ଦକ୍ଷିଣ କୋଲକାତାର ଯାଦବପୂର ରେଳ ଷ୍ଟେସନ୍‌ର ଭିଡ଼ ପରିପୂର୍ଣ୍ଣ ପ୍ଲାଟ୍‌ଫର୍ମରେ ଛିଡ଼ା ହୋଇ ବ୍ରେଷ୍ପତି ସର୍ଦ୍ଦାର ପାଟି କରି କହିଲେ, ‘‘ଆପଣ ଭାବୁଛନ୍ତି କି ଆଜି ଟ୍ରେନ୍‌ ଭିତରେ ବସିବାକୁ କୌଣସି ସ୍ଥାନ ଥିବ।’’  ତାଙ୍କ ପାଖରେ ଛିଡ଼ା ହୋଇଥିବା ମହିଳା ଜଣକ ମୁହଁ ଶୁଖାଇ ମୁଣ୍ଡ ହଲାଇ ମନା କରିବା ସହ ଏହି ପ୍ରଶ୍ନରେ ହସିଲେ।

ବ୍ରେଷ୍ପତି ଅପରାହ୍ଣ ୪.୩୫ର କାନିଙ୍ଗ ଯିବାକୁ ଥିବା ଟ୍ରେନ୍‌ ଆସିବାକୁ ଅପେକ୍ଷା କରିଛନ୍ତି । ଟ୍ରେନ୍‌ଟି ଯାଦବପୁର ଷ୍ଟେସନ୍‌ରେ ପହଞ୍ଚିଲା। ପୂର୍ବରୁ ଭର୍ତ୍ତି ହୋଇସାରିଥିବା ଦୁଇ ମହିଳା କମ୍ପାର୍ଟମେଣ୍ଟ୍  ମଧ୍ୟରୁ ଗୋଟିକରେ ପଶିବା ଲାଗି ମହିଳାମାନେ ନିଜକୁ ଭିଡ଼ ଭିତରକୁ ଠେଲି ଦେଲେ।

ଟ୍ରେନ୍‌ଟି ପାର୍କ୍ ସର୍କସ୍, ବଲିଗଞ୍ଜ ଜଙ୍କସନ୍‌ ଏବଂ ଧାକୁରିଆରେ ଅଟକି ସିଆଲ୍‌ଦା ଷ୍ଟେସନ୍‌ରୁ ଉତ୍ତର କୋଲ୍‌କାତାରେ ପହଞ୍ଚିଲା। ଯାଦବପୁର ପରେ  ଏହା ବାଘାଯତିନ୍‌, ନ୍ୟୁ ଗରିଆ ଏବଂ ଗରିଆ ଆଦିରେ ଅଟକିବ- ଏସବୁ ଦକ୍ଷିଣ କୋଲକାତାର ମଧ୍ୟବିତ୍ତ ଏବଂ ସମ୍ପନ୍ନ ଶ୍ରେଣୀ ଅଞ୍ଚଳ। ଯାଦବପୁର ଏବଂ ଏହି ରାସ୍ତାରେ ଥିବା ଅନ୍ୟ ଷ୍ଟେସନ୍‌ଗୁଡ଼ିକରେ ଅପେକ୍ଷା କରିଥିବା ମହିଳାମାନେ-ଦକ୍ଷିଣ କୋଲକାତାର ଏସବୁ ଅଞ୍ଚଳରେ  ଘରୋଇ ସହାୟିକା ଭାବରେ କାମ କରନ୍ତି। 

ସେମାନଙ୍କ ମଧ୍ୟରୁ ଅନେକ ୧୬ ଟି ଷ୍ଟେସନ୍‌ ଦେଇ ଯାଉଥିବା ୪୫ କିଲୋମିଟର ଦୀର୍ଘ  ସିଆଲ୍‌ଦା-କାନିଙ୍ଗ ରୁଟ୍‌ ଏବଂ ୨୫ଟି ଷ୍ଟେସନ୍‌ ଦେଇ ଯାଉଥିବା ୬୫ କିଲୋମିଟର ଦୀର୍ଘ ସିଆଲ୍‌ଦା- ଲକ୍ଷ୍ମୀକାନ୍ତପୁର ରୁଟ୍‌ କିମ୍ବା ଆହୁରି ଦକ୍ଷିଣକୁ ଯାଉଥିବା ସିଆଲ୍‌ଦା-ନାମ୍‌ଖାନା ଲାଇନ୍‌ ଧରନ୍ତି। ତେଣୁ କୋଲ୍‌କାତାରେ କେତେକ ଏହାକୁ ‘ଝି  ସ୍ପେସାଲ୍‌’ ବୋଲି ମଧ୍ୟ କହିଥାନ୍ତି।  ଝି ବଙ୍ଗଳାଭାଷାରେ ମହିଳା ଘରୋଇ କାମବାଲୀଙ୍କ ପାଇଁ ଏକ ଘୃଣ୍ୟ ଶବ୍ଦ।  

Breshpati Sardar and other women workers on a crowded train from Sealdah to Canning, via Jadavpur
PHOTO • Urvashi Sarkar
Breshpati Sardar and other women workers on a crowded train from Sealdah to Canning, via Jadavpur
PHOTO • Urvashi Sarkar

ସିଆଲଦା-କାନିଙ୍ଗ୍‌ ଟ୍ରେନ୍‌ରେ: କୋଲ୍‌କାତାରେ କେତେକ ଏହାକୁ ‘ ଝି  ସ୍ପେସାଲ୍‌’ ବୋଲି ମଧ୍ୟ କହିଥାନ୍ତି। – ‘ ଝି' ବଙ୍ଗଳାଭାଷାରେ ମହିଳା ଘରୋଇ କାମବାଲୀଙ୍କ ପାଇଁ ଏକ ଘୃଣ୍ୟ ଶବ୍ଦ।  

ସେହି ଅପରାହ୍ଣରେ କାମରୁ ଘରକୁ ଫେରୁଥିବା ବେଳେ ଏକ କମଳା ରଙ୍ଗର ଶାଢ଼ି, ଲାଲ୍‌ ବିନ୍ଦି ପିନ୍ଧି ଏକ ଧଳା ହ୍ୟାଣ୍ଡବ୍ୟାଗ୍‌ ଧରିଥିବା ବ୍ରେଷ୍ପତି ଠେଲା ଠେଲି ହୋଇ କମ୍ପାର୍ଟମେଣ୍ଟ ଭିତରକୁ ଯିବାପାଇଁ ନିଜର ରାସ୍ତା କରିନେଲେ। ଭିତରେ ଦେହ, ଚୁଡ଼ି ଏବଂ ବ୍ୟାଗ୍‌ ଗୁଡ଼ିକର ଠେଲା ପେଲା ଭିତରେ ସେ କେବଳ ଠିଆ ହୋଇ ରହିବା ପରି ଅଣଓସାରିଆ ସ୍ଥାନ ଖଣ୍ଡେ ପାଇଗଲେ। ଏବଂ ବାରମ୍ବାର ନିକଟସ୍ଥ ଝରକା ପାଖ ସିଟ୍‌କୁ ଦେଖୁଥିଲେ। ଯେତେବେଳେ ସେହି ସିଟ୍‌ରେ ବସିଥିବା ବ୍ୟକ୍ତି ଜଣକ ଯିବାପାଇଁ ଉଠିଲେ ସେତେବେଳେ ବ୍ରେଷ୍ପତି ସେହି ଇପ୍‌ସିତ ସିଟ୍‌ ଖଣ୍ଡକ ପାଇବା ପାଇଁ ଝାମ୍ପି ପଡ଼ିଲେ। ଅନ୍ୟଜଣେ ମହିଳା ଯାହାଙ୍କୁ ଠେଲିଦିଆଗଲା ସେ ତାଙ୍କ ଉପରେ ଚିତ୍କାର କଲେ।

ଗୋଟେ ଝଗଡ଼ା ଆରମ୍ଭ ହେଲା। ବ୍ରେଷ୍ପତିଙ୍କ କଣ୍ଠସ୍ୱର ବଡ଼ ହେଲା ଏବଂ ସେ ରାଗରେ ଲାଲ୍‌ ପଡ଼ିଗଲେ। ଅନ୍ୟ ମହିଳାମାନେ ଶୀଘ୍ର ହସ୍ତକ୍ଷେପ କଲେ। ସେ ଶାନ୍ତ ହୋଇଗଲେ ଏବଂ ଅନ୍ୟ ମହିଳାଙ୍କ କୋଳରେ ବସିଲେ। ତାଙ୍କ ଚେହେରାକୁ ହସ ଫେରିଲା ଏବଂ ସେ ଖୁସିରେ ତାଙ୍କ ପାଖରେ ବସିଥିବା ମହିଳାଙ୍କୁ ଗୋଟିଏ ସାପ ଗୋଟିଏ ଠେକୁଆକୁ ଖାଉଥିବାର ଭିଡ଼ିଓ ଦେଖାଇଲେ। ‘‘ମୁଁ ସାଧାରଣତଃ କେବେ ଝଗଡ଼ା ଝାଟିକୁ ଯାଏ ନାହିଁ କିନ୍ତୁ ଆପଣ ଦେଖିଲେନି କି ସେ ସ୍ତ୍ରୀ ଲୋକ କିପରି ବ୍ୟବହାର କରୁଥିଲା ’’ ସେ ରାଗିକରି କହିଲେ। 

ପ୍ରାୟ ୭୫ ମିନିଟ୍‌ ପରେ ଟ୍ରେନ୍‌ କାନିଙ୍ଗରେ ପହଞ୍ଚିଲା, ଯାଦବପୁରଠାରୁ ଏହା ପ୍ରାୟ ୪୫ କିମି ଦୁର ଯେଉଁଠାରୁ ବ୍ରେଷ୍ପତି ଟ୍ରେନ୍‌ ଧରିଥିଲେ। କାନିଙ୍ଗ୍ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୁନ୍ଦରବନ ଅଞ୍ଚଳର ବାହ୍ୟ ଅଂଶରେ ଅଛି। ସେମାନଙ୍କ ଘର ନିକଟରେ କାମ କରିବାର ବିକଳ୍ପ ନଥିବା ଏହି ମହିଳାମାନଙ୍କୁ ପ୍ରତିଦିନ ସହରକୁ ଆସିବାକୁ ବାଧ୍ୟ କରେ।

ବ୍ରେଷ୍ପତିଙ୍କ ଘର ଷ୍ଟେସନଠାରୁ ୩୦ ମିନିଟ୍‌ ପାଦଚଲା ଦୂରତ୍ୱରେ ମାର୍କେଟ୍ ନିକଟରେ ଅଛି। ରାସ୍ତାରେ ଯିବାବେଳେ ସେ ମୋତେ କହିଲେ, ‘‘ପୂର୍ବେ ମୁଁ ମୋ ପିତାମାତାଙ୍କ ସହ ରହୁଥିଲି ଏବଂ ସ୍କୁଲ ଯାଉଥିଲି।  କିନ୍ତୁ ପଞ୍ଚମ ଶ୍ରେଣୀ ପରେ ସେମାନଙ୍କ ପାଇଁ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇଗଲା।’’ ବ୍ରେଷ୍ପତିଙ୍କର ୩ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି।  ତାଙ୍କୁ ଯେବେ ୧୧ବର୍ଷ ହୋଇଥିଲା ସେବେଠାରୁ ସେ ଲୋକମାନଙ୍କ ଘରେ କାମ କରୁଛନ୍ତି ଏବଂ ସେବେଠାରୁ ଏହା ଚାଲିଛି। ସେ ୧୪ବର୍ଷ ବୟସରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ୨୮ବର୍ଷ।

At Breshpati Sardar’s home
PHOTO • Siddharth Adelkar
Breshpati Sardar’s daughters
PHOTO • Siddharth Adelkar

ବ୍ରେଷ୍ପତି ସର୍ଦ୍ଦାର ସକାଳ୪.୩୦ ସମୟରେ କାନିଙ୍ଗରୁ ଟ୍ରେନ୍‌ଧରି ଦକ୍ଷିଣ କୋଲକତାର ଯାଦବପୁର ଯାଆନ୍ତି ଏବଂ ସନ୍ଧ୍ୟା ୪.୩୫ ସମୟର ଟ୍ରେନ୍‌ ଧରି ନିଜର ଦୁଇ ବଖୁରିଆ ଘରକୁ ଫେରନ୍ତି (ବାମ):  ତାଙ୍କ ଦୁଇଝିଅ ସାନ୍ୟା ଏବଂ ତାନ୍ୟା ଏବଂ ଗୋଟିଏ ପୁଅ ତାଙ୍କ ପିତାମାତା ଏବଂ ଶାଶୂ ଶ୍ୱଶୁରଙ୍କ ପାଖରେ ରୁହନ୍ତି। କାରଣ ବ୍ରେଷ୍ପତି ଏବଂ ତାଙ୍କ ସ୍ୱାମୀଙ୍କ କାର୍ଯ୍ୟ ନିର୍ଘଣ୍ଟ ଏପରି ଯେ ସେମାନେ ଘର ପାଇଁ ସମୟ ପାଆନ୍ତି ନାହିଁ। 

ବ୍ରେଷ୍ପତିଙ୍କ ଝିଅମାନେ, ତାନ୍ୟା ୧୧ ଏବଂ ସାନ୍ୟା ୧୦ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଆମେ ତାଙ୍କ ଦୁଇ ବଖୁରିଆ ଘରେ ପହଞ୍ଚିବା ବେଳେ ତାଙ୍କୁ ଅପେକ୍ଷା କରି ରହିଥିଲେ।  ତାଙ୍କର ଗୋଟିଏ ୬ବର୍ଷର ପୁଅ, ବିଶ୍ୱଜିତ ମଧ୍ୟ ଅଛି। ପିଲାମାନେ ତାଙ୍କ ବାପା-ମା’ ଏବଂ ଶାଶୂ ଶ୍ୱଶୁରଙ୍କ ପାଖେ ରୁହନ୍ତି। ବ୍ରେଷ୍ପତି ଏବଂ ତାଙ୍କ ସ୍ୱାମୀ ସଞ୍ଜୀବ ସର୍ଦ୍ଦାରଙ୍କ କାର୍ଯ୍ୟନିର୍ଘଣ୍ଟ ସେମାନଙ୍କ ପାଇଁ କିଛି ବଳକା ସମୟ ରଖେନାହିଁ।  ସଞ୍ଜୀବ ଏକ ମିକ୍ଚର ତିଆରି ୟୁନିଟ୍‌ରେ କାମ କରନ୍ତି ଏବଂ ମାସକୁ ୯୦୦୦ ଟଙ୍କା ରୋଜଗାର କରନ୍ତି।

ସେଦିନ ସନ୍ଧ୍ୟାରେ ତାଙ୍କ ଝିଅମାନେ ବୁଲିବାକୁ ଆସିଥିଲେ।  ବ୍ରେଷ୍ପତି ସେମାନଙ୍କୁ ତେଲ ଏବଂ ପନିପରିବା କିଣିବାକୁ, ରୋଷେଇ ପାଇଁ ଗୋବର ଗ୍ୟାସ୍‌ ଚୂଲା ଲଗାଇବାକୁ ଏବଂ ନିକଟସ୍ଥ ଟ୍ୟୁବ୍‌ୱେଲ୍‌ରୁ ପାଣି ଆଣିବାକୁ କହିଲେ।  ସଞ୍ଜୀବ ମଧ୍ୟ ଖୁବ୍‌ଶୀଘ୍ର ଘରକୁ ଫେରିବେ।  ପରିବାରକୁ ଖାଇବାକୁ ଦେଇ ଓ ନିଜେ ଖାଇ ଏବଂ ବାସନ ଧୁଆଧୋଇ କରିବା ପରେ ବ୍ରେଷ୍ପତି କେଇଘଣ୍ଟା ଶୋଇବେ ଏବଂ ସକାଳ ୩ଟାରେ ଉଠିବେ। ଯଦ୍ଦ୍ୱାରା ସେ ୪.୩୦ ସମୟରେ ଯାଦବପୁରକୁ ଟ୍ରେନ୍‌ ଧରିବା ପାଇଁ ଠିକ୍ ସମୟରେ କାନିଙ୍ଗ୍ ଷ୍ଟେସନରେ ପହଞ୍ଚିବେ। ‘‘ଅନେକ ସମୟରେ ଏହା ଅନ୍ଧାରିଆ ଥାଏ, ବେଳେବେଳେ ଥଣ୍ଡା ଲାଗୁଥାଏ। କିନ୍ତୁ ମୁଁ କେବେ ଡରେ ନାହିଁ। କାରଣ ଆମ ପାଖ ପଡ଼ୋଶୀରୁ ଅନେକ ଲୋକ କୋଲକତାରେ ଲୋକମାନଙ୍କ ଘରେ କାମ କରିବା ପାଇଁ ଯାଆନ୍ତି ଏବଂ ଆମେ ଏକାଠି ଯାତ୍ରା କରୁ। ଆମେ ପରସ୍ପର ଡକାହକା ହୋଇ ସମସ୍ତଙ୍କ ଘର ଦେଇ ଯାଉ।’’ ସେ କୁହନ୍ତି।

ଏହାପରେ ବ୍ରେଷ୍ପତି ଦିନରେ ୬ଟି ଘରେ କାମ କରନ୍ତି।  ‘‘ମୋ କାମ ଭିତରେ ଥାଏ ରୋଷେଇ, ଲୁଗାସଫା, ବାସନ ମଜା ଏବଂ ସଫାସଫି। ମୁଁ ମାସକୁ ସମୁଦାୟ ୮,୫୦୦ ଟଙ୍କା ପାଏ। ମୁଁ ସାଧାରଣତଃ ମୋ ମାଲିକମାନଙ୍କ ଘରେ ଚା’ ଓ ଖାଦ୍ୟ ପାଇଯାଏ ଏବଂ ମାସକୁ ୩-୪ଦିନ ଛୁଟି।  କିନ୍ତୁ ସବୁ ମାଲିକମାନେ ଭଲ ନୁହନ୍ତି। ଥରେ ମୁଁ ଅଳ୍ପ କେଇଦିନ କାମକୁ ଯାଇପାରିନଥିଲି ବୋଲି ଜଣେ ମାଲିକ ମୋର ୨୦ ଦିନର ଦରମା କାଟି ଦେଇଥିଲେ।  ମୁଁ ସେଠାକୁ ଯିବା ବନ୍ଦ କରିଦେଲି।’’

ଯଦିଓ ତାଙ୍କ ମାଲିକମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ସହ ଭଲ ବ୍ୟବହାର କରନ୍ତି ବୋଲି ବ୍ରେଷ୍ପତି କୁହନ୍ତି, ତଥାପି ଘରୋଇ ସହାୟିକାମାନେ ସାଧାରଣତଃ କଷ୍ଟକର ପରିବେଶରେ କାମ କରନ୍ତି।  ଭଲ ପାରିଶ୍ରମିକର ଅଭାବ, ନିର୍ଦ୍ଦିଷ୍ଟ କାର୍ଯ୍ୟନିର୍ଘଣ୍ଟର ସୁବିଧା ନଥିବା, ଗାଳି ଏବଂ ଯୌନ ନିର୍ଯାତନ ଇତ୍ୟାଦି କେତେଗୁଡ଼ିଏ ପ୍ରସଙ୍ଗ ଯାହା ସେମାନେ ନିୟମିତ ଭାବରେ ସାମ୍ନା କରନ୍ତି ବୋଲି ଘରୋଇ ସହାୟିକାମାନଙ୍କ ସାମୂହିକ ସଙ୍ଗଠନ ଏବଂ ୟୁନିଅନ ଗ୍ରୀହୋ ଶ୍ରମିକ ଅଧିକାର ଅଭିଯାନ ପକ୍ଷରୁ ୨୦୧୬ରେ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ କୁହାଯାଇଥିଲା।

‘‘ଯଦି ମହିଳାମାନେ ଅଧିକ ପାରିଶ୍ରମିକ ମାଗିବେ ତେବେ ସେମାନେ କାମ ହରାଇ ପାରନ୍ତି। କାରଣ ଅନ୍ୟମାନେ କମ୍‌ ପାରିଶ୍ରମିକରେ କାମ କରିବାକୁ ରାଜି ହେବେ।  ଅନେକ ସମୟରେ ସେମାନଙ୍କୁ ବାସି ଖାଦ୍ୟ ଦିଆଯାଏ...’’

ଭିଡିଓ ଦେଖନ୍ତୁ: ସକାଳ ଟ୍ରେନ୍‌ରେ ଯାତ୍ରା କରିବା, ଘରୋଇ କାମ କରିବା।

ଏହି ସ୍ମାରକପତ୍ର ଚାଲାଣକାରୀ ଏବଂ କର୍ମନିୟୋଜନ ଏଜେନ୍ସିମାନଙ୍କ ଦ୍ୱାରା ଶିକାର ହେଉଥିବାର, ଘର ଛାଡ଼ିବା ପାଇଁ ବାଧ୍ୟ ହେଉଥିବା, କଲ୍ୟାଣ ବ୍ୟବସ୍ଥାର ଅଭାବ ଏବଂ କୌଶଳ ବିକାଶ ସୁଯୋଗର ଅଭାବ ଆଦି ପ୍ରସଙ୍ଗଗୁଡ଼ିକୁ ସୂଚିବଦ୍ଧ କରିଥିଲା।  ଏହା ସୂଚିତ କରିଥିଲା ଯେ ଘରୋଇ ସହାୟକମାନେ ଅସଙ୍ଗଠିତ କର୍ମଜୀବୀ ସାମାଜିକ ସୁରକ୍ଷା ଆଇନ (୨୦୦୮) ଏବଂ କର୍ମସ୍ଥଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା (ପ୍ରତିଷେଧକ, ନିଷେଧ ଏବଂ ଶୁଣାଣି) ଆଇନ୍‌, ୨୦୧୩ ଅଧୀନରେ ସ୍ୱୀକୃତି ପାଇଛନ୍ତି। କିନ୍ତୁ ସେମାନଙ୍କର କାର୍ଯ୍ୟ ପରିବେଶ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବା ଏବେ ମଧ୍ୟ ବାକି ଅଛି।

କେନ୍ଦ୍ର ସରକାର ମଧ୍ୟ ସାମାଜିକ ସୁରକ୍ଷା ସର୍ବନିମ୍ନ ମଜୁରି ଅନୁମୋଦନ ନେଇ ଘରୋଇ ସହାୟିକାମାନଙ୍କ ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରିଛନ୍ତି।  କିନ୍ତୁ ଏହାର କାର୍ଯ୍ୟକାରିତା ଦାୟିତ୍ୱ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି।

୨୦୧୮ ଜୁନ୍‌ରେ ପଶ୍ଚିମବଙ୍ଗ ଗୃହ ପରିଚାରିକା ସମିତି ନାମକ ଏକ ଘରୋଇ ସହାୟିକାମାନଙ୍କ ସଂଗଠନକୁ ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଟ୍ରେଡ୍‌ ୟୁନିଅନ୍‌ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହାପରେ ଉକ୍ତ ସଂଗଠନ ସେମାନଙ୍କ ଦାବି ରାଜ୍ୟ ସରକାରଙ୍କ ଆଗରେ ଉପସ୍ଥାପିତ କରିଥିଲା। ଏ ମଧ୍ୟରେ ଥିଲା ଘଣ୍ଟାକୁ ୫୪ଟଙ୍କା ମଜୁରି, ମାତୃତ୍ୱ ଅବକାଶ, ପ୍ରତିମାସରେ ୪ଦିନ ସବେତନ ଛୁଟି ଏବଂ କାର୍ଯ୍ୟସ୍ଥଳରେ ଶୌଚାଳୟ ବ୍ୟବହାର କରିବାର ଅଧିକାର।

‘‘ଘରୋଇ ସହାୟିକାମାନଙ୍କ ପାଇଁ କାର୍ଯ୍ୟ କରୁଥିବା କୋଲକତାର ଏନ୍‌ଜିଓ ପରିଚିତିର ଜନୈକ କର୍ମୀ ମଲ୍ଲିକା ଦାସ କୁହନ୍ତି, ‘‘ଯଦି ମହିଳାମାନେ ଅଧିକ ପାରିଶ୍ରମିକ ମାଗିବେ ତେବେ ସେମାନେ କାମ ହରାଇ ପାରନ୍ତି। କାରଣ ଅନ୍ୟମାନେ କମ୍‌ ପାରିଶ୍ରମିକରେ କାମ କରିବାକୁ ରାଜି ହେବେ।’’ ‘‘କାର୍ଯ୍ୟସ୍ଥଳରେ କ୍ରେଚ୍‌ ନାହିଁ, ତେଣୁ ସେମାନେ ପିଲାମାନଙ୍କୁ ଅନ୍ୟମାନଙ୍କ ପାଖରେ ଛାଡ଼ିଯିବାକୁ ବାଧ୍ୟ ହୁଅନ୍ତି।  ଅନେକ ସମୟରେ ସେମାନଙ୍କୁ ବାସିଖାଦ୍ୟ ଖାଇବାକୁ ଦିଆଯାଏ।  ଅନେକ ମାଲିକ ଏମାନଙ୍କ ସେମାନଙ୍କ ଶୌଚାଳୟ ବ୍ୟବହାର କରିବାର ଅନୁମତି ଦିଅନ୍ତି ନାହିଁ।  ରେଳଷ୍ଟେସନମାନଙ୍କରେ ଶୌଚାଳୟ ଅନେକ ସମୟରେ ବନ୍ଦ ଥାଏ, ଭଙ୍ଗାଥାଏ କିମ୍ବା ଏପରି ଖରାପ ସ୍ଥିତିରେ ଥାଏ ଯେ ମହିଳାମାନଙ୍କୁ ସନ୍ଧ୍ୟାରେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ନିଜକୁ ଅଟକାଇବାକୁ ପଡ଼େ।’’
Breshpati Sardar at Canning railway station in the morning
PHOTO • Siddharth Adelkar
Breshpati Sardar sitting in the train early in the morning
PHOTO • Siddharth Adelkar

ବ୍ରେଷ୍ପତି ସର୍ଦ୍ଦାର ସକାଳେ କାନିଙ୍ଗ୍ ରେଳଷ୍ଟେସନରେ ଏବଂ ଦିନ ହେବା ପୂର୍ବରୁ ଲୋକଙ୍କ ଘରେ କାମ କରିବା ପାଇଁ ଟ୍ରେନ୍‌ରେ 

ବ୍ରେଷ୍ପତିଙ୍କ ମାଲିକମାନେ ତାଙ୍କୁ ସେମାନଙ୍କର ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।   ‘‘ମୁଁ ନିଜ ହାତରେ ସେମାନଙ୍କ ଚପାତି ପାଇଁ ଅଟା ଚକଟେ ଏବଂ ପରିବା କାଟେ। ସେମାନେ କାହିଁକି ବିରୋଧ କରିବେ?’’ ତାଙ୍କର ସବୁଠୁ ବଡ଼ ଅସ୍ୱସ୍ତି ଯେଉଁସବୁ ଘରେ କାମ କରନ୍ତି, ସେଠାରେ ଦିନସାରା ଛିଡ଼ାହେବା ଏବଂ ଟ୍ରେନ୍‌ରେ ଫେରିବା ବେଳେ ଛିଡ଼ା ହୋଇ ଫେରିବା। ସେ ସ୍ୱୀକାର କରନ୍ତି, ‘‘ମୋ ଗୋଡ଼ ଏବଂ ପିଠି ସବୁବେଳେ ବିନ୍ଧୁଥାଏ।’’

ରାତି ଶେଷ ହୋଇଯାଏ ଏବଂ କାନିଙ୍ଗ୍ ଷ୍ଟେସନରେ ସକାଳ ୪ଟା ବେଳକୁ ଗହଳି ଆରମ୍ଭ ହୋଇଯାଏ।  ଆମେ ପ୍ଲାଟଫର୍ମରେ ବ୍ରେଷ୍ପତିଙ୍କ ହାତରେ କପେ ଚା’ ଓ ବିସ୍କୁଟ ଦେଖିଲୁ।  ସକାଳ ସମୟରେ ସେ କେଶରେ ଜୁଡ଼ାଟିଏ କରି ସତେଜ ଦେଖାଯାଉଥିଲେ, ମଥାରେ ବିନ୍ଦି ଥିଲା ଏବଂ ତାଙ୍କ ଚେହେରା ଚମକୁ ଥିଲା।  ଅନ୍ୟ ମହିଳାମାନେ ପହଞ୍ଚୁଥିଲେ, ସମସ୍ତେ କାମକୁ ଯାଉଛନ୍ତି। ଏ ମଧ୍ୟରେ ତାଙ୍କ ବାନ୍ଧବୀ ବାସନ୍ତୀ ସର୍ଦ୍ଦାର ମଧ୍ୟ ଅଛନ୍ତି, ସେ ମଧ୍ୟ ଯାଦବପୁରରେ କାମ କରୁଛନ୍ତି।  ‘‘ଖରା ହେଉ ବା ବର୍ଷା, ଆମେ କାମବାଲୀମାନେ ଯିବାକୁ ହେବ ଏବଂ କାମ କରିବାକୁ ହେବ। ନ ହେଲେ ଆମ ମାଲିକମାନେ ରାଗିଯିବେ। ସେମାନଙ୍କ କାମ ଆମ ବିନା ଚଳିବନି ’’ ବାସନ୍ତି କହିଲେ । ମହିଳାମାନେ ହସିଲେ।

Workers outside Jadavpur railway station
PHOTO • Siddharth Adelkar

ଯାଦବପୁର (ଉପର)ଏବଂ ଅନ୍ୟ ଷ୍ଟେସନ୍‌ଗୁଡ଼ିକରେ ହସଖୁସିରେ କଥା ହେବା ପରେ ମହିଳାମାନେ କାମକୁ ଚାଲିଗଲେ।

‘‘ ଆମ ଜୀବନ କଷ୍ଟକର ଏବଂ ଆମେ ଗରିବ। କିନ୍ତୁ ଏହି ହସଖୁସିର କ୍ଷଣ ହିଁ ଆମେ ବଞ୍ଚୁ,’’ କୁହନ୍ତି ବ୍ରେଷ୍ପତି। ସେହି ଭୋର୍‌ ସମୟରେ ଟ୍ରେନ୍‌ ଖାଲି ଅଛି। କିନ୍ତୁ ଖୁବ୍‌ ଶୀଘ୍ର ଏହା ଭରିଯିବ ଯେତେବେଳେ ଏହା କୋଲକୋତା ଆଡ଼କୁ ଯିବ।  ବ୍ରେଷ୍ପତି ଏବଂ ବାସନ୍ତୀ ମହିଳା କମ୍ପାର୍ଟମେଣ୍ଟ ବଦଳରେ ସାଧାରଣ କମ୍ପାର୍ଟମେଣ୍ଟରେ ବସନ୍ତି।  ‘‘କିନ୍ତୁ ସାଧାରଣ କମ୍ପାର୍ଟମେଣ୍ଟରେ ବେଳେବେଳେ ପୁରୁଷମାନେ ସିଟ୍‌ ଛାଡ଼ିଦିଅନ୍ତି ଏବଂ ଆମକୁ ପାଟି କରନ୍ତି ନାହିଁ।  ଯେତେବେଳେ ସମ୍ଭବ ଆମେ ଏହି କମ୍ପାର୍ଟମେଣ୍ଟରେ ଚଢୁ’’ ବାସନ୍ତୀ କୁହନ୍ତି।  

ଟ୍ରେନ୍ ସକାଳ ୪.୩୦ ବେଳକୁ ଛାଡ଼େ ଏବଂ ପ୍ରାୟ ୭୫ ମିନିଟ୍‌ ପରେ ଯାଦବପୁରରେ ପହଞ୍ଚେ।  ଅନ୍ୟ ଘରୋଇ ସହାୟିକାମାନଙ୍କ ଭିଡ଼ ମଧ୍ୟରେ ରାସ୍ତାକାଟି ଷ୍ଟେସନ ବାହାରକୁ ବ୍ରେଷ୍ପତି ତରବର ହୋଇ ନିଜ କାର୍ଯ୍ୟସ୍ଥଳକୁ ଚାଲିଗଲେ। 

ଅନେକ କର୍ମଜୀବୀ ମଧ୍ୟ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଲକ୍ଷ୍ମୀକାନ୍ତପୁର ସହରର ସିଆଲଦାକୁ ଆସନ୍ତି।  ୬୦ କିଲୋମିଟରୁ ଊର୍ଦ୍ଧ୍ୱ ଏହି ଟ୍ରେନ୍‌ ଯାତ୍ରା ପ୍ରାୟ ୮୫ ମିନିଟ୍‌ ସମୟ ନିଏ। ଏହି ଲାଇନ୍‌ର ତୃତୀୟ ରହଣୀ, ମଥୁରାପୁର ଷ୍ଟେସନ୍‌ରୁ ଚମେଲି ବୈଦ୍ୟ ଟ୍ରେନ୍‌ ଧରିଲେ। ସେ ଦକ୍ଷିଣ କୋଲ୍‌କାତାର ବଲିଗଞ୍ଜ ଅଞ୍ଚଳରେ ଛ’ଟି ଘରେ କାମ କରୁଛନ୍ତି। ଦଶ ବର୍ଷ ତଳେ ତାଙ୍କର ଏକ ଭିନ୍ନ ଜୀବନ ଥିଲା।

 ସେ ମନେପକାଇ କୁହନ୍ତି, ‘‘ମୋ ସ୍ୱାମୀ ଏବଂ ମୋର ଏକ ପାନ-ବିଡ଼ି ଦୋକାନ’’ ଥିଲା। କିଛିଦିନ ପର୍ଯ୍ୟନ୍ତ ସବୁକିଛି ଭଲ ଥିଲା। ଏହାପରେ ମୋ ସ୍ୱାମୀ କାମ କରିବା ବନ୍ଦ କରିଦେଲେ ଏବଂ ପଇସା ବର୍‌ବାଦ କରିବା ଆରମ୍ଭ କଲେ। ଆମକୁ ଦୋକାନ ବନ୍ଦ କରିବାକୁ ପଡ଼ିଲା  ଏବଂ ମୁଁ ଲୋକମାନଙ୍କ ଘରେ କାମ କରିବା ଆରମ୍ଭ କଲି। ଯେତେବେଳେ ମୁଁ ଦୋକାନ ଚଳାଉଥିଲି ସେତେବେଳେ ମୁଁ ସ୍ୱାଧୀନ ଥିଲି। ଏବେ ଲୋକମାନଙ୍କ ଘରେ କାମ କରିବା ବେଳ ଡେରି ହୋଇଗଲେ କିମ୍ବା ଦିନେ କାମ ବନ୍ଦ କଲେ ମୁଁ ଗାଳି ଖାଉଛି।’’ ଚମେଲି ବର୍ତ୍ତମାନ ନିଜ ଘରର ଭଡ଼ା ଦେବାକୁ ଅସମର୍ଥ ଏବଂ ତିନି ଝିଅ ଏବଂ ଗୋଟିଏ ପୁଅକୁ ନେଇ ସେ ସ୍ୱାମୀଙ୍କ ସହ ମଥୁରାପୁର ରେଲ ଲାଇନ୍‌ ପାଖରେ ଏକ କୁଡ଼ିଆରେ ରହୁଛନ୍ତି।

ଚମେଲି କୁହନ୍ତି ଘରମାନଙ୍କରେ କାମକରିବା ଠାରୁ ଟ୍ରେନ୍‌ ଯାତ୍ରା ଅଧିକ କଷ୍ଟକର। ‘‘ମୁଁ ପ୍ରତିଦିନ ସକାଳେ ଯାତ୍ରା କରିବା ବେଳେ କଷ୍ଟପାଏ। ସମସ୍ତେ ଠେଲାପେଲା କରୁଥା’ନ୍ତି ଏବଂ ଚିତ୍କାର କରୁଥାନ୍ତି। ବେଳେବେଳେ ଲୋକମାନେ ପରସ୍ପରକୁ ଆଘାତ ଦିଅନ୍ତି। ସେଠି ବସିବାକୁ ଜାଗା ନଥାଏ। ଯଦି ପିଲାଙ୍କୁ ଖୁଆଇବା ପାଇଁ ମୋ ପାଖରେ ଯଥେଷ୍ଟ ଖାଦ୍ୟ ଥାଆନ୍ତା ତେବେ ମୁଁ ଏମିତି ଯିବା ଆସିବା କରୁ ନଥାନ୍ତି। ମୁଁ ଘରେ ରହୁଥାନ୍ତି।

ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Other stories by Urvashi Sarkar