କାଲ୍ଲିଆସେରୀ ନିକଟ ପରାସିନୀ କାଡାବୁର ଏହି ମନ୍ଦିର ବ୍ୟତିକ୍ରମ। ସବୁ ଜାତିର ଲୋକଙ୍କ ପାଇଁ ଏହା ସବୁବେଳେ ଉନ୍ମୁକ୍ତ। ଏହାର ପୂଜକମାନେ ପଛୁଆ ବର୍ଗର ଲୋକ। ମନ୍ଦିରର ଦେବତା ମୁଥପ୍ପାନ, ଗରିବଙ୍କ ଭଗବାନ ଭାବେ ପରିଚିତ। ଏହି ଦେବତାଙ୍କୁ ତୋଡି ଏବଂ ମାଂସ ନୈବେଦ୍ୟ ଅର୍ପଣ କରାଯାଇଥାଏ। କୌଣସି ଧାର୍ମିକ ସ୍ଥଳରେ କୁକୁରଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନଥାଏ, ଯାହା କେରଳ କନାଉର ଜିଲ୍ଲାର ଏହି ମନ୍ଦିରରେ ଦେଖିବାକୁ ମିଳେ। ପରିଶେଷରେ ଏହା କୁହାଯାଇପାରେ, ମୁଥପ୍ପାନ ହେଉଛନ୍ତି ଶିକାରୀଙ୍କ ଭଗବାନ।

୧୯୩୦ରେ ମୁଥପ୍ପାନ ଶିକାରୀଙ୍କ ଭଗବାନ ଥିଲେ। ବିଶେଷ କରି ବ୍ରିଟିଶ ସମୟର ବାମପନ୍ଥୀ ରାଷ୍ଟ୍ରବାଦୀ ଏବଂ ସାମ୍ୟବାଦୀଙ୍କ ଭଗବାନ ଥିଲେ। କେ.ପି.ଆର. ରାୟରପ୍ପାନ କହନ୍ତି, "ଏପରିକି ସାମନ୍ତବାଦୀ ଜନ୍‌ମୀଙ୍କ (ସାମନ୍ତବାଦୀ ଜମିଦାର) ବିରୋଧରେ ଏହି ମନ୍ଦିର ଆମ ସହ ହାତ ମିଳାଇଥିଲା। ୧୯୪୭ ପୂର୍ବରୁ ଏହି ଅଞ୍ଚଳରେ ସବୁ ଆନ୍ଦୋଳନରେ ସେ ସକ୍ରିୟ ଥିଲେ। ଅନେକ ସମୟରେ ବାମପନ୍ଥି ଆନ୍ଦୋଳନକାରୀମାନେ ଏହି ମନ୍ଦିରରେ ଆଶ୍ରୟ ନେଉଥିଲେ।"

ନାସ୍ତିକ ଏବଂ ଧାର୍ମିକ ମଧ୍ୟରେ ଏହି ଅଜବ ସଂପର୍କର ଏକ ଆଧାର ଥିଲା। ଉଭୟଙ୍କ ମଧ୍ୟରେ ଶ୍ରେଣୀଗତ ସାମଞ୍ଜସ୍ୟ ଥିଲା। ଉଚ୍ଚ ଜାତିର ଲୋକଙ୍କ କାର୍ଯ୍ୟକଳାପକୁ ଉଭୟ ବିରୋଧ କରୁଥିଲେ। ସମସ୍ତେ ଜମିଦାରୀ ଶତ୍ରୁତାର ଶିକାର ହୋଇଥିଲେ। ଏବଂ ସେହି ସମୟର ଉଗ୍ର ଜାତୀୟତାବାଦ ସମସ୍ତଙ୍କୁ ବ୍ରିଟିଶ ବିରୋଧୀ କରିଥିଲା।

ରାୟପ୍ପାନ କହିଲେ, "ବଡ଼ବଡ଼ ଜମିଦାରମାନେ ଏହି ମନ୍ଦିରକୁ ଛଡ଼େଇ ନେବାକୁ ଚାହିଁଲେ। ମନ୍ଦିରର ବିପୁଳ ଆୟକୁ ମଧ୍ୟ ସେମାନେ ବରଦାସ୍ତ କରିପାରୁ ନଥିଲେ ।" ଏପରିକି ବର୍ତ୍ତମାନ ମଧ୍ୟ ମୁଥାପ୍ପାନ ମନ୍ଦିରରେ ପ୍ରତିଦିନ ୪,୦୦୦ ହଜାର ଲୋକ ଏବଂ ସପ୍ତାହର ଶେଷ ଦିନରେ ୬,୦୦୦ ଲୋକ ଖାଆନ୍ତି। ଆଖପାଖରେ ଥିବା ସବୁ ସ୍କୁଲ ପିଲାଙ୍କୁ ପ୍ରତିଦିନ ମନ୍ଦିର ପକ୍ଷରୁ ଖାଇବା ମିଳିଥାଏ।

୩୦ ଏବଂ ୪୦ ଦଶକରେ ଏମାନଙ୍କୁ ଆଶ୍ରୟ ଦେବା ମନ୍ଦିର ପାଇଁ ଖୁବ୍ ବିପଦଜନକ ଥିଲା। କିନ୍ତୁ ତା ପରେ କାଲିଆସେରୀ ଏବଂ ତାର ପଡୋଶୀମାନେ ଅସାଧାରଣ ପାଲଟିଗଲେ। ସେମାନଙ୍କ ରାଜନୈତିକ ସଚେତନତା ବହୁ ଦୂରକୁ ଲମ୍ବିଥିଲା। ପପ୍ପିନେସେରୀ ଲୁଗା କାରଖାନାକୁ ଆଖପାଖ ଗାଁରୁ ଲୋକେ କାମ କରିବାକୁ ଆସନ୍ତି। ଏହା ୪୦ ଦଶକରେ ବ୍ରିଟିଶ ବିରୋଧରେ ଏକ ବଡ଼ ଲଢେଇ ଥିଲା। ୧୯୪୬ରେ ଗୋଟିଏ ଆନ୍ଦୋଳନ ୧୦୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ବମ୍ବେରେ ରୟାଲ ଇଣ୍ଡିଆନ ନାଭିର ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ କେରଳର ଏହି ଗ୍ରାମବାସୀ।

୮୧ ବର୍ଷର ପୟାନାଦାନ ଯଶୋଦା କହନ୍ତି, "ଏହି ଅଞ୍ଚଳରେ ବର୍ଷରୁ ଅଧିକ ସମୟ ଧରି ୧୪୪ ଧାରା ଜାରି ହୋଇଥିଲା। ତଥାପି ଆମେ ସକ୍ରିୟ ଥିଲୁ।" ୩୦ ଦଶକରୁ ଯଶୋଦା ଶିକ୍ଷକ ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ମାଲାବାର ରାଜନୀତି ପାଇଁ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା।

ଏଠାରେ ଯେଉଁ କାରଣ ସଂଗ୍ରାମକୁ ଜନ୍ମ ଦେଇଥିଲା, ତାହା ଅନ୍ୟମାନଙ୍କଠାରୁ କିଭଳି ଭିନ୍ନ ଥିଲା ? ଯଶୋଦା କହିଲେ, "ଆମେ ସଂଗଠିତ ଥିଲୁ। ଆମେ ରାଜନୀତିର ଆଧାରରେ କାମ କରୁଥିଲୁ। ଆମର ଲକ୍ଷ୍ୟ ପରିସ୍କାର ଥିଲା। ଆମ ଭିତରେ ସାମୁହିକ ସଚେତନତା ଥିଲା। ସମସ୍ତେ ଏଥିରେ ଭାଗ ନେଇଥିଲେ। ଆମେ ଜାତୀୟତାବାଦ ସଂଗ୍ରମରେ ସାମିଲ ଥିଲୁ। ସମାଜ ସଂସ୍କାର ଏବଂ ଜାତିପ୍ରଥା ବିରୋଧରେ ଆମେ ସଂଗ୍ରାମ କରୁଥିଲୁ। ଭୂମି ଆନ୍ଦୋଳନ ମଧ୍ୟ ଚାଲିଥିଲା। ଏସବୁ ଆନ୍ଦୋଳନ ପରସ୍ପର ସହ ସଂଯୁକ୍ତ ଥିଲେ।"

କାଲ୍ଲିଆସେରୀ ଏବଂ ଏହାର ପଡୋଶୀ ସ୍ୱାଧୀନୋତ୍ତର ୫୦ ବର୍ଷକୁ ବ୍ୟବହାର କରିଛନ୍ତି। ଏଠାରେ ପ୍ରାୟ ଶତ ପ୍ରତିଶତ ଲୋକ ସାକ୍ଷର। ଏଠାରେ ସବୁ ପିଲା ସ୍କୁଲକୁ ଯାଆନ୍ତି। କେହି କେହି ଏହାକୁ ପାଶ୍ଚାତ୍ୟ ସମାଜ ସହ ତୁଳନା କରିଥାନ୍ତି। ଯଶୋଦାଙ୍କ ଦୃଷ୍ଟିରେ ସଂଗଠିତ ରାଜନୈତିକ କାର୍ଯ୍ୟ ଯୋଗୁ ଏହି ଲାଭ ମିଳିପାରିଛି।

କିନ୍ତୁ ଏହା ସାମାନ୍ୟ ଅତିରଂଜିତ ନୁହେଁ କି ? ବିଶେଷ କରି ସଂଗଠିତ ରାଜନୈତିକ ଆନ୍ଦୋଳନରେ ଭୂମିକା କଣ? ସେ ଯାହାହେଉ, କେରଳର ସାକ୍ଷରତା ହାର ସବୁଠୁ ଅଧିକ, ଏପରିକି ଏହା ପୂର୍ବରୁ ମଧ୍ୟ ଅଧିକ ଥିଲା। ଯଶୋଦା ତାଙ୍କ ତାଲୁକର ପ୍ରଥମ ମହିଳା ଶିକ୍ଷକ ଥିଲେ, ଯାହାଙ୍କୁ ପରେ ଖାରଜ କରାଯାଇଥିଲା। ସେ କହନ୍ତି, "୧୯୩୦ର ଶେଷ ଭାଗକୁ ମାଲାବାରର ସାକ୍ଷରତା ହାର ଆଠ ପ୍ରତିଶତ ଥିଲା। ତ୍ରାଭାଙ୍କୋରରେ ଏହା ଥିଲା ୪୦ ପ୍ରତିଶତ। ଆମ ଉଦ୍ୟମ ବଳରେ ଆମେ ସାକ୍ଷରତା ହାର ବଢାଇଥିଲୁ।"

ଏହି ଅର୍ଥରେ ସାରା ଭାରତରେ ମାଲାବାର ଏକ ବିରଳ ଉଦାହରଣ। ଆଞ୍ଚଳିକ ସ୍ତରରେ ଥିବା ଫରକ ଖୁବ ଶୀଘ୍ର ଦୂର ହୋଇଥିଲା। ପରେ ଏହା ଟ୍ରାଭାଙ୍କୋର ଏବଂ କୋଚିନ୍‌‌କୁ ପ୍ରଭାବିତ କରିଥିଲା। ରାୟରପ୍ପାନ କହିଲେ, "ଆମ ସଂଗଠିତ ରାଜନୈତିକ କାର୍ଯ୍ୟ ଏହି ପରିବର୍ତ୍ତନ ଆଣିଥିଲା। ୫୦ ଏବଂ ୬୦ ଦଶକରେ ଭୂସଂସ୍କାର, ଜାତିପ୍ରଥା ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଥିଲା।"  ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିଥିଲା। ୧୯୨୮ରେ କାଲାଇସେରୀରେ ୨୪ଟି ପରିବାର ପାଖରେ ୪୩ ପ୍ରତିଶତ ଜମି ଥିଲା। ବର୍ତ୍ତମାନ କେବଳ ୧୩ଟି ପରିବାର ପାଖରେ ମାତ୍ର ପାଞ୍ଚ ଏକର ଲେଖାଏଁ ଜମି ଅଛି। ମୋଟ ଜମିରେ ସେମାନଙ୍କ ଭାଗ ମାତ୍ର ଛଅ ପ୍ରତିଶତ।

କାଲିଆସେରୀ ଲୋକଙ୍କ ଖାଦ୍ୟର ମାନ ବଦଳିଲା। ଅଧିକ କ୍ଷୀର ଏବଂ ମାଂସ ଖାଇଲେ। ଏମାନଙ୍କ ପୋଷାକ ଦେଖିଲେ କେହି କହିବେ ନାହିଁ ଯେ ଏମାନେ ଦିନ ମଜୁରିଆ ବୋଲି।

୮୦ ଦଶକରେ ରାଜ୍ୟରେ ସାକ୍ଷରତା ଅଭିଯାନ ଆହୁରି ଫଳପ୍ରଦ ହେଲା। କେରଳ ଶାସ୍ତ୍ର ସାହିତ୍ୟ ପରିଷଦ ଭଳି ସଂଗଠନଗୁଡିକର ଉଦ୍ୟମ ନୂଆ ସମ୍ଭାବନା ଆଣିଲେ। ଏସବୁର ସଂଯୋଗ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ପରଂପରା ସୃଷ୍ଟିକଲା। ଅନ୍ୟ କ୍ଷେତ୍ରରେ ମଧ୍ୟ କାଲିଆସେରୀ ସମେତ ମାଲାବାର ପ୍ରଥମ ଥିଲା।

କନାଉର କ୍ରିଷ୍ଣ ମେନନ୍ କଲେଜର ଅଧ୍ୟାପକ ମୋହନ ଦାସ କହନ୍ତି, "୩୦ ଏବଂ ୪୦ ଦଶକରେ କାଲ୍ଲିଆସେରୀ ଏସବୁର ପରୀକ୍ଷା ନିରୀକ୍ଷା କରୁଥିଲା। ଖୁବ ଶୀଘ୍ର ଉତ୍ପାଦକ ଏବଂ ଗ୍ରାହକ ସମବାୟ ପ୍ରତିଷ୍ଠା ହେଲା। ବହୁ ବିଳମ୍ବରେ ଆସିଥିବା ଉଚିତ ମୂଲ୍ୟ ଦୋକାନ ପାଇଁ ଏହା ପ୍ରେରଣା ଥିଲା।"

"ମରୁଡି ଏବଂ ଖାଦ୍ୟାଭାବ ସମୟରେ ଏସବୁର ବିକାଶ ହେଲା। ଖାଦ୍ୟଶସ୍ୟ ପାଇଁ ଜନ୍ମିସ୍‌ମାନେ ଚାଷୀଙ୍କ ଉପରେ ନିର୍ଭର କରି ହତାଶ ହେଉଥିଲେ। ସମ୍ଭବତଃ ସେ ସମୟରେ ଜନ୍ମିସ୍‌ମାନେ ନିଜେ ବ୍ରିଟିଶଠାରୁ ଅଧିକ ଦାବିର ସାମ୍ନା କରୁଥିଲେ। ପୂର୍ବରୁ ମରୁଡି ବେଳେ ଲୋକଙ୍କଠାରୁ ସଂଗ୍ରହ ହେଉଥିବା ଖାଦ୍ୟଶସ୍ୟରେ କୋହଳ କରାଯାଉଥିଲା। ୪୦ ଦଶକରେ ଏହା ବନ୍ଦ ହୋଇଗଲା।"

ଅବସରପ୍ରାପ୍ତ ଶିକ୍ଷକ ଅଗ୍ନି ଶର୍ମାନ୍ ନମ୍ବୋଦିରି କହିଲେ, " ଡିସେମ୍ବର ୧୯୪୬ରେ ସଂକଟ ଦେଖା ଦେଇଥିଲା। କରିଭେଲୁର ଗାଁରେ ଶଶ୍ୟ କ୍ଷେତ୍ରରେ କାମ କରିବାକୁ ଜନ୍ମିସ୍‌ମାନଙ୍କୁ ଲୋକେ ନିଷେଧ କଲେ। ଏହାକୁ କେନ୍ଦ୍ର କରି ଗୁଳିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଆତଙ୍କ ସୃଷ୍ଟି ହୋଇଥିଲା। କିନ୍ତୁ ଏହା ପରେ ଜନ୍ମି-ବିରୋଧୀ ହାୱା ବହିଲା।" ଏହି ଘଟଣା ଭୂସଂସ୍କାର ଆନ୍ଦୋଳନ ପାଇଁ ଘିଅ ଢାଳିଥିଲା।

ରାୟରାପ୍ପାନ କହିଲେ, "ବର୍ତ୍ତମାନ କାଲାଇସେରୀର ପର ପିଢି ଉତ୍କଟ ସମସ୍ୟା ଭିତରେ ଅଛି। କୃଷି ଆଉ ନାହିଁ କହିଲେ ଚଳେ। ଉତ୍ପାଦନ କମିଯାଇଛି। କୃଷି ଶ୍ରମିକଙ୍କ ପାଇଁ କ୍ୱଚିତ କାମ ଅଛି।"

ମଦନ ଦାସ କହିଲେ, "ଧାନ କ୍ଷେତରେ ବଡବଡ ବିଲ୍ଡିଂ ଛିଡ଼ା ହେଲା ଏବଂ ନଗଦୀ ଫସଲ ବଡ କ୍ଷତି ଘଟାଇଲା। ଉଦାହରଣ ସ୍ୱରୂପ ଏକ ବିରାଟ ଅଞ୍ଚଳ ଜନ୍ମିଙ୍କ ଅକ୍ତିଆରକୁ ଗଲା। ଏହାର ୫୦ ପ୍ରତିଶତ ଥିଲା କଲିଆସେରୀର ଧାନ କ୍ଷେତ। ବର୍ତ୍ତମାନ ଘର ଏବଂ ନଗଦୀ ଫସଲରେ ଏହି ଜାଗା ପରିପୂର୍ଣ୍ଣ। ଯେଉଁ କ୍ଷତି ଘଟିଲା ତାକୁ ନେଇ ଲୋକେ ଏବେ ସଚେତନ ହେଉଛନ୍ତି। କିନ୍ତୁ ବହୁତ କିଛି ନଷ୍ଟ ହୋଇସାରିଛି।"

ବେକାରୀ ବଢିଯାଇଛି। ସେହିପରି ଏକ ଅଧ୍ୟୟନ ଅନୁଯାୟୀ, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ପୁରୁଷଙ୍କ ତୁଳନାରେ ପଚାଶ ପ୍ରତିଶତରୁ କମ୍ ରହିଛି। ପ୍ରାୟ ୫୦ ପ୍ରତିଶତ ମହିଳା ଶ୍ରମିକ ବେକାର ହୋଇଯାଇଛନ୍ତି। ମହିଳାମାନେ କମ୍ ଦକ୍ଷତାଯୁକ୍ତ କାମ କରୁଛନ୍ତି। ଏବଂ ସେମାନେ ପୁରୁଷଙ୍କଠାରୁ ବହୁତ କମ୍ ଆୟ କରୁଛନ୍ତି।

ଏହା ଏକ କଠିନ ସମୟ। କିନ୍ତୁ ଏଠି ନିରାଶା ନାହିଁ। କେରଳରେ ପଞ୍ଚାୟତିରାଜକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କ୍ଷେତ୍ରରେ କାଲାଇସାରୀ ଆଗରେ ଅଛି। ରାଜ୍ୟର ଅନ୍ୟ ୯୦୦ ପଞ୍ଚାୟତ ଭଳି କାଲାଇସେରୀ ତାର ବିକାଶ ପାଇଁ ନିଜସ୍ୱ ଯୋଜନା ପ୍ରସ୍ତୁତ କରିଛି। ଲୋକେ ନିଜେ ଯୋଗାଡ କରିଥିବା ତଥ୍ୟକୁ ନେଇ ଏହି ଯୋଜନା ପ୍ରସ୍ତୁତ ହୋଇଛି। ଅଧିକାଂଶ କାର୍ଯ୍ୟରେ ସ୍ଥାନୀୟ ସମ୍ବଳ ଏବଂ ସ୍ୱେଛାକୃତ ଶ୍ରମ ବିନିଯୋଗ ହୋଇଛି। ରାୟରାପ୍ପାନ କହିଲେ, "ଅନ୍ୟାନ୍ୟ କାମ ଭିତରେ ଏହି ପଞ୍ଚାୟତରେ ଲୋକେ ନିଜ ଉଦ୍ୟମରେ ୬୨ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି।"

ଗ୍ରାମସଭାରେ ଅଧିକ ଲୋକ ସାମିଲ ହୁଅନ୍ତି। ପାଖାପାଖି ୧,୨୦୦ ସ୍ୱେଛାସେବୀ କାଲାଇସେରୀକୁ ଏକ ଉଦାହରଣ କରି ଗଢି ତୋଳିଛନ୍ତି : ଏହା ଥିଲା ଦେଶର ପ୍ରଥମ ପଞ୍ଚାୟତ ଯେଉଁଠି ଲୋକେ ନିଜେ ନିଜର ମାନଚିତ୍ର ପ୍ରସ୍ତୁତ କରିଛନ୍ତି। ଗାଁର ପ୍ରାକୃତିକ ଏବଂ ମାନବ ସମ୍ବଳର ବାସ୍ତବ ଚିତ୍ର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବାହ୍ୟ ବିଶେଷଜ୍ଞଙ୍କ ସହାୟତା ମିଳିଥିଲା। ପ୍ରକଳ୍ପ ଉପରେ ପରିବେଶର କଣ ପ୍ରଭାବ ରହିବ, ସମସ୍ତ ଯୋଜନା ପ୍ରସ୍ତୁତବେଳେ ତାହା ବିଚାରକୁ ନିଆଯାଇଥାଏ।

ଅବସରପ୍ରାପ୍ତ ଇଂଜିନିୟର, ସରକାରୀ କର୍ମଚାରୀଙ୍କ ଭଳି ସ୍ୱେଛାସେବୀମାନେ ପ୍ରକଳ୍ପର ତଦାରଖ କରନ୍ତି। ବର୍ତ୍ତମାନ ରାଜ୍ୟରେ ଏଭଳି ୫,୦୦୦ ସ୍ୱେଛାସେବୀ ଅଛନ୍ତି।

ଏବେ ଆହ୍ୱାନ ବଢି ଯାଇଛି। ବିଭିନ୍ନ ସମସ୍ୟା ଭିତରେ ଗାଁ ଛନ୍ଦି ହୋଇପଡ଼ିବା ଏହାର କାରଣ। କିନ୍ତୁ କାଲାଇସେରୀର ଆତ୍ମବିଶ୍ୱାଳ ଅତୁଟ ରହିଛି। ଆମେ ଆମର ସଂଗ୍ରାମ ବନ୍ଦ କରି ନାହୁଁ।

ଏପରିକି ୧୯୪୭ ପରେ ବି


ଅଗଷ୍ଟ ୨୯ , ୧୯୯୭ରେ ଦି ଟାଇମ୍ସ ଅଫ ଇଣ୍ଡିଆରେ ଏହା ପ୍ରଥମେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

୩୦ ଏବଂ ୪୦ ଦଶକରେ କାଲ୍ଲିଆସେରୀ ନିକଟ ପରାସିନୀ କାଡାବୁରେ ଥିବା ମନ୍ଦିର ରାଷ୍ଟ୍ରବାଦୀମାନଙ୍କୁ ବ୍ରିଟିଶ କବଳରୁ ଅଭୟ ଦେଇଥିଲା। ମନ୍ଦିରରେ ରହିଛି ଶିକାରୀଙ୍କ ଭଗବାନ ମୁଥପ୍ପାନ ଏବଂ କୁକୁରଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି।

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath