ଆମେ ସେମାନଙ୍କୁ କେବଳ ପଚାରିଲୁ ସେମାନଙ୍କର ପ୍ରିୟ ବିଷୟ କ’ଣ ? ଶ୍ରେଣୀର ପିଲାମାନେ କହିଲେ ‘‘ଇଂରାଜୀ’’। ଗୋଟିଏ ଭାରତୀୟ ଶ୍ରେଣୀରେ ପଚାରିବା ପାଇଁ ଏହା ଏକ ବୁଦ୍ଧିମାନର ପ୍ରଶ୍ନ ନୁହେଁ। ଯଦି ପ୍ରଥମ ଦୁଇଟି ପିଲା କୁହନ୍ତି ‘‘ଇଂରାଜୀ’’, ତେବେ ଶ୍ରେଣୀରେ ଥିବା ପ୍ରତ୍ୟେକ ଅନୁଚର ସେହି ସମାନ ଜିନିଷ କହିବେ। ଯେତେବେଳେ ଆପଣ ଦେଖିବେ ପ୍ରଥମ ଦୁଇଜଣ ଶୀକାର ଗୋଟିଏ ଉତ୍ତର ଦିଅନ୍ତି ଯାହା ପାଇଁ ସେମାନେ ଦଣ୍ଡ ପାଆନ୍ତି ନାହିଁ, ତା’ହେଲେ ଆପଣ ଜାଣିବେ ଏହି ବାଟରେ ହିଁ ଯିବାକୁ ହେବ।

କିନ୍ତୁ ଏହା ଅନ୍ୟ ସବୁସ୍ଥାନ ଭଳି ନୁହେଁ। ୟେଦାଲିପ୍ପାରାରେ ଏହା ଏକ ଏକକ ଶିକ୍ଷକ ବିଶିଷ୍ଟ ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ ସ୍କୁଲ। ଏହା କେରଳର ସବୁଠାରୁ ଅଗମ୍ୟ ସ୍ଥାନରେ ଏବଂ ଏକମାତ୍ର ଆଦିବାସୀ ପଞ୍ଚାୟତ ଏଡାମାଲାକୁଡିରେ ଅବସ୍ଥିତ। ଏବଂ ଏହି ସ୍କୁଲ ବାହାରେ ଆପଣ କେଉଁଠାରେ ମଧ୍ୟ ଇଂରାଜୀ କୁହାଯାଉଥିବା ଶୁଣିପାରିବେ ନାହିଁ। କୌଣସି ବୋର୍ଡ, ପୋଷ୍ଟର କିମ୍ବା ଏହି ଭାଷାରେ କୌଣସି ଏକ ଚିହ୍ନ ପାଇବା ମଧ୍ୟ କଷ୍ଟକର। ତଥାପି ପିଲାମାନେ କହିଲେ ଏହା ହିଁ ତାଙ୍କର ପ୍ରିୟ ବିଷୟ। ଅନ୍ୟ କେତେକ ସ୍କୁଲ ପରି ଇଡ଼ୁକ୍କି ଜିଲ୍ଲାରେ ଥିବା ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ କୋଠରୀରେ ଏକାଠି ଚାଲେ। ଏହାର ନେତୃତ୍ୱ ନିଅନ୍ତି ପ୍ରକୃତରେ ଗୋଟିଏ ବିସ୍ମୟକାରୀ ଶିକ୍ଷକ, ଯେ ଖୁବ୍‌ କମ୍‌ ପାଉଣା ପାଉଥିବେ, ଅତ୍ୟଧିକ କାର୍ଯ୍ୟ ଚାପଗ୍ରସ୍ତ ହୋଇଥିବେ, ଅସମ୍ଭବ ପରିସ୍ଥିତି ସହ ସଂଘର୍ଷ କରୁଥିବେ, କିନ୍ତୁ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ଥିତ ହୋଇଥିବେ।

ଏବଂ ଏଠି ଆଉ ଏକ ବିରୋଧ ଶୁଣାଗଲା। ଗୋଟିଏ ଛୋଟ ସାହାସୀ ବାଳକ ଠିଆ ହୋଇ କହିଲା ‘‘ଗଣିତ’’। ଆମେ ତାକୁ ଜୋର୍‌ ଦେଇ କହିଲୁ, ତୁମ ଗଣିତ ଦେଖାଅ। ସେ ଦେଖାଇଲା। ତା’ର ଛୋଟ ଛାତିକୁ ଫୁଲାଇ ଏବଂ ୧ରୁ ୧୨ ପର୍ଯ୍ୟନ୍ତ ପଣିକିଆ କୋଉଠି ଅଟକି ନ ଯାଇ ଏକ ନିଶ୍ୱାସରେ ଗାଇ ଦେଇଗଲା। ଯେତେବେଳେ ଆମେ ଦେଖିଲୁ ସେ ଆଉ ଥରେ ଗାଇବାକୁ ଯାଉଛି ସେତେବେଳେ ଆମେ ତାକୁ ଅଟକାଇଲୁ।

The singing quintet – also clearly the ‘intellectual elite’ of classes 1-4
PHOTO • P. Sainath

ପଞ୍ଚଗାୟିକା- ଏଥିସହ ସ୍ପଷ୍ଟ ଭାବରେ ୧-୪ ଶ୍ରେଣୀରେ ‘ସବୁଠାରୁ ବୁଦ୍ଧିମାନ’

ଆମେ ଶିକ୍ଷକଙ୍କ ନିକଟରେ ଥିବା ଆଉ ଏକ ବେଞ୍ଚ ଆଡ଼କୁ ବୁଲିଲୁ, ଯେଉଁଠି ୫ଜଣ ଛୋଟ ଝିଅ ବସିଥିଲେ, ନିଃସନ୍ଦେହ ସେମାନେ ଶ୍ରେଣୀର ସବୁଠାରୁ ବୁଦ୍ଧିମାନ। ସେମାନଙ୍କର ବିଶେଷ ବସିବା ବ୍ୟବସ୍ଥା ସେମିତି ମନେ ହେଉଥିଲା। ସବୁଠାରୁ ବଡ଼ର ବୟସ ୧୧ ହୋଇଥିବ। ଅନ୍ୟମାନେ ୯ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର। ଆମେ ବାଳକଟିକୁ ତା’ଗଣିତକୁ ତା’ ପାଟିରେ ଅଟକାଇ ରଖିବାକୁ କହିଲୁ।  ଏବେ ସେମାନଙ୍କର ପାଳି ଏହା ପ୍ରମାଣ କରିବା ଯେ ଇଂରାଜୀ ସେମାନଙ୍କର ପ୍ରିୟ ବିଷୟ। ତା’ହେଲେ ଝିଅମାନେ କିଛି ଇଂରାଜୀ ଶୁଣିବା।

ସେମାନେ ଟିକେ ଲଜ୍ଜ୍ୟାଶୀଳା ଥିଲେ। ସେମାନଙ୍କ ଶ୍ରେଣୀ କକ୍ଷ ମଧ୍ୟକୁ ଆଠଜଣ ଅଜଣା ଓ ବିଚିତ୍ର ଦେଖାଯାଉଥିବା ଲୋକମାନେ ପଶି ଆସିବା ଦେଖିଥିଲେ ଯେ କେହି ବି ସେମିତି ହୋଇଥାଆନ୍ତେ। ଏହାର ପରେ ସେମାନଙ୍କ ଶିକ୍ଷକ ଏସ୍‌.ବିଜୟଲକ୍ଷ୍ମୀ କହିଲେ: ‘‘ସେମାନଙ୍କୁ ଗୋଟିଏ ଗୀତ ଗାଇ ଶୁଣାଅ ଝିଅମାନେ। ଏବଂ ସେମାନେ ତାହା କଲେ। ଆମେ ସମସ୍ତେ ଜାଣିଥିଲୁ ଆଦିବାସୀମାନେ ଗୀତ ଗାଇ ପାରନ୍ତି ଏବଂ ଏହି ପାଞ୍ଚଜଣ ମୁଥାବନ ବାଳିକା ସୁନ୍ଦର ଭାବରେ ଗୀତ ଗାଇଲେ। ଏକଦମ ତାଳରେ ଗୋଟିଏ ଶବ୍ଦ ମଧ୍ୟ ଭୁଲ ନଥିଲା। ଗୋଟିଏ ଶବ୍ଦ ମଧ୍ୟ ତାଳ ବାହାରକୁ ଯାଉନଥିଲା। ତଥାପି ସେମାନେ ଲଜ୍ଜ୍ୟାଶୀଳା ଥିଲେ। ସାନ ବୈଦେହୀ ତା’ର ମୁଣ୍ଡ ତଳକୁ ନୁଆଁଇ ରଖୁଥିଲା ଏବଂ ତା’ର ଶ୍ରୋତାମାନଙ୍କ ବଦଳରେ ଟେବୁଲକୁ ଚାହୁଁଥିଲା। କିନ୍ତୁ ସେମାନେ ସାଂଘାତିକ ଥିଲେ। କିନ୍ତୁ ଗୀତର ଶବ୍ଦ ସବୁଠାରୁ ଅଲଗା ଥିଲା।

ଏହା ଗୋଟିଏ ଆଳୁର ପ୍ରଶଂସା ଥିଲା।

ସେମାନେ ଇଡୁକ୍କି ପାହାଡ଼ରେ ଦେଶୀ ଆଳୁ ଚାଷ କରୁଥିଲେ। କିନ୍ତୁ ମୁଁ ଜାଣିନି ଏଡାଲିପ୍ପାରାର ଶହେ କିଲୋମିଟର ଭିତରେ କେଉଁଠି ଆଳୁଚାଷ ହେଉଥିଲା।

ସେ ଯାହା ବି ହେଉନା କାହିଁକି ଆପଣ ନିଜେ ଏହା ଶୁଣିପାରିବେ – ଗୀତଟି ହେଲା :

ଆଳୁ, ଆଳୁ
ଓ ମୋ ପ୍ରିୟ ଆଳୁ
ମୁଁ ଆଳୁକୁ ପସନ୍ଦ କରେ
ତୁମେ ଆଳୁକୁ ପସନ୍ଦ କର
ଆମେ ଆଳୁକୁ ପସନ୍ଦ କରୁ
ଆଳୁ, ଆଳୁ, ଆଳୁ

ଏହା ଏତେ ସୁନ୍ଦର ଭାବରେ ଗାନ କରାଗଲା ଗୋଟିଏ ସାଧାରଣ ମୂଳକୁ ପ୍ରଶଂସା କରି। ଆମେ ନିଶ୍ଚିତ ନଥିଲୁ ଯେ ସେମାନେ କେବେ ଏହା ଖାଇଥିବେ। (ଆମେ ହୁଏତ ଭୁଲ ଜାଣିଥାଇପାରୁ। ମୁନ୍ନାର ନିକଟରେ କେତେଗୁଡ଼ିଏ ଗ୍ରାମ ଆଳୁଚାଷ ଆରମ୍ଭ କରିଥିବା ଶୁଣାଯାଉଥିଲା। ଏହା ପ୍ରାୟ ୫୦ କିଲୋମିଟର ଦୂର ହେବ)। କିନ୍ତୁ ଗୀତର ଶବ୍ଦ ଆମ ସହ ରହିଗଲା। କେହି ସପ୍ତାହ ପରେ ମଧ୍ୟ ଆମମାନଙ୍କ ମଧ୍ୟରୁ ଅଧିକାଂଶ ସେହି ଗୀତ ଗୁଣୁଗୁଣାନ୍ତି। ଆମେ ଆଠଜଣ ଯାକ ଆଳୁକୁ ଭଲ ପାଉ କିନ୍ତୁ ଏହା ଏଥିପାଇଁ ନୁହେଁ ଯେ ଆମେ ଏହି ମହାନ ଆଳୁର ପ୍ରଶଂସକ, ମୁଁ ଭାବୁଛି ଏଥିପାଇଁ ଯେ କାରଣ ସେମାନେ ଆମକୁ ଏହି ବିଚିତ୍ର କିନ୍ତୁ ଗୁରୁତ୍ୱର ସହ ଶୁଣାଇଥିବା ଗୀତରେ ସମ୍ମୋହିତ କରିଦେଇଥିଲେ। ଏବଂ ସେହି ଖୁବ୍‌ ମନମୋହକ ପ୍ରଦର୍ଶନ ସହ।

S. Vijaylaxmi – teacher extraordinary
PHOTO • P. Sainath
The students and teacher Vijaylaxmi just outside their single-classroom school
PHOTO • P. Sainath

ସେମାନଙ୍କର ଏକ ଶ୍ରେଣୀକକ୍ଷ ବିଶିଷ୍ଟ ସ୍କୁଲ ବାହାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ

କିନ୍ତୁ ଶ୍ରେଣୀକକ୍ଷକୁ ଫେରିବା ପରେ, ତାଳି ମାରି ପ୍ରଶଂସା କରିବା ଏବଂ ସେମାନଙ୍କୁ ଏହି ଗୀତ ଭିଡ଼ିଓ କ୍ୟାମେରା ପାଇଁ ପୁନରାବୃତ୍ତି କରିବାକୁ ସେମାନଙ୍କୁ ବୁଝାଇବା ପରେ ଆମେ ବାଳକମାନଙ୍କ ଆଡ଼କୁ ବୁଲିଲୁ। ସେମାନେ ଏହି ଶ୍ରେଣୀର ହୋଇନଥିବେ। ଆମେ ସଂକେତ ଦେଲୁ। ସେମାନେ ଝିଅମାନଙ୍କର ପ୍ରଦର୍ଶନ ସହ ସମାନ ହୋଇପାରିବେ? ସେମାନେ ଏହି ଆହ୍ୱାନ ପାଇଁ ଉଠିଲେ। ସେମାନଙ୍କର ଗୀତ ଗାଇବା ଅପେକ୍ଷା ଆବୃତ୍ତି ପରି ଅଧିକ ମନେ ହେଉଥିଲା। ଏହା ଭଲ ଥିଲା କିନ୍ତୁ ଝିଅମାନଙ୍କ ପ୍ରଦର୍ଶନ ସହ ଏହା ସମାନ ନଥିଲା। କିନ୍ତୁ ସେମାନଙ୍କର ଶବ୍ଦଗୁଡ଼ିକ ଆହୁରି ବିଚିତ୍ର ଥିଲା।

ଏହା ଥିଲା ‘ଜଣେ ଡାକ୍ତରଙ୍କ ପାଇଁ ପ୍ରାର୍ଥନା’। ଏହା ଏକ ପ୍ରକାର ଯାହା କେବଳ ଭାରତରେ ହିଁ ଲେଖାଯାଇପାରିବ, ଆବୃତ୍ତି କରାଯାଇପାରିବ କିମ୍ବା ଗାଇ ହେବ। ମୁଁ ଆପଣମାନଙ୍କୁ ସେସବୁ ଶବ୍ଦ କହିବି ନାହିଁ କିମ୍ବା ସେମାନଙ୍କର ଡାକ୍ତର ଭିଡ଼ିଓକୁ ଏହି ପୋଷ୍ଟରେ ସଂଯୁକ୍ତ କରିବି ନାହିଁ। ଏହା ଅନେକ କିଛି ଭଲ ଜିନିଷ ଏକାସାଙ୍ଗରେ ହୋଇଯିବ। ଏବଂ ଏହି ଖଣ୍ଡଟି ପ୍ରିୟ ପଞ୍ଚକ ଅଂଶୀଲା ଦେବୀ, ଉମା ଦେବୀ, କଳ୍ପନା, ବୈଦେହୀ ଏବଂ ଯସ୍ମିନଙ୍କ ପାଇଁ। ତେବେ ମୁଁ ଏତିକି ପ୍ରକାଶ କରିପାରିବି ଯେ, ଜଣେ ଡାକ୍ତରଙ୍କୁ ପ୍ରାର୍ଥନା ଏକଦମ ଭାରତୀୟ। ଏଥିରେ ଥିବା ଧାଡ଼ି ହେଉଛି ‘‘ମୋ ପେଟରେ ଯନ୍ତ୍ରଣା ହେଉଛି ଡାକ୍ତର। ମୁଁ ଏକ ଅପରେସନ ଚାହୁଁଛି ଡାକ୍ତର। ଅପରେସନ, ଅପରେସନ, ଅପରେସନ।’’

କିନ୍ତୁ ତାହା ଆଉ ଏକ ଗୀତ। ଏବଂ ସେହି ଭିଡ଼ିଓକୁ ଆଉ ଅନ୍ୟ ଏକ ଦିନ ପାଇଁ ଅପେକ୍ଷା କରିବାକୁ ହେବ।

ବର୍ତ୍ତମାନ ପାଇଁ, ଆପଣ ଆଳୁ ଗୀତର ମଜ୍ଜା ନିଅନ୍ତୁ।

ଏହି ପ୍ରବନ୍ଧ ମୌଳିକ ଭାବରେ ୨୦୧୪ ଜୁନ୍‌ ୨୬ ତାରିଖରେ P.Sainath.org ରେ ପ୍ରସାରିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath