ଅକ୍ଷିବାତ୍ୟାର କେଇ ସପ୍ତାହ ପରେ ବି ଅଲେଲ, ଜନ୍‌ ପଲ୍‌-II ରାସ୍ତାରେ ଥିବା ତାଙ୍କ ଘର ବାରଣ୍ଡାରେ ଠିଆ ହୋଇଛି। ଦୁଇ ବର୍ଷର ଏହି ଶିଶୁଟି ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ଦେଖି ହସି ଦିଏ ଏବଂ ଘର ଯାଏଁ ଲମ୍ବିଥିବା ମାଟି ରାସ୍ତାକୁ ବାରମ୍ବାର ଦେଖୁଥାଏ । କେବଳ ଏଇ ଆଶାରେ କି ଏହା ପରେ ଯିଏ ଆସିବେ, ସେ ହୁଏତ ତା’ର ବାପା, ୟେସୁଦାସ ହୋଇଥିବେ ।

ଏହି ଗଳିର କେତେକ ଘର ତାରା ଏବଂ ଚିକଚିକ ଆଲୁଅରେ ସଜା ହୋଇଥିଲା । କିନ୍ତୁ ଆଜିକୁଟ୍ଟନ (ସ୍ନେହରେ ଘରଲୋକେ ଅଲେଲକୁ ଏଇ ନାଁରେ ଡାକନ୍ତି) ଅନ୍ଧକାରରେ ଠିଆ ହୋଇଥିଲା । ତା’ର ମା’, ୩୩ ବର୍ଷୀୟା ଗୃହିଣୀ ଅଜିତା, ଘର ଭିତରେ କାନ୍ଦୁଥିଲେ। ବହୁ ଦିନ ହେଲା ସେ ବିଛଣାରେ ପଡ଼ିଛନ୍ତି । ଆଜିକୁଟ୍ଟନ ଥରକୁ ଥର ଆସି ମା’କୁ କୁଣ୍ଢାଇ ପକାଏ ଏବଂ ପୁଣି ବାରଣ୍ଡାକୁ ଫେରିଯାଏ ।

ଏ ଥିଲା ୨୦୧୭ ମସିହା ଖ୍ରୀଷ୍ଟମାସର ଠିକ୍‌ ପୂର୍ବର ଘଟଣା । ଛୋଟପିଲାଟିକୁ ତା’ର ମା’ ଆଶ୍ୱାସନା ଦେଇଥିଲେ କି ୟେସୁଦାସ ଖ୍ରୀଷ୍ଟମାସ ସୁଦ୍ଧା ଆସିବେ ଏବଂ ନୂଆ ପୋଷାକ ଏବଂ କେକ୍‌ ଆଣିଦେବେ। କିନ୍ତୁ ଅଲେଲର ବାପା ଫେରି ନଥିଲେ ।

ନଭେମ୍ବର ୩୦ରେ ବାତ୍ୟା ଆସିବା ସମୟରେ ଘରୁ ବାହାରି ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ଜଣେ ହେଲେ ୩୮ ବର୍ଷୀୟ ୟେସୁଦାସ ଶିମାୟୋନ୍‌। କେରଳର ତିରୁବନନ୍ତପୁରମ୍‌ ଜିଲ୍ଲା ନେୟାଟ୍ଟିଙ୍କାରା ତାଲୁକାର କାରୋଡ୍‌ ଗାଁରେ ଥିବା ତାଙ୍କ ତିନି ବଖୁରିଆ ଘରୁ ସେ ବାହାରିଥିଲେ । ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ ଚାରି ଜଣ ସହକର୍ମୀଙ୍କ ସହିତ ସେ ସମୁଦ୍ରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କ ପଡ଼ୋଶୀ ୨୮ ବର୍ଷର ଆଲେକ୍‌ଜାଣ୍ଡାର ପୋଡ଼ିଥାମ୍ପି ଏବଂ ଅନ୍ୟ ତିନି ଜଣ ତାମିଲନାଡୁର । ଆଲେକ୍‌ଜାଣ୍ଡାର ଓ ତାଙ୍କ ୨୧ ବର୍ଷୀୟା ସ୍ତ୍ରୀ ଜସ୍ମିନ୍‌ ଜନ୍‌ଙ୍କର ୧୦ ମାସର ଝିଅଟିଏ ଅଛି, ଆଶମି ଆଲେକ୍‌ସ ।

A young boy sitting on a chair and holding a framed photograph of his family
PHOTO • Jisha Elizabeth
Woman sitting on sofa holding her sleeping child
PHOTO • Jisha Elizabeth

ଦୁଇ ବର୍ଷର ଆଜିକୁଟ୍ଟନ୍‌ (ବାମ) ତା’ର ବାପାଙ୍କୁ ଏବଂ ଜସ୍ମିନ୍‌ (ଡାହାଣ) ତାଙ୍କ ସ୍ୱାମୀଙ୍କୁ ହରାଇଛନ୍ତି; ଉଭୟ ନଭେମ୍ବର ୨୯ ତାରିଖ ଦିନ ସମୁଦ୍ରକୁ ଯାଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ଫେରିନାହାନ୍ତି

ସାଧାରଣତଃ, ୬-୭ ଦିନ ମାଛ ଧରିବା ପରେ ମତ୍ସ୍ୟଜୀବୀ ଦଳ କୂଳକୁ ଫେରିଆସନ୍ତି । ମାଛ ନିଲାମ କରି ପରଦିନ ସେମାନେ ପୁଣି ସମୁଦ୍ରକୁ ଯାଆନ୍ତି । ଏହା ହିଁ ଥିଲା ସେମାନଙ୍କର ଧରାବନ୍ଧା କାମ । କିନ୍ତୁ ‘ଷ୍ଟାର୍‌’ ନାମକ ସେମାନଙ୍କ ବୋଟ୍‌ଟି ନିଖୋଜ ହୋଇଯାଇଥିଲା ଏବଂ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନଥିଲା । ପ୍ରାୟ ୩୨,୦୦୦ବାସିନ୍ଦାଙ୍କର ଏକ ବଡ଼ ଗାଁ କାରୋଡ୍‌ର ପୋଝିୟୁର ପଲ୍ଲୀରୁ ଅନ୍ୟୂନ ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ ।

ସେହି ସନ୍ଧ୍ୟାରେ କେରଳ ଓ ତାମିଲନାଡୁର ୧୫୦୦ରୁ ଅଧିକ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥିଲେ । ସେମାନଙ୍କ ପରିବାର ଲୋକେ ଗଣମାଧ୍ୟମକୁ କହିଥିଲେ ଯେ, ସେମାନଙ୍କୁ କୌଣସି ସରକାରୀ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସଂପର୍କିତ ସତର୍କ ସୂଚନା ମିଳି ନଥିଲା ।

ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ମେବଲ ଆଦିମାଙ୍କ ସ୍ୱାମୀ ୪୫ ବର୍ଷର ଶିଲୁ ଏବଂ ସେମାନଙ୍କ ୧୮ ବର୍ଷର ପୁଅ ମନୋଜ । ସେମାନେ ବି ସେଦିନ ଯାଇଥିଲେ । ଦୁହେଁ ସବୁବେଳେ ୱାୟାରଲେସ୍‌ ସେଟ୍‌ ଲାଗିଥିବା ଭାଲ୍ଲାରପାଦାଥାମ୍ମା ନାମକ ବୋଟ୍‌ରେ ଏକାଠି ଯାଆନ୍ତି । ନଭେମ୍ବର ୩୦ରେ ସମୁଦ୍ର ଅଶାନ୍ତ ଅଛି ବୋଲି କାରୋଡ୍‌ ଗାଁର ପାରୁତିୟୁର ପଲ୍ଲୀ ବାସିନ୍ଦା ବୋଟ୍‌ ମାଲିକ କେଜିନ୍‌ ବୋସ୍କୋଙ୍କୁ ଥରଟିଏ ଖବର ମିଳିଥିଲା । ତା’ ପରେ ସିଗ୍‌ନାଲ ଗାଏବ୍‌ ହୋଇଯାଇଥିଲା ।

ପରେ ସନ୍ଧାନକାରୀ ଦଳଙ୍କୁ ଏହି ବୋଟ୍‌ରୁ ଦୁଇଟି ମୃତଦେହ ମିଳିଥିଲା, ଯାହା ଥିଲା ଶିଲୁ ଓ ମନୋଜଙ୍କର ଦୁଇ ଜଣ ସାଥୀଙ୍କର । ସେମାନେ ଅନ୍ୟ କେତେକ ମୃତଦେହ ଭାସୁଥିବା ଦେଖିଥିଲେ କିନ୍ତୁ ପ୍ରବଳ ଲହଡ଼ି ଯୋଗୁଁ ସେଗୁଡ଼ିକୁ ଉଦ୍ଧାର କରିପାରି ନଥିଲେ । ବୋସ୍କୋ କହନ୍ତି, “ଆମେ ବୋଟ୍‌, ଜାଲ ଏବଂ ଅନ୍ୟ ଉପକରଣ ହରାଇଲୁ’’ । ‘‘ସମୁଦାୟ କ୍ଷତିର ପରିମାଣ ୨୫ ଲକ୍ଷ ଟଙ୍କା ହେବ। ଉଦ୍ଧାରକାରୀ ଦଳ ବୋଟ୍‌ଟିକୁ ଆଣିପାରି ନଥିଲେ । କିନ୍ତୁ ଅତି ଦୁଃଖର କଥା ହେଲା ଯେ ଆମେ ଆମ ବନ୍ଧୁମାନଙ୍କୁ ହରାଇଲୁ ଏବଂ ସେମାନଙ୍କ ପରିବାର ଲୋକଙ୍କ କ୍ଷତିର ହିସାବ କରିହେବ ନାହିଁ ।”

Woman sitting on the floor holding a framed photograph of her husband and son
PHOTO • Jisha Elizabeth

ଏବେ ବି ନିଖୋଜ ମେବଲ ଆଦିମାଙ୍କ ସ୍ୱାମୀ ଏବଂ ପୁଅ, ଦୁହେଁ ମତ୍ସ୍ୟଜୀବୀ

ମେବଲଙ୍କର ୧୫ ବର୍ଷୀୟା ଝିଅ ପ୍ରିନ୍‌ସି ୧୦ମ ଶ୍ରେଣୀରେ ପଢୁଛି । ନିଖୋଜ ସ୍ୱାମୀ ଓ ପୁଅଙ୍କ ଦୁଃଖ ସାଙ୍ଗକୁ ପ୍ରିନ୍‌ସିର ଶିକ୍ଷା ଏବଂ ଘର କରିବାକୁ ତାଙ୍କ ପରିବାର ନେଇଥିବା ପ୍ରାୟ ୪ ଲକ୍ଷ ଟଙ୍କାର ଋଣକୁ ନେଇ ସେ ଏବେ ଚିନ୍ତିତ ।

ଅକ୍ଷି (ବଙ୍ଗାଳିରେ ଏହି ଶବ୍ଦର ଅର୍ଥ ‘ଆଖି’) ଆରବ ସାଗରରେ ଉଠିଥିବା ଏକ ଉଗ୍ରବାତ୍ୟା। ନଭେମ୍ବର ୩୦ ତାରିଖ ମଧ୍ୟାହ୍ନ ପାଖାପାଖି କେରଳ ଓ ତାମିଲନାଡୁରେ ପହଞ୍ଚିବା ପୂର୍ବରୁ ଏହା ନଭେମ୍ବର ୨୯ରେ ଶ୍ରୀଲଙ୍କାରେ କ୍ଷୟକ୍ଷତି କରିଥିଲା । ବିଶେଷତଃ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ଏବଂ କେରଳର ତିରୁବନନ୍ତପୁରମ୍‌ରେ ଏହାର ପ୍ରକୋପ ଅନୁଭୂତ ହୋଇଥିଲା ଏବଂ କୋଲ୍ଲାମ, ଆଲାପୁଝା ଏବଂ ମାଲାପୁରମ୍‌ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା ।

“ଏବେ ମୁଁ ଜୁଆରକୁ ଡରୁଛି । ଆଉ ମୁଁ ସମୁଦ୍ରକୁ ଯିବି ନାହିଁ । ମୁଁ ଯାଇପାରିବି ନାହିଁ ।” ବିଷଣ୍ଣ ମୁହଁରେ ଏହା କହନ୍ତି ୬୫ ବର୍ଷୀୟ କ୍ଲିମେଣ୍ଟ ବାଞ୍ଜିଲାସ୍‌ । ତିରୁବନନ୍ତପୁରମ୍‌ ତାଲୁକାର ମୁଟ୍ଟାଥରା ଗାଁ ଅନ୍ତର୍ଗତ ପୁନ୍‌ଥୁରା ପଲ୍ଲୀର ମତ୍ସ୍ୟଜୀବୀ କ୍ଲିମେଣ୍ଟ, ୧୨ ବର୍ଷ ବୟସରୁ ଡଙ୍ଗାରେ ଯା’ଆସ କରୁଛନ୍ତି । ନଭେମ୍ବର ୨୯ ତାରିଖ ଅପରାହ୍‌ଣ ୩ଟାରେ ସେ ଅନ୍ୟ ଦୁଇ ଜଣଙ୍କ ସହ ସମୁଦ୍ରକୁ ଯାଇଥିଲେ । ତାଙ୍କର ମନେ ଅଛି ଯେ ରାତିରେ ସବୁ କିଛି ଶାନ୍ତ ଥିଲା । କିନ୍ତୁ ପରଦିନ ସକାଳ ପ୍ରାୟ ୫ଟାରେ ସେମାନେ କୂଳକୁ ଫେରିବା ବାଟରେ ପାଗ ଖରାପ ହେବାରେ ଲାଗିଲା, ଭୟଙ୍କର ବେଗରେ ପବନ ମାଡ଼ି ଆସିଲା ଏବଂ ସେମାନଙ୍କ ବୋଟ୍‌ଟି ଓଲଟି ପଡ଼ିଲା । କ୍ଲିମେଣ୍ଟ୍‌ କହନ୍ତି (ତିରୁବନନ୍ତପୁରମ୍‌ର ପ୍ରେସ୍‌ କ୍ଲବ୍‌ରେ କହିଥିଲେ) ଯେ, ସେ ବୋଟ୍‌ରୁ ଏକ ରସି ଟାଣି ଆଣିଲେ ଏବଂ ଭାସି ରହିବାରେ ସହାୟତା ପାଇଁ ତାଙ୍କ ଶରୀର ସହ ଏକ ଜେରିକେନ୍‌ ବାନ୍ଧି ଦେଲେ । ତାଙ୍କ ଉପର ଦେଇ ବିଶାଳକାୟ ଲହଡ଼ି ମାଡ଼ିଯାଉଥିଲା ଏବଂ ପ୍ରବଳ ବର୍ଷା ସତ୍ତ୍ୱେ ସେ ସମୁଦ୍ରରେ ପ୍ରାୟ ଛଅ ଘଣ୍ଟା କାଳ ବଞ୍ଚି ରହିଲେ । ପରେ ଆଉ ଏକ ବୋଟ୍‌ ଆସି ତାଙ୍କୁ ରକ୍ଷା କଲା ।

ବିଭିନ୍ନ ବାତ୍ୟା ପ୍ରପୀଡ଼ିତ ଗାଁର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଓ କେରଳର ମତ୍ସ୍ୟସଂପଦ ମନ୍ତ୍ରୀ ଜେ. ମର୍ସିକୁଟ୍ଟି ଆମ୍ମା ପ୍ରତିଶ୍ରୁତି ଦେଲେ କି ସେମାନେ ଖ୍ରୀଷ୍ଟମାସ ପୂର୍ବରୁ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଘରକୁ ଫେରାଇ ଆଣିବେ । ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ବାୟୁସେନାର ମିଳିତ ଅଭିଯାନରେ ୮୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଗଲା । ଡିସେମ୍ବର ୨୭ ତାରିଖ ଦିନ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସୂଚନା ଦେଲେ ଯେ ସେମାନଙ୍କ ମଧ୍ୟରୁ ୪୫୩ ଜଣ ତାମିଲ ନାଡୁର, ୩୬୨ ଜଣ କେରଳର ଏବଂ ୩୦ ଜଣ ଲାକ୍ଷଦ୍ୱୀପ ଏବଂ ମିନିକୟ ଦ୍ୱୀପପୁଞ୍ଜର ।

କିନ୍ତୁ ଖ୍ରୀଷ୍ଟମାସ୍‌ର ଦୁଇ ଦିନ ପୂର୍ବରୁ ସରକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ ସନ୍ଧାନ ଓ ଉଦ୍ଧାର ଅଭିଯାନ ବନ୍ଦ ରଖିଲେ । ଲୋକଙ୍କ ଦୃଢ଼ ପ୍ରତିବାଦ ଫଳରେ ଡିସେମ୍ବର ୨୫ ତାରିଖ ପରେ ସନ୍ଧାନ ଅଭିଯାନ ପୁଣି ଚାଲୁ ହେଲା ଏବଂ ଏହା ଏ ପର୍ଯ୍ୟନ୍ତ ଜାରି ରହିଛି ।

କେରଳ ସରକାରଙ୍କ ଅନୁସାରେ, ରାଜ୍ୟର ୧୪୩ ଜଣ ଲୋକ ନିଖୋଜ ଅଛନ୍ତି; କେନ୍ଦ୍ର ସରକାର କହନ୍ତି କି ଏହି ସଂଖ୍ୟା ୨୬୧ । ହେଲେ ତିରୁବନନ୍ତପୁରମ୍‌ର ଲାଟିନ୍‌ ଆର୍କ୍‌ଡାୟୋସିସ୍‌ ୨୪୩ ଜଣଙ୍କର ନାଁ ସଂଗ୍ରହ କରିଥିବା ବେଳେ ତାମିଲନାଡୁର ୪୪୦ ଜଣ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

People holding candles at Christmas
PHOTO • Jisha Elizabeth

ଏକ ବିଷାଦପୂର୍ଣ୍ଣ ଖ୍ରୀଷ୍ଟମାସ୍‌ ସନ୍ଧ୍ୟାରେ ତିରୁବନନ୍ତପୁରମ୍‌ର ଶଙ୍କୁମୁଗମ୍‌ ସମୁଦ୍ର ତଟରେ ସମବେତ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସଂପର୍କୀୟମାନଙ୍କ ସମେତ କେରଳର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ

ଅକ୍ଷି ପରେ, ନ୍ୟାସନାଲ ଫିସ୍ ୱାର୍କର୍ସ ଫୋରମ୍‌ ଏବଂ କେରଳ ଇଣ୍ଡିପେଣ୍ଟେଣ୍ଟ୍‌ ଫିସ୍ ୱାର୍କର୍ସ ଫେଡେରେସନ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ଦାବି ସମୂହର ଏକ ତାଲିକା ପ୍ରଦାନ କରାଯାଇଥିଲା । ଏଥିରେ, ଶୋକସନ୍ତପ୍ତ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଏବଂ ସହାୟତା ପ୍ରଦାନ, ଉପକରଣ ହରାଇଥିବା ମତ୍ସ୍ୟ କର୍ମୀମାନଙ୍କୁ ଆର୍ଥିକ ସହାୟତା, ଗଭୀର ସମୁଦ୍ରକୁ ଯାଉଥିବା ସମସ୍ତ ଜଳଯାନକୁ ଲାଇସେନ୍‌ସପ୍ରାପ୍ତ ସାଟେଲାଇଟ୍‌ ୱାୟାରଲେସ୍‌ ସେଟ୍‌ ଏବଂ ସାଟେଲାଇଟ୍‌ ରେଡିଓ ବିତରଣ, ଗଭୀର ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ଜୀବନ ରକ୍ଷାକାରୀ ସାମୁଦ୍ରିକ ସୁରକ୍ଷା କିଟ୍‌ ଏବଂ ନୌଚଳାଚଳ ଉପକରଣ ପ୍ରଦାନ, ତାମିଲନାଡୁ ଓ କେରଳର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସାମୁଦ୍ରିକ ଆମ୍ବୁଲାନ୍‌ସ ବ୍ୟବସ୍ଥା, ଏବଂ ବିପର୍ଯ୍ୟୟ ପ୍ରଶମନ ଏବଂ ପୁନର୍ବାସ ସଂପର୍କିତ ନିଷ୍ପତ୍ତି ନେବାରେ ମତ୍ସ୍ୟ କର୍ମୀମାନଙ୍କ ଅଂଶଗ୍ରହଣ ପ୍ରଭୃତି ଦାବି ସମ୍ମିଳିତ ଥିଲା ।

ଏବଂ ୨୦୦୪ ଡିସେମ୍ବରର ସୁନାମୀ ପରେ, ପାଣ୍ଠି ଉପଯୋଗରେ ଅପାରଗତା ଏବଂ ପାରଦର୍ଶିତା ଅଭାବର ତିକ୍ତ ଅନୁଭୂତି କାରଣରୁ ଅକ୍ଷି ବାତ୍ୟା ସହାୟତା ପ୍ୟାକେଜ୍‌ରେ ପ୍ରଦତ୍ତ ପାଣ୍ଠିକୁ କେବଳ କେରଳ ଓ ତାମିଲନାଡୁର ମତ୍ସ୍ୟଜୀବୀ ଗାଁଗୁଡ଼ିକରେ ଯଥାଯଥ ଭାବେ ଉପଯୋଗ କରିବା ଆବଶ୍ୟକ ।

ଏହା ମଧ୍ୟରେ ବିଭିନ୍ନ ରାଜନୀତିକ ଦଳର ସଦସ୍ୟମାନେ କାରୋଡ୍‌କୁ ଆସିଛନ୍ତି ଏବଂ ୟେସୁଦାସଙ୍କ ପରିବାର ଏବଂ ଅନ୍ୟମାନଙ୍କ ପରିବାରଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆଜିକୁଟ୍ଟନର ୧୨ ବର୍ଷୀୟା ଭଉଣୀ ଆଲିୟା ଏବଂ ୯ ବର୍ଷୀୟ ଭାଇ ଆଲାନ୍‌ର ପାଠପଢ଼ା ଦିଗରେ ସହଯୋଗର ହାତ ବଢ଼ାଇଛନ୍ତି ।

ତଥାପି ୟେସୁଦାସଙ୍କ ପରିବାର ଆଶା ବାନ୍ଧିଛନ୍ତି ଯେ. ସେ ଓ ଅନ୍ୟ ମତ୍ସ୍ୟଜୀବୀମାନେ କୌଣସି ସ୍ଥାନରେ ନିରାପଦରେ କୂଳରେ ପହଞ୍ଚିଥିବେ । ଏବଂ ସେ ଖୁବ୍‌ ଶୀଘ୍ର ଘରକୁ ଫେରିବେ କିମ୍ବା ଫୋନ୍‌ କରିବେ । ତାଙ୍କ ଭଉଣୀ ଥଡିୟସ୍‌ ମ୍ୟାରୀ କହନ୍ତି, “୧୫ ବର୍ଷ ବୟସରୁ ସେ ସମୁଦ୍ରକୁ ଯାଇଆସୁଛନ୍ତି’’। ‘‘ସେ ଖୁବ୍‌ ପ୍ରାଣବନ୍ତ । ସେ ଅନେକ ଭାଷା ଜାଣିଛନ୍ତି । ସେ ଫେରି ଆସିବେ ।”

କିନ୍ତୁ ଡିସେମ୍ବର ୨୩ ତାରିଖରେ ଯେତେବେଳେ ସରକାର ସନ୍ଧାନ କାର୍ଯ୍ୟ ବନ୍ଦ ରଖିବାକୁ ଘୋଷଣା କଲେ, ସେତେବେଳେ ଅନ୍ତିମ ସଂସ୍କାର କରିଦେବା ପାଇଁ ଅଜିତାଙ୍କୁ ସଂପ୍ରଦାୟର ଗୁରୁଜନମାନେ ପରାମର୍ଶ ଦେଲେ । ଅନାଗ୍ରହରେ ସେ ରାଜି ହେଲେ । ସେହି ଦିନ ସ୍ଥାନୀୟ ସେଣ୍ଟ ମ୍ୟାରୀ ମ୍ୟାଗ୍‌ଡାଲେନ୍‌ ଚର୍ଚ୍ଚରେ, ତାଙ୍କର ଏବଂ ଗାଁର ଅନ୍ୟ ନିଖୋଜ ମତ୍ସ୍ୟଜୀବୀମାନଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଗଲା ।

ହେଲେ ତାଙ୍କ ପରିବାର ଆଶା ବାନ୍ଧି ବସିଛନ୍ତି । ଥଡିୟସ୍‌ ମ୍ୟାରୀ କହନ୍ତି, “ଆମେ ଅପେକ୍ଷା କରୁଛୁ । ଆଉ କିଛି ଦିନ ପାଇଁ ଆମେ ତାଙ୍କୁ ଅପେକ୍ଷା କରିବୁ ।”

ଏହି ଲେଖାର ଏକ ସଂସ୍କରଣ ୨୪ ଡିସେମ୍ବର ୨୦୧୭ରେ ମାଧ୍ୟମମ୍‌ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Jisha Elizabeth

جیشا اِلیزابیتھ ترواننت پورم میں مقیم، ملیالم روزنامہ ’مادھیمم‘ کی سب ایڈیٹر/ نامہ نگار ہیں۔ وہ کئی ایوارڈ حاصل کر چکی ہیں، جس میں شامل ہے ۲۰۰۹ میں حکومت کیرالہ کا ڈاکٹر امبیڈکر میڈیا ایوارڈ، ایرنا کولم پریس کلب سے لیلا مینن وومن جرنسلٹ ایوارڈ، اور ۲۰۱۲ میں نیشنل فاؤنڈیشن فار انڈیا فیلوشپ۔ جیشا کیرالہ یونین آف ورکنگ جرنلسٹس کی منتخب ایگزیکٹو ممبر ہیں۔

کے ذریعہ دیگر اسٹوریز Jisha Elizabeth
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE