ଫାତିମା ବାନୋ ଏକ କବିତା ଆବୃତ୍ତି କରୁଥିଲେ । ସେ ହିନ୍ଦୀରେ କହିଲେ, “ଫ୍ୟାନ୍ ଉପରେ ବୁଲେ, ଶିଶୁ ତଳେ ଶୁଏ।’’ ‘ଶୋଇପଡ଼ ଶିଶୁ, ଶୋଇପଡ଼, ବଡ଼ ନାଲି ଖଟ ଉପରେ ଶୋଇପଡ଼...’’ ସମସ୍ତଙ୍କର ନଜର ତାଙ୍କ ଉପରେ ଥିବାବେଳେ ୯ ବର୍ଷୀୟା ଫାତିମା ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଭାନ୍ ଗୁଜ୍ଜର ବସ୍ତିରେ ଏକ ଅପରାହ୍ନରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ଗୋଷ୍ଠୀ ମଧ୍ୟରେ କୌଣସି ପ୍ରକାରେ ନଜରକୁ ନ ଆସିବା ଲାଗି ଚେଷ୍ଟା କରୁଥିଲେ।

ସେମାନଙ୍କର ‘ସ୍କୁଲ’ ସେଦିନ ବିବିଙ୍କର ଘର ସାମ୍ନା ଅଗଣାରେ ଅନୁଷ୍ଠିତ ହେଉଥିଲା । ୫ରୁ ୧୩ ବର୍ଷୀୟ କିଛି ପିଲା ଏକ ବଡ଼ ଦରି ଉପରେ ବସିଥିଲେ । ସେମାନେ କିଛି ଖାତା ଧରିଥିଲେ । ତବସୁମ୍‌ ବିବିଙ୍କର ଦୁଇଟି ପିଲା, ଜଣେ ପୁଅ ଓ ଝିଅ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ ଥିଲେ; ତାଙ୍କ ପରିବାର ଏହି ବସ୍ତିର ଅନ୍ୟ ପ୍ରାୟ ସମସ୍ତଙ୍କ ଭଳି ଜୀବିକାର୍ଜନ ଲାଗି ମଇଁଷି ପାଳନ କରନ୍ତି ଏବଂ କ୍ଷୀର ବିକ୍ରି କରନ୍ତି ।

ଏହି ସ୍କୁଲ ୨୦୧୫ ମସିହାରୁ କୁନାଉ ଚୌଡ୍‌ ବସ୍ତିରେ ମଝିରେ ମଝିରେ ଏକତ୍ରିତ ହୋଇଆସୁଛି –ଅଗଣାରେ କିମ୍ବା ଘରର ଏକ ବଡ଼ କୋଠରୀରେ । ସୋମବାରରୁ ଶୁକ୍ରବାର ଯାଏ ସକାଳ ୯.୩୦ରୁ ୧୨.୩୦ ଯାଏ ଏଠାରେ କ୍ଲାସ୍‌ ଅନୁଷ୍ଠିତ ହୋଇଥାଏ । ଡିସେମ୍ବର ୨୦୨୦ରେ ମୋର ଏକ ଭ୍ରମଣ ସମୟରେ ଯେତେବେଳେ ଫାତିମା ବାନୋ କବିତା ପାଠ କରୁଥିଲେ, ସେତେବେଳେ ୧୧ ଜଣ ଝିଅ ଓ ୧୬ ଜଣ ପୁଅ ଉପସ୍ଥିତ ଥିଲେ ।

ଭାନ୍‌ ଗୁଜ୍ଜର ଯୁବକଙ୍କର ଏକ ଗୋଷ୍ଠୀ ସେମାନଙ୍କର ଶିକ୍ଷକ । ସେମାନେ କୁନାଉ ଚୌଡ୍‌ - ଉତ୍ତରାଖଣ୍ଡର ପୌରି ଗଡ଼ୱାଲ୍‌ ଜିଲ୍ଲାର ଯମେଶ୍ୱର ବ୍ଲକ୍‌ରେ ଥିବା ପ୍ରାୟ ୨୦୦ ପରିବାରର ଏକ ବସ୍ତିରେ ରହିଥିବା ନିରନ୍ତର ଶିକ୍ଷାଗତ ବ୍ୟବଧାନକୁ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। (ସମ୍ପ୍ରଦାୟର କାର୍ଯ୍ୟକର୍ତ୍ତା ଆକଳନ କରନ୍ତି ଯେ ୭୦ ହଜାରରୁ ଲକ୍ଷେ ମଧ୍ୟରେ ଭାନ୍‌ ଗୁଜ୍ଜର ରାଜ୍ୟର କୁମାଉଁ ଏବଂ ଗଡ଼ୱାଲ୍‌ ଅଞ୍ଚଳରେ ବସବାସ କରନ୍ତି । ସେମାନେ ଉତ୍ତରାଖଣ୍ଡରେ ଓବିସି ଭାବେ ତାଲିକାଭୁକ୍ତ ଏବଂ ଅନୁସୂଚିତ ଜନଜାତି ଭାବେ ମାନ୍ୟତା ଲାଗି ଦାବି କରିଆସୁଛନ୍ତି) ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଥିବା ଏହି ଜନବସତିଗୁଡ଼ିକ ମାଟି ଓ କାଦୁଅରେ ତିଆରି । ଜଙ୍ଗଲ ବିଭାଗ ଦ୍ୱାରା ସ୍ଥାୟୀ ନିର୍ମାଣକୁ ନିଷେଧ କରାଯାଇଛି। ସେଠାରେ କୌଣସି ପ୍ରକାର ଟୟଲେଟ୍‌ ସୁବିଧା ନାହିଁ । ଝରଣାରୁ ପାଣି ଆଣି ଲୋକେ ବ୍ୟବହାର କରନ୍ତି ।

The ‘school’ has been assembling intermittently in the Kunau Chaud settlement since 2015 – either in the yard or in a large room in a house
PHOTO • Varsha Singh
The ‘school’ has been assembling intermittently in the Kunau Chaud settlement since 2015 – either in the yard or in a large room in a house
PHOTO • Varsha Singh

ଏହି ‘ସ୍କୁଲ’ ୨୦୧୫ ମସିହାରୁ କୁନାଉ ଚୌଡ୍‌ ବସ୍ତିରେ ମଝିରେ ମଝିରେ ଏକତ୍ରିତ ହୋଇଆସୁଛି – ଅଗଣାରେ କିମ୍ବା ଘରର ଏକ ବଡ଼ କୋଠରୀରେ

କୁନାଉ ଚୌଡ ଅଭୟାରଣ୍ୟ ମଝିରେ ପକ୍କା ରାସ୍ତାଠାରୁ ଦୂରରେ ଅବସ୍ଥିତ – ଏବଂ ବିଭିନ୍ନ କାରଣ ଯୋଗୁଁ ଏଠାରେ ଶିକ୍ଷାଗ୍ରହଣ କରିବା ତ୍ରୁଟିପୂର୍ଣ୍ଣ ଓ ଅସାଧାରଣ । ସରକାରୀ ମଡେଲ୍‌ ପ୍ରାଥମିକ ବିଦ୍ୟାଳୟ (ପଞ୍ଚମ ଶ୍ରେଣୀଯାଏ) ଏବଂ ସରକାରୀ ଇଣ୍ଟର କଲେଜ (ଦ୍ୱାଦଶ ଶ୍ରେଣୀଯାଏ) ୩ କିମି ଦୂରରେ ଅବସ୍ଥିତ । ବନ୍ୟପଶୁ ଯେପରିକି ଚିତାବାଘ, ହାତୀ ଓ ହରିଣ ଏଠାରେ ଆତଯାତ କରନ୍ତି । ସ୍କୁଲରେ ପହଞ୍ଚିବା ଲାଗି ବିନ୍‌ ନଦୀ (ଗଙ୍ଗା ନଦୀର ଏକ ଉପନଦୀ)ର ଗଭୀର ଜଳ ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ । ଜୁଲାଇ ଓ ଅଗଷ୍ଟ ମାସର ମୌସୁମୀ ସମୟରେ ଯେତେବେଳେ ଜଳସ୍ତର ବଢ଼ିଯାଏ ସେତେବେଳେ ପିଲାମାନେ ହୁଏତ ସ୍କୁଲ ଯିବା ବନ୍ଦ କରିଦିଅନ୍ତି କିମ୍ବା ସେମାନଙ୍କର ବାପା ମା’ ମାନେ ସେମାନଙ୍କୁ ଏହି ରାସ୍ତାରେ ବୁଲେଇ ନିଅନ୍ତି ।

ଅଧିକାଂଶ ପିଲା ସ୍କୁଲରେ ନାମ ଲେଖାଇ ନାହାନ୍ତି – ଦଲିଲର ଅଭାବ ସେମାନଙ୍କୁ ଏଭଳି ପ୍ରୟାସରୁ ନିବୃତ୍ତ କରିଛି । ନିପଟ ଜଙ୍ଗଲିଆ ବସ୍ତିରେ ରହୁଥିବା ଗୁଜ୍ଜର ପରିବାରଗୁଡ଼ିକ ପାଇଁ ଆଧିକାରିକ କାଗଜପତ୍ର ପାଇଁ ଆବେଦନ କରିବା ଏବଂ ତାକୁ ପାଇବା ଏକ ଦୀର୍ଘ ଓ କଠିନ କାମ। କୁନାଉ ଚୌଡରେ ବାପା ମା’ମାନେ କହନ୍ତି ସେମାନଙ୍କର ଅଧିକାଂଶ ପିଲାଙ୍କ ନିକଟରେ ଜନ୍ମ ପ୍ରମାଣପତ୍ର (ଏବଂ ସେମାନେ ଏହି ବସ୍ତିରେ ଜନ୍ମ ନେଇଛନ୍ତି) କିମ୍ବା ଆଧାର କାର୍ଡ ନାହିଁ। (ମେ ୨୦୨୧ରେ ଉତ୍ତରାଖଣ୍ଡ ହାଇକୋର୍ଟ ଭାନ୍‌ ଗୁଜ୍ଜରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।)

ଅନେକ ପରିବାରରେ, ବଡ଼ ପିଲାମାନେ ସେମାନଙ୍କର ଦିନର ଏକ ବଡ଼ ଅଂଶ ଗୋରୁଙ୍କ ଦେଖାଶୁଣା କରିବାରେ ବିତାଇଥାଆନ୍ତି । ସେମାନଙ୍କ ମଧ୍ୟରେ ଜଇତୁନ୍‌ ବିବିଙ୍କର ୧୦ ବର୍ଷର ପୁଅ ଇମ୍ରାନ୍ ଅଲି ସାମିଲ, ଯିଏ ପରିବାରର ଛଅଟି ମଇଁଷିଙ୍କର ଯତ୍ନ ନିଅନ୍ତି । ଯଦିଓ ସେ ସରକାରୀ ପ୍ରାଥମିକ ସ୍କୁଲରେ ନାମ ଲେଖାଇଥିଲେ ଏବଂ ପରେ ଅଗଷ୍ଟ ୨୦୨୧ରେ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ, ତଥାପି ତାଙ୍କ ଶିକ୍ଷା ଏକ ଚ୍ୟାଲେଞ୍ଜ ହୋଇ ରହିଛି । ସେ କହନ୍ତି “ମୁଁ ସକାଳ ୬ଟାରେ ଉଠି ଗୋରୁମାନଙ୍କୁ ଖାଇବାକୁ ଦିଏ ଏବଂ ତା’ପରେ କ୍ଷୀର ଦୁହେଁ । ଏହା ପରେ ମୁଁ ସେମାନଙ୍କୁ ପାଣି ପିଇବାକୁ ନେଇଥାଏ ଏବଂ ତା’ପରେ ଘାସ ଦିଏ ।’’ ଇମ୍ରାନଙ୍କ ବାପା କ୍ଷୀର ବିକ୍ରି କରନ୍ତି ଏବଂ ମା’ ଘର କାମ କରନ୍ତି, ଯେଉଁଥିରେ ସେମାନଙ୍କର ଗୋରୁମାନଙ୍କର ଯତ୍ନ ନେବା ମଧ୍ୟ ସାମିଲ ।

ଇମ୍ରାନଙ୍କ ଭଳି ଏଠାରେ ଅନେକ ପିଲା ଦିନର ଅଧିକାଂଶ ସମୟ ଘର କାମରେ ନିୟୋଜିତ ହୁଅନ୍ତି ଏବଂ ଏହା ସେମାନଙ୍କର ସ୍କୁଲ ପଢ଼ା ଉପରେ ପ୍ରଭାବ ପକାଇଥାଏ । ବାନୋ ବିବି କୁହନ୍ତି ‘‘ଆମର ପିଲାମାନେ ଆମ ମଇଁଷିଗୁଡ଼ିକର ଯତ୍ନ ନେବାରେ ସାହାଯ୍ୟ କରନ୍ତି । ସେମାନେ ମଇଁଷିଗୁଡ଼ିକୁ ପାଣି ପିଆଇବା ଏବଂ ଚରିବା ପାଇଁ ନେଇଥା’ନ୍ତି । ସେମାନେ ଚୁଲିରେ ରାନ୍ଧିବା ଲାଗି ଜଙ୍ଗଲରୁ କାଠ ଆଣିବାରେ ମଧ୍ୟ ସାହାଯ୍ୟ କରନ୍ତି’’। ସେ ଆହୁରି କହିଲେ, ‘‘ତାଙ୍କର ବଡ଼ ପୁଅ, ୧୦ ବର୍ଷର ୟାକୁବ, ଇଣ୍ଟର-କଲେଜରେ ସପ୍ତମ ଶ୍ରେଣୀରେ ପଢ଼େ, କିନ୍ତୁ ଦୁଇ ଝିଅ ଏବଂ ଗୋଟିଏ ପୁଅ ଯେଉଁମାନଙ୍କର ବୟସ ୫ରୁ୯ ବର୍ଷ ମଧ୍ୟରେ, ସେମାନେ ବସ୍ତିର ‘ଅନୌପଚାରିକ’ ସ୍କୁଲରେ ପଢ଼ନ୍ତି । ଯଦି ଆମର ପିଲାମାନେ ପଢ଼ିବାକୁ ସକ୍ଷମ ହୁଅନ୍ତି, ତେବେ ଏହା ଭଲ ହେବ, କିନ୍ତୁ ସର୍ବ ଶେଷରେ ଆମକୁ ଏହି ଜଙ୍ଗଲରେ ରହିବାକୁ ପଡ଼ିବ [ଏବଂ ଏହି କାର୍ଯ୍ୟଗୁଡ଼ିକ ମଧ୍ୟ କରିବାକୁ ହେବ।]’’

In many families, older children spend their days watching over cattle. Among them is Zaitoon Bibi’s (left) 10-year-old son Imran Ali (extreme right)
PHOTO • Varsha Singh
In many families, older children spend their days watching over cattle. Among them is Zaitoon Bibi’s (left) 10-year-old son Imran Ali (extreme right)
PHOTO • Varsha Singh

ଅନେକ ପରିବାରରେ, ବଡ଼ ପିଲାମାନେ ଗୋରୁଙ୍କର ଦେଖାଶୁଣା କରିବାରେ ସେମାନଙ୍କର ଦିନ ବିତାଇ ଥାଆନ୍ତି । ସେମାନଙ୍କ ମଧ୍ୟରେ ଜଇତୁନ୍‌ ବିବିଙ୍କର (ବାମ) ୧୦ ବର୍ଷର ପୁଅ ଇମ୍ରାନ୍ ଅଲି (ପୂରା ଡାହାଣ) ସାମିଲ

ଦୀର୍ଘ ଦିନ ଧରି, ସମ୍ପ୍ରଦାୟର ଯାଯାବର ଦେଶାନ୍ତରୀକରଣ ମଧ୍ୟ ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ଥିଲା । କିନ୍ତୁ ବର୍ତ୍ତମାନ, ଶରାଫତ ଅଲୀ, ସ୍ଥାନୀୟ ଜଙ୍ଗଲ ଅଧିକାର କମିଟିର ଜଣେ ସଦସ୍ୟ କହନ୍ତି, ଅଧିକାଂଶ ଭାନ୍‌ ଗୁଜ୍ଜରମାନେ ଖରାଦିନରେ ଉଚ୍ଚସ୍ଥାନକୁ ଯାଆନ୍ତି ନାହିଁ ଏବଂ ବର୍ଷ ସାରା ସମାନ ବସ୍ତିରେ ରହନ୍ତି । କୁନାଉ ଚୌଡରେ ରହୁଥିବା ପ୍ରାୟ ୨୦୦ ପରିବାର ମଧ୍ୟରୁ, କେବଳ ୪ ରୁ ୫ଟି ପରିବାର ହିଁ ଏବେ ପାହାଡ଼କୁ (ଉତ୍ତରକାଶୀ ବା ରୁଦ୍ରପ୍ରୟାଗ ଜିଲ୍ଲାରେ) ଯାଆନ୍ତି, ସେ ଆକଳନ କରନ୍ତି ।

ମହାମାରୀ, ୨୦୨୦ରେ ଲମ୍ୱା ଲକଡାଉନ୍ ଏବଂ ପରେ ୨୦୨୧ରେ ଆଉଥରେ, ଶିକ୍ଷା ସହ ଜଡ଼ିତ ରହିବାର ପ୍ରୟାସକୁ ଆହୁରି ପ୍ରଭାବିତ କଲା । ଇମ୍ରାନ୍‌ ମୋତେ ୨୦୨୦ରେ କହିଥିଲେ, ‘‘ଆମ ସ୍କୁଲ [ସରକାରୀ ପ୍ରାଥମିକ ସ୍କୁଲ] ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ଅଛି । ବର୍ତ୍ତମାନ ଆମେ ନିଜେ ପଢୁଛୁ [ଏବଂ ବସ୍ତିର ‘ସ୍କୁଲ’ରେ] ।’’

ମାର୍ଚ୍ଚ ୨୦୨୦ରେ ଯେତେବେଳେ ଲକ୍‌ଡାଉନ୍ ଆରମ୍ଭ ହେଲା, କିଛି ଘରକୁ ଦିଆଯାଇଥିବା ପାଠ ଜାରି ରହିଲା। ସେମାନଙ୍କର ଶିକ୍ଷକ, ୩୩ ବର୍ଷୀୟ ମହମ୍ମଦ ସମସାଦ କହନ୍ତି, ‘‘ଆମେ ପିଲାଙ୍କୁ ସେମାନଙ୍କର ଖାତାରେ ପାଠ ଦେଉ ଏବଂ ୩-୪ ଦିନ ପରେ ତାକୁ ଯାଞ୍ଚ କରୁ, ଏବଂ ସେମାନଙ୍କୁ ଏକ ନୂଆ ବିଷୟ ଶିକ୍ଷା ଦେଉ [ଗୋଟିଏ ଘରେ ୩-୪ ଜଣ ପିଲାଙ୍କୁ ଏକାଠି କରି]’’। ସେ, ୨୬ ବର୍ଷୀୟ ମହମ୍ମଦ ମୀର ହାମ୍‌ଜା ଏବଂ ୨୦ ବର୍ଷୀୟ ଆଫ୍‌ତାବ୍‌ ଅଲୀ ଏହି ସ୍କୁଲର ସ୍ଥାନୀୟ ଶିକ୍ଷକ ।

୨୦୧୭ରେ, ସେମାନେ ଏବଂ ଅନ୍ୟ ଯୁବବର୍ଗ ଭାନ୍‌ ଗୁଜ୍ଜର ଆଦିବାସୀ ଯୁବ ସଂଗଠନ ଗଠନ କଲେ – ଏଥିରେ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଏବଂ ଉତ୍ତର ପ୍ରଦେଶରୁ ୧୭୭ ଜଣ ସଦସ୍ୟ (୬ ଜଣ ମହିଳା) ଅଛନ୍ତି । ଏହି ଗୋଷ୍ଠୀ ଶିକ୍ଷା ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ଜଙ୍ଗଲ ଅଧିକାର ଉପରେ ଗୁରୁତ୍ୱାରୋପ କରେ । ହାମ୍‌ଜା ଏକ ଦୂରଶିକ୍ଷା ମାଧ୍ୟମରେ ସୋସିଆଲ୍‌ ୱାର୍କରେ ସ୍ନାତକୋତ୍ତର ପଢୁଛନ୍ତି, ଶମସାଦ୍‌ଙ୍କ ପାଖରେ ଡେରାଡୁନ୍‌ର ଗୋଟିଏ କଲେଜରୁ ବି କମ୍‌ ଡିଗ୍ରୀ ଅଛି, ଏବଂ ଆଫ୍‌ତାବ୍‌ ସରକାରୀ ଇଣ୍ଟର-କଲେଜରୁ ଦ୍ୱାଦଶ ଶିକ୍ଷା ଶେଷ କରିଛନ୍ତି । ବସ୍ତିର ଅନ୍ୟ ବାସିନ୍ଦାଙ୍କ ଭଳି, ସେମାନଙ୍କର ପରିବାରର ଆୟର ମୁଖ୍ୟ ଉତ୍ସ ହେଉଛି ମଇଁଷି ପାଳନ ।

For long, the Van Gujjar community’s nomadic migrations were also an impediment to education. But now, says Sharafat Ali
PHOTO • Varsha Singh
a member of the local Forest Rights Committee, most Van Gujjars no longer go to the highlands in the summer.
PHOTO • Varsha Singh

ବାମ: ଦୀର୍ଘ ଦିନ ଧରି, ଭାନ୍‌ ଗୁଜ୍ଜର ସମ୍ପ୍ରଦାୟର ଯାଯାବର ଦେଶାନ୍ତରୀକରଣ ମଧ୍ୟ ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ଥିଲା । କିନ୍ତୁ ବର୍ତ୍ତମାନ, ଶରାଫତ ଅଲୀ (ମଝି), ସ୍ଥାନୀୟ ଜଙ୍ଗଲ ଅଧିକାର କମିଟିର ଜଣେ ସଦସ୍ୟ କହନ୍ତି, ଅଧିକାଂଶ ଭାନ୍‌ ଗୁଜ୍ଜରମାନେ ଖରାଦିନରେ ଉଚ୍ଚସ୍ଥାନକୁ ଯାଆନ୍ତି ନାହିଁ । ଡାହାଣ: ବାନୋ ବିବି କହନ୍ତି ‘ଯଦି ଆମର ପିଲାମାନେ ପଢ଼ିପାରିବେ ତା’ହେଲେ ଭଲ ହେବ'

ଏଠାରେ ବିଦ୍ୟାଳୟ ଶିକ୍ଷା ପାଇଁ ରାସ୍ତା ମଧ୍ୟ ପଥୁରିଆ କାରଣ, ଶିକ୍ଷକମାନେ କୁହନ୍ତି, ଦୀର୍ଘ ଦିନ ଧରି ଅନେକ ବାପା ମା’ - ଯେଉଁମାନେ ନିଜେ ସ୍କୁଲ ଯାଇନଥିଲେ – ସେମାନେ ଶିକ୍ଷାର ଲାଭ ଏବଂ ତାହା ମଧ୍ୟ ହାସଲ କରିବାକୁ ଜଣକୁ ଅନେକ ବାଧାବିଘ୍ନ ଦେଇ ଗତି କରିବାକୁ ହୁଏ ବୋଲି ନିଶ୍ଚିତ ହୋଇ ନ ଥିଲେ।

ଯେଉଁମାନେ ଶିକ୍ଷିତ ସେମାନଙ୍କ ପାଇଁ ଚାକିରି ବିରଳ ଥିବାବେଳେ, ଅନ୍ୟ ଜୀବିକା ବିକଳ୍ପ ମଧ୍ୟ ସୀମିତ ଅଟେ । ଭାନ୍‌ ଗୁଜ୍ଜରମାନଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ଜମିରେ ଚାଷ କରିବାକୁ ବାରଣ କରାଯାଇଛି । ଅଧିକାଂଶ ପରିବାର ନିକଟରେ ମଇଁଷି ଏବଂ କେତେକ ଗାଈ ଅଛନ୍ତି – ୫ଟିରୁ ୨୫ଟି ମଧ୍ୟରେ – ଏବଂ ସେମାନେ କ୍ଷୀର ବ୍ୟବସାୟରେ ସଂପୃକ୍ତ । ଋଷିକେଶରେ(ବସ୍ତିଠାରୁ ଏହି ସହର ୧୦ କିଲୋମିଟର ଦୂର) ରହୁଥିବା ବ୍ୟବସାୟୀମାନେ ଗୁଜ୍ଜର ପରିବାରଙ୍କଠାରୁ କ୍ଷୀର କିଣନ୍ତି । ସେମାନେ ପାଳୁଥିବା ପଶୁଙ୍କ ସଂଖ୍ୟା ଉପରେ ନିର୍ଭର କରି, ଗୋଟିଏ ପରିବାର କ୍ଷୀର ବିକ୍ରି କରି ମାସକୁ ୨୦,୦୦୦ରୁ୨୫,୦୦୦ ଟଙ୍କା ଆୟ କରିପାରେ । କିନ୍ତୁ ଏହି ଆୟର ଅଧିକାଂଶ ଭାଗ ସେହି ବ୍ୟବସାୟୀଙ୍କଠାରୁ ଦାନା କିଣିବାରେ ଏବଂ ବର୍ତ୍ତମାନର ଓ ପୁରୁଣା ଋଣ (ସେହି ଋଣ ଯାହା ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ପ୍ରାରମ୍ଭିକ ଦେଶାନ୍ତରୀକରଣ ସମୟରେ ବଢ଼ିଯାଏ) ସୁଝିବାରେ ଖର୍ଚ୍ଚ ହୋଇଯାଏ ।

ଯୁବ ସଂଗଠନର ନିର୍ଦ୍ଦେଶକ ମୀର ମୀର୍ଜାଙ୍କ ଆକଳନ ଅନୁସାରେ ବର୍ତ୍ତମାନ ଯାଏଁ କୁନାଓ ଚୌଡରେ ୧୦ ପ୍ରତିଶତ ଛାତ୍ରଛାତ୍ରୀ ବି ନିରନ୍ତର ଭାବେ ଔପଚାରିକ ଶିକ୍ଷା ପାଇବାରେ ସଫଳ ହୋଇନାହାନ୍ତି । ସେ କହନ୍ତି, ‘‘ଶିକ୍ଷା ଅଧିକାର ଉପରେ ଆଇନ ସତ୍ୱେ ସେମାନେ ଏଥିରୁ ବଞ୍ଚିତ ରହିଛନ୍ତି’’। ଯେହେତୁ ଆମ ବସ୍ତି କୌଣସି ଗ୍ରାମପଞ୍ଚାୟତ [ଯୋଜନା ସମ୍ପର୍କିତ ସୁବିଧା ପାଇବାକୁ ଯାହା ଯୋଗ୍ୟ ବିବେଚିତ କରାଏ] ସହ ସଂଯୁକ୍ତ ନୁହେଁ, ସେଥିଯୋଗୁଁ ଶିକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏହି ସମ୍ପ୍ରଦାୟ ଯାଏଁ ପହଞ୍ଚିପାରୁନାହିଁ’’। ଏଠାକାର ବାସିନ୍ଦା କୁନାଉ ଚୌଡକୁ ଏକ ରାଜସ୍ୱ ଗ୍ରାମ ମାନ୍ୟତା ଦେବାକୁ ଦାବି କରିଆସୁଛନ୍ତି ।

୨୦୧୫-୧୬ ମସିହାରେ, ଶିଶୁଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ (୨୦୦୯) ଅନୁଯାୟୀ, ଅନୁନ୍ନତ ଅଞ୍ଚଳରେ ରହୁଥିବା ଭାନ୍‌ ଗୁଜ୍ଜର ପିଲାଙ୍କୁ ଔପଚାରିକ ଶିକ୍ଷା ପ୍ରଦାନ ଲାଗି କୁନାଉ ଚୌଡ ସମେତ କେତେକ ବସ୍ତିରେ ଅଣଆବାସିକ ସ୍ୱତନ୍ତ୍ର ତାଲିମ କେନ୍ଦ୍ର (ଏନ୍‌ଆର୍‌ଏସ୍‌ଟିସିଗୁଡ଼ିକ) ଆରମ୍ଭ କରାଯାଇଥିଲା ।

Mohamad Shamshad (left), along with Mohamad Mir Hamza, are the mainstays of the basti school’s local posse of teachers.
PHOTO • Varsha Singh
Mohamad Shamshad (left), along with Mohamad Mir Hamza, are the mainstays of the basti school’s local posse of teachers.
PHOTO • Varsha Singh

ମହମ୍ମଦ ମୀର ହାମ୍‌ଜାଙ୍କ ସହ ମହମ୍ମଦ ଶମସାଦ(ବାମ), ବସ୍ତି ସ୍କୁଲର ସ୍ଥାନୀୟ ଶିକ୍ଷକଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି

ଯମକେଶ୍ୱରର ବ୍ଲକ୍‌ ଶିକ୍ଷା ଅଧିକାରୀ ଶୈଳେନ୍ଦ୍ର ଅମୋଲି କହିଲେ, ସେହି ଶିକ୍ଷା ବର୍ଷରେ ୩୮ ଜଣ ପିଲା କୁନାଉ ଚୌଡର ଏହି ସ୍ଥାନୀୟ ଶ୍ରେଣୀରେ ଯୋଗ ଦେଇଥିଲେ । ୨୦୧୯ରେ ଆଉ ଏକ ମଞ୍ଜୁରୀ ପରେ, ସେହିବର୍ଷ ଜୁନ୍‌ ମାସରୁ ପୁଣି ୯୨ ଜଣ ପିଲାଙ୍କ ନାମ ଲେଖା ସହ କ୍ଲାସ୍‌ ୨୦୨୦ ମାର୍ଚ୍ଚ ମାସର ଲକ୍‌ଡାଉନ୍‌ ଯାଏଁ ଚାଲୁଥିଲା । ଶୈଳେନ୍ଦ୍ର କହିଲେ, ୨୦୨୧-୨୨ ଶିକ୍ଷାବର୍ଷରେ ମଧ୍ୟ କୁନାଉ ଚୌଡ ପାଇଁ ୬ରୁ ୧୨ ବର୍ଷର ୬୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏନ୍‌ଆର୍‌ଏସ୍‌ଟିସି ଶ୍ରେଣୀକୁ ମଞ୍ଜୁରୀ ମିଳିଛି ।

ତେବେ ସେ ଆହୁରି କହନ୍ତି ଯେ ଭାନ୍‌ ଗୁଜ୍ଜରମାନଙ୍କର ଏଯାଏଁ ଔପଚାରିକ ଶିକ୍ଷାରେ ସେତେ ବିଶ୍ୱାସ ନାହିଁ । ସେ ବ୍ୟାଖ୍ୟା କଲେ, ୨୦୧୫-୧୬ରେ ଏନ୍‌ଆର୍‌ଏସ୍‌ଟିସି ଅଧୀନରେ ପଞ୍ଜୀକୃତ ଅଧିକାଂଶ ଛାତ୍ରଛାତ୍ରୀ ଷ୍ଟପ୍‌ ଗ୍ୟାପ୍‌ ବ୍ୟବସ୍ଥାରେ ଏହି ଶ୍ରେଣୀଗୁଡ଼ିକ ମାଧ୍ୟମରେ ୨୦୨୧-୨୨ରେ ପୁନଃପଞ୍ଜୀକୃତ ହୋଇଛନ୍ତି ।

ତେବେ, ହାମ୍‌ଜା ଏବଂ ଅନ୍ୟାନ୍ୟ ସ୍ଥାନୀୟ ଶିକ୍ଷକମାନେ କହନ୍ତି ଯେ ଏନ୍‌ଆର୍‌ଏସ୍‌ଟିସି ଶ୍ରେଣୀଗୁଡ଼ିକ (୨୦୧୫-୧୬ ଏବଂ ୨୦୧୯ରେ) ଅନିୟମିତ ଥିଲା ଏବଂ ସେଗୁଡ଼ିକ ଉପରେ କୌଣସି ନିରୀକ୍ଷଣ ନଥିଲା । ଶିକ୍ଷକମାନେ ପ୍ରାୟତଃ ଅନୁପସ୍ଥିତ ରହୁଥିଲେ, ସେମାନେ ଅନ୍ୟ ଗାଁ ଏବଂ ସମ୍ପ୍ରଦାୟରୁ ଆସିଥିଲେ ଏବଂ ସ୍ଥାନୀୟ ବ୍ୟବସ୍ଥା ବାବଦରେ ଅପରିଚିତ ଥିଲେ ।

ଅମୋଲି କହନ୍ତି ଏନ୍‌ଆର୍‌ଏସ୍‌ଟିସି ଗାଇଡ୍‌ଲାଇନ ଅନୁଯାୟୀ, ଯେଉଁ ବସ୍ତି କିମ୍ବା ଗାଁରେ ଏହି ଯୋଜନା ଅନୁମୋଦିତ ହୋଇଛି, ସେଠାରେ ସ୍ଥାନୀୟ ଶିକ୍ଷିତ ଯୁବକମାନଙ୍କୁ ଶିକ୍ଷାଦାନ ଦାୟିତ୍ୱ ଦିଆଯିବ ଏବଂ ସେମାନଙ୍କୁ ମାସିକ ୭,୦୦୦ ଟଙ୍କା ଦିଆଯିବ । କିନ୍ତୁ ଯେତେବେଳେ ୨୦୧୫-୧୬ରେ କୁନାଉ ଚୌଡରେ ପାଠପଢ଼ା ଆରମ୍ଭ ହେଲା, ବସ୍ତିରେ କେହି ବି ସ୍ନାତକ ନ ଥିଲେ ଏବଂ ଅନ୍ୟ ଏକ ଗାଁରୁ ଲୋକମାନେ ଶିକ୍ଷକଭାବେ ନିଯୁକ୍ତ ହୋଇଥିଲେ। ଏବେ ସ୍ନାତକୋତ୍ତର ଶିକ୍ଷା ହାସଲ କରୁଥିବା ମୀର ହାମ୍‌ଜା ଏବଂ ବିକମ୍‌ ଡିଗ୍ରୀ ପଢୁଥିବା ଶମସାଦ, ଅଭିଯୋଗ କରନ୍ତି ଯେ ସେମାନଙ୍କୁ ଏଯାଏଁ ଏହି କାମ ପ୍ରଦାନ କରାଯାଇନାହିଁ ।

The ‘informal’ classes serve as add-on tuitions for older enrolled students and as preparation time for younger kids still to reach school
PHOTO • Varsha Singh

‘ଅନୌପଚାରିକ’ ଶ୍ରେଣୀଗୁଡ଼ିକ ପୂର୍ବରୁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅତିରିକ୍ତ ଟ୍ୟୁସନ୍‌ ଭାବେ ଏବଂ ସ୍କୁଲ ଯିବାକୁ ଥିବା ସାନ ପିଲାଙ୍କ ପାଇଁ ପ୍ରସ୍ତୁତି ସମୟ ଭାବରେ କାର୍ଯ୍ୟ କରେ

କିନ୍ତୁ ଅନିୟମିତ ଏନ୍‌ଆର୍‌ଏସ୍‌ଟିସି ଅଧିବେଶନଗୁଡ଼ିକ ଦ୍ୱାରା ଛଡ଼ା ଯାଇଥିବା ଅଭାବ ପୂରଣ କରିବା ପାଇଁ ସେମାନେ ଚଳାଉଥିବା ‘ଅନୌପଚାରିକ’ ଶ୍ରେଣୀଗୁଡ଼ିକ, ସରକାରୀ ଇଣ୍ଟର କଲେଜ ଯାଉଥିବା ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ଟ୍ୟୁସନ୍‌ ଭାବେ କାମ କରେ ଏବଂ ସାନ ପିଲାଙ୍କୁ (ଯେଉଁମାନେ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି ଏବଂ ଯେଉଁମାନଙ୍କର ନାମ ଲେଖାଯାଇନାହିଁ) ସେମାନଙ୍କର ପଞ୍ଚମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରେ, ଯାହା ଫଳରେ ସେମାନେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ପାରିବେ । ସ୍ଥାନୀୟ ଶିକ୍ଷକମାନେ ସେମାନଙ୍କର ଖର୍ଚ୍ଚ ମେଣ୍ଟାଇବା ପାଇଁ ପ୍ରତି ପିଲା ପିଛା ୩୦-୩୫ ଟଙ୍କା ଆଦାୟ କରନ୍ତି, ଯଦିଓ ଏହି ପରିମାଣ ଭିନ୍ନ ଭିନ୍ନ ହୋଇପାରେ ଏବଂ ବାଧ୍ୟତାମୂଳକ ନୁହେଁ ।

ଶିକ୍ଷକମାନେ କୁହନ୍ତି, ସେମାନଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ପରେ, ସେମାନଙ୍କୁ ଶିକ୍ଷାର ଲାଭ ବିଷୟରେ ବୁଝାଇବାକୁ ଚେଷ୍ଟା କରିବା ପରେ, ଏକ ପରିବର୍ତ୍ତନ ଆସୁଛି ।

ଜଇତୁନ ବିବି କହନ୍ତି ‘‘ଆମେ ଚାହୁଁ ଯେ ଆମର ପିଲାମାନେ ପଢ଼ିବା ଏବଂ ଲେଖିବାରେ ସକ୍ଷମ ହୁଅନ୍ତୁ । ଜଙ୍ଗଲ ଜୀବନ ଅତ୍ୟନ୍ତ କଷ୍ଟକର । ସେମାନେ ଆମ ପରି କଠିନ ପରିଶ୍ରମ କରିବାକୁ ସମର୍ଥ ହେବେ ନାହିଁ । ଆମ ମଧ୍ୟରୁ କେହି ସାକ୍ଷର ନୁହଁନ୍ତି। ଆମର ପିଲାମାନେ ଆମ ପରି ହୁଅନ୍ତୁ ବୋଲି ଆମେ ଚାହୁଁନାହୁଁ ।’’

ମହମ୍ମଦ ରଫି ମଧ୍ୟ ଚାହୁଁଛନ୍ତି ଯେ ୫ରୁ ୧୧ ବର୍ଷ ବୟସର ତାଙ୍କର ତିନି ପିଲା ପାଠ ପଢ଼ନ୍ତୁ । ୧୧ ବର୍ଷର ତାଙ୍କ ପୁଅ ୟାକୁବ, ସରକାରୀ ସ୍କୁଲରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଥିବା ବେଳେ ତାଙ୍କର ଦୁଇ ସାନ ପିଲା ବସ୍ତି ଶ୍ରେଣୀରେ ପଢ଼ନ୍ତି । ରଫି କହନ୍ତି, “ବାହ୍ୟ ଜଗତକୁ ଦେଖି ଆମେ ଅନୁଭବ କରୁଛୁ ଯେ ଆମ ପିଲାମାନେ ଶିକ୍ଷିତ ହେବା ଉଚିତ୍ ।’’

Initially, few girls would turn up for the basti classes, but the situation is changing, with Ramzano (left) and Nafeesa Bano (centre) among those who now attaned. Right: Rafeeq, a Van Gujjar child, at the learning centre
PHOTO • Varsha Singh
Initially, few girls would turn up for the basti classes, but the situation is changing, with Ramzano (left) and Nafeesa Bano (centre) among those who now attaned. Right: Rafeeq, a Van Gujjar child, at the learning centre
PHOTO • Varsha Singh
Initially, few girls would turn up for the basti classes, but the situation is changing, with Ramzano (left) and Nafeesa Bano (centre) among those who now attaned. Right: Rafeeq, a Van Gujjar child, at the learning centre
PHOTO • Varsha Singh

ପ୍ରାରମ୍ଭିକ ଭାବେ, ଅଳ୍ପ କିଛି ଝିଅ ବସ୍ତି ଶ୍ରେଣୀକୁ ଆସୁଥିଲେ , କିନ୍ତୁ ସ୍ଥିତି ବଦଳୁଛି, ଏବେ ଆସୁଥିବା ପିଲାଙ୍କ ମଧ୍ୟରେ ଅଛନ୍ତି ରମଜାନୋ(ବାମ) ନାଫିସା ବାନୋ (ମଝି) । ଡାହାଣ: ଶିକ୍ଷଣ କେନ୍ଦ୍ରରେ ଜଣେ ଭାନ୍‌ ଗୁଜ୍ଜର ପିଲା ରଫିକ୍

ଶରାଫତ ଅଲିଙ୍କ ଦୁଇ ପିଲା, ସାତ ବର୍ଷର ନୌଶାଦ ଏବଂ ପାଞ୍ଚ ବର୍ଷର ଝିଅ ଆଶା ମଧ୍ୟ ବସ୍ତି ସ୍କୁଲରେ ପଢ଼ନ୍ତି । ସେ କୁହନ୍ତି, ‘‘ଗତ ପାଞ୍ଚ ବର୍ଷ ଧରି ମୁଁ ଖରା ଦିନରେ ଆମର ପଶୁମାନଙ୍କ ସହିତ [ପାହାଡ଼ ଉପରକୁ] ଯିବା ବନ୍ଦ କରି ଦେଇଛି’’। ‘‘ଆମେ ବର୍ତ୍ତମାନ ଗୋଟିଏ ସ୍ଥାନରେ ବାସ କରୁଛୁ ଯାହା ଫଳରେ ଆମର ପିଲାମାନେ ମଧ୍ୟ ପଢ଼ି ଲେଖିପାରିବେ। ଆମେ ଚାହୁଁ ସେମାନେ ଭଲ ଶିକ୍ଷା ଲାଭ କରନ୍ତୁ । ସେମାନେ ମଧ୍ୟ ସମାଜରେ ଅନ୍ୟମାନଙ୍କ ପରି ଜୀବନଯାପନ କରିବା ଉଚିତ୍ । ସେମାନେ ମଧ୍ୟ ଚାକିରି ପାଇବା ଉଚିତ୍ ।’’

ବିଭିନ୍ନ ଭାନ୍‌ ଗୁଜ୍ଜର ବସ୍ତିରେ କଠିନ ପରିଶ୍ରମ ଅନ୍ୟାନ୍ୟ ଫଳାଫଳ ଦେଖାଉଛି । ଶମସାଦ କହନ୍ତି, ‘‘୨୦୧୯ରେ, ପାଞ୍ଚଟି ଭାନ୍‌ ଗଜ୍ଜର ବସ୍ତିରୁ ପ୍ରାୟ ୪୦ ଜଣ ପିଲା ଆମ ସଂଗଠନ ମାଧ୍ୟମରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। କିଛି ପୁଅ ଏବଂ ଏମିତିକି କିଛି ଝିଅ (ଯଦିଓ କୁନାଉ ଚୌଡରୁ ଏପର୍ଯ୍ୟନ୍ତ କେହି ନାହାନ୍ତି) ଦଶମ ଶ୍ରେଣୀରେ ପହଞ୍ଚିବା ଆରମ୍ଭ କରିଛନ୍ତି, କେତେଜଣ ଦ୍ୱାଦଶକୁ ଯାଇଛନ୍ତି ।’’

ସେ ଆହୁରି କହିଲେ, ପ୍ରାରମ୍ଭିକ ଭାବେ ଅଳ୍ପ କିଛି ଝିଅ ବସ୍ତି ଶ୍ରେଣୀ ପାଇଁ ଆସୁଥିଲେ । “ଆମକୁ ବାପା ମା’ଙ୍କ ସହ କଥା ହେବାକୁ ପଡ଼ିଲା । ଗତ ୩-୪ ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଛି ।’’ ପ୍ରାୟ ୧୨ ବର୍ଷ ବୟସ୍କା ରମ୍‌ଜାନୋ, କୁନାଉ ଚୌଡ୍‌ର ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଚଳିତ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି । ଆନୁଷ୍ଠାନିକ ସ୍କୁଲ ଯିବାରେ ସେ ସେ ତାଙ୍କ ପରିବାରର ପ୍ରଥମ ଝିଅ ଏବଂ ମୋତେ କହିଲେ ଯେ ଦଶମ ଶ୍ରେଣୀ ପାସ୍‌ କରିବାକୁ ଚାହୁଁଛନ୍ତି ।

ଏବଂ ସେମାନଙ୍କ ମଧ୍ୟରେ, ବୋଧହୁଏ କିଛି ବର୍ଷ ମଧ୍ୟରେ, ନଅ ବର୍ଷୀୟା ଫାତିମା ବାନୋ ସାମିଲ ହେବେ, ଯିଏ ସେହି କବିତା ପାଠ କରୁଥିଲେ । ସେ ମଧ୍ୟ ଶେଷରେ ଏକ ସରକାରୀ ସ୍କୁଲକୁ ତାଙ୍କ ସମ୍ପ୍ରଦାୟର ଅନିଶ୍ଚିତ ଯାତ୍ରା କରିପାରନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Varsha Singh

Varsha Singh is an independent journalist based in Dehradun, Uttarakhand. She covers the Himalayan region’s environment, health, gender and people’s issues.

Other stories by Varsha Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE