ମୁକ୍ତାବାଇ ଯାଦବଙ୍କ ଛୋଟିଆ ଘରେ, ହିନ୍ଦୁଧର୍ମ ଓ ଭଗବାନଙ୍କୁ ଅସ୍ୱୀକାର କରିଥିବା ଡ. ଆମ୍ବେଦକରଙ୍କ ଫଟୋ ଅନ୍ୟ ଦେବଦେବୀଙ୍କ ସହିତ ସ୍ଥିର ଭାବେ ରହିଛି। ସେ ୧୯୯୬ରେ ଗ୍ରୀଣ୍ଡମିଲ ସଙ୍ଗୀତ ପ୍ରକଳ୍ପ ପାଇଁ କେତେକ ଓଭି ଗାଇଥିଲେ। ଏପ୍ରିଲ ୨୦୧୭ରେ ସେ ବୀଡ଼ ଜିଲ୍ଲାର ଭୀମନଗରରେ ଥିବା ନିଜ ଘରକୁ ପୁଣିଥରେ ବୁଲିଯାଇଥିଲେ

“ମୁକ୍ତାବାଇଙ୍କ ଘର କେଉଁଠି?” ଆମେ ପଚାରିଲୁ। ଜଣେ ମହିଳା ଆମକୁ ଏକ ଛୋଟ ଘର ଦେଖାଇ ଦେଲେ ପାଖାପାଖି ୧୦/୧୫ ଫୁଟ ହେବ, ଯାହାର ଗୋଟିଏ ପାଖ କାନ୍ଥ ଟିଣ ଚଦର ଆଚ୍ଛାଦିତ ହୋଇଛି। ସେହି ଟିଣ ଚାଦରର ଫାଙ୍କରେ ଆମେ ଏକ ଖୋଲାଦ୍ୱାର ଦେଖିପାରିଲୁ। ଜଣେ ବୟସ୍କା ମହିଳା ବାହାରକୁ ଉଙ୍କିମାରିଲେ।

ଏପ୍ରିଲ ୧୯୯୬ରେ ଆମେ ମାଜଲଗାଓଁ ତାଲୁକାରେ ଥିବା ଭୀମନଗର ଗସ୍ତ କରିଥିଲୁ ଏବଂ ମୁକ୍ତାବାଇ ଯାଦବଙ୍କ ଓଭି ଶୁଣିଥିଲୁ। କିଛି ଘଣ୍ଟା ମଧ୍ୟରେ, ଆମେ ଏହି ପଡ଼ାରେ ରହୁଥିବା ମହିଳାମାନଙ୍କ ଦ୍ୱାରା ବୋଲା ଯାଇଥିବା ଗ୍ରିଣ୍ଡମିଲ ସଙ୍ଗୀତ ରେକର୍ଡ କରିଥିଲୁ।

ଏବେ ପାଖାପାଖି ୨୧ ବର୍ଷ ପରେ,ଏପ୍ରିଲ ୨୦୧୭ ପ୍ରାରମ୍ଭରେ ମୁଁ ଭୀମନଗରକୁ ପୁଣି ଥରେ ଆସିଛି। ମୁକ୍ତାବାଇ ଧୀରେ କବାଟ ଖୋଲିଲେ ଏବଂ ଆମମାନଙ୍କୁ ଭିତରକୁ ଆସିବାକୁ ଦେଲେ : “ୟା ଦେବା” (ଦେବତାଙ୍କୁ ସ୍ୱାଗତ)! ସେ ଏକ ନୀଳ ଶାଢ଼ୀ ପିନ୍ଧିଥିଲେ, ତାଙ୍କ ବେକରେ ବଡ଼ମାଳିର ଲମ୍ବା ମାଳା ଝୁଲିଥିଲା, କପାଳରେ କଳା ଓ ଧଳାରଙ୍ଗର ସିନ୍ଦୂର ପିନ୍ଧିଥିଲେ ଏବଂ ତାଙ୍କର ଏବେ ସୁଦ୍ଧା ଘନକଳା କେଶ ଥିଲା ଯାହା ତାଙ୍କ ବୟସ ତୁଳନାରେ ବ୍ୟତିକ୍ରମ ଥିଲା। ମୁକ୍ତାବାଇ, ବୋଧହୁଏ ତାଙ୍କ ୬୦ ଦଶକରେ, ପ୍ରଣାମ କଲେ ଏବଂ ପୁଣି ଥରେ ଆମକୁ ସ୍ୱାଗତ କଲେ: "ଆସ, ଭଗବାନ!"

ତାଙ୍କର ସେହି ଟିଣ ବାସସ୍ଥାନର ପ୍ରବେଶ ପଥରେ ଦୁଇଟି ପାତ୍ର ଥୁଆ ହୋଇଥିଲା, ସମ୍ଭବତଃ ତାହା ପାଣି ସଂରକ୍ଷିତ ରଖିବା ଲାଗି ଉଦ୍ଦିଷ୍ଟ ଥିଲା। ଆମେ ଅତ୍ୟନ୍ତ ସତର୍କତାର ସହିତ ସେହି ଘର ନିକଟ ଦେଇ ଯାଇଥିବା ଭୂତଳ ନଳା ଉପରଦେଇ ଭିତରକୁ ପ୍ରବେଶ କଲୁ। ମୁକ୍ତାବାଇଙ୍କ ଛୋଟିଆ ଘର ଅନେକ ଜିନିଷରେ ପୂରି ରହିଥିଲା। ଟିଭିରେ ଭକ୍ତିପୂର୍ଣ୍ଣ ଆସ୍ଥା ଚ୍ୟାନେଲ ଲାଗିଥିଲା, ପାଖରେ ବାବାସାହେବ ଆମ୍ବେଦକରଙ୍କ ଫଟୋ ଝୁଲା ହୋଇଥିଲା। ତାଙ୍କର ୨୨ଟି ଶପଥ (ବିବରଣୀ ଦ୍ରଷ୍ଟବ୍ୟ ଦେଖନ୍ତୁ) ସହିତ ଡ. ଆମ୍ବେଦକରଙ୍କ ଆଉ ଏକ ଫଟୋକାନ୍ଥରେ ଝୁଲୁଥିଲା। ଏହା ନିକଟରେ ରହିଥିଲା ଦେବୀ ତୁଲଜା ଭବାନୀଙ୍କ ଫଟୋଚିତ୍ର। ଘରକାନ୍ଥ ଅନ୍ୟ ଦେବଦେବୀ ଏବଂ ସାଇଲାନି ବାବା ଏବଂ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ସମେତ ଅନ୍ୟ ଧର୍ମଗୁରୁଙ୍କ ଫଟୋରେ ଭରି ରହିଥିଲା। ଏତିକି ଯଥେଷ୍ଟ ହୋଇନଥିଲା ଯେ ତାଙ୍କର ଛୋଟିଆ ପୂଜା ଘରେ ମଧ୍ୟ କିଛି ଦେବଦେବୀଙ୍କୁ ସ୍ଥାନ ମିଳିଥିଲା। ମୁକ୍ତାବାଇ ଉଦାରତାପୂର୍ବକ ଆମ ଚାରିଜଣଙ୍କୁ ସେହି ଦେବଦେବୀଙ୍କ ମେଳରେ ସ୍ଥାନଦେଇଥିଲେ।

a woman
PHOTO • Jitendra Maid

( ଦ୍ରଷ୍ଟବ୍ୟ: ବାବାସାହେବ ଆମ୍ବେଦକର ଅକ୍ଟୋବର ୧୪,୧୯୫୬ରେ ନାଗପୁରର ଦୀକ୍ଷା ଭୂମିଠାରେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହି ଅବସରରେ ଶିଳାଲେଖରେ ରହିଥିବା ଶପଥ ଅନୁଯାୟୀ ସେ ବୌଦ୍ଧଧର୍ମର ତିନୋଟି ଆଧାର: ବୁଦ୍ଧ, ଧାମ୍ମ ଏବଂ ସଂଘ ସମେତ ୨୨ଟି ଶପଥ ଗ୍ରହଣ କରିଥିଲେ। ହିନ୍ଦୁଧର୍ମ ସହିତ ଜଡ଼ିତ ଥିବା କେତେକ ପ୍ରଥମ ଓ ବିଶ୍ୱାସକୁ ଅସ୍ୱୀକାର କରୁଥିବା କେତେକ ଶପଥ ମଧ୍ୟ ଏଥିରେ ସାମିଲ ଥିଲା। ଏହି ଶପଥରେ ସମାନତାର ବିଶ୍ୱାସକୁ ଗ୍ରହଣ କରିବା ଏବଂ ସମାନତା ପ୍ରତିଷ୍ଠା କରିବାର ପ୍ରୟାସ କରିବା ମଧ୍ୟ ସାମିଲ ରହିଛି। )

ଆମ ବସିବା ପାଇଁ ମୁକ୍ତାବାଇଏକ ହାଲୁକା ରଜାଇ ପାରିଦେଲେ। ମୁଁ ତାଙ୍କୁ ଆମର ଗସ୍ତ ଏବଂ ସେତେବେଳେ ‍ସେ ଗାଇଥିବା ଓଭି ବିଷୟରେ ମନେ ପକାଇଦେଲି। ସେ ଆମ୍ବେଦକରଙ୍କ ମୃତ୍ୟୁ ଉପରେ ଏକ ଓଭି ଗାଇଲେ।

"गेले गेले भीमराज, चंदनपाट टाका न्हाया

भीमा मुंबईच्या बाया"

मेले मेले भिमराज चंदनपाट टाका न्हाया

भीमा तुम्हाला ओवाळाया, अख्ख्या मुंबईच्या बाया

ଭୀମଙ୍କ ପରଲୋକ ଘଟିଛି, ଏକ ଚନ୍ଦନ କାଠ ଆସନରେ ତାଙ୍କୁ ବସାଇ ଗାଧୋଇଦିଅ

ଭୀମ, ବମ୍ବେର ମହିଳାମାନେ ଦୀପ ଜଳାଇ ତୁମକୁ ପୂଜା କରୁଛନ୍ତି।

( ଦ୍ରଷ୍ଟବ୍ୟ : ଏହାର ଅର୍ଥ ସମାଧି ଦେବା ପୂର୍ବରୁ ଶବକୁ ଗାଧୋଇଦେବାର ପ୍ରଥା ପ୍ରତି ଏହା ଇଙ୍ଗିତ କରୁଛି )

ସେ ଆଉ ଏକ ଓଭି ଗାଇଲେ କିନ୍ତୁ ତାହାର ସବୁତକ ମନେ ପକାଇପାରିଲେ ନାହିଁ, ସେ ନିଜର ଲୁହ ପୋଛିଲେ। ଏହାପରେ ମୁକ୍ତାବାଇ ଆମକୁ କିଛି ଖାଇବା ଲାଗି ଅନୁରୋଧ କଲେ। ଏକ କଡ଼େଇରେ ରନ୍ଧା ହୋଇଥିବା କିଛି ଖାଦ୍ୟ ଆଡ଼କୁ ଦେଖାଇ ଆମକୁ କହିଲେ, “ପ୍ରିୟ ତୁମେ କିଛିଖାଅ। ମୋ ଘରୁ କେହି କିଛି ନ ଖାଇଯାଏ ନାହିଁ। ଖାଇବା ନହେଲେ ମୁଁ ତୁମ ପାଇଁ ଟିକେ ଚା’ କରିଦେଉଛି। ଶେଷରେ, ସେ ଆମକୁ ପୂରା ଚାମଚ ଚିନି ଖାଇବା ଲାଗି ପ୍ରସ୍ତାବ ଦେଲେ। ଆମେ ସେହି ମଧୁର କ୍ଷଣର ସ୍ମୃତିକୁ ମନେ ରଖିବା ଲାଗି ସେଥିରୁ ଚିମୁଟାଏ ଗ୍ରହଣ କଲୁ ଏବଂ ପୁଣିଥରେ ପରେ କେବେ ଆସିବା ଲାଗି ପ୍ରତିଶ୍ରୁତି ଦେଲୁ। ତାଙ୍କଠାରୁ କିଛି ଗ୍ରହଣ ନକରିବା ପର୍ଯ୍ୟନ୍ତ ମୁକ୍ତାବାଇ ଆମକୁ ଛାଡ଼ିବା ଲାଗି ତଥାପି ରାଜିନଥିଲେ। ତେଣୁ ମୁଁ ଶେଷରେ ସେ ଆମକୁ ଅତି ସ୍ନେହ ଓ ଆନନ୍ଦର ସହ ପ୍ରଦାନ କରିଥିବା ନଡ଼ିଆଟି ନେଲି। ଆମେ ଯେତେବେଳେ ତାଙ୍କଠାରୁ ବିଦାୟ ନେବାକୁ ବାହାରିଲୁ, ସେ ପୁଣିଥରେ କହିଲେ, “ୟା ଦେବା, ଆଉ ଥରେ ଆସିବ, ପ୍ରିୟ ଭଗ଼ବାନ!”

ସେ ଆଉ ଏକ ଓଭି ଗାଇଲେ କିନ୍ତୁ ତାହାର ସବୁତକ ମନେ ପକାଇପାରିଲେ ନାହିଁ, ସେ ନିଜର ଲୁହ ପୋଛିଲେ। ଏହାପରେ ମୁକ୍ତାବାଇ ଆମକୁ କିଛି ଖାଇବା ଲାଗି ଅନୁରୋଧ କଲେ। “ପ୍ରିୟ ତୁମେ କିଛିଖାଅ। ମୋ ଘରୁ କେହି କିଛି ନ ଖାଇଯାଏ ନାହିଁ….”

ଭିଡିଓ ଦେଖନ୍ତୁ : ମଣିଷ ଭିତରେ ଭଗବାନଙ୍କ ଉପସ୍ଥିତିର ସନ୍ଧାନ

ମୁଁ ପରଭାଣୀର ଗଙ୍ଗୁବାଇ ଅମ୍ବୋରଙ୍କ ବିଷୟ ମନେ ପକାଇଲି ଯାହାଙ୍କୁ ଆମେ ଗ୍ରୀଣ୍ଡମିଲ ସଙ୍ଗୀତ ପ୍ରକଳ୍ପ ପାଇଁ ରେକର୍ଡିଂ କରିବା ସମୟରେ ୨୦ ବର୍ଷ ପୂବେ ଭେଟିଥିଲୁ। ଏକାକୀ, ପରିବାର ଦ୍ୱାରା ପ୍ରତ୍ୟାଖ୍ୟାତ ଏବଂ କୁଷ୍ଠ ରୋଗାକ୍ରାନ୍ତ ହୋଇ ସେ ଦଶନ୍ଧିରୁ ଅଧିକ ସମୟ ହେବ ମନ୍ଦିରରେ ରହୁଥିଲେ ଏବଂ ମନ୍ଦିର ଅଗଣାରେ ଜହ୍ନ ସହିତ କଥା ହେଉଥିଲେ। ଏଠାରେ ମୁକ୍ତାବାଇଙ୍କ ଘର ଏକପ୍ରକାର ମନ୍ଦିର ଥିଲା। ସେ ତାଙ୍କ ଚାରିପାଖରେ ଥିବା ମଣିଷଙ୍କ ମଧ୍ୟରେ ଭଗବାନଙ୍କୁ ଖୋଜୁଥିଲେ, ସେମାନଙ୍କୁ “ୟାଦେବା…” କହି ସ୍ୱାଗତ କରୁଥିଲେ।

ମୁକ୍ତାବାଇ ଏକାକୀ ରହୁଥିଲେ। ତାଙ୍କର ସ୍ୱାମୀ ଆରପାରିକୁ ଚାଲିଯାଇଥିଲେ ଏବଂ ତାଙ୍କର କେହି ପିଲାନଥିଲେ। ତାଙ୍କର କେହି ସହଯୋଗୀ ନଥିଲେ କିମ୍ବା କେହି ତାଙ୍କର ଯତ୍ନ ନେବା ଲାଗିନଥିଲେ। ଗାଁରେ ଥିବା ଅନ୍ୟମାନେ ତାଙ୍କୁ ଯାହା ଦେଉଥିଲେ ସେଥିରେ ସେ ବଞ୍ଚୁଥିଲେ। ଟିଭି କାର୍ଯ୍ୟକ୍ରମ ତାଙ୍କୁ ସମୟ ବିତାଇବାରେ ସହାୟକ ହେଉଥିଲା।

ସେ ସଂଗ୍ରହ କରି ରଖିଥିବା ବିଭିନ୍ନ ପନ୍ଥ ଓ ପରମ୍ପରାର ଦେବଦେବୀଙ୍କ ମୂର୍ତ୍ତି ଓ ଫଟୋଗୁଡ଼ିକ ବୋଧହୁଏ ତାଙ୍କ ପାଇଁ ଏକଲାପଣକୁ ଦୂର କରିବା ଲାଗି ଏକ ମାର୍ଗ ଥିଲା। ବୋଧେ ସେ ବିଶ୍ୱାସ କରୁଥିଲେ ଯେ ମଣିଷ ନୁହନ୍ତି ଭଗବାନ ତାଙ୍କ ପାଖକୁ ଆସିବେ। କିମ୍ବା ବୋଧହୁଏ ସେ ସାକ୍ଷାତ କରୁଥିବା ପ୍ରତ୍ୟେକ ଲୋକଠାରେ ଦୈବୀକ ଶକ୍ତି ଖୋଜୁଥିଲେ। ତାଙ୍କ ରଉଦାର ସ୍ୱାଗତ, “ୟା ଦେବା, ଭଗବାନଙ୍କୁ ସ୍ୱାଗତ…” ପ୍ରତ୍ୟେକ ଲୋକଠାରେ ଭଗବାନଙ୍କ ଉପସ୍ଥିତିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ତାଙ୍କର ମାର୍ଗଥିଲା କି?

“ଯଦି ଆମର ମନ ସ୍ଥିର ହୁଏ, ତା’ହେଲେ ଭଗବାନ ବଦଳିନଥାନ୍ତି”, ମୁକ୍ତାବାଇ କହିଥିଲେ। “ଆମେ କର୍ମ କରିବା ଜାରି ରଖିବାଏବଂ (ଆମ ଚାରିପାଖରେ) ଭଗବାନଙ୍କ ଉପସ୍ଥିତିକୁ ଖୋଜିବା ଉଚିତ।”

ମୁକ୍ତାବାଇଙ୍କୁ ନେଇ ମୋ ମନରେ ଥିବା ପ୍ରଶ୍ନ ଏବେବି ଅସମାହିତ ହୋଇ ରହିଛି। ତାଙ୍କର ଘର ଚାରିପାଖରୁ ଆବଦ୍ଧ ଥିଲା କିନ୍ତୁ ତାଙ୍କର ଦ୍ୱାର ସମସ୍ତଙ୍କ ପାଇଁ ଖୋଲାଥିଲା। ହିନ୍ଦୁଧର୍ମ ଏବଂ ଭଗବାନଙ୍କୁ ଅସ୍ୱୀକାର କରୁଥିବା ଡ. ଆମ୍ବେଦକରଙ୍କୁ ସେ ସମ୍ମାନ କରୁଥିଲେ, କିନ୍ତୁ ତାଙ୍କ ଘରେ ସଂଖ୍ୟାଧିକ ଦେବାଦେବୀ ଓ ଭଗବାନଙ୍କ ମଧ୍ୟରେ ସେ ସ୍ଥିରଭାବେ ରହିଥିଲେ।

ଦ୍ରଷ୍ଟବ୍ୟ :ମୁଁ ମୁକ୍ତାବାଇ ଯାଦବଙ୍କୁ ୧୯୯୬-ଏପ୍ରିଲ ୨ ତାରିଖରେ ପ୍ରଥମଥର ପାଇଁ ଭେଟିଥିଲି ଠିକ ସେହିଦିନରେ ଆମେ ପୁଣିଥରେ ତାଙ୍କ ଘରକୁ ଯାଇଥିଲୁ। ଦୁଇ ଦଶନ୍ଧି ପୂର୍ବେ ସେ ଡ. ଆମ୍ବେଦକରଙ୍କ ଉପରେ କିଛି ଓଭି ଗାଇଥିଲେ। ଆମେ ବର୍ତ୍ତମାନ ତାଙ୍କ ଭଳି କଳାକାରମାନଙ୍କ ଭିଡ଼ିଓ ରେକର୍ଡ କରିବା ଏବଂ ଫଟୋ ନେବା ଲାଗି ଚାହୁଁଛୁ। ଏହି ଗସ୍ତ ସମୟରେ ମୋ ସହିତ ପରୀର ନମିତା ୱାଇକର ଏବଂ ସମ୍ୟୁକ୍ତା ଶାସ୍ତ୍ରୀ ଯାଇଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jitendra Maid

Jitendra Maid is a freelance journalist who studies oral traditions. He worked several years ago as a research coordinator with Guy Poitevin and Hema Rairkar at the Centre for Cooperative Research in Social Sciences, Pune.

Other stories by Jitendra Maid