ତଳ ପିଠିରେ ଯନ୍ତ୍ରଣା ଓ ମାଂସପେଶୀ ଟାଣି ଧରିବା ସମସ୍ୟା ଯେତେବେଳେ ଅସହ୍ୟ ହେଲା, ତନୁଜା ହୋମିଓପାଥି ଚିକିତ୍ସକଙ୍କୁ ଦେଖାଇବାକୁ ଗଲେ। ‘‘ସେ ମୋତେ କହିଲେ ଯେ ମୋର କ୍ୟାଲସିୟମ ଓ ଆଇରନ ସମସ୍ୟା (ଅଭାବ) ରହିଛି ଏବଂ ମୁଁ କେବେ ବି ତଳେ ଚଟାଣରେ ବସିବା ଉଚିତ୍‌ ନୁହେଁ।’’

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ବିଡି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତନୁଜା, ଆଠ ଘଣ୍ଟା ପର୍ଯ୍ୟନ୍ତ ତଳେ ବସି ରହି ବିଡ଼ି ମୋଡ଼ି ଥାଆନ୍ତି। ୪୦ ବର୍ଷରୁ ଅଧିକ ବୟସ ଟପି ସାରିଥିବା ଏହି ମହିଳା ଶ୍ରମଜୀବୀ ଜଣକ କୁହନ୍ତି, ‘‘ମୁଁ ଜ୍ୱର ଓ ଦୁର୍ବଳ ହେବା ଭଳି ଅନୁଭବ କରିଥାଏ ଏବଂ ମୋ ପିଠିରେ ଅତ୍ୟଧିକ ଯନ୍ତ୍ରଣା ହୁଏ।’’ ସେ ଆହୁରି ମଧ୍ୟ କୁହନ୍ତି, “ଯଦି ମୁଁ ନିଜ ପାଇଁ ଗୋଟିଏ ଚେୟାର ଏବଂ ଟେବୁଲ୍ କିଣିବାକୁ ସକ୍ଷମ ହୋଇଥା’ନ୍ତି।’’

ଏହା ନଭେମ୍ବର ମାସର ଶେଷ ସମୟ ଏବଂ ଏକ ଉଷୁମ ସୂର୍ଯ୍ୟାଲୋକ ହରେକ୍‌ନଗୋର ମୋହଲ୍ଲା ରେ ଥିବା ତାଙ୍କ ଘରର କଠିନ ସିମେଣ୍ଟ ଚଟାଣ ଉପରେ ପଡ଼ିଛି। ତନୁଜା ତାଳ ପତ୍ରରେ ତିଆରି ଏକ ମଦୁର (ଚଟେଇ) ଉପରେ ବସି ପଡ଼ି ଗୋଟିଏ ପରେ ଗୋଟିଏ ବିଡ଼ି ବାନ୍ଧି ଚାଲିଛନ୍ତି। ସେ କେନ୍ଦୁ ପତ୍ରକୁ ମୋଡ଼ିବା ସମୟରେ ତାଙ୍କ ଆଙ୍ଗୁଠି ଖୁବ କୁଶଳୀ ଢଙ୍ଗରେ କାର୍ଯ୍ୟ କରୁଛି, କହୁଣୀ ସେମିତି ସ୍ଥିର ରହିଛି, କାନ୍ଧ ଉପରକୁ ଉଠି ରହିଛି ଏବଂ ମୁଣ୍ଡ ଗୋଟିଏ ପଟକୁ ଢଳି ପଡ଼ିଛି। ‘‘ମୋ ଆଙ୍ଗୁଠି ଏତେ ଅବସନ୍ନ ହୋଇଗଲାଣି ଯେ ବେଳେ ବେଳେ ସେଗୁଡ଼ିକ ହାତରେ ଅଛି କି ନାହିଁ ମୁଁ ଜାଣିପାରିନଥାଏ,’’ ସାମାନ୍ୟ ମଜାଳିଆ ଢଙ୍ଗରେ ସେ କୁହନ୍ତି।

ତାଙ୍କ ଚାରି ପାଖରେ ବିଡ଼ି ତିଆରିରେ ବ୍ୟବହୃତ ସାମଗ୍ରୀ ସବୁ ପଡ଼ି ରହିଛି : କେନ୍ଦୁ ପତ୍ର, ତମାଖୁ ଗୁଣ୍ଡ ଏବଂ ସୂତା ବଣ୍ଡଲ। ତାଙ୍କର ଏହି ବେଉସାରେ ଏକ ଛୋଟ ଧାରୁଆ ଛୁରି ଓ ଗୋଟିଏ ଯୋଡ଼ା କଇଁଚି ମଧ୍ୟ ଉପକରଣ ଭାବେ ବ୍ୟବହୃତ ହୋଇଥାଏ।

ତନୁଜା ବେଳେ ବେଳେ ଘର ପାଇଁ ସଉଦା ଆଣିବା, ରୋଷେଇ କରିବା, ପାଣି ଆଣିବା, ଘର ଓ ଅଗଣା ସଫା କରିବା ଏବଂ ଅନ୍ୟ ଘରକରଣା କାମ ପାଇଁ ବାହାରକୁ ଯାଆନ୍ତି। କିନ୍ତୁ ସବୁବେଳେ ଏ ବିଷୟରେ ସେ ଗମ୍ଭୀର ଭାବେ ଅବଗତ ରହିଥାନ୍ତି ଯେ, ପ୍ରତି ଦିନ ପାଖାପାଖି ୫୦୦-୭୦୦ ବିଡ଼ି ତିଆରି କରିବାର ଲକ୍ଷ୍ୟ ସେ ପୂରଣ ନକଲେ ତାଙ୍କର ୩,୦୦୦ ଟଙ୍କାର ମାସିକ ଆୟ କମିଯିବ।

Tanuja Bibi has been rolling beedis since she was a young girl in Beldanga. Even today she spends all her waking hours making beedis while managing her home
PHOTO • Smita Khator
Tanuja Bibi has been rolling beedis since she was a young girl in Beldanga. Even today she spends all her waking hours making beedis while managing her home
PHOTO • Smita Khator

ବେଲଡାଙ୍ଗାରେ ଛୋଟ ଝିଅ ଥିବା ସମୟରୁ ତନୁଜା ବିବି  ବିଡ଼ି ତିଆରି କରି ଆସୁଛନ୍ତି। ଆଜି ମଧ୍ୟ ସେ ଘର କାମ କରିବା ସହିତ ବାକିତକ କାର୍ଯ୍ୟ ସମୟ ବିଡ଼ି ତିଆରିରେ ବିତାଇଥା’ନ୍ତି

ବଡ଼ି ଭୋରରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେ ଏହି କାମରେ ଲାଗି ରହିଥାନ୍ତି। ‘‘ପ୍ରଥମ ଆଜାନ୍‌ ବୋଲାଯିବା ସମୟରେ ମୁଁ ବିଛଣାରୁ ଉଠିଥାଏ। ଫଜ୍ର ନମାଜ ପଢ଼ିବା ପରେ ମୁଁ ମୋ କାମ ଆରମ୍ଭ କରିଥାଏ,’’ ବିଡ଼ି ମୋଡ଼ିବା ଉପରୁ ନଜର ନଉଠାଇ ତନୁଜା କୁହନ୍ତି। ପ୍ରକୃତରେ, ଘଣ୍ଟା ଚିହ୍ନି ପାରୁନଥିବାରୁ ନମାଜ ଶୁଣି ହିଁ ସେ ନିଜ ସମୟ ବିଷୟରେ ଜାଣିପାରିଥାନ୍ତି। ‘‘ ମଘ୍ରିବ (ସନ୍ଧ୍ୟାରେ ବୋଲାଯାଉଥିବା ଚତୁର୍ଥ ପ୍ରାର୍ଥନା) ଏବଂ ଇଶା (ରାତିରେ ବୋଲାଯାଉଥିବା ପଞ୍ଚମ ତଥା ଶେଷ ପ୍ରାର୍ଥନା) ମଧ୍ୟରେ, ସେ ରାତ୍ରିଭୋଜନ ପ୍ରସ୍ତୁତ କରନ୍ତି ଏବଂ ମଧ୍ୟରାତ୍ରି ବେଳକୁ ଶୋଇବା ସୁଦ୍ଧା ସେ ଅତିକମ୍‌ରେ ଦୁଇ ଘଣ୍ଟା ପତ୍ର ମୋଡ଼ିବା କିମ୍ବା କାଟିବାରେ ବିତାଇବାକୁ ଚେଷ୍ଟା କରିଥାଆନ୍ତି।

‘‘କେବଳ ନମାଜ ସମୟରେ ମୋତେ ଏହି ହାଡ଼ଭଙ୍ଗା କାମରୁ ବିଶ୍ରାମ ମିଳିଥାଏ; ତା’ପରେ ଯାଇ ମୁଁ କିଛି ଆରାମ ଓ ଶାନ୍ତି ପାଏ,’’ ସେ କୁହନ୍ତି। ‘‘ଲୋକମାନେ କୁହନ୍ତି ଯେ ବିଡ଼ି ଟାଣିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। କିନ୍ତୁ ଯେଉଁମାନେ ସେଗୁଡ଼ିକୁ ମୋଡ଼ିଥାନ୍ତି ସେମାନଙ୍କ ଅବସ୍ଥା କ’ଣ ହୁଏ କେହି ଜାଣନ୍ତି କି?’’ ତନୁଜା ପ୍ରଶ୍ନ କରିଥାନ୍ତି।

୨୦୨୦ର ଆରମ୍ଭରେ, ତନୁଜା ଯେତେବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇବା ପାଇଁ ଶେଷରେ ନିଷ୍ପତ୍ତି ନେଲେ, ଏହାର କିଛି ଦିନ ପରେ ଲକଡାଉନ ଲାଗୁ ହେଲା ଏବଂ କୋଭିଡରେ ସଂକ୍ରମିତ ହେବାର ଭୟ ତାଙ୍କୁ ଅଟକାଇ ଦେଲା। ଏହା ପରିବର୍ତ୍ତେ, ସେ ହୋମିଓପାଥି ଡାକ୍ତରଙ୍କୁ ଦେଖାଇବାକୁ ଗଲେ। ବେଲଡାଙ୍ଗା -୧ ବ୍ଲକର ଗରିବ ବିଡ଼ି ଶ୍ରମିକମାନଙ୍କ ପରିବାର ଲୋକମାନେ କୌଣସି ଅସୁସ୍ଥତା କ୍ଷେତ୍ରରେ ପ୍ରଥମେ ଅଣ-ପଞ୍ଜିକୃତ ଚିକିତ୍ସକଙ୍କ ସମେତ ହୋମିଓପାଥି ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୦-୨୧ର ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗର ପ୍ରାଥମିକ  ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଗୁଡ଼ିକରେ ୫୭୮ ଜଣ ଡାକ୍ତରଙ୍କର ଅଭାବ ରହିଛି। ଗ୍ରାମାଞ୍ଚଳରେ ୫୮ ପ୍ରତିଶତ ପିଏଚସିର ମଧ୍ୟ ଅଭାବ ରହିଛି। ଯଦିଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ ଚିକିତ୍ସା ଶସ୍ତା, ତଥାପି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍କାନ କରାଇବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ରହି ଅପେକ୍ଷା କରିବାକୁ ପଡ଼ିଥାଏ। ଏହାଫଳରେ ଦିନ ମଜୁରି ହରାଇବାକୁ ପଡ଼ିଥାଏ ଏବଂ ଯାହା ତନୁଜା କୁହନ୍ତି, ‘‘ଆମ ପାଖରେ ସେତେ ସମୟ ନାହିଁ।’’

ଯେତେବେଳେ ହୋମିଓପାଥି ଔଷଧ କାମ କଲା ନାହିଁ, ତନୁଜା ତାଙ୍କ ସ୍ୱାମୀଙ୍କଠାରୁ ୩୦୦ ଟଙ୍କା ସଂଗ୍ରହ କଲେ ଏବଂ ନିଜ ରୋଜଗାରରୁ ଆଉ ୩୦୦ ଟଙ୍କା ଯୋଡ଼ିବା ପରେ ଶେଷରେ ଜଣେ ସ୍ଥାନୀୟ ଏଲୋପାଥି ଡାକ୍ତରଙ୍କୁ ଦେଖାଇବାକୁ ଗଲେ।  ସେ କୁହନ୍ତି, ‘‘ଡାକ୍ତର ମୋତେ କିଛି ବଟିକା ଦେଲେ ଏବଂ ଛାତି ଏକ୍ସ-ରେ ଏବଂ ଏକ ସ୍କାନ କରାଇ ଆଣିବାକୁ କହିଲେ। ମୁଁ ତାହା କଲି ନାହିଁ।’’ କାରଣ ଏତେ ସବୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ତାଙ୍କ ପାଖରେ ଯଥେଷ୍ଟ ଟଙ୍କା ନଥିଲା ବୋଲି ସେ ସ୍ପଷ୍ଟ କରିଥାନ୍ତି।

ପଶ୍ଚିମବଙ୍ଗରେ ପ୍ରାୟ ୨୦ ଲକ୍ଷ ବିଡ଼ି ଶ୍ରମିକ ଅଛନ୍ତି, ସେମାନଙ୍କ ମଧ୍ୟରୁ ୭୦ ଭାଗ ହେଉଛନ୍ତି ତନୁଜାଙ୍କ ଭଳି ମହିଳା ଶ୍ରମିକ। ସେମାନେ ଅତ୍ୟନ୍ତ ଖରାପ ସ୍ଥିତିରେ କାମ କରୁଥିବା କାରଣରୁ ମାଂସପେଶୀ ଟାଣି ଧରିବା, ମାଂସପେଶୀ ଓ ସ୍ନାୟୁ ଯନ୍ତ୍ରଣା ସହିତ ଫୁସଫୁସ ସମସ୍ୟା ଏବଂ ଆହୁରି ଯକ୍ଷ୍ମା ଭଳି ରୋଗର ଶିକାର ହୋଇଥାନ୍ତି। ସେମାନେ ଗରିବ ଓ ସ୍ୱଳ୍ପ ଆୟକାରୀ ପରିବାରର ହୋଇଥିବାରୁ ପୁଷ୍ଟିକର ଖାଦ୍ୟାଭାବ ସେମାନଙ୍କର କାର୍ଯ୍ୟ ସଂକ୍ରାନ୍ତ ଅସୁସ୍ଥତାକୁ ବହୁଗୁଣିତ କରିଥାଏ ଏବଂ ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ପ୍ରଜନନ ସୁସ୍ଥତା ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ।

In many parts of Murshidabad district, young girls start rolling to help their mothers
PHOTO • Smita Khator
Rahima Bibi and her husband, Ismail Sheikh rolled beedis for many decades before Ismail contracted TB and Rahima's spinal issues made it impossible for them to continue
PHOTO • Smita Khator

ବାମ : ମୁର୍ଶିଦାବାଦର ଅଧିକାଂଶ ମୋହଲ୍ଲାରେ, ଛୋଟ ଝିଅମାନେ ସେମାନଙ୍କ ମା’ମାନଙ୍କୁ ବିଡ଼ି ମୋଡ଼ିବାରେ ସାହାଯ୍ୟ କରିଥାନ୍ତି। ଡାହାଣ : ରହିମା ବିବି ଓ ତାଙ୍କ ସ୍ୱାମୀ, ଇସମାଇଲ ଶେଖ ବହୁ ଦଶନ୍ଧି ଧରି ବିଡ଼ି ତିଆରି କରି ଆସୁଥିଲେ, କିନ୍ତୁ ଇସମାଇଲ ଯକ୍ଷ୍ମାରେ ଆକ୍ରାନ୍ତ ହେବା ଏବଂ ରହିମାଙ୍କର ମେରୁଦଣ୍ଡ ସମସ୍ୟା ଦେଖାଦେବା ପରେ ଏହି କାମକୁ ଜାରି ରଖିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି

ମୁର୍ଶିଦାବାଦରେ ୧୫-୪୯ ବର୍ଷ ବୟସ୍କ ମହିଳାଙ୍କଠାରେ ରକ୍ତହୀନତା ସ୍ତର ୭୭.୬ ପ୍ରତିଶତ ରହିବା ଅତ୍ୟନ୍ତ ଚିନ୍ତାଜନକ। ଚାରି ବର୍ଷ ପୂର୍ବେ ଏହା ୫୮ ପ୍ରତିଶତ ଥିବା ବେଳେ ଏବେ ଏଥିରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ରକ୍ତହୀନତାରେ ପୀଡ଼ିତ ମା’ମାନଙ୍କର ଶିଶୁ ମଧ୍ୟ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ। ନିକଟରେ ଅନୁଷ୍ଠିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନ୍‌ଏଫ୍ଏଚ୍‌ଏସ୍‌-୫ ) ରେ ଜିଲ୍ଲାରେ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ବର୍ଦ୍ଧିତ ଆନିମିଆ ସ୍ତରକୁ ଦର୍ଶାଯାଇଛି। ଆହୁରି, ଏହି ଜିଲ୍ଲାରେ, ୫ ବର୍ଷରୁ କମ୍‌ ବୟସ୍କ ୪୦ ପ୍ରତିଶତ ଶିଶୁ ଅପପୁଷ୍ଟିରେ ପୀଡ଼ିତ ଏବଂ ଚିନ୍ତାର ବିଷୟ ହେଉଛି ଚାରି ବର୍ଷ ପୂର୍ବରୁ ୨୦୧୫-୧୬ରେ କରାଯାଇଥିବା ପୂର୍ବ ଏନ୍‌ଏଫ୍ଏଚ୍‌ଏସ୍‌ ସର୍ବେକ୍ଷଣ ତୁଳନାରେ ଏହି ସମସ୍ୟାରେ କୌଣସି ବିଶେଷ ସୁଧାର ଆସିପାରିନାହିଁ।

ଏହି ଅଞ୍ଚଳର ଜଣେ ପରିଚିତ ବ୍ୟକ୍ତି, ଏହସାନ ଅଲ୍ଲୀ ମାଠପାଡ଼ା ମୋହଲ୍ଲାର ବାସିନ୍ଦା ଏବଂ ସେଠାରେ ଏକ ଛୋଟ ଔଷଧ ଦୋକାନ ଚଳାଇଥାନ୍ତି। ଚିକିତ୍ସା ପାଇଁ ସେ କୌଣସି ତାଲିମ ନେଇ ନାହାନ୍ତି। ତେବେ ସେ ଏକ ବିଡ଼ି ଶ୍ରମିକ ପରିବାରରୁ ଆସିଥିବାରୁ ସ୍ଥାନୀୟ ସମୁଦାୟରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ତାଙ୍କୁ ହିଁ ଜଣେ ଭରସାଯୋଗ୍ୟ ପରାମର୍ଶଦାତା ଭାବେ ସମସ୍ତେ ଗ୍ରହଣ କରିଥାନ୍ତି। ଏହି ୩୦ ବର୍ଷୀୟ ଯୁବକ ଜଣଙ୍କ କୁହନ୍ତି ଯେ, ଯନ୍ତ୍ରଣା କମାଇବା ପାଇଁ ବିଡ଼ି ଶ୍ରମିକମାନେ ତାଙ୍କ ପାଖକୁ ବଟିକା ଓ ମଲମ ପାଇଁ ଆସନ୍ତି। ‘‘ସେମାନଙ୍କୁ ୨୫-୨୬ ବର୍ଷ ହେବା ବେଳକୁ ସେମାନଙ୍କଠାରେ ମାଂସପେଶୀ ଟାଣି ଧରିବା, ମାଂସପେଶୀ ଦୁର୍ବଳତା, ସ୍ନାୟୁ ସହ ଜଡ଼ିତ ଯନ୍ତ୍ରଣା ଏବଂ ଗମ୍ଭୀର ମୁଣ୍ଡବ୍ୟଥା ଭଳି ସମସ୍ୟା ଦେଖାଦିଏ,’’ ସେ କହିଥାନ୍ତି।

ଖୁବ କମ୍‌ ବୟସରୁ ଘରେ ତମାଖୁ ଗୁଣ୍ଡ ସଂସ୍ପର୍ଶରେ ଆସିବା ସହିତ ମା’ମାନଙ୍କୁ ସେଦିନର ଲକ୍ଷ୍ୟ ପୂରଣରେ ସହାୟତା କରିବା କାରଣରୁ ଛୋଟ ଝିଅମାନଙ୍କର ସ୍ୱାସ୍ଥ୍ୟ ଅଧିକ ବିପନ୍ନ ହୋଇପଡ଼ିଥାଏ। ୧୦ ବର୍ଷ ବୟସରେ ପହଞ୍ଚିବା ପୂର୍ବରୁ ମାଝାପଡ଼ା ମୋହଲ୍ଲା ରେ ଥିବା ନିଜ ଘରେ ତନୁଜା ବିଡ଼ି ତିଆରି କରିବା ଆରମ୍ଭ କରିଥିଲେ। ‘‘ମୁଁ ମୋ ମା’ଙ୍କୁ ବିଡ଼ି ର ଶେଷ ଭାଗ ମୋଡ଼ିବା ଏବଂ ବାନ୍ଧିବାରେ ସାହାଯ୍ୟ କରୁଥିଲି,’’ ସେ କୁହନ୍ତି ଏବଂ ଆହୁରି କହିଥାନ୍ତି ଯେ, ‘‘ଆମ ସମାଜରେ, ଯେଉଁ ଝିଅମାନେ ବିଡ଼ି ମୋଡ଼ି ଜାଣିନାହାନ୍ତି ସେମାନଙ୍କୁ ସ୍ୱାମୀ ମିଳନ୍ତି ନାହିଁ ବୋଲି ଏକ ଉକ୍ତି ପ୍ରଚଳିତ ହୋଇଥାଏ।’’

ମାତ୍ର ୧୨ ବର୍ଷ ବୟସରେ ରଫିକ୍‌ ଉଲ୍‌ ଇସଲାମଙ୍କ ସହିତ ତାଙ୍କର ବାହାଘର ହୋଇଥିଲା ଏବଂ ସେ ୪ ଝିଅ ଓ ଗୋଟିଏ ପୁଅଙ୍କୁ ଜନ୍ମ ଦେଇଥିଲେ। ଏନ୍‌ଏଫ୍ଏଚ୍‌ଏସ୍‌-୫ର ତଥ୍ୟ ଅନୁଯାୟୀ, ଏହି ଜିଲ୍ଲାର ୫୫ ପ୍ରତିଶତ ଝିଅ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିଥାନ୍ତି। ୟୁନିସେଫ ପକ୍ଷରୁ କୁହାଯାଇଛି ଯେ, କମ୍‌ ବୟସରେ ବିବାହ, ସନ୍ତାନ ଜନ୍ମ ଏବଂ ଦୁର୍ବଳ ପୋଷଣ ସ୍ଥିତି ପରବର୍ତ୍ତୀ ପିଢ଼ି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

‘‘ମହିଳାମାନଙ୍କର ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ବସ୍ତୁତଃ ମହିଳାଙ୍କ ସାଧାରଣ ସ୍ୱାସ୍ଥ୍ୟ-ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଆପଣ ଏ ଦୁଇଟିକୁ ପରସ୍ପରଠାରୁ ଅଲଗା କରିପାରିବେ ନାହିଁ,’’ ଜନୈକା ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ହାଶୀ ଚାଟାର୍ଜୀ କୁହନ୍ତି। ସେ ବେଲଡାଙ୍ଗା-୧ ବ୍ଲକର ମିର୍ଜାପୁର ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ଏବଂ ଗରିବ ଲୋକଙ୍କ ପାଖରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଜନା ପହଞ୍ଚାଇବା କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି।

Julekha Khatun is in Class 9 and rolls beedis to support her studies.
PHOTO • Smita Khator
Ahsan Ali is a trusted medical advisor to women workers in Mathpara
PHOTO • Smita Khator

ବାମ : ଜୁଲେଖା ଖାତୁନ ନବମ ଶ୍ରେଣୀରେ ପଢ଼ନ୍ତି ଏବଂ ନିଜ ପାଠପଢ଼ା ଖର୍ଚ୍ଚ ଉଠାଇବା ଲାଗି ସେ ବିଡ଼ି ତିଆରି କରିଥାନ୍ତି। ଡାହାଣ : ଏହସାନ ଅଲ୍ଲୀ ମାଠପାଡ଼ାରେ ମହିଳା ଶ୍ରମିକମାନଙ୍କ ପାଇଁ ଜଣେ ଭରସାଯୋଗ୍ୟ ଚିକିତ୍ସା ପରାମର୍ଶଦାତା

ତନୁଜାଙ୍କ ମା’ ସାରା ଜୀବନ ବିଡ଼ି ତିଆରି କରିବାରେ ବିତାଇ ଦେଇଛନ୍ତି। ଏବେ ସେ ୬୦ ବର୍ଷ ପାଖାପାଖି ବୟସରେ ପହଞ୍ଚିଲେଣି। ଏବେ ଝିଅଙ୍କ କହିବା କଥା ହେଲା ତାଙ୍କ ମା’ ବର୍ତ୍ତମାନ ଏତେ ଅସୁସ୍ଥ ହୋଇପଡ଼ିଛନ୍ତି ଯେ ଚାଲିବାକୁ ସୁଦ୍ଧା ସକ୍ଷମ ନୁହନ୍ତି। ‘‘ତାଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ସେ କେବଳ ବିଛଣାରେ ଶୋଇରହୁଛନ୍ତି,’’ ସେ କୁହନ୍ତି ଏବଂ ଆହୁରି ସେ ଅସହାୟତା ବ୍ୟକ୍ତ କରି କହିଥାନ୍ତି, ‘‘ମୋ ଅବସ୍ଥା ମଧ୍ୟ ସେଭଳି ହେବ ବୋଲି ଲାଗୁଛି।’’

ଏହି ଉଦ୍ୟୋଗର ଅଧିକାଂଶ ଶ୍ରମିକ ସ୍ୱଳ୍ପ ଆୟ ବର୍ଗର ପରିବାର ହୋଇଥିବାରୁ ଅନ୍ୟ କୌଣସି କାମଧନ୍ଦା ଜାଣିନାହାନ୍ତି। ଯଦି ମହିଳାମାନେ ବିଡ଼ି ତିଆରି କରିବେ ନାହିଁ ତା’ହେଲେ ସେମାନଙ୍କ ପରିବାରକୁ ଭୋକରେ ରହିବାକୁ ପଡ଼ିବ। ଯେତେବେଳେ ତନୁଜାଙ୍କ ସ୍ୱାମୀ ଅସୁସ୍ଥତା ଯୋଗୁଁ ବାହାରକୁ କାମ କରିବା ଲାଗି ଯାଇପାରିଲେ ନାହିଁ, ବିଡ଼ି ତିଆରି ହିଁ ସେମାନଙ୍କ ୬ ଜଣିଆ ପରିବାରକୁ ଦାନା ଯୋଗାଇ ଥିଲା। ନିଜର ନବଜାତ ଶିଶୁ – ତାଙ୍କର ଚତୁର୍ଥ ଝିଅ-କୁ ଏକ ନରମ କନ୍ଥା ରେ କୋଳରେ ଜାକି ଧରି ସେ ବିଡ଼ି ତିଆରି କରିଥାନ୍ତି। ପରିବାରର ଗମ୍ଭୀର ସ୍ଥିତି କାରଣରୁ ନବଜାତ ଶିଶୁ ମଧ୍ୟ ତମାଖୁ ଗୁଣ୍ଡ ସଂସ୍ପର୍ଶରେ ଆସିଥାଏ।

‘‘ଏମିତି ସମୟ ଥିଲା ଯେତେବେଳେ ମୁଁ ଦିନକୁ ୧,୦୦୦-୧,୨୦୦ ବିଡ଼ି  ତିଆରି କରୁଥିଲି,’’ ତନୁଜା କୁହନ୍ତି । ଏବେ, ସେ ଦୁର୍ବଳ ହୋଇପଡ଼ିଥିବାରୁ, ଦିନକୁ ୫୦୦-୭୦୦ ବିଡ଼ି ତିଆରି କରିବା ଲାଗି ସକ୍ଷମ ହେଉଛନ୍ତି । ଏ ବାବଦରେ ମାସିକ ସେ ପ୍ରାୟ ୩,୦୦୦ଟଙ୍କା ରୋଜଗାର କରୁଛନ୍ତି ଏବଂ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର କୁପ୍ରଭାବ ସତ୍ତ୍ୱେ ସେ ଏହି ଲକ୍ଷ୍ୟ ପୂରଣ କରିବାକୁ ବାଧ୍ୟ ହେଉଛନ୍ତି।

ଦେବକୁଣ୍ଡ ଏସଏଆରଏମ ବାଳିକା ଉଚ୍ଚ ମଦ୍ରାସାର ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି ମୁର୍ଶିଦା ଖାତୁନ। ସେ କୁହନ୍ତି, ଏଠାରେ ବେଲଡାଙ୍ଗା-୧ ବ୍ଲକରେ ତାଙ୍କ ମଦ୍ରାସାକୁ ଆସୁଥିବା ୮୦ ପ୍ରତିଶତ ଝିଅ ଏଭଳି ପରିବାରରୁ ଆସିଛନ୍ତି ଯେଉଁମାନେ ସେମାନଙ୍କ ମା’ମାନଙ୍କୁ ବିଡ଼ି ତିଆରି ଲକ୍ଷ୍ୟ ପୂରଣରେ ସାହାଯ୍ୟ କରିଥାନ୍ତି। ବିଦ୍ୟାଳୟରେ ମିଳୁଥିବା ମଧ୍ୟାହ୍ନ ଭୋଜନ – ଭାତ, ଡାଲି ଓ ତରକାରୀ- ଅଧିକାଂଶ ସମୟରେ ଏହି ଛୋଟ ଝିଅମାନଙ୍କ ପାଇଁ ଦିନର ପ୍ରଥମ ଭୋଜନ ହୋଇଥାଏ। ‘‘ଘରର ପୁରୁଷ ସଦସ୍ୟମାନଙ୍କର ଅନୁପସ୍ଥିତି କାରଣରୁ, ସକାଳେ ସେମାନଙ୍କ ଘରେ ସାଧାରଣତଃ କିଛି ରୋଷେଇ ହୋଇନଥାଏ,’’ ସେ କୁହନ୍ତି।

ମୁର୍ଶିଦାବାଦ ଜିଲ୍ଲାର ଅଧିକାଂଶ ଭାଗ ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳ। ୮୦ ଭାଗ ଜନସଂଖ୍ୟା ଜିଲ୍ଲାର ୨,୧୬୬ଟି ଗାଁରେ ରୁହନ୍ତି ଏବଂ ଏଠାରେ ସାକ୍ଷରତା ହାର ୬୬ ପ୍ରତିଶତ ରହିଛି, ଯାହାକି ରାଜ୍ୟ ହାରାହାରୀ ୭୬ ପ୍ରତିଶତ (୨୦୧୧ ଜନଗଣନା) ଠାରୁ କମ୍‌। ଜାତୀୟ ମହିଳା ଆୟୋଗଙ୍କ ଏକ ରିପୋର୍ଟ ରେ ଦର୍ଶାଯାଇଛି ଯେ ଏହି ଉଦ୍ୟୋଗରେ ମହିଳା ଶ୍ରମିକମାନଙ୍କୁ ବିଶେଷ ପ୍ରାଥମିକତା ଦିଆଯାଏ କାରଣ ସେମାନେ ଘରେ ରହି କାମ କରିପାରିବେ ଏବଂ ସେମାନଙ୍କର ଆଙ୍ଗୁଠି ଖୁବ୍‌ ସ୍ଫୂର୍ତ୍ତିଶୀଳ ହୋଇଥାଏ।

*****

ଗୋଟିଏ ମିନିଟ ସୁଦ୍ଧା ନଷ୍ଟ ନକରି, ଶାହିନୁର ବିବି ଘୁଘନି ତିଆରି କରିବା ଲାଗି ପିଆଜ ଓ ଲଙ୍କା କାଟିବାରେ ବ୍ୟସ୍ତ ରହିବା ସହିତ ଆମ ସହ କଥା ହୁଅନ୍ତି। ବେଲଡାଙ୍ଗା-୧ର ହରେକ୍‌ନଗୋର ଅଞ୍ଚଳର ବାସିନ୍ଦା ଶାହିନୁର ପୂର୍ବରୁ ଜଣେ ବିଡ଼ି ଶ୍ରମିକ ଥିଲେ, କିନ୍ତୁ ଏବେ ସେ ନିଜ ଘରେ ହଳଦିଆ ମଟରରେ ପ୍ରସ୍ତୁତ ହେଉଥିବା ଏହି ଲୋକପ୍ରିୟ ଜଳଖିଆ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି।

Shahinur Bibi holds up her X-ray showing her lung ailments.
PHOTO • Smita Khator
PHOTO • Smita Khator

ବାମ : ଶାହିନୁର ବିବି ତାଙ୍କର ଫୁସଫୁସ ସମସ୍ୟାକୁ ଦର୍ଶାଉଥିବା ନିଜ ଏକ୍ସ-ରେ ରିପୋର୍ଟ ଧରିଛନ୍ତି। ଡାହାଣ : ବେଲଡାଙ୍ଗା ଗ୍ରାମୀଣ ଡାକ୍ତରଖାନାର ଯକ୍ଷ୍ମା ୟୁନିଟକୁ ଲୋକମାନେ ସୂଚନା ଏବଂ ଚିକିତ୍ସା ପରାମର୍ଶ ନେବାକୁ ଆସିଛନ୍ତି

‘‘ଅସୁସ୍ଥ ହେବା ବିଡ଼ି ଶ୍ରମିକମାନଙ୍କ ଭାଗ୍ୟ,’’ ଏହି ୪୫ ବର୍ଷ ବୟସ୍କା ମହିଳା ଜଣଙ୍କ କୁହନ୍ତି। କିଛି ମାସ ପୂର୍ବରୁ ବସିବା ଏବଂ ନିଶ୍ୱାସ ନେବାରେ ସମସ୍ୟା କାରଣରୁ ସେ ବେଲଡାଙ୍ଗା ଗ୍ରାମୀଣ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ ଏବଂ ଏକ ଘରୋଇ କ୍ଲିନିକରେ ଛାତି ଏକ୍ସ-ରେ ମଧ୍ୟ କରାଇଥିଲେ। କିନ୍ତୁ ତାଙ୍କର ସ୍ୱାମୀ ଅସୁସ୍ଥ ଥିବା ଯୋଗୁଁ ସେ ଏବେ ପୁଣିଥରେ ଡାକ୍ତରଖାନା ଯିବାକୁ ସକ୍ଷମ ହେଉନାହାନ୍ତି। ‘‘ମୋର ଦୁଇ ବୋହୂ ମୋତେ ବିଡ଼ି ତିଆରି କରିବାକୁ ଦେଉନାହାନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବେ ସେହି କାମ ନେଇଯାଇଛନ୍ତି କିନ୍ତୁ ଆମେ ସେଥିରେ (ରୋଜଗାରରେ) ଚଳିବା କଷ୍ଟକର ହୋଇପଡ଼ିଛି,’’ କାହିଁକି ସେ ଘୁଘନି ବିକ୍ରି କରୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇ ସେ କୁହନ୍ତି।

ସ୍ଥାନୀୟ ବ୍ଲକ୍‌ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସୋଲମାନ ମଣ୍ଡଳ କୁହନ୍ତି, ପ୍ରତିମାସରେ ୨୦-୨୫ ଜଣ ଯକ୍ଷ୍ମା ରୋଗୀ ଡାକ୍ତରଖାନାକୁ ଆସୁଥିବା ସେ ଦେଖୁଛନ୍ତି। ‘‘ଲଗାତାର ବିଷାକ୍ତ ଗୁଣ୍ଡ ସଂସ୍ପର୍ଶରେ ଆସୁଥିବା କାରଣରୁ ବିଡ଼ି ଶ୍ରମିକମାନେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ସେମାନଙ୍କଠାରେ ଅଧିକାଂଶ ସମୟରେ ସର୍ଦ୍ଦି ଭଳି ଲକ୍ଷଣ ଦେଖାଦିଏ ଏବଂ ଧୀରେ ଧୀରେ ସେମାନଙ୍କର ଫୁସଫୁସ ଦୁର୍ବଳ ହୋଇଯାଏ,’’ ବେଲଡାଙ୍ଗା – ୧ର ବ୍ଲକ୍‌ ଚିକିତ୍ସା ଅଧିକାରୀ (ବିଏମଓ) ଡାକ୍ତର ମଣ୍ଡଳ କୁହନ୍ତି।

ତାଙ୍କର ଦର୍ଜିପଡ଼ା ମୋହଲ୍ଲା ରେ ରହୁଥିବା ସାଇରା ବେୱା ନିୟମିତ କଫ ଓ ସର୍ଦ୍ଦିରେ ପୀଡ଼ିତ ହୋଇଥାନ୍ତି। ଏହାଛଡ଼ା ଗତ ୧୫ ବର୍ଷ ହେବ ୬୦ ବର୍ଷରୁ ଅଧିକ ବୟସର ଶ୍ରମିକମାନେ ରକ୍ତ ସର୍କରା ଏବଂ ରକ୍ତଚାପ ଭଳି ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ପ୍ରାୟ ପାଞ୍ଚ ଦଶନ୍ଧି ଧରି ବିଡ଼ି ତିଆରି କରୁଥିବା କାରଣରୁ ତାଙ୍କର ହାତ ଓ ନଖ ତମାଖୁ ଗୁଣ୍ଡରେ ମଳିନ ପଡ଼ିଗଲାଣି।

‘‘ ମୋସଲା (ସୂକ୍ଷ୍ମ ଭାବେ ଚୂର୍ଣ୍ଣ ହୋଇଥିବା ତମାଖୁ) ହେଉଛି ଏକ ସାଧାରଣ ଏଲର୍ଜେନ ଓ କଣିକା ଯାହାକି ବିଡ଼ି ମୋଡ଼ିବା ସମୟରେ ତମାଖୁ ଧୂଆଁ ଭଳି ନିଶ୍ୱାସରେ ଶରୀର ଭିତରକୁ ଯାଇଥାଏ,’’ ଡାକ୍ତର ସୋଲମନ ମଣ୍ଡଳ କୁହନ୍ତି। ପଶ୍ଚିମବଙ୍ଗରେ, ଶ୍ୱାସରୋଗର ଶିକାର ମହିଳାମାନଙ୍କ ସଂଖ୍ୟା ପୁରୁଷମାନଙ୍କ ତୁଳନାରେ ଦୁଇଗୁଣ ଅଧିକ। ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରେ ୪,୩୮୬ ଜଣ ଶ୍ୱାସ ରୋଗରେ. ପୀଡ଼ିତ (ଏନଏଫଏଚଏସ-୫)।

ବିଏମଓ ଆଉ ଏକ ସମସ୍ୟା ବିଷୟରେ ସୂଚନା ଦେଇ କହିଥାନ୍ତି, ‘‘ତମାଖୁ ଗୁଣ୍ଡ ସଂସ୍ପର୍ଶରେ ଆସିବା ଏବଂ ଯକ୍ଷ୍ମାରେ ଆକ୍ରାନ୍ତ ହେବା ମଧ୍ୟରେ ସମ୍ପର୍କ ରହିଥିବା ବେଳେ, ଯକ୍ଷ୍ମା ସ୍କ୍ରିନିଂ ପାଇଁ ଆମ ପାଖରେ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନାହିଁ।’’ ଏହି ଅଭାବ ବିଶେଷ କରି ସେହି ଜିଲ୍ଲାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ ଯେଉଁଠି ବିଡ଼ି ଶ୍ରମିକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ସାଇରାଙ୍କ କଫରେ ରକ୍ତ ପଡ଼ୁଛି – ଏହା ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଏକ ଲକ୍ଷଣ। ‘‘ମୁଁ ବେଲଡାଙ୍ଗା ଗ୍ରାମୀଣ ଡାକ୍ତରଖାନାକୁ ଯାଇଥିଲି। ସେମାନେ କେତେକ ପରୀକ୍ଷା କଲେ ଏବଂ ମୋତେ କିଛି ବଟିକା ଦେଲେ,’’ ସେ କୁହନ୍ତି। ସେମାନେ ତାଙ୍କୁ ନିଜ କଫ ପରୀକ୍ଷା କରାଇବା ଏବଂ ତମାଖୁ ଗୁଣ୍ଡଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଲେ। କିନ୍ତୁ କୌଣସି ସୁରକ୍ଷାତ୍ମକ ଉପକରଣ ତାଙ୍କୁ ଦିଆଗଲା ନାହିଁ।

ବାସ୍ତବରେ, ପରୀ ଜିଲ୍ଲାରେ ଯେତେଜଣ ବିଡ଼ି ଶ୍ରମିକଙ୍କୁ ସାକ୍ଷାତ କରିଥିଲା, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ମାସ୍କ କିମ୍ବା ଗ୍ଲୋବ୍ସ ବ୍ୟବହାର କରିନଥିଲେ। ସେମାନଙ୍କ ପାଖରେ କୌଣସି ରୋଜଗାର ସମ୍ବନ୍ଧୀୟ କାଗଜପତ୍ର, ସାମାଜିକ ସୁରକ୍ଷା ଲାଭ, ଉପଯୁକ୍ତ ମଜୁରି, କଲ୍ୟାଣ, ସୁରକ୍ଷା କିମ୍ବା ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ନଥିଲା। ବିଡ଼ି କମ୍ପାନୀମାନେ ମହାଜନ (ମଧ୍ୟସ୍ଥ)ଙ୍କ ଜରିଆରେ କାମ ଆଉଟସୋର୍ସ କରାଇଥାନ୍ତି ଏବଂ ଏଭଳି କୌଣସି ପ୍ରକାର ଦାୟିତ୍ୱକୁ ଏଡ଼ାଇ ଯାଇଥାନ୍ତି। ମହାଜନ ମାନେ କେବଳ ବିଡ଼ି କିଣି ନିଅନ୍ତି ଏବଂ ଏଭଳି କୌଣସି କଥାରେ ମୁଣ୍ଡ ପୂରାନ୍ତି ନାହିଁ।

Saira Bewa and her daughter-in-law Rehana Bibi (in pink) rolling beedis. After five decades spent rolling, Saira suffers from many occupation-related health issues
PHOTO • Smita Khator
Saira Bewa and her daughter-in-law Rehana Bibi (in pink) rolling beedis. After five decades spent rolling, Saira suffers from many occupation-related health issues
PHOTO • Smita Khator

ସାଇରା ବେୱା ଏବଂ ତାଙ୍କର ବୋହୂ ରେହାନା ବିବି (ଗୋଲାପୀ ପୋଷାକରେ) ବିଡ଼ି ବାନ୍ଧୁଛନ୍ତି। ପାଞ୍ଚ ଦଶନ୍ଧି ଧରି ବିଡ଼ି ତିଆରି କରିବା ପରେ ସାଇରା ଅନେକ ବୃତ୍ତିଗତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଛନ୍ତି

Selina Khatun with her mother Tanjila Bibi rolling beedis in their home in Darjipara. Tanjila's husband abandoned the family; her son is a migrant labourer in Odisha. The 18-year-old Selina had to drop out of school during lockdown because of kidney complications. She is holding up the scans (right)
PHOTO • Smita Khator
Selina Khatun with her mother Tanjila Bibi rolling beedis in their home in Darjipara. Tanjila's husband abandoned the family; her son is a migrant labourer in Odisha. The 18-year-old Selina had to drop out of school during lockdown because of kidney complications. She is holding up the scans (right)
PHOTO • Smita Khator

ସେଲିନା ଖାତୁନ ଓ ତାଙ୍କ ମା’ ତାଞ୍ଜିଲା ବିବି ଦର୍ଜିପଡ଼ାରେ ଥିବା ସେମାନଙ୍କ ଘରେ ବିଡ଼ି ତିଆରି କରୁଛନ୍ତି। ତାଞ୍ଜିଲାଙ୍କ ସ୍ୱାମୀ ପରିବାର ଓ ତାଙ୍କ ପୁଅକୁ ପରିତ୍ୟାଗ କରିବା ପରେ ଓଡ଼ିଶାରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଛନ୍ତି। କିଡନୀ ସମସ୍ୟା କାରଣରୁ ଲକଡାଉନ ସମୟରେ ୧୮ ବର୍ଷ ବୟସ୍କା ସେଲିନାଙ୍କୁ ସ୍କୁଲ ପାଠପଢ଼ା ଛାଡ଼ିବାକୁ ପଡ଼ିଛି ଏବଂ ସେ ନିଜର ସ୍କାନ ରିପୋର୍ଟ ଧରିଛନ୍ତି (ଡାହାଣ)

ମୁର୍ଶିଦାବାଦର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ହେଉଛନ୍ତି ମୁସଲିମ ସମ୍ପ୍ରଦାୟର ଏବଂ ପ୍ରାୟତଃ ସବୁ ବିଡ଼ି ଶ୍ରମିକମାନେ ହେଉଛନ୍ତି ମୁସଲିମ ମହିଳା। ରଫିକ ଉଲ୍‌ ହସନ ତିନି ଦଶନ୍ଧି ଧରି ବିଡ଼ି ଶ୍ରମିକମାନଙ୍କ ସହିତ କାମ କରି ଆସୁଛନ୍ତି। ଏଠାରେ ବେଲଡାଙ୍ଗାରେ ଭାରତୀୟ ଟ୍ରେଡ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ବ୍ଲକ ସମ୍ପାଦକ ଥିବା ସେ କୁହନ୍ତି, ‘‘ ବିଡ଼ି ଉଦ୍ୟୋଗ ସବୁବେଳେ ଶସ୍ତା ଶ୍ରମ ଶକ୍ତିଙ୍କ ଶୋଷଣ କରି ଚାଲି ଆସୁଛି ଏବଂ ଏହି କ୍ଷେତ୍ରରେ ଅଧିକାଂଶ ଶ୍ରମିକ ହେଉଛନ୍ତି ଆଦିବାସୀ ଓ ମୁସଲିମ ଝିଅ ଓ ମହିଳା।’’

ପଶ୍ଚିମବଙ୍ଗ ଶ୍ରମ ବିଭାଗ ଏହି ତଥ୍ୟକୁ ବିଧିବଦ୍ଧ ଭାବେ ସ୍ୱୀକାର କରିଥାଏ ଯେ, ବିଡ଼ି ଶ୍ରମିକମାନେ ଅନୌପଚାରିକ କ୍ଷେତ୍ରର ସବୁଠୁ ଦୁର୍ବଳ ଶ୍ରମିକମାନଙ୍କ ମଧ୍ୟରେ ପରିଗଣିତ ହୋଇଥାନ୍ତି। ବିଭାଗ ପକ୍ଷରୁ ଧାର୍ଯ୍ୟ ସର୍ବନିମ୍ନ ଟଙ୍କା ୨୬୭.୪୪ ପଇସାର ମଜୁରି ସୁଦ୍ଧା ବିଡ଼ି ଶ୍ରମିକମାନଙ୍କୁ ମିଳିନଥାଏ, ସେମାନେ ପ୍ରତି ୧,୦୦୦ ବିଡ଼ି ତିଆରି ଲାଗି ମାତ୍ର ୧୫୦ ଟଙ୍କା ପାଆନ୍ତି। ମଜୁରି ସଂହିତା ୨୦୧୯ରେ ଧାର୍ଯ୍ୟ, ୧୭୮ ଟଙ୍କାର ଜାତୀୟ ସର୍ବନିମ୍ନ ମଜୁରିଠାରୁ ମଧ୍ୟ ଏହି ପରିମାଣ କମ୍‌।

ସିଆଇଟିୟୁ ଅନୁବନ୍ଧିତ ମୁର୍ଶିଦାବାଦ ଜିଲ୍ଲା ବିଡ଼ି ମଜଦୁର ଏବଂ ପ୍ୟାକର୍ସ ସଂଘ ସହିତ କାମ କରୁଥିବା ସାଇଦା ବେୱା କୁହନ୍ତି, ‘‘ଏକଥା ସମସ୍ତେ ଜାଣନ୍ତି ଯେ ସମାନ କାମ ପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ କମ୍‌ ପାରିଶ୍ରମିକ ମିଳିଥାଏ।’’ ବିଡ଼ି ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଯୋଜନା ଆଣନ୍ତୁ ବୋଲି ୫୫ ବର୍ଷୀୟା ସାଇଦା ଦାବି କରିଥାନ୍ତି। ଏ ସମ୍ପର୍କରେ ସେ କୁହନ୍ତି, ‘‘ ମହାଜନ (ମଧ୍ୟସ୍ଥ)ମାନେ ଆମକୁ ଧମକ ଦେଇ କୁହନ୍ତି ଯେ, ‘ଯଦି ତୁମକୁ ଏ କାମ ଭଲ ଲାଗୁ ନାହିଁ, ତା’ହେଲେ ଆମ ସହ କାମ କର ନାହିଁ’।’’

ପାରିଶ୍ରମିକ ଉପରେ ଶ୍ରମିକମାନଙ୍କର କୌଣସି କର୍ତ୍ତୃତ୍ୱ  ନଥାଏ। କେବଳ ସେତିକି ନୁହେଁ ମହାଜନମାନେ ସେମାନଙ୍କୁ ଖରାପ ମାନର କଞ୍ଚାମାଲ ଯୋଗାଇ ଦେଇଥାନ୍ତି ଏବଂ ଶେଷ ଥର ଯାଞ୍ଚ କରିବା ସମୟରେ କେତେକ ଉତ୍ପାଦକୁ ଗ୍ରହଣ କରିବାକୁ ମନା କରି ଦେଇଥାନ୍ତି। ‘‘ ମହାଜନମାନେ ବିଡ଼ିଗୁଡ଼ିକୁ ନେବାକୁ ମନା କରି ଦେଇଥାନ୍ତି, ଏଥିପାଇଁ ଆମକୁ କିଛି ଟଙ୍କା ମଧ୍ୟ ଦିଅନ୍ତି ନାହିଁ,’’ ସାଇଦା ଏହି ଅନ୍ୟାୟ ବିଷୟରେ ଉଲ୍ଲେଖ କରି କୁହନ୍ତି।

ଅଳ୍ପ ମଜୁରି ଏବଂ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ତନୁଜାଙ୍କ ଭଳି ଦିନ ମଜୁରିଆମାନେ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଜୀବନ ଅତିବାହିତ କରିଥାନ୍ତି। ଏହି ଦମ୍ପତିଙ୍କୁ ତୃତୀୟ ଝିଅ ବାହାଘର ପାଇଁ ଆଣିଥିବା ୩୫,୦୦୦ ଟଙ୍କାର ଋଣ ପରିଶୋଧ କରିବା ବାକି ଅଛି। ପ୍ରତ୍ୟେକ ଥର ସେମାନେ ପିଲାଙ୍କ ବାହାଘର ପାଇଁ ଋଣ ଆଣିଥାନ୍ତି ଏବଂ ପରେ ଏହାକୁ ସୁଝିବାରେ ତାଙ୍କର ସବୁ ରୋଜଗାର ଚାଲିଯାଇଥାଏ। ଏ ସମ୍ପର୍କରେ ତନୁଜା କୁହନ୍ତି, ‘‘ଆମ ଜୀବନ ଋଣ କରିବା ଏବଂ ସୁଝିବା ଚକ୍ରରେ ଫସି ରହିଛି।’’

A mahajan settling accounts in Tanuja Bibi’s yard; Tanuja (in a yellow saree) waits in the queue.
PHOTO • Smita Khator
Saida Bewa at the door of the home of  beedi workers in Majhpara mohalla, Beldanga where she is speaking to them about their health
PHOTO • Smita Khator

ବାମ : ତନୁଜା ବିବିଙ୍କ ଅଗଣାରେ ହିସାବ କରୁଛନ୍ତି ଜଣେ ମହାଜନ। ଏହି ସମୟରେ ତନୁଜା (ହଳଦିଆ ଶାଢ଼ି ପିନ୍ଧିଛନ୍ତି) ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଛନ୍ତି। ଡାହାଣ : ବେଲଡାଙ୍ଗାର ମାଝପାଡ଼ା ମୋହଲ୍ଲାରେ ବିଡ଼ି ଶ୍ରମିକମାନଙ୍କ ଘର ଦ୍ୱାର ପାଖରେ ଛିଡ଼ା ହୋଇ ସେମାନଙ୍କର ସ୍ଵାସ୍ଥ୍ୟ ବିଷୟରେ କଥା ହେଉଛନ୍ତି ସାଇଦା ବେୱା

ନୂଆ ବାହା ହୋଇଥିବା ସମୟରେ, ତନୁଜା ଓ ରଫିକ ଉଲ୍‌ ସେମାନଙ୍କ ମାତାପିତାଙ୍କ ପାଖରେ ରହୁଥିଲେ, କିନ୍ତୁ ପିଲାମାନେ ଜନ୍ମ ହେବା ପରେ, ଏହି ଦମ୍ପତି ଟଙ୍କା ଉଧାର ଆଣି ଖଣ୍ଡେ ଜମି କିଣିଲେ ଏବଂ ସେଥିରେ ବଖୁରିକିଆ କଚ୍ଚା ଘରଟିଏ କରି ରହିଲେ। ‘‘ସେତେବେଳେ ଆମ ଦୁହିଁଙ୍କର ଯୁବାବସ୍ଥା ଥିଲା ଏବଂ ଆମେ ଭାବିଲୁ ଯେ କଠିନ ପରିଶ୍ରମ ବଳରେ ଆମେ ଋଣ ସୁଝିବା ପାଇଁ ସକ୍ଷମ ହେବୁ। କିନ୍ତୁ ତାହା କେବେ ବି ହୋଇପାରିଲା ନାହିଁ। ଆମେ ଗୋଟିଏ ପରେ ଗୋଟିଏ କାମ ପାଇଁ ବାରମ୍ବାର ଋଣ କରି ଚାଲିଲୁ ଏବଂ ଆଜି ଆମର ଏହି ଅବସ୍ଥା ଆସିଯାଇଛି, ଏ ଘରକୁ ବର୍ତ୍ତମାନ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିପାରିନାହୁଁ।’’ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ଲାଗି ଯୋଗ୍ୟ ହୋଇଥିଲେ ସୁଦ୍ଧା ଏହି ଭୂମିହୀନ ଦମ୍ପତିଙ୍କୁ ଏଯାଏ ଘର ଖଣ୍ଡେ ମିଳିନାହିଁ।

ଗ୍ରାମ ପଞ୍ଚାୟତର ଡେଙ୍ଗୁ ଉନ୍ମୁଳନ କାର୍ଯ୍ୟକ୍ରମ ଅଧୀନରେ ଜଣେ ଚୁକ୍ତିଭିତ୍ତିକ ସଫେଇ କର୍ମୀ ଭାବେ ଏବେ କାମ କରୁଛନ୍ତି ରଫିକ୍ଉଲ। ତାଙ୍କର ମାସିକ ୫,୦୦୦ ଟଙ୍କାର ବେତନ ସବୁବେଳେ ଠିକ୍‌ ସମୟରେ ଆସୁନାହିଁ : ‘‘ଏହି ଅନିୟମିତତା ମୋତେ ବେଶୀ ଚିନ୍ତାରେ ପକାଉଛି। ଏମିତି ବି ଦିନ ଆସୁଛି ଯେତେବେଳେ ସେ ଛଅ ମାସ ପର୍ଯ୍ୟନ୍ତ ଗୋଟିଏ ଟଙ୍କା ସୁଦ୍ଧା ପାଉନାହାନ୍ତି,’’ ତନୁଜା କୁହନ୍ତି। ଏକ ସ୍ଥାନୀୟ ଦୋକାନରେ ଏହି ପରିବାରର ୧୫,୦୦୦ ଟଙ୍କା ସୁଝିବାକୁ ବାକି ରହିଛି।

ବିଡ଼ି ଶ୍ରମିକମାନଙ୍କୁ କୌଣସି ମାତୃତ୍ୱ କିମ୍ବା ଅସୁସ୍ଥତା ଛୁଟି ମିଳେ ନାହିଁ; ଉଭୟ ଗର୍ଭାବସ୍ଥା ଏବଂ ସନ୍ତାନ ଜନ୍ମ ସମୟ ବିଡ଼ି ବାନ୍ଧିବା ସହିତ ବିତିଥାଏ। ଜନନୀ ସୁରକ୍ଷା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଏବଂ ମାଗଣା ମଧ୍ୟାହ୍ନ ଭୋଜନ ଭଳି କାର୍ଯ୍ୟକ୍ରମ କମ୍‌ ବୟସର ମହିଳାମାନଙ୍କୁ ସହାୟକ ହୋଇଛି। ‘‘କିନ୍ତୁ ବୟସ୍କ ମହିଳା ଶ୍ରମିକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କୁପ୍ରଭାବକୁ ହିସାବକୁ ନିଆଯାଏ ନାହିଁ,’’ ଆଶା କର୍ମୀ ସାବିନା ୟାସ୍ମିନ କୁହନ୍ତି। ସେ ଆହୁରି କୁହନ୍ତି, ‘‘ରଜୋନିବୃତ୍ତି ଅବସ୍ଥାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଏ। କ୍ୟାଲିସିୟମ ଓ ଆଇରନ ମହିଳାମାନଙ୍କ ପାଇଁ ଦୁଇଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥିବା ବେଳେ ସ୍ଥାନୀୟ ମହିଳାଙ୍କଠାରେ ଏହାର ଅଭାବ ଦେଖା ଦେଇଥାଏ। ସେମାନଙ୍କଠାରେ ହାଡ଼ ଦୁର୍ବଳତା ଓ ରକ୍ତହୀନତା ଭଳି ସମସ୍ୟା ଦେଖାଦିଏ।’’ ବେଲଡାଙ୍ଗା ନଗର ପାଳିକାର ୧୪ଟି ୱାର୍ଡ ଦାୟିତ୍ୱରେ ଥିବା ୟାସ୍ମିନ ନିରାଶାର ସହ କହିଥାନ୍ତି ଯେ, ତାଙ୍କର କାର୍ଯ୍ୟ କେବଳ ମାତୃତ୍ୱ ସେବା ଏବଂ ଶିଶୁ ଯତ୍ନ ମଧ୍ୟରେ ସୀମିତ ଥିବାରୁ ସେ ଅଧିକ କିଛି କରିପାରିବେ ନାହିଁ।

ଉଭୟ ଉଦ୍ୟୋଗ ଏବଂ ରାଜ୍ୟ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା, ମହିଳା ବିଡ଼ି ଶ୍ରମିକମାନଙ୍କର ଆଗକୁ କିଛି ଭବିଷ୍ୟତ ନାହିଁ। ଏପରିକି, କାମରେ କୌଣସି ଲାଭ ବିଷୟରେ ପଚାରିଲେ ତନୁଜା ବିରକ୍ତ ହୋଇଥାନ୍ତି। ‘‘କୌଣସି ବାବୁ (ଠିକାଦାର) ଆମ ବିଷୟରେ ପଚାରିବାକୁ ଆସନ୍ତି ନାହିଁ। କିଛି ଦିନ ପୂର୍ବରୁ ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା ଯେ, ଡାକ୍ତର ଆମର ପରୀକ୍ଷା କରିବେ। ଆମେ ଗଲୁ ଏବଂ ସେମାନେ ଆମକୁ ବଡ଼ ବଡ଼ ଅନାବଶ୍ୟକ ବଟିକା ଦେଇଦେଲେ ତାହା କିଛି କାମ କଲା ନାହିଁ,’’ ସେ କୁହନ୍ତି। ମହିଳାମାନଙ୍କ ଅବସ୍ଥା ବିଷୟରେ ପଚାରିବାକୁ ପୁନର୍ବାର କେହି ଆସିଲେ ନାହିଁ।

ସେ ବଟିକାଗୁଡ଼ିକ ମଣିଷଙ୍କ ପାଇଁ ଥିଲା କି ନୁହେଁ ସେ ନେଇ ତନୁଜାଙ୍କ ମନରେ ସନ୍ଦେହ ରହିଛି। ‘‘ମୁଁ ଭାବୁଛି ସେଗୁଡ଼ିକ ଗାଈଙ୍କ ପାଇଁ ଥିଲା।’’

ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସହଯୋଗରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ ଏବଂ ସ୍ୱଳ୍ପ ବୟସ୍କ ମହିଳାଙ୍କ ଉପରେ ରାଷ୍ଟ୍ରବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପ ଜାରି ରହିଛି ଏହାର ଉଦ୍ଦେଶ୍ୟ ହେଉଛି , ସମାଜର ଏହି ବଞ୍ଚିତ ତଥାପି ଗୁରୁତ୍ୱପୂର୍ଣ୍ଣ ସମୁଦାୟଙ୍କ କଥା ଶୁଣିବା ଏବଂ ସାଧାରଣ ଜନତାଙ୍କ ଅନୁଭୂତି ଜାଣିବା ଜରିଆରେ ସେମାନଙ୍କ ସ୍ଥିତିକୁ ସାମ୍ନାକୁ ଆଣିବା।
ଏହି ସ୍ତମ୍ଭକୁ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] , ଏବଂ [email protected] ରେ ମେଲ କରନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Smita Khator

Smita Khator, originally from Murshidabad district of West Bengal, is now based in Kolkata, and is Translations Editor at the People’s Archive of Rural India, as well as a Bengali translator.

Other stories by Smita Khator
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Editor : Priti David

Priti David is a Journalist with the People’s Archive of Rural India, and Education Editor, PARI. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE