ଝାଡ଼ଖଣ୍ଡର ବୋରୋଟିକାରେ ଜଣେ ମହିଳା ଜଟିଳ ଗର୍ଭଧାରଣ ସମସ୍ୟାର ସମ୍ମୁଖିନ ହେଲେ ଡାକ୍ତର ଦେଖାଇବା ପାଇଁ ତାଙ୍କୁ ରାଜ୍ୟ ସୀମା ପାର ହୋଇ ଓଡ଼ିଶା ଯିବାକୁ ହେବ।
କେବଳ ସେ ଏକାକୀ ନୁହନ୍ତି – ଯଦି ଆପଣ ଗ୍ରାମୀଣ ଭାରତରେ ରହୁଥିବା ଜଣେ ମହିଳା ହୋଇଥାନ୍ତି, ତା’ହେଲେ ଆପଣଙ୍କ ପାଇଁ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ କିମ୍ବା ଜଣେ ସର୍ଜନଙ୍କ ଚିକିତ୍ସା ପାଇବାର ସମ୍ଭାବନା ଖୁବ କ୍ଷୀଣ ହୋଇଥାଏ। ଏଠାକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ଗୁଡ଼ିକରେ ବର୍ତ୍ତମାନର ଭିତ୍ତିଭୂମି ଅନୁଯାୟୀ ୭୪.୨ ପ୍ରତିଶତ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କର ଅଭାବ ରହିଛି।
ଅନ୍ୟପଟେ ଯଦି ଆପଣ ଏକ ଅସୁସ୍ଥ ଶିଶୁର ଜଣେ ସ୍ୱଳ୍ପ ବୟସ୍କା ମା’ ହୋଇଥାନ୍ତି ତ’ହେଲେ ଏକ ସିଏଚସିରେ ସ୍ୱାସ୍ଥ୍ୟ ସେବା ପାଇବା ଆପଣଙ୍କ ପାଇଁ ଦୁରୂହ ବ୍ୟାପାର ହୋଇପାରେ କାରଣ ଏସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ପ୍ରତିଶତ ସାଧାରଣ ଡାକ୍ତରଙ୍କ ସହିତ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ରହିଛି ।
ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧-୨୨ରୁ ଆମେ ଏହି ତଥ୍ୟ ସମେତ ଆହୁରି ଅନେକ ବିଷୟ ଜାଣିବାକୁ ପାଇଛୁ। ଏସବୁ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ, ଗବେଷଣା ପତ୍ର ଓ କଷ୍ଟଲବ୍ଧ ତଥ୍ୟ, ଆଇନ ଓ ସମ୍ମେଳନ ଆଦି ପରୀ ହେଲ୍ଥ୍ ଆର୍କାଇଭ୍ରେ ଉପଲବ୍ଧ ରହିଛି ଏବଂ ଏହା ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ଉନ୍ନତ ଢଙ୍ଗରେ ବୁଝାଇବା ଏବଂ ବୁଝିବା ଲାଗି ମହତ୍ୱପୂର୍ଣ୍ଣ ସୁବିଧାଜନକ ବିନ୍ଦୁ ରୂପରେ କାମ କରିଥାଏ।
ଏହି ବିଭାଗ ବିଶେଷ କରି ଗ୍ରାମୀଣ ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟଗତ ଅନିଶ୍ଚିତତା ଉପରେ ଆଲୋକପାତ କରିଥାଏ। ପ୍ରଜନନ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଯୌନ ନିର୍ଯାତନା, ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି କୋଭିଡ-୧୯ ମହାମାରୀର ପ୍ରଭାବ ପର୍ଯ୍ୟନ୍ତ ପରୀ ହେଲଥ୍ ଆର୍କାଇଭ୍ରେ ମହିଳାଙ୍କ ସ୍ୱାସ୍ଥ୍ୟର ଅନେକ ଦିଗକୁ ସାମିଲ କରାଯାଇଛି। ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ କଭର କରିବା ଲାଗି ପରୀର ପ୍ରୟାସକୁ ସୁଦୃଢ଼ କରୁଛି ।









