କେ.ଏନ୍‌. ମହେଶ ଜଣେ ପ୍ରଶିକ୍ଷିତ ପ୍ରକୃତିବାଦୀ ଯିଏକି ପୂର୍ବରୁ ବାଣିଜ୍ୟ ଅଧ୍ୟୟନ କରିଥିଲେ। ସେ ଏବଂ ତାଙ୍କ ପିତା କୁନାଗହାଲି ଗ୍ରାମରେ ଚାଷ କାମ କରନ୍ତି। ଯେତେବେଳେ ସେ ଏହି ନିବନ୍ଧ ପାଇଁ ଫଟୋ ନେଇଥିଲେ ସେତେବେଳେ ସେ ବାନ୍ଦିପୁର ଜାତୀୟ ଉଦ୍ୟାନରେ ଅନୁପ୍ରବେଶକାରୀ ଜଙ୍ଗଲୀ ଗୁଳ୍ମ ଅପସାରଣ ପାଇଁ କାର୍ଯ୍ୟରତ ଏକ ସ୍ଥାନୀୟ ଅଣ ସରକାରୀ ସଂଗଠନ ସହ କାମ କରୁଥିଲେ।

ତାଙ୍କ ଫଟୋ ନିବନ୍ଧ ବନ୍ୟଜୀବଙ୍କ ସହ ରହଣୀ ସମ୍ପର୍କରେ ଏକ ବୃହଦ୍‌ ସହଯୋଗୀ ଫଟୋଗ୍ରାଫି ପରିଯୋଜନାର ଏକ ଏବଂ ପରିରେ ଛଅଟି ଶୃଙ୍ଖଳ ମଧ୍ୟରୁ ଚତୁର୍ଥ।୨୭ ବର୍ଷ ବୟସ୍କ ମହେଶ କୁହନ୍ତି, ‘‘ଯେତେବେଳେ ମତେ କ୍ୟାମେରା ଦିଆଗଲା ସେତେବେଳେ ମତେ କ୍ଲିକ୍‌ କରିବା ମଧ୍ୟ ଜଣା ନଥିଲା ଏବଂ ଫଟୋ ନେବାକୁ ମତେ ସଙ୍କୋଚ ଲାଗୁଥିଲା। ଏହାପରେ ମତେ ଯାହା କିଛି ନୂଆ ଏବଂ ମଜାଦାର ଲାଗିଲା, ମୁଁ ତାହାର ଫଟୋ ନେବା ଆରମ୍ଭ କଲି। ମତେ ଏହି ପ୍ରୋଜେକ୍ଟ ଖୁବ୍‌ ଭଲ ଲାଗିଲା: ଏହା ଦେଇ ଗ୍ରାମମାନଙ୍କରେ କ’ଣ ହେଉଛି ତାହା ଆମେ ଦେଖିଲୁ। ’’

PHOTO • K.N. Mahesha

ମହେଶଙ୍କ ଆଶା ଏହି ପରିଯୋଜନା କର୍ଣ୍ଣାଟକର ଚାମରାଜାନଗର ଜିଲ୍ଲାର ବାନ୍ଦିପୁର ଚାରିପାଖରେ ଥିବା ଗ୍ରାମଗୁଡ଼ିକ କି କି ପ୍ରକାର ସମସ୍ୟାକୁ ସାମ୍ନା କରୁଛନ୍ତି ତାହା ସମ୍ପର୍କରେ ଅଧିକ ଲୋକ ସଚେତନ ହେବେ

PHOTO • K.N. Mahesha

ତରଭୁଜର କ୍ଷେତ: ‘‘ଏହା ମୋ ପଡ଼ୋଶୀଙ୍କ କ୍ଷେତ, ଏବଂ ମହିଳାମାନେ ତରଭୁଜ କ୍ଷେତରୁ ବାଳୁଙ୍ଗା କାଢ଼ି ବାହାର କରୁଛନ୍ତି। ବେଳେ ବେଳେ ବାର୍‌ହା ଏବଂ ହାତୀମାନେ ଏଠାକୁ ଆସନ୍ତି। ନିକଟରେ ବାର୍‌ହାମାନେ ବଡ଼ ସମସ୍ୟା ହୋଇଯାଇଛନ୍ତି। ହାତୀମାନଙ୍କୁ ଅଟକାଇବା ପାଇଁ ବାଡ଼ ଏବଂ ଖାଇ ଅଛି, କିନ୍ତୁ ବାର୍‌ହାମାନେ ବାଡ଼ ତଳ ଖୋଳି ଦେଇ କ୍ଷେତକୁ ଚାଲିଆସନ୍ତି ଏବଂ ତରଭୁଜ ସ୍ୱାଦିଷ୍ଟ ହୋଇଥିବାରୁ ତାହା ଖାଇ ଦିଅନ୍ତି। ଲୋକମାନେ ନିଜ ନିଜର ଫସଲ ଜଗିବା ପାଇଁ ରାତିରେ ମଧ୍ୟ କ୍ଷେତ ଉପରେ ନଜର ରଖନ୍ତି, ବାର୍‌ହାମାନଙ୍କୁ ଦୂରରେ ରଖିବା ପାଇଁ ସେମାନେ ଆଲୋକ ବ୍ୟବହାର କରନ୍ତି। କିନ୍ତୁ ଯେତେବେଳେ ବିଦ୍ୟୁତ୍‌ ନଥାଏ ସେତେବେଳେ ବାର୍‌ହାମାନେ ଆସନ୍ତି। ଗତ ଥର ସେମାନେ ଅଧ ଏକର ଜମିର ତରଭୁଜ ଖାଇଦେଇଥିଲେ।’’

PHOTO • K.N. Mahesha

ଟମାଟୋର କ୍ଷେତ: ‘‘ବାର୍‌ହାମାନେ ଅଧିକାଂଶ ସମୟରେ ଆସନ୍ତି ଏବଂ ଟମାଟୋ କ୍ଷେତ ଉଜାଡ଼ି ଦିଅନ୍ତି। ଆମେ ସୋଲାର ବାଡ଼ ଦ୍ୱାରା କ୍ଷେତକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁ। ସେମାନେ କନ୍ଦ ଖୋଜି ଖୋଜି ଏଠାକୁ ଆସନ୍ତି ଏବଂ ଗଛଗୁଡ଼ିକ ଖୋଳି ଦିଅନ୍ତି- ସେମାନେ ଅଧିକ ଟମାଟୋ ଖାଆନ୍ତି ନାହିଁ, ନଚେତ୍‌ ସେଗୁଡ଼ିକ ମଧ୍ୟ ଖିଆହୋଇ ଯାଆନ୍ତା। ଆମେ ଆମ ଟମାଟୋ ପାଇଁ ଅଧିକ ମୂଲ୍ୟ ପାଉନୁ। ଗତ ବର୍ଷ ଦର ଖୁବ୍‌ କମ୍‌ ଥିଲା, ଟଙ୍କାକୁ ଏକ କେଜି। ତେଣୁ ଆମକୁ ସବୁ ଟମାଟୋ ଫୋପାଡ଼ିବାକୁ ହେଲା କିନ୍ତୁ ଏବେ ଦର ୪୦ ଟଙ୍କାରେ ପହଞ୍ଚିଛି"

PHOTO • K.N. Mahesha

ଲଢ଼ୁଥିବା ଷଣ୍ଢ: ‘‘ଏଗୁଡ଼ିକ ବୁଲା ଷଣ୍ଢ। ଆଜି ତୁଳନାରେ ପୂର୍ବେ ଲୋକଙ୍କ ପାଖରେ ଅଧିକ ବୁଲାଗାଈ ଥିଲେ। ସେମାନଙ୍କୁ ଜଙ୍ଗଲରେ ଚରିବାକୁ ପଠାଇ ଦିଆଯାଉଥିଲା। କିନ୍ତୁ ଏବେ ଏଥିପାଇଁ ଅନୁମତି ନାହିଁ। ଏବେ ଅଧିକ ଲୋକଙ୍କ ପାଖରେ କିଛି ହାଇବ୍ରିଡ୍‌ ଗାଈ ଅଛନ୍ତି, ସେଗୁଡ଼ିକ ଅଧିକ ଦାମୀ ଏବଂ ସମ୍ବେଦନଶୀଳ। ମାତ୍ର ଦେଶୀଗାଈଙ୍କ ତୁଳନାରେ ସେମାନେ ଅଧିକ ଦୁଗ୍ଧ ଦିଅନ୍ତି। ଦେଶୀଗାଈଙ୍କୁ ମୁଖ୍ୟତଃ ସେମାନଙ୍କ ଗୋବର ପାଇଁ ରଖାଯାଉଛି। କେରଳରୁ ଲୋକମାନେ ଆସି ଗୋବର କିଣନ୍ତି। କିନ୍ତୁ ଏବେ ବହୁତ କମ୍‌ ଗାଈ ଅଛନ୍ତି।’’

PHOTO • K.N. Mahesha

ଗାଈଗୋଠ: "ଏହା ହାଦିନାକାନିଭ୍‌ରେ [ସଙ୍ଗୀତର ଉପତ୍ୟାକା] ଅଛି। ଫଟୋରେ ଥିବା ମହିଳା ଜଣେ ଜେନୁ କୁରୁବା ଆଦିବାସୀ । ସେ ଜଙ୍ଗଲରେ ନିଜ ଗାଈ ଚରାଉଛନ୍ତି। ମୁଁ ତାଙ୍କୁ ସବୁଦିନ ଦେଖେ। ତାଙ୍କ ପାଖରେ ବୋଧହୁଏ ୧୦୦-୧୫୦ ଗାଇ ଅଛନ୍ତି।  ସେମାନେ ମୋ ପାଖରେ ଅଭିଯୋଗ କରୁଥିଲେ ଯେ ନିକଟରେ ଜଙ୍ଗଲୀ ପଶୁ ତାଙ୍କର ଦୁଇଟି ଗାଈ ଏବଂ ଗୋଟିଏ ବାଛୁରୀକୁ ମାରି ଦେଇଛନ୍ତି। ତେଣୁ ସେମାନେ ନିଜ ନିଜର ଗୋରୁଙ୍କୁ ଚରାଇବା ପାଇଁ ଦଳ ହୋଇ ଯାଉଛନ୍ତି। ସେମାନେ ଜଙ୍ଗଲ ପାଖରେ ହିଁ ରୁହନ୍ତି – ଜଙ୍ଗଲ ମଧ୍ୟରେ ଗାଈ ଚରାଇବା ବେଆଇନ ମାତ୍ର ସେମାନେ କୁହନ୍ତି ସେମାନଙ୍କର ଯଥେଷ୍ଟ ଚାରଣଭୂମି ନାହିଁ ତେଣୁ ସେମାନେ ଜଙ୍ଗଲକୁ ସେମାନଙ୍କ ଗାଈଗୋରୁଙ୍କ ସହ ଯାଉଛନ୍ତି

PHOTO • K.N. Mahesha

ଛାଇ ତଳେ ଖାଉଥିବା ଗାଈ: “ସେ ମୋର ପଡ଼ୋଶୀ, ସେ ତିନୋଟି ହାଇବ୍ରିଡ୍‌ ଗାଈର ମାଲିକ। ସେ ନିଜ ଗାଈମାନଙ୍କୁ ଖୁଆଇବା ପାଇଁ ସାରାବର୍ଷ ପାଇଁ ଅଧିକ ପରିମାଣର ଚାରା ସାଇତି ରଖନ୍ତି। ସେ ବୁଟ, ବିନ୍‌ ଚୋକଡ଼, ମକା ଆଦି ସଂଗ୍ରହ କରି ରଖନ୍ତି।  ଖରାଦିନେ ଯେତେବେଳେ ଘାସ ନ ମିଳେ ସେତେବେଳେ ସେ ନିଜ ଗାଈମାନଙ୍କୁ ଏହା ଖୁଆଇ ପାରିବେ । ହାଇବ୍ରିଡ୍‌ ଗାଈ ଅଧିକ ଗରମ ସହ୍ୟ କରିପାରନ୍ତି ନାହିଁ  ତେଣୁ ସେ ସେମାନଙ୍କ ପାଇଁ ଏକ ଶେଡ୍‌ ନିର୍ମାଣ କରିଛନ୍ତି, ସେମାନେ ଖୁବ୍‌ ସମ୍ବେଦନଶୀଳ। ପାଣି ବାଜରା ପିଡିଆ, ଏବଂ ଅନ୍ୟାନ୍ୟ ଜିନିଷ  ସେମାନଙ୍କ ପାଇଁ ସିଧାସଳଖ ଶେଡ୍‌ ତଳେ ଯୋଗାଇ ଦିଆଯାଏ।’’

PHOTO • K.N. Mahesha

ଗାଈନାଲ: “ ଏହା ଷଣ୍ଢମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଯେମିତି ଆମେ ଯୋତା ପିନ୍ଧୁ ସେମିତି ଷଣ୍ଢଙ୍କୁ ଗୋଟେ ଲାଲା (‘ଗୋଟିଏ ନାଲ’)। ସେମାନେ ଗୋଡ଼ି ଥିବା ମାଟିରେ ଖାଲିରେ ଚାଲନ୍ତି ତେଣୁ ଏହା ଖୁବ୍‌ ଜରୁରୀ। ପ୍ରତିମାସରେ ଗୁଣ୍ଡଲୁପେଟ୍‌( ପ୍ରାୟ ୨୨ କିଲୋମିଟର ଦୂରରେ ଥିବା ସହର)ରୁ ଜଣେ ବ୍ୟକ୍ତି ଆସନ୍ତି ଏବଂ ଏହା କରନ୍ତି। କିଛି ଲୋକ ଗାଈ ପାଇଁ ମଧ୍ୟ ଏହା କରନ୍ତି। କିନ୍ତୁ ସବୁ ଷଣ୍ଢଙ୍କ ପାଇଁ ଏହା ପ୍ରତି ଛଅ ସପ୍ତାହରେ ଥରେ ଆବଶ୍ୟକ ହୋଇଥାଏ। ’’

PHOTO • K.N. Mahesha

ବାଳୁଙ୍ଗା: “ଜଙ୍ଗଲରେ ବିଭିନ୍ନପ୍ରକାର ଅନାବନାଗଛ ଏବଂ ବାଳୁଙ୍ଗା ଉଠୁଛି । ଏହା ଘାସଉଠିବା କମ୍‌ କରାଉଛି। ଲାଣ୍ଟାନା ଏବଂ ୟୁପାଟୋରିୟମ୍‌ ଗଛ ଉଠିବା ଏଠାରେ ବଢ଼ି ଯାଇଛି।  ଏହି କାରଣରୁ ବାଘ ପରି ଜୀବମାନଙ୍କର ଶିକାରର ଆଧାର କମ୍‌ ହେଉଛି ଏବଂ ସେମାନେ ବାହାରକୁ ଆସୁଛନ୍ତି ଏବଂ ଆମ ମେଣ୍ଢା ଏବଂ ଛେଳି ଉପରେ ଆକ୍ରମଣ କରୁଛନ୍ତି । ଆମେ (ଏନ୍‌ଜିଓ ଜଙ୍ଗଲ୍‌ସ୍କେପ୍‌ସ, ଯେଉଁଠାରେ ମହେଶ କାମ କରନ୍ତି) ବନବିଭାଗ ପାଇଁ ଏହି ବାଳୁଙ୍ଗା ବାଛିବା କାମ କରୁଛୁ।  ଆମେ ଆଶା କରୁଛୁ ଘାସ ବଢିବ ଏବଂ ହରିଣ, ସମ୍ବର ଏବଂ ଅନ୍ୟ ଜୀବଙ୍କ ପାଇଁ ଖାଦ୍ୟ ହେବ।  ଏହାପରେ ବାଘ, ହେଟାବାଘ ଏବଂ ଚିତାବାଘ ସେମାନଙ୍କୁ ଖାଇବେ ଏବଂ ଜଙ୍ଗଲ ବାହାରକୁ ଆସିବେ ନାହିଁ। ଏହି ଫଟୋରେ ଥିବା ଲୋକମାନେ ଜେନୁ କୁରୁବା ଆଦିବାସୀ ସମୂହର, ଯେଉଁମାନଙ୍କୁ ଏହି କାମ ଦ୍ୱାରା ରୋଜଗାରର ଅବସର ମିଳୁଛି। ଏହି କାମ ଜଙ୍ଗଲ ଏବଂ ଲୋକ ସମସ୍ତଙ୍କ ପାଇଁ ଭଲ।’’

PHOTO • K.N. Mahesha

ବନାଗ୍ନି: ‘‘ଏହା ସକାଳର ସମୟ ଥିଲା, ସେତେବେଳେ ମୁଁ ୟେଲାଚଟ୍ଟି ନିକଟସ୍ଥ ଡୋଙ୍କିବେଟ୍ଟା ଠାରେ କାମ କରୁଥିଲି।  ଜଙ୍ଗଲ ବିଭାଗ ନିଁଆ ଲିଭାଇବାକୁ ଚେଷ୍ଟା କରୁଥିଲା। କେତେକ ଗ୍ରାମବାସୀ ନିଁଆ ଲଗାଇ ଦେଇଥିଲେ। କାରଣ ସେମାନେ ଭାବନ୍ତି ଏହି ମୋଟା ବୁଦାଗୁଡ଼ିକ ଚାଲିଗଲେ ସେଠାରେ ଘାସ ଉଠିବା ସହଜ ହେବ ଏବଂ ଖରାଦିନେ ଯେତେବେଳେ ଘାସ କମ୍‌ ହୋଇଯିବ ସେତେବେଳେ ସେମାନଙ୍କ ଗାଈଗୋରୁ ଏହା ଚରିବେ। କିନ୍ତୁ ସେମାନେ ବୁଝନ୍ତି ନାହିଁ ଯେ ଏହି ନିଁଆ ଛୋଟ ଜୀବ ଏବଂ ପକ୍ଷୀମାନଙ୍କୁ ମଧ୍ୟ ମାରିଦିଏ। ଏଠାରେ ନିଁଆ ହିଁ ମୁଖ୍ୟ ସଂଘର୍ଷ।’’ 

PHOTO • K.N. Mahesha

ମାହୁନ୍ତ: ‘‘ସେ କୃଷ୍ଣ, ଜଣେ ମାହୁନ୍ତ। ମୁଁ ତାଙ୍କୁ ସବୁଦିନ ସକାଳେ ଦେଖେ । ସେ ହାତୀକୁ ଜଙ୍ଗଲକୁ ନେଇ ଯାଉଛି। ସେମାନେ ରାଗୀ ନାମକ ଏହି ହାତୀକୁ ସବୁଦିନ ସକାଳେ ୯:୩୦ ସୁଦ୍ଧା ଖୁଆନ୍ତି ଏବଂ ସଂଧ୍ୟା ସୁଦ୍ଧା ଫେରି ଆସି ଖୁଆନ୍ତି। ଏହା ଏକ ଆକୁମୀ [ପୋଷା ମାନିଥିବା ତଥା ତାଲିମ ପ୍ରାପ୍ତ ହାତୀ] ଜଙ୍ଗଲ ବିଭାଗ ଦ୍ୱାରା ବ୍ୟବହୃତ ହୁଏ।  ଅନ୍ୟମାନଙ୍କ ତୁଳନାରେ ଏହା ଏକ ଭଲ ହାତୀ।’’  

PHOTO • K.N. Mahesha

ରାଜକୁମାର : ‘‘ ସେ ମୋର ସବୁଠାରୁ ପ୍ରିୟ ବାଘ, ପ୍ରିନ୍ସ ବା  ରାଜକୁମାର। ତା’ ବୟସ ୧୧-୧୨। ବାନ୍ଦିପୁରରେ ପ୍ରିନ୍ସ ସମସ୍ତଙ୍କର ପ୍ରିୟ ବାଘ। ମୁଁ ତାକୁ ଅନେକ ଥର ଦେଖିଛି। ଥରେ ସେ ଦେଖାଗଲେ ୧-୨ ଘଣ୍ଟା ରହେ। ସେ ଆସିବ ଏବଂ ଖୁବ୍ ପାଖରେ ବସିଯିବ। ନିକଟରେ ତା’ ସହ ଖୁବ୍‌ ନିକଟରୁ ମୁଁହାମୁଁହି ହୋଇଥିଲା। ମୁଁ ଗୋଟିଏ ସଫାରିରେ ଯାଇଥିଲି ଏବଂ ତାକୁ ଦେଖିଲି, ମୁଁ ଯେଉଁଠାରେ ଜିପ୍‌ରେ ଥିଲି  ସେ ସେଠାକୁ ଖୁବ୍‌ ପାଖକୁ ଚାଲି ଆସିଲା। ସେଦିନ ମୁଁ ଖୁବ୍‌ ଡରିଯାଇଥିଲି। ’’

PHOTO • K.N. Mahesha

ସର୍ପ ଛଞ୍ଚାଣ: “ଏହା ଏକ ଶିକାରୀ ପକ୍ଷୀ । ଏହା ମୁଖ୍ୟତଃ ସାପଙ୍କୁ ଖାଏ। ଏହି ଅଞ୍ଚଳରେ ଏହା ଅନେକ ସମୟରେ ଦେଖାଯାଏ। ”

ଏହି କାର୍ଯ୍ୟ କର୍ଣ୍ଣାଟକର ମଙ୍ଗଳା ଗ୍ରାମରେ ଥିବା ମାରିୟମା ଚାରିଟେବୁଲ୍‌ ଟ୍ରଷ୍ଟ ସହ ସମନ୍ୱୟରେ ଜାରେଡ୍‌ ମାର୍ଗୁଲିଜ୍‌ଙ୍କ ଦ୍ୱାରା କରାଯାଇଛି। ମାରିୟମା ଚାରିଟେବୁଲ୍‌ ଟ୍ରଷ୍ଟର ସହୃଦୟ ସହଯୋଗ କ୍ରମେ ବାଲ୍‌ଟିମୋର୍‌ କାଉଣ୍ଟିର ମ୍ୟାରିଲାଣ୍ଡ ବିଶ୍ୱବିଦ୍ୟାଳୟର ୨୦୧୫-୨୦୧୬ ଫୁଲ୍‌ ବ୍ରାଇଟ୍‌ ନେହରୁ ଛାତ୍ର ଗବେଷଣା ଅନୁଦାନ ନାମକ ଏକ ସ୍ନାତକ ଛାତ୍ର ସଂଘ ଗବେଷଣା ଅନୁଦାନ ସହଯୋଗ କ୍ରମେ କରାଯାଇଛି। ସର୍ବୋପରି ଏଥିରେ ଫଟୋଗ୍ରାଫର୍‌ମାନଙ୍କର ଭାଗୀଦାରି, ଆଗ୍ରହ ଏବଂ ଉଦ୍ୟମ ମଧ୍ୟ ରହିଛି। ବିଷୟବସ୍ତୁ ଅନୁବାଦ ନିମନ୍ତେ ବି.ଆର୍‌ ରାଜୀବଙ୍କର ସହଯୋଗ ମଧ୍ୟ ଅମୂଲ୍ୟ। ପରିର କ୍ରିଏଟିଭ୍‌ କମନ୍‌ସ ନୀତି ଅନୁଯାୟୀ ସମସ୍ତ ଫଟୋର ସତ୍ତ୍ୱାଧିକାର ଫଟୋଗ୍ରାଫରଙ୍କର। ସେଗୁଡ଼ିକର ବ୍ୟବହାର ଏବଂ ପୁନର୍ଗଠନ ସଂକ୍ରାନ୍ତ ସମସ୍ତ ପ୍ରଶ୍ନ ପରିକୁ ନିର୍ଦ୍ଦେଶିତ ହେବା ଆବଶ୍ୟକ।

ସମ୍ପର୍କିତ କାହାଣୀଗୁଡ଼ିକ:

ଯେତେବେଳେ ଜୟମା ଚିତାବାଘ ଠାବ କଲେ

ଆମର ପାହାଡ଼ ଅଛି ଓ ଜଙ୍ଗଲ ଅଛି ଏବଂ ଆମେ ଏଠାରେ ରହୁ’ 

ବାନ୍ଦିପୁରରେ ଅମଳ ସହ ଘରେ

‘ଏଠାରେ ଚିତାବାଘ ଏବଂ ବାଘ ଆକ୍ରମଣ କରନ୍ତି’

ମୁଁ ତା’ର ଫଟୋ ନେବାପରେ ଏହି ବାଛୁରୀ ହଜିଯାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

K.N. Mahesha

K.N. Mahesha is a trained naturalist and cultivator from Kunagahalli village; he works in Bandipur National Park, Karnataka.

Other stories by K.N. Mahesha