ମାର୍ଚ୍ଚ ୨୫, ୨୦୨୦ରେ ଲାଗୁ ହୋଇଥିବା ପ୍ରଥମ କୋଭିଡ-୧୯ ଲକଡାଉନ, କୋଟି କୋଟି ସାଧାରଣ ଭାରତୀୟଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଥିଲା।

‘‘ଆମ ପାଖରେ ଥିବା ସବୁ ଟଙ୍କା ସରିଯାଇଥିଲା।’’ ଜମ୍ମୁର ନିର୍ମାଣ ଶ୍ରମିକ ଦମ୍ପତି ମୋହନ ଲାଲ ଏବଂ ତାଙ୍କ ପତ୍ନୀ ନର୍ମଦାବାଇଙ୍କ ସଞ୍ଚୟ ଲକଡାଉନ ଆରମ୍ଭରେ ୨,୦୦୦ ଟଙ୍କାକୁ ହ୍ରାସ ପାଇଥିଲା। ରାସନ ଓ ଅନ୍ୟାନ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ସେମାନଙ୍କୁ ନିଜ ଠିକାଦାରଙ୍କ ଠାରୁ ଟଙ୍କା ଉଧାର ଆଣିବାକୁ ପଡ଼ିଥିଲା।

ଷ୍ଟେଟ୍‌ ଅଫ୍‌ ରୁରାଲ ଏଣ୍ଡ ଆଗ୍ରାରିଆନ୍‌ ଇଣ୍ଡିଆ ରିପୋର୍ଟ ୨୦୨୦ ଅନୁଯାୟୀ , ସାମଗ୍ରିକ ଭାବେ ଏପ୍ରିଲ ଓ ମେ ୨୦୨୦ରେ ଭାରତରେ ବେକାରୀ ହାର ୨୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହା ଫେବୃଆରୀ ୨୦୨୦ରେ ଥିବା ବେକାରୀ ହାର (୭.୩ ପ୍ରତିଶତ) ଠାରୁ ତିନି ଗୁଣ ଅଧିକ ଥିଲା। ମହାମାରୀ ପୂର୍ବରୁ (୨୦୧୮-୧୯) ରେ ଏହା ୮.୮ ପ୍ରତିଶତ ପାଖାପାଖି ରହିଥିଲା।

PHOTO • Design courtesy: Siddhita Sonavane

ଲକଡାଉନ ଫଳରେ କୋଟି କୋଟି ଶ୍ରମିକ ରାତାରାତି ସେମାନଙ୍କର ଚାକିରି ହରାଇଥିଲେ; ପ୍ରବାସୀ ଶ୍ରମିକମାନେ ଘରକୁ ଫେରଯିବା ପାଇଁ ବାଧ୍ୟ ହୋଇଥିଲେ ।

ମହାରାଷ୍ଟ୍ର ବୀଡ୍‌ର ଅର୍ଚ୍ଚନା ମାଣ୍ଡୱେ କହିଥିଲେ, ‘‘ଲକଡାଉନ ହେବାର ଗୋଟିଏ ମାସ ପରେ ଆମେ ଘରକୁ ଫେରିଯାଇଥିଲୁ।’’ ସଞ୍ଚୟ ହ୍ରାସ ପାଇବା ଏବଂ କୌଣସି ରୋଜଗାର ନଥିବା କାରଣରୁ ଏହି ଶ୍ରମିକ ପରିବାର ଅନନ୍ୟୋପାୟ ହୋଇ ସେମାନଙ୍କ ଗାଁକୁ ଫେରି ଯାଇଥିଲେ। ଯାତ୍ରା ଉପରେ କଟକଣା ଥିବା କାରଣରୁ, ସେମାନେ କେବଳ ରାତିରେ ଯାତ୍ରା କରିବାକୁ ସକ୍ଷମ ହୋଇଥିଲେ – ସେମାନେ କେବଳ ଗୋଟିଏ ମୋଟରସାଇକେଲରେ ଔରଙ୍ଗାବାଦରୁ ୨୦୦ କିଲୋମିଟର ଯାତ୍ରା କରି ଗାଁରେ ପହଞ୍ଚିଥିଲେ।

ଭାରତରେ ଶ୍ରମିକମାନଙ୍କ ଉପରେ କୋଭିଡ-୧୯ର ପ୍ରଭାବ ସମ୍ପର୍କରେ ପରୀ ପକ୍ଷରୁ ୨୦୦ରୁ ଅଧିକ କାହାଣୀ ପ୍ରକାଶ ପାଇଛି। ପରୀ ଲାଇବ୍ରେରୀ (ପାଠାଗାର ବିଭାଗ) ର କୋଭିଡ-୧୯ ଏବଂ ଶ୍ରମିକ ସେକ୍ସନରେ, ଏସବୁ କାହାଣୀ ସହିତ ଭାରତରେ ଶ୍ରମିକମାନଙ୍କର ସ୍ଥିତି ଓ ସେମାନେ ସାମ୍ନା କରିଥିବା ସଂଘର୍ଷ ଉପରେ ଗବେଷଣା ଓ ରିପୋର୍ଟ ସବୁ ରହିଛି। ଏଥିରେ ସରକାର, ନିରପେକ୍ଷ ସଂଗଠନ ଏବଂ ମିଳିତ ଜାତିସଂଘ ଏଜେନ୍ସି ଦ୍ୱାରା ପ୍ରକାଶିତ ଦସ୍ତାବିଜଗୁଡ଼ିକ ରହିଛି।

PHOTO • Design courtesy: Siddhita Sonavane
PHOTO • Design courtesy: Siddhita Sonavane

ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ (ଆଇଏଲଓ)ର ବିଶ୍ୱ ମଜୁରି ରିପୋର୍ଟ ୨୦୨୦-୨୧ ରେ ବିଶ୍ୱବ୍ୟାପୀ ଅସମାନ୍ତର ବେକାରୀ ସ୍ତର ରହିଥିବା କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କୋଭିଡ-୧୯ କାରଣରୁ କାର୍ଯ୍ୟ ସମୟ ହ୍ରାସ ପାଇବା ୩୪୫ ନିୟୁତ ପୂର୍ଣ୍ଣକାଳୀନ ଚାକିରି ହରାଇବା ସହ ସମାନ ଥିଲା। ଏହାର ଏକ ପରିଣାମ ସ୍ୱରୂପ ସାରା ବିଶ୍ୱରେ ଶ୍ରମ ଆୟରେ ୧୦.୭ ପ୍ରତିଶତ ହ୍ରାସ ଦେଖା ଦେଇଥିଲା।

ଇତିମଧ୍ୟରେ, ଅକ୍ସଫାମ ସଂସ୍ଥାର ଦ ଇନଇକ୍ୱାଲିଟୀ ଭାଇରସ ୨୦୨୧ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମାର୍ଚ୍ଚରୁ ଡିସେମ୍ବର ମାସ ମଧ୍ୟରେ ବିଶ୍ୱର କେତେଜଣ ବିତ୍ତଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ମୋଟ୍‌ ୩.୯ ଟ୍ରିଲିୟନ ଡଲାର ବୃଦ୍ଧି ପାଇଥିଲା। ଅନ୍ୟପଟେ ୨୦୨୦ରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ରୋଜଗାର ଏକ ପଞ୍ଚମାଂଶଠାରୁ ଅଧିକ (୨୨.୬ ପ୍ରତିଶତ) ହ୍ରାସ ପାଇଥିବା ଆଇଏଲଓ ରିପୋର୍ଟରେ ଦର୍ଶାଯାଇଛି ।

ଦିଲ୍ଲୀର ଜଣେ ମହିଳା କୁମ୍ଭାରଙ୍କ ରୋଜଗାର (ପାର୍ବଣ ସମୟରେ) ୧୦,୦୦୦ରୁ ୨୦,୦୦୦ ଟଙ୍କାରୁ ହ୍ରାସ ପାଇ ମହାମାରୀର ପ୍ରାରମ୍ଭିକ ସମୟରେ ମାତ୍ର ୩,୦୦୦ରୁ ୪,୦୦୦ ଟଙ୍କାକୁ ହ୍ରାସ ପାଇଥିଲା। ଅନ୍ୟପଟେ ଗୁଜରାଟ କଚ୍ଛର କୁମ୍ଭାର ଇସମାଇଲ ହୁସେନଙ୍କର ଏପ୍ରିଲ-ଜୁନ ୨୦୨୦ରେ ଆଦୌ କିଛି ଜିନିଷ ବିକ୍ରି ହୋଇନଥିଲା।

ତାମିଲନାଡ଼ୁ ମଦୁରାଇର କରକଟ୍ଟମ କଳାକାର ଏମ. ନଲ୍ଲୁତାଇ କହିଥିଲେ, ‘‘ଏବେ, ମୁଁ ଓ ମୋର ଦୁଇ ପିଲା ଚାଉଳ ଏବଂ ମସୁର ଡାଲିରେ ଯାହା ଚଳୁଛୁ । କିନ୍ତୁ ଏମିତି କେତେଦିନ ଚାଲିପାରିବ ମୁଁ ଜାଣେ ନାହିଁ।’’ ମହାମାରୀ କାରଣରୁ ନଲ୍ଲୁତାଇଙ୍କ କାମ ଓ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ।

PHOTO • Design courtesy: Siddhita Sonavane
PHOTO • Design courtesy: Siddhita Sonavane

ଦିଲ୍ଲୀରେ ଘରୋଇ ସହାୟିକା ଭାବେ କାମ କରୁଥିବା ମହିଳାମାନଙ୍କ ଉପରେ କୋଭିଡ ୧୯ ଜାତୀୟ ଲକଡାଉନର ପ୍ରଭାବ ଉପରେ ପ୍ରକାଶିତ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୮୩ ପ୍ରତିଶତ ଘରୋଇ ସହାୟିକା ମେ ୨୦୨୦ରେ ଲକଡାଉନ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇଥିଲେ। ପ୍ରାୟ ୧୪ ପ୍ରତିଶତ ଲୋକ ସେମାନଙ୍କର ଘର ଖର୍ଚ୍ଚ ତୁଲାଇବାକୁ ସକ୍ଷମ ହୋଇନଥିଲେ ଏବଂ ସେମାନଙ୍କୁ ନିଜ ସମ୍ପର୍କୀୟ ଓ ପଡ଼ୋଶୀଙ୍କଠାରୁ ଟଙ୍କା ଉଧାର ଆଣିବାକୁ ପଡ଼ିଥିଲା।

ପୁଣେର ଘରୋଇ ସହାୟିକାଙ୍କ ଅବସ୍ଥା ମଧ୍ୟ ସମାନ ଥିଲା। ସେମିତି ଜଣେ ମହିଳା ଆବୋଲି କାମ୍ବଲେ କହିଥିଲେ, ‘‘ଆମେ ସମସ୍ତେ ଘରୋଇ କାମ କରି ଯେନତେନ ପ୍ରକାରରେ ନିଜ ପେଟ ଭରିବା ପାଇଁ ସକ୍ଷମ ହୋଇଥାଉ। କିନ୍ତୁ ଏବେ କିଛି କାମ ନାହିଁ, ତେଣୁ ଆମେ ଟଙ୍କା କେଉଁଠୁ ପାଇବୁ?’’

କ୍ଷମତା, ଲାଭ ଓ ମହାମାରୀ ଉପରେ ଅକ୍ସଫାମ ରିପୋର୍ଟରେ କୁହାଯାଇଛି ଯେ କୋଭିଡ-୧୯ ପୂର୍ବରୁ ଭାରତର ଶ୍ରମଶକ୍ତିରେ ମହିଳାମାନଙ୍କର ଯୋଗଦାନ ୨୦ ପ୍ରତିଶତ ଥିଲା ଏବଂ ମହାମାରୀ ଜନିତ ନିଯୁକ୍ତି ହ୍ରାସରେ ଏମାନଙ୍କର ୨୩ପ୍ରତିଶତ ଯୋଗଦାନ ରହିଥିଲା। ମହାମାରୀ ସମୟରେ ‘ଜରୁରି’ ଶ୍ରମଶକ୍ତିରେ ମଧ୍ୟ ସେମାନେ ଏକ ମୂଲ୍ୟବାନ ଅଂଶବିଶେଷ ଥିଲେ ।

ମହାରାଷ୍ଟ୍ର ବୀଡ଼ ଜିଲ୍ଲାର ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ ବା ଆଶା କର୍ମୀ ଶାହବାଇ ଘରାତ କୋଭିଡ-୧୯ ମାମଲା ଉପରେ ନଜର ରଖିବା ବ୍ୟତୀତ ନିଜ ସାଧାରଣ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ କରିବା ଲାଗି ଘରକୁ ଘର ବୁଲିଥିଲେ । ଯେତେବେଳେ ତାଙ୍କ ପରିବାରର ସଦସ୍ୟମାନେ ଭୂତାଣୁରେ ସଂକ୍ରମିତ ହୋଇଥିଲେ, ସେମାନଙ୍କ ଚିକିତ୍ସା ପାଇଁ ତାଙ୍କୁ ନିଜର ଚାଷ ଜମି ଏବଂ ଗହଣା ବିକ୍ରି କରିବାକୁ ପଡ଼ିଥିଲା । (ମାର୍ଚ୍ଚ ୨୦୨୦ରୁ ଅଗଷ୍ଟ ୨୦୨୧) ମଧ୍ୟରେ ତାଙ୍କର ନିରନ୍ତର କଠିନ ପରିଶ୍ରମ ପାଇଁ ସହାୟତା ସ୍ୱରୂପ ତାଙ୍କୁ କେବଳ ୨୨ଟି ଡିସପୋଜେବଲ ମାସ୍କ ଓ ୫ଟି ଏନ95 ମାସ୍କ ମିଳିଥିଲା। ‘‘ଆମ କାମରେ ଯେତିକି ବିପଦ ରହିଛି ତା’କୁ ଦେଖିଲେ ଆମକୁ ଉପଯୁକ୍ତ ପାରିଶ୍ରମିକ ମିଳୁଛି ବୋଲି ଆପଣ ଭାବୁଛନ୍ତି କି?’’

PHOTO • Design courtesy: Siddhita Sonavane

ମହାମାରୀ ଆରମ୍ଭ ପରଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶ୍ରମିକମାନଙ୍କର ଦୟନୀୟ ସ୍ଥିତି ଲାଗି ରହିଥିଲା। ଅଦୃଶ୍ୟ ନାଗରିକମାନଙ୍କ ସ୍ୱର II :  କୋଭିଡ-୧୯କୁ ୧ ବର୍ଷ ପୂର୍ତ୍ତି ରିପୋର୍ଟରେ କୁହାଯାଇଥିଲା ଯେ ମହାମାରୀ ପରଠାରୁ ୭୩ ପ୍ରତିଶତ ଶ୍ରମିକ ସୁରକ୍ଷିତ ଚାକିରି ପାଇବାରେ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି ।

‘‘ସଂଗଠିତ କିମ୍ବା ଅସଂଗଠିତ କ୍ଷେତ୍ର କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ରହିଥିବା ସବୁ କର୍ମଚାରୀ ଓ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାର ଲକ୍ଷ୍ୟ ନେଇ ସାମାଜିକ ସୁରକ୍ଷା ସହ ଜଡ଼ିତ ଆଇନରେ ସଂଶୋଧନ କରିବା ଏବଂ ଯୁକ୍ତିସଂଗତ କରିବା’’ ଉଦ୍ଦେଶ୍ୟରେ ସଂସଦରେ ସାମାଜିକ ସୁରକ୍ଷା ସଂହିତା, ୨୦୨୦ ପାରିତ ହୋଇଥିଲା । ତଥାପି, ଭାରତରେ ଶ୍ରମିକମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି ।

ପରୀ ଲାଇବ୍ରେରୀ ତୃଣମୂଳ ସ୍ତରରେ ରହିଥିବା ସ୍ଥିତିକୁ ଭଲ ଭାବେ ବୁଝିବା ଏବଂ ସରକାରୀ ନୀତି କାର୍ଯ୍ୟକାରିତାରେ ରହିଥିବା ଶୂନ୍ୟସ୍ଥାନଗୁଡ଼ିକୁ ଅନୁଧ୍ୟାନ କରିବା ଲାଗି ଏକ ଉତ୍ତମ ମଞ୍ଚ ।

ପ୍ରଚ୍ଛଦ ଅଳଙ୍କରଣ: ସ୍ୱଦେଶା ଶର୍ମା

ଅନୁବାଦ : ଓଡ଼ିଶାଲାଇଭ୍‍

Swadesha Sharma

Swadesha Sharma is a researcher and Content Editor at the People's Archive of Rural India. She also works with volunteers to curate resources for the PARI Library.

यांचे इतर लिखाण Swadesha Sharma
Editor : PARI Library Team

The PARI Library team of Dipanjali Singh, Swadesha Sharma and Siddhita Sonavane curate documents relevant to PARI's mandate of creating a people's resource archive of everyday lives.

यांचे इतर लिखाण PARI Library Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE