ସୁମୁକାନଙ୍କ ବଂଶଜମାନେ ତଥାପି ଆଝିକୋଡିରେ ବସବାସ କରୁଥିଲେ

ବାସ୍ତବରେ କାଲିଆସେରୀ କେବେ କି ସଂଗ୍ରାମ ବନ୍ଦ କରିନି। ଏପରିକି ୧୯୪୭ ପରେ ବି। କେରଳ ଉତ୍ତର ମାଲାବାରର ଏହି ଗାଁ ବିଭିନ୍ନ ମୋର୍ଚ୍ଚାରେ ଲଢେଇ କରିଛି। ଘମାଘୋଟ ସ୍ୱାଧୀନତା ସଂଗ୍ରାମବେଳେ ବ୍ରିଟିଶକୁ ଏହି ଗାଁ ଚ୍ୟାଲେଞ୍ଜ କରିଥିଲା। ଏହି ଅଞ୍ଚଳରେ ଚାଷୀ ଆନ୍ଦୋଳନର କେନ୍ଦ୍ର ସ୍ଥଳ ଥିଲା ଏହି ଗାଁ। ଯିଏ କି ଜନ୍ମି(ସାମନ୍ତବାଦୀ ଜମିଦାର)ଙ୍କ ବିରୋଧରେ ଲଢେଇ କରିଥିଲା। ବାମପନ୍ଥି ଆନ୍ଦୋଳନର କେନ୍ଦ୍ର ସ୍ଥଳ ଭାବେ ଜାତିପ୍ରଥାକୁ ସାମ୍ନା କରିଥିଲା ଏହି ଗାଁ।

ସବୁ ସଂଘର୍ଷର ଜଣାଶୁଣା ଚେହେରା ସାମିଲ ଥିବା କେ.ପି.ଆର. ରାୟରପ୍ପାନ କହିଲେ, " ଏକଥା କେମିତି କହିହେବ ଯେ, ୧୯୪୭ ପରେ ଏକାଥରକେ ସମସ୍ତଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମର ଅନ୍ତ ଘଟିଲା ? ତଥାପି ଭୂସଂସ୍କାର ପାଇଁ ଲଢେଇ ବାକି ଥିଲା। " ଏବେ ୮୬ ବର୍ଷ ବୟସରେ ରାୟରାପ୍ପନ ଆଗକୁ ଆହୁରି ଅନେକ ଲଢେଇର ଦୃଶ୍ୟ ଦେଖୁଛନ୍ତି। ଏ ସବୁ ଲଢେଇରେ ସେ ସାମିଲ ହେବାକୁ ବି ଚାହୁଁଛନ୍ତି। ୮୩ ବର୍ଷ ବୟସରେ, କାସରଗୋଡେରୁ ତିରୁବନନ୍ତପୁରମ ପର୍ଯ୍ୟନ୍ତ ଏକ ଜାତୀୟ ସ୍ତରୀୟ ଅଭିଯାନରେ ସାମିଲ ହୋଇ ୫୦୦ କିଲୋମିଟର ପଦଯାତ୍ରା କରିଥିଲେ।

ଦୁଇଟି ଘଟଣା କାଲିଆସେରୀର ମାନସିକତାରେ ହଠାତ୍ ପରିବର୍ତ୍ତନ ଆଣିଥିଲା। ଗୋଟିଏ ଘଟଣା ଥିଲା ମହାତ୍ମା ଗାନ୍ଧୀଙ୍କ ୧୯୨୦ ମସିହାର ପ୍ରଥମାର୍ଦ୍ଧ ଆଡକୁ ମହାତ୍ମାଗାନ୍ଧୀଙ୍କ ମାଙ୍ଗାଲୋର ଯାତ୍ରା। ସେଠାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ତାଙ୍କ କଥା ଶୁଣିବା ପାଇଁ ସ୍କୁଲ ପିଲାମାନେ ମଧ୍ୟ ଯାଇଥିଲେ। ରାୟରାପ୍ପନ କହିଲେ, "ତା’ ପରଠାରୁ ଆମେ କଂଗ୍ରେସରେ ସାମିଲ ହେଲୁ। "

ଅନ୍ୟ ଘଟଣାଟି ଥିଲା " ଆମେ ବୋର୍ଡ ସ୍କୁଲରେ ନାଁ ଲେଖାଇବାକୁ ଚାହୁଁଥିବା ଜଣେ ଦଳିତ ପିଲା ଉପରେ ନିର୍ଯାତନା। ସ୍କୁଲକୁ ଆସିବାକୁ ସାହସ କରିବା ତା’ର ଅପରାଧ ଥିଲା। ତାକୁ ଏବଂ ତା’ ଭାଇକୁ ଉଚ୍ଚ ଜାତିରେ କିଛି ଲୋକ ମାଡ଼ ମାରିଥିଲେ। "

ଜାତିପ୍ରଥା ଏବଂ ସଂପତ୍ତି ଉପରେ ନିୟନ୍ତ୍ରଣ, ଉଭୟ ପରସ୍ପର ସହ ସଂପୃକ୍ତ ଥିଲେ। ମୁଖ୍ୟତଃ ଜମି। ମାଲବାର ଜିଲ୍ଲା ଚିରାକାଲ ତାଲୁକର କାଲାଇସେରୀ ଥିଲା ଜନ୍‌ମୀ ଆତଙ୍କର ଗଡଥିଲା। ୧୯୨୮ ମସିହାରେ ଉଚ୍ଚ ଜାତିର ନାୟରମାନଙ୍କ ନିୟନ୍ତ୍ରଣରେ ପ୍ରାୟ ୭୨ ପ୍ରତିଶତ ଜମି ଥିଲା। ଥିୟା ଏବଂ ଅନ୍ୟ ପଛୁଆ ବର୍ଗର ଲୋକ ୬୦ ପ୍ରତିଶତ ହୋଇଥିବାବେଳେ ତାଙ୍କ ପାଖରେ ମାତ୍ର ୬.୫୫ ପ୍ରତିଶତ ଜମି ଥିଲା। ଏଠି ୧୯୬୦ ସୁଦ୍ଧା ଭୂସଂସ୍କାର ଅଭିଯାନର ଆବଶ୍ୟକତା ଥିଲା।

ବର୍ତ୍ତମାନ ଥିୟା ଏବଂ ଅନ୍ୟ ପଛୁଆ ବର୍ଗର ଜାତି ଓ ଦଳିତଙ୍କ ମାଲିକାନାରେ ୬୦ ପ୍ରତିଶତରୁ ଅଧିକ ଜାଗା ଜମି ଅଛି।

୬୩ ବର୍ଷୀୟ କେ. କୁହ୍ନାମ୍ଭୁଙ୍କ ବାପା ଥିୟା ସଂପ୍ରଦାୟର ଚାଷୀ ଥିଲେ। ସେ କହିଲେ, "ପୂର୍ବରୁ ଆମେ ଦାସ ଭଳି ଥିଲୁ। ଆମକୁ ସାର୍ଟ ପିନ୍ଧିବାକୁ ଅନୁମତି ନଥିଲା। କେବଳ କାଖ ତଳକୁ ଟାୱେଲ ପିନ୍ଧୁଥିଲୁ। ପାଦରେ ଚପଲ ନଥିଲା। ଧୋତିକୁ ଭାଙ୍ଗ କରି ଗାମୁଛା ଭଳି ବ୍ୟବହାର କରୁଥିଲୁ। କିଛି ସ୍ଥାନରେ ନୀଚ୍ଚ ଜାତିର ସ୍ତ୍ରୀ ଲୋକମାନଙ୍କୁ ବାଉଜ ପିନ୍ଧିବା ପାଇଁ ମଧ୍ୟ ଅନୁମତି ନଥିଲା। କିଛି ନିର୍ଦ୍ଦିଷ୍ଟ ରାସ୍ତାରେ ଚାଲିବା ପାଇଁ ବି ଆମକୁ ଅନୁମତି ନଥିଲା। ଅମେ ଅସ୍ପୃଶ୍ୟ ଥିଲୁ। ଉଚ୍ଚ ଜାତିର ଲୋକଙ୍କ ସହ ବ୍ୟବଧାନ ରକ୍ଷା କରୁଥିଲୁ। କିଏ କେତେ ଦୂରତାରେ ରହିବ ତାହା ଆମ ବର୍ଗ ଉପରେ ନିର୍ଭର କରେ। "

ନୀଚ୍ଚ ଜାତିର ପିଲାଙ୍କ ପାଇଁ ସ୍କୁଲ ବାରଣ ଥିଲା। ଲକ୍ଷ୍ୟ ଥିଲା ତାଙ୍କୁ ଶିକ୍ଷାଠାରୁ ଦୂରେଇ ରଖିବା। ଶିକ୍ଷା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଇଥିଲା। ଗରିବଙ୍କ ବିରୋଧରେ ଜନ୍‌ମୀ ଆତଙ୍କ ସାଧାରଣ ଘଟଣା ଥିଲା।

ସୁମୁକାନଙ୍କୁ ମାଡ ମାରିବା ଘଟଣାରେ ମୋଡ ଆଣିଲା।

ରାୟରାପ୍ପନ କହିଲେ, " ମାଲାବାରର ସବୁ ରାଷ୍ଟ୍ରବାଦୀ ନେତା ଏଠାକୁ ଆସିଲେ। ଏମିତିକି ବିଶିଷ୍ଟ କଂଗ୍ରେସ ନେତା କେଲାପ୍ପାନ ଏଠାରେ କିଛି ସମୟ ରହିଥିଲେ। ଜାତିପ୍ରଥା ବିରୋଧରେ ସମସ୍ତେ ଅଭିଯାନ ଆରମ୍ଭ କରିଥିଲେ। ସି.ଏଫ. ଆଣ୍ଡ୍ର୍ୟଜ୍ ମଧ୍ୟ ଏଠାକୁ ଆସିଥିଲେ। ସେ ବ୍ରିଟିଶ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ପରେ କାଲିଆସେରୀ ଦଳିତ ଶିକ୍ଷାର କେନ୍ଦ୍ର ପାଲଟି ଯାଇଥିଲା। " ଲୋକେ ଏକତ୍ର ଭୋଜନର ମଧ୍ୟ ଆୟୋଜନ କଲେ ଯେଉଁଠି ବିଭିନ୍ନ ଜାତିର ଲୋକ ଏକାଠି ବସି ଖାଇଥିଲେ।

କିନ୍ତୁ ଏହା ବଡ ସଂଘର୍ଷ ପୂର୍ବର ନୁହେଁ। ଏଠାରୁ ଅଳ୍ପ ଦୂରରେ ଥିବା ଆଜାନୁରରେ ଗୋଟିଏ ସ୍କୁଲକୁ ୩ ଥର ଭାଙ୍ଗି ଦିଆଯାଇଥିଲା। ପ୍ରଥମେ ଜନ୍‌ମୀ, ତା ପରେ ପୋଲିସ। ତା ପରେ ପୁଣି ଜନ୍‌ମୀ ଭାଙ୍ଗି ଦେଇଥିଲେ। ଦଳିତ ପିଲାଙ୍କୁ ଏହି ସ୍କୁଲରେ ପାଠ ପଢିବା ପାଇଁ ଗ୍ରହଣ କରାଯାଉଥିଲା। ଏଠାରେ ରାଷ୍ଟ୍ରବାଦୀ ଏବଂ ସାମ୍ୟବାଦୀମାନେ ମଧ୍ୟ ଆଶ୍ରୟ ନେଉଥିବା ସଂଦେହ କରାଯାଉଥିଲା।

ସେହି ସନ୍ଦିଗ୍ଧମାନେ ଚିହ୍ନଟ ହୋଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଅଗ୍ନିଶର୍ମନ୍ ନମ୍ବୋଦିରି କହିଲେ, "ଏକ ନିର୍ଦ୍ଦିଷ୍ଟ ବିଚାରଧାରାକୁ ନେଇ ୧୯୩୦ ବେଳକୁ ଏହି ଅଞ୍ଚଳରେ ବାମପନ୍ଥୀ ଚେର ମାଡିଯାଇଥିଲା। ଏବେ ସେମାନେ ନିକଟସ୍ଥ କାରିଭାଲୁର ଅଞ୍ଚଳର ରାଜନୈତିକ କର୍ମକର୍ତ୍ତା। ଆମେ ଯେତେବେଳେ କୌଣସି ଗାଁକୁ ଯାଉ, ସେଠାରେ ରାତି ସ୍କୁଲ ଆରମ୍ଭ କରିବାକୁ ପଡେ। ଗୋଟିଏ ପଢା ଘର ଏବଂ ଅନ୍ୟଟି କୃଷକ ସଂଗଠନ। ଉତ୍ତର ମାଲାବାଲରରେ ଏହିଭଳି ଭାବରେ ବାମବାଦ ଶାଖାପ୍ରଶାଖା ମେଲିଥିଲା। " ରାୟରପ୍ପାନ କହିଲେ, "ଏଇଥି ପାଇଁ କାଲିଆସେରୀ ଯେଉଁ ବାଟରେ ଯାଇଥିଲା ସେଥିରେ ସଫଳ ହେଲା। "

୧୯୩୦ ମଧ ଭାଗ ଆଡ଼କୁ ଉତ୍ତର ମାଲାବାରରେ ବାମପନ୍ଥୀମାନେ କଂଗ୍ରେସ ଉପରେ ନିୟନ୍ତ୍ରଣ ରଖିଲେ। ୧୯୩୯ରେ ରାୟରାପ୍ପନ ଏବଂ ତାଙ୍କ ସହଯୋଗୀମାନେ କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହେଲେ। ସେତେବେଳେ ଯେଉଁଠି ଦଳିତ ବର୍ଗର ଛାତ୍ରଙ୍କୁ ଶିକ୍ଷାରୁ ବାରଣ କରାଯାଉଥିଲେ, ସେଠାରେ ଏହା ଅସ୍ତ୍ର ଭାବେ କାମ କଲା। ସେ ସମୟରେ ଶିକ୍ଷକ ସଂଗଠନ ରାଜନୀତି କ୍ଷେତ୍ରରେ ବଡ଼ ଭୂମିକା ନେଇଥିଲା।

ପି. ଯଶୋଦା କହିଲେ, "ସେଇଥିପାଇଁ ରାତି ସ୍କୁଲ, ପଢାଘର ଏବଂ କୃଷକ ସଂଗଠନ ଢାଞ୍ଚା ହୋଇଥିଲା। କହିବାକୁ ଗଲେ ଆମେ ସମସ୍ତେ ଶିକ୍ଷକ ଥିଲୁ।" ୮୧ ବର୍ଷରେ ବି ତାଙ୍କ ଭିତରେ ୬୦ ବର୍ଷ ତଳର ସେଇ ଆବେଗ ରହିଛି ଯେତେବେଳେ ସେ ସଂଗଠନର ନେତା ଥିଲେ। ୧୫ ବର୍ଷ ବୟସରେ ସେ ସେ ତାଙ୍କ ତାଲୁକର ପ୍ରଥମ ମହିଳା ଶିକ୍ଷକ ତଥା ମାଲାବାରର ସର୍ବ କନିଷ୍ଠ ଶିକ୍ଷୟିତ୍ରୀ ଥିଲେ। ଏହା ପୂର୍ବରୁ ସେ ତାଙ୍କ ସ୍କୁଲର ପ୍ରଥମ ଛାତ୍ରୀ ଥିଲେ।

ମୋର ରାଜନୈତିକ ଶିକ୍ଷା ସେହିଦିନ ଆରମ୍ଭ ହୋଇଥିଲା ଯେଉଁଦିନ ଆମ ସ୍କୁଲର ଦୁଇ ଜଣ ସବୁଠୁ ଭଲ ଛାତ୍ର ଆମ ସମସ୍ତଙ୍କ ସାମ୍ନାରେ ମାଡ ଖାଇଥିଲେ। କଣ ଥିଲା ସେମାନଙ୍କର ଅପରାଧ? ସେମାନେ କେବଳ ମହାତ୍ମା ଗାନ୍ଧୀ କୀ ଜୟ କହିଥିଲେ। ଉଭୟଙ୍କୁ ବେତରେ ୩୬ ପାହାର ଲେଖାଏଁ ପିଟା ଯାଇଥିଲା। ୧୨ ପାହାର ଭିତରେ ପିଟିବା ନିୟମ ରହିଛି। ତେଣୁ ଚିନ୍ତନ କୁଟି ଏବଂ ପଦ୍ମନାଭିୟ ୱାରିୟର ୩ ଦିନ ପର୍ଯ୍ୟନ୍ତ ୧୨ ପାହାର ଲେଖାଏଁ ପିଟା ଖାଇଥିଲେ। ଥରେ ଦେଖିଛି ଗୋଟିଏ ପରିବାରକୁ କିଭଳି ବାସଚ୍ୟୁତ କରାଗଲା। ମୁଁ ତାଙ୍କ ଦୁର୍ଦ୍ଦିନ ସହ ରହିଛି। "

ଏହି ଅଞ୍ଚଳରେ ଶିକ୍ଷୟିତ୍ରୀ ଭାବେ ଖୁବ ଜଣାଶୁଣା ଯଶୋଦା କହିଲେ, "ଗତ ୫୦ ବର୍ଷ ଭିତରେ ଏଥିରେ ବହୁ ପ୍ରଗତି ହୋଇଛି। ସ୍ୱାଧୀନତା ବ୍ୟାପକ ପରିବର୍ତ୍ତନ ଆଣିଛି। "

ଗାଁରେ ଶିକ୍ଷା ପାଇଁ ସୁଯୋଗ ନଥିଲା, କିନ୍ତୁ ଏ କ୍ଷେତ୍ରରେ କଲାଇସେରୀ ଯାହା କରିଛି କିଛି ମନ୍ଦ ନୁହେଁ। ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ସାକ୍ଷରତା ୧୦୦ ପ୍ରତିଶତ ହୋଇଛି। ସବୁ ପିଲା ସ୍କୁଲ ଯାଉଛନ୍ତି।

କ୍ରିଷ୍ଣ ପିଲାଇ ପାଠାଗାରର ଗ୍ରନ୍ଥାଗାରିକ ଗର୍ବର ସହ କହିଲେ, "୨୧,୦୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ୧୬ଟି ପାଠଗାର ଅଛି। " ସମସ୍ତ ୧୬ଟି ପାଠାଗାର ତଥା ପଠନ ଗୃହ ସଂଧ୍ୟାରେ ସଂପୂର୍ଣ୍ଣ ବ୍ୟସ୍ତ ରୁହେ। ଏଠାରେ ଥିବା ପ୍ରାୟ ଅଧିକାଂଶ ପୁସ୍ତକ ମାଲାୟାଲମ୍ ଭାଷାର। କିଛି ଇଂରାଜୀ ଭାଷାର ପୁସ୍ତକ ମଧ୍ୟ ରହିଛି : ହାନ ସୁଇନ୍, ଚାର୍ଲସ ଡିକେନ୍ସ, ଟଲଷ୍ଟୟ, ଲେନିନ, ମାର୍ଲୋ। ଏହାର ଭିନ୍ନଭିନ୍ନ ସ୍ୱାଦ ଅଦ୍ଭୁଦ ଭାବେ ପ୍ରତିଫଳିତ ହୋଇଥାଏ। ଏହାର ଏମିତି ଏକ ଭାରତୀୟ ଗାଁ ଯେଉଁଠି ଘରର ନାମକରଣ ହୋଇଛି ‘ଶାଙ୍ଗ୍ରି ଲା’

କାଲିଆସେରୀ ଏମିତି ଏକ ଗାଁ ଯେଉଁଠି ଅଷ୍ଟମରୁ ପାଠ ଛାଡିଥିବା ଜଣେ ଛାତ୍ର ଆପଣଙ୍କ ସହ ତର୍କ କରିପାରେ ଯେ, ପଶ୍ଚିମ ଏସିଆକୁ ଆରାଫତ କାହିଁକି ଭୁଲ ଭାବେ ଯାଇଛି। ଏଠାରେ ପ୍ରତ୍ୟେକ ବିଷୟରେ ସମସ୍ତଙ୍କର ନିଜସ୍ୱ ମତାମତ ରହିଛି। କିଏ କଣ ଭାବୁଛି ପ୍ରକାଶ କରିବାକୁ କେହି ଲଜ୍ଜା ଅନୁଭବ କରନ୍ତି ନାହିଁ।

ରାୟରାପ୍ପନ କହିଲେ, "ସ୍ୱାଧୀନତା ସଂଗ୍ରାମ ଏବଂ ଶିକ୍ଷା ସହ ଭୂସଂସ୍କାର ଆନ୍ଦୋଳନ ସବୁକିଛି ପରିବର୍ତ୍ତନ କରିଦେଇଥିଲ।" ଏଥିରୁ ଫାଇଦା ପାଇଥିବା ଥିୟା ଚାଷୀ କେ. କୁହ୍ନାମ୍ବୁ ଏକମତ ହେଲେ। ସେ କହିଲେ ଏହା ସବୁକିଛି ବଦଳାଇ ଦେଇଛି। ଭୂସଂସ୍କାର ଆନ୍ଦୋଳନ ଜାତିପ୍ରଥା ଭେଦଭାବକୁ ଭାଙ୍ଗି ଦେଇଛି। ଆମେ ନୂଆ ମର୍ଯ୍ୟାଦା ପାଇଛୁ। ପୂର୍ବରୁ ଆମେ ଜନ୍ମିଙ୍କ ଦୟାରେ ଜାଗା ଖଣ୍ଡିଏ ପାଉଥିଲୁ। ଏହି ସ୍ଥିତି ବଦଳି ଯାଇଛି। ଏବେ ଆମେ ସେମାନଙ୍କ ସହ ନିଜକୁ ସମାନ ମନେ କରୁଛୁ। ଗରିବଙ୍କ ପାଖରେ ଖାଦ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପହଞ୍ଚିବା କ୍ଷେତ୍ରରେ ନାଟକୀୟ ଉନ୍ନତି ଘଟିଛି। "

"୧୯୪୭ରୁ ୧୯୫୭ ପର୍ଯ୍ୟନ୍ତ ଏବଂ ଏପରିକି ଏହା ପରେ ବି ଆମେ ଜମି ପାଇଁ ଲଢେଇ କରିଛୁ। ଆମେ ଦେଖିଲୁ ଉଚ୍ଚ ଜାତିର ଲୋକ ଜନ୍‌ମୀଙ୍କ ସହ ଅଛି। ତେଣୁ କାଲାଇସେରୀର ୮୫ ପ୍ରତିଶତ ଲୋକ ବାମପନ୍ଥୀଙ୍କ ସହ ରହିଲେ।"

ସୁମୁକାନଙ୍କ ବିଧବା ପତ୍ନୀ ପାନାଇଆନ୍ ଜାନକୀ କହିଲେ, " ୫୦-୬୦ ବର୍ଷ ମଧ୍ୟରେ ବିରାଟ ପରିବର୍ତ୍ତନ ହୋଇଛି। ପିଲମାନଙ୍କୁ ସ୍କୁଲକୁ ପଠାଇବା ଖୁବ କଷ୍ଟ ହେଉଥିଲା। ସ୍ୱାଧୀନୋତ୍ତର ସମୟରେ ଏଥି​‌ରେ ବ୍ୟାପକ ପରିବର୍ତ୍ତନ ହୋଇଛି। "

୧୬ ବର୍ଷ ତଳେ ସୁମୁକାନଙ୍କର ମୃତ୍ୟୁ ଘଟିଛି। ତଥାପି ତାଙ୍କ ପରିବାର ଆଝିକୋଡେ ପାଖରେ ରହୁଛନ୍ତି। ଟେଲିଫୋନ୍ ଏକ୍ସଚେଞ୍ଜରେ ସୁମୁକାନଙ୍କ ଝିଅ ସୁପରଭାଇଜର ଭାବେ କାମ କରନ୍ତି। ତାଙ୍କ ଜ୍ୱାଇଁ କୁହ୍ନିରମଣ କାଲିକଟରେ ବରିଷ୍ଠ ଡାକ ନିରୀକ୍ଷକ ଭାବେ ଅବସର ଗ୍ରହଣ କରିଛନ୍ତି। ସେ କହନ୍ତି, " ବର୍ତ୍ତମାନ ସାମାଜିକ ପ୍ରତିଷ୍ଠା କ୍ଷେତ୍ରରେ କୌଣସି ଭେଦଭାବ ନାହିଁ, ଅନ୍ତତଃ ଏଠାରେ ନୁହେଁ। "
PHOTO • P. Sainath

ସୁମୁକାନଙ୍କ ନାତି ନାତୁଣୀଙ୍କ ସହ କେ.ପି.ଆର. ରାୟରପ୍ପାନ(ସଂପୂର୍ଣ୍ଣ ଦକ୍ଷିଣରେ)। ଏହି ପରିବାରରେ " ଦୁଇ ଜଣ ଡାକ୍ତର, ଦୁଇ ଜଣ ଓକିଲ ଏବଂ ଜଣେ ବିଜ୍ଞାନ ସ୍ନାତକ। "

ଏମାନେ ହେଉଛନ୍ତି ସୁମୁକାନଙ୍କ ନାତିନାତୁଣୀ, ଯେଉଁ ବାଳକ ଦିନେ ସ୍କୁଲକୁ ଯାଇପାରି ନଥିଲା।

ଅଗଷ୍ଟ ୨୮ , ୧୯୯୭ରେ ଏହି ଲେଖାଟି ପ୍ରଥମେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା।


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath