୨୫ ମିଟର ଉଚ୍ଚ ଏକ ଗଛ ଉପରୁ ତଳକୁ ଚାହିଁ, ହୁମାୟୁନ ଶେଖ ହିନ୍ଦୀ ଭାଷାରେ ପାଟି କରି କହୁଛନ୍ତି, ‘‘ଘୁଞ୍ଚି ଯାଅ! ନହେଲେ ତୁମକୁ ଆଘାତ ଲାଗିବ।’’

ତାଙ୍କ ତଳେ ସିଧାସଳଖ କେହି ନଥିବା ନେଇ ସୁନିଶ୍ଚିତ ହେବା ପରେ, ସେ ନିଜର ବଙ୍କା କଟୁରୀକୁ ଗୋଟିଏ ଆଡ଼କୁ ବୁଲାଇ ହାଣି ଚାଲନ୍ତି, ଏବଂ ନଡ଼ିଆ ସବୁ ତଳକୁ ଖସି ଚାଲେ। ଥଡ଼! ଥଡ଼!

ମାତ୍ର କିଛି ମିନିଟ୍‌ ମଧ୍ୟରେ କାମ ସରିଯାଏ ଏବଂ ସେ ପୁଣିଥରେ ତଳକୁ ଓହ୍ଲାଇ ଆସନ୍ତି। ତାଙ୍କର ଅସାଧାରଣ ଗତି –ମାତ୍ର ଚାରି ମିନିଟ୍‌ରେ ଉପରୁ ତଳକୁ – କେବଳ ଏକ ଯାନ୍ତ୍ରିକ ଉପକରଣ କାରଣରୁ ସମ୍ଭବ ହୋଇପାରିଥାଏ। ପାରମ୍ପରିକ ନଡ଼ିଆ ତୋଳାଳୀଙ୍କ ବିପରୀତ ହୁମାୟୁନ ଏହି ଯାନ୍ତ୍ରିକ ଗଛ ଚଢ଼ା ଉପକରଣର ସାହାଯ୍ୟ ନେଇଥାନ୍ତି ଯାହାକୁ ଏକ ନଡ଼ିଆ ଗଛ ଗଣ୍ଡି ଉପରକୁ ଚଢ଼ିବା ଏବଂ ତଳକୁ ଓହ୍ଲାଇବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି।

ସେ ବ୍ୟବହାର କରୁଥିବା ଉପକରଣଟି ପାଦ ରଖିବା ସ୍ଥାନ ବା ଫୁଟ୍‌ ରେଷ୍ଟ ସହିତ ଦୁଇ ଗୋଡ଼ ଭଳି ହୋଇଥାଏ। ଏହା ସହିତ ଏକ ଲମ୍ବା ରଶି ଲାଗିଥାଏ, ଯାହାକି ଗଣ୍ଡି ଚାରି ପାଖରେ ବନ୍ଧା ଯାଏ। ଏହା ହୁମାୟୁନଙ୍କ ପାଇଁ ଗଛ ଚଢ଼ାକୁ ଏତେ ସହଜ କରି ଦେଇଥାଏ ଯେ, ସେ କୌଣସି ଶିଢ଼ି ଚଢ଼ିବା ଭଳି ଉପରକୁ ଚଢ଼ିଯାଆନ୍ତି।

Left: Humayun Sheikh's apparatus that makes it easier for him to climb coconut trees.
PHOTO • Sanviti Iyer
Right: He ties the ropes around the base of the coconut tree
PHOTO • Sanviti Iyer

ବାମ : ହୁମାୟୁନ ଶେଖଙ୍କ ଉପକରଣ ଯାହା ତାଙ୍କୁ ନଡ଼ିଆ ଗଛ ଚଢ଼ିବାକୁ ସହଜ କରିଦେଇଥାଏ। ଡାହାଣ : ସେ ନଡ଼ିଆ ଗଛର ମୂଳ ସହିତ ରଶିକୁ  ଗୁଡ଼ାଇ ବାନ୍ଧି ଦେଇଥାନ୍ତି

It takes Humayun mere four minutes to climb up and down the 25-metre-high coconut tree
PHOTO • Sanviti Iyer
It takes Humayun mere four minutes to climb up and down the 25-metre-high coconut tree
PHOTO • Sanviti Iyer

ଗୋଟିଏ ୨୫ ମିଟର ଉଚ୍ଚ ନଡ଼ିଆ ଗଛ ଉପରକୁ ଚଢ଼ିବା ଲାଗି ହୁମାୟୁନଙ୍କୁ ମାତ୍ର ଚାରି ମିନିଟ୍‌ ସମୟ ଲାଗିଥାଏ

‘‘କେମିତି ଚଢ଼ିବାକୁ (ଯାନ୍ତ୍ରିକ ଉପକରଣ ବ୍ୟବହାର କରି) ହେବ ମୁଁ ତାହା ମାତ୍ର ଦିନେ-ଦୁଇ ଦିନ ମଧ୍ୟରେ ଶିଖି ଯାଇଥିଲି,’’ ସେ କୁହନ୍ତି।

ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଗୋଲଚାନ୍ଦପୁର ଗ୍ରାମରୁ ଆସିଥିବା ଜଣେ ପ୍ରବାସୀ ଶ୍ରମିକ ହୁମାୟୁନଙ୍କୁ ତାଙ୍କ ଗାଁରେ ନଡ଼ିଆ ଗଛ ଚଢ଼ିବାର ଅଭ୍ୟାସ ଥିଲା, ଯାହାଫଳରେ ଏହି କାମ ଶିଖିବା ତାଙ୍କ ପାଇଁ ସହଜ ହୋଇଯାଇଥିଲା।

‘‘ମୁଁ ଏହା (ଉପକରଣ)କୁ ୩,୦୦୦ ଟଙ୍କାରେ କିଣିଥିଲି ଏବଂ  ତା’ପରେ ବନ୍ଧୁମାନଙ୍କ ସହିତ କିଛି ଦିନ ଗଛ ଚଢ଼ିବାକୁ ଯାଇଥିଲା। ଖୁବଶୀଘ୍ର ମୁଁ ଏକୁଟିଆ ଯିବା ଆରମ୍ଭ କଲି,’’ ସେ କୁହନ୍ତି।

ତାଙ୍କ ରୋଜଗାରର କୌଣସି ନିର୍ଦ୍ଦିଷ୍ଟ ପରିମାଣ ନାହିଁ । ‘‘ବେଳେବେଳେ  ମୁଁ ଦିନକୁ ୧,୦୦୦ ଟଙ୍କା ରୋଜଗାର କରିଥାଏ, ଆଉ କେତେବେଳେ ୫୦୦ ଟଙ୍କା ରୋଜଗାର ହୁଏ ଏବଂ ପୁଣି କେତେବେଳେ ଆଦୌ କିଛି ରୋଜଗାର ହୁଏ ନାହିଁ,’’ ସେ କୁହନ୍ତି । ଗୋଟିଏ ଘରେ ଗଛ ସଂଖ୍ୟାକୁ ଆଧାର କରି ହୁମାୟୁନ ନିଜ ପାଉଣା ଧାର୍ଯ୍ୟ କରିଥାନ୍ତି। ‘‘ଯଦି ଦୁଇଟି ଗଛ ଅଛି, ତା’ହେଲେ ମୁଁ ଗୋଟିଏ ଗଛ ପିଛା ୫୦ ଟଙ୍କା ନେଇଥାଏ। କିନ୍ତୁ ଯଦି ଅଧିକ ଗଛ ଅଛି, ତା’ହେଲେ ମୁଁ ୨୫ ଟଙ୍କାକୁ ନିଜ ପାଉଣା କମେଇ ଦେଇଥାଏ,’’ ସେ କୁହନ୍ତି । ‘‘ମୁଁ ମାଲାୟଲମ ଜାଣି ନାହିଁ, କିନ୍ତୁ ମୁଁ ଦର ମୂଲଚାଲ କରି ନେଇଥାଏ,’’ ହୁମାୟୁନ କୁହନ୍ତି।

‘‘ସେଠି ଗାଁ (ପଶ୍ଚିମବଙ୍ଗ)ରେ, ଆମ ପାଖରେ ଗଛ ଚଢ଼ିବାକୁ ଏମିତି ଉପକରଣ ନାହିଁ,’’ ସେ କୁହନ୍ତି। ତେବେ ଏହା କେରଳରେ ଲୋକପ୍ରିୟ ହେଉଥିବା ସେ କହିଥାନ୍ତି।

ଉପକରଣଟି ପାଦ ରଖିବା ସ୍ଥାନ ବା ଫୁଟ୍‌ ରେଷ୍ଟ ସହିତ ଦୁଇ ଗୋଡ଼ ଭଳି ହୋଇଥାଏ। ଏହା ସହିତ ଏକ ଲମ୍ବା ରଶି ଲାଗିଥାଏ, ଯାହାକି ଗଣ୍ଡି ଚାରି ପାଖରେ ବନ୍ଧା ଯାଏ। ଏହା ହୁମାୟୁନଙ୍କ ପାଇଁ ଗଛ ଚଢ଼ାକୁ ଏତେ ସହଜ କରି ଦେଇଥାଏ ଯେ, ସେ କୌଣସି ଶିଢ଼ି ଚଢ଼ିବା ଭଳି ଉପରକୁ ଚଢ଼ିଯାଆନ୍ତି

ଏହି ଭିଡିଓ ଦେଖନ୍ତୁ : କେରଳରେ ଯାନ୍ତ୍ରିକ ଉପକରଣ ସାହାଯ୍ୟରେ ନଡ଼ିଆ ଗଛ ଚଢ଼ା

ତିନି ବର୍ଷ ତଳେ (୨୦୨୦ ବର୍ଷ ଆରମ୍ଭରେ) ମହାମାରୀ ଆସିବାର ଠିକ୍‌ ପୂର୍ବରୁ

ସେ କେରଳ ଆସିବାର କାରଣ ବିଷୟରେ କୁହନ୍ତି ଯେ, ‘‘ କାମକାଜ୍‌ କେ ଲିୟେ କେରଲା ଆଚ୍ଛା ହୈ (କାମ ପାଇଁ କେରଳ ଭଲ ଜାଗା)

‘‘ତା’ପରେ କରୋନା ଆସିଲା ଓ ଆମକୁ ଫେରିଯିବାକୁ ପଡ଼ିଲା,’’ ସେ କୁହନ୍ତି।

କେରଳ ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ମାଗଣା ଟ୍ରେନ୍‌ ଯାତ୍ରା ମଧ୍ୟରୁ ଗୋଟିଏ ଟ୍ରେନରେ ବସି ସେ ମାର୍ଚ୍ଚ ୨୦୨୦ରେ ନିଜ ଘର ପଶ୍ଚିମବଙ୍ଗକୁ ଫେରିଯାଇଥିଲେ। ସେହିବର୍ଷ ଅକ୍ଟୋବର ମାସରେ ସେ ପୁଣିଥରେ ଫେରି ଆସିଥିଲେ। ଫେରିବା ପରେ ସେ ଜଣେ ନଡ଼ିଆ ତୋଳାଳୀ ଭାବେ କାମ କରିବାକୁ ଆରମ୍ଭ କଲେ।

ସବୁଦିନ ସେ ଭୋର ସାଢ଼େ ୫ଟାରେ ଉଠନ୍ତି ଏବଂ ସକାଳେ ତାଙ୍କର ପ୍ରଥମ କାମ ହେଉଛି ରୋଷେଇ କରିବା। ‘‘ସକାଳେ ମୁଁ କିଛି ଖାଏ ନାହିଁ । ମୁଁ କିଛି ଛୋଟା ନାସତା (ଅଳ୍ପ ଜଳଖିଆ) ଖାଏ ଏବଂ ତା’ପରେ କାମ କରିବାକୁ ଯାଏ। ତା’ପରେ ଘରକୁ ଫେରି ଖାଇଥାଏ,’’ ସେ କୁହନ୍ତି। କିନ୍ତୁ ଫେରିବାର କିଛି ନିର୍ଦ୍ଦିଷ୍ଟ ସମୟ ନଥାଏ।

‘‘ଦିନେ ଦିନେ ମୁଁ ଦିନ ୧୧ଟା ବେଳକୁ ଘରକୁ ଫେରିଆସେ ଏବଂ ଆଉ କେଉଁ ଦିନ ଫେରୁ ଫେରୁ ୩-୪ଟା ବାଜିଯାଏ,’’ ସେ କୁହନ୍ତି।

Humayun attaches his apparatus to the back of his cycle when he goes from one house to the other
PHOTO • Sanviti Iyer
Humayun attaches his apparatus to the back of his cycle when he goes from one house to the other
PHOTO • Sanviti Iyer

ହୁମାୟୁନ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯିବା ସମୟରେ ସାଇକେଲରେ ନିଜର ଗଛ ଚଢ଼ା ଉପକରଣକୁ ଭଲ ଭାବେ ବାନ୍ଧି ଦେଇଥାନ୍ତି

ମୌସୁମୀ ଋତୁରେ, ତାଙ୍କର ଆୟ ଅସ୍ଥିର ହୋଇଥାଏ, କିନ୍ତୁ ଏହି ଉପକରଣ ତାଙ୍କୁ ସହାୟକ ହୋଇଥାଏ।

‘‘ବର୍ଷା ଦିନେ ଗଛ ଚଢ଼ିବାରେ ମୋର କୌଣସି ସମସ୍ୟା ନଥାଏ କାରଣ ମୋ ପାଖରେ ଏହି ଯନ୍ତ୍ର ରହିଛି,’’ ସେ କୁହନ୍ତି। କିନ୍ତୁ ଏହି ଋତୁରେ ଖୁବ କମ ଲୋକ ନଡ଼ିଆ ତୋଳିବା ପାଇଁ ଡାକିଥାନ୍ତି। ‘‘ସାଧାରଣତଃ, ବର୍ଷା ଆରମ୍ଭ ହୋଇଗଲେ ମୁଁ କମ୍‌ କାମ ପାଇଥାଏ,’’ ସେ ଆହୁରି କହିଥାନ୍ତି।

ଏହି କାରଣରୁ ସେ ବର୍ଷା ମାସଗୁଡ଼ିକରେ ଗୋପାଳଚାନ୍ଦପୁରରେ ଥିବା ନିଜ ପାଞ୍ଚ ଜଣିଆ ପରିବାର ପାଖକୁ ଫେରି ଯିବାକୁ ପସନ୍ଦ କରିଥାନ୍ତି। ତାଙ୍କ ପରିବାରରେ ପତ୍ନୀ ହଲିମା ବେଗମ, ମା’ ଓ ତିନି ପିଲା ଅଛନ୍ତି । ୧୭ ବର୍ଷ ବୟସ୍କ ଶନୱର ଶେଖ, ୧୧ ବର୍ଷ ବୟସ୍କ ସାଦିକ୍‌ ଶେଖ, ନଅ ବର୍ଷ ବୟସର ଫରହାନ୍‌ ଶେଖ୍‌ – ସମସ୍ତେ ଏବେ ସ୍କୁଲରେ ପାଠ ପଢ଼ୁଛନ୍ତି ।

‘‘ମୁଁ ଋତୁକାଳୀନ ପ୍ରବାସୀ ଶ୍ରମିକ ନୁହେଁ । ୯-୧୦ ମାସ ପର୍ଯ୍ୟନ୍ତ କେରଳରେ ରହିଥାଏ ଏବଂ କେବଳ ଦୁଇ ମାସ ପାଇଁ ଘରକୁ (ପଶ୍ଚିମବଙ୍ଗରେ ଥିବା) ଫେରିଥାଏ,’’ ସେ କୁହନ୍ତି। କିନ୍ତୁ ଦୂରରେ ଥିବା ସମୟରେ ତାଙ୍କର ପରିବାର ଲୋକଙ୍କ କଥା ମନେ ପଡ଼ିଥାଏ।

‘‘ମୁଁ ଦିନରେ ଅତିକମରେ ତିନି ଥର ଘରକୁ ଫୋନ କରିଥାଏ,’’ ହୁମାୟୁନ କୁହନ୍ତି। ସେ ମଧ୍ୟ ଘର ଖାଇବାକୁ ବେଶୀ ମନେ ପକାଇଥାନ୍ତି। ‘‘ଏଠି ପଶ୍ଚିମବଙ୍ଗ ଭଳି ଖାଦ୍ୟ ରୋଷେଇ କରିବାରେ ମୁଁ ସକ୍ଷମ ହୁଏ ନାହିଁ, କିନ୍ତୁ ମୁଁ ଚଳେଇ ନେଇଥାଏ,’’ ସେ କୁହନ୍ତି।

‘‘ବର୍ତ୍ତମାନ ପାଇଁ, ଚାରି ମାସ ପରେ (ଜୁନରେ) ମୁଁ ଘରକୁ ଯିବା ଲାଗି ଅପେକ୍ଷା କରି ରହିଛି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE