ଗତ ଦଶନ୍ଧିରେ ଚୀନକୁ ରପ୍ତାନି କ୍ରମରେ ଦ୍ରବ୍ୟର ବର୍ଦ୍ଧିଷ୍ଣୁ ଚାହିଦା ଦ୍ୱାରା ପ୍ରୋତ୍ସାହିତ ହୋଇ ଉତ୍ତର ଓଡ଼ିଶାର ଲୌହ ଓ ମାଙ୍ଗାନିଜ ଖଣିଜ ସମୃଦ୍ଧ ଜଙ୍ଗଲରେ ଖଣି ପାଇଁ ଅଦ୍ଭୁତପୂର୍ବ ଉପସ୍ଥିତି ଦେଖିବାକୁ ମିଳିଥିଲା। ସର୍ବୋଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତିଙ୍କ ଦ୍ବାରା ଗଠିତ କମିଶନ ବିସ୍ତୃତ ଅଭିଯୋଗରେ ଦର୍ଶାଇଥିଲେ ଯେ ଖଣି ବହୁଳତା ଯୋଗୁ ଏଠାରେ ସମସ୍ତ ନୀତି ଓ ଆଇନର ବ୍ୟାପକ ଉଲ୍ଲଘଂନ କରାଯାଇ ଏ ଅଞ୍ଚଳର ଜୈବ ବିବିଧତାକୁ ନଷ୍ଟ କରାଯାଇଛି ଏବଂ ସାଧାରଣ ରାଜକୋଷ ବିନିମୟରେ ଖଣି ମାଲିକ ଏଠାରୁ ଅପ୍ରତ୍ୟାଶିତ ଲାଭ ଉଠାଇଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ଜଷ୍ଟିସ ଏମ୍.ବି. ଶାହ କମିଶନ ବିଳମ୍ବରେ ନିଯୁକ୍ତ ହେବାବେଳକୁ ଚଳିତ ଦଶନ୍ଧିରେ ୫୯,୨୦୩ କୋଟି ଟଙ୍କାର ଖଣିପଥର ବେଆଇନ୍ ଭାବେ ଖୋଳାଯାଇସାରିଛି। ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ମୋଟ ଘରୋଇ ଉତ୍ପାଦର ଏହା ହେଉଛି ଏକ ଚତୁର୍ଥାଂଶ।

ଆଇନ ଉଲ୍ଲଘଂନ ଏବଂ ଦୁର୍ନୀତିଗ୍ରସ୍ତ ପ୍ରଶାସନ ସହ ପ୍ରାନ୍ତୀୟ ଆଦିବାସୀ ସଂପ୍ରଦାୟ ପ୍ରତି ରାଜ୍ୟର ଚିରାଚରିତ ଅବହେଳା ହିଁ ଏହି ଲୁଟକୁ ପ୍ରୋତ୍ସାହିତ କରିଛି। ଶେଷରେ ସ୍ଥାନୀୟ ଅଧିବାସୀଙ୍କ ସଂଖ୍ୟା, ଖଣି ପ୍ରକଳ୍ପ ପାଇଁ ନିଷ୍ପତି ନେବା ପ୍ରକ୍ରିୟା ଓ ସେଗୁଡ଼ିକର ଗୁରୁତର ପ୍ରଭାବକୁ ଦୃଷ୍ଟି ଆଢୁଆଳରେ ରଖିଦିଆଯାଇଛି।

ଶାହ କମିଶନଙ୍କ ରିପୋର୍ଟ ଫେବୃୟାରୀ ୧୦ରେ ସଂସଦରେ ଉପସ୍ଥାପିତ ହେଲା, କିନ୍ତୁ ଏନେଇ କୌଣସି ଆଲୋଚନା ଦେଖିବାକୁ ମିଳିଲା ନାହିଁ। ପଦକ୍ଷେପ ନିଆଯିବା ପାଇଁ ଦିଆଯାଇଥିବା ଏହି ରିପୋର୍ଟରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ (ଏମଓ‌ଇ‌ଏଫ୍‍) ସହ କେନ୍ଦ୍ର ସରକାର କହିଲେ ଯେ ଅନୁମତି ନଥାଇ ଖଣି ସମୃଦ୍ଧ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ ଭଳି ଅନିୟମିତତାର ଯାଞ୍ଚ ପାଇଁ ପଦକ୍ଷେପ ନିଆଯାଉଛି ।

ରାଜ୍ୟ ସରକାର କମିଶନକୁ ଜଣାଇଥିଲେ ଯେ ବେଆଇନ ଭାବେ ଲୌହ ଓ ମାଙ୍ଗାନିଜ ପଥର ଖୋଳିଥିବା ଖଣି ଲିଜ୍ ହୋଲଡରଙ୍କୁ ୧୪୬ଟି ରିକଭରି ନୋଟିସ ପଠାଯାଇଛି। ରାଜ୍ୟ ଖଣି ନିର୍ଦ୍ଦେଶାଳୟର ଜଣେ ଅଧିକାରୀ ଏଇ ସପ୍ତାହରେ କହିଲେ ଯେ ସେହି ଅର୍ଥରାଶି ଏଯାବତ୍ ଆଦାୟ ହୋଇପାରିନାହିଁ। କେତେକ ଲିଜ୍ ହୋଲଡର ଏହା ଉପରେ ରହିତାଦେଶ ପାଇଁ ଓ ନିର୍ଦ୍ଧାରିତ ଅର୍ଥରାଶି ଆଦାୟ ପ୍ରସଙ୍ଗକୁ ନ୍ୟାୟିକ ବିଚାର ପ୍ରକ୍ରିୟାରେ ବିଳମ୍ବିତ କରାଇବା ଲାଗି ସ୍ଥାନୀୟ ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଅପରପକ୍ଷରେ ଅନ୍ୟ ମାମଲାଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲୁ ରହିଛି।

ଏହା ସହିତ, ବେଆଇନ ଖଣି ଉତ୍ତୋଳନର ଅନେକ ବଡ଼ ଧରଣର ଅନିୟମିତତା ଘଟଣାର ସିବିଆଇ ତଦନ୍ତ ପାଇଁ ଶାହ କମିଶନଙ୍କ ସୁପାରିସକୁ ରାଜ୍ୟ ସରକାର ଦୃଢ଼ ଭାବେ ପ୍ରତିବାଦ କରିଥିଲେ। ଅଣସ୍ୱାର୍ଥ ତଥା ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଉଥିବା ପ୍ରଶାନ୍ତ ଭୂଷଣ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବିକରି ଆବେଦନ କରିଥିବା ଏକ ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

ବନ୍ୟଜନ୍ତୁ ସୁରକ୍ଷା ଓ ଅନ୍ୟା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତିଙ୍କ କହିବା ଅନୁସାରେ ୨୦୦୮ରୁ ବେଆଇନ ଖଣି ଉତ୍ତୋଳନ ମାମଲାରେ ପ୍ରତିବାଦ ଜଣାଇ ଆସୁଚନ୍ତି।  ଏହି ମାମଲାରେ ସ୍ଥାନୀୟ ପ୍ରଶାସନର ପ୍ରଭାବୀ କାର୍ଯ୍ୟାନୁଷ୍ଠାନର ଅଭାବ ଏହି ସତ୍ୟକୁ ସୂଚାଉଛି ଯେ, ହଜାର ହଜାର କୋଟି ଟଙ୍କାର ସାଧାରଣ ସମ୍ପତ୍ତି ଲୁଟ୍ ହୋଇଛି; କିନ୍ତୁ ଏଥିରେ ଜଣେ ବି ସରକାରୀ କର୍ମଚାରୀ କିମ୍ବା ଘରୋଇ ଅଧିକାରୀ ଜେଲକୁ ଯାଇନାହାନ୍ତି କି ଗୋଟିଏ ବି ଖଣିସଂସ୍ଥାର ଲାଇସେନ୍ସ ପ୍ରତ୍ୟାହାର କରାଯାଇନାହିଁ କିମ୍ବା ଏଯାବତ୍ ଟଙ୍କାଟିଏ ମଧ୍ୟ ଜରିମାନା ଆଦାୟ ହୋଇନାହିଁ।

   ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଏହି ଚିତ୍ରଗୁଡ଼ିକ ଖଣିଖୋଳା ଭୂଭାଗ ଓ ଖୋଳାଯିବାକୁ ଥିବା ଖଣି ଅଞ୍ଚଳ ଭିତରେ ଥିବା ବୈଷମ୍ୟ ଦର୍ଶାଉଅଛି ।

ଭାରତରେ ଗଚ୍ଛିତ ଥିବା ହେମାଟାଇଟ୍ ଲୌହପଥରର ଏକ ତୃତୀୟାଂଶ ଉତ୍ତର ଓଡ଼ିଶାର ସମୃଦ୍ଧ ପର୍ଣ୍ଣମୋଚୀ ଅରଣ୍ୟ ଓ ପର୍ବତମାଳା ଧାରଣ କରି ରଖିଛି, ଯାହା ଏହାକୁ ବିଗତ ଦଶନ୍ଧିରେ ଦେଶର ଅଗ୍ରଣୀ ଲୁହାପଥର ଖଣି ଅଞ୍ଚଳ ଭାବେ ପ୍ରତିଷ୍ଠାଦେଇଆସିଛି, ଅନ୍ୟପକ୍ଷରେ ଏହା ରାଜ୍ୟର ସର୍ବବୃହତ୍ ଦୁର୍ନୀତିକୁ ମଧ୍ୟ ପ୍ରଶ୍ରୟ ଦେଇଛି ।

ଗୋଟିଏ ଖଣି ସଂସ୍ଥା ମାଇନିଂ ସହର ବଣାଇର ଚର୍ତୁପାର୍ଶ୍ବରେ ଥିବା ଜଙ୍ଗଲ ମଧ୍ୟଦେଇ ରାସ୍ତା ତିଆରି କରୁଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଉତ୍ତର ଓଡ଼ିଶାର ୪୫,୦୦୦ ହେକ୍ଟର ଅଞ୍ଚଳରୁ ଲୁହା ଓ ମାଙ୍ଗାନିଜ୍ ପଥର ଖୋଳାଚାଲିଛି, ସେଥିମଧ୍ୟରୁ ୩୪,୦୦୦ ହେକ୍ଟର ଜଙ୍ଗଲ ଅଞ୍ଚଳରେ ରହିଛି ।

ଲୁହାପଥର ପରିବହନ କରୁଥିବା ବହୁ ସଂଖ୍ୟାରେ ଟ୍ରକଗୁଡ଼ିକ ଏ ଅଞ୍ଚଳର ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ଯାତାୟାତ କରିବା ସହ ପାଦଚଲା ଲୋକଙ୍କୁ ମଧ୍ୟ ଅସୁବିଧାରେ ପକାଉଛନ୍ତି। ସପ୍ତାହରେ ଗୋଟିଏ ଦିନ ଏଥିରୁ ତ୍ରାହି ପାଇବା ପାଇଁ ଗ୍ରାମବାସୀ ଧାରଣା ଦେଇଥିଲେ, ଯାହାଫଳରେ ସେମାନେ ଏହି ରାସ୍ତାରେ ଚର୍ଚ୍ଚକୁ ପହଂଚିପାରିବା ସହ ହାଟକୁ ଯାଇପାରିବେ। ଫଳରେ କେବଳ ରବିବାର ଦିନଟି ପାଇଁ ଟ୍ରକ୍ ଟ୍ରାଫିକରେ ବିରାମ ଲାଗିପାରିଛି।

ଟ୍ରକଗୁଡ଼ିକ କୁର୍ମିତାର ପର୍ବତଶ୍ରେଣୀରେ ଥିବା ଖଣି ପର୍ଯ୍ୟନ୍ତ ରାସ୍ତା ବନ୍ଦ କରି ରଖନ୍ତି। ଶାହ କମିଶନ ପୂର୍ବାନୁମାନ କରିଥିଲେ ଯେ ଏହି ହାରରେ ଉତ୍ତୋଳନ ଚାଲିଥିଲେ ଏହି ଅଞ୍ଚଳରେ ଗଚ୍ଛିତ ଥିବା ଉତ୍କୃଷ୍ଟ ଲୁହାପଥର ୩୫ବର୍ଷ ଭିତରେ ଶେଷ ହୋଇଯିବ। ଏହି ତଥ୍ୟକୁ କିନ୍ତୁ ସରକାର ଅସ୍ୱୀକାର କଲେ। 

ଖଣିର ଗୋଟିଏ ପାଖକୁ ଲାଗିରହିଥିବା ପାହାଡ଼ତଳି ପଡ଼ା ପାଇଁ ଏକମାତ୍ର ପାନୀୟଜଳର ଉତ୍ସ ଭାବେ ପରିଗଣିତ ଥିବା ଶୁଷ୍କ ପାହାଡ଼ିଆ ଝରଣାକୁ ସ୍ଥାନୀୟ ପାଉରି ଭୂୟାଁ ସମ୍ପ୍ରଦାୟର ପ୍ରଭୁ ସହାୟ ଟପ୍ନୋଙ୍କୁ ଅନେକ ବାଟ ଚାଲି ଚାଲି ଯିବାକୁ ପଡେ଼। ସେ କହନ୍ତି ଯେ ଗତ ୭ବର୍ଷ ଭିତରେ ସେହି ଝରଣାରୁ ମାଛ ସଂଖ୍ୟା କମିଗଲାଣି। ବର୍ଷାଦିନେ ଖଣିର ବର୍ଜ୍ୟ ପାହାଡ଼ତଳକୁ ବୋହିଯାଇ ଝରଣାରେ ମିଶିବା ଦ୍ୱାରା ସେହି ପାଣିରେ ଖରିଫ ଫସଲ ଚାଷ କରିବା ଅସମ୍ଭବ ହୋଇପଡୁଛି। ଟପ୍ନୋ କହିଲେ, ‘ଆମେ ସେହି ପ୍ରଦୂଷିତ ନାଲି ପାଣିକୁ ପ୍ଲାଷ୍ଟିକ ପ୍ୟାକେଟରେ ନେଇ ଅଧିକାରୀଙ୍କୁ ଦେଖାଇଲୁ ଏବଂ ଅଭିଯୋଗ କଲୁ। ସେମାନେ କହିଲେ ଆମେ ପଦକ୍ଷେପ ନେବୁ। କିନ୍ତୁ କିଛି ଘଟିଲା ନାହିଁ।’’

ଦୀର୍ଘ ଦୂରତାରେ ଅବସ୍ଥିତ ଥିବା ଉପାନ୍ତ ଗ୍ରାମଗୁଡ଼ିକର ଆଦିବାସୀ ସମ୍ପ୍ରଦାୟଙ୍କ ପାଖରେ ଯେଉଁ ସୀମିତ ସୁରକ୍ଷା ଉପାୟ ରହିଛି, ଯେପରିକି ପରିବେଶଗତ ଜନଶୁଣାଣିରେ ଭାଗ ନେବା କିମ୍ବା କୌଣସି ପ୍ରକଳ୍ପ ପାଇଁ ଜଙ୍ଗଲ କଟା ପ୍ରସ୍ତାବକୁ ଅନୁମତି ଦେବା ଭଳି ଉପାୟ ଖଣି ସଂସ୍ଥା ଏବଂ ସରକାରୀ କର୍ମଚାରୀଙ୍କ ଦ୍ୱାରା ଅବାଧ ଭାବେ ଉଲ୍ଲଘଂନ ହୋଇଚାଲିଛି। 

ଏହି ଅଞ୍ଚଳର ସ୍ଥାନୀୟ ଆଦିବାସୀ ସମାଜ ଖାଦ୍ୟ, ଜାଳେଣୀ ଓ ଜୀବନଜୀବିକା ପାଇଁ ଲାଖ, ମହୁ, ଶାଳ ଭଳି ଜଙ୍ଗଲଜାତ ଦ୍ରବ୍ୟ ଉପରେ ଏକାନ୍ତ ନିର୍ଭରଶୀଳ ।

ଓଡ଼ିଶା ଖଣି ନିଗମର ଲୁହାପଥର ଖାଦାନରେ ୯ଘଣ୍ଟାର ପରିଶ୍ରମ କରିବା ପରେ ଯଇତ୍ରୁ ଗିରି ଓ ତାଙ୍କ ପରିବାର ଖାଦାନ ଶେଷକୁ ଥିବା କୁଡ଼ିଆଘରକୁ ଫେରନ୍ତି। ଶ୍ରମିକମାନଙ୍କୁ ମଜୁରି ଟଙ୍କା ଦେଉ ନଥିବା ଦର୍ଶାଇ ବହୁସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳାଙ୍କୁ କ୍ଷତିପୂରଣ ଭାବେ ନ୍ୟାଯ୍ୟ ପାଉଣା କିମ୍ବା ସୁବିଧା ଦେବା ପରିବର୍ତ୍ତେ ବେଆଇନ ଖଣିରୁ ବିପୁଳ ଲାଭ କରୁଥିବା ଖଣି କମ୍ପାନିମାନଙ୍କୁ ଶାହ କମିଶନ ଭର୍ତ୍ସନା କରିଥିଲେ। 

ଲୁହାପଥର ସମୃଦ୍ଧ ଛେଳିଆଟୋକା ଅଞ୍ଚଳର ୩,୦୦୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଧୂଳି ଆସ୍ତରଣ ଘେରି ରହୁଛି। ଏହି ଅଞ୍ଚଳ ଅନ୍ତର୍ଗତ ଗ୍ରାମ, ଯେପରି ଚିତ୍ରରେ ଦର୍ଶିତ ଫୁଲଝର ଗାଁ ଦକ୍ଷିଣ କୋରିଆର ବୃହତ୍ ଷ୍ଟିଲ କମ୍ପାନି ପୋସ୍କୋ ଏଠାରେ ୨,୫୦୦ ହେକ୍ଟର ଅଞ୍ଚଳରେ ଖଣି ଖୋଳିବା ପାଇଁ କରିଥିବା ଯୋଜନା, ଯାହାକୁ ରାଜ୍ୟ ସରକାର ଏଇ ନିକଟରେ ଅନୁମୋଦନ ଦେଇଛନ୍ତି, ତାହାକୁ ବିରୋଧ କରିଛି। ସ୍ଥାନୀୟ ଅଧିବାସୀ କହିଥିଲେ ଯେ, ସେମାନଙ୍କ ମୂଳ ଡର ଥିଲା ଜମିକୁ ପାଣି ଦେଉଥିବା ଓ ବର୍ଷତମାମ ଫସଲ ଅମଳ ପାଇଁ ସୁଯୋଗ ଦେଉଥିବା ପାହାଡ଼ି ଝରଣାକୁ ଖଣିଖାଦାନର ପରିବେଶଗତ ପ୍ରଭାବ ଯେପରି ନଷ୍ଟ କରି ନଦିଏ।

ଛେଳିଆଟୋକା ଖାଦାନ ଅଞ୍ଚଳ ଖଣ୍ଡାଧାର ଜଳପ୍ରପାତର ୮୦୦ଫୁଟ ନିକଟରେ ରହିଛି, ଯାହା ରାଜ୍ୟରେ ଦ୍ୱିତୀୟ ସର୍ବୋଚ୍ଚ। 

ଏହି ଲେଖାର ଗୋଟିଏ ବିବରଣ ୨୦୧୪ ମେ’ମାସ ‘ଡାଉନ୍ ଟୁ ଆର୍ଥ’ରେ ପ୍ରଥମେ ପ୍ରକାଶିତ ହୋଇଥିଲା ଏବଂ ଏଠାରେ ପୁଣିଥରେ ତାକୁ ପାଇହେବ ।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଲେଖକ ପରିଚୟ: ଚିତ୍ରାଙ୍ଗଦା ଚୌଧୁରି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କୋର୍ ଗ୍ରୁପର ସଦସ୍ୟ ।

Other stories by Chitrangada Choudhury