ବରିଷ୍ଠ ୱର୍ଲି କଳାକାର ଜିଭ୍ୟା ସୋମା ମାସେ (୧୯୩୪-୨୦୧୮)ଙ୍କର ପୁଅ ସଦାଶିବ କହିଲେ, “ଲୋକମାନେ ଭାବୁଛନ୍ତି ଯଦି ଆପଣ କପଡ଼ା ଉପରେ କିଛି ଆଙ୍କିଦେଲେ ତା’ ହେଲେ ତାହା ୱର୍ଲି ଚିତ୍ରକଳା ହୋଇଗଲା । କିନ୍ତୁ ସେମାନେ(ଅଣ ୱର୍ଲି ଚିତ୍ରକର)ଆମର ଈଶ୍ୱରଙ୍କ ସଂପର୍କରେ କିଭଳି ଚିତ୍ର ଅଙ୍କନ କରାଯିବ ତାହା ଜାଣିନାହାନ୍ତି । ସେମାନେ ଆମର କାହାଣୀକୁ ବି ଜାଣିନାହାନ୍ତି ।’’ ପାଳଘର ଜିଲ୍ଲାର ଦହାନୁ ତାଲୁକାର ଗଞ୍ଜଡ଼ ଗାଁରେ ଥିବା ସେମାନଙ୍କର ଘରେ ୨୦୧୫ରେ ମୁଁ ସେମାନଙ୍କୁ ସାକ୍ଷାତ କରିବା ସମୟରେ ସେ ଏହା କହିଥିଲେ । ତାଙ୍କ ବାପାଙ୍କୁ ସେତେବେଳେ ପ୍ରାୟ ୮୦ ବର୍ଷ ହୋଇଥିଲା ।
ୱର୍ଲିମାନଙ୍କ ଦ୍ୱାରା କରାଯାଉଥିବା ଚିତ୍ରାଙ୍କନ ଶୈଳୀ ଏବେ ପ୍ରଦର୍ଶନୀ, ହୋଟେଲ, ଡ୍ରଇଂ ରୁମ୍, ଦୁପଟ୍ଟାରେ, ଶାଢି ଓ ରୋଷେଇ ସରଞ୍ଜାମରେ ଦେଖିବାକୁ ମିଳୁଛି । କିନ୍ତୁ ଅଧିକାଂଶ ସମୟରେ ଅଣୱର୍ଲି କଳାକାରଙ୍କ ଦ୍ୱାରା ଏସବୁ ତିଆରି ହୋଇଥାଏ । ଏହି ନିଆରା ଚିତ୍ରକଳା ପୂର୍ବରୁ ୱର୍ଲି ସଂପ୍ରଦାୟର ଲୋକମାନଙ୍କ ଦ୍ୱାରା ସଂରକ୍ଷିତ ଥିଲା । ମହାରାଷ୍ଟ୍ର-ଗୁଜରାଟ ସୀମାର ଉଭୟ ପାଖରେ ଏହି ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ମହାରାଷ୍ଟ୍ରରେ ସେମାନେ ଧୁଲେ, ନାସିକ ଏବଂ ପାଲଘର ଜିଲ୍ଲାରେ ବସବାସ କରୁଥିବାବେଳେ ଗୁଜରାଟରେ ମୁଖ୍ୟତଃ ଭଲସାଡରେ ରହିଥାନ୍ତି ।
ଜିଭ୍ୟା ସୋମା ମାସେ ପ୍ରଥମ ୱର୍ଲି ଆଦିବାସୀ ଭାବେ ୧୯୭୧ ମସିହାରେ କାନଭାସରେ ଚିତ୍ରାଙ୍କନ ଆରମ୍ଭ କଲେ । ସେପର୍ଯ୍ୟନ୍ତ ସାଧାରଣତଃ ସଂପ୍ରଦାୟର ବିବାହିତ ମହିଳାମାନେ ପାରମ୍ପରିକ ଭାବେ ଏହି କଳାକୁ ଅଭ୍ୟାସ କରୁଥିଲେ । ବିବାହ ପରି ଉତ୍ସବ ସମୟରେ ସେମାନେ ଘରର ମାଟି କାନ୍ଥରେ ଏଭଳି ଚିତ୍ରକଳା କରୁଥିଲେ ।
୨୦୧୧ ମସିହାରେ ମାସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଭାରତ ତଥା ବିଦେଶରେ ୱର୍ଲି ଚିତ୍ରକଳାକୁ ଲୋକପ୍ରିୟ କରାଇବାର ଶ୍ରେୟ ତାଙ୍କୁ ଦିଆଯାଇଥାଏ । ମେ୧୫, ୨୦୧୮ରେ ତାଙ୍କର ଦେହାନ୍ତ ହୋଇଯାଇଛି । ଏହି ଭିଡିଓରେ ସେ ଏବଂ ସଦାଶିବ (ସେ ମଧ୍ୟ ଜଣେ କଳାକାର) କାନଭାସ୍ ଉପରେ ଗୋବର ଲେପନ, ମାସେ କିଭଳି ପୋଷ୍ଟର ରଙ୍ଗ ବ୍ୟବହାର କଲେ, ଚିତ୍ର ଆଙ୍କିବା ପାଇଁ ସେ କିଭଳି କାଠି ବ୍ୟବହାର କରିବାକୁ ପସନ୍ଦ କରନ୍ତି ଏବଂ କିଭଳି ଭାବେ ଏହି ଚିତ୍ରକଳା ତାର ପାରମ୍ପରିକ ମୂଲ୍ୟବୋଧକୁ ହରାଇ ବସୁଛି ସେ ସଂପର୍କରେ କହିଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍