‘‘ମୋ ଶ୍ୱଶୁର ଘର ଲୋକମାନେ ଭଲ କନିଆଁ ଆଣିବା ଲାଗି ତା’କୁ ଟଙ୍କା ଦେଇଥିଲେ। ଏଠାରେ ଏପରି ପରମ୍ପରା ଏକ ସାଧାରଣ କଥା।’’ ୨୦ ବର୍ଷ ବୟସ ଟପି ସାରିଥିବା ରୁମା ଖୀଚଡ଼ ନିଜ କାହାଣୀ ମୋତେ କହୁଛନ୍ତି । ‘‘ଦୂର ଜାଗାରୁ ଆସି ଏଠାରେ (ରାଜସ୍ଥାନରେ) ରହିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ମୋ ଜେଠାନୀ (ବଡ଼ ଯାଆ)...’’

‘‘ ପଚାଶ ହଜାର ଲଗା କେ ଉସକୋ ଲାୟେ ଥେ ! ଫିର ଭି ସାତ୍‌ ସାଲ୍ କି ବଚ୍ଚୀ କୋ ଛୋଡ଼କର ଭାଗ ଗୟି ଓ୍ୱ (ଆମେ ୫୦,୦୦୦ ଟଙ୍କା ଦେଇ ତା’କୁ କିଣି ଆଣିଥିଲୁ। ତଥାପି ସେ ସାତ ବର୍ଷର ଝିଅକୁ ଛାଡ଼ି ଚାଲିଗଲା)।’’ ୬୭ ବର୍ଷ ବୟସ୍କା ଯଶୋଦା ଖୀଚଡ଼ (ଛଦ୍ମ ନାମ) ନିଜ ବୋହୂର କଥାକୁ ମଝିରୁ କାଟି ନିଜ ପକ୍ଷ ରଖି କହିଥାନ୍ତି।

ପଞ୍ଜାବରୁ ଆଣିଥିବା ନିଜର ବଡ଼ ବୋହୂକୁ ନେଇ ଯଶୋଦା ଏବେ ସୁଦ୍ଧା ରାଗିଛନ୍ତି କାରଣ ସେ ଘରୁ ଲୁଚି ପଳାଇଛି । ସେ ଆହୁରି କୁହନ୍ତି, ‘‘ସବୁବେଳେ ତା’ର ଭାଷା ସମସ୍ୟା ରହୁଥିଲା। କେବେ ବି ଆମ ଭାଷା ଶିଖିନଥିଲା। ଥରେ ରାକ୍ଷୀ ପୂର୍ଣ୍ଣିମାରେ, ସେ କହିଲା ଯେ ବାହାଘର ପରେ ସେ ପ୍ରଥମ ଥର ପାଇଁ ନିଜ ଭାଇ ଓ ପରିବାର ଲୋକମାନଙ୍କୁ ଭେଟିବାକୁ ଚାହୁଁଛି । ଆମେ ତା’କୁ ଛାଡ଼ିଲୁ। ହେଲେ ସେ ଆଉ ଫେରିଲା ନାହିଁ । ଏବେ ୬ ବର୍ଷ ବିତିଗଲାଣି,’’ ସେ କହିଥିଲେ।

ଯଶୋଦାଙ୍କ ଦ୍ୱିତୀୟ ବୋହୂ ରୁମା ଅନ୍ୟ ଜଣେ ଦଲାଲ ଜରିଆରେ ଝୁଁଝୁନୁଁରେ ପହଞ୍ଚି ଥିଲେ।

ତାଙ୍କର ବିବାହ କେବେ ହୋଇଥିଲା ସେ ଜାଣନ୍ତି ନାହିଁ । ଏକ ଧୂସର ଆଲମାରୀରୁ ନିଜର ଆଧାର କାର୍ଡ ଖୋଜିବା ସହିତ ସେ କହିଥିଲେ, ‘‘ମୁଁ କେବେ ସ୍କୁଲ ଯାଇନାହିଁ, ତେଣୁ ମୋର ଜନ୍ମ କେବେ ହୋଇଥିଲା ତାହା ମୁଁ କହିପାରିବି ନାହିଁ।’’

ତାଙ୍କର ପାଞ୍ଚ ବର୍ଷର ଝିଅକୁ କୋଠରୀର ଖଟ ଉପରେ ଖେଳୁଥିବାର ମୁଁ ଦେଖୁଥାଏ।

‘‘ବୋଧହୁଏ ମୋର ଆଧାର କାର୍ଡ ସ୍ୱାମୀଙ୍କ ପର୍ସରେ ରହିଯାଇଛି । ମୁଁ ଭାବୁଛି ମୋତେ ଏବେ ୨୨ ବର୍ଷ ହେବ,’’ ରୁମା କହିଥିଲେ।

Left: Yashoda says that Ruma learnt to speak in Rajasthani within six months of her marriage, unlike her elder daughter-in-law.
PHOTO • Jigyasa Mishra
Right: Ruma is looking for her Aadhaar card copy to confirm her age
PHOTO • Jigyasa Mishra

ବାମ : ଯଶୋଦା କୁହନ୍ତି ରୁମା ନିଜ ବାହାଘରର ଛଅ ମାସ ମଧ୍ୟରେ ରାଜସ୍ଥାନୀ କହିବା ଶିଖିଯାଇଥିଲା , କିନ୍ତୁ ତାଙ୍କ ବଡ଼ ବୋହୂ ଶିଖିପାରିନଥିଲା। ଡାହାଣ : ରୁମା ନିଜ ବୟସ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ତାଙ୍କର ଆଧାର କାର୍ଡ ଖୋଜୁଛନ୍ତି

ସେ ଆହୁରି କହିଥିଲେ, ‘‘ମୁଁ ଗୋଲାଘାଟ (ଆସାମ)ରେ ଜନ୍ମ ହୋଇଥିଲି। ବାପା-ମା’ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସେଠାରେ ମୋର ପାଳନ-ପୋଷଣ ହୋଇଥିଲା। ସେତେବେଳେ ମୋତେ ମାତ୍ର ପାଞ୍ଚ ବର୍ଷ ହୋଇଥିଲା। ସେବେଠାରୁ ମୋ ପରିବାରର ଭାଇ, ଭାଉଜ, ଅଜା ଓ ଆଈ ହିଁ ରହିଛନ୍ତି ।’’

୨୦୧୬ର ଏକ ରବିବାର ଅପରାହ୍ଣ, ରୁମା ଦେଖିଲେ ଯେ ଆସାମର ଗୋଲାଘାଟ ଜିଲ୍ଲାରେ ଥିବା ତାଙ୍କର ଅଜା-ଆଈଙ୍କ ଘରକୁ ଅଦ୍ଭୂତ ପୋଷାକ ପିନ୍ଧିଥିବା କିଛି ରାଜସ୍ଥାନୀ ଲୋକ ତାଙ୍କ ଭାଇଙ୍କ ସହ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବତୀମାନଙ୍କୁ କନିଆଁ ଭାବେ କିଣୁଥିବା ଦଲାଲ୍‌ ଥିଲା।

ରୁମା କୁହନ୍ତି, ‘‘ଆମ ସହରକୁ ଅନ୍ୟ ରାଜ୍ୟର ଲୋକମାନେ ଆସିବା ସାଧାରଣତଃ ଦେଖାଯାଏ ନାହିଁ।’’ ସେହି ଲୋକମାନେ ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଲେ ଯେ ସେମାନେ ଭଲ ସ୍ୱାମୀ ଆଣିବେ ଯାହାଙ୍କୁ କୌଣସି ଯୌତୁକ ଦରକାର ନାହିଁ । ଏପରିକି ସେମାନେ ଟଙ୍କା ଦେବା ଏବଂ ବାହାଘର ଖର୍ଚ୍ଚ ଉଠାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ।

ଘରକୁ ଆସିଥିବା ଜଣେ ବ୍ୟକ୍ତି ସହିତ ‘ଭଲ ଝିଅ’ ରୁମାକୁ ବିଦା କରି ଦିଆଗଲା। ଗୋଟିଏ ସପ୍ତାହ ଭିତରେ ଦୁଇ ଜଣ ପୁରୁଷ ତାଙ୍କୁ ଆସାମରେ ଥିବା ତାଙ୍କ ଘରଠାରୁ ୨,୫୦୦ କିଲୋମିଟର ଦୂର ଝୁଁଝୁନୁଁ ଜିଲ୍ଲାର କିଶନପୁରା ଗାଁକୁ ନେଇ ଆସିଲେ।

ଏତେ ଦୂରରେ ବାହା ହେବା ପାଇଁ ରାଜି ହେବା ବଦଳରେ ଯେଉଁ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଟଙ୍କା କେବେ ବି ରୁମାଙ୍କ ପରିବାର ପାଖରେ ପହଞ୍ଚିନଥିଲା। ଶ୍ୱଶୁର ଘର ଲୋକ ଅର୍ଥାତ୍‌ ଖୀଚଡ଼ ପରିବାର ଲୋକମାନେ ଦାବି କରିଥାନ୍ତି ଯେ ସେମାନେ ଦଲାଲକୁ ଯେଉଁ ଟଙ୍କା ଦେଇଥିଲେ, ସେଥିରେ ଝିଅର ଘର ଲୋକଙ୍କୁ ଦିଆଯିବାକୁ ଥିବା ଟଙ୍କା ମଧ୍ୟ ସାମିଲ ଥିଲା।

ରୁମା କୁହନ୍ତି, ‘‘ଅଧିକାଂଶ ଘରେ ଆପଣ ଅନ୍ୟ ରାଜ୍ୟର ବୋହୂମାନଙ୍କୁ ପାଇଯିବେ।’’ ସ୍ଥାନୀୟ ଲୋକ ଏବଂ ଏହି ଅଞ୍ଚଳରେ କାମ କରୁଥିବା ସାମାଜିକ କର୍ମୀଙ୍କ କହିବା ମୁତାବକ ପ୍ରାୟତଃ ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଓ ଉତ୍ତର ପ୍ରଦେଶରୁ ଯୁବତୀମାନଙ୍କୁ ରାଜସ୍ଥାନ ଅଣାଯାଇଥାଏ।

Left: Ruma right outside her in-law's house.
PHOTO • Jigyasa Mishra
Right: Ruma with her husband Anil and her daughter
PHOTO • Jigyasa Mishra

ବାମ : ରୁମା ନିଜ ଶାଶୂ ଘର ବାହାରେ । (ଡାହାଣ) ରୁମା ଓ ଅନିଲ (ରୁମାଙ୍କ ସ୍ୱାମୀ) ଭାବୁଛନ୍ତି ଯେ ଏଥର ହୋଲିରେ ସେମାନେ ରୁମାଙ୍କ ଘରକୁ ଯିବେ

ରାଜସ୍ଥାନରେ କନିଆଁ ପାଇବା ଅତି କଷ୍ଟକର କାମ - ସିଏସଆର ଅର୍ଥାତ୍‌ ଶିଶୁ ଲିଙ୍ଗାନୁପାତ (୦ରୁ ୬ ବର୍ଷ) କ୍ଷେତ୍ରରେ ଏହି ରାଜ୍ୟର ସ୍ଥିତି ସବୁଠୁ ଖରାପ ରହିଛି । ଦେଶର ୩୩ଟି ଜିଲ୍ଲା ମଧ୍ୟରୁ ଝୁଁଝୁଁନୁ ଏବଂ ସିକରରେ ସବୁଠାରୁ ଖରାପ ସ୍ଥିତି ଦେଖିବାକୁ ମିଳିଛି । ୨୦୧୧ ଜନଗଣନା ଅନୁଯାୟୀ, ଝୁଁଝୁନୁଁର ଗ୍ରାମାଞ୍ଚଳରେ ପ୍ରତି ୧୦୦୦ ପୁଅଙ୍କ ମଧ୍ୟରେ ୮୩୨ ଝିଅ ଥିଲେ, ଯାହାକି ଜାତୀୟ ଅନୁପାତ ପ୍ରତି ୧୦୦୦ ପୁଅଙ୍କ ମଧ୍ୟରେ ୯୨୩ ଝିଅଙ୍କଠାରୁ ଖୁବ୍‌ କମ୍‌ ଥିଲା।

ମାନବାଧିକାର କର୍ମୀ ବିକାଶ କୁମାର ରାହର କୁହନ୍ତି, ଜିଲ୍ଲାର ଲୋକମାନେ ଅଧିକ ପୁଅ ଚାହୁଁଥିବାରୁ ଝିଅଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି । ସେ କୁହନ୍ତି, ‘‘ପୁଅଙ୍କ ପାଇଁ ଭଲ କନିଆଁଟିଏ ପାଇବା ସମସ୍ୟା କାରଣରୁ ବାପା-ମା’ ଦଲାଲଙ୍କ ପାଖକୁ ଯାଆନ୍ତି ଯେଉଁମାନେ ସହଜରେ ମିଳିଯାଆନ୍ତି। ଦଲାଲ ଅନ୍ୟ ରାଜ୍ୟରୁ ଅତି ଗରିବ ପୃଷ୍ଠଭୂମିର ଝିଅମାନଙ୍କୁ ଏସବୁ ପରିବାର ପାଇଁ ନେଇ ଆସନ୍ତି ।’’

୨୦୧୯-୨୦ ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନଏଫଏଚଏସ-୫ )ର ସଦ୍ୟତମ ସଂଖ୍ୟା ଅନୁଯାୟୀ, ରାଜସ୍ଥାନର ସହରାଞ୍ଚଳରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତି ୧୦୦୦ ପୁଅଙ୍କ ତୁଳନାରେ ୯୪୦ ଜଣ ଝିଅ ଜନ୍ମ ନେଇଛନ୍ତି । ଗ୍ରାମୀଣ କ୍ଷେତ୍ରରେ ଏହି ଅନୁପାତ ଅଧିକ ହ୍ରାସ ପାଇଛି ଏବଂ ପ୍ରତି ୧୦୦୦ ପୁଅଙ୍କ ତୁଳନାରେ ୮୭୯ ଜଣ ଝିଅ ଜନ୍ମ ନେଇଛନ୍ତି । ଝୁଁଝୁନୁଁର ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଗ୍ରାମାଞ୍ଚଳରେ ରୁହନ୍ତି ।

ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଶିକ୍ଷିତ ରୋଜଗାର କେନ୍ଦ୍ର ପ୍ରବନ୍ଧକ ସମିତି (ଏସଆରଏପିଏସ) ଠାରେ ରାହର ଜଣେ ସଂଯୋଜକ ଭାବେ କାମ କରୁଛନ୍ତି। ସେ କୁହନ୍ତି, ‘‘ଲୋକମାନେ ୨୦,୦୦୦ ଟଙ୍କା ଠାରୁ ଆରମ୍ଭ କରି ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତାବ (କନିଆଁ କିଣିବା ପାଇଁ) ଦେଇଥାନ୍ତି, ଏଥିରେ ଦଲାଲଙ୍କ ଭାଗ ସାମିଲ ଥାଏ।”

କିନ୍ତୁ କାହିଁକି?

ଯଶୋଦା ପଚାରନ୍ତି, ‘‘ଏହା ବିନା କେହି (କନିଆଁ) ମିଳିବେ କିପରି? ଆପଣଙ୍କ ପୁଅ ସରକାରୀ ଚାକିରିଆ ହୋଇନଥିଲେ ଏଠାରେ କେହି ଆପଣଙ୍କୁ ଝିଅ ଦିଅନ୍ତି ନାହିଁ ।’’

From left: Ruma’s father-in-law, Ruma near the wall, and her mother-in-law Yashoda with her grand-daughter on her lap. The family has adopted a dog who follows Yashoda's c ommands
PHOTO • Jigyasa Mishra

ବାମରୁ : ରୁମାଙ୍କ ଶ୍ୱଶୁର, ରୁମା କାନ୍ଥ ପାଖରେ ଛିଡ଼ା ହୋଇଛନ୍ତି ଏବଂ ତାଙ୍କ ଶାଶୂ ଯଶୋଦା ନିଜ ନାତୁଣୀକୁ କୋଳରେ ବସାଇଛନ୍ତି। ପରିବାର ଏକ କୁକୁର ପାଳିଛନ୍ତି ଯାହାକି ଯଶୋଦାଙ୍କ ଆଜ୍ଞାକୁ ପାଳନ କରିଥାଏ

ଯଶୋଦାଙ୍କ ଦୁଇ ପୁଅ ତାଙ୍କ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି ଏବଂ ଘରେ ଥିବା ୬ଟି ଗାଈଙ୍କ ଦେଖାଶୁଣା କରିଥାନ୍ତି। ପରିବାର ପାଖରେ ୧୮ ବିଘା ଜମି ଅଛି ଯେଉଁଥିରେ ସେମାନେ ବାଜରା, ଗହମ, କପା ଓ ସୋରିଷ ଚାଷ କରିଥାନ୍ତି । (ରାଜସ୍ଥାନର ଏହି ଭାଗରେ ଗୋଟିଏ ବିଘା ୦.୨୬୫ ଏକର ସହ ସମାନ ହୋଇଥାଏ)।

‘‘ମୋ ପୁଅମାନଙ୍କୁ ଏଠାରେ କନିଆଁ ମିଳିଲେ ନାହିଁ। ତେଣୁ ବାହାରୁ ଝିଅଙ୍କୁ (ଚୋରା ଚାଲାଣ) ଆଣିବା ଆମ ପାଖରେ ଏକମାତ୍ର ବିକଳ୍ପ ଥିଲା। ଆମ ପୁଅମାନଙ୍କୁ ଆମେ ଆଉ କେତେ ଦିନ ଏକାକୀ ଅବିବାହିତ ରଖିପାରିବୁ?’’ ଯଶୋଦା ପ୍ରଶ୍ନ କରିଥାନ୍ତି।

ୟୁନାଇଟେଡ୍‌ ନେସନ୍ସ ଅଫିସ ଅଫ ଡ୍ରଗ୍ସ ଏଣ୍ଡ କ୍ରାଇମ (ୟୁଏନଓଡିସି )ର ମାନବ ଚାଲାଣ ନିରାକରଣ, ଚାପ ପ୍ରୟୋଗ ଏବଂ ଦଣ୍ଡବିଧାନ ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରୋଟୋକଲ୍ ରେ ମାନବ ଚାଲାଣକୁ ଏହି ପ୍ରକାରରେ ପରିଭାଷିତ କରାଯାଇଛି, ‘‘ନିଜ ଲାଭ ପାଇଁ ଶୋଷଣ ଉଦ୍ଦେଶ୍ୟରେ ଜୋରଜବରଦସ୍ତି, ବିଶ୍ୱାସଘାତ କିମ୍ବା ପ୍ରତାରଣା ଜରିଆରେ ଲୋକମାନଙ୍କୁ ନିଯୁକ୍ତି ଦେବା, ସେମାନଙ୍କୁ ନେବା ଆଣିବା କରିବା, ସ୍ଥାନାନ୍ତରଣ, କୌଣସି ସ୍ଥାନରେ ରଖିବା ଏବଂ ହାସଲ କରିବା।’’ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୦ ଅନ୍ତର୍ଗତ ଭାରତରେ ଏହା ଦଣ୍ଡନୀୟ ଅପରାଧ ଅଟେ ଏବଂ ଏଥିରେ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।

ଝୁଁଝୁନୁଁର ପୁଲିସ ଅଧିକ୍ଷକ ମୃଦୁଲ କଚ୍ଛାୱା ଏହି ପ୍ରଥା ଉପରେ ଅଙ୍କୁଶ ଲଗାଇବା ପାଇଁ ନିଜର ପ୍ରୟାସ ବିଷୟରେ ପରୀକୁ କହିଥାନ୍ତି ଯେ, ‘‘ରାଜସ୍ଥାନର ସବୁ ଜିଲ୍ଲାରେ ଏକ ମାନବ ଚାଲାଣ ନିରୋଧୀ ୟୁନିଟ୍‌ (ଏଏଚଟିୟୁ) ରହିଛି । କିଛି ମାସ ପୂର୍ବରୁ, ଆସାମ ପୁଲିସ ଜଣେ ଝିଅର ଚୋରା ଚାଲାଣ ସମ୍ପର୍କରେ ଆମ ସହ ଯୋଗାଯୋଗ କରିଥିଲା। ଆମେ ତଦନ୍ତ କଲୁ, ଝିଅକୁ ଉଦ୍ଧାର କରି ଫେରାଇ ଦେଲୁ। କିନ୍ତୁ କିଛି କ୍ଷେତ୍ରରେ ଚୋରାଚାଲାଣର ଶିକାର ମହିଳାମାନେ ଫେରିଯିବାକୁ ମନା କରି ଦେଇଥାନ୍ତି । ନିଜ ଇଚ୍ଛାରେ ଏଠାକୁ ଆସିଥିବା ସେମାନେ କୁହନ୍ତି। ସେତେବେଳେ ମାମଲା ଜଟିଳ ହୋଇଯାଏ।’’

ରୁମା ପ୍ରକୃତରେ ନିଜ ପରିବାରକୁ ଭେଟିବାକୁ ଚାହୁଁଛନ୍ତି ସେ ନିଜ ଶ୍ୱଶୁର ଘରେ ରହିବାକୁ ଚାହୁଁଛନ୍ତି। ତାଙ୍କର କହିବା କଥା ହେଉଛି, ‘‘ମୁଁ ସାଧାରଣ ଝିଅଙ୍କ ଭଳି ଏଠାରେ ରହି ଖୁସି ଅଛି। କିଛି ସମସ୍ୟା ନାହିଁ। ପ୍ରକୃତ କଥା ହେଉଛି, ମୁଁ ବାରମ୍ବାର ଘରକୁ ଯିବାକୁ ଚାହୁଁନାହିଁ କାରଣ ତାହା ବହୁତ ଦୂରରେ ରହିଛି, ମୁଁ ଶୀଘ୍ର ଯାଇ ନିଜ ଭାଇ ଓ ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଛି।’’ ରୁମାକୁ ନିଜ ଶାଶୁ ଘର ଲୋକଙ୍କଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଶାରୀରିକ କିମ୍ବା ମୌଖିକ ନିର୍ଯାତନାର ସମ୍ମୁଖିନ ହେବାକୁ ପଡ଼ିନାହିଁ ।

Ruma visited her family in Assam twice since her marriage about seven years ago. She speaks to them occassionally over the phone
PHOTO • Jigyasa Mishra

ସାତ ବର୍ଷ ପୂର୍ବରୁ ତାଙ୍କର ବାହାଘର ପରେ ରୁମା ନିଜ ଘରକୁ ଦୁଇ ଥର ଯାଇ ବୁଲି ଆସିଛନ୍ତି । ବେଳେବେଳେ ସେ ନିଜ ଘର ଲୋକଙ୍କ ସହ ଫୋନରେ କଥା ହୋଇଥାନ୍ତି

ଯେଉଁଠି ରୁମା ଜଣେ ‘ସାଧାରଣ ଝିଅ’ ଭଳି ଅନୁଭବ କରିଥାନ୍ତି, ଅନ୍ୟପଟେ ପଶ୍ଚିମବଙ୍ଗରୁ ୨୦୧୯ରେ ଚୋରା ଚାଲାଣ ହୋଇ ଆସିଥିବା ୨୦ ବର୍ଷର ସୀତା (ଛଦ୍ମନାମ)ଙ୍କ କାହାଣୀ ଭିନ୍ନ ଏବଂ ସେ ନିଜ ବିଷୟରେ କହିବାକୁ ଡରିଥାନ୍ତି : ‘‘ଆପଣ ମୋ ଜିଲ୍ଲା କିମ୍ବା ମୋ ପରିବାରର କୌଣସି ବ୍ୟକ୍ତିଙ୍କ ନାଁ ବ୍ୟବହାର କରନ୍ତୁ ବୋଲି ମୁଁ ଚାହେଁ ନାହିଁ।’’

‘‘୨୦୧୯ରେ, ଜଣେ ରାଜସ୍ଥାନୀ ଦଲାଲ ଝୁଁଝୁନୁଁରେ ମୋ ବାହାଘର କରାଇବାର ପ୍ରସ୍ତାବ ନେଇ ମୋ ପରିବାରକୁ ଭେଟିବା ପାଇଁ ଆସିଥିଲା। ସେ କହିଥିଲା ଯେ, ପୁଅର ପରିବାର ଲୋକମାନେ ଧନୀ। ସେ ମୋ ଭାବି ସ୍ୱାମୀଙ୍କ ବିଷୟରେ ମିଛ କହିଥିଲା। ତା’ପରେ ସେ ମୋ ପିତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଲା ଏବଂ ମୋତେ ତୁରନ୍ତ ନେଇଯିବାକୁ କହିଲା। ସେ ତାଙ୍କୁ କହିଲା ଯେ ରାଜସ୍ଥାନରେ ବାହାଘର ହେବ ଏବଂ ସେ ଫଟୋ ପଠାଇ ଦେବ।’’

ସୀତା ସେହିଦିନ ଘରୁ ବାହାରି ଚାଲି ଆସିଲେ। ସେ ଭାବିଥିଲେ ଯେ, ଏପରି କରି ସେ ଚାରି ପିଲାଙ୍କୁ ନେଇ ଋଣ ବୋଝରେ ବୁଡ଼ି ରହିଥିବା ନିଜ ପିତାଙ୍କ ସାହାଯ୍ୟ କରୁଛନ୍ତି।

ସେ ଆଗକୁ କହିଥିଲେ ଯେ, ‘‘ଦୁଇ ଦିନ ପରେ ମୋତେ ଗୋଟିଏ କୋଠରୀରେ ବନ୍ଦ କରି ଦିଆଗଲା ଏବଂ ଜଣେ ଲୋକ ଭିତରକୁ ଆସିଲା। ମୋତେ ଲାଗିଲା ଯେ ସେ ମୋର ସ୍ୱାମୀ। ସେ ମୋ ପୋଷାକ ଚିରିବା ଆରମ୍ଭ କରିଦେଲା। ମୁଁ ତା’କୁ ବାହାଘର ବିଷୟରେ ପଚାରିବାରୁ ସେ ମୋତେ ଚାପୁଡ଼ା ମାରିଲା। ମୋ ସହ ବଳାତ୍କାର କଲା। ପରବର୍ତ୍ତୀ ଦୁଇ ଦିନ ମୁଁ ସେହି କୋଠରୀରେ ଅତି ଅଳ୍ପ ଭୋଜନ ଖାଇ ବିତାଇଲି । ତା’ପରେ ମୋତେ ଶାଶୁ ଘରକୁ ଅଣାଗଲା। ସେଠାରେ ମୋତେ ଜଣାପଡ଼ିଲା ଯେ ମୋ ସ୍ୱାମୀ ଆଉ ଜଣେ ବ୍ୟକ୍ତି ଏବଂ ସେ ମୋ ଠାରୁ ଆଠ ବର୍ଷ ବଡ଼।’’

ଝୁଁଝୁନୁଁରେ ଏସଆରକେପିଏସର ପ୍ରତିଷ୍ଠାତା ରାଜନ ଚୌଧୁରୀ କୁହନ୍ତି, ‘‘ଏମିତି କିଛି ଦଲାଲ ଅଛନ୍ତି ଯେଉଁମାନଙ୍କ ପାଖରେ ସବୁ ବୟସ ଓ ଆର୍ଥିକ ପରିସ୍ଥିତି ଥିବା ଲୋକମାନଙ୍କର କନିଆଁ ଥାଆନ୍ତି। ମୁଁ ପୁଣିଥରେ ଜଣେ ଦଲାଲକୁ ପଚାରିଲି ଯେ, ସେ ମୋ ପାଇଁ ଝିଅ ଆଣିପାରିବ କି? ଧ୍ୟାନ ଦିଅନ୍ତୁ ଯେ ମୋ ବୟସ ୬୦ ବର୍ଷରୁ ଅଧିକ। ସେ ମୋ ଠାରୁ ଅଧିକ କିଛି ଟଙ୍କା ନେବ ଏବଂ କାମ ହୋଇଯିବ ବୋଲି ଯେତେବେଳେ ସେ ମୋତେ କହିଲା, ମୁଁ ତା’କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ସେ ଯେଉଁ ଯୋଜନା ବିଷୟରେ ମୋତେ କହିଲା, ତାହା ଏପରି ଥିଲା - ସାଙ୍ଗରେ କେହି ଜଣେ ଯୁବକଙ୍କୁ ନିଆଯିବ ଓ ତା’କୁ ବର ବୋଲି କୁହାଯିବ।’’ ତା’ କଥା ଶୁଣି ଯେତେବେଳେ ପରିବାର ଲୋକମାନେ ଝିଅକୁ ଦେଇଦେବେ, ତା’ପରେ ଦଲାଲ ତା’କୁ ରାଜସ୍ଥାନ ଆଣି ବାହାଘର ଧାର୍ଯ୍ୟ କରିଦେବ।

Varsha Dangi was trafficked from her village in Sagar district of Madhya Pradesh and brought to Jhunjhunun
PHOTO • Jigyasa Mishra

ବର୍ଷା ଡାଙ୍ଗୀଙ୍କୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଥିବା ତାଙ୍କ ଗାଁରୁ ବେଆଇନ ଭାବେ କିଣି ଝୁଁଝୁନୁଁ ଅଣାଯାଇଥିଲା

ରାଜନ କହିବା କଥା ହେଉଛି, ଲିଙ୍ଗାନୁପାତ ହିଁ ଝୁଁଝୁନୁଁରେ କନିଆଁ ଚୋରା ଚାଲାଣର ପ୍ରମୁଖ କାରଣ। ସେ କୁହନ୍ତି, ‘‘କନ୍ୟା ଭ୍ରୂଣ ହତ୍ୟା ପାଇଁ ଅବୈଧ ଲିଙ୍ଗ ନିରୂପଣ ପରୀକ୍ଷା ଜିଲ୍ଲା ଭିତରେ ଓ ବାହାରେ ଅତି ସହଜରେ ଏବଂ ବ୍ୟାପକ ଭାବେ ହୋଇଥାଏ।’’

ରୁମାଙ୍କ ଘରଠାରୁ ପ୍ରାୟ ୩୦ କିଲୋମିଟର ଦୂର ଝୁଁଝୁନୁଁ ଜିଲ୍ଲାର ଅଲସିସାର ଗ୍ରାମର ବାସିନ୍ଦା ହେଉଛନ୍ତି ବର୍ଷା ଡାଙ୍ଗୀ। ୨୦୦୬ରେ ତାଙ୍କର ବାହାଘର ତାଙ୍କଠାରୁ ୧୫ ବର୍ଷ ବଡ଼ ଜଣେ ପୁରୁଷ ସହ କରି ଦିଆଯାଇଥିଲା। ତାଙ୍କୁ ସେତେବେଳେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଏଠାକୁ ଅଣାଯାଇଥିଲା। ବାହାଘର ସମୟରେ ତାଙ୍କର ବୟସ ୧୬ ବର୍ଷ ଥିଲା।

୩୨ ବର୍ଷୀୟା ବର୍ଷା କୁହନ୍ତି, ‘‘ସେ ବୟସରେ ବଡ଼ ଥିଲେ କିନ୍ତୁ ମୋତେ ଭଲ ପାଉଥିଲେ। ମୁଁ ଯେବେଠାରୁ ଏଠାକୁ ଆସିଛି ସେବେଠାରୁ ମୋ ଶାଶୂ ହିଁ ମୋ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି । ଏବେ ମୋ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ମୋର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି ।’’

ସେ କହିଥାନ୍ତି, ‘‘ ୟହାଁ କା ଏକ ବିଚୌଲିୟା ଥା ଜୋ ଏମପି ମେଁ ଆତା ଥା। ମେରେ ଘରୱାଲୋଁ କେ ପାସ୍‌ ପୈସେ ନହିଁ ଥେ ଦହେଜ ଦେନେ କେ ଲିୟେ, ତୋ ଉନ୍‌ହୋନେ ମୁଝେ ଭେଜ୍‌ ଦିୟା ୟହାଁ ପର, ବିଚୌଲିୟେ କେ ସାଥ୍‌ (ରାଜସ୍ଥାନର ଜଣେ ଦଲାଲ ଥିଲା ଯିଏକି ନିୟମିତ ମଧ୍ୟପ୍ରଦେଶକୁ ଆସୁଥିଲା। ମୋ ପରିବାର ପାଖରେ ମୋ ବାହଘର ପାଇଁ ଯୌତୁକ ଦେବାକୁ ଟଙ୍କା ନଥିଲା, ତେଣୁ ସେମାନେ ତା’ ସହିତ ମୋତେ ପଠାଇ ଦେଇଥିଲେ)।’’

ସେ ପଡ଼ୋଶୀ ଘରେ ଲୁଚି ରହି ଆମ ସହ କଥା ହେଉଛନ୍ତି । ‘‘ମୋ ସାସ୍ (ଶାଶୂ) କିମ୍ବା ଦେବରାନୀ (ସାନ ଯାଆ) ଏଠାକୁ ଯେମିତି ନଆସନ୍ତି ଧ୍ୟାନ ଦେଇଥିବ । ଯଦି ସେମାନଙ୍କ ମଧ୍ୟରୁ କେହି ଆମ କଥା ଶୁଣିଦେବେ ତା’ହେଲେ ମୋ ପାଇଁ ପରିସ୍ଥିତି ନର୍କ ପାଲଟିଯିବ ।

‘ରାଜସ୍ଥାନର ଜଣେ ଦଲାଲ ଥିଲା ଯିଏକି ନିୟମିତ ମଧ୍ୟପ୍ରଦେଶକୁ ଆସୁଥିଲା। ମୋ ପରିବାର ପାଖରେ ମୋ ବାହଘର ପାଇଁ ଯୌତୁକ ଦେବାକୁ ଟଙ୍କା ନଥିଲା, ତେଣୁ ସେମାନେ ତା’ ସହିତ ମୋତେ ପଠାଇ ଦେଇଥିଲେ’

ଭିଡିଓ ଦେଖନ୍ତୁ : ଝୁଁଝୁନୁଁ ପାଇଁ ‘ଅନୁକୂଳ ଝିଅ’ କିଣିବା

ସେ ଆମ ସହିତ କଥା ହେବା ସମୟରେ ତାଙ୍କର ଚାରି ବର୍ଷର ପୁଅ ବିସ୍କୁଟ୍‌ ପାଇଁ ତାଙ୍କ ଆଗରେ ଜିଦ୍‌ କରୁଥାଏ। ପଡ଼ୋଶୀ ତା’କୁ କିଛି ଦିଅନ୍ତି । ପଡ଼ୋଶୀଙ୍କ ଆଡ଼କୁ ଇସାରା କରି ସେ କୁହନ୍ତି, ‘‘ଏମାନେ ନଥିଲେ ମୁଁ ଓ ମୋ ପିଲା ଭୋକରେ ମରିଯାଇଥାନ୍ତୋ। ମୋ ଯାଆ ଏବଂ ମୋର ରୋଷେଇ ଅଲଗା। ମୋର ସ୍ୱାମୀ ମୃତ୍ୟୁବରଣ କରିବା ପରେ ଦୁଇ ଓଳି ଖାଇବା ଏକ ସମସ୍ୟା ହୋଇଯାଇଛି।’’ ଏକଥା କହିବା ସମୟରେ, ୨୦୨୨ରେ ସ୍ୱାମୀଙ୍କ ମୃତ୍ୟୁ ପରେ ସୀମିତ ରାସନରେ ବଞ୍ଚୁଥିବା ବର୍ଷାଙ୍କ ଆଖିରେ ଲୁହ ଆସିଯାଉଥାଏ।

ରାଜସ୍ଥାନୀ ପରମ୍ପରା ବିଷୟରେ ଉଲ୍ଲେଖ କରି ବର୍ଷା କୁହନ୍ତି ଯେ, ସେଠାକାର ବିଧବାମାନଙ୍କୁ ସ୍ୱାମୀ ପରିବାରର କୌଣସି ପୁରୁଷକୁ ବାହା ହେବା ପାଇଁ ବାଧ୍ୟ କରାଯାଏ, ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ଯେତେ ହେଉ ପଛେ ସେଥିରେ କିଛି ଫରକ୍‌ ପଡ଼ିନଥାଏ। ‘‘ସବୁଦିନ ମୋତେ ଘରୁ ବାହାରିଯିବା ପାଇଁ ଧମକ ଦିଆଯାଏ। ମୋ ଶାଶୂ କୁହନ୍ତି, ଯଦି ମୋତେ ବଞ୍ଚି ରହିବାର ଅଛି, ତା’ହେଲେ ମୋତେ ଆଉ କାହାର କନିଆଁ ହେବାକୁ ପଡ଼ିବ।’’ ଏହା ପଛରେ ଥିବା କାରଣଟି ହେଉଛି, ‘‘କାଳେ ମୁଁ ନିଜ ସ୍ୱାମୀଙ୍କ ସମ୍ପତ୍ତିର ଭାଗ ଦାବି କରିବି ସେଥିପାଇଁ ତାଙ୍କର ଚିନ୍ତା ରହିଛି।’’

ଏହି ଜିଲ୍ଲା ଅନେକାଂଶରେ ଗ୍ରାମୀଣ ଅଟେ ଏବଂ ଏଠାକାର ୬୬ ପ୍ରତିଶତ ଜନସଂଖ୍ୟା କୃଷି କାର୍ଯ୍ୟରେ ନିୟୋଜିତ । ବର୍ଷାଙ୍କ ସ୍ୱାମୀ ଚାଷୀ ଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ତାଙ୍କ ଭାଗର ଜମିରେ କେହି ଚାଷ କରୁନାହାନ୍ତି। ପରିବାର ପାଖରେ ଦୁଇ ଭାଇଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିବା ୨୦ ବିଘା ଜମି ଅଛି।

ବର୍ଷା କୁହନ୍ତି ଯେ, ଶାଶୂ ତାଙ୍କୁ ସବୁବେଳେ ଧମକ ଦେଇ କହିଥାନ୍ତି, ‘‘ ହମ ତୁମକୋ ଖରୀଦ୍‌ କେ ଲାୟେ ହେଁ, ଢାଇ ଲାଖ୍‌ ମେଁ, ଜୋ କାମ୍‌ ବୋଲା ଯାଏ ୱ ତୋ କରନା ହି ପଡ଼େଗା (ଆମେ ତୁମକୁ ଅଢ଼େଇ ଲକ୍ଷ ଟଙ୍କା ଦେଇ କିଣିକି ଆଣିଥିଲୁ। ତେଣୁ ଯେଉଁ କାମ କୁହାଯିବ ତୁମେ କରିବାକୁ ବାଧ୍ୟ।’’

‘‘ମୁଁ ସବୁବେଳେ ‘ ଖରୀଦି ହୁଇ ’ (କିଣା କନିଆଁ)ର ଅପମାନ ନେଇ ବଞ୍ଚିଥାଏ, ଏବଂ ମୁଁ ଏହାକୁ ସାଥୀରେ ନେଇ ହିଁ ମରିବି।’’

Varsha says that after her husband's death her in-laws pressurise her to either live with her younger brother-in-law or leave
PHOTO • Jigyasa Mishra

ବର୍ଷା କୁହନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ସାନଭାଇଙ୍କ ସହିତ ରହିବା ନଚେତ୍‌ ଘର ଛାଡ଼ି ଚାଲିଯିବା ପାଇଁ ଶାଶୂ ଘର ଲୋକମାନେ ତାଙ୍କୁ ବାଧ୍ୟ କରୁଛନ୍ତି

*****

ଡିସେମ୍ବର ୨୦୨୨ର କଥା। ଛଅ ମାସ ପରେ, ଫୋନରେ ସେ ପରୀ ସହ କଥା ହେବା ସମୟରେ ତାଙ୍କର ସ୍ୱର ବଦଳି ଯାଇଥିଲା। ସେ କହିଥିଲେ, ‘‘ଆଜି ସକାଳୁ ଆମେ ଆମ ଘରକୁ ଚାଲି ଆସିଛୁ।’’ ଶାଶୂ ଘର ଲୋକ ତାଙ୍କୁ ବାରମ୍ବାର କହୁଥିଲେ ଯେ ସାନ ଦିଅର ସହିତ ରୁହ ନହେଲେ ଚାଲିଯାଅ। ସେ ଆହୁରି କହିଥିଲେ, ‘‘ସେମାତେ ମୋତେ ମାଡ଼ ମଧ୍ୟ ମାରିଲେ। ସେଥିପାଇଁ ମୁଁ ଘର ଛାଡ଼ି ଚାଲିଆସିଲି।’’

ଏମିତି ନିର୍ଯାତନା ଆଉ ସହିବେ ନାହିଁ ବୋଲି ବର୍ଷା ନିଷ୍ପତ୍ତି ନେଲେ । ତାଙ୍କର ଦିଅର ପୂର୍ବରୁ ବାହା ହୋଇସାରିଛି ଏବଂ ନିଜ ପତ୍ନୀ ସହିତ ରହୁଛି । ‘‘ଘରେ ଥିବା ଅନ୍ୟ ଜଣେ ପୁରୁଷକୁ ବାହା ହେବା ଆମ ଗାଁରେ ବିଧବାଙ୍କ ପାଇଁ ସାଧାରଣ କଥା। ବୟସ, ବୈବାହିକ ସ୍ଥିତିର କୌଣସି ମୂଲ୍ୟ ନାହିଁ,’’ ବର୍ଷା କୁହନ୍ତି ।

ଟିକା ଦେବାର ବାହାନା କରି ବର୍ଷା ନିଜ ପୁଅ ସହିତ ଘରୁ ବାହାରି ଆସିଥିଲେ। ଘରୁ ଆସିବା ପରେ ସେ ମଧ୍ୟପ୍ରଦେଶ ଅଭିମୁଖେ ଟ୍ରେନ୍‌ ଧରିଲେ। ସେ କହିଥିଲେ, ‘‘ମୋ ପଡ଼ୋଶୀ ମହିଳାମାନେ ଆମ ଟିକେଟ୍‌ ପାଇଁ କିଛି ଟଙ୍କା ଏକତ୍ରିତ କରିଥିଲେ। କିନ୍ତୁ ରାସ୍ତାରେ ମୋ ପାଖରେ କିଛି ଟଙ୍କା ନଥିଲା।’’

‘‘ମୁଁ ୧୦୦ ନମ୍ବରରେ (ପୁଲିସ କୁ) ଫୋନ କରିଥିଲି କିନ୍ତୁ ସେମାନେ ମୋତେ କହିଲେ ଯେ ପଞ୍ଚାୟତ ମୋତେ ସାହାଯ୍ୟ କରିପାରିବ । ମୋ ମାମଲା ପଞ୍ଚାୟତ ପାଖକୁ ଯିବା ପରେ ସେମାନେ ମୋତେ କୌଣସି ସାହାଯ୍ୟ କରିନଥିଲେ।’’

ନୂଆ ବିଶ୍ୱାସ ଓ ଦୃଢ଼ତାର ଭାବନା ସହିତ ସେ କୁହନ୍ତି, ‘‘ମୁଁ ପ୍ରକୃତରେ ଚାହୁଁଛି ଯେ ମୋ ଭଳି ମହିଳାମାନଙ୍କ ସହିତ କିଭଳି ବ୍ୟବହାର କରାଯାଉଛି ତାହା ସମସ୍ତେ ଜାଣନ୍ତୁ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

جِگیاسا مشرا اترپردیش کے چترکوٹ میں مقیم ایک آزاد صحافی ہیں۔ وہ بنیادی طور سے دیہی امور، فن و ثقافت پر مبنی رپورٹنگ کرتی ہیں۔

کے ذریعہ دیگر اسٹوریز Jigyasa Mishra
Editor : Pratishtha Pandya

پرتشٹھا پانڈیہ، پاری میں بطور سینئر ایڈیٹر کام کرتی ہیں، اور پاری کے تخلیقی تحریر والے شعبہ کی سربراہ ہیں۔ وہ پاری بھاشا ٹیم کی رکن ہیں اور گجراتی میں اسٹوریز کا ترجمہ اور ایڈیٹنگ کرتی ہیں۔ پرتشٹھا گجراتی اور انگریزی زبان کی شاعرہ بھی ہیں۔

کے ذریعہ دیگر اسٹوریز Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE