“ଘରୋଇ କାମ କରି, ଢୋକେ ପିଇ ଦଣ୍ଡେ ଜୀଇଁବା ଭଳି ଆମେମାନେ ପେଟ ପୋଷୁ । କିନ୍ତୁ ଏବେ କିଛି ହେଲେ କାମ ନାହିଁ, ତେଣୁ ଆମେ ପଇସା କେଉଁଠୁ ପାଇବୁ?” ଏହା କହିଲେ ପୁଣେ ସହରର କୋଥରୁଡ଼ ଥାନା ନିକଟ ଲକ୍ଷ୍ମୀ ନଗର କଲୋନି ବାସିନ୍ଦା ଆବୋଲି କାମ୍ବଲେ । “ଖାଇବା ଜିନିଷ କିଛି ନାହିଁ । ଖାଦ୍ୟ ଯଦି ନ ମିଳେ, ପିଲାମାନେ କ’ଣ ଖାଇ ବଞ୍ଚିବେ ?”

ସେତେବେଳେ ଆବୋଲିଙ୍କ କଣ୍ଠସ୍ଵରରେ କ୍ରୋଧ ଓ ନୈରାଶ୍ୟ ସ୍ପଷ୍ଟ ବାରି ହେଉଥିଲା, ଯେତେବେଳେ କି କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା ହେବାର ପାଞ୍ଚ ଦିନ ପରେ, ମାର୍ଚ୍ଚ ୩୦ ତାରିଖ ଦିନ ମୁଁ ସେ ରହୁଥିବା ବସ୍ତିକୁ ଯାଇଥିଲି ।୨୩ ବର୍ଷୀୟା ଯୁବତୀ ଆବୋଲି କହିଲେ, “ଅତି କମ୍‌ରେ ଏମିତି ସମୟରେ ଆମକୁ ରାସନ ଦୋକାନରୁ ଖାଦ୍ୟଶସ୍ୟ ମିଳିବା ଉଚିତ’’। ସବୁ ମହିଳାମାନେ ଘରେ ଅଛନ୍ତି । ପୋଲିସ ଆମକୁ ବାହାରକୁ ଯିବା ଲାଗି ଛାଡୁନାହିଁ । ଆମେ ଯଦି ବାହାରକୁ ଯାଇ କାମ କରିପାରିବୁ ନାହିଁ, ତେବେ ଆମ ପାଇଁ ଖାଇବା ଜିନିଷ କିଣିପାରିବୁ ନାହିଁ । ଘର କେମିତି ଚଳେଇବୁ ବୋଲି ଆମେ ଖୁବ୍‌ ଚିନ୍ତାରେ ପଡ଼ିଛୁ । ଯଦି ଏଭଳି କଷ୍ଟକର ସମୟରେ ଆମକୁ ଖାଦ୍ୟଶସ୍ୟ ନ ମିଳିଲା, ତେବେ ତାହା କେଉଁ କାମରେ ଲାଗିବ ? ଯଦି ଆମକୁ ଖାଦ୍ୟ ସାମଗ୍ରୀ ନ ମିଳେ ତେବେ କ’ଣ ଆମେ ଦଉଡ଼ି ଦେଇଦେବୁ କି ?” ୧୯୯୫ ମସିହାରେ ସୋଲାପୁର ଜିଲ୍ଲାର ଆକୋଲକାଟି ଗାଁରୁ ଆବୋଲିଙ୍କ ପରିବାର ପୁଣେକୁ ଆସିଥିଲେ । ଏପ୍ରିଲ ୧୬ ତାରିଖ ଦିନ ଆବୋଲି ବାହା ହୋଇଥାଆନ୍ତେ, କିନ୍ତୁ ବର୍ତ୍ତମାନ ପାଇଁ ବାହାଘର ଘୁଞ୍ଚି ଯାଇଛି ।

ସାତଟି ଚାଲ୍‌ରେ ରହୁଥିବା ପ୍ରାୟ ୮୫୦ ଲୋକଙ୍କର (ବେସରକାରୀ ସଂସ୍ଥାର ସର୍ଭେରେ ଆକଳନ)ସେହି ବସ୍ତିକୁ ମୁଁ ଯାଇଥିବା ବେଳେ, ଖାଦ୍ୟ ଓ ଟଙ୍କାପଇସା ଅଭାବ ଜନିତ ସମସ୍ୟାର ସମାଧାନ ଖୋଜିବା ପାଇଁ ମହିଳାମାନେ ଏକ ବୈଠକ ଡକାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ କାମ କରୁଥିଲେ । ଲକ୍ଷ୍ମୀ ନଗରର ମୋଟ ୧୯୦ଟି ପରିବାର ମଧ୍ୟରୁ ଅଧିକାଂଶ ପରିବାର ମହାରାଷ୍ଟ୍ରର ଅହମଦନଗର, ବୀଡ୍‌, ସୋଲାପୁର ଏବଂ ଲାଟୁର ଜିଲ୍ଲାରୁ ଏବଂ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକରୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ମତାଙ୍ଗ ସଂପ୍ରଦାୟର, ଯାହାକି ଏକ ଦଳିତ ଜାତି ।

ମହାରାଷ୍ଟ୍ରର ନବବର୍ଷ ପାଳନ ଉତ୍ସବ ଗୁଡ଼ି ପଡ଼ୱା ପୂର୍ବ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କଲେ, ପରଦିନ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ କି ନାହିଁ ବୋଲି ସେଥିରୁ ସ୍ପଷ୍ଟ ହୋଇ ନଥିଲା । ସେହି ସମୟ ପର୍ଯ୍ୟନ୍ତ ଖୋଲା ରହିଥିବା ଦୋକାନରୁ ଯିଏ ଯାହା ପାରିଲେ କିଣିବା ଲାଗି ଲୋକେ ଭିଡ଼ ଜମାଇଲେ, କିନ୍ତୁ ସେତେବେଳକୁ ଦରଦାମ ବଢ଼ି ଯାଇଥିଲା ।

ପରେ ସରକାର ଘୋଷଣା କଲେ ଯେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍‌ଧ ହେବ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଜରିଆରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍‌) ପରିବାରଙ୍କୁ ଅଧିକ ତିନି ମାସ ପାଇଁ ଖାଉଟି ସାମଗ୍ରୀ ମାଗଣାରେ ମିଳିବ ।

ସରକାରୀ ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ମାଗଣାରେ ଖାଉଟି ସାମଗ୍ରୀ ମିଳିବ ବୋଲି ଲକ୍ଷ୍ମୀ ନଗରରେ ରହୁଥିବା ପରିବାର ଲୋକଙ୍କ ଆଶା ନାହିଁ, କାରଣ ଅତୀତରେ ସେମାନେ କେବେହେଲେ ନିୟମିତ ଭାବେ ଖାଉଟି ସାମଗ୍ରୀ ପାଇନାହାନ୍ତି ।

ଭିଡିଓ ଦେଖନ୍ତୁ:‘ଏବେ ଖାଦ୍ୟ ନାହିଁ, ତେଣୁ କ’ଣ ଲୋକେ ନିଜକୁ ନିଜେ ଫାଶୀ ଦେଇଦେବେ ?’

ସରକାରୀ ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ମାଗଣାରେ ଖାଉଟି ସାମଗ୍ରୀ ମିଳିବ ବୋଲି ଲକ୍ଷ୍ମୀ ନଗରର ଅନେକ ପରିବାର ଆଶାବାଦୀ ନୁହଁନ୍ତି । କାରଣ ଅତୀତରେ ବି ସେମାନଙ୍କୁ ନିୟମିତ ଖାଉଟି ସାମଗ୍ରୀ ମିଳିନାହିଁ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ସରକାର ଦେଇଥିବା ଖାଉଟି କାର୍ଡକୁ ସୂଚାଇ ଦେଇ ସେମାନଙ୍କ ମଧ୍ୟରୁ ଜଣେ ମହିଳା କହିଲେ,“ଯେଉଁ ସବୁ ପରିବାର ପାଖରେ ହଳଦିଆ କାର୍ଡ ରହିଛି, ସେମାନେ ମଧ୍ୟ ଏହା ପାଉନାହାନ୍ତି ।”

ପାଖରେ ଖାଉଟି କାର୍ଡ ଥିବା ସତ୍ତ୍ଵେ ପିଡିଏସ୍‌ ଦୋକାନରୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ପାଇବା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ରହିଛି । ସ୍ଵାମୀଙ୍କ ମୃତ୍ୟୁ ପରେ ମୁମ୍ବାଇରୁ ପୁଣେ ଚାଲି ଆସିଥିବା ସୁନୀତା ସିନ୍ଦେ କହନ୍ତି, “ମୋ ପାଖରେ କାର୍ଡଟିଏ ଅଛି । କିନ୍ତୁ ଦୋକାନୀ କହନ୍ତି ଯେ ସେଥିରେ ମୋ ନାଁ ନାହିଁ । ଆଜି ଯାଏ ମୁଁ କୌଣସି ଖାଉଟି ଜିନିଷ ପାଇନାହିଁ ।”

ଜଣେ ମହିଳା ମୋତେ ତାଙ୍କ ଖାଉଟି କାର୍ଡଟିକୁ ଦେଖାଇଲେ, ଯେଉଁଥିରେ କି ସେ ରିହାତି ମୂଲ୍ୟରେ ଚାଉଳ ଓ ଗହମ ପାଇବାକୁ ଯୋଗ୍ୟ ବୋଲି ପ୍ରମାଣିତ କରିବା ଲାଗି ଷ୍ଟାମ୍ପ୍‌ ମରାଯାଇଥିଲା । ସେ କହନ୍ତି, “କିନ୍ତୁ ଦୋକାନୀ କହନ୍ତି ଯେ ମୋ କାର୍ଡ ପାଇଁ ଖାଉଟି ଜିନିଷ ଯୋଗାଣ ବନ୍ଦ ହୋଇଯାଇଛି । ଆଜିକୁ ଦୁଇ ବର୍ଷ ହେଲା ଆମକୁ ଖାଉଟି ସାମଗ୍ରୀ ମିଳୁନାହିଁ ।” ଆଉ ଜଣେ ମହିଳା, ଯେ କି ଜଣେ ବରିଷ୍ଠ ନାଗରିକ, କହିଲେ,“ମୋତେ ଖାଉଟି ଜିନିଷ ମିଳୁନାହିଁ, କାରଣ ମୋ ବୁଢ଼ା ଆଙ୍ଗୁଠିର ଟିପଚିହ୍ନ ସେମାନଙ୍କ ମେସିନ୍‌ରେ (ଆଧାର ବାୟୋମେଟ୍ରିକ୍‌ସ) ଥିବା ଚିହ୍ନ ସହ ମେଳ ଖାଉନାହିଁ ।”

ଖାଉଟି ଜିନିଷ, କାମ କିମ୍ବା ମଜୁରି ବିନା ଲକ୍ଷ୍ମୀ ନଗରର ମହିଳାମାନେ ସଂଘର୍ଷ କରୁଛନ୍ତି । ବିଧବା ନନ୍ଦା ସିନ୍ଦେ କହିଲେ, “ଆଗରୁ ମୁଁ କାମ କରୁଥିଲି, କିନ୍ତୁ କରୋନା ଯୋଗୁଁ ତାହା ବନ୍ଦ ହୋଇଯାଇଛି । ତେଣୁ ଏବେ ଖାଇବାକୁ ପାଇବା ଏକ ବଡ଼ ସମସ୍ୟା ହୋଇଗଲାଣି । ମୁଁ ଦୋକାନକୁ ଗଲେ ଦୋକାନୀ ମୋ ରାସନ କାର୍ଡକୁ ଫୋପାଡ଼ି ଦିଅନ୍ତି ।” ଗୋଟିଏ ରେସ୍ତୋରାଁରେ ପ୍ଲେଟ୍‌ ଓ ବାସନକୁସନ ସଫା କରୁଥିବା ନନ୍ଦା ୱାଘମାରେ କହନ୍ତି, “ମୁଁ ଏବେ କିଛି କରୁନାହିଁ । ମୁଁ ରାସନ କାର୍ଡ ନେଇ ଦୋକାନକୁ ଯାଏ ଏବଂ ସେମାନେ ମୋତେ ବାହାରି ଯିବାକୁ କହି ତଡ଼ି ଦିଅନ୍ତି ।”

Left: Laxmi Nagar colony in Kothurd. Right: A ration shop in the area, where subsidised food grains are purchased
PHOTO • Jitendra Maid
Left: Laxmi Nagar colony in Kothurd. Right: A ration shop in the area, where subsidised food grains are purchased
PHOTO • Jitendra Maid

ବାମ: କୋଥରୁଡ୍‌ର ଲକ୍ଷ୍ମୀ ନଗର କଲୋନି । ଡାହାଣ:ସେଠାକାର ଏକ ଖାଉଟି ସାମଗ୍ରୀ ଦୋକାନ, ଯେଉଁଠାରୁ କି ରିହାତି ଦରରେ ଖାଦ୍ୟଶସ୍ୟ କିଣାଯାଏ

ଆଉ ଯଦି ଗୋଟିଏ ପରିବାର ପାଖରେ ରାସନ କାର୍ଡ ନଥାଏ, ତେବେ ସେମାନଙ୍କ ପାଇଁ ଖାଦ୍ୟଦ୍ରବ୍ୟ ପାଇବା ଆହୁରି କଷ୍ଟକର ହୋଇପଡ଼େ । କଲୋନିରେ ପ୍ରାୟ ୧୨ଟି ଏଭଳି ପରିବାର ଅଛନ୍ତି । ସେମାନଙ୍କ ପାଇଁ ଖାଉଟି ଜିନିଷ ପାଇବାର କୌଣସି ବାଟ ନାହିଁ । ସରକାରଙ୍କ ସହାୟତା ପ୍ୟାକେଜ୍‌ରେ ଘୋଷିତ ମାଗଣା ଖାଦ୍ୟଶସ୍ୟ ବି ସେମାନଙ୍କୁ ମିଳିବନି । ରାଧା କାମ୍ବଲେ ପଚାରିଲେ, “ସମସ୍ତେ ଖାଦ୍ୟଶସ୍ୟ ପାଇବେ ବୋଲି ମୋଦି କହିଲେ । କିନ୍ତୁ ଆମର ତ ରାସନ କାର୍ଡ ନାହିଁ, ତେଣୁ ଆମେ କେମିତି ପାଇବୁ ?”

ଯେଉଁମାନେ ପିଡିଏସ୍‌ ଦୋକାନରୁ ଖାଦ୍ୟଦ୍ରବ୍ୟ କିଣିପାରନ୍ତି, ପ୍ରାୟତଃ ସେମାନେ ପର୍ଯ୍ୟାପ୍ତ ପରିମାଣର ଜିନିଷ କିଣିପାରନ୍ତିନି । ଲକ୍ଷ୍ମୀ ଭଣ୍ଡାରେ କହିଲେ, “ଆମର ଚାରିଜଣିଆ ପରିବାର ଏବଂ ଆମକୁ ପାଞ୍ଚ କିଲୋ ଗହମ ଓ ଚାରି କିଲୋ ଚାଉଳ ମିଳେ । ଏହା ଆମ ପାଇଁ ଯଥେଷ୍ଟ ନୁହେଁ । ଆମକୁ ପ୍ରତି ମାସରେ ୧୦କିଲୋ ଗହମ ଏବଂ ୧୦ କିଲୋ ଚାଉଳ ମିଳିବା ଉଚିତ । ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମିଳୁ ନଥିବାରୁ ଆମେ ଚଢ଼ା ଦରରେ ବଜାରରୁ କିଣିବାକୁ ବାଧ୍ୟ ହେଉ ।”

ନିକଟସ୍ଥ ଶାସ୍ତ୍ରୀ ନଗରର ଜଣେ ରାସନ ଦୋକାନ ମାଲିକ ଯୋଗେଶ ପାଟୋଲେ ମୋତେ କହିଲେ, “ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନଙ୍କୁ ଏବେ ମୁଁ ଜଣ ପିଛା ତିନି କିଲୋ ଗହମ ଏବଂ ଦୁଇ କିଲୋ ଚାଉଳ ଦେଉଛି । ତିନି ମାସ ପାଇଁ ମାଗଣାରେ ବଣ୍ଟା ଯିବାକୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେ ବାବଦ ଖାଦ୍ୟ ସାମଗ୍ରୀ ଆମକୁ ମିଳିନାହିଁ ।” ଏପ୍ରିଲ ୧୦ ସୁଦ୍ଧା ସେହି ୱାର୍ଡରେ ଖାଦ୍ୟଶସ୍ୟ ବଣ୍ଟାଯିବ ବୋଲି ପ୍ରତିଶ୍ରୁତି ଦେଇ ସ୍ଥାନୀୟ ପୌର ନିଗମ କର୍ପୋରେଟର ମୋବାଇଲରେ ଦେଇଥିବା ମେସେଜ୍‌ ବି ଲକ୍ଷ୍ମୀ ନଗର ବାସିନ୍ଦାଙ୍କୁ ସେତେ ବେଶୀ ଆଶ୍ଵସ୍ତ କରିପାରି ନାହିଁ । ଜଣେ ବ୍ୟକ୍ତି ମୋତେ ସେହି ମେସେଜ୍‌କୁ ଦେଖାଇ ଆଶ୍ଚର୍ଯ୍ୟଚକିତ କଣ୍ଠରେ ପଚାରିଲେ, “ସେହି ଦିନ ଯାଏ ଲୋକେ କେମିତି ବଞ୍ଚିବେ ? ସେତେବେଳ ଯାଏଁ ସେମାନଙ୍କ ମୋବାଇଲରେ ଟକ୍‌ଟାଇମ୍‌ ବାଲାନ୍‌ସ ହେଲେ ଥିବ କି ?”

ସେମାନଙ୍କ ଘରଗୁଡ଼ିକ ଛୋଟ ଏବଂ ସଂକୀର୍ଣ୍ଣ, ଏବଂ ଖାଦ୍ୟ ଶସ୍ୟ ଜମା କରି ରଖିବାକୁ ଜାଗା ନାହିଁ । କେତେକ ଘରେ ତ କାର୍ଯ୍ୟକ୍ଷମ ଅବସ୍ଥାରେ ରନ୍ଧାଘର ହିଁ ନାହିଁ ।

ଭିଡିଓ ଦେଖନ୍ତୁ: ଆମକୁ ୩ ମାସ ହେଲା ପାଉଣା ମିଳିନି । ଆମେ କ’ଣ ଖାଇବୁ ?

ଲକ୍ଷ୍ମୀ ନଗର ସଂଲଗ୍ନ ଲୋକମାନ୍ୟ କଲୋନିର ୮୧୦ ପରିବାର ମଧ୍ୟରୁ ୨୦୦ରୁ ଅଧିକ ପରିବାର କହନ୍ତି ଯେ, ଯଦିଓ ସେମାନଙ୍କ ପାଖରେ ରାସନ କାର୍ଡ ଅଛି, ସେମାନଙ୍କୁ ଖାଉଟି ଜିନିଷ ମିଳୁନାହିଁ । କଲୋନିର ମୋଟ ୩,୦୦୦ ଲୋକଙ୍କ ମଧ୍ୟରୁ ଅଧିକାଂଶ ପରିମଳ କର୍ମଚାରୀ, ଭଙ୍ଗାଜିନିଷ ସଂଗ୍ରାହକ, ଦିନ ମଜୁରିଆ, ନିର୍ମାଣ ଶ୍ରମିକ, ଘରୋଇ କର୍ମୀ ଏବଂ ସୁରକ୍ଷା କର୍ମୀ ।

ସେମାନଙ୍କ ଘରଗୁଡ଼ିକ ଛୋଟ ଏବଂ ସଂକୀର୍ଣ୍ଣ ଏବଂ ସେଠାରେ ଖାଦ୍ୟଶସ୍ୟ ଜମା କରି ରଖିବାକୁ ଜାଗା ନାହିଁ । ସେମାନଙ୍କ ମଧ୍ୟରୁ କେତେକଙ୍କର ଚାଲୁ ଅବସ୍ଥାରେ ରନ୍ଧାଘର ହିଁ ନାହିଁ ଏବଂ ସେମାନେ ବିଭିନ୍ନ ଭୋଜନାଳୟ, ରେସ୍ତୋରାଁର ବଳକା ଖାଦ୍ୟ କିମ୍ବା ସେଠାକାର ଅନ୍ୟ ପରିବାର ଦେଉଥିବା ଖାଦ୍ୟ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଘରୁ ବାହାରକୁ କାମ କରିବାକୁ ଯାଉଥିବା ଲୋକେ କାମରୁ ଫେରି ଘର ବାହାରେ ଥିବା ଖାଲି ଜାଗାରେ ବସାଉଠା କରନ୍ତି । ଜୀବାଣୁ ପ୍ରତିରୋଧକାରୀ ମାସ୍କ ସେମାନଙ୍କ ପାଇଁ ଏକ ବିଳାସ ସାମଗ୍ରୀ ଏବଂ ସେମାନେ ଏହା କିଣିବାକୁ ସକ୍ଷମ ନୁହନ୍ତି । ସେମାନଙ୍କ ମଧ୍ୟରୁ କେତେକ ପୁଣେ ପୌର ନିଗମ (ପିଏମ୍‌ସି)ର ଠିକା କର୍ମଚାରୀ ଏବଂ ସେମାନେ ଏକ ବେସରକାରୀ ସଂଗଠନରୁ ମିଳିଥିବା ମାସ୍କ୍‌ ବ୍ୟବହାର କରନ୍ତି ଏବଂ ଏହାକୁ ଧୋଇ ପୁଣି କାମରେ ଲଗାନ୍ତି ।

ବୈଜିନାଥ ଗାଏକୱାଡ଼ କହିଲେ, ପୁଣେ ପୌର ନିଗମରେ କାର୍ଯ୍ୟରତ ୱାର୍ଜେ, ତିଲକ ରୋଡ୍‌ ଏବଂ ହଡ଼ସପୁର ଅଞ୍ଚଳର ୧,୦୦୦ରୁ ଅଧିକ ଠିକା କର୍ମଚାରୀ ତିନି ମାସ ହେଲା ମଜୁରି ପାଇନାହାନ୍ତି । ନଗର ନିଗମର ସେ ଜଣେ ମୁକଦମ୍‌ (ସୁପରଭାଇଜର) ଏବଂ ମହାପାଳିକା କାମଗାର ସଂଘର ଜଣେ ସଦସ୍ୟ । ସେମାନେ ପାଉଣା ପାଇବା ଆଶା ଏବେ ଆହୁରି କ୍ଷୀଣ ହୋଇଯାଇଛି ବୋଲି ସେ କହନ୍ତି ।

ନିଜ ନାଁ ପ୍ରକାଶ କରିବାକୁ ରାଜି ହୋଇ ନଥିବା ପୁଣେ ପୌର ନିଗମର ଏମିତି ଜଣେ ଠିକା କର୍ମଚାରୀ ମୋତେ ତାଙ୍କ ରନ୍ଧାଘରର ଖାଲି ଡବା ସବୁ ଦେଖାଇଲେ (ଭିଡିଓ ଦେଖନ୍ତୁ) । ସେ କହିଲେ, “ଆମେ ଆମର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିଲୁଣି ଏବଂ ପୌର ନିଗମ ଉପରେ ବକେୟା ଥିବା ପାଉଣା ଆମକୁ ନ ମିଳିଲେ ଆଉ ଆଗକୁ ବଞ୍ଚି ରହିପାରିବୁ ନାହିଁ । ଘରେ ବେକାର ହୋଇ ବସି ରହିବାକୁ ବାଧ୍ୟ ହେଉଥିବା ବେଳେ ଆମେ ଅନାହାରରେ ପ୍ରାଣ ହରାଇବାକୁ ଯାଉଛୁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

Jitendra Maid

Jitendra Maid is a freelance journalist who studies oral traditions. He worked several years ago as a research coordinator with Guy Poitevin and Hema Rairkar at the Centre for Cooperative Research in Social Sciences, Pune.

Other stories by Jitendra Maid
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE