ସକାଳ ୯ଟା ବେଳେ ଏସ୍‌ଲାବଥ୍‌ ବନ୍ୟା ନାୟକ ହାଇଦ୍ରାବାଦ-ଶ୍ରୀଶୈଳମ୍‌ ରାଜପଥ ନିକଟସ୍ଥ ବଟ୍ୱାର୍ଲାପାଲ୍ଲେ ଗ୍ରାମରୁ ପ୍ରାୟ ୧୫୦ ଧୂଳିଧୂସରିତ ଗାଈଙ୍କୁ ଅଡ଼େଇ ନେଇ ଯାଆନ୍ତି। ସେମାନେ ପୂର୍ବଘାଟର ନଲ୍ଲାମାଳା ରେଞ୍ଜରେ ଥିବା ଅମ୍ରାବାଦ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ପ୍ରବେଶ କରନ୍ତି। ଏଠାରେ କିଛି ଗାଈ ଘାସ ଚରୁଥିବା ବେଳେ ଅନ୍ୟ କେତେକ କଅଁଳ ଘାସ ଥିବା ଡାଳଗୁଡ଼ିକୁ ମୁହଁ ବଢ଼ାଇବାକୁ ଚେଷ୍ଟା କରନ୍ତି।

୭୫ ବର୍ଷ ବୟସ୍କ ଶ୍ରୀ ନାୟକ ଲମ୍ବାଡ଼ି ସଂପ୍ରଦାୟର ଏବଂ ତାଙ୍କ ପାଳିତ ଜୀବମାନେ – ଏଠାରେ ଥିବା ଅନ୍ୟ ଗୋପାଳକଙ୍କ ପାଳିତ ଜୀବଙ୍କ ପରି ଥୁର୍ପୁ ଗୋ-ପ୍ରଜାତିର। ଲାମ୍ବାଡ଼ି (ଏକ ଅନୁସୂଚିତ ଜାତି), ଯାଦବ (ଗୋଲା) (ଏକ ପଛୁଆ ବର୍ଗ)ଏବଂ ଛେଞ୍ଚୁ (ଏକ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ)ଗୁଡ଼ିକ ଥୁର୍ପୁର ପାରମ୍ପରିକ ପାଳକ ଏବଂ ପ୍ରବର୍ଦ୍ଧକ । ଏହି ଜୀବମାନଙ୍କ ଆକାର ଛୋଟ, ଶିଂଘ ମୁନିଆଁ ଏବଂ ଖୁରା ଟାଣ ଓ ଶକ୍ତ। ସେମାନେ ବିଭିନ୍ନ ପ୍ରକାର ଅଞ୍ଚଳରେ ଖୁବ୍‌ ସହଜରେ ଯାତାୟାତ କରି ପାରନ୍ତି- ଓଦା ମାଟି ସହ ଶୁଖିଲା ପଥୁରିଆ ମାଟିରେ  ସହଜରେ ଚାଲିପାରନ୍ତି ଏବଂ ଖୁବ୍‌ ସହଜରେ ଭାରୀ ବୋଝ ଟାଣିପାରନ୍ତି। ଏଥିସହ ସେମାନେ ଅଞ୍ଚଳର ଉତ୍ତାପ ଏବଂ ଜଳାଭାବରେ ମଧ୍ୟ ଠିକ୍‌ ଭାବରେ ବଞ୍ଚିପାରନ୍ତି।

ଅମ୍ରାବାଦ ଉପ-ଜିଲ୍ଲା ତେଲେଙ୍ଗାନା- କର୍ଣ୍ଣାଟକ ସୀମାରେ ଥିବା ଏହି ଗ୍ରାମଗୁଡ଼ିକର ପୂର୍ବରେ ଅଛି । ଏଠାରୁ ଅନେକ କୃଷକ ଏହି ଗାଈ କିଣିବାକୁ ଆସନ୍ତି ଏବଂ ଗାଈଗୁଡ଼ିକ ଦେହରେ ଦାଗ ରହିଛି ତେଣୁ ଏହି ପ୍ରଜାତିର ଗାଈଙ୍କୁ ସେମାନେ ‘ପୋଡ଼ା ଥୁର୍ପୁ’ ବୋଲି କୁହନ୍ତି। ତେଲୁଗୁ ଭାଷାରେ ‘ପୋଡ଼ା’ର ଅର୍ଥ ଦାଗ ଏବଂ ‘ଥୁର୍ପୁ’ର ଅର୍ଥ ପୂର୍ବ। ଏହି ପୋଡ଼ା ଥୁର୍ପୁମାନେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଖୁବ୍‌ ସାହାଯ୍ୟକାରୀ ଯେଉଁମାନେ କି ଟ୍ରାକ୍ଟର ଏବଂ ଅନ୍ୟ କୃଷି ଉପଯୋଗୀ ମେସିନ୍‌ର ଖର୍ଚ୍ଚ ଉଠାଇ ପାରନ୍ତି ନାହିଁ।

 

Husaband and wife stand with their cattles behind
PHOTO • Harinath Rao Nagulavancha

୭୫ ବର୍ଷ ବୟସ୍କ ଏସ୍‌ଲାବଥ୍‌ ବନ୍ୟା ନାୟକ ଏବଂ ତାଙ୍କ ପତ୍ନୀ ୬୦ ବର୍ଷ ବୟସ୍କ ଏସ୍‌ଲାବଥ୍‌ ମାରୋନି। ସାଧାରଣତଃ ଏଠାର ମହିଳାମାନେ ଗାଈ ଜଗନ୍ତିନି କିମ୍ବା ଗାଈଗୋରୁ ବିକ୍ରୀ କରନ୍ତିନି, କିନ୍ତୁ ଘରେ ସେମାନେ ଗୁହାଳରେ ଥିବାବେଳେ ସେମାନଙ୍କର ଯତ୍ନ ନିଅନ୍ତି। ବେଳେବେଳେ ଯେତେବେଳେ ଗାଈଗୋରୁଙ୍କୁ ନିକଟସ୍ଥ ଜଙ୍ଗଲକୁ ନିଆଯାଏ ସେତେବେଳେ ମହିଳାମାନେ ସେମାନଙ୍କ ସ୍ୱାମୀମାନଙ୍କ ସହ ଯାଆନ୍ତି ଏବଂ ଅସ୍ଥାୟୀ କୁଡ଼ିଆରେ ରୁହନ୍ତି।

ପ୍ରତିବର୍ଷ ଏକ ସ୍ଥାନୀୟ ଉତ୍ସବ କୁରୁମୂର୍ତ୍ତୀ ଯାତରାରେ ବ୍ୟବସାୟୀ ଏବଂ କୃଷକମାନେ ଅଣ୍ଡିରା ବାଛୁରୀ କିଣାବିକା ପାଇଁ ଏକାଠି ହୁଅନ୍ତି। ସାଧାରଣତଃ ଏହି ଉତ୍ସବ ଦୀପାବଳିର ମାତ୍ର କେଇ ସପ୍ତାହ ମଧ୍ୟରେ ନଭେମ୍ବର ମାସରେ ପଡ଼େ। ଅମ୍ରାବାଦଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ମାସେ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାର ଅଂଶ ଏହି ବ୍ୟବସାୟ। ଏହି ମେଳା ଲକ୍ଷ ଲକ୍ଷ ପରିଦର୍ଶକଙ୍କୁ ଆକୃଷ୍ଟ କରେ। ବେପାରୀମାନେ ୧୨ରୁ ୧୮ ମାସର ଅଣ୍ଡିରା ବାଛୁରୀମାନଙ୍କୁ ନାୟକଙ୍କ ପରି ଗୋପାଳକଙ୍କଠାରୁ ୨୫,୦୦୦ - ୩୦,୦୦୦ ଟଙ୍କା ଦରରେ କିଣନ୍ତି। ନାୟକ ମେଳାରେ ପ୍ରାୟ ପାଞ୍ଚ ହଳ ଅଣ୍ଡିରା ବାଛୁରୀ ବିକନ୍ତି। ବେଳେବେଳେ ସାରା ବର୍ଷରେ ଏହାଠାରୁ ୧-୨ଟି ଅଧିକ ବିକନ୍ତି। କ୍ରେତା କୃଷକମାନେ ଗୋଟିଏ ଜୋଡ଼ି ପାଇଁ ୨୫,୦୦୦-୪୫,୦୦୦ ଦେଇଥାନ୍ତି। ବେଳେବେଳେ କୃଷକମାନେ ହିଁ ବେପାରୀ ହୁଅନ୍ତି, ଯେଉଁମାନେ କି ବିକ୍ରି ହୋଇନପାରି ବଳିପଡ଼ୁଥିବା ଅଣ୍ଡିରା ବାଛୁରୀଗୁଡ଼ିକୁ ସେମାନଙ୍କ ଗାଁକୁ ନେଇଯାଆନ୍ତି ଏବଂ ସେମାନଙ୍କ ଫାର୍ମରେ ବର୍ଷସାରା ବିକ୍ରି କରିବାକୁ ରଖନ୍ତି।

ତେବେ ଗୋରୁମାନଙ୍କ ରକ୍ଷଣାବେକ୍ଷଣ କରିବା ସମୟସାପେକ୍ଷ। ଅମ୍ରାବାଦ ଏକ ଶୁଷ୍କ, ପର୍ଣ୍ଣମୋଚି ଜଙ୍ଗଲ, ଯାହାକି ବୁଦା, ଘାସ ଏବଂ ବାଉଁଶରେ ପରିପୂର୍ଣ୍ଣ। ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ରିଜର୍ଭ୍‌ର ବଫର୍‌ ଜୋନ୍‌ରେ ଯଥେଷ୍ଟ ଖାଦ୍ୟ ଥାଏ। ମାତ୍ର ନଭେମ୍ବରରୁ ଚାରଣ ଭୂମି ଶୁଖିଯାଏ। କୋର୍‌ ଜୋନ୍‌ରେ ପ୍ରବେଶ ପାଇଁ ଜଙ୍ଗଲ ବିଭାଗର କଟକଣା ହେତୁ ଗୋରୁମାନଙ୍କ ପାଇଁ ଚାରା ପାଇବା କଷ୍ଟକର ହୋଇପଡ଼େ। 

ଏହି ସ୍ଥାନ ବନ୍ଦ ହୋଇଯିବା ପରେ ନାୟକ ନିଜ ଗାଁ ମନ୍ନାନୁର୍‌ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ତାଙ୍କ ଭଉଣୀର ଗାଁ ବଟ୍ୱର୍ଲାପାଲ୍ଲେକୁ ଚାଲିଯାଆନ୍ତି। ଏହା ତେଲେଙ୍ଗାନାର ମେହବୁବ୍‌ ନଗର(ବର୍ତ୍ତମାନ ନାଗର୍କୁନୁଲ୍‌)ର ଅମ୍ରାବାଦ ମଣ୍ଡଳରେ ଅଛି। ସେଠାରେ ସେ ଜଙ୍ଗଲର ଏକ ଅଂଶ ନିକଟରେ ଋତୁକାଳୀନ ଉପଯୋଗ ପାଇଁ ଏକ ଖଳା କରିଛନ୍ତି ଯେଉଁଠାରେ ପଶୁମାନେ ଚରିପାରିବେ।

ଭିଡ଼ିଓ ଦେଖନ୍ତୁ: ‘ଗୋଟିଏ ଡାକରେ ସେମାନେ ସମସ୍ତେ ନଈକୁ ଡେଇଁପଡ଼ିବେ

କେତେକ ଗାଈଗୋରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌, ପ୍ରକାଶମ୍‌, ଏବଂ ନେଲୋର୍‌ ଜିଲ୍ଲାକୁ ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ଚାଲି ଯାଆନ୍ତି। ସେଠାରେ ତୃତୀୟ ଫସଲ (ଫେବୃଆରୀ-ମାର୍ଚ୍ଚ କିମ୍ବା ମେ’-ଜୁନ୍‌ ମାସରେ) ଧାନର ନଡ଼ା ଉପଲବ୍ଧ ହୁଏ। ଗୋପାଳମାନେ ନଡ଼ା କିଣନ୍ତି କିମ୍ବା ଖତ ବଦଳରେ ଏହା ଆଣନ୍ତି। ଚାଷୀମାନେ ଗାଇଗୋରୁଙ୍କୁ ସେମାନଙ୍କ ଜମିରେ ଶୋଇବାକୁ ଦିଅନ୍ତି। ଜୁଲାଇ ମାସରେ ମୌସୁମୀ ଆରମ୍ଭ ହେବା ପୂର୍ବରୁ ସେମାନେ ନିଜ ନିଜର ଗାଁକୁ ଫେରି ଆସନ୍ତି।
 
ବନ୍ୟା ନାୟକ ଏବଂ ଅନ୍ୟ ଗୋପାଳକମାନେ କେବଳ ଅଣ୍ଡିରା ବାଛୁରୀ ବିକ୍ରି କରନ୍ତି। ନାୟକ କୁହନ୍ତି ,‘‘ଆମେ ମାଈ ବାଛୁରୀ ବିକ୍ରୀ କରୁନି। ଏପରିକି ଆମେ ସେମାନଙ୍କ ଦୁଗ୍ଧ ମଧ୍ୟ ବିକ୍ରୀ କରୁନି। ସେମାନେ ଆମ ପାଇଁ ଦେବୀ।’’ ତେବେ ସେ ବେଳେବେଳ ଗାଁରେ ବିକ୍ରୀ ପାଇଁ କେଇ ବୋତଲ ଘିଅ ପ୍ରସ୍ତୁତ କରନ୍ତି ଏବଂ ଖତ ମଧ୍ୟ ବିକ୍ରୀ କରନ୍ତି।
 
ଗୋବଂଶର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଲାମ୍ବାଦି ଏବଂ ଗୋଲା ସଂପ୍ରଦାୟମାନେ ଏକ ସୋସାଇଟି ଗଠନ କରିଛନ୍ତି- ଦି ଅମ୍ରାବାଦ ପେଡ଼ା ଲକ୍ଷ୍ମୀ ଗୋଭୁ ସଂଗମ। ୨୦୧୮ରେ ଏହି ସଂଗମ ତେଲେଙ୍ଗାନା ସରକାରୀ ଅଧିକାରୀମାନଙ୍କ ସହଯୋଗରେ ନ୍ୟାସନାଲ୍‌ ବ୍ୟୁରୋ ଅଫ୍‌ ଆନିମଲ୍‌ ଜେନେଟିକ୍‌ ରିସୋର୍ସକୁ ଆବେଦନ କରିଥିଲେ। ଏହା ଦେଶର ପଶୁ ପକ୍ଷୀ ସମ୍ପଦର ମୂଲ୍ୟ, ବିଶେଷତ୍ୱ ଏବଂ ଉପଯୋଗ ଧାର୍ଯ୍ୟ କରିଥାଏ। ପଞ୍ଜିକରଣ ପରେ ପୋଡ଼ା ଥୁର୍ପୁ ଦେଶର ୪୪ତମ ପଞ୍ଜିକୃତ ଗୋ-ପ୍ରଜାତି ହେବ। ଏହା ଅନେକ ପ୍ରକାର ସୁବିଧା ଦେବ। ସେଗୁଡ଼ିକ ମଧ୍ୟରେ ରହିଛି- ସ୍ୱଦେଶୀ ପ୍ରଜାତିକୁ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୪ରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ଅଭିଯାନ ଅଧିନରେ ସଂରକ୍ଷଣ, ବର୍ଦ୍ଧିତ ଷ୍ଟକ୍‌ ଏବଂ ଅଧିକ ବ୍ୟବସାୟର ସୁବିଧା। ପୋଡ଼ା ଥୁର୍ପୁ ପାଳକ ସଂପ୍ରଦାୟମାନେ ଏହି ସ୍ୱୀକୃତିକୁ ଅପେକ୍ଷା କରିଛନ୍ତି। ମନ୍ନୁର ଗ୍ରାମର ଗୋପାଳକ ୬୦ ବର୍ଷ ବୟସ୍କ ରାମାୱତ୍‌ ମଲ୍ଲେୟା ନାୟକ କୁହନ୍ତି, ‘‘ଏହା ବହୁତ ସହଯୋଗ ଦେବ ଏବଂ ଆମ୍ଭେମାନେ ଏହା ପିଢ଼ି ପରେ ପିଢ଼ି ମନେ ରଖିବୁ।’’

Man holding his cow
PHOTO • Harinath Rao Nagulavancha

୩୮ ବର୍ଷ ବୟସ୍କ ଗନ୍ତାଲା ହନମାନ୍ଥୁ କୁହନ୍ତି, ‘‘ଗୋରୁଗାଈଙ୍କ ସହ ଆମର ସଂପର୍କ ରହିଛି। ଆମେ ବାଛୁରୀମାନଙ୍କର ନିଜ ସନ୍ତାନ ପରି ଯତ୍ନ ନେଉ ଏବଂ ସେମାନଙ୍କୁ ଭଲପାଉ। ଏହି ଗାଈଗୋରୁ ବହୁ ପିଢ଼ିରୁ ଆମ ସହ ଅଛନ୍ତି। ଆମ ଜୀବନ ଏମାନଙ୍କ ଉପରେ ନିର୍ଭରଶୀଳ। ଆମ ପିତାମାତା ମଧ୍ୟ ସେମାନଙ୍କ ଉପରେ ନିଭର୍ରଶୀଳ ଥିଲେ, ଆମେ ତାଙ୍କ ଉପରେ ନିର୍ଭରଶୀଳ ଥିଲୁ , ଏବଂ ଏବେ ଆମ ପିଲାମାନେ ମଧ୍ୟ।’’ ସେ ଲାମ୍ପାଦି ସଂପ୍ରଦାୟର ଏବଂ ନଗରକୁର୍ଣ୍ଣୁଲ ଜିଲ୍ଲାର ଅମ୍ରାବାଦ ମଣ୍ଡଳର ଲକ୍ଷ୍ମାପୁର (ବି.କେ.) ଗ୍ରାମର ଅମ୍ରାବାଦ ପୋଡ଼ା ଲକ୍ଷ୍ମୀ ଗୋଭୁ ସଂଗମର ଅଧ୍ୟକ୍ଷ।

Man taking his cattles for grazing
PHOTO • Harinath Rao Nagulavancha

ହନମାନ୍ଥୁ କୁହନ୍ତି,‘‘ଆମେ ଗାଈଗୋରୁଙ୍କୁ ଅତିକମ୍‌ରେ ୬-୮ କିଲୋମିଟର ଚରାଇବାକୁ ନେଉ ଏବଂ ପୁଣି ଫେରୁ । ସେମାନେ ଚରିବା ପାଇଁ ସହଜରେ ଉଚ୍ଚ ପାହାଡ଼ ଉପରକୁ ଚଢ଼ିଯାଆନ୍ତି। ଗାଈମାନଙ୍କୁ ଏହି ସ୍ଥାନରେ ମାସେ ପର୍ଯ୍ୟନ୍ତ ରଖାଯାଇଥିଲା। ଏହା ତେଲେଙ୍ଗାନାର ମେହବୁବ୍‌ ନଗର ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ ଜିଲ୍ଲାର ମଧ୍ୟରେ କ୍ରୀଷ୍ଣା ନଦୀର ଶ୍ରୀଶୈଳମ୍‌ ନଦୀବନ୍ଧ ଠାରୁ ୧୫ କିଲୋମିଟର ତଳକୁ ଅଛି।

A herd of cattle grazing
PHOTO • Harinath Rao Nagulavancha

ହନମାନ୍ଥୁ କୁହନ୍ତି, ‘‘ଜଙ୍ଗଲରେ ଆମେ ଏକ କ୍ୟାମ୍ପ୍‌ ଫାୟାର୍‌ ଲଗାଉ, ଯାହା ଗାଈଗୋରୁଙ୍କୁ ସେମାନଙ୍କ ରହିବା ସ୍ଥାନ ଚିହ୍ନଟ କରିବାର ସଂକେତ ଦିଏ।’’ ଏହା ଗାଈଗୋରୁଙ୍କୁ ନଦୀ ପାର କରି ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶ ଆଣିବା ପରେ ଶ୍ରୀଶୈଳମ୍‌ ନଦୀବନ୍ଧଠାରୁ ୧୫ କିଲୋମିଟର ଦୂରରେ ହନମାନ୍ଥୁଙ୍କ ଅସ୍ଥାୟୀ କୁଡ଼ିଆ ପାଖରେ ରହିଛି।

A heard of cattle walking through a river
PHOTO • Harinath Rao Nagulavancha

ହନମାନ୍ଥୁ କୁହନ୍ତି, ‘‘ସେମାନେ ସହଜରେ କ୍ରୀଷ୍ଣା ନଦୀ ପାର କରି ପାରନ୍ତି। ଗୋଟିଏ ଆଦେଶରେ ସେମାନେ ସମସ୍ତେ ନଦୀକୁ ଡେଇଁ ପଡ଼ିବେ। ଆମ ଆଦେଶ ମାନିବା ପାଇଁ ଆମେ ସେମାନଙ୍କୁ ପିଟୁନିଗୋଟିଏ ହ୍ୱିସିଲ୍‌ ହିଁ ଯଥେଷ୍ଟ। ପ୍ରଥମ ଜଣକ ଆରମ୍ଭ କରିବା ଦରକାରଅନ୍ୟମାନେ ତାହାକୁ ଅନୁସରଣ କରିବେ ସେ ଗୋଠଠାରୁ ଯେତେ ଦୂରରେ ଥିଲେ ବି। ଆମେ ଯୋଗାଯୋଗ କରିବା ପାଇଁ କେତେଗୁଡ଼ିଏ ଶବ୍ଦ କରୁ – ଏହା ଏକ ପ୍ରକାର ଭାଷା। ଯଦିଓ ସମସ୍ତେ ନୁହଁନ୍ତି ଅତିକମ୍‌ରେ କେଇଜଣ ଲକ୍ଷ୍ୟ କରନ୍ତି ଏବଂ ସେମାନେ ପ୍ରତ୍ୟୁତ୍ତର ଦିଅନ୍ତି।

Man with his cattle
PHOTO • Harinath Rao Nagulavancha
A calf by the river
PHOTO • Harinath Rao Nagulavancha

ବାମ:ଏସ୍‌ଲାବାଥ୍‌ ବନ୍ୟା ନାୟକ ଗାଈର ସବୁ ଦୁଗ୍ଧ ବାଛୁରୀମାନଙ୍କ ପାଇଁ ରଖନ୍ତି ଯେପରିକି ସେମାନେ ସୁସ୍ଥ ସବଳ ଭାବରେ ବଢ଼ିବେ। ଡାହାଣ: ଗୋଟିଏ ଦୁଇ ସପ୍ତାହର ବାଛୁରୀ ମଧ୍ୟ ପହଁରି ପାରିବ ତେବେ ନିରାପତ୍ତା ଦୃଷ୍ଟିରୁ ଏହାକୁ ଏକ ଶୁଖିଲା କାଠ ଗଣ୍ଡି ସହ ବାନ୍ଧି ଦିଆଯାଏ ଯାହାକୁ ପହଁରିବା ସମୟରେ ସେମାନଙ୍କୁ ସହଯୋଗ ଦେଇଥାଏ।

a herd of cattle
PHOTO • Harinath Rao Nagulavancha

ହନମାନ୍ଥୁ କୁହନ୍ତି, ‘‘ଯେତେବେଳେ ଗାଈଗୋରୁ ଅତୀତରେ ଏହି ଖଳାରେ କେଇମାସ ପର୍ଯ୍ୟନ୍ତ ରହିଥିଲେ, ସେତେବେଳେ ଯଦି ଖଳାରେ ପାଣି ଜମା ହେଉଥିଲା (ବର୍ଷା ଯୋଗୁଁ)ତଥାପି ବି ସେମାନଙ୍କ ଖୁରା ନରମ ହେଉନଥିଲା। ଏହି ପ୍ରଜାତିର ଖୁରା ଅନନ୍ୟ ଏବଂ ସ୍ୱତନ୍ତ୍ର।’’

Man watching over his cattle
PHOTO • Harinath Rao Nagulavancha
Old man
PHOTO • Harinath Rao Nagulavancha

ଯେହେତୁ ଅମ୍ରାବାଦ ଜଙ୍ଗଲ ଏକ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର, ତେଣୁ ଅଧିକାଂଶ ସମୟରେ ବନ ଅଧିକାରୀ ଏବଂ ଗୋପାଳକ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୁଏ। ବଡ଼ ବଡ଼ ଗୋଠରେ ଯିବା ସମୟରେ ଗାଈଗୋରୁ ଚାରା ପାଇଁ କୋର୍‌ ଜୋନ୍‌ ଏବଂ ବଫର୍‌ ଜୋନ୍‌ ମଧ୍ୟରେ ବୁଲନ୍ତି। ମାନ୍ନାନୁର୍‌ ଗାଁର ଜଣେ ଗୋପାଳକ ରାମାୱତ୍‌ ମଲ୍ଲିହା ନାୟକ କୁହନ୍ତି, ‘‘ଜଙ୍ଗଲରେ ଯଦି ପାଖରେ ଗୋଟିଏ ଶିକାରୀ ଜୀବ ଥାଏ ତେବେ ସେମାନେ ଜାଣିପାରନ୍ତି। ଯଦି ଆଜି ସେମାନେ ଜାଣିପାରିଲେ ଯେ ଆଛାମ୍‌ପେଟ୍‌ [ଜଙ୍ଗଲ] ଜୋନ୍‌ରେ ବାଘ ଅଛି ତେବେ ସେମାନେ ଅମ୍ରାବାଦ୍‌ ଜୋନ୍‌କୁ ଚାଲିଯାଆନ୍ତି। ଯଦି  ଆମ୍ରାବାଦ ଜୋନ୍‌ରେ ଥାଏ ତେବେ ମାଡ଼ିମାଗୁଡ଼ୁ [ଜଙ୍ଗଲ] ଅଞ୍ଚଳକୁ ଚାଲି ଯାଆନ୍ତି। ତଥାପି ବେଳେବେଳ ଚିତାବାଘ(କଦବା କ୍ୱଚିତ୍‌ ବାଘ) ଗାଈ ଏବଂ ଛୋଟ ବାଛୁରୀଙ୍କ ଉପରେ ଆକ୍ରମଣ କରନ୍ତି ଏବଂ ମାରିଦିଅନ୍ତି।

Man using his cattle for work
PHOTO • Harinath Rao Nagulavancha

ପୋଡ଼ା ଥୁର୍ପୁ ଗାଈଗୋରୁ ଲକ୍ଷ୍ମାପୁର (ବି.କେ)ଗାଁର ରତ୍ନାୱତ୍‌ ରମେଶ(ଉପରେ)ଙ୍କ ପରି କ୍ଷୁଦ୍ର ଏବଂ ନାମମାତ୍ର  ଚାଷୀମାନଙ୍କ ପାଇଁ ଏକ ବଡ଼ ସହାୟତା। ଏବଂ ମଲ୍ଲିହା ନାୟକ କୁହନ୍ତି,‘‘ଯେତେ କଷ୍ଟ ହେଲେ ବି ସେମାନେ କାମରୁ ବିମୁଖ ହୁଅନ୍ତି ନାହିଁ। ମାନେ ଯେମିତିକି ସେ ଜାଣିଛି କାଲି ମରିଯିବ । ତାହେଲେ, ସେ ସାରା ଦିନ କାମ କରିବ, ଘରକୁ ଫେରିବ ଏବଂ ପରଦିନ ମୃତ୍ୟୁବରଣ କରିବ।

Man with his cattle
PHOTO • Harinath Rao Nagulavancha
Old woman
PHOTO • Harinath Rao Nagulavancha

ବାମ:ଲକ୍ଷ୍ମାପୁର(ବି.କେ.)ର ଗନ୍ତଲା ବାଲୁ ନାୟକଙ୍କର ଛ’ ଏକର ଜମି ଅଛି ଯେଉଁଥିରେ ସେ କପା, ଲଙ୍କା, ବାଜରା ଏବଂ ଡାଲି ଚାଷ କରନ୍ତି ଏବଂ ପୋଡ଼ା ଥୁର୍ପୁ ଉପରେ ନିର୍ଭର କରନ୍ତି । ଡାହାଣ: ହନମାନ୍ଥୁଙ୍କ ମା’ ୮୦ ବର୍ଷ ବୟସ୍କ ଗନ୍ତଲା ଗୋରୀ କୁହନ୍ତି ,‘‘ମୁଁ ସେମାନଙ୍କୁ ପାଲେଙ୍କି, ଇଦି, ବୋରି, ଲଇଙ୍ଗି… ଆଦି ନାମରେ ଡାକେ , ସେଗୁଡ଼ିକ ଆମ ଦେବୀମାନଙ୍କ ନାମ।

Herd of cattle, up for sale
PHOTO • Harinath Rao Nagulavancha

ହନମାନ୍ଥୁ କୁହନ୍ତି,‘‘ଆମେ ପ୍ରତିବର୍ଷକୁରୁମୂର୍ତ୍ତୀ ଯାତ୍ରାକୁ ଯାଉ [ମେହବୁବ୍ନଗର ଜିଲ୍ଲାର ଚିନ୍ନାଚିନ୍ତାକୁଣ୍ଟା ମଣ୍ଡଳର ଆମପୁର ଗ୍ରାମରେ ଏକ ସ୍ଥାନୀୟ ଉତ୍ସବ] ଗୋରୁ ବିକ୍ରି କରିବା ପାଇଁ ରାଇଚୁର୍‌, ଅନନ୍ତପୁର ଏବଂ ମନ୍ତ୍ରାଳୟମ୍ଆଦିରୁ ଲୋକମାନେ ଆସନ୍ତି ଗୋରୁ କିଣିବା ପାଇଁ ସେମାନେ ବିଶ୍ୱାସ କରନ୍ତି ଏହି ପ୍ରଜାତି ସେମାନଙ୍କ ଚାଷ ପାଇଁ ସବୁଠାରୁ ଉପଯୁକ୍ତ’’

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Other stories by Harinath Rao Nagulavancha