୬୦ବର୍ଷ ବୟସ୍କା କେବଲବାଈ ରାଠୋଡ ଗୋଟିଏ ଭାରି ହ୍ୟାଣ୍ଡପମ୍ପ ଚଳାଉଛନ୍ତି । ପ୍ରତ୍ୟେକ ଥର ବଳ ଦେଇ ଟାଣିବା ସମୟରେ ସେ ଗୋଟିଏ ହୁଙ୍କାର ଦିଅନ୍ତି। ତାଙ୍କ ବାହୁର ଶିରାଗୁଡ଼ିକ ବାହାରକୁ ଟାଣି ହୋଇଯାଏ, ଚେହେରାର କୁଞ୍ଚନ ଅଧିକ ଗାଢ ହୋଇଯାଏ। ତାଙ୍କର ଏତେସବୁ ଉଦ୍ୟମ ସତ୍ତ୍ୱେ ପାଣି କଦବା କ୍ୱଚିତ ମାଠିଆରେ ପଡ଼େ । ଅନେକ ଗ୍ରାମବାସୀ ସେମାନଙ୍କ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ଏବଂ ପମ୍ପରୁ ଯେ କୌଣସି ସମୟରେ ପାଣି ସରିଯାଇପାରେ।

ଗୋଟିଏ ଘଣ୍ଟା ପରେ ପ୍ରାୟ ଅପରାହ୍ନ ୫ଟା ବେଳକୁ କେବଲବାଈ ମାତ୍ର ଦୁଇଟି ପାତ୍ରରେ ପାଣି ଭରିବାକୁ ସମର୍ଥ ହୋଇଥାନ୍ତି। ତାଙ୍କ ସ୍ୱାମୀ ୬୫ବର୍ଷ ବୟସ୍କ ରାମୁ ପାଖରେ ଥିବା ଗୋଟିଏ ପଥର ଉପରେ ବସି ଆକାଶକୁ ଚାହିଁଥାନ୍ତି। କେବଲବାଈ ମରାଠୀରେ କୁହନ୍ତି ‘‘ଜଲା ରେ (ଏହା ହୋଇଗଲା)’’ ଏବଂ ରାମୁ ଉଠି ଛିଡ଼ା ହୁଅନ୍ତି କିନ୍ତୁ ଆଗକୁ ବଢ଼ନ୍ତିନି। କେବଲବାଈ ଗୋଟିଏ ହାଣ୍ଡି ଉଠାନ୍ତି ଏବଂ ତାଙ୍କ ପାଖକୁ ଆସି ତାହା ଦିଅନ୍ତି। ସେ ଏହାକୁ ନିରାପଦରେ ନିଜ କାନ୍ଧ ଉପରେ ରଖନ୍ତି, କେବଲବାଈ ଅନ୍ୟଟିକୁ ଧରନ୍ତି। ଏହା ପରେ ସେ ରାମୁଙ୍କ ହାତ ନେଇ ନିଜ କାନ୍ଧ ଉପରେ ରଖନ୍ତି ଏବଂ ଦୁହେଁ ସେମାନଙ୍କ ଘର ଆଡ଼କୁ ଚାଲିବା ଆରମ୍ଭ କରନ୍ତି। ମୋର ବିସ୍ମିତ ହୋଇଯାଇଥିବା ମୁହଁକୁ ଅନାଇ କେବଲବାଈ ବୁଝାଇ କୁହନ୍ତି, ‘‘ସେ ଦୃଷ୍ଟିହୀନ’’।

PHOTO • Parth M.N.

ସ୍ୱାମୀ ରାମୁଙ୍କୁ କାଶୀରାମ ସୋମ୍‌ଲାରେ ଥିବା ସେମାନଙ୍କ ଘରକୁ ରାସ୍ତାକଡ଼େଇ ନେବା ସମୟରେ କେବଲବାଇ କୁହନ୍ତି ‘‘ସେ ଦୃଷ୍ଟିହୀନ’’। ସେ କଷ୍ଟକରି ଭର୍ତ୍ତି କରିଥିବା ପାଣିକୁ ଆଉଥରେ ପାଣି ପାଇଁ ଆସିବା ପୂର୍ବରୁ ଘରକୁ ନେଉଛନ୍ତି। 

ମହାରାଷ୍ଟ୍ରର ଲାଟୁର୍‌ ଜିଲ୍ଲାର ଉଦଗିରି ତାଲୁକାରେ ଥିବା କାଶୀରାମ ସୋମ୍‌ଲା ନାମକ ଏହି ପାହାଡ଼ିଆ ଛୋଟ ଗାଁର ପାଦ ଦେଶରେ ଗୋଟିଏ ବୋରଓ୍ୱେଲ୍‌ ଉପରେ ହ୍ୟାଣ୍ଡପମ୍ପ୍ ଅଛି। ପ୍ରତ୍ୟେକ ଥର ଯିବା ପାଇଁ ୧୫ ମିନିଟ୍‌ ପାହାଡ଼ ଚଢ଼ିବାକୁ ହୁଏ। ପ୍ରତ୍ୟେକ ହାଣ୍ଡିରେ ପ୍ରାୟ ୧୨ଲିଟର ପାଣି ଧରେ ଏବଂ ଯେତେବେଳେ ସେଗୁଡ଼ିକ ଭର୍ତ୍ତି ହୋଇଯାଏ ସେତେବେଳେ ଏହାର ଓଜନ ପ୍ରାୟ ୧୨ କିଲୋ ହୁଏ। କେବଲବାଈ ରାମୁକୁ ନେଇ ଦିନରେ କେଇଥର ଏହି ପଥୁରିଆ ରାସ୍ତାରେ ଉପରତଳ ହୁଅନ୍ତି। ପାହାଡ଼ର ଗୋଟିଏ କୋଣରେ ଥିବା ସେମାନଙ୍କ ଘରେ ପହଞ୍ଚିବା ପରେ ସେ କହିଲେ, ‘‘ଆମର ସାତଜଣିଆ ପରିବାର’’। “ମୋର ତିନୋଟି ପୁଅ, ଦୁଇଜଣ ବିବାହିତ। ସେମାନେ ସମସ୍ତେ ସକାଳଠାରୁ କାମ ସନ୍ଧାନରେ ଯାଇଛନ୍ତି [କୃଷି ଶ୍ରମିକ ଭାବରେ କିମ୍ବା ଉଦ୍‌ଗିରି ସହରରେ ନିର୍ମାଣସ୍ଥଳଗୁଡ଼ିକରେ]।ତେଣୁ ପାଣି ଆଣିବା ଦାୟିତ୍ୱ ଆମ ଦୁଇଜଣଙ୍କ ଉପରେ।’’

ତାଙ୍କ ପରିବାରର ଜମି ନାହିଁ କିମ୍ବା ପଶୁସମ୍ପଦ ବି ନାହିଁ। ସେମାନଙ୍କ ପୁଅ ଏବଂ ବୋହୂଙ୍କ ଦିନ ମଜୁରୀରେ ଘର ଚଳେ। ରାମୁ କୁହନ୍ତି, ‘‘ଦିନକୁ ୧୦ ହାଣ୍ଡି [ପ୍ରତ୍ୟେକରେ ୧୨-୧୫ ଲିଟର] ହେଉଛି ଆମର ଲକ୍ଷ୍ୟ। ଆମେ ଦୁଇଜଣ ପ୍ରତିଦିନ ୫ଥର ଯିବା ଆସିବା କରୁ।’’ “ଆମେ କେବଳ ମୌଳିକ ଆବଶ୍ୟକତା ଯେମିତିକି ରୋଷେଇ ସଫାସଫି ଏବଂ ଗାଧୋଇବା ପାଇଁ ପାଣି ଆବଶ୍ୟକ କରୁ। ଯେଉଁମାନଙ୍କର ଜମି ଅଛି କିମ୍ବା ଗୃହପାଳିତ ପଶୁ ଅଛନ୍ତି ସେମାନଙ୍କୁ ଆହୁରି କଷ୍ଟ କରିବାକୁ ହୁଏ।’’ 

ବାମ: ୬୦ବର୍ଷ ବୟସ୍କା କେବଲବାଈ ପାଣି ଭରିବା ପୂର୍ବର ତାଙ୍କ ହାଣ୍ଡିଗୁଡ଼ିକ ଧୋଉଛନ୍ତି। ଡାହାଣ: ସେ ହ୍ୟାଣ୍ଡପମ୍ପ ଚଳାଇବା ବେଳେ ତାଙ୍କ ସ୍ୱାମୀ ରାମୁ ତାଙ୍କ ପାଖରେ ବସିଛନ୍ତି

ଯେତେବେଳେ ମୁଁ ୪୦ବର୍ଷ ବୟସ୍କା ସାଲୁବାଈ ଚଭନଙ୍କୁ ତାଙ୍କ ଘରେ ପୂର୍ବାହ୍ନ ୧୧.୩୦ ବେଳେ ଭେଟିଲି, ସେତେବେଳକୁ ସେ ପାଞ୍ଚ ଘଣ୍ଟା ପାଣି ସଂଗ୍ରହ ପାଇଁ କଟାଇ ସାରିଥାନ୍ତି। ସେ ଏକ ବନଜାରା (ଅନୁସୂଚିତ ଜନଜାତି) ପରିବାରର, ତାଙ୍କ ପରିବାରର ସଂଖ୍ୟା ୫ ଏବଂ ସେମାନଙ୍କର ଦୁଇଏକର ଜମି ଅଛି। ସେ କୁହନ୍ତି, ‘‘ଆମ ଆୟର ମୁଖ୍ୟ ଉତ୍ସ ଦୁଗ୍ଧଜାତୀୟ ସାମଗ୍ରୀ’’। “ଆମେ ଦୁଇଟି ବଳଦ, ତିନୋଟି ଗାଈ ଏବଂ ଚାରୋଟି ମଇଁଷି ପାଳୁ। ଜୀବଜନ୍ତୁଙ୍କ ରକ୍ଷଣାବେକ୍ଷଣ କରିବା ଅଧିକ ପାଣି ଆବଶ୍ୟକ କରେ। ଆମେ ଦିନରେ ୨୦ ହାଣ୍ଡି ପାଣି ଦରକାର କରୁ।’’

ସାଲୁବାଈ କାଶୀରାମ ସୋମ୍‌ଲାରେ ପାହାଡ଼ ଉପରେ ଅଙ୍କାବଙ୍କା ରାସ୍ତାକଡ଼ରେ ରୁହନ୍ତି, ତାଙ୍କୁ ମଧ୍ୟ ହ୍ୟାଣ୍ଡ୍‌ ପମ୍ପ ପାଖକୁ ଆସିବା ପାଇଁ କେଇମିନିଟ ଚାଲିବା ପାଇଁ ହୋଇଥାଏ। ଘରବାହାରେ ଲୁଗା ସଫା କରିବା ବେଳେ ସେ ମନେପକେଇ କୁହନ୍ତି, ‘‘ଖରା ଆରମ୍ଭ ବେଳେ ଦୁଇଟି ହ୍ୟାଣ୍ଡପମ୍ପ ଥିଲା’’। କିନ୍ତୁ ଗୋଟିଏ ଖରାପ ହୋଇଗଲା। ସମୁଦାୟ ଗାଁ’ର ୪ଶହ ଲୋକ ଗୋଟିଏ ହ୍ୟାଣ୍ଡପମ୍ପ ଉପରେ ନିର୍ଭର କରୁଛନ୍ତି। ଏମିତିକି ଏ ଖରାରେ [ମେ ମାସର] ବି ଯଦି ମୁଁ ପାଣି ପିଏ ମୋତେ ଦୋଷୀ ଦୋଷୀ ମନେହୁଏ। ଜିଲ୍ଲାପାଳ ଟ୍ୟାଙ୍କର ଦ୍ୱାରା ପାଣି ଯୋଗାଇବା ଆରମ୍ଭ କରିଛନ୍ତି କିନ୍ତୁ ତାହା ଅନିୟମିତ ଏବଂ ଆମେ ତା’ ଉପରେ ନିର୍ଭର କରିପାରିବୁ ନାହିଁ।’’

ଏହି କାରଣରୁ ସକାଳ ହେବା ପୂର୍ବରୁ ହ୍ୟାଣ୍ଡପମ୍ପ ପାଖରେ ହାଣ୍ଡିଗୁଡ଼ିକ ଧାଡ଼ି ହୋଇ ରହିଥାଏ। ସାଲୁବାଈ କୁହନ୍ତି, ‘‘ସୂର୍ଯ୍ୟୋଦୟ ପରେ, ତାପମାତ୍ରା ୪୦ଡିଗ୍ରୀ [ସେଲସିୟସ] ଅତିକ୍ରମ କରୁଥିବା ବେଳେ ପାଣି ସଂଗ୍ରହ କରିବା ପ୍ରକୃତରେ କଷ୍ଟକର। ତଥାପି ଏହି ଧାଡ଼ି ଅସରନ୍ତି। ମୁଁ ସକାଳେ ୧୨-୧୫ହାଣ୍ଡି ଏବଂ ସନ୍ଧ୍ୟାରେ ୪ରୁ ୭ ଭିତରେ ୫-୮ହାଣ୍ଡି ପାଣି ଭର୍ତ୍ତି କରେ। ମୋ ପାଳି ଆସିବା ପାଇଁ ଅପେକ୍ଷା କରିବାରେ ତିନିଘଣ୍ଟା ସମୟ ଯାଏ ଏବଂ ଯିବା ଆସିବା କରିବାରେ ଆଉ ଦୁଇଘଣ୍ଟା। ମୁଁ ମୋ ଘର କାମ ଆରମ୍ଭ କରିବା ବେଳକୁ ସକାଳ ୯ଟା ହୋଇଯାଏ।’’ ସେ ପ୍ରତିଦିନ ସକାଳ ୪ଟା ସମୟରେ ଚାରୋଟି ହାଣ୍ଡି ସହିତ ଧାଡ଼ିରେ ଛିଡ଼ା ହୁଅନ୍ତି।

ସାଲୁବାଈ ଗୋଟିଏ ଦିନର ଏକ ତୃତୀୟାଂଶ ପାଣି ଭରିବାରେ ବ୍ୟୟ କରନ୍ତି, ବଳକା ସମୟ ସେ ଘର କାମ ଏବଂ ପରିବାରର ଯତ୍ନରେ କଟାନ୍ତି

ସକାଳେ ପାଞ୍ଚ ଘଣ୍ଟା ଏବଂ ବିଳମ୍ବିତ ଅପରାହ୍ନରେ ତିନି ଘଣ୍ଟା-ସାଲୁବାଈ ଦିନର ୮ଘଣ୍ଟା ପରିବାର ପାଇଁ ପାଣି ଆଣିବାରେ ଖର୍ଚ୍ଚ କରନ୍ତି। ଏହା ଅସ୍ୱାଭାବାକ ମଧ୍ୟ ନୁହେଁ; ମହିଳାଙ୍କ ପାଇଁ ଏକ ଜାତୀୟ କମିଶନଙ୍କ ରିପୋର୍ଟ ଦର୍ଶାଏ ଯେ, ଗ୍ରାମୀଣ ପରିବାରରେ ମହିଳାମାନେ ସାଧାରଣତଃ ଗୋଟିଏ ଦିନର ୬-୯ଘଣ୍ଟା ପାଣି ଦାୟିତ୍ୱରେ କଟାନ୍ତି। ୮ଘଣ୍ଟାର କୃଷି କାମରୁ ସାଲୁବାଈ ହୁଏତ ଟ. ୨୦୦ ଲେଖାଏଁ ଉପାର୍ଜନ କରିପାରିଥାନ୍ତେ, ଏହା ଏଠାରେ ସାଧାରଣ ଦିନମଜୁରୀ। ଗ୍ରୀଷ୍ମର ତିନୋଟି ମାସ ମାର୍ଚ୍ଚରୁ ମେ ମଧ୍ୟରେ ସେ ପ୍ରତିବର୍ଷ ଟ ୧୮ହଜାର ଟଙ୍କା ରୋଜଗାର କରୁଥାନ୍ତେ।

ଆୟ ଏବଂ ସମୟ ବ୍ୟତୀତ ଗ୍ରାମୀଣ ଭାରତରେ ମହିଳା ଏବଂ ଝିଅମାନଙ୍କ ଦ୍ୱାରା କରାଯାଉଥିବା ଏହି ହାଡ଼ଭଙ୍ଗା ପରିଶ୍ରମ ଝିଅମାନଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ। ମହିଳାମାନେ କୃଷି ସମ୍ପର୍କିତ ଅନେକ ଦାୟିତ୍ୱ କରିବା ସତ୍ତ୍ୱେ ପରିବାର ପାଇଁ ସେମାନେ ମୁଖ୍ୟ ଜଳ ସଂଗ୍ରାହକ। ପୁରୁଷ ଏବଂ ବାଳକମାନେ ଖୁବ୍‌ କମ୍‌ ଏହି କଷ୍ଟକର ଶାରୀରିକ ପରିଶ୍ରମରେ ଯୋଗ ଦିଅନ୍ତି। ଜାତୀୟ ସାମ୍ପୁଲ ସର୍ଭେ (ଏନ୍‌ଏସ୍‌ଏସ୍‌ଓ; ୬୯ତମ ପର୍ଯ୍ୟାୟ, ୨୦୧୨) ସୂଚିତ କରୁଛି ଯେ ଯେତେବେଳେ ପିଇବା ପାଣି ଦୂରରୁ ଆଣିବାକୁ ପଡ଼େ, ସେତେବେଳେ ୮୪.୧ ପ୍ରତିଶତ ଗ୍ରାମୀଣ ପରିବାରରେ ମହିଳାମାନେ ଏବଂ ୧୪.୧ ପ୍ରତିଶତ ପରିବାରରେ ପୁରୁଷମାନେ ଏହି କାମ କରନ୍ତି।

ବାମ: ଜଳ ଏବଂ ପଶୁଖାଦ୍ୟର ଅଭାବ ସାଲୁବାଈଙ୍କ ପରିବାରର ପଶୁସମ୍ପଦକୁ ମଧ୍ୟ ପ୍ରଭାବିତ କରୁଛି। ଡାହାଣ: ତାଙ୍କ ଅଗଣାରେ ଥିବା ଛୋଟ ପୋଖରୀ ଶୁଖିଯାଇଛି

ସାଲୁବାଈଙ୍କ ସ୍ୱାମୀ ରାଜାରାମ ସେ ଆଣିଥିବା ପାଣି ବ୍ୟବହାର କରି ପ୍ରସ୍ତୁତ ହୁଅନ୍ତି ଏବଂ ବିଲକୁ ଯାଆନ୍ତି। ସାଲୁବାଈ କୁହନ୍ତି, ‘‘ଏହି ଋତୁରେ ମୁଁ ଆଠଘଣ୍ଟା ପରେ ବି ପାଣି ନେଇ ଫେରିପାରୁଛି। ଗତବର୍ଷର ପରିସ୍ଥିତି ଆହୁରି କଷ୍ଟକର ଥିଲା, ମୁଁ ହୁଏତ ଘଣ୍ଟାଘଣ୍ଟା ଚାଲୁଥିଲି ଏବଂ ଖାଲିହାତରେ ଫେରୁଥିଲି। ଥରେ ମୁଁ ମୋ ପଶୁମାନଙ୍କ ପାଇଁ ଚାରା ଆଣିବାକୁ ୨୦କିଲୋମିଟର ଚାଲିଥିଲି। 

ସାଲୁବାଈ ପାଣି ଆଣିବାର ଦୁଇଟି ସମୟ ଅବଧି ମଧ୍ୟରେ କୌଣସି ଆରାମ ପାଆନ୍ତି ନାହିଁ, ସେ କୁହନ୍ତି, ‘‘ମୋର ଦୁଇ ପୁଅ ସ୍କୁଲରେ ପଢ଼ୁଛନ୍ତି, ସେମାନଙ୍କ କଥା ବୁଝିବାକୁ ହେବ, ସ୍କୁଲ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ। ଏହାଛଡ଼ା ମୁଁ ପରିବାର ପାଇଁ ରୋଷେଇ କରିବି, ପୋଷାକ ଏବଂ ବାସନକୁସନ ସଫା କରିବି ଏବଂ ଘର କଥା ବୁଝିବି।’’

ଭିଡ଼ିଓ ଦେଖନ୍ତୁ:  ସାଲୁବାଈ ତାଙ୍କର ଦିନ କେମିତି ଆରମ୍ଭ ହୁଏ ତାହା ବର୍ଣ୍ଣନା କରୁଛନ୍ତି ‘ମୁଁ ସକାଳ ୪ଟାରୁ ଘର ଛାଡ଼େ ଏବଂ ଧାଡ଼ିରେ ଛିଡ଼ାହୁଏ’

ଉଦ୍‌ଗିରିଠାରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଓସମାନାବାଦ ଜିଲ୍ଲାର ତାକ୍ୱିକ୍‌ ଗାଁ’ରେ ପ୍ରୟାଗବାଈ ଦୋଲାରେଙ୍କର ମଧ୍ୟ ନିଜସ୍ୱ ସମସ୍ୟା ରହିଛି। 

ପ୍ରାୟ ୭୦ବର୍ଷରେ ପହଞ୍ଚିଥିବା ଦୋଲାରେ ଜଣେ ଦଳିତ ଯେ କି ତାଙ୍କ ଜୀବନର ଅଧିକାଂଶ ସମୟ ଭେଦଭାବକୁ ସାମ୍ନା କରିଛନ୍ତି। ଜମି ଦେଇ ପାଣି ଆଣିବାକୁ ଯିବା ସମୟରେ ସେ କୁହନ୍ତି, ‘‘ଗତ କେଇବର୍ଷ ହେବ ଏହା ବଦଳିଛି। ଅନେକ ଜଳ ଉତ୍ସ ମୋ ପାଇଁ ବନ୍ଦ ଥିଲା। ଅଧିକାଂଶ ସମୟରେ ମୁଁ ଧାଡ଼ିର ଶେଷରେ ରହୁଥିଲି। ତଥାପି ଗାଁ’ରେ ଗୋଟିଏ ସାର୍ବଜନୀନ କୂଅ ଅଛି, ଯେଉଁଠିକୁ ମୁଁ ଯିବା ପାଇଁ ଅନୁମତି ନାହିଁ।’’

ତାଙ୍କ ପରିବାର ନିମନ୍ତେ ଦୋଲାରେ ପାଣି ସହ ଦିନ ମଜୁରୀ ପାଇଁ ମଧ୍ୟ ଉତ୍ତରଦାୟୀ। ସେ ଖରାର ପ୍ରଭାବ ସର୍ବନିମ୍ନ କରିବା ଉଦ୍ୟମରେ ଶାଢ଼ୀକୁ ମୁଣ୍ଡ ଚାରିପଟେ ଗୁଡ଼ାଇ କହିଲେ, ‘‘ଆମର କୌଣସି ସନ୍ତାନ ନାହିଁ’’। “ମୋ ସ୍ୱାମୀ ଭିନ୍ନକ୍ଷମ। ସେ ଚାଲିପାରନ୍ତି ନାହିଁ, ତେଣୁ ଜଣେ ଶ୍ରମିକ ଭାବରେ କାମ କରିପାରିବେ ନାହିଁ।’’ ଏହି ସମୟରେ ତାପମାତ୍ରା ୪୫ଡିଗ୍ରୀ ସେଲ୍‌ସିୟସ ଛୁଇଁଥିଲା। 

ସପ୍ତାହରେ ତିନିଦିନ ଦୋଲାରେ ସାତଦିନ ପାଇଁ ପାଣି ସଂଗ୍ରହ କରି ରଖିବାକୁ ଚାରିରୁ ପାଞ୍ଚ ଘଣ୍ଟା କଟାନ୍ତି। ସେ କୁହନ୍ତି, ‘‘ଆମକୁ ସପ୍ତାହକୁ ୩୦-୩୫ ହାଣ୍ଡି ପାଣି ଦରକାର ହୁଏ’’। ସେ କୁହନ୍ତି, ତାଙ୍କ ଘରଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଗୋଟିଏ ଘରୋଇ ବୋର୍‌ଓ୍ୱେଲ ଅଛି, ଯାହାକି ତାଙ୍କ ପାଇଁ ଜଳର ଉତ୍ସ। ‘‘ମୁଁ ଥରକେ ଗୋଟିଏ ହାଣ୍ଡିରୁ ଅଧିକ ଆଣିପାରିବି ନାହିଁ। ମୋ ବୟସରେ ପ୍ରତ୍ୟେକ ହାଣ୍ଡି ପାଇଁ ଏହା ଅତିକମ୍‌ରେ ଅଧଘଣ୍ଟା ସମୟ ନିଏ।’’

ସପ୍ତାହରେ ତିନିଦିନ ଦୋଲାରେ ସାତଦିନ ପାଇଁ ପାଣି ସଂଗ୍ରହ କରି ରଖିବାକୁ ଚାରିରୁ ପାଞ୍ଚ ଘଣ୍ଟା କଟାନ୍ତି। ସେ କୁହନ୍ତି, ‘‘ଆମକୁ ସପ୍ତାହକୁ ୩୦-୩୫ ହାଣ୍ଡି ପାଣି ଦରକାର ହୁଏ’’। ସେ କୁହନ୍ତି, ତାଙ୍କ ଘରଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଗୋଟିଏ ଘରୋଇ ବୋର୍‌ଓ୍ୱେଲ ଅଛି, ଯାହାକି ତାଙ୍କ ପାଇଁ ଜଳର ଉତ୍ସ। ‘‘ମୁଁ ଥରକେ ଗୋଟିଏ ହାଣ୍ଡିରୁ ଅଧିକ ଆଣିପାରିବି ନାହିଁ। ମୋ ବୟସରେ ପ୍ରତ୍ୟେକ ହାଣ୍ଡି ପାଇଁ ଏହା ଅତିକମ୍‌ରେ ଅଧଘଣ୍ଟା ସମୟ ନିଏ।’’

ଭିଡ଼ିଓ ଦେଖନ୍ତୁ : ରାମୁ ପ୍ରତିଦିନ ହ୍ୟାଣ୍ଡପମ୍ପକୁ ତାଙ୍କର ଯିବା ଆସିବା ବିଷୟରେ କୁହନ୍ତି, ‘ମୁଁ ତାଙ୍କ କାନ୍ଧରେ ହାତ ରଖେ ଏବଂ ଆମେ ଚାଲୁ। ଏହା ପାଣି ପାଇଁ ଏକ ଖରାପ ସମୟ। ଆମେ କ’ଣ କରିପାରିବୁ?’ 

ମହାରାଷ୍ଟ୍ରର ମରାଠାଓ୍ୱାଡା ଅଞ୍ଚଳ ଗଠନ କରୁଥିବା ୮ଟି ଜିଲ୍ଲାର ଅଧିକାଂଶ ଗ୍ରାମଗୁଡ଼ିକ ପରି ତାକ୍ୱିକ୍‌ରେ ମଧ୍ୟ ଖରାଦିନେ ଭୀଷଣ ଜଳାଭାବ ହୋଇଥାଏ। ଏହି ସମୟରେ ସାଧାରଣତଃ କୂଅ, ପୋଖରୀ, ହ୍ରାସ ଏବଂ ନଦୀବନ୍ଧଗୁଡ଼ିକ ଶୁଖିଯାଇଥାଏ। ଏହା ମଧ୍ୟ ସେହି ସମୟ ଯେତେବେଳେ ଭୟଭୀତ ଚାଷୀମାନେ ଜଳର ଏକ ବ୍ୟକ୍ତିଗତ ଉତ୍ସ ପାଇବା ପାଇଁ ସବୁ ସ୍ଥାନରେ ବୋରଓ୍ୱେଲ୍‌ ଖୋଳନ୍ତି। ଯଦି ଗୋଟିଏ ପରିବାର ଠିକ୍‌ ସ୍ଥାନରେ ବୋରଓ୍ୱେଲ୍ ଖୋଳିବା ଭଳି ଭାଗ୍ୟବାନ ହୋଇଥାନ୍ତି। ତେବେ ସେମାନେ ଜଳରେ ଆତ୍ମନିର୍ଭର ହୋଇପାରନ୍ତି ଏବଂ ଏପରିକି ସେମାନେ ଏକ ଲାଭଜନକ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି।

ମରାଠାଓ୍ୱାଡାରେ ଅନେକ ଜଳ ସଂକଟରୁ ଲାଭ ପାଆନ୍ତି। ସେମାନେ ପ୍ରତି ୧୨-୧୫ଲିଟର ହାଣ୍ଡିକୁ ଟ ୨-୪ରେ ବିକ୍ରି କରନ୍ତି। ଦୋଲାରେ ହାଣ୍ଡି ପିଛା ଟ. ୨ ଦେଉଛନ୍ତି। ସେ କୁହନ୍ତି, ‘‘ପାଣି ପାଇଁ ସପ୍ତାହକୁ ଟ. ୭୦। ଏହା ସେ ସପ୍ତାହରେ ରୋଜଗାର କରୁଥିବା ଅର୍ଥର ୪ଭାଗରୁ ସାମାନ୍ୟ କମ୍‌। ଯଦି ଜଳସଂକଟ ବଢ଼େ ସେ ଆହୁରି ଅଧିକ ଦର ଦେବାକୁ ବାଧ୍ୟ ହେବେ । 

କିନ୍ତୁ ତାକ୍ୱିକ୍‌ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଔରଙ୍ଗାବାଦ୍‌ରେ ଥିବା ୧୬ଟି ବିୟର୍‌ ଫ୍ୟାକ୍ଟ୍ରି ଏବଂ ଡିଷ୍ଟିଲେରୀକୁ ଲିଟର ପିଛା ଟ. ୪ଦରରେ ଦୈନିକ ପ୍ରାୟ ତିନି ନିୟୁତ ଲିଟର ପାଣି ଯୋଗାଇ ଦିଆଯାଉଛି। ମହାରାଷ୍ଟ୍ରର ଶିଳ୍ପ ବିକାଶ ନିଗମ (ଏମ୍‌ଆଇଡିସି) ବିୟର କମ୍ପାନୀଗୁଡ଼ିକ ଟ. ୪୨ ଲେଖାଏଁ ଦେବା ପାଇଁ ପ୍ରସ୍ତାବ ଦେଉଛି। କିନ୍ତୁ ପ୍ରକାଶ କରୁନାହିଁ ଯେ ଏହା ପ୍ରତି ୧୦୦୦ଲିଟର ପାଇଁ।

ଦୋଲାରେ ବୋଧହୁଏ ୧୦୦୦ଲିଟର ପାଣି ପାଇଁ ଏହାର ତିନିଗୁଣରୁ ଅଧିକ ମୂଲ୍ୟ ଦେବେ ଏବଂ ଏହି ପାଣି ସଂଗ୍ରହ କରିବା ପାଇଁ ୩୫ଘଣ୍ଟା ଚାଲିବେ।

ବାମ: ପ୍ରତିଦିନ ସକାଳ କାହିରାମ ସୋମଲାରେ ହ୍ୟାଣ୍ଡପମ୍ପ ପାଖରେ ପାଣି ଭର୍ତ୍ତି ପାଇଁ ଅନେକ ଗ୍ରାମବାସୀ ଏକାଠି ହୋଇଛନ୍ତି। ଡାହାଣ: ଜଣେ କମ୍‌ ବୟସର ମହିଳା ହ୍ୟାଣ୍ଡପମ୍ପ କେଉଁ ମୁହୂର୍ତ୍ତରେ ଖରାପ ହୋଇଯାଇପାରେ ଭୟକରି ବାଲ୍‌ଟିରେ ମଇଳା ପାଣି ଭର୍ତ୍ତି କରୁଛନ୍ତି

୨୦୧୬ ଏପ୍ରିଲ୍‌ ମାସରେ ଏକ ବିପର୍ଯ୍ୟୟପୂର୍ଣ୍ଣ ମରୁଡ଼ି ପରେ ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ଔରଙ୍ଗାବାଦ ଖଣ୍ଡପୀଠ ମଦ କାରଖାନଗୁଡ଼ିକୁ ୫୦ ପ୍ରତିଶତ ଜଳ କାଟ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ମିଳିତ ଭାବରେ ୫.୨୦୭ ଏମଏଲ୍‌ଡି ଶୋଷି ନେଉଛନ୍ତି। ଖଣ୍ଡପୀଠ କହିଥିଲେ, ‘‘ଯେତେବେଳେ ଲୋକମାନେ କେଇଦିନ ପର୍ଯ୍ୟନ୍ତ ପାଣି ଦେଖିବାକୁ ପାଉନାହାନ୍ତି ସେତେବେଳେ ଏହି ମଦ କାରାଖାନାଗୁଡ଼ିକ ଏହି ଅମୂଲ୍ୟ ସମ୍ବଳ ଶୋଷି ନେବା ଅମାନବିକତା।’’

ଏଠି କାଶୀରାମ ସୋମଲାରେ କେବଲବାଈ ଗୋଟିଏ ଡ୍ରମ୍‌ରେ ଦୁଇହାଣ୍ଡି ପାଣି ଢ଼ାଳୁଛନ୍ତି। ତାଙ୍କ ଚାରିପାଖରେ ଥିବା ଚାଷ ଜମି ବର୍ତ୍ତମାନ ଶୂନ୍ୟ। କିନ୍ତୁ ସବୁ ସମୟ ପରି ହ୍ୟାଣ୍ଡପମ୍ପ୍‌ ଚାରିପାଖରେ ଭିଡ଼ ଜମା ହୋଇଛି। ସେ ରାମୁକୁ ହାତରେ ଧରିଛନ୍ତି, ଦୁଇଟି ଖାଲି ହାଣ୍ଡି ଧରିଛନ୍ତି ଏବଂ ସେମାନେ ପାହାଡ଼ ତଳକୁ ଓହ୍ଲାଇବା ଆରମ୍ଭ କରିଛନ୍ତି।

ଫଟୋ: ପାର୍ଥ ଏମ୍‌.ଏନ୍‌.

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.