍ଯ୍ୟଦିବସ ଆରମ୍ଭ କରନ୍ତି ।

କାନ୍ଧରେ ସୂତା କପଡାର ଏକ ଥଳି ଧରି ସେ ତାଙ୍କ ସ୍ତ୍ରୀ ରେଖା ଓ ତାଙ୍କର ୧୩ ବର୍ଷ ବୟସ୍କ ସାନ ଭାଇ ଏଲାପ୍ପାଙ୍କ, ସହିତ ଖାଲି ପାଦରେ ଚାଲି ଚାଲି ଏକ ବନ୍ଦ ଦୋକାନ ଆଗରେ ଅଟକିଯାଆନ୍ତି । ସେଠାରେ ସେ ତାଙ୍କ ଥଳି ଖୋଲନ୍ତି ଓ ଏଥିରୁ ଏକ ଲମ୍ବା ସବୁଜ ଘାଗରା, ମୁଣ୍ଡରେ ବନ୍ଧା ଯାଉଥିବା ଏକ ପଟି, ବନ୍ଦର (ହଳଦିଆ ଅକ୍ସାଇଡ୍‌ ଗୁଣ୍ଡ) ଓ ନାଲି କୁମ୍‌କୁମ୍‌ ଥିବା ଏକ ବାକ୍ସ, ମାଳିରୁ ପ୍ରସ୍ତୁତ ବେକର କିଛି ଅଳଙ୍କାର, ଏକ ଛୋଟ ଦର୍ପଣ, ଚାବୁକ୍‌ ଓ ବଳାଗଣ୍ଠି ପାଇଁ ଘୁଙ୍ଗୁର୍‌ ଆଦି ବାହାରିଥିଲା

ବନ୍ଦଥିବା ଦୋକାନ ସମ୍ମୁଖରେ ଠିଆହୋଇ, ଲକ୍ଷ୍ମଣ ନିଜେ ପିନ୍ଧିଥିବା ପ୍ୟାଣ୍ଟ ଉପରେ ସ୍କର୍ଟ ପିନ୍ଧିଲେ ଓ ତାଙ୍କର ଟି-ସାର୍ଟକୁ ବାହାର କରିଦେଲେ । ତା’ପରେ ସେ ତାଙ୍କର ଅନାବୃତ ଛାତି ଓ ମୁହଁକୁ କିଛି ହଳଦିଆ ଓ ନାଲି ପେଷ୍ଟରେ ପେଣ୍ଟ କରିବାକୁ ଆରମ୍ଭ କଲେ ଓ ଅଳଙ୍କାର ସବୁ ପିନ୍ଧିଲେ । ଏଲପ୍ପା ମଧ୍ୟ ସେହିପରି କଲେ । ସେମାନେ ବଡ ବଡ ଘଣ୍ଚି ଲାଗି ତିଆରି ହୋଇଥିବା ଏକ ଅଣ୍ଟା ପଟିକୁ ସେମାନଙ୍କ ସ୍କର୍ଟରେ ଲଗାଇଲେ ଓ ସେମାନଙ୍କ ବଳାଘଣ୍ଟିରେ ଘୁଙ୍ଗୁରଗୁଡିକ ବାନ୍ଧିଲେ । ରେଖା ସେମାନଙ୍କ ପଛରେ ଗୋଟିଏ ଢୋଲକ ଧରି ବସିଲେ ।

ତା’ପରେ ଆରମ୍ଭ ହେଲା ଅଭିନୟ । ଏହା ହେଉଛି ମାର୍ଚ୍ଚ ୨୦୨୦ରେ ତାଲାବନ୍ଦ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବ ସମୟର କଥା ।

PHOTO • Aakanksha

ତାଲାବନ୍ଦ ଲାଗୁ ହେବା ପୂର୍ବରୁ ଦିନେ ସକାଳେ ଲକ୍ଷ୍ମଣ ( ମଧ୍ୟ) ଓ ଏଲପ୍ପା ଅଭିନୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ଯେତେବେଳେ କି ରେଖା, ଲକ୍ଷ୍ମଣଙ୍କ ସ୍ତ୍ରୀ ରେଖା ଢୋଲକ ଧରି ଅପେକ୍ଷା କରିଛନ୍ତି।

ରେଖା, ଯାହାର ବୟସ ପ୍ରାୟ ୨୨ ବର୍ଷ ହେବ, ଏକ ବାଡି ସାହାଯ୍ୟରେ ଢୋଲକ ବଜାଇବା ଆରମ୍ଭ କରିବା ସଙ୍ଗେ ସଙ୍ଗେ ଲକ୍ଷ୍ଣଣ ଓ ଏଲପ୍ପା ଭୂମି ଉପରେ ପ୍ରବଳ ପଦାଘାତ କରି ଘୁଙ୍ଗୁରଗୁଡିକୁ ଖୁବ୍‌ ଜୋର୍‌ରେ ଝଙ୍କୃତ କରି ବାଦ୍ୟର ତାଳେ ତାଳେ ନୃତ୍ୟ କରିବାକୁ ଆରମ୍ଭ କଲେ। ତା’ପରେ ଲକ୍ଷ୍ମଣ ଚାବୁକ୍‌ ରେ ନିଜ ପିଠି ଉପରେ ପ୍ରହାର କରିବା ପୂର୍ବରୁ ଏହାକୁ ହଲାଇ ସଟାକ୍‌ ସଟାକ୍‌ ଶବ୍ଦ ସୃଷ୍ଟି କରନ୍ତି ଓ ଶୂନ୍ୟରେ ବିସ୍ତାରିତ କରନ୍ତି । ଏହାଦ୍ୱାରା ପ୍ରଚଣ୍ଡ ଶବ୍ଦ ଜାତ ହୋଇଥାଏ । ତାଙ୍କ ଭାଇ ନୂଆ ଶିଖାଳି ହୋଇଥିବାରୁ ସେ ସେହି ଶବ୍ଦ ସୃଷ୍ଟି କରିବାକୁ ଭୂମି ଉପରେ ବାରମ୍ବାର ଆଘାତ କରନ୍ତି ।

ସେମାନେ ଲୋକମାନଙ୍କୁ ପଇସା ମାଗିମାଗି ଆଗକୁ ବଢନ୍ତି । “ ଏକ୍‌ ରୁପୟ , ଦୋ ରୁପୟ ଦେ ଦେ , ଭଗ୍‌ୱାନ୍‌ କଷ୍ଟ ସେ ଦୂର ରଖେଗା ( ଟଙ୍କାଏ , ଦୁଇ ଟଙ୍କା ଦିଅ , ଭଗବାନ ତୁମକୁ ସବୁ ଦୁଃଖକଷ୍ଟରୁ ରକ୍ଷା କରିବେ ) ” ସେମାନଙ୍କୁ ଦେଖିବା ପାଇଁ ଲୋକମାନେ କିଛି କ୍ଷଣ ରୁହନ୍ତି , ହେଲେ ସେମାନଙ୍କ ପାଖକୁ ଆସିବାକୁ ଅନାଗ୍ରହ ପ୍ରକାଶ କରନ୍ତି , କିଛି ଲୋକ ସେମାନଙ୍କ ଆଡକୁ ଚାହାନ୍ତି ନାହିଁ ମଧ୍ୟ , କିଛି ଅଭିନୟକାରୀଙ୍କ ଆଡକୁ କିଛି କଏନ୍‌ ବା ନୋଟ୍‌ ଫୋପାଡି ଦିଅନ୍ତି , କେତେକ ପିଲା ଭୟଭୀତ ହୋଇ ସେଠାରୁ ଦଉଡି ପଳାନ୍ତି ।

ଲକ୍ଷ୍ମଣ ଓ ଏଲପ୍ପା ଦୋକାନୀ ଓ ପରିବାବିକାଳୀମାନଙ୍କଠାରୁ ମଧ୍ୟ ଭିକ୍ଷା ମାଗନ୍ତି । କେହିକେହି ସେମାନଙ୍କୁ ଖାଇବାକୁ ଖାଦ୍ୟ ଦିଅନ୍ତି। ଜଣେ ଦୋକାନୀ ଚା’ ପିଇବାକୁ ଦେବାରୁ ରେଖା ତାହା ଗ୍ରହଣ କଲେ । “କିଛିଲୋକ ଆମକୁ ଖାଦ୍ୟ ଦିଅନ୍ତି, ହେଲେ, ଭଗବାନଙ୍କ ପାଇଁ କାର୍ଯ୍ୟକ୍ରମ କରିବାବେଳେ ମୁଁ କିଛି ଖାଇପାରିବି ନାହିଁ,” ବୋଲି ଲକ୍ଷ୍ମଣ କୁହନ୍ତି । “ଘରକୁ ନଫେରିବା ପର୍ଯ୍ୟନ୍ତ ଆମେ ଖାଦ୍ୟ ନଖାଇ ରହିଥାଉ ।” ସେମାନେ ପ୍ରାୟ ସନ୍ଧ୍ୟା ୫ଟା ବେଳକୁ ଘରେ ପହଞ୍ଚନ୍ତି ।

ଲକ୍ଷ୍ମଣ ଓ ତାଙ୍କପରି ଅନ୍ୟମାନେ, ଯେଉଁମାନେ ରାସ୍ତାପାର୍ଶ୍ୱରେ ଏହିପରି ଅଭନୟ ଦେଖାନ୍ତି, ସେମାନେ ପୋତ୍ରାଜ୍‌ ( ପୋଥୁରାଜୁ ମଧ୍ୟ) ବା କଡକ ଲକ୍ଷ୍ମୀ (ଦେବୀଙ୍କ ନାମ ଅନୁସାରେ, ମରିୟାମ୍ମା ବା ମାରିଅମ୍ମା ଭାବେ ମଧ୍ୟ ପରିଚିତ) ଭାବେ ପରିଚିତ । ଲକ୍ଷ୍ମଣ, ତାଙ୍କ ସମ୍ପ୍ରଦାୟର ଅନ୍ୟମାନଙ୍କ ଭଳି ବିଶ୍ୱାସ କରନ୍ତି ଯେ ସେମାନଙ୍କ ଦେବୀ ଉପଚାରାତ୍ମକ ଶକ୍ତିଯୁକ୍ତ ଓ ଅନିଷ୍ଟକାରୀ ତତ୍ତ୍ୱର ପ୍ରକୋପରୁ ରକ୍ଷା କରନ୍ତି ।

ଏହି ପରିବାର ରହୁଥିବା ଗ୍ରାମ, କୋଡମ୍ବଲ, କର୍ଣ୍ଣାଟକର ବିଦାର ଜିଲ୍ଲାର ହୋମ୍ନାବାଦ ବ୍ଲକ୍‌ରେ ଅବସ୍ଥିତ ଓ ସେମାନେ ଧେଗୁ ମେଗୁ ସମ୍ପ୍ରଦାୟର ଅଟନ୍ତି, ଯାହା ହେଉଛି ଏକ ଅନୁସୂଚିତ ଜାତି । ପୁରୁଷମାନେ ନାଚ କରିଥାନ୍ତି ଯେତେବେଳେକି ମହିଳାମାନେ ଢୋଲ ଆଦି ବାଦ୍ୟ ବଜାନ୍ତି ବା ଦେବୀଙ୍କର ମୂର୍ତ୍ତି କିମ୍ବା ଫଟୋକୁ ତାଙ୍କ ହାତରେ ଧରିଥାନ୍ତି ନଚେତ୍‌ ଏକ ଷ୍ଟିଲ୍‌ କିମ୍ବା ଆଲୁମିନିୟମ୍‌ ପ୍ଲେଟ୍‌ରେ ରଖିଥାନ୍ତି । ବେଳେବେଳେ, ସେମାନେ ଏକ ଛୋଟ କାଠ ବାକ୍ସରେ ବା ଏକ କାଠ ଖଣ୍ଡ ଉପରେ ମୂର୍ତ୍ତିକୁ ରଖି ସେମାନଙ୍କ ମୁଣ୍ଡରେ ଧାରଣ କରିଥାନ୍ତି ।

ଭିଡିଓ ଦେଖନ୍ତୁ : ଜୀବିକା ଅର୍ଜନ ପାଇଁ ମୁମ୍ବାଇ ରାସ୍ତାରେ ଚାବୁକ୍‌ ପ୍ରହାର ସହୁଛନ୍ତି

ମହାମାରୀ ଆରମ୍ଭ ହେବା ପୂର୍ବରୁ ମଧ୍ୟ ବଞ୍ଚି ରହିବା ପାଇଁ ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡୁଥିଲା । “ପୂର୍ବେ, ମୋର ଜେଜେବାପା ଲୋକମାନଙ୍କୁ ରୋଗମୁକ୍ତ କରିବାକୁ ବା ସେମାନଙ୍କ ପାପ ମୋଚନ କରିବାକୁ ଏହି ପ୍ରକାର ଅଭିନୟ କରୁଥିଲେ, କିନ୍ତୁ ଆଜି ଆମେ ଆମ ପେଟ ପୋଷିବାକୁ ଏହିପରି କରୁଛୁ,” ବୋଲି ଲକ୍ଷ୍ମଣଙ୍କ ମା ଏଲମ୍ମା, ଆମେ ତାଙ୍କୁ ତାଲାବନ୍ଦ ପୂର୍ବରୁ ଭେଟିବା ସମୟରେ କହିଥିଲେ । ଲକ୍ଷ୍ମଣ ଆହୁରି ମଧ୍ୟ କୁହନ୍ତି ଯେ, “ମୋର ଜେଜେଙ୍କ ବାପା ଓ ତାଙ୍କ ବାପା ମଧ୍ୟ ନିଜ କଳା ପରିବେଷଣ କରିବାକୁ ଚାରିଆଡେ ବୁଲୁଥିଲେ । ମରିୟମ୍ମା ଆମକୁ ନୃତ୍ୟ କରିବାକୁ କହିଛନ୍ତି, ସେ ଆମର ଯତ୍ନ ନେଉଛନ୍ତି”।

ଲକ୍ଷ୍ମଣ ଛଅ ବର୍ଷ ବୟସରୁ ମୁମ୍ବାଇର ରାସ୍ତାରେ ତାଙ୍କ ବାପାଙ୍କ ସହିତ ଏହି କଳା ପରିବେଷଣ କରିବା ଆରମ୍ଭ କରିଥିଲେ । ତାଙ୍କ ମା’  ଏକ କାଠପଟାରେ ମରିୟମ୍ମାଙ୍କ ମୂର୍ତ୍ତି ସ୍ଥାନିତ କରି ସେହି କାଠପଟାକୁ ନିଜ ମୁଣ୍ଡ ଉପରେ ଧାରଣ କରୁଥିଲେ । “ ଚାବୁକ୍‌ ବ୍ୟବହାର କରିବାକୁ ତଥା ଏଥିରେ ନିଜକୁ ପ୍ରହାର କରିବାକୁ ମୋତେ ଭାରି ଭୟ ଲାଗୁଥିଲା । ଶବ୍ଦ ସୃଷ୍ଟି କରିବାକୁ ମୁଁ ଏହା ସହାୟତାରେ ଭୂମି ଉପରେ ପ୍ରହାର କରୁଥିଲି,” ବୋଲି ସେ କୁହନ୍ତି । “ଆମେ ଆମ ପିଠିରେ କୌଣସି ପ୍ରକାରର ଜିନିଷ ପ୍ରୟୋଗ କରୁନାହୁଁ କାରଣ ସେହି କଷ୍ଟ ଆମେ ଆମ ଭଗବାନଙ୍କ ପାଇଁ ସହିଥାଉ। ବେଳେବେଳେ ମୋର ପିଠି ଫୁଲିଯାଏ, ହେଲେ, ମରିୟମ୍ମା ଆମମାନଙ୍କର ରକ୍ଷା କରୁଛନ୍ତି, ଏ ବିଶ୍ୱାସ ମଧ୍ୟ ସବୁବେଳେ ରହିଛି । ଦୈନିକ କିଛି କିଛି କାମ ଶିଖିବା ସହିତ କାଳକ୍ରମେ ମୋର କାର୍ଯ୍ୟକୁଶଳତା ବୃଦ୍ଧି ପାଇବାକୁ ଲାଗିଲା । ବର୍ତ୍ତମାନ ମୋତେ ଅଧିକ କଷ୍ଟ ଅନୁଭବ ହେଉନି ।”

ତାଲାବନ୍ଦ ପୂର୍ବରୁ, ଏହି ପରିବାର ଉତ୍ତର ମୁମ୍ବାଇର ବାନ୍ଦ୍ରା ଟର୍ମିନସ୍‌ର ଆରପାଖରେ ରହୁଥିଲା । ଏହି ବସ୍ତିରେ ଏହି ଗ୍ରାମ ଓ ସମ୍ପ୍ରଦାୟର ପ୍ରାୟ ୫୦ରୁ ଅଧିକ ପରିବାର ବସବାସ କରୁଥିଲେ, ସମସ୍ତେ ସେଇ  ଗୋଟିଏ କାମ କରୁଥିଲେ । ସହରର ବିଭିନ୍ନ ସ୍ଥାନରୁ ଅପସାରିତ କରାଯିବାପରେ, ସେମାନେ ଗତ ଆଠ ବର୍ଷ ହେବ ଏଠାରେ ରହି ଆସୁଥିଲେ ।

ସେମାନଙ୍କ ଆଶ୍ରୟସ୍ଥଳଗୁଡିକ (ମହାମାରୀ କାରଣରୁ ପରିତ୍ୟକ୍ତ ବା ବନ୍ଦ ହୋଇ ପଡିରହିଛି) କିଛି ବାଉଁଶ ସହାୟତାରେ ଭରା ଦେଇ ତାରପ୍‌ଲିନ, ପ୍ଲାଷ୍ଟିକ ବା କପଡାର ଚାଦରରେ ତିଆରି ହୋଇଛି । ଭିତରେ ଶୋଇବା ପାଇଁ ଗୋଟିଏ ଚାଦର, କିଛି ବାସନ ଓ କପଡା ଅଛି । ଗୋଟିଏ କୋଣରେ ଚାବୁକ ଢୋଲକ କୁ ରଖାଯାଇଛି । ଲକ୍ଷ୍ମଣ, ରେଖା ଓ ସେମାନଙ୍କର ତିନି ସନ୍ତାନ ଗୋଟିଏ ତମ୍ବୁରେ ରୁହନ୍ତି ଓ ପାଖରେ ଆଉ ଏକ ତମ୍ବୁ ନିର୍ମିତ ହୋଇଛି ଯେଉଁଥିରେ ତାଙ୍କ ବାପା,  ମା ଓ ସାନ ଦୁଇ ଭାଇ ଏଲପ୍ପା ଓ ହନୁମନ୍ତା ରୁହନ୍ତି ।

ରେଖାଙ୍କ ସହିତ ମୋର ପ୍ରଥମ ସାକ୍ଷାତ ବେଳେ ସେ  ଆଠମାସର ଗର୍ଭବତୀ ଥିବାରୁ (ଡିସେମ୍ବର ୨୦୧୯ରେ) ଖାଲିପାଦରେ ଦୀର୍ଘପଥ ଅତିକ୍ରମ କରିବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡୁଥିଲା, ଏଣୁ ସେ କିଛି ସମୟ ବ୍ୟବଧାନରେ ବିରତି ନେଉଥିଲେ ଓ ବସିପଡି ବିଶ୍ରାମ ନେଉଥିଲେ । “ମୁଁ ଠିକ୍‌ ଅଛି, ବେଳେବେଳେ କ୍ଳାନ୍ତ ହୋଇପଡୁଛି, ଏହା ମୋର ତୃତୀୟ ସନ୍ତାନ । ଏହି କାମ ମୋର ଅଭ୍ୟାସଗତ, ଯଦି ମୁଁ ବସିଯିବି ତାହାହେଲେ ମୋର ପିଲାକୁ କିଏ ଖାଇବାକୁ ଦେବ?” ବୋଲି ସେ ପଚାରିଲେ ।

PHOTO • Aakanksha

ମୁମ୍ବାଇରେ ଥିବାବେଳେ , ଲକ୍ଷ୍ମଣ ଓ ତାଙ୍କ ସମ୍ପ୍ରଦାୟର ଅନ୍ୟ ପରିବାରଗୁଡିକ ବାନ୍ଦ୍ରା ଟର୍ମିନସ୍ ନିକଟସ୍ଥ ଏହି ବସ୍ତିରେ ରହୁଥିଲେ ।

ପରିବାରର ଆୟ ସବୁବେଳେ ସମାନ ହୋଇନଥାଏ । ପର୍ବପର୍ବାଣୀ ସମୟରେ – ମୁଖ୍ୟତଃ ଜନ୍ମାଷ୍ଟମୀ, ଗଣେଷ ଚତୁର୍ଥୀ, ନବରାତ୍ରୀ, ଦିପାବଳି ସମୟରେ – ଯେତେବେଳେ ଲୋକମାନେ ଭଗବାନଙ୍କ ନାମରେ ସ୍ୱଇଚ୍ଛାରେ ଦାନ କରିବାକୁ ଆଗେଇ ଆସନ୍ତି, ସେତେବେଳେ ଗୋଟିଏ ଦିନର ଅଭିନୟ ପାଇଁ ପରିବାର ବେଳେବେଳେ ୧୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହେଉଥିଲା (ତାଲାବନ୍ଦ ପୂର୍ବରୁ) । ଅନ୍ୟଦିନଗୁଡିକରେ କିନ୍ତୁ ଏହା ୧୫୦ଟଙ୍କା ରୁ ୪୦୦ ଟଙ୍କା ମଧ୍ୟରେ ସୀମିତ ରହିଥାଏ ।

ବେଳେବେଳେ, ଲକ୍ଷ୍ମଣ ଓ ତାଙ୍କ ପରିବାର ଦିନ ମଜୁରିଆ ଭାବେ ମଧ୍ୟ କାମ କରନ୍ତି । “ଯେତେବେଳେ ମୁକଦମ୍‌ମାନଙ୍କୁ ଆବର୍ଜନା ସଫା କରିବା, ନିର୍ମାଣ କାର୍ଯ୍ୟ କରିବା ଭଳି କାର୍ଯ୍ୟ ପାଇଁ ଶ୍ରମିକ ଆବଶ୍ୟକ ହୁଏ, ସେତେବେଳେ ସେମାନେ ଆମକୁ ଡାକନ୍ତି, ସେମାନେ ଜାଣନ୍ତି ଯେ ଆମଭଳି ଲୋକମାନେ ଏପରି କାମ କରିବାକୁ ଇଚ୍ଛୁକ ଅଟନ୍ତି, ସେ ମୋତେ କହିଥିଲେ । “ଏଥିରୁ ଆମେ ଦିନକୁ ୨୦୦ – ୪୦୦ ଟଙ୍କା ରୋଜଗାର କରିଥାଉ,” ହେଲେ, “ତାହା ଆମେ କେତେ ଘଣ୍ଟା କାମ କରିଛୁ ତାହାର ପରିମାଣ ଉପରେ ନିର୍ଭର କରିଥାଏ, ବୋଲି ହନୁମନ୍ତା କହିଲେ । ଯେତେବେଳ ପର୍ଯ୍ୟନ୍ତ ଏହି କାମ ମିଳିବା ଜାରି ରହେ, ଆମେ କାମ କରୁ, ଆଉ ତା’ପରେ ପୁଣି ଅଭିନୟକୁ ପ୍ରତ୍ୟାବର୍ତ୍ତନ କରୁ” ।

ନିକଟରେ ଥିବା ଏକ କିରାଣା ଦୋକାନରୁ ସେମାନେ ଖାଦ୍ୟଶସ୍ୟ କ୍ରୟ କରୁଥିଲେ (ରାସନ୍‌ କାର୍ଡ ପାଇଁ ଆବେଦନ କରିବାକୁ ସେମାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନାହିଁ) । ସେମାନଙ୍କ ବସ୍ତିରେ ଜଳ ସଙ୍କଟ ମଧ୍ୟ ରହିଥିଲା;  ସାଧାରଣତଃ ପାନୀୟ ଜଳ ପାଇଁ ସେମାନେ ଟର୍ମିନସ୍‌ରେ ଥିବା ଏକ ଟ୍ୟାପ୍‌ ବା ପାଖରେ ଥିବା ଏକ ଲାଇନ୍‌ ଯାହା ସକାଳ ୫ – ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥାଏ, ତାହା ବ୍ୟବହାର କରୁଥିଲେ । ସେମାନେ ଷ୍ଟେସନ୍‌ର ଶୌଚାଳୟ ବ୍ୟବହାର କରୁଥିଲେ – ପ୍ରତ୍ୟେକ ଥର ପ୍ରବେଶ କରିବାକୁ ଏକ ଟଙ୍କା, ଗାଧୋଇବା ତଥା କପଡା ସଫା କରିବାକୁ ପାଞ୍ଚଟଙ୍କା ଦେୟ ପ୍ରଦାନ କରୁଥିଲେ । ରାତ୍ରି ସମୟରେ ସେମାନେ ଆଖପାଖରେ ଥିବା ଖୋଲା ସ୍ଥାନଗୁଡିକ ବ୍ୟବହାର କରୁଥିଲେ ।

ସେମାନଙ୍କ କୁଡିଆକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ । ସେମାନଙ୍କ ଫୋନ୍‌ ଚାର୍ଜ କରିବାକୁ ସେମାନଙ୍କୁ ନିକଟସ୍ଥ ଏକ ଦୋକାନ ଉପରେ ନିର୍ଭର  କରିବାକୁ ହୁଏ – ଏଥିପାଇଁ ଦୋକାନ ମାଲିକ ଫୋନ୍‌ ପିଛା ୧୦ଟଙ୍କା ନିଅନ୍ତି । ପ୍ରତିବର୍ଷ ଜାନୁଆରୀରେ ବାନ୍ଦ୍ରା ଟର୍ମିନସ୍‌ରେ ରହୁଥିବା ଧେଗୁ ମେଗୁ ପରିବାର ସେମାନଙ୍କ ଗ୍ରାମକୁ ଫେରି ଯାଆନ୍ତି । ସେମାନେ ଯେଉଁ ଲାଇନ୍‌ରେ ରହୁଥିଲେ ତାହା ଖାଲି ହୋଇଗଲା, କେବେଳ କାନ୍ଥ ଉପରେ ଝୁଲି ରହିଥିବା କିଛି କପଡାକୁ ଛାଡି ।

PHOTO • Aakanksha

ପରିବାରର ପୋଟ୍ରେଟ୍‌ (ବାମ ରୁ ଡାହାଣ) ଏଲପ୍ପା, ରେଖା, ଝିଅ ରେସ୍ମା, ଲକ୍ଷ୍ମଣ, ପୁଅ ରାହୁଲ (ଆଉ ବସ୍ତିର ଅନ୍ୟ ଦୁଇ ଛୋଟ ପିଲା )

ତାଲାବନ୍ଦ ସମୟରେ ଲକ୍ଷ୍ମଣଙ୍କ ପରିବାର ଓ ବସ୍ତିର ଅନ୍ୟମାନେ, ଯେଉଁମାନେ କୌଣସି କାମ ବା ଆୟ ବିନା ସଂଘର୍ଷ କରୁଥିଲେ, ସେମାନେ ସେମାନଙ୍କ ଗ୍ରାମକୁ ଫେରି ଆସିଛନ୍ତି । ବେଳେବେଳେ ସେମାନେ ସେଠାରେ ମଧ୍ୟ ନିଜର କଳା ପ୍ରଦର୍ଶନ କରନ୍ତି, ହେଲେ, କେବଳ ୫୦ -୧୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିପାରନ୍ତି ଓ ତାଲାବନ୍ଦ ସମୟରେ ସେମାନେ ଅନେକ ରାତି ଭୋକ ଉପାସରେ କାଟିବାକୁ ବାଧ୍ୟ ହୋଇଛନ୍ତି, ବୋଲି ସମ୍ପ୍ରଦାୟର ଜଣେ ସଦସ୍ୟ ମୋତେ କହିଲେ । ବାନ୍ଦ୍ରା ଟର୍ମିନସ୍‌ ବସ୍ତିରେ ରହୁଥିବା ଆଉ କିଛି ପରିବାର ମଧ୍ୟ ଫେରି ଆସିଛନ୍ତି । ଲକ୍ଷ୍ମଣ ଓ ତାଙ୍କ ପରିବାର ଏବେ ମଧ୍ୟ ଗ୍ରାମରେ ଅଛନ୍ତି ଓ ବୋଧହୁଏ ସେମାନେ ମାର୍ଚ୍ଚ ଶେଷରେ ପୁଣିଥରେ ସହରକୁ ବାହୁଡିଯିବେ ।

ଲକ୍ଷ୍ମଣଙ୍କ ଇଚ୍ଛା ତାଙ୍କ ପିଲାମାନେ ଗ୍ରାମରେ ରହି ପାଠ ପଢନ୍ତୁ । “ଯଦି ମୋର ପୁଅ ପାଠ ପଢିବ ଓ ଫାଙ୍କିବନି, ତାହାହେଲେ ସେ ଏକ ଉତ୍ତମ ଜୀବନ ବଞ୍ଚିପାରିବ” ବୋଲି ସେ କହିବା ସହିତ ତାଙ୍କ ସାନ ଭାଇ କିଭଳି ବିଦ୍ୟାଳୟରୁ ବାରମ୍ବାର ଘରକୁ ଦୌଡି ପଳାଇ ଆସୁଥିଲା ତାହାର ସୂଚନା ଦେଇଥିଲେ ।  ଗ୍ରାମରେ ଥିବା ବିଦ୍ୟାଳୟ, ଯେଉଁଠାରେ କେବଳ ଜଣେ ଶିକ୍ଷକ ଅଛନ୍ତି ଓ ଯେଉଁଠାରେ ନିୟମିତ ପାଠପଢା ହୁଏନାହିଁ, ସମ୍ପ୍ରଦାୟର ଅନେକ ପିଲା ସେଠାକୁ ପଢିବା ପାଇଁ ଯିବା ବନ୍ଦ କରିଦେଲେଣି । “ମୁଁ ଚାହୁଁଛି ସେମାନେ ଆମ ଗ୍ରାମରେ ପଢନ୍ତୁ ଓ ଦୋକାନୀ ହୁଅନ୍ତୁ ବା କୌଣସି କଲ୍‌ ସେଣ୍ଟରରେ କାମ କରନ୍ତୁ,” ବୋଲି ରେଖା କହିଲେ । “ମୁମ୍ବାଇରେ, ଯଦି ପୁଲିସ୍‌ ବଳପୂର୍ବକ ଆମକୁ କୌଣସି ସ୍ଥାନରୁ ଅପସାରିତ କରେ, ତାହାହେଲେ ଆମକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡିଥାଏ, ଆଉ ଏପରି ବାରମ୍ବାର ହେଉଥିବାରୁ ଆମ ପିଲାମାନେ କେଉଁଠାରେ ପଢିବେ?

ଲକ୍ଷ୍ମଣ ଓ ରେଖାଙ୍କ ଝିଅ ରେସ୍ମାକୁ ଏବେ ପାଞ୍ଚ ବର୍ଷ ହୋଇଥିବାବେଳେ ରାହୁଲଙ୍କ ବୟସ ହେଉଛି ତିନି ଓ ସେମାନଙ୍କର ଛୋଟ ପୁଅ କରଣର ଜନ୍ମ ଜାନୁଆରୀ ୨୦୨୦ରେ ହୋଇଥିଲା । ଏ ପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲାମାନଙ୍କ ନାମ ଲେଖା ହୋଇନି । ରେଖା କିମ୍ବା ଲକ୍ଷ୍ମଣ, କେହି ମଧ୍ୟ ବିଦ୍ୟାଳୟକୁ କେବମଧ୍ୟ ଯାଇନାହାନ୍ତି । ତାଙ୍କ ସାନ ଭାଇ ଏଲପ୍ପା ବିଦ୍ୟାଳୟରେ ନାମ ଲେଖାଇଛନ୍ତି, ତଥାପି ପରିବାର ସହିତ ମିଶି ଅଭିନୟ କରିବାକୁ ବେଳେବେଳେ ମୁମ୍ବାଇ ଆସନ୍ତି । “ପ୍ରକୃତରେ ମୋତେ କିଛି ଜଣାନାହିଁ, ହେଲେ , ମୁଁ କିଛି ଗୋଟାଏ ବଡ କାମ କରିବାକୁ ଚାହୁଁଛି,” ବୋଲି ଏଲପ୍ପା କୁହନ୍ତି ।

କୋଡାମ୍ବଲ୍‌ରରେ, ତାଙ୍କ ଗ୍ରାମ, ଜଣେ ବାଳକ ତାର ଅଭିନୟ ଜୀବନ ଆରମ୍ଭ କରିବା ପୂର୍ବରୁ, ତାର ପରିବାର ମରୀୟମ୍ମା ଦେବୀଙ୍କର ପୂଜା କରିଥାଏ ଓ ତାଙ୍କର ଆଶୀର୍ବାଦ ଲାଭ କରିଥାଏ । ସେମାନେ କୁହନ୍ତି ଏହା ଏକ ମେଳା ସଦୃଶ, ଯାହାର ଅନେକ ବିଧିବିଧାନ ରହିଛି, ଯେଉଁଠାରେ ଗୋଟିଏ ଛେଳି ବଳି ଦିଆଯାଏ । “ଆଉ ଆମେ ଆମର ଦେବୀଙ୍କୁ ଆମ ଜୀବନ ଜୀବିକା ପାଇଁ ମୁମ୍ବାଇ ଯାଉଛୁ ବୋଲି କହିବା ସହିତ ତାଙ୍କୁ ଆମର ରକ୍ଷା କରିବା ପାଇଁ ମଧ୍ୟ ପ୍ରାର୍ଥନା କରୁ” ବୋଲି ଲକ୍ଷ୍ମଣ କୁହନ୍ତି । “ଏହି ଆସ୍ଥା ଓ ବିଶ୍ୱାସ ସହିତ ଆମେ ପୁଣିଥରେ ଏଠାକୁ କାମ କରିବାକୁ ଫେରିଆସୁ ।

ସେ ଓ ତାଙ୍କ ପରିବାର ବର୍ତ୍ତମାନ ମଧ୍ୟ ଗ୍ରାମରେ ଅଛନ୍ତି ଓ ବୋଧହୁଏ ମାର୍ଚ୍ଚ ଶେଷ ବେଳକୁ ସହରକୁ ବାହୁଡିବେ।

PHOTO • Aakanksha

ତାଙ୍କ କାନ୍ଧରେ କଳା ରଙ୍ଗର ସୂତା କପଡାର ଏକ ଥଳି ଧରି , ତାଙ୍କ ସ୍ତ୍ରୀ ଓ ସାନ ଭାଇ ଏଲପ୍ପାଙ୍କ ସହିତ ୨୪ ବର୍ଷ ବୟସ୍କ ଏକ ବନ୍ଦଥିବା ଏକ ଦୋକାନ ସାମନାରେ ଅଟକି ଯାଆନ୍ତି । ସେ ତାଙ୍କ ଥଳି ଖୋଲନ୍ତି ଓ ନିଜର କାର୍ଯ୍ୟଦିବସ ଆରମ୍ଭ କରିବାକୁ ପ୍ରସ୍ତୁତ ହୁଅନ୍ତି , ଆଉ ଏଥିପାଇଁ ସେ ପ୍ରଥମେ ତାଙ୍କ ଅନାବୃତ ଛାତି ଓ ମୁହଁକୁ ହଳଦିଆ ଓ ନାଲି ପେଷ୍ଟରେ ପେଣ୍ଟ କରନ୍ତି

PHOTO • Aakanksha

ତାପରେ ସେ ଘୁଙ୍ଗୁରଗୁଡିକ ବାନ୍ଧନ୍ତି

PHOTO • Aakanksha

ଏଲପ୍ପା, ୧୩ ମଧ୍ୟ ସେହିପରି କରନ୍ତି – ସେ ମଧ୍ୟ ପେଷ୍ଟ ପ୍ରୟୋଗ କରନ୍ତି, ଘାଗରା ପରିଧାନ କରନ୍ତି, ଘୁଙ୍ଗୁରୁ ପିନ୍ଧନ୍ତି

PHOTO • Aakanksha

ଏହା ହେଉଛି ପରିବେଷଣର ସମୟ : ଦୁଇ କଳାକାର ପ୍ରସ୍ତୁତ ହୋଇସାରିଛନ୍ତି ଆଉ ସେମାନେ ବାଦ୍ୟର ତାଳେତାଳେ ନାଚ କରିବାପାଇଁ ରେଖା ଅତିଶୀଘ୍ର ତାଙ୍କ ଢୋଲକ ଉଠାଇବାକୁ ଯାଉଛନ୍ତି

PHOTO • Aakanksha

ଡିସେମ୍ବର ୨୦୧୯ରେ ରେଖା, ସେତେବେଳେ ଆଠ ମାସର ଗର୍ଭବତୀ ଥିଲେ, କୁହନ୍ତି : ‘ମୁଁ କେବଳ ବେଳେବେଳେ ଟିକିଏ କ୍ଳାନ୍ତି ଅନୁଭବ କରିଥାଏ, ଏହା ହେଉଛି ମୋର ତୃତୀୟ ସନ୍ତାନ । ମୋର ଏହି କାମ ଅଭ୍ୟାସଗତ, ଯଦି ମୁଁ ରହିଯିବି ତାହାହେଲେ ମୋ ପିଲାଙ୍କୁ କିଏ ଖାଇବାକୁ ଦେବ?‘

PHOTO • Aakanksha

ଏଲପ୍ପା ଏହି କ୍ଷେତ୍ରରେ ଅପେକ୍ଷାକୃତ ନୂଆ, ଏଣୁ ସେ ଚାବୁକ୍‌ରେ ଭୂମି ଉପରେ ପ୍ରହାର କରନ୍ତି, ସଟାକ୍‌ ସଟାକ୍‌ ଶବ୍ଦ ସୃଷ୍ଟି କରିବାକୁ

PHOTO • Aakanksha

ଯେତେବେଳେକି ଲକ୍ଷ୍ମଣ ଚାବୁକ୍‌ରେ ପିଠିରେ ପ୍ରହାର କରିବା ପୂର୍ବରୁ ସଟାକ୍‌ ସଟାକ୍‌ ଶବ୍ଦ ସୃଷ୍ଟି କରନ୍ତି ଓ ଏହାକୁ ଶୂନ୍ୟରେ ହଲାନ୍ତ ସେ କୁହନ୍ତି : ‘ ଆମେ କିଛି ମଧ୍ୟ ପ୍ରୟୋଗ କରୁନାହିଁ ଯେହେତୁ ଏହି ଯନ୍ତ୍ରଣା ଆମେ ଆମ ଭଗବାନଙ୍କ ପାଇଁ ସହିଥାଉ । ବେଳେବେଳେ ମୋର ପିଠି ଫୁଲିଯାଏ , ହେଲେ , ମରିୟାମ୍ମାଙ୍କ ଉପରେ ଆମର ଅତୁଟ ବିଶ୍ୱାସ ରହିଛି ଯେ ସେ ଆମମାନଙ୍କ ରକ୍ଷା କରୁଛନ୍ତି । ପ୍ରତିଦିନ କାମ କରିବାଫଳରେ ଧୀରେ ଧୀରେ ମୋର ଉନ୍ନତି ହେଲା । ବର୍ତ୍ତମାନ ମତେ ଆଉ ବେଶୀ କଷ୍ଟ ହେଉନାହିଁ ।

PHOTO • Aakanksha

ସେମାନେ ପଇସା ମାଗି ମାଗି ଆଗେଇ ଯାଆନ୍ତି : ‘ ଏକ ରୁପୟା , ଦୋ ରୁପୟା , ଭଗବାନ କଷ୍ଟ ସେ ଦୂର ରଖେଗା ( ଆମକୁ ଟଙ୍କାଏ , ଦୁଇ ଟଙ୍କା ଦିଅ , ଭଗବାନ ତୁମକୁ ସମସ୍ତ ଦୁଃଖକଷ୍ଟରୁ ରକ୍ଷା କରିବେ ]

PHOTO • Aakanksha

ଲକ୍ଷ୍ମଣ ଓ ଏଲପ୍ପା ବିଭିନ୍ନ ଦୋକାନୀ ଓ ପରିବାବିକାଳୀମାନଙ୍କଠାରୁ ମଧ୍ୟ ପଇସା ମାଗନ୍ତି । କିଛି ଲୋକ ଆମକୁ ଖାଦ୍ୟ ଦିଅନ୍ତି , ହେଲେ , ଭଗବାନଙ୍କ ପାଇଁ କାର୍ଯ୍ୟ କରିବାବେଳେ ମୁଁ ଖାଇ ପାରିବିନାହିଁ । ଆମେ ଘରକୁ ନ ପହଁଞ୍ଚିବା ପର୍ଯ୍ୟନ୍ତ କିଛି ଖାଇନଥାଉ

PHOTO • Aakanksha

ଲୋକମାନେ କିଛି ସମୟ ନିରେଖି ଦେଖନ୍ତି , ହେଲେ , ପାଖକୁ ଆସିବାକୁ ଦ୍ୱିଧା ପ୍ରକାଶ କରନ୍ତି , କିଛି ନଦେଖି ମଧ୍ୟ ଚାଲି ଯାଆନ୍ତି , ଆଉ କିଛି ଅଭିନୟକାରୀଙ୍କ ପାଖକୁ କିଛି କଏନ୍ ବା ନୋଟ୍ ଫୋପାଡନ୍ତି , କିଛି ପିଲା ଭୟରେ ସେଠାରୁ ଦୌଡି ଚାଲିଯାଆନ୍ତି

PHOTO • Aakanksha

ରେଖା , ସେତେବେଳେ ଆଠ ମାସର ଗର୍ଭବତୀ ଥିଲେ , ଜଣେ ଦୋକାନୀ ଚାହା ଯାଚିବାରୁ ତାହା ଗ୍ରହଣ କଲେ

PHOTO • Aakanksha

ମୋର ଜେଜେଙ୍କ ବାପା ଓ ତାଙ୍କ ବାପା ଚାରିଆଡେ ବୁଲିବୁଲି ପରିବେଷଣ କରୁଥିଲେ । ମରିୟମ୍ମା ଆମକୁ ନୃତ୍ୟ କରିବାକୁ କହିଛନ୍ତି , ସେ ଆମର ଯତ୍ନ ନେଉଛନ୍ତି , ବୋଲି ଲକ୍ଷ୍ଣଣ କୁହନ୍ତି

PHOTO • Aakanksha

ସେମାନେ ଦିନ ପାଇଁ ଯଥେଷ୍ଟ ଅର୍ଥ ଉପାର୍ଜନ କରିବା ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱର ଏହି କାର୍ଯ୍ୟକ୍ରମ ଜାରି ରହିଥାଏ, ହେଲେ ଏହି ଉପାର୍ଜନ ପରିମାଣ ସବୁବେଳେ ଅସ୍ଥିର ଅଟେ । ପ୍ରମୁଖ ପର୍ବପର୍ବାଣୀ ସମୟରେ, ଯେତେବେଳେ ଲୋକମାନେ ଭଗବାନଙ୍କ ନାମରେ ସ୍ଇଚ୍ଛାରେ ଦାନ କରିବାକୁ ଆଗେଇ ଆସନ୍ତି, ସେତେବେଳେ ଏହି ପରିବାର ଦିନକୁ ୧୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହେଉଥିଲା ( ତାଲାବନ୍ଦ ପୂର୍ବରୁ) । ଅନ୍ୟ ଦିନଗୁଡିକରେ, ଏହି ପରିମାଣ ୧୫୦ ରୁ ୪୦୦ ମଧ୍ୟରେ ସିମୀତ ରହିଯାଏ ।

PHOTO • Aakanksha

ଭଗବାନଙ୍କ ଉଦ୍ଦେଶ୍ୟରେ ସାରାଦିନ ନୃତ୍ୟ କରିବା ପରେ , ଲକ୍ଷ୍ମଣ ତାଙ୍କ ମୁହଁର ମେକ୍ ‌- ଅପ୍ ସବୁ ପୋଛି ଦିଅନ୍ତି

PHOTO • Aakanksha

ତା’ପରେ ପରିବାର ବାନ୍ଦ୍ରା ଟର୍ମିନସ୍‌ ନିକଟରେ ଅବସ୍ଥିତ ସେମାନଙ୍କ କୁଡିଆକୁ ଫେରିଯାଏ ; ସେଠାରେ ସେମାନଙ୍କ ସମ୍ପ୍ରଦାୟର ପ୍ରାୟ ୫୦ରୁ ଅଧିକ ପରିବାର ବାସ କରନ୍ତି, ବାଉଁଶ ଭରା ଦେଇ ତାରପଲିନ, ପ୍ଲାଷ୍ଟିକ୍‌ ବା କପଡା ଚଦରର ସହାୟତାରେ ନିର୍ମିତ ଅସ୍ଥାୟୀ ତମ୍ବୁଗୁଡିକରେ ।

PHOTO • Aakanksha

ଅନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡିକ ପରି ସେମାନଙ୍କ ବସ୍ତିରେ ଘୋର ଜଳାଭାବ ରହିଛି । ପରିବାରଗୁଡିକ ପାନୀୟ ଜଳ ପାଇଁ ଟର୍ମିନସ୍‌ ବା ପାଖର ଲେନ୍‌, ଯେତେବେଳେ ସେହି ଟାପ୍‌ ସକାଳବେଳା ୫-୯ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହେ, ବ୍ୟବହାର କରନ୍ତି । ସେମାନଙ୍କ କୁଡିଆରେ ବିଦ୍ୟୁତ୍‌ ସଂଯୋଗ ନାହିଁ । ସେମାନେ ସେମାନଙ୍କର ଫୋନ୍‌ ଚାର୍ଜ କରିବା ପାଇଁ ପାଖରେ ଥିବା ଦୋକାନୀକୁ କିଛି ଟଙ୍କା ପ୍ରଦାନ କରିଥାନ୍ତି ।

PHOTO • Aakanksha

ରେଖା , ତାଙ୍କ ଝିଅ ରେସ୍ମା , ଶାଶୁ ଏଲାମ୍ମା ଓ ରେଖାଙ୍କ ପୁଅ ରାହୁଲ । ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲାମାନଙ୍କ ନାମ ଲେଖା ହୋଇନି , ହେଲେ ସେମାନେ ପାଠ ପଢନ୍ତୁ ବୋଲି ସେମାନଙ୍କ ଅଭିଭାବକମାନେ ଚାହାନ୍ତି । ଆମ ଗ୍ରାମରେ ସେମାନେ ପାଠ ପଢନ୍ତୁ ବୋଲି ମୁଁ ଚାହୁଁଛି , ବୋଲି ରେଖା କୁହନ୍ତି । ଏହାସହିତ ଲକ୍ଷ୍ଣଣ କୁହନ୍ତି ଯେ ଯଦି ମୋର ପୁଅ ପାଠ ପଢିବ , ତାହାହେଲେ ସେ ଏକ ଉତ୍ତମ ଜୀବନ ବଞ୍ଚିପାରିବ’


ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha is a reporter and photographer with the People’s Archive of Rural India. A Content Editor with the Education Team, she trains students in rural areas to document things around them.

यांचे इतर लिखाण Aakanksha
Editor : Sharmila Joshi

शर्मिला जोशी पारीच्या प्रमुख संपादक आहेत, लेखिका आहेत आणि त्या अधून मधून शिक्षिकेची भूमिकाही निभावतात.

यांचे इतर लिखाण शर्मिला जोशी
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE