ଲମ୍ବା ଲମ୍ବା ଘାସ ଏବଂ ଅନେକଗୁଡ଼ିଏ ଗଛ ଥିବା ପଡ଼ିଆଟିରେ ଆମେ ପାଖାପାଖି ଘଣ୍ଟାଏ ବିତାଇ ଦେଇଥିଲୁ । ତା’ ବି ଏକ ବଣୁଆ ଦନ୍ତା ହାତୀ ସାଙ୍ଗରେ, ଯାହାକୁ କି ଆମେ ଦେଖିପାରି ନଥିଲୁ। କେରଳର ଅତ୍ୟନ୍ତ ଦୁର୍ଗମ ପଞ୍ଚାୟତ ଏଡ଼ାମାଲାକୁଡ଼ିକୁ ବୁଲି ଯାଇଥିବା ଆମର ଏହି ଆଠ ଜଣିଆ ଅଭିଯାତ୍ରୀ ଦଳ କିଛି ହେଲେ ଦେଖିପାରି ନଥିଲା। ଅନ୍ୟ ସମସ୍ତେ ତା’ର ଗତିବିଧିକୁ ସ୍ପଷ୍ଟ ଭାବରେ ଅନୁସରଣ କରିବା ଭଳି ଲାଗୁଥିଲା । ଆମ ଆଖି ଉହାଡ଼ରେ ଥିବା ଗାଁଲୋକମାନେ ଆନାଇ (ହାତୀ) ବୋଲି ପାଟି କରୁଥିବା ଆମେ ଶୁଣିପାରୁଥିଲୁ । ଆଖପାଖ ପଲ୍ଲୀରୁ କେତେକ ଲୋକଙ୍କ କଣ୍ଠସ୍ୱର ଶୁଭୁଥିଲା । କେହି ହେଲେ ପାଣି ପାଖକୁ ଯାଅ ନାହିଁ ବୋଲି ଆମ ସମସ୍ତଙ୍କୁ ପରାମର୍ଶ ଦିଆଯାଉଥିଲା । ଆମେ ସୋସାଇଟିକୁଡ଼ିରୁ ଫେରୁଥିଲୁ ଏବଂ ସେଠାକୁ ଯାଉଥିବା ଯେଉଁ ଆଦିବାସୀମାନଙ୍କ ସହ ରାସ୍ତାରେ ଆମର ଭେଟ ହେଲା ସେମାନେ କହିଲେ, “ସେ ନଈ ପାଖାପାଖି ଅଛି । ଦେଖିଚାହିଁ ଯିବେ ।”

ଏଥିରେ ଆଶ୍ୱସ୍ତ ହେବାର କିଛି ନଥିଲା । କାହିଁକି ନା, ଠିକ୍‌ ସେଇ ସମୟରେ ଆମେ ମାନାଲାର ନଦୀ ପାର ହେବାକୁ ଚେଷ୍ଟା କରୁଥିଲୁ । ନଈ ଉପରେ ଥିଲା ବାଉଁଶ, ଗଛ ଡାଳ, ଲତା, ରସି ଏବଂ ଅଦରକାରୀ କାଠଖଣ୍ଡରେ ତିଆରି ଏକ ‘ଜୀଅନ୍ତା ପୋଲ’ । ହେଲେ ସେଇଟା ବି ଭାଙ୍ଗିରୁଜି ଯାଇଥିଲା ଏବଂ କେବଳ ବର୍ଷାଦିନେ ବ୍ୟବହାର କରିହେଉଥିଲା । ଆମେ ପଛକୁ ଫେରି ପାଖରେ ଥିବା ପଡ଼ିଆକୁ ଆସିଲୁ । କଣ୍ଠସ୍ୱର ଅବିରତ ଶୁଭୁଥିଲା । ଆମ ସହିତ ଥିଲେ ‘ଜଙ୍ଗଲ ଜଗୁଆଳି’ ଅଚ୍ୟୁତନ୍‌ ଏମ୍‌ । ସେ ନିଜେ ଜଣେ ମୁଥାବନ ଆଦିବାସୀ ଏବଂ ଲାଗୁଥିଲା, ଦନ୍ତାହାତୀଟିର ଅବସ୍ଥାନ ସଂପର୍କରେ ତାଙ୍କର ସ୍ପଷ୍ଟ ଧାରଣା ରହିଛି । ହୁଏତ ଦୂରରେ ଥିବା ଲୋକମାନେ ଗଛ ଉପର ମଞ୍ଚାଗୁଡ଼ିକରେ ରହିଥିଲେ । ପୂର୍ବ ଦିନ ଯିବା ବାଟରେ ଆମେ ଏହି ମଞ୍ଚାଗୁଡ଼ିକୁ ଦେଖିଥିଲୁ । ବୋଧହୁଏ ଏମିତି ହିଁ ସେମାନେ ହାତୀର ଗତିବିଧି ଉପରେ ନଜର ରଖନ୍ତି । ଦନ୍ତାହାତୀଟିଏଏକୁଟିଆ ବୁଲିବା ଆଦୌ ଭଲ ଖବର ନୁହେଁ । ହୁଏତ ଏମିତି ହୋଇପାରେ ଯେ ସେ ମସ୍ତ ଅବସ୍ଥାରେ ଥିଲା ଏବଂ ଏଥିରେ ଚିଡ଼ିଯାଇ ଅନ୍ୟ ହାତୀମାନେ ତାକୁ ଦଳରୁ ତଡ଼ି ଦେଇଛନ୍ତି।

ଠିକ୍‌ ଏଇ ସମୟରେ ହିଁ ଆପଣଙ୍କର ହାତୀ ସଂପର୍କିତ ବାଜେ କଥା ସବୁ ମନେ ପଡ଼େ । ମନେ ପଡ଼େ ଯେ ମସ୍ତ ଅବସ୍ଥାରେ ଥିବା ଦନ୍ତାହାତୀର ଟେଷ୍ଟୋଷ୍ଟେରନ୍‌ ସ୍ତର ସ୍ୱାଭାବିକ ସ୍ତର ତୁଳନାରେ ୬୦ ଗୁଣ ଅଧିକ ହୋଇପାରେ ଏବଂ ହୁଏତ ସେ ଲଢ଼େଇ କରିବାକୁ ମାତିଥାଏ । ଆମ ଭିତରୁ କେହି ହେଲେ ତା ସହ ଲଢ଼ିବାକୁ ଇଚ୍ଛା କରୁ ନଥିଲେ (ଆମ ଟେଷ୍ଟୋଷ୍ଟେରନ୍‌ ସ୍ତର ଏତେ ଉପରକୁ ଯାଇ ନଥିଲା) ଏବଂ ଆମେ ଗୋଟିଏ ଗଛ ତଳର ଛାଇକୁ ଫେରି ଆସିଲୁ । ଯେତେବେଳେ ବି ଗଛ ଭିତର ଦେଇ କିଛି ହଲଚଲ ହେଉଥିଲା, ଆମେ ଭାବୁଥିଲୁ:ଏ କ’ଣ ‘ଜଙ୍ଗଲ ଜଗୁଆଳି’? ନା ଦନ୍ତାହାତୀ ? ସେଇ ଘଡ଼ିକ ପାଇଁ ଇଡୁକି ବନାଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କଥାକୁ ଆମେ ଭୁଲିଯାଇଥିଲୁ ।

ଶିକ୍ଷା ପାଇଲୁ: ଅଜଣା ଅଞ୍ଚଳରେ ‘ସର୍ଟ-କଟ୍‌’ ଉପରେ ଭରସା କରିବା କଥା ନୁହେଁ । ଏହା ଦୁର୍ଯୋଗକୁ ଡାକି ଆଣେ ।

PHOTO • P. Sainath
PHOTO • P. Sainath

ବାମ: ଗଛ ଉପରର ମଞ୍ଚା । ଡାହାଣ: ଆମର ନିର୍ଭୀକ ଜଙ୍ଗଲ ଜଗୁଆଳିମାନେ-ଚିନାପ୍ପା ଦାସ ଏବଂ ଅଚ୍ୟୁତନ୍‌ ଏମ୍‌. । ଉଭୟ ମୁଥାବନ ଆଦିବାସୀ

ଆମେ କୋଚିରୁ ଯାତ୍ରା ଆରମ୍ଭ କରିଥିଲୁ ଏବଂ ରାତିରେ ମୁନ୍ନାରରେ ରହିଥିଲୁ । ବଡ଼ି ଭୋରରୁ ଆମେ ପେଟ୍ଟିମୁଡ଼ି ଯାଏ ଗାଡ଼ିରେ ଆସିଥିଲୁ ଏବଂ ସେଠାରୁ ୧୮ କିଲୋମିଟରର ଉଠାଣି ଗଡ଼ାଣି ଭର୍ତ୍ତି କ୍ଳାନ୍ତିକର ପାହାଡ଼ିଆ ରାସ୍ତାରେ  ଯାଇ ଏଡ଼ାମାଲାକୁଡ଼ିରେ ପହଞ୍ଚିଥିଲୁ । ପଞ୍ଚାୟତରେ ଆମର ସାକ୍ଷାତ୍‌କାର କାର୍ଯ୍ୟକ୍ରମ ସାରିବା ପରେ ଆମେ ଭାବିଲୁ ପରଦିନ ସକାଳେ ଯିବା ହିଁ ବୁଦ୍ଧିମାନର କାମ ହେବ । ପୁଣି କାହିଁକି ସେଇ କଷ୍ଟଦାୟକ ରାସ୍ତାରେ ୧୮ କିଲୋମିଟର ଯିବା ? ଆମେ ‘ସର୍ଟ-କଟ୍‌’ରେ ଅନ୍ୟ ରାସ୍ତା ଦେଇ ଯାଇପାରିଥାଆନ୍ତୁ । ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଭାଲପାରାଇ ଆଡ଼କୁ ଯାଇଥିବା ରାସ୍ତାରେ। ସେଥିରେ ତୀଖ ପାହାଡ଼ ଚଢ଼ିବାକୁ ପଡ଼ିଥାଆନ୍ତା । କିନ୍ତୁ ମାତ୍ର ୮-୧୦ କିଲୋମିଟର । ଏବଂ ସଡ଼କ ପଥରେ ଗଲେ ମୁନ୍ନାର ତୁଳନାରେ ଭାଲପାରାଇରୁ କୋଚି ବି ବେଶୀ ଦୂର ନୁହେଁ ।

କିନ୍ତୁ ଏ ଥିଲା ହାତୀଙ୍କ ଅଞ୍ଚଳ ଏବଂ ଆମେ ଫସି ଯାଇଥିଲୁ ।

ଶେଷରେ, ପାଖ କୁଡ଼ି (ପଲ୍ଲୀ)ର ତିନି ଜଣ ଆଦିବାସୀ ଯୁବକ ଆମକୁ ଜଙ୍ଗଲରେ ଜଣିକିଆ ଧାଡ଼ିରେ ବାଟ କଢ଼ାଇ ନେଲେ । ଜଣେ ତାଙ୍କ ହାତରେ ଛୋଟ ବ୍ୟାଗ୍‌ଟିଏ ଧରିଥିଲେ । କେଇ ମିନିଟ୍‌ ପରେ ଏକ ଛୋଟକାଟର ବିସ୍ଫୋରଣ ଶବ୍ଦରୁ ଆମେ ଜାଣିଲୁ ଯେ ବ୍ୟାଗ୍‌ରେ ବାଣ ଅଛି । ଆମେ କୌଣସି ହାତୀର ଶବ୍ଦ ଶୁଣି ନଥିଲୁ । ଦନ୍ତାହାତୀ ଭଳି ଏତେ ବଡ଼ ଜନ୍ତୁଟିଏ କିଭଳି ବା ଅଦୃଶ୍ୟ ହୋଇ ରହିପାରିବ ? କିନ୍ତୁ କିଛି ସମୟ ପରେ ସେଇ ଯୁବକମାନେ ଆମକୁ ପୁଣି ଧାଡ଼ି କରି ଆଗେଇ ନେଲେ । ବାଣଫୁଟା ଶବ୍ଦକୁ ହାତୀ ପସନ୍ଦ କରୁ ନଥିଲା । ସେମାନେ କହିଲେ, “ସେ କିଛିଟା ଦୂରକୁ ଚାଲି ଯାଇଛି । ଏବେ ନଦୀ ପାର ହୋଇଯାଅ, ଜଲ୍‌ଦି ।” ଆମେ ସେଇଆ କଲୁ । ତଥାପି ଆମେ କୌଣସି ହାତୀକୁ ଦେଖିଲୁନି । ନଈ ଆରପଟେ ବି ନୁହେଁ । ଆଖପାଖରେ ଆମେ ଗଦା ଗଦା ହାତୀର ମଳ ଦେଖିଲୁ । କିନ୍ତୁ ଆଉ ଅଧିକ ସମୟ ରହି ତାହା ଆଜିର କି ନୁହେଁ ବୋଲି ଅନୁସନ୍ଧାନ କରିବାକୁ ଆମର ଇଚ୍ଛା ନଥିଲା ।

ଆମେ ଜାଣିବାକୁ ପାଇଲୁ ଯେ ହାତୀପଲର ଅନ୍ୟମାନେ ସେଇ ବାଟ ଦେଇ ଯାଇଛନ୍ତି ଯେଉଁଥିରେ ଆମେ ଭାଲପାରାଇ ଯିବାକୁ ଚିନ୍ତା କରିଥିଲୁ । ଆମର ନିର୍ଭୀକ ଜଙ୍ଗଲ ଜଗୁଆଳିମାନଙ୍କ ସମେତ ଆଦିବାସୀମାନେ ବି ହାତୀଙ୍କ ପଛେ ପଛେ ଯିବାର ଦୁଃସାହସ କରିବେ ନାହିଁ । ଆମ ଆଗରେ ଏକମାତ୍ର ବିକଳ୍ପ ରହିଥିଲା ଯେ ଆମକୁ ଅପେକ୍ଷାକୃତ ଏକ ଲମ୍ବା ରାସ୍ତାରେ ଏବଂ ଅନେକ ସ୍ଥାନରେ ତୀଖ ପାହାଡ଼ର ଉଠାଣି ଚଢ଼ି ଯିବାକୁ ହେବ । ଆମର ମନେହେଲା, ହୁଏତ ଅନନ୍ତ କାଳ ପାଇଁ ଆମକୁ ବିପଦପୂର୍ଣ୍ଣ ପାହାଡ଼ର ଉଠାଣିରେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ହେବ ।

ପରାମର୍ଶ: ଆପଣଙ୍କର ପୁରୁଣା ଜୋତା ଯେତେ ଖରାପ ହୋଇଥାଉ ନା କାହିଁକି, ଲମ୍ବା ପାହାଡ଼ିଆ ରାସ୍ତାରେ ଯିବାବେଳେ ନୂଆ ଜୋତା ବ୍ୟବହାର କରନ୍ତୁ ନାହିଁ, ଯାହା ମୁଁ କରିଥିଲି ।

ଚାଲି ଚାଲି ଗଲେ ଆଠ କିଲୋମିଟର ରାସ୍ତା ହେବା କଥା, କିନ୍ତୁ ତାହା ୨୫ରୁ ଅଧିକ କିଲୋମିଟରରେ ବଦଳି ଗଲା । କ୍ୟାମେରା ଓ ପାଣି ଭର୍ତ୍ତି ଓଜନିଆ ବ୍ୟାଗ୍‌ ଏବଂ ବ୍ୟାକ୍‌ପ୍ୟାକ୍‌ ବୋହି ଯିବାକୁ ଆମକୁ ଆଠ ଘଣ୍ଟାରୁ ଅଧିକ ଲାଗିଲା । ଏଡ଼ାମାଲାୟାର ନଦୀ ନିକଟରେ ଆମେ ଅଧ ଘଣ୍ଟା ବିଶ୍ରାମ ନେଇଥିଲୁ କିନ୍ତୁ କୌଣସି ହାତୀ ନଜରରେ ପଡ଼ି ନଥିଲେ । ଆମ ଭାଗ୍ୟ ଭଲ ଯେ ଏଇଟା ଖରାଦିନ ଥିଲା । ବର୍ଷାଦିନ ଆସିଲେ ଏଇ ରାସ୍ତା ରକ୍ତ ଶୋଷୁଥିବା ଜୋକରେ ଭର୍ତ୍ତି ହୋଇଯିବ । ଏସବୁର ମାନେ ଏଇଆ ଯେ ଭାଲପାରାଇରେ ପହଞ୍ଚିବା ବେଳକୁ ଆମେ ୪୦ରୁ ଅଧିକ କିଲୋମିଟର ବାଟ ଚାଲି ସାରିଥିଲୁ, କାହିଁକି ନା ୩୬ ଘଣ୍ଟା ଆଗରୁ ଆମେ ପେଟ୍ଟିମୁଡ଼ିରୁ ଯାତ୍ରା ଆରମ୍ଭ କରିଥିଲୁ । ଆମକୁ ୧୦୦ କିଲୋମିଟର ଭଳି ଲାଗୁଥିଲା । ତଥାପି ଆମେ ହାତୀଟିଏ ଦେଖିବାକୁ ପାଇ ନଥିଲୁ ।

ଏହି ଲେଖା ପ୍ରଥମେ psainath.org ରେ ପ୍ରକାଶିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath