ପ୍ରକାଶ ବୁନ୍ଦିୱାଲ୍‌ ନିଜ ପନୱାଡ଼ୀ ରେ ଛିଡ଼ା ହୋଇଛନ୍ତି। ଧାଡ଼ି ଧାଡ଼ି ହୋଇ ରହିଥିବା ପାନବରଜରେ ପାନ ଲତା ମାଡ଼ିଛି ଯେଉଁଥିରେ ହୃତପିଣ୍ଡ-ଆକୃତିର ପାନ ପତ୍ର ସବୁ ବଢ଼ିଛି; ସେଗୁଡ଼ିକୁ ଅତିଶୟ ଗ୍ରୀଷ୍ମ ପ୍ରବାହ ଓ ପବନଠାରୁ ସୁରକ୍ଷିତ ରଖିବା ଲାଗି ସିନ୍ଥେଟିକ୍‌ ଜାଲରେ ଘୋଡ଼ାଯାଇଛି ।

ସାରା ଭାରତରେ ଭୋଜନ ପରେ ପାନ ଖାଇବାର ଅଭ୍ୟାସ ରହିଛି । ପାନ ଭାଙ୍ଗିବାରେ ପାନ ପତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୌମ୍ଫ (ପାନ ମଧୁରୀ), ସୁପାରୀ (ଗୁଆ), ଗୁଲକନ୍ଦ (ଗୋଲାପ ପାଖୁଡ଼ାରେ ପ୍ରସ୍ତୁତ ମିଠା ମସଲା)କୁ ଚୂନା (ଚୂନ) ଏବଂ କତ୍ଥା (ଖଇର) ଦେଇ ମୋଡ଼ିଲେ ପାନରୁ ପୋଦିନା ଭଳି ବାସ୍ନା ଓ ରସାଳ ସ୍ୱାଦ ବାହାରିଥାଏ।

୧୧,୯୫୬ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ଉନ୍ନତମାନର ପାନ ପତ୍ର ପାଇଁ ପରିଚିତ। କୁକଡ଼େଶ୍ୱରର ଅନ୍ୟମାନଙ୍କ ଭଳି ପ୍ରକାଶଙ୍କ ପରିବାର ବହୁ ପୂର୍ବରୁ ପାନ ଚାଷ କରି ଆସୁଛନ୍ତି। ସେମାନେ ମଧ୍ୟପ୍ରଦେଶରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଭାବେ ତାଲିକାଭୁକ୍ତ ତମ୍ବୋଲି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି। ପ୍ରକାଶଙ୍କୁ ଏବେ ପ୍ରାୟ ୬୦ ବର୍ଷ ବୟସ ହେବ । ସେ ମାତ୍ର ୯ ବର୍ଷର ହୋଇଥିବା ବେଳେ ପନୱାଡ଼ୀ ରେ କାମ କରିବା ଆରମ୍ଭ କରିଥିଲେ।

କିନ୍ତୁ ବୁନ୍ଦିୱାଲଙ୍କ ୦.୨ ଏକର ଜମିରେ ସ୍ଥିତି ଭଲ ନାହିଁ । ମେ ୨୦୨୩ରେ ଆସିଥିବା ଝଡ଼ ବିପର୍ଯ୍ୟୟ ଏହି କ୍ଷୁଦ୍ର ଚାଷୀଙ୍କ ଚାଷକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଥିଲା । ‘‘ଆମକୁ କିଛି ବୀମା ମିଳିଲା ନାହିଁ ଏବଂ ଝଡ଼ରେ ସବୁକିଛି ହରାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ସହାୟତା ଦିଆଯାଇନଥିଲା,’’ ସେ କୁହନ୍ତି।

ଜାତୀୟ କୃଷି ବୀମା ଯୋଜନା (ଏନଏଆଇଏସ୍‌) ଅଧୀନରେ ବିଭିନ୍ନ କୃଷି ଉତ୍ପାଦ ଉପରେ କେନ୍ଦ୍ର ସରକାର ପାଣିପାଗ ସହ ଜଡ଼ିତ ବୀମା ଯୋଗାଇ ଦେଇଥାନ୍ତି, ତେବେ ପାନ ପତ୍ର ଚାଷକୁ ଏଥିରେ ସାମିଲ କରାଯାଇ ନାହିଁ ।

Paan fields are covered with a green synthetic net (left) in Kukdeshwar village of Neemuch district and so is Prakash Bundiwaal's paanwari (right)
PHOTO • Harsh Choudhary
Paan fields are covered with a green synthetic net (left) in Kukdeshwar village of Neemuch district and so is Prakash Bundiwaal's paanwari (right)
PHOTO • Harsh Choudhary

ନୀମଚ୍‌ ଜିଲ୍ଲାର କୁକଡ଼େଶ୍ୱର ଗ୍ରାମରେ ପାନ ବରଜଗୁଡ଼ିକ ସବୁଜ ସିନ୍ଥେଟିକ୍‌ ଜାଲରେ ଘୋଡ଼ା ଯାଇଛି (ବାମ) ଏବଂ ପ୍ରକାଶ ବୁନ୍ଦିୱାଲଙ୍କ ପନୱାଡ଼ୀ (ଡାହାଣ) ମଧ୍ୟ ସେହିପରି ରହିଛି

Left: Entrance to Prakash's field 6-7 kilometres away from their home.
PHOTO • Harsh Choudhary
Right: The paan leaves grow on thin climbers in densely packed rows
PHOTO • Harsh Choudhary

ବାମ : ସେମାନଙ୍କ ଘରଠାରୁ ୬-୭ କିଲୋମିଟର ଦୂରରେ ଥିବା ପ୍ରକାଶଙ୍କ ଚାଷ ଜମିର ପ୍ରବେଶ ପଥ। ଡାହାଣ : ଘଞ୍ଚ ଧାଡ଼ି ଧାଡ଼ି ହୋଇ ରହିଥିବା ପାନବରଜରେ ପତଳା ପାନ ଲତାରେ ପତ୍ରଗୁଡ଼ିକ ବଢ଼ିଥାଏ

ପାନ ପତ୍ର ଚାଷ କରିବା ପାଇଁ କଠିନ ପରିଶ୍ରମ ଆବଶ୍ୟକ : ‘‘ ପନ୍‌ୱାଡ଼ି ରେ ଅନେକ କାମ ରହିଛି, ଏଥିରେ ଆମର ବହୁତ ସମୟ ଯାଏ,’’ ପ୍ରକାଶଙ୍କ ପତ୍ନୀ ଆଶାବାଈ ବୁନ୍ଦିୱାଲ୍‌ କୁହନ୍ତି। ଏହି ଦମ୍ପତି ପ୍ରତି ତିନି ଦିନରେ ଥରେ ଚାଷ ଜମିରେ ପାଣି ଦିଅନ୍ତି। ପ୍ରକାଶ କୁହନ୍ତି, ‘‘କିଛି ଚାଷୀ ଆଧୁନିକ ପ୍ରଯୁକ୍ତି ସମ୍ପନ୍ନ ମେସିନ୍‌ (ଚାଷ ଜମିରେ ପାଣି ମଡ଼ାଇବା ପାଇଁ) ବ୍ୟବହାର କରନ୍ତି, କିନ୍ତୁ ଆମ ଭିତରୁ ଅଧିକାଂଶ ଏବେ ସୁଦ୍ଧା ପାରମ୍ପରିକ ପାତ୍ର ଉପରେ ଭରସା କରିଥା’ନ୍ତି।’’

ପ୍ରତି ବର୍ଷ ମାର୍ଚ୍ଚ ମାସରେ ପାନ ଲଗାଯାଏ। ‘‘ଘୋଳ ଦହି, ଉରଦ ଡାଲ (ବିରି ଡାଲି) ଓ ସୋୟାବିନ୍‌ ଅଟା ଭଳି ଘରେ ମିଳୁଥିବା ସାମଗ୍ରୀ ମାଟିରେ ମିଶାଯାଏ। ଆମେ ପୂର୍ବରୁ ଘିଅ ମଧ୍ୟ ବ୍ୟବହାର କରୁଥିଲୁ, କିନ୍ତୁ ଏବେ ଦାମ୍‌ ଅଧିକ ହୋଇଯାଇଥିବାରୁ ଆଉ ତାହା ବ୍ୟବହାର କରିପାରୁନାହୁଁ,’’ ପ୍ରକାଶ କୁହନ୍ତି।

ପନୱାଡ଼ୀରେ ମୁଖ୍ୟତଃ ମହିଳାମାନେ ବେଲ୍‌ (ଲତା)କୁ କାଟିଥା’ନ୍ତି ଏବଂ ଦିନକୁ ପ୍ରାୟ ୫,୦୦୦ ପତ୍ର ତୋଳନ୍ତି । ସେମାନେ ମଧ୍ୟ ସିନ୍ଥେଟିକ୍‌ ଜାଲ ମରାମତି କରିବା ସହ ଲତାଗୁଡ଼ିକୁ ମାଡ଼ିବା ପାଇଁ ବାଉଁଶ ପୋତନ୍ତି।

‘‘ପୁରୁଷଙ୍କ ତୁଳନାରେ ମହିଳାଙ୍କ କାମ ଦୁଇଗୁଣା ହୋଇଥାଏ,’’ ସେମାନଙ୍କ ବୋହୂ ରାନୁ ବୁନ୍ଦିୱାଲ୍ କୁହନ୍ତି । ଏହି ୩୦ ବର୍ଷୀୟା ମହିଳା ଜଣଙ୍କ ୧୧ ବର୍ଷର ପିଲା ହୋଇଥିବା ବେଳେ ପାନ ଚାଷ କରି ଆସୁଛନ୍ତି। ‘‘ଆମକୁ ଭୋର ୪ଟାରୁ ଉଠି ସବୁ ଘର କାମ, ସଫେଇ ଓ ରୋଷେଇ କାମ କରିବାକୁ ହୋଇଥାଏ।’’ ସେମାନଙ୍କୁ ନିଜ ସହିତ ମଧ୍ୟାହ୍ନ ଭୋଜନ ନେଇଯିବାକୁ ହୋଇଥାଏ।

୨୦୦୦ ଦଶକ ପ୍ରାରମ୍ଭରେ ଏହି ପରିବାର ସେମାନଙ୍କ ପନୱାଡ଼ୀ କୁ ସ୍ଥାନାନ୍ତର କରିଥିଲେ। ‘‘ପାଣି ଓ ଉଚିତ୍‌ ମାନର ମାଟି ଅଭାବ କାରଣରୁ ଆମ ଘରଠାରୁ ୬-୭ କିଲୋମିଟର ଦୂରକୁ ଯିବାକୁ ପଡ଼ିଥିଲା,’’ ପ୍ରକାଶ କହିଥା’ନ୍ତି।

Left: Prakash irrigates his field every three days using a pot.
PHOTO • Harsh Choudhary
Right: A hut in their paanwari to rest and make tea
PHOTO • Harsh Choudhary

ବାମ : ପ୍ରକାଶ ପ୍ରତି ତିନି ଦିନରେ ଥରେ ଗୋଟିଏ ପାଣି ପାତ୍ର ବ୍ୟବହାର କରି ନିଜ ଜମିରେ ପାଣି ମଡ଼ାଇଥା’ନ୍ତି। ଡାହାଣ : ପନୱାଡ଼ିରେ ବିଶ୍ରାମ ନେବା ଓ ଚା’ କରିବା ପାଇଁ ଏକ କୁଡ଼ିଆ

ସେମାନେ ବିହନ, ଜଳସେଚନ ଓ ସାମୟିକ ଶ୍ରମିକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥା’ନ୍ତି। ‘‘ଏହାପରେ ବେଳେବେଳେ (ଗୋଟିଏ ବର୍ଷରେ) ୫୦,୦୦୦ ଟଙ୍କା ମଧ୍ୟ ମିଳିବା କଷ୍ଟ ହୋଇଯାଏ,’’ ପ୍ରକାଶ କୁହନ୍ତି। ସେମାନଙ୍କ ପାଖରେ ଅତିରିକ୍ତ ୦.୧ ଏକର ଜମି ରହିଛି ଯେଉଁଠି ସେମାନେ ଗହମ ଓ କିଛି ଫଳ ଓ ପନିପରିବା ଚାଷ କରନ୍ତି, ଯାହା ସେମାନଙ୍କ ରୋଜଗାରରେ ସହାୟକ ହୋଇଥାଏ। ଏହି ପରିବାର ଲୋକମାନେ ଖରାପ ପାନ ପତ୍ର ବାହାର କରି ଦେବା ପରେ ଭଲ ପତ୍ରକୁ ଥାକ କରି ମଣ୍ଡିକୁ ବିକ୍ରି ପାଇଁ ପଠାନ୍ତି ବୋଲି ରାନୁ କୁହନ୍ତି । ‘‘ସବୁଦିନ ପାନ ଅଲଗା କରିବା ପାଇଁ ଅଧ ରାତି ହୋଇଯାଏ ଏବଂ ବେଳେବେଳେ ଆମେ ରାତି ୨ଟା ପର୍ଯ୍ୟନ୍ତ କାମ କରୁ,’’ ଆଶାବାଇ କୁହନ୍ତି।

ସବୁଦିନ ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ମଣ୍ଡି ଖୋଲିଥାଏ। ଏଠାରେ ୧୦୦ ଲେଖାଏଁ ପାନ ପତ୍ର ବିଡ଼ା କରି ପାନ ବିକ୍ରି କରାଯାଏ। ‘‘ଏଥିରେ ପ୍ରାୟ ୧୦୦ ବିକ୍ରେତା ଅଂଶଗ୍ରହଣ କରନ୍ତି, କିନ୍ତୁ କିଣିବା ଲୋକ ମାତ୍ର ୮ରୁ ୧୦ ଜଣ ଥାଆନ୍ତି,’’ ସୁନୀଲ ମୋଦୀ କୁହନ୍ତି। ସେ ଏଠାକୁ ପାନ ବିକ୍ରି କରିବାକୁ ଆସିଛନ୍ତି । ୨-୩ ଦିନରେ ପତ୍ର ଖରାପ ହୋଇଯାଏ, ତେଣୁ ‘‘ଆମେ ସବୁକିଛି ଯଥାଶୀଘ୍ର ବିକ୍ରି କରିବାକୁ ବାଧ୍ୟ ହୋଇଥାଉ,’’ ଏହି ୩୨ ବର୍ଷ ବୟସ୍କ ବିକ୍ରେତା କୁହନ୍ତି।

ସୁନୀଲ କୁହନ୍ତି, ‘‘ଆଜି ଦିନ ଭଲ ଥିଲା। ଗୋଟିଏ ବିଡ଼ା ପିଛା ୫୦ ଟଙ୍କାରେ ବିକ୍ରି ହେଲା ଯାହାକି ସ୍ୱାଭାବିକଠାରୁ ଅଧିକ। ପାନକୁ ପବିତ୍ର ବୋଲି ବିବେଚନା କରାଯାଉଥିବାରୁ ଏହାକୁ ପୂଜାରେ ବ୍ୟବହାର କରାଯାଏ। ସେଥିପାଇଁ ବାହାଘର ଋତୁରେ ଏହି ବେଉସାରୁ ଅଧିକ ଲାଭ ମିଳିଥାଏ। ବାହାଘର ସମୟରେ ଲୋକମାନେ ପାନ ଦୋକାନ ଖୋଲିବାକୁ ପସନ୍ଦ କରନ୍ତି ସେଥିପାଇଁ ଚାହିଦା ବୃଦ୍ଧି ପାଏ। ଏହା ସଂକ୍ଷିପ୍ତ ସମୟ ପାଇଁ ବ୍ୟବସାୟ ସୁଯୋଗ ସୃଷ୍ଟି କରିଥାଏ, କିନ୍ତୁ ଅନ୍ୟ ଦିନରେ ବ୍ୟବସାୟ ଭଲ ହୁଏ ନାହିଁ। ଏହି ବେଉସା ଋତୁ ଉପରେ ଆଧାରିତ।

Paan leaves are cleaned and stacked in bundles of 100 (left) to be sold in the mandi (right) everyday
PHOTO • Harsh Choudhary
Paan leaves are cleaned and stacked in bundles of 100 (left) to be sold in the mandi (right) everyday
PHOTO • Harsh Choudhary

ସବୁଦିନ ପାନ ପତ୍ରକୁ ସଫା କରି ୧୦୦ ଲେଖାଏଁ ବିଡ଼ା କରି ଥାକ ମରାହେବା ପରେ(ବାମ) ମଣ୍ଡି (ଡାହାଣ)ରେ ବିକ୍ରି ହୁଏ

ସହଜରେ ତମାଖୁ ପ୍ୟାକେଟ୍‌ ମିଳିଯାଉଥିବା କାରଣରୁ ମଧ୍ୟ ଏହି ବ୍ୟବସାୟ ଉପରେ କୁପ୍ରଭାବ ପଡ଼ୁଛି । ‘‘ଏବେ କେହି ପାନ କିଣିବାକୁ ଚାହୁଁନାହାନ୍ତି,’’ ପ୍ରକାଶ କୁହନ୍ତି। ଖଣ୍ଡେ ପାନକୁ ୨୫-୩୦ ଟଙ୍କା ପଡ଼ୁଥିବା ବେଳେ ସେହି ଟଙ୍କାରେ ଜଣେ ୫ଟି ତମାଖୁ ପ୍ୟାକେଟ୍‌ କିଣିପାରିବ। ‘‘ପାନରେ ଅଧିକ ସ୍ୱାସ୍ଥ୍ୟ ଲାଭ ରହିଥିବା ସତ୍ତ୍ୱେ, ଲୋକମାନେ ଶସ୍ତା ହୋଇଥିବାରୁ ତମାଖୁ ପାଉଚ୍‌ କିଣି ଖାଉଛନ୍ତି,’’ ବୋଲି ସେ କହିଥାନ୍ତି।

ସୌରଭ ତୋଡ଼ୱାଲ ପୂର୍ବରୁ ପାନ ଚାଷୀ ଥିଲେ କିନ୍ତୁ ଅସ୍ଥିର ଆୟ କାରଣରୁ ୨୦୧୧ରେ ସେ ଏହି କାମ ଛାଡ଼ି ଦେଇଥିଲେ। ଏବେ ସେ ଗୋଟିଏ ଛୋଟ କିରାନା (ତେଜରାତି ଦୋକାନ) ଚଳାଉଛନ୍ତି। ଏଥିରୁ ସେ ବର୍ଷକୁ ପ୍ରାୟ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥା’ନ୍ତି ଯାହାକି ପାନ ଚାଷୀ ଭାବେ ତାଙ୍କ ଆୟର ଦୁଇ ଗୁଣ।

ବିଷ୍ଣୁ ପ୍ରସାଦ ମୋଦୀ ୧୦ ବର୍ଷ ପୂର୍ବରୁ ପାନ ଚାଷ ଛାଡ଼ି କମ୍ପ୍ୟୁଟର୍‌ ଅପରେଟର୍‌ ଭାବେ କାମ କରୁଛନ୍ତି। ସେ କୁହନ୍ତି, ପାନ ଚାଷ ଲାଭଜନକ ନୁହେଁ: ‘‘ପାନ ଚାଷ ପାଇଁ କୌଣସି ଅନୁକୂଳ ସମୟ ନାହିଁ । ଖରାଦିନେ, ଲୁ’ (ଗ୍ରୀଷ୍ମ ପ୍ରବାହ) କାରଣରୁ ପାନ ପତ୍ର ଖରାପ ହୋଇଯାଏ ଏବଂ ଶୀତ ଦିନରେ ଲତା ଭଲ ଭାବେ ବଢ଼େ ନାହିଁ। ବର୍ଷା ଦିନେ, ପ୍ରବଳ ବର୍ଷା ଓ ଝଡ଼ କାରଣରୁ ପତ୍ର ନଷ୍ଟ ହୋଇଯିବାର ଲଗାତର ବିପଦ ରହିଥାଏ। ’’

ଏପ୍ରିଲ ୨୦୨୩ରେ ବନାରସୀ ପାନକୁ ଜିଆଇ (ଭୌଗୋଳିକ ପରିଚୟ) ଟ୍ୟାଗ ମିଳିବା ଦେଖି ପାନ ଚାଷ କରୁଥିବା ପ୍ରକାଶଙ୍କ ପୁଅ ପ୍ରଦୀପ କୁହନ୍ତି, ‘‘ସରକାର ଆମକୁ ଜିଆଇ ଟ୍ୟାଗ୍‌ ଦିଅନ୍ତୁ ବୋଲି ଆମେ ଚାହୁଁଛୁ କାରଣ ଏହା ଉଲ୍ଲେଖନୀୟ ଭାବେ ଆମ ବ୍ୟବସାୟକୁ ବଢ଼ାଇବ।’’

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Harsh Choudhary

Harsh Choudhary is a student at Ashoka University, Sonipat. He has grown up in Kukdeshwar, Madhya Pradesh.

Other stories by Harsh Choudhary
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE