ସନ୍ଧ୍ୟା ସମୟରେ ନର୍ମଦାବାଇ ତାଙ୍କ ଝୁଗ୍ଗିରେ ଚଟାଣ ଉପରେ ବସି ଶିଲ୍‌ବଟ୍ଟାରେ  ଟମାଟ ବାଟୁଥିଲେ । ତାଙ୍କର ସ୍ୱାମୀ ମୋହନ ଲାଲ୍‌ ସେଗୁଡିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦେଇଛନ୍ତି ଓ ସେଗୁଡିକୁ ଏକ କପଡା ଖଣ୍ଡ ଉପରେ ରଖି ଦେଇଛନ୍ତି ।

“ଆମେ ଏହାକୁ ବାଟି ଚଟଣୀ ପ୍ରସ୍ତୁତ କରୁ । ପାଖରେ ଥିବା ଘରଗୁଡିକ ଆମକୁ ବେଳେବେଳେ ଭାତ ଦିଅନ୍ତି । ନମିଳିଲେ  ଆମେ ଆମ ପେଟର ଜ୍ୱାଳାକୁ ଶାନ୍ତ କରିବା ପାଇଁ ଏହି ଚଟଣୀ  ଢକ ଢକ କରି ପିଇଦେଉ,” ବୋଲି ନର୍ମଦାଙ୍କ ସହିତ ଯେତେବେଳେ ଏପ୍ରିଲ୍‌ ଶେଷ ଆଡକୁ ମୋର ସାକ୍ଷାତ ହୋଇଥିଲା, ସେ ମତେ କହିଥିଲେ । ସେ ଆଖପାଖରେ ଥିବା ବିଲ୍‌ଡିଂଗୁଡିକରେ ରହୁଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ କହୁଥିଲେ, ଯେଉଁମାନେ ପଶ୍ଚିମ ଜାମ୍ମୁର ଦୁର୍ଗା ନଗରର ଏକ ଗଳିରେ ତିନୋଟି ଝୋପଡିରେ ରହୁଥିବା ଶ୍ରମିକମାନଙ୍କୁ ବେଳେବେଳେ କିଛି ରାସନ୍‌ ସାମାନ୍‌ ଦେଉଥିଲେ ।

ମାର୍ଚ୍ଚ ୨୫ରେ ଯେତେବେଳେ କୋଭିଡ୍‌-୧୯ କାରଣରୁ ତାଲାବନ୍ଦ ଆରମ୍ଭ ହେଲା, ସେତେବେଳେ ନର୍ମଦାବାଇ ଚନ୍ଦ୍ର ଓ ମୋହନ୍‌ ଲାଲ୍‌ ଚନ୍ଦ୍ରଙ୍କ ପକ୍ଷରେ ନିଜ ପାଇଁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଲା – ବିଶେଷକରି ଶୀତଦିନରେ ଫେବୃଆରୀ ମାସ ପର୍ଯ୍ୟନ୍ତ ସେମାନଙ୍କୁ କିଛି କାମ ମିଳୁନଥିବାରୁ ଓ ଏହି ସମୟରେ ସେମାନେ ସେମାନଙ୍କର ସ୍ୱଳ୍ପ ସଞ୍ଚିତ ଅର୍ଥ ବ୍ୟବହାର କରୁଥିବା କାରଣରୁ ।

ନର୍ମଦାବାଇ ,୪୮, ଜଣେ ଦିନ ମଜୁରିଆ ଭାବେ ଜାମ୍ମୁର ଏକ ନିର୍ମାଣ ସ୍ଥଳିରେ କାମ କରନ୍ତି ଓ ଦିନକୁ ୪୦୦ଟଙ୍କା ଉପାର୍ଜନ କରନ୍ତି, ସେ ମାସରେ ୨୦-୨୫ ଦିନ କାମ କରନ୍ତି । ମୋହନ ଲାଲ, ୫୨, ହେଉଛନ୍ତି ଜଣେ ରାଜମିସ୍ତ୍ରୀ ଓ ସେ ଦିନକୁ ୬୦୦ଟଙ୍କା ଉପାର୍ଜନ କରନ୍ତି । “ଫେବୃଆରୀରେ ଠିକ୍‌ କାମର ପରିମାଣ ବଢିବାକୁ ଆରମ୍ଭ ହେବା ବେଳକୁ ତାଲାବନ୍ଦ ଘୋଷଣା ଲାଗୁ କରାଗଲା,” ବୋଲି ମୋହନ ଲାଲ୍‌ କହିଲେ । “ଆମେ ସର୍ବହରା ହୋଇଗଲୁ ।’’

ମୋହନ ଲାଲ୍‌ଙ୍କ ପାଖ ଘରେ ତାଙ୍କ ସାନ ଭାଇ ଅଶ୍ୱିନୀ କୁମାର ଚନ୍ଦ୍ର ଯାହାର ବୟସ ୪୦ରୁ ଅଧିକ ହେବ ଓ ତାଙ୍କ ସ୍ତ୍ରୀ ରାଜକୁମାରୀ, ୪୦, ରୁହନ୍ତି । ଅଶ୍ୱିନୀ ମଧ୍ୟ ରାଜମିସ୍ତ୍ରୀ ଭାବେ କାମ କରନ୍ତି ଓ ଦିନକୁ ୬୦୦ଟଙ୍କା ଉପାର୍ଜନ କରନ୍ତି ଯେତେବେଳେ କି ରାଜକୁମାରୀ ନିର୍ମାଣ ସ୍ଥଳିରେ ଓ  ଆଖପାଖ ଜମି ଓ ବଗିଚାରେ କାମ କରି ଦିନକୁ ୪୦୦ଟଙ୍କା ଉପାର୍ଜନ କରନ୍ତି।

ଉଭୟ ପରିବାର ଛତିଶଗଡର ଜାଞ୍ଜଗିର-ଚମ୍ପା ଜିଲ୍ଲାର ନୱାଗଡ ତାଲୁକା ଅନ୍ତର୍ଗତ ବର୍ଭତା ଗ୍ରାମରୁ ଜାମ୍ମୁ ଆସିଛନ୍ତି । ନର୍ମଦାବାଇ ଓ ମୋହନ ଲାଲ ୨୦୦୨ରେ ଆସିଛନ୍ତି – ଦୁର୍ଭିକ୍ଷ ଯୋଗୁଁ ବାଧ୍ୟ ହୋଇ । “ଦୁର୍ଭିକ୍ଷ ଯୋଗୁଁ ସର୍ବସ୍ୱାନ୍ତ ହୋଇଗଲୁ, ଆମର ଗାଇଗୋରୁ, ଜୀବନଜୀବିକା ଓ ବଞ୍ଚିବା ପାଇଁ ଆବଶ୍ୟକ ମୌଳିକ ସୁବିଧା ସବୁ କିଛି ଦୁର୍ଭିକ୍ଷ ଗ୍ରାସ କରିଦେଲା । ଆମର ସବୁକିଛି ଚାଲିଗଲା, ଏଣୁ ଆମେ ସେହି ସ୍ଥାନ ଛାଡିବାକୁ ବାଧ୍ୟ ହେଲୁ,” ବୋଲି ମୋହନ ଲାଲ କୁହନ୍ତି ।
People in nearby buildings gave rations to the labourers living in the three rooms (left) in a back lane in Jammu city. Mohan Lal (right) resides in one of the rooms
PHOTO • Rounak Bhat
People in nearby buildings gave rations to the labourers living in the three rooms (left) in a back lane in Jammu city. Mohan Lal (right) resides in one of the rooms
PHOTO • Rounak Bhat

ଆଖପାଖ ବିଲଡିଂରେ ରହୁଥିବା ଲୋକମାନେ ଜାମ୍ମୁ ସହରର ଏକ ଗଳିରେ ତିନୋଟି ବଖରାରେ ରହୁଥିବା (ବାମ) ଶ୍ରମିକମାନଙ୍କୁ ରାସନ୍‌ ଦେଲେ । ମୋହନ ଲାଲ (ଡାହାଣ) ସେ ମଧ୍ୟରୁ ଗୋଟିଏ ବଖରାରେ ରୁହନ୍ତି

ଅଶ୍ୱିନି ଓ ରାଜକୁମାରୀ (ପ୍ରଚ୍ଛଦ ଫଟୋର ଶୀର୍ଷରେ, ସେମାନଙ୍କ ପୁଅ ସହିତ) କୃଷି କାମ, ନିର୍ମାଣ ଶ୍ରମିକ, ଦର୍ଜୀ କାମ ଓ ପୋଷାକ ଦୋକାନ ଚଲାଇ ଜୀବିକା ଅର୍ଜନ କରିବାକୁ ଚେଷ୍ଟା କରିବା ପରେ ଏଠାକୁ ପ୍ରାୟ ସାତ ବର୍ଷ ପୂର୍ବେ ଆସିଥିଲେ । ସେମାନେ ତାଙ୍କର ଅନ୍ୟ ତିନି ସନ୍ତାନଙ୍କୁ ବର୍ଭତାରେ ସେମାନଙ୍କ ଜେଜେମାଙ୍କ ପାଖରେ ଛାଡି ଆସିଛନ୍ତି ।

ଗ୍ରାମରେ ଭାଇମାନେ ମିଶି ତିନି ଏକର୍‌ ଜମି ଚାଷ କରୁଥିଲେ । "ଆମେମାନେ ବାଇଗଣ, ଟମାଟ, ଡାଲି ଆଦି ଉତ୍ପାଦନ କରୁଥିଲୁ।’’ “ହେଲେ ବର୍ଷା ଅଭାବରୁ ଦୁର୍ଭିକ୍ଷ ଦେଖାଦେଲା, କୂଅଗୁଡିକ ଶୁଖିଗଲା…” ବୋଲି ମୋହନ ଲାଲ କହିଲେ । ଚାଷଜମିଗୁଡିକରେ ବର୍ଷ ବର୍ଷ ଧିରି ଚାଷ ହୋଇପାରିଲା ନାହିଁ, ଶେଷରେ ପରିବାର ଲୋକମାନେ ଗ୍ରାମର ଜଣେ କୃଷକଙ୍କୁ ବାର୍ଷିକ ୧୦,୦୦୦ଟଙ୍କାରେ ଲିଜ୍‌ ଦେଇଦେଲେ ।

ସେମାନଙ୍କ ଗ୍ରାମର କେହିଜଣେ ଜାମ୍ମୁ ବିଷୟରେ କହିଥିଲେ – ଏଠାରେ ଅପେକ୍ଷାକୃତ କମ୍‌ ବ୍ୟୟରେ ଚଳିହେବ ଓ ଏଠାରେ କରିବାକୁ ବହୁତ କାମ ଅଛି ବୋଲି ସେମାନେ ଶୁଣିଥିଲେ । “ଆମେ ବିଶେଷ କିଛି ନ ଭାବି ତଥା ଟଙ୍କା ପଇସା ନଧରି ବାର୍ଭାତ ଛାଡିଥିଲୁ ବୋଲି ନର୍ମଦାବାଇ କହିଲେ । “ ଆମ ପାଖରେ ଥିବା ଜମା ପୁଞ୍ଜି ଓ କିଛି ଆଶା ସହିତ ଆମେ ଏଠାକୁ ଆସିଥିଲୁ, କ’ଣ କରିବୁ ଓ କିପରି କରିବୁ ତାହାର କୌଣସି ଯୋଜନା ପ୍ରସ୍ତୁତ କରିନଥିଲୁ । ଆମେ ଏକ ଟ୍ରେନ୍‌ରେ ଚଢିଗଲୁ ଓ ଏଠାରେ ପହଞ୍ଚିଗଲୁ’’।

ଅତିଶୀଘ୍ର ସେମାନେ ଜଣେ ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ କାମ ପାଇଗଲେ । “ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଆମେ ଅନେକ ଠିକାଦାରଙ୍କ ସହିତ କାମ କରି ଆସୁଛୁ,” ବୋଲି ମୋହନ ଲାଲ୍‌ ମତେ କହିଲେ ।

ହେଲେ, ଏହି ତାଲାବନ୍ଦ ଯୋଗୁଁ ସେମାନଙ୍କ କାମ ଓ ଆୟ ଉଭୟ ବନ୍ଦ ହୋଇଗଲା । “ଏପ୍ରିଲ୍‌ ମାସ ଶେଷରେ ସେମାନଙ୍କ ସ୍ୱଳ୍ପ ସଞ୍ଚିତ ଅର୍ଥରୁ ୨୦୦୦ଟଙ୍କାରୁ ଅଧିକ ଟଙ୍କା ମିଳିନି,” ବୋଲି ସେ ମତେ କହିଲେ । “ପ୍ରତିଦିନ ଆମକୁ ଆମର ପାରିଶ୍ରମିକ ମିଳେ ନାହିଁ, ବରଂ ପ୍ରତି ସପ୍ତାହରେ ଆମେ ୨୦୦୦-୩୦୦୦ଟଙ୍କା ପାଇଥାଉ” । ଠିକାଦାର ପ୍ରତ୍ୟେକ ମାସ ଶେଷରେ ସେହି ପରିମାଣକୁ ସେମାନଙ୍କ ସମୁଦାୟ ଆୟରୁ ବିୟୋଗ କରିଦିଅନ୍ତି । ତାଲାବନ୍ଦ ଆରମ୍ଭ ହେବା ପରେ, ଟଙ୍କା ସରି ଆସିବାରୁ ମୋହନ ଲାଲ ମାସିକ ୫ଟଙ୍କା ସୁଧ ହାରରେ ଠିକାଦାରଙ୍କ ଠାରୁ ୫୦୦୦ଟଙ୍କା ଋଣ କରିଛନ୍ତି । “ଏହା ଏକ ମାତ୍ର ବିକଳ୍ପ ଥିଲା,” ବୋଲି ସେ କହିଲେ ।

“ଆମ ପାଖରେ ଜମା ପୁଞ୍ଜି ଯାହା ଅଛି ତାହା ପର୍ଯ୍ୟାପ୍ତ ନୁହେଁ,” ବୋଲି ନର୍ମଦାବାଇ କହିଲେ । “ ଘରେ ଆମର ଦୁଇଟି ଝିଅ ଅଛନ୍ତି (ଉଭୟ ବିଏସ୍‌ସି ଛାତ୍ରୀ) । ପ୍ରତିମାସରେ ସେମାନଙ୍କୁ ଟଙ୍କା ପଠାଇବାକୁ ପଡେ, ଜଣଙ୍କୁ ୪୦୦୦ଟଙ୍କା । ଆଉ ବାକି ବଳକା ଟଙ୍କା ଆମେ ରାସନ, ସାବୁନ, ତେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବ୍ୟବହାର କରୁ’’।
Ashwini and Rajkumari live in the room next door
PHOTO • Rounak Bhat

ଅଶ୍ୱିନି ଓ ରାଜକୁମାରୀ ପାଖ ଘରେ ରୁହନ୍ତି

“ମୌସୁମୀ ଓ ଶୀତ ଋତୁରେ ଯେତେବେଳେ କାମଧନ୍ଦା ବିଶେଷ ମିଳେନାହିଁ, ଆମେ ସେତେବେଳେ କିଛି ଅଧିକ ଟଙ୍କା ପାଇବା ପାଇଁ ଗୋଟିଏ ବା ଦୁଇଟି ସାର୍ଟ ସିଲେଇ କରୁ’’ ବୋଲି ଅଶ୍ୱିନି ଜଣାଇଲେ; ସେ ଓ ରାଜକୁମାରୀ ଏକ ଭଙ୍ଗା ସିଲେଇ ମେସିନ୍‌ ରଖିଛନ୍ତି । “ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ସଂଘର୍ଷ କରୁଛୁ । ଆମକୁ କିଛି ଋଣ ମଧ୍ୟ ପରିଶୋଧ କରିବାକୁ ଅଛି” । ସେମାନଙ୍କ ମଝିଆ ସନ୍ତାନ ପ୍ରଦୀପ ଚନ୍ଦ୍ର, ୧୭, ମଧ୍ୟ ଶ୍ରମିକ ଭାବେ କାମ କରନ୍ତି; ସେ ଦଶମ ଶ୍ରେଣୀ ପାସ୍‌ କରିବାରେ ଅସଫଳ ହେବାରୁ ଗତ ବର୍ଷ ଏଠାକୁ ଆସିଛନ୍ତି । ସେ ଦିନକୁ ଅତିରିକ୍ତ ୪୦୦ଟଙ୍କା ମିଶାନ୍ତି ।

ତୃତୀୟ କୁଡିଆରେ ଦିଲୀପ କୁମାର, ୩୫, ଓ ତିହାରିନ୍‌ବାଇ ଯାଦବ, ୩୦ ରୁହନ୍ତି; ସେମାନେ ନିର୍ମାଣ ସ୍ଥଳରେ କାମ କରି ଦିନକୁ ୪୦୦ଟଙ୍କା ଉପାର୍ଜନ କରନ୍ତି । ବାରମ୍ବାର ସେମାନଙ୍କ କାମ ବଦଳାଉଥିବା ବା ବିଳମ୍ବରେ ପାରିଶ୍ରମିକ ପ୍ରଦାନ କରୁଥିବା ଠିକାଦାରଙ୍କ ଠାରୁ ସତର୍କ ରହି ସେମାନେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ତଲବ-ଟିଲ୍ଲୋ ଶ୍ରମିକ ନାକାରେ କାମ ଖୋଜୁଛନ୍ତି ।

ଏହି ପରିବାର ଆଠ ବର୍ଷ ପୂର୍ବେ ଜାଞ୍ଜଗିର-ଚମ୍ପା ଜିଲ୍ଲାର ଚମ୍ପା ତାଲୁକା  ଅନ୍ତର୍ଗତ ବାହେରଡିହ ଗ୍ରାମରୁ ଜାମ୍ମୁ ଆସିଥିଲେ । “ମୁଁ ମୋର ଗ୍ରାମରେ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲି । ଦୀର୍ଘଦିନ ଧରି ଏହି ସ୍ଥାନ ମରୁଡି ଗ୍ରସ୍ତ ହୋଇ ରହିଥିବାରୁ ଆମେ ପ୍ରବାସରେ ଯିବାକୁ  ନିଷ୍ପତି ନେଲୁ,” ବୋଲି ଦିଲୀପ କହିଲେ ।

ସେମାନେ ଜାମ୍ମୁର ଏକ ଘରୋଇ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ସେମାନଙ୍କ ୧୫ ବର୍ଷର ଝିଅର ନାମ ଲେଖାଇଛନ୍ତି । (ପୂର୍ଣ୍ଣିମା ହିଁ ଏହି ସବୁ ସାକ୍ଷତଗୁଡିକୁ ବିଳାଶପୁରି ଭାଷାରୁ ଅନୁବାଦ କରିବାରେ ସହାୟତା କରିଥିଲେ, ଯଦିଓ ସେମାନଙ୍କ ମଧ୍ୟରୁ କିଛି ହିନ୍ଦି କହିପାରନ୍ତି ।) ତାଙ୍କର ଶିକ୍ଷା ପାଇଁ ସେମାନେ ବାହେର୍‌ଡିହର ଜଣେ ଘରୋଇ ଋଣଦାତାଙ୍କ ଠାରୁ ୧୦,୦୦୦ଟଙ୍କା ଧାର କରିଥିଲେ । “ସେଥିରୁ ଆଉ କେବଳ ୩୦୦୦ଟଙ୍କା ପରିଶୋଧ କରିବାକୁ ବାକି ଅଛି,” ବୋଲି ଦିଲୀପ ମତେ ଏପ୍ରିଲ ମାସ ଶେଷରେ କହିଥିଲେ । “ଯେଉଁ ପଇସା ଆମେ ତାର ଶିକ୍ଷା ପାଇଁ ଖର୍ଚ୍ଚ କରିଥାନ୍ତୁ, ତାହା ବର୍ତ୍ତମାନ ଆମକୁ ଜୀବିତ ରଖିଛି ।’’

ତିନୋଟି ଯାକ ପରିବାର ପାଖରେ ଜମ୍ମୁରେ ପଞ୍ଜିକୃତ ହୋଇଥିବା ରାସନ୍‌ କାର୍ଡ ନାହିଁ ଓ ଏଥିପାଇଁ ସେମାନେ ଏଠାରୁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ପିଡିଏସ୍‌ (ସାଧାରଣ ବଣ୍ଟନ ବ୍ୟବସ୍ଥା)ଦୋକାନରୁ ଜିନିଷ ସଂଗ୍ରହ କରିପାରୁନାହାନ୍ତି । “ବାହାରୁ ଆସିଥିବା ଲୋକମାନଙ୍କୁ ଏହା ଦିଆଯାଏ ନାହିଁ ବୋଲି ସେମାନେ ଆମକୁ କହିବା ସହିତ ଆମକୁ ଗାଳି କରି ସେଠାରୁ ଘଉଡାଇ ଦେଲେ ,” ବୋଲି ଅଶ୍ୱିନି କହିଲେ । ଜୀବନଧାରଣର ପନ୍ଥା ଓ ଋଣ ପରିଶୋଧ- ଏ ଦୁଇଟି ଚାରିପାଖରେ ତାଲାବନ୍ଦ ପରେ ଆମର ଜୀବନ ଘୂରୁଛି । ଏଠାରେ ଆମର ଦୀର୍ଘ ସାତ ବର୍ଷର ରହଣି କାଳରେ ଏହା ହେଉଛି ଆମ ପାଇଁ ସବୁଠାରୁ ଖରାପ ସମୟ । ଆମେ ଆଜି ଆମ ପଡୋଶୀମାନଙ୍କ ଦୟାରେ ଚଳିବାକୁ ବାଧ୍ୟ ହେଉଛୁ ।

ଏହି ସାହିରେ ବଡବଡ ଓ ଉନ୍ନତ ବିଲ୍ଡିଂ ଓ ଘରଗୁଡିକରେ ରହୁଥିବା ଲୋକମାନେ ପ୍ରାରମ୍ଭିକ ଦିନଗୁଡିକରେ ମଧ୍ୟ ସାହାଯ୍ୟ କରିଥିବା ବେଳେ ଗତ କିଛି ସପ୍ତାହ ହେବ ସେମାନେ ଝୁଗ୍ଗିଗୁଡିକରେ  ରହୁଥିବା ଲୋକମାନଙ୍କୁ କିଛି ଦିନ ବ୍ୟବଧାନରେ ଦେଉଥିବା ରାସନ୍‌ ଓ ପନିପରିବା ଅଧିକ ପରିମାଣରେ ଯୋଗାଇବାକୁ ଆରମ୍ଭ କରିଛନ୍ତି । ମେ ୧୮ରେ ଯେତେବେଳେ ପୁଣି ସେହି ପରିବାରଗୁଡିକ ସହିତ ମୋର ସାକ୍ଷାତ ହୋଇଥିଲା, ସେତେବେଳକୁ ଏହି ସହାୟତା ଯୋଗୁଁ ସେମାନଙ୍କ ସଂଘର୍ଷ ବହୁ ପରିମାଣରେ କମ୍‌ ହୋଇଯାଇଥିଲା ।

“ଏବେ ଆମେ ଭଲରେ ଅଛୁ,” ବୋଲି ମୋହନ ଲାଲ କହିଲେ । “ଆମ ଚାରିପାଖରେ ଥିବା ଚାରିଟି ପରିବାର ଆମକୁ ୧୫ କେଜି ଅଟା, ୧୦କେଜି ଚାଉଳ ଓ ୫କେଜି ଆଳୁ ଦେଇଛନ୍ତି। ସେମାନେ ଆମକୁ ଏ ସ୍ଥାନ ନଛାଡିବାକୁ ଓ ଏଠାରେ ରହିବାକୁ କହିଛନ୍ତି । ସେମାନେ ଯୋଗାଇଥିବା ଏହି ସବୁ ଜିନିଷ ସରିଯିବା ପରେ ଆମେ ଆଉ ଅଧିକ ଜିନିଷ ପାଇଁ କହିପାରିବୁ ବୋଲି ସେମାନେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ଆମ ସମସ୍ତଙ୍କୁ ଜଣଙ୍କ ପିଛା ୫୦୦ଟଙ୍କା ଦିଆଯାଇଛି ଯାହାକୁ ବ୍ୟବହାର କରି ଆମେ ତେଲ, ମସଲା ଓ ଲୁଣ ଆଦି ଆଣି ରଖିଛୁ ।

“ଏହିପରି ଭାବେ କୌଣସି ପ୍ରକାରେ ଆମେ ବଞ୍ଚିଛୁ । ଆଉ ସେଠ୍‌ଜିଙ୍କ ବିତରଣ ଭ୍ୟାନ୍‌ ଦୁଇଥର ଆସିଛି,” ବୋଲି ଅଶ୍ୱିନି କହିଲେ। “ହେଲେ ଏସବୁ ସରିଗଲେ ଆମେ କ’ଣ କରିବୁ ତାହା ଆମେ ଜାଣିନାହୁଁ” ।
Dileep Kumar and Tiharinbai Yadav work at construction sites; their 15-year-old daughter Poornima studies in a private school in Jammu
PHOTO • Rounak Bhat
Dileep Kumar and Tiharinbai Yadav work at construction sites; their 15-year-old daughter Poornima studies in a private school in Jammu
PHOTO • Rounak Bhat

ଦିଲୀପ କୁମାର ଓ ତିହାରିନବାଇ ଯାଦବ ଏକ ନିର୍ମାଣ ସ୍ଥଳରେ କାର୍ଯ୍ୟ କରନ୍ତି; ସେମାନଙ୍କର ୧୫ ବର୍ଷର ଝିଅ ପୂର୍ଣ୍ଣିମା ଜମ୍ମୁର ଏକ ଘରୋଇ ବିଦ୍ୟାଳୟରେ ପଢୁଛି

ପ୍ରାୟ ମେ ୧୦ ଠାରୁ ମୋହନ ଲାଲ ଓ ନର୍ମଦାବାଇ ପୁଣିଥରେ କାମକୁ ଯିବାକୁ ଆରମ୍ଭ କରିଛନ୍ତି । “ଏପର୍ଯ୍ୟନ୍ତ ମତେ ମଜୁରି ବାବଦକୁ ୩୦୦୦ଟଙ୍କା ମିଳିଛି,” ବୋଲି ମୋହନ ଲାଲ କହିଲେ । “ ଚୂଡାନ୍ତ ଦେୟରୁ ଠିକାଦାର ମୁଁ ଋଣ କରିଥିବା ୫୦୦୦ଟଙ୍କା କାଟି ଦେବେ [ଯେତେବେଳେ ତାଲାବନ୍ଦ ଆରମ୍ଭ ହୋଇଥିଲା] । ବର୍ତ୍ତମାନ ପରିସ୍ଥିତିରେ, କାମ ଆରମ୍ଭ ହୋଇଯାଇଥିବାରୁ ଓ ଆମ ଚାରିପାଖରେ ସାହାଯ୍ୟକାରୀ ଲୋକମାନେ ରହୁଥିବାରୁ ମୁଁ ଆନନ୍ଦିତ ଅନୁଭବ କରୁଛି ।

ଅନ୍ୟ ଦୁଇ ପରିବାର ମଧ୍ୟ ଧୀରେ ଧୀରେ ଖୋଲୁଥିବା ଦୋକାନ ଓ ଗୋଦାମଗୁଡିକରେ ସଫେଇ କାମ ଓ ଝାଡୁକରିବା କାମ ପାଇଲେଣି । “ତାଲାବନ୍ଦ ଯୋଗୁଁ ବହୁଦିନ ପର୍ଯ୍ୟନ୍ତ ଘର ଓ ଦୋକାନଗୁଡିକ ରହିଥିବାରୁ ଏଗୁଡିକୁ ଅଧିକ ସଫା କରିବା ଆବଶ୍ୟକତା ରହିଛି । ସେମାନେ ସିଧାସଳଖ ଆମକୁ ଡାକୁଛନ୍ତି ଓ ଦିନ ଆଧାରରେ ପାରିଶ୍ରମିକ ଦେଉଛନ୍ତି । ଏ ପର୍ଯ୍ୟନ୍ତ ମୁଁ ୧୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୋଇପାରିଛି,” ବୋଲି ଅଶ୍ୱିନି ମେ ଆରମ୍ଭରେ ମତେ ଫୋନ୍‌ ମାଧ୍ୟମରେ କହିଥିଲେ ।

ଏହାସହିତ ସେ ଆହୁରି ମଧ୍ୟ କହିଲେ ଯେ ତାଙ୍କର ପରିବାର ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରିଲିଫ୍‌  ଟଙ୍କା (ଏପ୍ରିଲ ଠାରୁ ଜୁନ୍‌ ପର୍ଯ୍ୟନ୍ତ ପ୍ରତି ମାସ ପାଇଁ ୫୦୦ଟଙ୍କା) କିମ୍ବା ଅତିରିକ୍ତ ରାସନ ପାଇପାରିନି। “ଆମେ ପାଇଥିଲେ ମଧ୍ୟ, କ’ଣ ଏହି ପରିମାଣ ଆମେ ବଞ୍ଚିବା ପାଇଁ ପର୍ଯ୍ୟାପ୍ତ ହୋଇଥାନ୍ତା? “ଆମେ କୃଷକ ସମୃଦ୍ଧି ଯୋଜନା ଅନ୍ତର୍ଗତ ୨୦୦୦ଟଙ୍କା ପାଇଛୁ । ବାସ୍‌ ସେତିକି ।’’’

“ଏହି ସହର ଆମର ରକ୍ତ ଓ ଝାଳବୁହା ପରିଶ୍ରମରେ ତିଆରି ହୋଇଥିଲା,” ବୋଲି ମୋହନ ଲାଲ୍‌ ରାଗରେ କହିଲେ । “ଆଉ ଏବେ ସରକାର ଆମକୁ କୌଣସି ପ୍ରକାରର ସହାୟତା ପ୍ରଦାନ କରିବାକୁ ମନା କରୁଛନ୍ତି” ।

ସେ ଯାହା ହେଉ, ଜାମ୍ମୁ ଓ କଶ୍ମୀର ସରକାରଙ୍କ ଶ୍ରମ ଓ କର୍ମନିୟୋଜନ ବିଭାଗର କମିଶନର ସୌରଭ ଭଗତ ମତେ ଫୋନ୍‌ରେ କହିଛନ୍ତି ଯେ “ଆମର ଯାହା କର୍ତ୍ତବ୍ୟ ତାହା ଆମେ କରିସାରିଛୁ ।“ ଜାମ୍ମୁରେ ବିଭିନ୍ନ ରାଜ୍ୟର ପ୍ରାୟ ୩୦,୦୦୦ରୁ ଅଧିକ ପ୍ରବାସୀ ଶ୍ରମିକ ଅଛନ୍ତି, ବୋଲି ସେ ଆକଳନ କରନ୍ତି । “ଏମାନଙ୍କ ମଧ୍ୟରୁ ଗୋଟିଏ ବଡ ଭାଗ ବିହାର, ଛତିଶଗଡ, ମଧ୍ୟପ୍ରଦେଶ ଓ ଓଡିଶା ଭଳି ରାଜ୍ୟରୁ ଆସିଛନ୍ତି । ପ୍ରତ୍ୟେକ ଶ୍ରମିକଙ୍କୁ ଡିବିଟି ( ପ୍ରତ୍ୟକ୍ଷ ବ୍ୟାଙ୍କ ଟ୍ରାନ୍ସଫର୍‌) ମାଧ୍ୟମରେ ମାର୍ଚ୍ଚ ମାସ ଠାରୁ ପ୍ରତି ମାସରେ ୧୦,୦୦୦ଟଙ୍କା ଦେବାକୁ ମଧ୍ୟ ସରକାର ନିଷ୍ପତି ନେଇଛନ୍ତି । ହେଲେ କିଛି ଲୋକ ସେହି ପଇସା ପାଇନଥିବା ଯୁକ୍ତି କରୁଛନ୍ତି – ଏହା ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିବା ପାଇଁ ହୋଇପାରେ ବା ସେମାନଙ୍କ ଆବଶ୍ୟକତା ପୂରଣ ହେଉନଥିବାରୁ କିଛି ଅଧିକ ସହାୟତା ପାଇବା ପାଇଁ ହୋଇପାରେ ।’’

ଦୁର୍ଗା ନଗରର ସେହି ଛୋଟିଆ ଗଳିରେ ଥିବା ତିନି ବଖରାରେ ଯଦିଓ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି ତଥାପି ସବୁକିଛି ଏବେ ମଧ୍ୟ ଅନିଶ୍ଚିତତା ଭିତରେ ଅଛି । “ ବର୍ତ୍ତମାନ ଆମେ ସବୁବେଳେ ସଚେତନ ଓ ସତର୍କ ରହୁଛୁ,” ଆମକୁ ଆହୁରି ଅଧିକ ସହାୟତା ମିଳିବ ବୋଲି ଆମେ ଆଶା କରୁଛି ଓ ଭାବୁଛୁ,” ବୋଲି ଦିଲୀପ କୁହନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rounak Bhat

Rounak Bhat is a 2019 PARI intern. He is an undergraduate student of journalism at Symbiosis International University, Pune. He is a poet and illustrator, and interested in development economics.

Other stories by Rounak Bhat