ମୁକେଶ ରାମ ଦୀପାବଳିର ୧୦ ଦିନ ପୂର୍ବରୁ ନିଜ ଗ୍ରାମ ମହମ୍ମଦପୁରକୁ ଫେରି ଆସିଥିଲେ। ସେ ହିମାଚଳ ପ୍ରଦେଶର ଶିମଳା ଜିଲ୍ଲାରେ ନିର୍ମାଣ-ଶ୍ରମିକ ଭାବେ କାମ କରୁଥିଲେ।

ଚାଳିଶ ବର୍ଷ ବୟସ୍କ ମୁକେଶ ପ୍ରତିବର୍ଷ ଛଠ୍‌ ପୂଜା ପାଳନ କରିବା ଲାଗି ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଥିବା ନିଜ ଘରକୁ ଫେରି ଆସୁଥିଲେ। ସୂଚନାଯୋଗ୍ୟ ଯେ ଦୀପାବଳିର ଛଅ ଦିନ ପରେ ପଡ଼ୁଥିବା ଛଠ୍‌ ପର୍ବରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥାଏ। ତାଙ୍କ ପତ୍ନୀ ପ୍ରଭାବତୀ ଦେବୀ ଏବଂ ସେମାନଙ୍କର ଚାରି ପିଲା ତାଙ୍କୁ ଘରେ ପାଇ ଖୁସି ହେଉଥିଲେ।

ଗାଁକୁ ଫେରିବା ପରେ, ସେ ନିଜ ଘରଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ମଙ୍ଗଳପୁର ପୁରୁଣା ବଜାରରେ ଏକ ନିର୍ମାଣସ୍ଥଳୀରେ ମଜୁରିଆ ଭାବେ କାମ କରୁଥିଲେ। ସେ ସକାଳ ୮ଟାରେ ଘରୁ ବାହାରୁଥିଲେ ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଫେରି ଆସୁଥିଲେ।

କିନ୍ତୁ ୨ ନଭେମ୍ବର, ୨୦୨୧ ତାରିଖରେ ସେ ବିଳମ୍ବରେ ଘରକୁ ଫେରିଥିଲେ ଏବଂ କିଛି ସମୟ ପରେ ତାଙ୍କ ଅସହ୍ୟ ମୁଣ୍ଡବ୍ୟଥା ହେଉଥିବା କହିବାକୁ ଲାଗିଲେ।

ପରଦିନ ସକାଳ ପର୍ଯ୍ୟନ୍ତ ତାଙ୍କର ମୁଣ୍ଡବ୍ୟଥା ଲାଗି ରହିଥିଲା ଏବଂ ତାଙ୍କ ଆଖି ମଧ୍ୟ ଖୋଲୁନଥିଲା। ତେବେ, ସକାଳୁ ମୁକେଶ ପୁଣିଥରେ କାମକୁ ଯିବା ପାଇଁ ପ୍ରସ୍ତୁତ ମଧ୍ୟ ହେଲେ, କିନ୍ତୁ ଯନ୍ତ୍ରଣା ପାଇଁ ଯାଇପାରିଲେ ନାହିଁ।

ତାଙ୍କର ଏପରି ଅବସ୍ଥା ଦେଖି, ପ୍ରଭାବତୀ ଏକ ଭଡ଼ା ଗାଡ଼ି ଠିକ କଲେ ଏବଂ ତାଙ୍କୁ ୩୫ କିଲୋମିଟର ଦୂର ଗୋପାଳଗଞ୍ଜ ସହରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଗଲେ। ‘‘ ସୁବେରେ ଲେ ଜାତ, ଲେ ଜାତ, ୧୧ ବଜେ ମୌଗତ ହେ ଗଇଲ (ସକାଳୁ ଡାକ୍ତରଖାନା ନେଉ ନେଉ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା)।’’

ସ୍ୱାମୀ ଚାଲିଯିବାର ଦୁଃଖରେ ବୁଡ଼ି ରହିଥିବା ବିଧବା ପ୍ରଭାବତୀ (୩୫) ସନ୍ଧ୍ୟାରେ ଯେତେବେଳେ ଶବକୁ ନେଇ ଘରକୁ ଫେରିଲେ, ସେତେବେଳକୁ ତାଙ୍କ ଘର ସିଲ୍‌ ହୋଇସାରିଥିଲା। ଏହା ଦେଖି ସେ ଅବାକ୍‌ ହୋଇଯାଇଥିଲେ। ମହମ୍ମଦପୁର ଥାନାର ପୋଲିସ୍ ଅଧିକାରୀମାନେ ତାଙ୍କ ଘରେ ଖାନତଲାସୀ କରିଥିଲେ।

The police sealed Mukesh and Prabhabati's house after filing an FIR, accusing him of selling illicit liquor.
PHOTO • Umesh Kumar Ray
Prabhabati was widowed by illegal hooch and made homeless by prohibition laws
PHOTO • Umesh Kumar Ray

ବାମ: ମୁକେଶଙ୍କ ମୃତ୍ୟୁ ପରେ  ପୋଲିସ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ତାଙ୍କ ଘରକୁ ସିଲ୍‌ କରି ଦେଇଛି। ଡାହାଣ : ବିଷାକ୍ତ ମଦ ପ୍ରଭାବତୀଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡ଼ାଇ ନେଇଛି ଏବଂ ମଦ ନିଷେଧ ଆଇନ ତାଙ୍କୁ ବାସହୀନ କରି ଦେଇଛି

ସେ କୁହନ୍ତି, ‘‘ଆମେ ଘରକୁ ଫେରି ଦେଖିଲୁ ଯେ ଘର ସିଲ୍‌ କରି ଦିଆଯାଇଛି। ଶବକୁ ରାତିସାରା ବାହାରେ ରଖିବାକୁ ପଡ଼ିଲା ଏବଂ ପିଲାମାନଙ୍କ ସହିତ ରାତି ସାରା ଖୋଲା ଆକାଶ ତଳେ ପୁଆରା (ନଡ଼ା)ଜାଳି ବସି ରହିବାକୁ ହେଲା।’’

‘‘ ଘରବୋ ସେ ଗଇନୀ, ଆ ମରଦୋ ସେ ଗଇନୀ? ଇ ତ’ କୋନୋ ବାତ୍‌ ନଇଖେ ଭଇଲ ନ। କୋନୋ ତ’ ଅଧାର କରେ କେ ଚାହୀ (ମୁଁ ମୋ ଘର ହରାଇଲି ଏବଂ ମୋ ସ୍ୱାମୀ ମଧ୍ୟ ଚାଲିଗଲେ। ଏଥିରେ କିଛି କଥା ନାହିଁ । କୌଣସି କଥାର କିଛି ତ’ ଆଧାର ରହିବା ଆବଶ୍ୟକ),’’ ସେ କୁହନ୍ତି।

*****

ଯେଉଁ ଦିନ ଏହି କାହାଣୀ ପ୍ରକାଶ ପାଇଥିଲା, ସେତେବେଳକୁ ବିହାର ପୋଲିସ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୪ ଏପ୍ରିଲ, ୨୦୨୩ ସୁଦ୍ଧା ବିଷାକ୍ତ ମଦ ପିଇବା କାରଣରୁ ପୂର୍ବ ଚମ୍ପାରଣର ବିଭିନ୍ନ ଗାଁରେ ବିଷାକ୍ତ ମଦ ପିଇ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିସାରିଥିଲା ଏବଂ ଆହୁରି କିଛି ଲୋକ ଅସୁସ୍ଥ ଥିଲେ।

ବିହାରରେ ଲାଗୁ ମଦ ନିଷେଧ ଓ ଅବକାରୀ ଆଇନ, ୨୦୧୬ ଅନୁଯାୟୀ ଦେଶୀ ଓ ବିଦେଶୀ ମଦ ସମେତ ତାଡ଼ିର ଉତ୍ପାଦନ, କ୍ରୟ-ବିକ୍ରୟ ଓ ସେବନ ଉପରେ ନିଷିଦ୍ଧାଦେଶ ରହିଛି।

ତେଣୁ ବିଷାକ୍ତ ମଦ ପ୍ରଭାବତୀଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡ଼ାଇ ନେଲା ଏବଂ ମଦନିଷେଧ ଆଇନ ତାଙ୍କୁ ବାସହୀନ କରିଦେଲା।

ମହମ୍ମଦପୁର ଥାନା ପୋଲିସ୍ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ଦାଖଲ କରିଥିବା ପ୍ରାରମ୍ଭିକ ଏତଲା (ଏଫଆଇଆର)ରେ ଲେଖିଥିଲା ଯେ ମୁକେଶ ମଦ ବିକ୍ରି କରୁଥିଲା ଏବଂ ତା’ ଘରୁ ୧.୨ ଲିଟର ଦେଶୀ ମଦ ଜବତ ହୋଇଛି । ଏହି ଏଫଆଇଆର ଅନୁଯାୟୀ, ସୂଚନା ମିଳିବା ପରେ ପୋଲିସ୍ ମୁକେଶ ରାମଙ୍କ ଘରେ ପହଞ୍ଚିଥିଲା ଏବଂ ସେଠାରୁ ୨୦୦ ମିଲିମିଟର ଲେଖାଏଁ ୬ଟି ପଲିଥିନ ପାଉଚ୍‌ ମଦ ଜବତ କରିଥିଲା। ଏହାବ୍ୟତୀତ, ପଲିଥିନର ତିନୋଟି ଖାଲି ଥଳି ମଧ୍ୟ ଜବତ କରାଯାଇଥିଲା।

Prabhabati shows a photo of her and Mukesh.
PHOTO • Umesh Kumar Ray
PHOTO • Umesh Kumar Ray

ବାମ: ପ୍ରଭାବତୀ ନିଜର ଓ ମୁକେଶଙ୍କ ଫଟୋ ଦେଖାଉଛନ୍ତି। ଡାହାଣ: ପ୍ରଭାବତୀ ଦେବୀ ଏବଂ ତାଙ୍କର ଚାରି ପିଲା ଏବେ ମହମ୍ମଦପୁର ଗାଁରେ ନିଜ ପୁରୁଣା ଘର ପାଖରେ ତିଆରି ହୋଇଥିବା ଏହି କୁଡ଼ିଆ ଛପର ଘରେ ରହୁଛନ୍ତି

ପରୀ ସହିତ କଥା ହେବା ସମୟରେ ପ୍ରଭାବତୀ ଏସବୁ ଅଭିଯୋଗକୁ ଖଣ୍ଡନ କରିଥାନ୍ତି ଏବଂ ଆଜବେଷ୍ଟସ ଛାତ ଥିବା ନିଜର ସିଲ ହୋଇଥିବା ପକ୍କା ଘର ଆଡ଼କୁ ଇସାରା କରି କୁହନ୍ତି, ‘‘ଯେଉଁମାନେ ମଦ ବିକ୍ରି କରୁଛନ୍ତି, ସେମାନଙ୍କ ଘରକୁ ଯାଇ ଦେଖନ୍ତୁ। ଯଦି ଆମେ ମଦ ବିକ୍ରି କରିଥାନ୍ତୁ, ତା’ହେଲେ ଆମ ଘର କ’ଣ ଏପରି ହୋଇଥାନ୍ତା?’’

ତାଙ୍କ ଘରେ ମଦ କାରବାର ହେଉଥିବା ନେଇ ଏଫଆଇଆରରେ ପୋଲିସ୍ କରିଥିବା ଦାବିକୁ ସେ ସିଧାସଳଖ ଖଣ୍ଡନ କରିଥାନ୍ତି। ସେ କହିବାକୁ ଲାଗନ୍ତି ଯେ, ‘‘ ହମରେ ମାଲିକ ସାହେବ କେ ଦାରୁ ବେଚତେ ଦେଖତି ତ’ ହମ ଖୁଦ କହତି କି ହମରା କେ ଲେ ଚଲି (ଯଦି ମୋ ସ୍ୱାମୀ ପ୍ରକୃତରେ ମଦ କାରବାର କରୁଥାନ୍ତେ ତା’ହେଲେ ମୋତେ ନେଇଯାଆନ୍ତୁ ମୁଁ ନିଜେ ପୋଲିସ୍କୁ କହିଥାନ୍ତି)।’’

‘‘ଆପଣମାନେ ଗାଁ ଲୋକଙ୍କୁ ପଚାରନ୍ତୁ। ଲୋକମାନେ ହିଁ କହିବେ ଯେ ମାଲିକ ସାହେବ (ତାଙ୍କ ସ୍ୱାମୀ) ମିସ୍ତ୍ରୀ କାମ କରୁଥିଲେ।’’ ତେବେ ମୁକେଶ ବେଳେ ବେଳେ ମଦ ପିଇବା କଥାକୁ ସେ ଅସ୍ୱୀକାର କରନ୍ତି ନାହିଁ। ‘‘ସାଙ୍ଗମାନେ ବାଧ୍ୟ କଲେ ସେ କେବଳ ମଦ ପିଉଥିଲେ। ଯେଉଁଦିନ ଘରେ ଆସି ସେ ମୁଣ୍ଡ ବିନ୍ଧୁଥିବା କହିଥିଲେ, ସେଦିନ ମଦ ପିଇ ଆସିଛନ୍ତି ବୋଲି ମୋତେ କହିନଥିଲେ।’’

ମୁକେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଗଲା ନାହିଁ, ତେଣୁ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ସେକଥା ସେ ଜାଣିପାରିଲେ ନାହିଁ।

*****

ଉତ୍ତର ପ୍ରଦେଶ-ବିହାର ସୀମାକୁ ଲାଗିଥିବା, ମହମ୍ମଦପୁର ଗ୍ରାମ ସିଦ୍ଧବଲିୟା ବ୍ଲକ୍‌ ଅଧୀନରେ ଆସିଥାଏ। ୨୦୧୧ ଜନଗଣନା ଅନୁଯାୟୀ ଏହି ଗାଁର ଜନସଂଖ୍ୟା ୭,୨୭୩ ହୋଇଥିବା ବେଳେ ପ୍ରାୟ ୧୦ ପ୍ରତିଶତ (୬୨୮) ଜଣ ଅନୁସୂଚିତ ଜନଜାତି ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି। ଅଧିକାଂଶ ଲୋକ କାମ ସନ୍ଧାନରେ ଅନ୍ୟ ରାଜ୍ୟକୁ ଚାଲିଯାଆନ୍ତି ଏବଂ ଯେଉଁମାନେ ଯାଇନପାରନ୍ତି ସେମାନେ ଗାଁରେ ରହି ଦିନ ମଜୁରିଆ କାମ କରନ୍ତି।

ଗୋପାଳଗଞ୍ଜ ଜିଲ୍ଲାର ଯେଉଁ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୁକେଶ ପ୍ରାଣ ହରାଇଥିଲେ ସେଥିରେ ମୋଟ୍‌ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ଚମାର ଜାତିର ବାସିନ୍ଦା ଥିଲେ, ଯେଉଁମାନଙ୍କୁ ବିହାରରେ ମହାଦଳିତ ବୋଲି କୁହାଯାଏ। ସେମାନଙ୍କର ପାରମ୍ପରିକ ବେଉସା ହେଉଛି ମୃତ ଗୃହପାଳିତ ପଶୁଙ୍କ ଶରୀରରୁ ଚମଡ଼ା ବାହାର କରି ବିକ୍ରି କରିବା।

After Mukesh's death, the family is struggling to managing their expenses.
PHOTO • Umesh Kumar Ray
Prabhabati with her children, Preeti, Sanju and Anshu (from left to right)
PHOTO • Umesh Kumar Ray

ମୁକେଶଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପରିବାର ପାଇଁ ଗୁଜୁରାଣ ମେଣ୍ଟାଇବା କଷ୍ଟ ହୋଇପଡ଼ିଛି। ପ୍ରଭାବତୀ ନିଜ ପିଲା, ପ୍ରୀତି, ସଞ୍ଜୁ ଓ ଅଂଶୁଙ୍କ (ବାମରୁ ଡାହାଣ) ସହ

ବିହାର ରାଜ୍ୟରେ ଗତବର୍ଷ ବିଷାକ୍ତ ମଦ ପିଇ ୭୨ ଜଣ ଲୋକ ପ୍ରାଣ ହରାଇଥିଲେ। ୨୦୧୬ ପରଠାରୁ ୨୦୦ ଲୋକ ମଦମୃତ୍ୟୁର ଶିକାର ହୋଇଛନ୍ତି ଏବଂ ସେମାନଙ୍କ ପରିବାରକୁ କୌଣସି କ୍ଷତିପୂରଣ ମିଳିନାହିଁ।

ଅଧିକାଂଶ ସମୟରେ ପୋଲିସ ଏବଂ ଅନ୍ୟ ଅଧିକାରୀମାନେ ମଦ ଜନିତ ମୃତ୍ୟୁର ରେକର୍ଡ ରଖନ୍ତି ନାହିଁ ତେଣୁ ତଥ୍ୟ ଭ୍ରମାତ୍ମକ ହୋଇପାରେ। ଅଧିକାଂଶ ମାମଲାରେ ପୋଲିସ୍ ଏସବୁ ମୃତ୍ୟୁର କାରଣ ବିଷାକ୍ତ ମଦ ବୋଲି ସ୍ୱୀକାର କରିବାକୁ ସଫା ସଫା ମନା କରି ଦେଇଥାଏ।

*****

ପ୍ରଭାବତୀଙ୍କ ଘରକୁ ଅଚାନକ ସିଲ୍‌ କରି ଦିଆଯାଇଥିଲା, ଏହି କାରଣରୁ ସେ ଘରୁ ପୋଷାକପତ୍ର, ଚଉକି, ଖାଦ୍ୟଶସ୍ୟ ଭଳି ଜରୁରି ସାମଗ୍ରୀ ବାହାର କରିପାରିନଥିଲେ। ଏପରି ସମୟରେ ସ୍ଥାନୀୟ ଲୋକମାନେ ଏବଂ ତାଙ୍କର ନଣନ୍ଦ ତାଙ୍କୁ ସାହାଯ୍ୟ କରିଥିଲେ।

ମୁକେଶ ଯେତେବେଳେ ଶିମଲାରେ କାମ କରୁଥିଲେ ସେ ପ୍ରତି ମାସରେ ୫ରୁ ୧୦ ହଜାର ଟଙ୍କା ଘରକୁ ପଠାଉଥିଲେ। ଏବେ ତାଙ୍କ ମୃତ୍ୟୁ ପରେ, ପ୍ରଭାବତୀ ନିଜର ଚାରି ପିଲା – ଝିଅ ସଞ୍ଜୁ (୧୫) ଓ ପ୍ରୀତି (୧୧) ତଥା ପୁଅ ଦୀପକ (୭) ଓ ଅଂଶୁ (୫)ଙ୍କ ପେଟ ପୋଷିବା ଲାଗି କୃଷି ଶ୍ରମିକ ଭାବେ କାମ କରୁଛନ୍ତି। କିନ୍ତୁ ଏହି କାମ ବର୍ଷକୁ ମାତ୍ର ୨ ମାସ ମିଳୁଛି ଏବଂ ତାଙ୍କୁ ବିଧବା ପେନସନ ଆକାରରେ ପ୍ରତି ମାସ ମିଳୁଥିବା ୪୦୦ ଟଙ୍କାରେ ଘର ଚଳାଇବାକୁ ପଡ଼ୁଛି।

ଗତ ବର୍ଷ ସେ ୧୦ କଟ୍‌ଠା (ପ୍ରାୟ ୦.୧ ଏକର) ଜମି ଭାଗକୁ ନେଇ ଧାନ ଚାଷ କରିଥିଲେ, ଏଥିରୁ ସେ ପ୍ରାୟ ୨୫୦ କିଲୋ ଧାନ ଅମଳ କରିଥିଲେ। ଧାନ ବିହନ ଜମି ମାଲିକ ଦେଇଥିଲେ ଏବଂ ସାର, ଖତ, ଓ ଜଳସେଚନରେ ଯେଉଁ ୩,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ତାଙ୍କ ଭଉଣୀ ଦେଇଥିଲେ।

ମୁକେଶ ଓ ପ୍ରଭାବତୀଙ୍କ ବଡ଼ ପୁଅ ଦୀପକଙ୍କୁ ପଢ଼ାଇବାର ଦାୟିତ୍ୱ ମଧ୍ୟ ପ୍ରଭାବତୀଙ୍କ ଭଉଣୀ ନେଇଛନ୍ତି ଏବଂ ବର୍ତ୍ତମାନ ସେ ସେମାନଙ୍କ ସହିତ ରହୁଛି। ପ୍ରଭାବତୀ ଏବେ ସୁଦ୍ଧା ୧୦,୦୦୦ ଟଙ୍କାର ଉଧାର ମଧ୍ୟ ନେଇ ସାରିଲେଣି। ଯେହେତୁ ସୁଧ ସହିତ ଋଣ ପରିଶୋଧ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ତେଣୁ ସେ କାହାଠାରୁ ୫୦୦ ଟଙ୍କା, ତ’ ଆଉ କାହା ଠାରୁ ୧,୦୦୦ ଟଙ୍କା ନେଇଛନ୍ତି । ଯାହାକୁ ସେ  ‘ ହାତ୍‌ ଉଠାଇ ’ (ବିନା ସୁଧରେ ଅଳ୍ପ କିଛି ଟଙ୍କାର ହାତ ଉଧାରୀ) ବୋଲି କୁହନ୍ତି। ସେ କୁହନ୍ତି, ‘‘କାହାଠାରୁ ୫୦୦ (ଟଙ୍କା) ତ’ ଆଉ କାହା ଠାରୁ ୧,୦୦୦ (ଟଙ୍କା) ନେଇଥାଏ। କିଛି ଦିନ ପରେ ସେମାନଙ୍କୁ ସୁଝି ଦେଇଥାଏ। ଯଦି ମୁଁ ୫୦୦ କିମ୍ବା ୧,୦୦୦ ଟଙ୍କା ଉଧାର ନେଇ ଶୀଘ୍ର ପରିଶୋଧ କରି ଦେବି ତା’ହେଲେ ଦେବା ଲୋକ ମୋ ଠାରୁ ସୁଧ ଦାବି କରିବେ ନାହିଁ,’’ ସେ କୁହନ୍ତି।

Prabhabati has leased 10 kattha of land to cultivate paddy.
PHOTO • Umesh Kumar Ray
She stands next to small shop she was given by the Bihar government as part of a poverty alleviation scheme
PHOTO • Umesh Kumar Ray

ପ୍ରଭାବତୀ ଚାଷ କରିବା ପାଇଁ ୧୦ କଟ୍‌ଠା ଜମି ଭାଗରେ ନେଇଥିଲେ। ଡାହାଣ: ସେ ସେହି ଛୋଟ ଦୋକାନ କଡ଼ରେ ଛିଡ଼ା ହୋଇଛନ୍ତି ଯାହା ତାଙ୍କୁ ବିହାର ସରକାରଙ୍କ ଦାରିଦ୍ର୍ୟ ଉନ୍ମୁଳନ ଯୋଜନା ଅଧୀନରେ ମିଳିଛି

ମୁକେଶଙ୍କ ମୃତ୍ୟୁର ତିନି ମାସ ପରେ, ବିହାର ସରକାରଙ୍କ ଏକ ଦାରିଦ୍ର୍ୟ ଉନ୍ମୁଳନ ଯୋଜନା ଅଧୀନରେ ପ୍ରଭାବତୀଙ୍କୁ ଏକ ଗୋମତୀ (କାଠରେ ତିଆରି ଛୋଟ କେବିନ) ଏବଂ ୨୦,୦୦୦ ଟଙ୍କାର ସାମଗ୍ରୀ ଦିଆଯାଇଥିଲା।

ସେ କୁହନ୍ତି, ‘‘ସର୍ଫ, କୁରକୁରେ, ବିସ୍କୁଟ, ଏସବୁ ଜିନିଷ ମୋତେ ବିକ୍ରି କରିବାକୁ ଦିଆଯାଇଥିଲା। କିନ୍ତୁ ଖୁବ କମ ଟଙ୍କା ରୋଜଗାର ହେଉଥିଲା ଏବଂ ଦିନ ଶେଷରେ ମାତ୍ର ୧୦ ଟଙ୍କା ଲାଭ ବଳକା ରହିଥିଲା। ମୋ ପିଲାମାନେ ଏହି ୧୦ ଟଙ୍କା ଖର୍ଚ୍ଚ କରି କିଛି ଖାଇ ଦେଉଥିଲେ। ମୁଁ କିପରି ଲାଭ କରିପାରିବି? ଆହୁରି ମୋ ଦେହ ଖରାପ ହୋଇଥିଲା। ଦୋକାନର ପୁଞ୍ଜି ଚିକିତ୍ସାରେ ଖର୍ଚ୍ଚ ହୋଇଗଲା।’’

ପ୍ରଭାବତୀଙ୍କୁ ଏବେ ଭବିଷ୍ୟତର ଚିନ୍ତା ଖାଉଛି । ‘‘ପିଲାମାନଙ୍କୁ କେମିତି ପାଳିବି? ଦୁଇ ଝିଅଙ୍କ ବାହାଘର କେମିତି କରିବି? ଏ ସବୁ କଥା ଚିନ୍ତା କରି ମୁଣ୍ଡବ୍ୟଥା ହେଉଛି। କାନ୍ଦି କାନ୍ଦି ମୋର ଦେହ ଖରାପ ହୋଇଯାଉଛି। ସବୁବେଳେ ଏକଥା ଭାବୁଛି ଯେ କୁଆଡ଼େ ଯିବି । କେଉଁ କାମ କରି କିଛି ଟଙ୍କା ରୋଜଗାର କରିବି ଏବଂ ପିଲାମାନଙ୍କୁ କେମିତି ଖାଇବାକୁ ଦେବି,’’ ସେ କୁହନ୍ତି। ପ୍ରଭାବତୀ ଆହୁରି କୁହନ୍ତି, ‘‘ ହମରା ଖାନୀ ଦୁଖ ଆ ହମରା ଖାନୀ ବିପଦ ମୁଦଇ କେ ନା ହୋଖେ (ଆମ ଭଳି ଦୁଃଖ ଏବଂ ବିପଦ ଆମ ଶତ୍ରୁକୁ ସୁଦ୍ଧା ନମିଳୁ)।’’

ମୁକେଶଙ୍କ ମୃତ୍ୟୁ ପରେ, ତାଙ୍କ ପରିବାର ଦାରିଦ୍ର୍ୟରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛି : ‘‘ଯେତେବେଳେ ମାଲିକ ସାହେବ ଥିଲେ, ମାଛ-ମାଂସ ଖାଉଥିଲୁ। କିନ୍ତୁ ସେ ଚାଲିଯିବା ପରେ ପନିପରିବା ମଧ୍ୟ ମିଳୁନାହିଁ। ଦୟାକରି ଏମିତି ଲେଖନ୍ତୁ ଯେ ସରକାର ମୋତେ ସାହାଯ୍ୟ କରିବାକୁ ବାଧ୍ୟ ହେବେ ଏବଂ ମୋତେ କିଛି ଟଙ୍କା ମିଳିବ,’’ ସେ ନିରାଶ ହୋଇ କୁହନ୍ତି।

ଏହି ଷ୍ଟୋରୀ ବିହାରର ଏକ ଟ୍ରେଡ୍‌ ୟୁନିୟନିଷ୍ଟଙ୍କ ସ୍ମୃତିରେ ଦିଆଯାଉଥିବା ଫେଲୋଶିପ୍‌ ଅଧୀନରେ ଲେଖାଯାଇଛି, ଯିଏକି ରାଜ୍ୟର ଅବହେଳିତ ଲୋକମାନଙ୍କ ସଂଘର୍ଷରେ ନେତୃତ୍ୱ ନେଇଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Kumar Ray

اُمیش کمار رائے سال ۲۰۲۲ کے پاری فیلو ہیں۔ وہ بہار میں مقیم ایک آزاد صحافی ہیں اور حاشیہ کی برادریوں سے جڑے مسائل پر لکھتے ہیں۔

کے ذریعہ دیگر اسٹوریز Umesh Kumar Ray
Editor : Devesh

دیویش ایک شاعر صحافی، فلم ساز اور ترجمہ نگار ہیں۔ وہ پیپلز آرکائیو آف رورل انڈیا کے لیے ہندی کے ٹرانسلیشنز ایڈیٹر کے طور پر کام کرتے ہیں۔

کے ذریعہ دیگر اسٹوریز Devesh
Editor : Sanviti Iyer

سنویتی ایئر، پیپلز آرکائیو آف رورل انڈیا کی کنٹینٹ کوآرڈینیٹر ہیں۔ وہ طلباء کے ساتھ بھی کام کرتی ہیں، اور دیہی ہندوستان کے مسائل کو درج اور رپورٹ کرنے میں ان کی مدد کرتی ہیں۔

کے ذریعہ دیگر اسٹوریز Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE