ଭାଟୱଡ଼ଗାଓଁ ଗ୍ରାମର ଚାଷ ଜମି କଡ଼ରେ ଥିବା ଏକ ଧୂଳି ଭର୍ତ୍ତି ସଡ଼କରେ ଚାଲି ଚାଲି ଆମେ ଗୋଟିଏ ଛୋଟ ଘରେ ପହଞ୍ଚିଲୁ, ତାଙ୍କର ସିମେଣ୍ଟ ଛାତ ଓ ଲାଇଲାକ କାନ୍ଥର ଏକ ଛୋଟିଆ ଘର ଥିଲା । ଏ ଘରର ନାଁ ଅଦ୍ଭୂତ ଥିଲା, କାନ୍ଥରେ ବାଇଗଣୀ ରଙ୍ଗରେ, ମରାଠୀ ଭାଷାରେ ଲେଖା ହୋଇଥିଲା ‘ଠିଣଗୀ’ । ଏ ଶବ୍ଦର ଅର୍ଥ ହେଉଛି ‘ସ୍ଫୁଲିଙ୍ଗ’ ଏବଂ ଏହା ୮-୧୦ଟି କବିତାକୁ ନେଇ ପ୍ରସ୍ତୁତ ଏକ ସଂକଳନର ଶୀର୍ଷକ । ପ୍ରଦୀପ ସାଲଭେ କୁହନ୍ତି, ‘‘ଆହୁରି ଅନେକ କବିତା ଅଛି । ମୋ ପିତାଙ୍କ କବିତା କେଉଁଠି ଲେଖା ଯାଇନାହିଁ, କିନ୍ତୁ ସେସବୁ ମୋର ମନେ ଅଛି ।’’

ପ୍ରଦୀପ ଆମକୁ ତାଙ୍କ ପିତା ଶାହୀର (କବି) ଆତ୍ମାରାମ ସାଲଭେଙ୍କ ସର୍ଜନା ବିଷୟରେ କୁହନ୍ତି ଯେ, ସେ ପାଖାପାଖି ୩୦୦ କବିତା ଲେଖିଛନ୍ତି । ସେ କୁହନ୍ତି, ‘‘ତାଙ୍କ କବିତା ହୁଣ୍ଡାବନ୍ଦୀ (ଯୌତୁକ ଉପରେ ପ୍ରତିବନ୍ଧକ) ଏବଂ ମଦ ଓ ଏହାର ନିଶା କାରଣରୁ ହେଉଥିବା ବିନାଶକାରୀ ପ୍ରଭାବ ଆଦି ବିଷୟ ଉପରେ ଆଧାରିତ ।’’ ଡକ୍ଟର ବାବା ସାହେବ ଆମ୍ବେଦକର, ଦଳିତ, ମହିଳା, କୃଷି, ଶିକ୍ଷା ଓ ସାମାଜିକ ବିପ୍ଳବ ଉପରେ ମଧ୍ୟ ତାଙ୍କ କବିତା ଆଧାରିତ । ପ୍ରଦୀପ ‘ଠିଣଗୀ’ (ଯେଉଁଠି ତାଙ୍କ ଭାଇ ଦୀପକ ରହିଥାନ୍ତି) ନିକଟରେ ଥିବା ନିଜ ଘର ‘ରାଜରତ୍ନ’ରେ ବସି ରହି, ଯୌତୁକ ବିରୋଧୀ କବିତା ଆମକୁ ଶୁଣାଇଥିଲେ :

‘‘ଯୌତୁକ ପ୍ରଥା ଛାଡ଼, ସମାନତା ସହ ସମ୍ପର୍କ ଯୋଡ଼’’

ମହାରାଷ୍ଟ୍ର ବୀଡ ଜିଲ୍ଲାର ମାଜଲଗାଓଁ ତାଲୁକାର କିଛି ମହିଳାଙ୍କ ଓଭି ‘ଗ୍ରାଇଣ୍ଡମିଲ୍‌ ସଙ୍ଗସ୍‌ ପ୍ରୋଜେକ୍ଟ’ ପାଇଁ ୨୧ ବର୍ଷ ପୂର୍ବେ ରେକର୍ଡ କରାଯାଇଥିଲା, ଯାହାକୁ ଏବେ ପରୀରେ କ୍ରମବଦ୍ଧ ଢଙ୍ଗରେ ପ୍ରସ୍ତୁତ କରାଯାଉଛି । ଏହି ମହିଳାମାନଙ୍କୁ ଭେଟିବା ଲାଗି ଆମେ ମାଜଲଗାଓଁ ଯାଇଥିଲୁ ।

ପ୍ରଦୀପ ସାଲଭେ (ଡାହାଣ), ତାଙ୍କର ପତ୍ନୀ ଜ୍ୟୋତି ଏବଂ ପୁତ୍ର ରାଜରତ୍ନ । ତାଙ୍କ ପଛରେ ପ୍ରଦୀପଙ୍କ ଖୁଡ଼ି, ଲଳିତା ବାଈ ଖଲଗେ ଛିଡ଼ା ହୋଇଛନ୍ତି । ବାଁ ପଟେ, ତାଙ୍କ ଭାଉଜ ଆଶା ନିଜ ପୁଅ ଅମିତୋଦନଙ୍କ ସହିତ ଛିଡ଼ା ହୋଇଛନ୍ତି

ଆମେ ଗ୍ରାଇଣ୍ଡମିଲ ସଙ୍ଗସ୍‌ ପ୍ରୋକେଜ୍ଟର ଗାୟିକାଙ୍କ ମଧ୍ୟରୁ ଜଣେ ତଥା ପ୍ରଦୀପଙ୍କ ମା’, କମଲା ସାଲଭେଙ୍କୁ ଭେଟିବା ଲାଗି ଆଶା କରୁଥିଲୁ । ସେ ଅନ୍ୟ କେଉଁ ଗାଁକୁ ନିଜ ସମ୍ପର୍କୀୟଙ୍କୁ ଭେଟିବା ଲାଗି ଯାଇଥିଲେ, କିନ୍ତୁ ଆମେ ତାଙ୍କ ପରିବାର ଲୋକଙ୍କୁ ଭେଟିଲୁ । କବି ଆତ୍ମାରାମ ସାଲଭେ, କମଲାତାଈଙ୍କ ସ୍ୱାମୀ ଥିଲେ ।

ଆତ୍ମାରାମ ସାଲଭେଙ୍କ ଜନ୍ମ ୧୪ ଅକ୍ଟୋବର, ୧୯୫୬ରେ ହୋଇଥିଲା ଏବଂ ସେ ଔରଙ୍ଗାବାଦର ମିଲିନ୍ଦ ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ପାଖରେ ୨୫ ଏକର ଜମି ଓ ଦୁଇଟି କୂଅ ଥିଲା, କିନ୍ତୁ ଆତ୍ମାରାମଙ୍କ ଚାଷ କାମରେ କୌଣସି ଆଗ୍ରହ ନଥିଲା । ସେ କବି ହେବାକୁ ଚାହୁଁଥିଲେ । ପ୍ରଦୀପ କୁହନ୍ତି, ‘‘ଯେକୌଣସି ମୁହୂର୍ତ୍ତରେ ସେ କବିତା ଗାଉଥିଲେ ଓ ଶୁଣାଉଥିଲେ ।’’ ତାଙ୍କର ଅଧିକାଂଶ ଗୀତ ଦମନ ବିରୋଧରେ ସାମାଜିକ ବିପ୍ଳବର ଉଦଘୋଷ କରୁଥିଲା ।

ଆତ୍ମାରାମଙ୍କ ରଚନାକୁ ହୁଏତ ତାଙ୍କ ଜୀବନ କାଳରେ ସଠିକ୍‌ ପରିଚୟ ମିଳିନଥିଲା, କିନ୍ତୁ ତାଙ୍କ କବିତା ଓ ସଙ୍ଗୀତ, ସାରା ମହାରାଷ୍ଟ୍ରର ଗାଁ ଓ ସହରରେ ବୋଲା ଯାଉଥିଲା, ପ୍ରଦର୍ଶିତ କରାଯାଉଥିଲା, ସେ ବିଷୟରେ ଲୋକମାନେ ଅପରିଚିତ ନଥିଲେ। ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଏବଂ ରାଜନୈତିକ ବ୍ୟଙ୍ଗ ଉପରେ ଆଧାରିତ ଗୀତ ଗାଇବା କାରଣରୁ ତାଙ୍କ ବିରୋଧରେ ଶତାଧିକ ପୁଲିସ ମାମଲା ଦାୟର ହୋଇଥିଲା ।

ପ୍ରଦୀପ କୁହନ୍ତି, ‘‘ଯେତେଥର ତାଙ୍କୁ ଗିରଫ କରାଯାଉଥିଲା, ମୋ ଜେଜେବାପା ଆଇନଗତ ଖର୍ଚ୍ଚ ପାଇଁ ଅର୍ଥ ଏକତ୍ରିତ କରିବା ଲାଗି ଖଣ୍ଡେ ଜମି ବିକି ଦେଉଥିଲେ ।’’ ସେ ଆହୁରି କୁହନ୍ତି ଯେ, ପୁଲିସ ତାଙ୍କ ପିତାଙ୍କୁ ଚାରି ଥର ମାଜଲଗାଓଁ ତାଲୁକା ରୁ ଏବଂ ଦୁଇ ଥର ବୀଡ଼ ଜିଲ୍ଲାରୁ ନିଷ୍କାସିତ କରି ଦେଇଥିଲା । ପରିବାର ମାଲିକାନାରେ ଥିବା ଜମି ଧୀରେ ଧୀରେ ଶେଷ ହୋଇଗଲା ।

କବିଙ୍କ ବନ୍ଧୁ, ମାଜଲଗାଓଁର ପାଣ୍ଡୁରଙ୍ଗ ଯାଦବ, ପୂର୍ବରୁ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗରେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ, ସେ ବିଭିନ୍ନ ମୋର୍ଚ୍ଚାରେ ଆତ୍ମାରାମଙ୍କ ସହ ଛିଡ଼ା ହେଉଥିଲେ, ଯାହାର ନେତୃତ୍ୱ ସାଲଭେ ଯୁବାବସ୍ଥାରେ ନେଇଥିଲେ। ଯାଦବ କୁହନ୍ତି, ‘‘ମରାଠୱାଡ଼ା କ୍ଷେତ୍ର ନିକଟବର୍ତ୍ତୀ କୌଣସି ଗାଁରେ ଯେତେବେଳେ ଦଳିତଙ୍କ ଶୋଷଣ କରାଯାଉଥିଲା, ଆତ୍ମାରାମ ମୋର୍ଚ୍ଚାର ନେତୃତ୍ୱ ନେବା ଲାଗି ସେଠାରେ ପହଞ୍ଚି ଯାଉଥିଲେ ଏବଂ ବିରୋଧ କରି ଗୀତ ଗାଉଥିଲେ । ସେ ଜଣେ ଲୋକଶାହିର (ଗଣକବି) ଥିଲେ ।’’

ସାଲଭେ, ଦଳିତ ପାନ୍ଥର୍ସ ନାମକ ସେହି ବିଦ୍ରୋହୀ ସାମାଜିକ ତଥା ରାଜନୈତିକ ସଂଗଠନର ସଦସ୍ୟ ଥିଲେ ଯାହାକୁ ନାମଦେବ ଧସାଲ ଏବଂ ଜେଭି ପୱାରଙ୍କ ଭଳି କବିମାନେ ୧୯୭୨ରେ ଆରମ୍ଭ କରିଥିଲେ । ଏହି ଗୋଷ୍ଠୀର ଜଣେ ପ୍ରାଥମିକ ସଦସ୍ୟ ଏବଂ ଏବେ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆର ଗୋଟିଏ ଗୋଷ୍ଠୀ ସଦସ୍ୟ, ଲେଖକ ତଥା କବି ରାଜା ଢାଲେ (୭୦) ମଧ୍ୟ ଆତ୍ମାରାମ ସାଲଭେଙ୍କୁ ଜାଣିଥିଲେ । ମୁମ୍ବାଇରେ ରହୁଥିବା ଢାଲେ କୁହନ୍ତି, ‘‘ସେ ଜଣେ ଭଲ କବି ଥିଲେ ଏବଂ ଦଳିତ ପାନ୍ଥର୍ସ ସହିତ ଅନେକ ବର୍ଷ ଧରି ସମ୍ପୃକ୍ତ ରହିଥିଲେ । ସେ ଆମ ସହିତ ମରାଠୱାଡ଼ାର ସଂଖ୍ୟାଧିକ ବୈଠକରେ ସାମିଲ ହେଉଥିଲେ ଏବଂ ଆମ କାର୍ଯ୍ୟକ୍ରମରେ ନିଜ କବିତା ଶୁଣାଉଥିଲେ ।’’

ଶାହିର ଆତ୍ମାରାମଙ୍କ ମୃତ୍ୟୁ ୧୯ ଜାନୁଆରୀ, ୧୯୯୧ରେ ମାତ୍ର ୩୫ ବର୍ଷ ବୟସରେ ହୋଇଥିଲା । ସେତେବେଳେ ପ୍ରଦୀପଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା । ଦୁଇ ଦଶନ୍ଧି ପର୍ଯ୍ୟନ୍ତ, ସାଲଭେଙ୍କ ପରିବାର ପ୍ରତିବର୍ଷ ୧୯ ଜାନୁଆରୀ ଦିନ ତାଙ୍କୁ ମନେ ପକାଇ ସ୍ମୃତି ଦିବସ ପାଳନ କରିଥାଏ । ଏଥିରେ ସେମାନେ ତାଙ୍କ କବିତା ଗାଉଥିଲେ ।

ଭାଟୱଡ଼ଗାଓଁରେ ପ୍ରଦୀପଙ୍କ ଘରେ ଫୁଲମାଳ ଚଢ଼ା ହୋଇଥିବା ଆତ୍ମାରାମଙ୍କ ଏକ ଫଟୋ

ଔରଙ୍ଗାବାଦର ମରାଠାୱାଡ଼ା ବିଶ୍ୱବିଦ୍ୟାଳୟର ନାଁ ବଦଳାଇ ଡକ୍ଟର ବାବା ସାହେବ ଆମ୍ବେଦକର ମରାଠୱାଡ଼ା ବିଶ୍ୱବିଦ୍ୟାଳୟ କରିବା ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଥିଲା । ଏହି ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟମାନଙ୍କୁ ମାଜଲଗାଓଁ ତାଲୁକାର ଲୋକମାନେ ସମ୍ମାନିତ କରିଥିଲେ । ଏହି ସମାରୋହରେ କବିଙ୍କ ପରିବାର ଲୋକମାନେ ସେମାନଙ୍କର କବିତା ଗାଇଥିଲେ । ମାଜଲଗାଓଁର ଲୋକମାନେ କମଲାତାଈଙ୍କୁ ତାଙ୍କ ସ୍ୱାମୀଙ୍କ ସ୍ମୃତିରେ ସମ୍ମାନିତ କରିଥିଲେ । ସେହି ବର୍ଷଠାରୁ ସେମାନେ ମାଟିର କବିଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ଆରମ୍ଭ କରିଥିଲେ ।

କିନ୍ତୁ ଏବେ ସୁଦ୍ଧା, ସରକାର ଶାହିର ଆତ୍ମାରାମ ସାଲଭେଙ୍କୁ ବିଧିବଦ୍ଧ ଭାବେ ମାନ୍ୟତା ଦେଇନାହାନ୍ତି କିମ୍ବା ସରକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇନାହିଁ ।

ଭାଟୱଡ଼ଗାଓଁ ଗ୍ରାମର ଲୋକମାନେ ନିଜ ମାଟିର କବି ଆତ୍ମାରାମଙ୍କ ପତ୍ନୀ କମଲା ତାଈଙ୍କୁ ସମ୍ମାନିତ କରି ଦେଇଥିବା ସ୍ମୃତିଚିହ୍ନ ଏବଂ ଏହାର ଦୁଇ କଡ଼ରେ ପରିବାର ଲୋକଙ୍କ ଫଟୋ ପ୍ରଦୀପଙ୍କ ଘରେ ଶୋଭା ପାଉଛି

ତାଙ୍କର ବଡ଼ ପୁଅ ପ୍ରଦୀପ (୩୮) ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ, ଏହାପରେ ପାଠପଢ଼ା ଛାଡ଼ି କାମ ଓ ରୋଜଗାର କରିବା ଆରମ୍ଭ କଲେ, ଯାହାଫଳରେ ପରିବାରର ଅନ୍ୟ ଛୋଟ ପିଲାମାନେ ପାଠ ପଢ଼ିପାରିବେ । ସେ କୃଷି ଶ୍ରମିକ କାମ କରିଥିଲେ ଏବଂ ମାଜଲଗାଓଁର ମୋଣ୍ଢା ବଜାରରେ ମୁଣ୍ଡରେ ମାଲ ବୋହିଥିଲେ । ପାଞ୍ଚ ବର୍ଷ ପୂର୍ବରୁ, ପରିବାର ଲୋକମାନେ ଭାଟୱଡ଼ଗାଓଁରେ ତିନି ଏକର ଜମି କିଣିଥିଲେ, ଏଥିରେ ସେମାନେ ନିଜ ଖାଇବା ପାଇଁ ଯଅ ଓ ବାଜରା ଚାଷ କରୁଛନ୍ତି । ସେମାନେ କପା ଓ ସୋୟାବିନ ଚାଷ ମଧ୍ୟ କରିଥାନ୍ତି, ଏଥିରୁ ଉତ୍ପାଦିତ ଫସଲ ସେମାନେ ବିକ୍ରି କରି ଦେଇଥାନ୍ତି । ପ୍ରଦୀପଙ୍କର ଦୁଇ ଝିଅ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି । ଦୁଇ ପୁଅଙ୍କ ମଧ୍ୟରୁ ଜଣେ ସପ୍ତମ ଏବଂ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ସେମାନଙ୍କର ମା’ ଜ୍ୟୋତି ସାଲଭେ ବୀଡ଼ ଜିଲ୍ଲାରେ ଜଣେ ରୋଷେୟା ଓ ଅଙ୍ଗନୱାନି କର୍ମୀ ଭାବେ କାମ କରୁଛନ୍ତି ।

ପ୍ରଦୀପ କୁହନ୍ତି ଯେ, ସେ ନିଜ ପିତାଙ୍କ କବିତାକୁ ମନେ ପକାଇ ଲେଖିବା ଆରମ୍ଭ କରିଛନ୍ତି । ସେ ଗୋଟିଏ ଠିଣଗୀ ଗୀତ ଗାଇ ଶୁଣାଇଥିଲେ ।

ଭିଡ଼ିଓ ଦେଖନ୍ତୁ: ପ୍ରଦୀପ ସାଲଭେ ନିଜ ପିତାଙ୍କ ବିପ୍ଳବୀ କବିତା ମଧ୍ୟରୁ ଗୋଟିଏ ଗୀତ ଗାଉଛନ୍ତି, ‘ଅନ୍ୟାୟର ମୂଳକୁ ଉପାଡ଼ି ଦିଅ…’

ସ୍ପୁଲିଙ୍ଗ

ବିଦ୍ରୋହର ବହ୍ନି ବ୍ୟାପିବାକୁ ଦିଅ, ଯୁଦ୍ଧଭୂମିକୁ ତୋପ ନେଇ ଆସ
ପ୍ରତିଶୋଧର ଅଗ୍ନି ଜଳୁଥାଉ, ମନରେ କ୍ରୋଧ ବଢ଼ୁଥାଉ

(ଦମନର) ଗର୍ଭରେ ଥିବା ଶିଶୁ ଭବିଷ୍ୟତକୁ ଦେଖୁଛି
ଆଉ ସେ ମନୁର ସନ୍ତାନକୁ ସମାଧି ଦେବାକୁ ଦୌଡ଼ୁଛି… ସେ ଦୌଡ଼ୁଛି
ଅନ୍ୟାୟର ମୂଳକୁ ଉପାଡ଼ି ଦିଅ… ଉପାଡ଼ି ଦିଅ

ବିଦ୍ରୋହର ବହ୍ନି ବ୍ୟାପିବାକୁ ଦିଅ, ଯୁଦ୍ଧଭୂମିକୁ ତୋପ ନେଇ ଆସ
ପ୍ରତିଶୋଧର ଅଗ୍ନି ଜଳୁଥାଉ, ମନରେ କ୍ରୋଧ ବଢ଼ୁଥାଉ
ବାଘୁଣୀ କ୍ଷୀର ପିଇବା ପରେ, ତୁମେ ଏତେ ଥଣ୍ଡା କାହିଁକି
ତଣ୍ଟିକୁ ଆକ୍ରମଣ କର, ଉଠ ଏବଂ ପ୍ରହାର କର, ହେ ପୁରୁଷମାନେ… ବିଦ୍ରୋହ କର,
ହେ ପୁରୁଷମାନେ ପୁରୁଷ ହୋଇ ସୁଦ୍ଧା, ତୁମେ ଏତେ ଶାନ୍ତ ହୋଇ ବସିଛ କାହିଁକି, ଏଇ କ୍ଷଣରେ… ଏ କ୍ଷଣରେ

ପ୍ରତିଶୋଧର ଅଗ୍ନି ଜଳିବାକୁ ଦିଅ…
ଚାଲ ଆମେ ସମସ୍ତେ ଏକ ସ୍ୱରରେ, ଆଜି ବିଦ୍ରୋହର ଉଦଘୋଷଣା କରିବା
ସାଲଭେ ଦୁର୍ବଳଙ୍କ ଶତ୍ରୁ ଉପରେ ନଜର ରଖିବ
ତୁମେ କାହିଁକି ଏତେ ଡରୁଛ, ଯେବେ ଜଣେ ଭୀମଦାନୀ* ତୁମକୁ ସାହାଯ୍ୟ କରୁଛି — ୟେ ଭୀମଦାନୀ

ପ୍ରତିଶୋଧର ଅଗ୍ନି ଜଳିବାକୁ ଦିଅ…
ବିଦ୍ରୋହର ବହ୍ନି ବ୍ୟାପିବାକୁ ଦିଅ, ଯୁଦ୍ଧଭୂମିକୁ ତୋପ ନେଇ ଆସ
ପ୍ରତିଶୋଧର ଅଗ୍ନି ଜଳୁଥାଉ, ମନରେ କ୍ରୋଧ ବଢ଼ୁଥାଉ

*ଭୀମଦାନୀ: ଭୀମରାଓ ଆମ୍ବେଦକରଙ୍କ ଶିକ୍ଷା ଯେଉଁ ବ୍ୟକ୍ତିଙ୍କ ସମ୍ପତ୍ତି

ଫଟୋ: ନମିତା ୱାଇକର ଓ ସଂଯୁକ୍ତା ଶାସ୍ତ୍ରୀ

ଅନୁବାଦ: ଓଡ଼ିଶାଲାଇଭ୍‍

Namita Waikar is a writer, translator and Managing Editor at the People's Archive of Rural India. She is the author of the novel 'The Long March', published in 2018.

Other stories by Namita Waikar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE