ଏସ. ମୁଥୁପେଚି ଶାନ୍ତ ଭାବରେ ନିଜର ଅସୁବିଧାଗୁଡିକର ତାଲିକା କରୁଛନ୍ତି। ଏହି ପାରମ୍ପରିକ କଳା କାରାଗଟ୍ଟମ, ଯାହାକୁ ସେ ନିଜର ଜୀବିକା ନିର୍ବାହ ପାଇଁ ପରିବେଷଣ କରନ୍ତି, ତାହା ସାରାରାତି ନାଚିବା ପାଇଁ ଦକ୍ଷତା ଓ ସାମର୍ଥ୍ୟ ରଖିବାକୁ ପଡ଼େ। ଯଦିଓ ଏହି କଳାକାରମାନଙ୍କୁ ଅନେକ କ୍ଷେତ୍ରରେ ନିନ୍ଦା ଓ ଅପମାନ ସହିବାକୁ ପଡେ, ଏବଂ ସେମାନଙ୍କ ପାଇଁ ସମାନ୍ୟତମ  ସାମାଜିକ ସୁରକ୍ଷା ନଥାଏ। ଏହି ୪୪ ବର୍ଷୀୟା ମହିଳା ସମସ୍ତ ପ୍ରତିବନ୍ଧକ ପାର କରିଛନ୍ତି।

ଜଣେ ଏକାକୀ ମହିଳା - ତାଙ୍କର ସ୍ୱାମୀ ଦଶ ବର୍ଷ ପୂର୍ବେ ମରିଯାଇଥିଲେ -ମୁଥୁପେଚି ନିଜ ରୋଜଗାରରେ ଘରର ସମସ୍ତ ଖର୍ଚ୍ଚ ବହନ କରିବା ସହ ନିଜର ଦୁଇ ଝିଅଙ୍କର ବିବାହ କରାଇଛନ୍ତି। କିନ୍ତୁ ତା’ପରେ, କୋଭିଡ-୧୯ ଆସିଗଲା।

ଯେତେବେଳେ ସେ ଏହି କରୋନା ଭୂତାଣୁ ବିଷୟରେ କହୁଥିଲେ ତାଙ୍କର ସ୍ୱର କ୍ରୋଧ ଓ ଯନ୍ତ୍ରଣାରେ ଭରି ଯାଉଥିଲା। ସେ ଏହି ରୋଗକୁ ଅଭିଶାପ ଦେଇ କୁହନ୍ତି, "ପାଝା ପୋନା କରୋନା [ଏହି ଘୃଣ୍ୟ କରୋନା]"। "ସାର୍ବଜନୀନ ପ୍ରଦର୍ଶନ ବନ୍ଦ ହୋଇଯାଇଥିବାରୁ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି। ମୁଁ ମୋ ଝିଅମାନଙ୍କଠାରୁ ଟଙ୍କା ନେବାକୁ ବାଧ୍ୟ ହେଉଛି।"

ମୁଥୁପେଚି କୁହନ୍ତି, "ଗତ ବର୍ଷ ସରକାର ୨୦୦୦ଟଙ୍କା ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ"। "କିନ୍ତୁ ଆମେ ମାତ୍ର ୧୦୦୦ ଟଙ୍କା ପାଇଛୁ। ଏହି ବର୍ଷ ଆମେ ମଦୁରାଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ମାତ୍ର ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ।" ୨୦୨୦ ମସିହା ଏପ୍ରିଲ-ମଇ ମାସରେ ତାମିଲନାଡୁ ସରକାର ଘୋଷଣା କରିଥିଲେ ଯେ ରାଜ୍ୟ ଲୋକ କଳା କଳାକାର କଲ୍ୟାଣ ବୋର୍ଡରେ ପଞ୍ଜିକୃତ କଳାକାରମାନଙ୍କୁ ୧୦୦୦ଟଙ୍କା ଲେଖାଏଁ ଦୁଇଥର ସ୍ୱତନ୍ତ୍ର ଅର୍ଥ ରାଶି ପ୍ରଦାନ କରାଯିବ।

ମଦୁରାଇ ଗୋବିନ୍ଦରାଜ, ଯିଏକି ଜଣେ ଲୋକ ପ୍ରିୟ କଳାକାର ଓ ଜଣେ ଲୋକ କଳା ଶିକ୍ଷକ, କୁହନ୍ତି, ଏହି ମହାମାରୀ ଆରମ୍ଭ ହେବାଠାରୁ ମଦୁରାଇ ଜିଲ୍ଲାରେ ପାଖାପାଖି ୧୨୦୦ କଳାକାର ଜୀବିକା ନପାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆମ୍ବେଦକର ନଗରର ପାଖ ସହର ଅବନିଅପୁରମରେ ପାଖାପାଖି ୧୨୦ ଜଣ କାରାଗଟ୍ଟମ କଳାକାର ରୁହନ୍ତି, ଯେଉଁଠାରେ କି ମୁଁ ମୁଥୁପେଚି ଓ ଅନ୍ୟ କିଛି କଳାକାରମାନଙ୍କୁ ମଇ ମାସରେ ଭେଟିଥିଲି।

କାରାଗଟ୍ଟମ୍‍ ହେଉଛି ଅନେକାଂଶରେ ଏକ ଗ୍ରାମୀଣ ନୃତ୍ୟ କଳା ଯାହାକି ମନ୍ଦିରରେ ଧାର୍ମିକ ଉତ୍ସବ ସମୟରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବଂ ବିବାହ ଓ ଅନ୍ତିମ ସଂସ୍କାର ଭଳି ପର୍ବରେ ପରିବେଷଣ କରାଯାଏ। ଏହି କଳାକାରମାନେ ଦଳିତ ଶ୍ରେଣୀର ଯାହାକି ଆଦି ଦ୍ରାଭିଡ ଜାତିରେ ଅର୍ନ୍ତଭୁକ୍ତ। ସେମାନେ ଜୀବିକା ନିର୍ବାହ ନିମନ୍ତେ ନିଜ କଳା ଉପରେ ନିର୍ଭର କରନ୍ତି।

ଉଭୟ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ ରୂପେ ସଜ୍ଜିତ ପାତ୍ରକୁ ମୁଣ୍ଡ ଉପରେ ଭାରସାମ୍ୟ ରକ୍ଷା କରି ପରିବେଷଣ କରାଯାଉଥିବା ଗୋଷ୍ଠୀ ନୃତ୍ୟ ହେଉଛି କାରାଗଟ୍ଟମ। ସେମାନେ ଅଧିକାଂଶ ସମୟ ସାରା ରାତି, ରାତି ୧୦ଟା ରୁ ଭୋର ୩ଟା ପର୍ଯ୍ୟନ୍ତ କଳା ପରିବେଷଣ କରିଥାଆନ୍ତି।

PHOTO • M. Palani Kumar

କାରାଗଟ୍ଟମ କଳାକାର ଏ. ମୁଥୁଲକ୍ଷ୍ମୀ (ବାମ) ଅ ନିଅପୁରମରେ ନିଜ ଘର ବାହାରେ ରୋଷେଇ କରନ୍ତି କାରଣ ଘର ଭିତରେ ଷ୍ଟୋଭ୍‍ ରଖିବାକୁ ସ୍ଥାନ ନାହିଁ

ମନ୍ଦିର ଉତ୍ସବରୁ ସେମାନଙ୍କ ନିୟମିତ ରୋଜଗାରର ମୁଖ୍ୟ ଅଂଶ ଆସେ - ଏବଂ ଯାହାକି ଫେବୃୟାରୀ ରୁ ସେପ୍ଟେମ୍ବର ମାସ ମଧ୍ୟରେ ହୁଏ - କଳାକାରମାନଙ୍କୁ ଏହି ସମୟରେ ବର୍ଷକର ରୋଜଗାର କରିବାକୁ ପଡେ,ନଚେତ୍‍ ସେମାନଙ୍କୁ ପରିବାର ଚଳାଇବା ନିମନ୍ତେ ଋଣ କରିବାକୁ ପଡିବ।

କିନ୍ତୁ ଏହି ମହାମାରୀ ସେମାନଙ୍କର ସୀମିତ ରୋଜଗାର ଉତ୍ସକୁ ପ୍ରଭାବିତ କରିଛି। ନିଜର ଗହଣା ବନ୍ଧା ରଖିଲା ପରେ-ଏବଂ କହିବାକୁ ଗଲେ ନିଜ ଘରେ ଥିବା ସମସ୍ତ ମୂଲ୍ୟବାନ ପଦାର୍ଥ - ପେଶାଦାର କଳାକାରମାନେ ଏବେ ଚିନ୍ତା ଓ ଉଦ୍‍ବେଗରେ ଅଛନ୍ତି।

୧୫ ବର୍ଷ ହେବ କାରାଗଟ୍ଟମ କରିଆସୁଥିବା, ୩୦ ବର୍ଷୀୟା ଏମ. ନାଲ୍ଲୁଥାଇ ଯିଏକି ଜଣେ ଏକୁଟିଆ ମା,କୁହନ୍ତି,"କାରାଗଟ୍ଟମ ହେଉଛି ସବୁକିଛି, ଯାହା ମୁଁ କରିବା ଜାଣିଛି"। "ଏବେ ପାଇଁ, ମୁଁ ଓ ମୋର ଦୁଇଟି ପିଲା ଏହି ରେସନ ଚାଉଳ ଓ ଡାଲିରେ ଚଳୁଛୁ। କିନ୍ତୁ ମୁଁ ଜାଣେ ନାହିଁ ଏହିପରି ଆଉ କେତେ ଦିନ ଆମେ ଚଳିପାରିବୁ। ମୁଁ ପ୍ରତ୍ୟେକ ମାସରେ ଦଶ ଦିନର କାମ ଆବଶ୍ୟକ କରେ। ଏହା ହେଲେ ହିଁ ମୁଁ ମୋର ପରିବାର ଭରଣ ପୋଷଣ ଓ ପିଲାଙ୍କ ସ୍କୁଲ ପାଉଣା ଦେଇପାରିବି।"

ନାଲ୍ଲୁଥାଇ ଘରୋଇ ସ୍କୁଲରେ ପଢୁଥିବା ନିଜର ପିଲାମାନଙ୍କର ପାଠପଢା ଖର୍ଚ୍ଚ ବାବଦକୁ ବର୍ଷକୁ ୪୦,୦୦୦ଟଙ୍କା ପାଉଣା ଦେଇଥାଆନ୍ତି। ସେ କୁହନ୍ତି, ସେମାନେ ତାଙ୍କୁ ତାଙ୍କର ପେଶା ଛାଡିବାକୁ କହୁଛନ୍ତି। ଭଲ ପାଠ ପଢିବା ଦ୍ୱାରା ସେ ଭାବନ୍ତି ସେମାନଙ୍କୁ ଅଧିକ ବିକଳ୍ପ ମିଳିପାରିବ। କିନ୍ତୁ ଏହା ସବୁ ଏହି ମହାମାରୀ ଆସିବା ପୂର୍ବର କଥା। "ମୁଁ ଏବେ ଆମର ଦୈନନ୍ଦିନର ଆବଶ୍ୟକତା ପୁରଣ କରିବାପାଇଁ ସଂଘର୍ଷ କରୁଛି।"

କାରାଗଟ୍ଟମ କଳାକାରମାନେ ଯେତେବେଳେ ଏକ ଉତ୍ସବରେ ପରିବେଷଣ କରନ୍ତି,ସେମାନେ ୧୫୦୦-୩୦୦୦ ଟଙ୍କା (ଜଣକ ପିଛା) ରୋଜଗାର କରନ୍ତି । କିନ୍ତୁ ଏହି ଦେୟ ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ କମ୍‍ ଅଟେ-ଯେଉଁଠାରେ କି ସେମାନେ ଓପାରି(ଶୋକ ସଙ୍ଗୀତ) ଗାନ କରିଥାନ୍ତି-ସାଧାରଣତଃ ୫୦୦-୮୦୦ଟଙ୍କା ମିଳେ।

୨୩ ବର୍ଷୀୟା ଏ. ମୁଥୁଲକ୍ଷ୍ମୀ କୁହନ୍ତି, "ଏହି ମହାମାରୀରେ ସମୟରେ ଅନ୍ତ୍ୟେଷ୍ଟିକ୍ରିୟା ହେଉଛି ସେମାନଙ୍କ ରୋଜଗାରର ମୁଖ୍ୟ ଉତ୍ସ। ସେ ତାର ବାପା ମା’ଙ୍କ ସହ ଆମ୍ବେଦକର ନଗରରେ ୮˟୮ଫୁଟ ବିଶିଷ୍ଟ ଘରେ ରୁହେ ଯେଉଁମାନେ କି ନିର୍ମାଣ ଶ୍ରମିକ ଅଟନ୍ତି। ସେମାନଙ୍କ ମଧ୍ୟରୁ କେହିବି ଏହି ମହାମାରୀ ସମୟରେ ଅଧିକ କିଛି ରୋଜଗାର କରିନାହାଁନ୍ତି ଏବଂ ଲକ୍‍ ଡାଉନ କଟକଣା ଉଠିବା ପରେ ଯେତେବେଳେ କାମ ଆରମ୍ଭ ହେଲା, କାରାଗଟ୍ଟମ କଳାକାରମାନଙ୍କର ପ୍ରାପ୍ୟକୁ କମାଇ ଦିଆଗଲା। ମନ୍ଦିର ଉତ୍ସବଗୁଡିକ ଯେତେବେଳେ ଅନୁଷ୍ଠିତ ହେଲା ସେମାନଙ୍କୁ ତାଙ୍କ ପ୍ରାପ୍ୟର ଏକ ଚତୁର୍ଥାଂଶ ବା ଏକ ତୃତୀୟାଅଂଶ ଦିଆଗଲା।

୫୭ ବର୍ଷୀୟ ବରିଷ୍ଠ ନର୍ତ୍ତକୀ ଆର.ଗ୍ନାନାମ୍ମଲ ଏହି ଘଟଣା କ୍ରମେ ସେ ବିଷାଦଗ୍ରସ୍ତ ହୋଇଯାଇଛନ୍ତି। ସେ କୁହନ୍ତି, "ମୁଁ ହତାଶ ଅନୁଭବ କରୁଛି"। "ମୁଁ ବେଳେବେଳେ ଭାବୁଛି ମୋର ଜୀବନ ହାରିଦେବି କି..."

PHOTO • M. Palani Kumar

ଜଣେ ବରିଷ୍ଠ କଳାକାର ଓ ପାଞ୍ଚଜଣ ପିଲାଙ୍କର ଜେଜେମା ଗ୍ନାନାମ୍ମାଲ ଅନେକ ତରୁଣ ପେଶାଦାର କାରାଗଟ୍ଟମ କଳାକାରମାନଙ୍କୁ ତାଲିମ ଦେଇଛନ୍ତି

ଗ୍ନାନାମ୍ମାଲଙ୍କ ଉଭୟ ପୁଅ ମୃତ୍ୟୁବରଣ କରିସାରିଛନ୍ତି। ସେ ଓ ତାଙ୍କର ଦୁଇ ବୋହୁ ମିଶି ସେମାନଙ୍କର ଘର ଚଳାନ୍ତି, ଯେଉଁଥିରେ କି ତାଙ୍କର ପାଞ୍ଚ ଜଣ ନାତି ନାତୁଣୀ ଅଛନ୍ତି। ସେ ଏବେ ମଧ୍ୟ ନିଜର ସାନ ବୋହୁ ସହ ନୃତ୍ୟ ପରିବେଷଣ କରୁଛନ୍ତି, ଯେତେବେଳେ କି ତାଙ୍କର ବଡ ବୋହୁ ଜଣେ ଦରଜୀ ଅଟନ୍ତି ଯିଏକି ସେମାନଙ୍କ ଅନୁପସ୍ଥିତିରେ ଘର ଚଳାନ୍ତି।

୩୫ ବର୍ଷୀୟା ଏମ. ଆଲାଗୁପାଣ୍ଡି କୁହନ୍ତି, ପୂର୍ବରୁ ଯେତେବେଳେ ସେମାନେ ଉତ୍ସବ ଓ କାର୍ଯ୍ୟକ୍ରମଗୁଡିକରେ ବ୍ୟସ୍ତ ରହୁଥିଲେ, ସେମାନଙ୍କୁ ଖାଇବାକୁ ସମୟ ମିଳୁନଥିଲା। "ଏବଂ ସେଠାରେ ବର୍ଷକୁ ୧୨୦ ରୁ ୧୫୦ ଦିନର କାମ ମିଳିଯାଉଥିଲା।"

ସେ କୁହନ୍ତି, ଯଦିଓ ଆଲାଗୁପାଣ୍ଡି ପାଠ ପଢିନାହାନ୍ତି, ତାଙ୍କର ପିଲାମାନେ ପାଠ ପଢିବାକୁ ଆଗ୍ରହୀ। "ମୋର ଝିଅ କଲେଜରେ ପଢୁଛି। ସେ ଏବେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରୁଛି।" ସେ କୁହନ୍ତି, ଯଦିଓ ଏହି ଅନ୍‍ ଲାଇନ ପାଠପଢା ହେଉଛି ବ୍ୟୟ ସାପେକ୍ଷ। "ଆମକୁ ସମସ୍ତ ପାଉଣା ଦେବାପାଇଁ କୁହାଯାଉଛି, ଯେତେବେଳେ କି ଆମେ ରୋଜଗାର ପାଇଁ ସଂଘର୍ଷ କରୁଛୁ।"

୩୩ ବର୍ଷୀୟା ଟି. ନାଗଜ୍ୟୋତି ନିଜର ଆଥାଇ(ଖୁଡୀ)ଙ୍କ ପାଇଁ କାରାଗଟ୍ଟମକୁ ନିଜ ପେଶା ରୂପେ ଗ୍ରହଣ କରିଥିଲେ ଯିଏକି ଜଣେ ସୁପରିଚିତ ପେଶାଦାର କଳାକାର ଥିଲେ, ସେ ଏବେ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଛନ୍ତି। ୬ ବର୍ଷ ପୂର୍ବେ ତାଙ୍କର ସ୍ୱାମୀ ମୃତ୍ୟୁବରଣ କରିଥିବାରୁ ଏବେ ସେ ନିଜ ରୋଜଗାରରେ ଚଳୁଛନ୍ତି। ସେ କୁହନ୍ତି, "ମୋର ପିଲାମାନେ ଏବେ ନବମ ଓ ଦଶମ ଶ୍ରେଣୀରେ ପଢୁଛନ୍ତି। ସେମାନଙ୍କ ଭରଣପୋଷଣ କରିବା ମୋ ପକ୍ଷେ କଷ୍ଟକର ହୋଇପଡୁଛି।"

ଉତ୍ସବ ଋତୁରେ ନାଗଜ୍ୟୋତି ୨୦ ଦିନ ଧରି ଲଗାତାର ନାଚି ପାରନ୍ତି। ଯଦିଓ ସେ ଅସୁସ୍ଥ ହୁଅନ୍ତି, ସେ ଔଷଧ ଖାଇ ନାଚିବା ଜାରି ରଖନ୍ତି। ସେ କୁହନ୍ତି, "ଯାହାହେଇ ଯାଉ ପଛେ, ମୁଁ ନାଚିବା ବନ୍ଦ କରିବି ନାହିଁ। ମୁଁ କାରାଗଟ୍ଟମକୁ ଭଲପାଏ।"

ଏହି ମହାମାରୀ କାରାଗଟ୍ଟମ କଳାକାରମାନଙ୍କର ଜୀବନକୁ ଓଲଟ ପାଲଟ କରିଦେଇଛି। ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ସଙ୍ଗୀତ, କାମଚଳା ମଞ୍ଚ ଓ ଅର୍ଥ ଅପେକ୍ଷାରେ ରହିଛନ୍ତି।

ଆଲାଗୁପାଣ୍ଡି କୁହନ୍ତି, "ଆମର ପିଲାମାନେ ଆମକୁ ଏହି କାମ ଛାଡିଦେବାକୁ କହୁଛନ୍ତି"। "ଆମେ ଛାଡିଦେବୁ କିନ୍ତୁ ଯେତେବେଳେ ଆମର ପିଲାମାନେ ଶିକ୍ଷିତ ହୋଇ ଭଲ ଚାକିରି ପାଇବେ"

PHOTO • M. Palani Kumar

ଏମ. ଆଲାଗୁପାଣ୍ଡି ଏକ କାରାଗାମ ସହିତ, ସୁସଜ୍ଜିତ ପାତ୍ର ଯାହାର ଭାରସାମ୍ୟ କାରାଗଟ୍ଟମ କଳାକାରମାନେ ମୁଣ୍ଡ ଉପରେ ରକ୍ଷାକରି ନୃତ୍ୟ ପରିବେଷଣ କରନ୍ତି ତାଙ୍କର ପିଲାମାନେ ତାଙ୍କର ପଦାଙ୍କ ଅନୁସରଣ କରନ୍ତୁ ବୋଲି ସେ ଚାହାନ୍ତି ନାହିଁ

PHOTO • M. Palani Kumar

୬୪ ବର୍ଷୀୟ ପୁରୁଣା ସଙ୍ଗୀତକାର ଏନ.ଜୟରମନ, ଯିଏକି ଥାଭିଲ ,ଏକ ଢୋଲ ,କାରାଗଟ୍ଟମ ପରିବେଷଣ ସମୟରେ ବଜାନ୍ତି

PHOTO • M. Palani Kumar

ଏ.ଉମା ଓ ତାଙ୍କର ସ୍ୱାମୀ ନାଲ୍ଲୁରମନ ଉଭୟ କଳାକାର ଅଟନ୍ତି। ମହିଳା ଜଣକ କାରାଗଟ୍ଟମ ନୃତ୍ୟ ପରିବେଷଣ କରନ୍ତି ଓ ପୁରୁଷ ଜଣକ ପାରାଇ(ଏକ ପ୍ରକାର ଢୋଲ) ବଜାନ୍ତି

PHOTO • M. Palani Kumar

କଳାକାରମାନଙ୍କ ଘରେ ଖାଲିରେ ପଡି ରହିଥିବା ବାଦ୍ୟଯନ୍ତ୍ରଗୁଡିକ ଏହି ମହାମାରୀ ସମୟରେ ସେମାନଙ୍କ ପାଖରେ କାମ ନଥିବା କଥା ମନେପକାଇ ସେମାନଙ୍କୁ ଅବସାଦଗ୍ରସ୍ତ କରିଦେଉଛି

PHOTO • M. Palani Kumar

ଏମ. ନାଲ୍ଲୁଥାଇ କାମ ଅଭାବରୁ ଋଣ ଭାରରେ ବୁଡିଗଲେଣି ସେ ଚିନ୍ତିତ ଯେ ଯଦି ଏହି ମହାମାରୀ ଏହିପରି ଜାରିରୁହେ ତେବେ ତାଙ୍କର ପିଲାମାନଙ୍କୁ ପାଠପଢା ଛାଡିବାକୁ ପ ଡ଼ି

PHOTO • M. Palani Kumar

ଏସ. ମୁଥୁପେଚି କୁହନ୍ତି ଯେ  କାରାଗଟ୍ଟମ ନୃତ୍ୟ ଏବେ ମଳିନ ପଡିଗଲାଣି ଓ ତାର କଳାକାରମାନଙ୍କୁ ଉତ୍ତମ ବ୍ୟବହାର ମିଳୁନାହିଁ ଏବେ ଆଉ ସେମାନଙ୍କୁ ପରିଧାନ ବଦଳାଇବା ପାଇଁ କୋଠରୀ ମଧ୍ୟ ଦିଆଯାଉନାହିଁ

PHOTO • M. Palani Kumar

ଟି. ନାଗଜ୍ୟୋତି ନୃତ୍ୟ ପରିବେଷଣ କରିବା ଆରମ୍ଭ କରିଥିଲେ ଯେତେବେଳେ ସେ ୧୨ ବର୍ଷ ବୟସର ହୋଇଥିଲେ ଏକ ସୁସଜ୍ଜିତ ପାତ୍ର ହେଉଛି କାରାଗଟ୍ଟମ ନୃତ୍ୟର ମୁଖ୍ୟ ଆକର୍ଷଣ

PHOTO • M. Palani Kumar

କାରାଗଟ୍ଟମ କଳାକାର ୨୯ ବର୍ଷୀୟା ଏମ.ସୁରିୟାଦେବି ଓ ପରାଇ ବଜାଉଥିବା ତାଙ୍କର ସ୍ୱାମୀ ଭି.ମହାଲିଙ୍ଗମ ଏହି ମହାମାରୀରେ ନିଜର ଘର ଭଡା ଦେଇପାରିଲେ ନାହିଁ ସୁରିୟାଦେବି ନିଜର ପିଲାମାନଙ୍କୁ ନିଜ ବାପ ଘରକୁ କିଛି ମାସ ପାଇଁ ପଠାଇଦେବାକୁ ବାଧ୍ୟ ହୋଇଛନ୍ତି ପରିବାରଟି ଏବେ ଏକ ସ୍ଥାନୀୟ NGO ର ସହାୟତାରେ ଚଳୁଛି

PHOTO • M. Palani Kumar

ଏନ.ମୁଥୁପାଣ୍ଡି ୫୦ବର୍ଷ ବୟସରେ ନିଜ ନୃତ୍ୟ ପୋଷାକରେ ଫଟୋ ଉଠାଉଛନ୍ତି, କାରାଗଟ୍ଟମ ନୃତ୍ୟ କରିବା ବ୍ୟତୀତ ସେ ଡ୍ରାମାରେ ମଧ୍ୟ ଏକ ହାସ୍ୟ କଳାକାର ଭାବରେ ଅଭିନୟ କରନ୍ତି ସେ ଭୟ କରୁଛନ୍ତି  ଯେ ଯଦି ଏହି ମହାମାରୀ ଅଧିକ ସମୟ ପର୍ଯ୍ୟନ୍ତ ରୁହେ ତେବେ ତାଙ୍କର ଜୀବିକା ଧ୍ୱଂସ ପାଇଯିବ

PHOTO • M. Palani Kumar

ଆମ୍ବେଦକର ନଗର ପାଖରେ ଥିବା ଅବନିଅପୁରମରେ ୩୩ ବର୍ଷୀୟ ଏସ. ଦେବି ନିଜର ଘର ବାହାରେ ଛିଡାହୋଇଛନ୍ତି ସେ ତାଙ୍କର ପିଲାବେଳୁ କାରାଗଟ୍ଟମ ନୃତ୍ୟ କରିଆସୁଛନ୍ତି

ଏହି ଗଳ୍ପର ପାଠ୍ୟ ରିପୋର୍ଟରଙ୍କ ସହଯୋଗିତାରେ ଅପର୍ଣ୍ଣା କାର୍ତ୍ତିକେୟନଙ୍କ ଦ୍ୱାରା ଲେଖାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

ایم پلنی کمار پیپلز آرکائیو آف رورل انڈیا کے اسٹاف فوٹوگرافر ہیں۔ وہ کام کرنے والی خواتین اور محروم طبقوں کی زندگیوں کو دستاویزی شکل دینے میں دلچسپی رکھتے ہیں۔ پلنی نے ۲۰۲۱ میں ’ایمپلیفائی گرانٹ‘ اور ۲۰۲۰ میں ’سمیُکت درشٹی اور فوٹو ساؤتھ ایشیا گرانٹ‘ حاصل کیا تھا۔ سال ۲۰۲۲ میں انہیں پہلے ’دیانیتا سنگھ-پاری ڈاکیومینٹری فوٹوگرافی ایوارڈ‘ سے نوازا گیا تھا۔ پلنی تمل زبان میں فلم ساز دویہ بھارتی کی ہدایت کاری میں، تمل ناڈو کے ہاتھ سے میلا ڈھونے والوں پر بنائی گئی دستاویزی فلم ’ککوس‘ (بیت الخلاء) کے سنیماٹوگرافر بھی تھے۔

کے ذریعہ دیگر اسٹوریز M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE