ଝାଡ଼ଖଣ୍ଡର ବୋରୋଟିକାରେ ଜଣେ ମହିଳା ଜଟିଳ ଗର୍ଭଧାରଣ ସମସ୍ୟାର ସମ୍ମୁଖିନ ହେଲେ ଡାକ୍ତର ଦେଖାଇବା ପାଇଁ ତାଙ୍କୁ ରାଜ୍ୟ ସୀମା ପାର ହୋଇ ଓଡ଼ିଶା ଯିବାକୁ ହେବ।

କେବଳ ସେ ଏକାକୀ ନୁହନ୍ତି – ଯଦି ଆପଣ ଗ୍ରାମୀଣ ଭାରତରେ ରହୁଥିବା ଜଣେ ମହିଳା ହୋଇଥାନ୍ତି, ତା’ହେଲେ ଆପଣଙ୍କ ପାଇଁ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ କିମ୍ବା ଜଣେ ସର୍ଜନଙ୍କ ଚିକିତ୍ସା ପାଇବାର ସମ୍ଭାବନା ଖୁବ କ୍ଷୀଣ ହୋଇଥାଏ। ଏଠାକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ଗୁଡ଼ିକରେ ବର୍ତ୍ତମାନର ଭିତ୍ତିଭୂମି ଅନୁଯାୟୀ ୭୪.୨ ପ୍ରତିଶତ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କର ଅଭାବ ରହିଛି।

ଅନ୍ୟପଟେ ଯଦି ଆପଣ ଏକ ଅସୁସ୍ଥ ଶିଶୁର ଜଣେ ସ୍ୱଳ୍ପ ବୟସ୍କା ମା’ ହୋଇଥାନ୍ତି ତ’ହେଲେ ଏକ ସିଏଚସିରେ ସ୍ୱାସ୍ଥ୍ୟ ସେବା ପାଇବା ଆପଣଙ୍କ ପାଇଁ ଦୁରୂହ ବ୍ୟାପାର ହୋଇପାରେ କାରଣ ଏସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ପ୍ରତିଶତ ସାଧାରଣ ଡାକ୍ତରଙ୍କ ସହିତ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ରହିଛି ।

ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧-୨୨ରୁ ଆମେ ଏହି ତଥ୍ୟ ସମେତ ଆହୁରି ଅନେକ ବିଷୟ ଜାଣିବାକୁ ପାଇଛୁ। ଏସବୁ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ, ଗବେଷଣା ପତ୍ର ଓ କଷ୍ଟଲବ୍ଧ ତଥ୍ୟ, ଆଇନ ଓ ସମ୍ମେଳନ ଆଦି ପରୀ ହେଲ୍‌ଥ୍‌ ଆର୍କାଇଭ୍‌ରେ ଉପଲବ୍ଧ ରହିଛି ଏବଂ ଏହା ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ଉନ୍ନତ ଢଙ୍ଗରେ ବୁଝାଇବା ଏବଂ ବୁଝିବା ଲାଗି ମହତ୍ୱପୂର୍ଣ୍ଣ ସୁବିଧାଜନକ ବିନ୍ଦୁ ରୂପରେ କାମ କରିଥାଏ।

ଏହି ବିଭାଗ ବିଶେଷ କରି ଗ୍ରାମୀଣ ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟଗତ ଅନିଶ୍ଚିତତା ଉପରେ ଆଲୋକପାତ କରିଥାଏ। ପ୍ରଜନନ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଯୌନ ନିର୍ଯାତନା, ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି କୋଭିଡ-୧୯ ମହାମାରୀର ପ୍ରଭାବ ପର୍ଯ୍ୟନ୍ତ ପରୀ ହେଲଥ୍‌ ଆର୍କାଇଭ୍‌ରେ ମହିଳାଙ୍କ ସ୍ୱାସ୍ଥ୍ୟର ଅନେକ ଦିଗକୁ ସାମିଲ କରାଯାଇଛି। ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ କଭର କରିବା ଲାଗି ପରୀର ପ୍ରୟାସକୁ ସୁଦୃଢ଼ କରୁଛି ।

PHOTO • Courtesy: PARI Library
PHOTO • Courtesy: PARI Library

ପରୀ ଲାଇବ୍ରେରୀ ର ଏକ ଉପ ଅଧ୍ୟାୟ ପରୀ ହେଲଥ୍‌ ଆର୍କାଇଭ୍‌ରେ ୨୫୬ଟି ଡକ୍ୟୁମେଣ୍ଟ  ରହିଛି, ଯେଉଁଥିରେ ସରକାର, ନିରପେକ୍ଷ ସଂଗଠନ ଏବଂ ମିଳିତ ଜାତିସଂଘ ଏଜେନ୍ସିଗୁଡ଼ିକର ରିପୋର୍ଟ ସାମିଲ ରହିଛି। ଏଥିରେ ବିଶ୍ୱସ୍ତରୀୟଠାରୁ ଜାତୀୟ ପ୍ରସଙ୍ଗ କିମ୍ବା ଦେଶର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇଛି ।

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଜଣେ ବିଡ଼ି ଶ୍ରମିକ ତନୁଜା କୁହନ୍ତି, ‘‘ମୋର କ୍ୟାଲସିୟମ ଏବଂ ଆଇରନ ସମସ୍ୟା (ଅଭାବ) ରହିଛି ଏବଂ ମୁଁ ତଳେ ବସିବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ।’’

‘‘ଆମର ଏଠି ଏମିତି ଆଦିବାସୀ ମହିଳା ଅଛନ୍ତି, ଯେଉଁମାନଙ୍କ ଦେହରେ ଆଦୌ ରକ୍ତ ନାହିଁ – ହିମୋଗ୍ଲୋବିନ ଡେସିଲିଟର ପିଛା ଦୁଇ ଗ୍ରାମ! ଏହାଠାରୁ କମ୍‌ ବି ହୋଇପାରେ, କିନ୍ତୁ ଆମେ ତାହା ମାପିପାରିବୁ ନାହିଁ,’’ ନୀଳଗିରିସ୍ଥିତ ଆଦିବାସୀ ଡାକ୍ତରଖାନାର ଡାକ୍ତର ଶୈଲଜା କୁହନ୍ତି ।

ସଦ୍ୟତମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନଏଫଏଚଏସ-୫ ୨୦୧୯-୨୧ ) ଅନୁଯାୟୀ, ୨୦୧୫-୧୬ ପରଠାରୁ ଦେଶବ୍ୟାପୀ ମହିଳାମାନଙ୍କଠାରେ ଆନିମିଆ (ରକ୍ତହୀନତା) ଅତି ଖରାପ ସ୍ତରରେ ପହଞ୍ଚିଛି। ଏହି ସର୍ବେକ୍ଷଣରୁ ଭାରତର ୨୮ ରାଜ୍ୟ, ଆଠଟି କେନ୍ଦ୍ର ଶାସିତ ପ୍ରଦେଶ ଏବଂ ୭୦୭ ଜିଲ୍ଲାର ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ପୋଷଣ ସ୍ଥିତି ସମ୍ପର୍କରେ ସୂଚନା ମିଳିଥାଏ।

PHOTO • Design Courtesy: Aashna Daga

‘‘ମୋର ପ୍ରସବ ସମୟରେ ଅତିଶୟ ରକ୍ତସ୍ରାବ ହୋଇଥିଲା। ଏପରିକି ଶିଶୁ ଜନ୍ମ ପୂର୍ବରୁ ମଧ୍ୟ, ନର୍ସ କହିଥିଲେ ଯେ, ମୋର ଗମ୍ଭୀର ଖୁନ କୀ କମୀ (ଗୁରୁତର ରକ୍ତହୀନତା) ରହିଛି ଏବଂ ମୁଁ ଫଳ ଓ ପନିପରିବା ଖାଇବା ଉଚିତ୍‌,’’ ବିହାର ଗୟା ଜିଲ୍ଲାର ଅଞ୍ଜଳି ଯାଦବ କୁହନ୍ତି ।

୨୦୧୯-୨୧ରେ ୧୫-୪୯ ବର୍ଷ ବୟସ ବର୍ଗର ଭାରତୀୟ ମହିଳାଙ୍କ ମଧ୍ୟରେ ୫୭ ପ୍ରତିଶତ ରକ୍ତହୀନତା ଆକ୍ରାନ୍ତ ଥିଲେ। ବିଶ୍ୱର ପ୍ରାୟ ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଆନିମିଆ ଆକ୍ରାନ୍ତ। ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ପ୍ରକାଶିତ ଦ ଷ୍ଟେଟ୍‌ ଅଫ୍‌ ଫୁଡ୍‌ ସିକ୍ୟୁରିଟୀ ଆଣ୍ଡ ନ୍ୟୁଟ୍ରିସନ ଇନ୍‌ ଦ ୱାର୍ଲ୍ଡ ୨୦୨୨ ବା ବିଶ୍ୱରେ ଖାଦ୍ୟ ସୁରକ୍ଷା ଓ ପୋଷଣ ସ୍ଥିତି ରିପୋର୍ଟ ଅନୁଯାୟୀ, ‘‘ଗ୍ରାମାଞ୍ଚଳ, ଗରିବ ପରିବାର ଏବଂ ଔପଚାରିକ ଶିକ୍ଷା ହାସଲ କରିନଥିବା ମହିଳାମାନଙ୍କୁ ରକ୍ତହୀନତା ବିଶେଷ ପ୍ରଭାବିତ କରିଥାଏ।

ପୁଷ୍ଟିକର ଖାଦ୍ୟ ଯୋଗାଡ଼ କରିବାର ଅସାମର୍ଥ୍ୟ କାରଣରୁ ଏଭଳି ଅଭାବ ଦିନକୁ ଦିନ ଗମ୍ଭୀର ହୋଇସାରଛି । ୨୦୨୦ ଗ୍ଲୋବାଲ ନ୍ୟୁଟ୍ରିସନ ରିପୋର୍ଟରେ କୁହାଯାଇଛି ଯେ, ବିଭିନ୍ନ ପୁଷ୍ଟିସାର ସମୃଦ୍ଧ ଖାଦ୍ୟ (ଅଣ୍ଡା ଓ କ୍ଷୀର)ର ଅଧିକ ଦର କାରଣରୁ ଅପପୁଷ୍ଟି ମୁକାବିଲା କ୍ଷେତ୍ରରେ ଏକ ବଡ଼ ବାଧା ସୃଷ୍ଟି ହେଉଛି। ୨୦୨୦ ସୁଦ୍ଧା ଭାରତରେ ଥରେ ସ୍ୱାସ୍ଥ୍ୟପ୍ରଦ ଭୋଜନ ଗ୍ରହଣ କରିବାର ମୂଲ୍ୟ ୨.୯୭ ଆମେରିକୀୟ ଡଲାର ବା ୨୪୩ ଟଙ୍କା ହୋଇଥିବା କାରଣରୁ ଦେଶରେ ୯୭୩.୩ ନିୟୁତ ଲୋକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ କିଣିବାକୁ ସକ୍ଷମ ହେଉନାହାନ୍ତି। ଆଉ ଏକ ବାସ୍ତବତା ହେଉଛି, ପରିବାର ଓ ସମାଜରେ ସମ୍ବଳ ଆବଣ୍ଟନ କ୍ଷେତ୍ରରେ ମହିଳାମାନେ ସବୁବେଳେ ପଛୁଆ ରହିଥାନ୍ତି ।

PHOTO • Design Courtesy: Aashna Daga

ପରୀ ଲାଇବ୍ରେରୀରେ ବର୍ତ୍ତମାନର ସ୍ଵାସ୍ଥ୍ୟ ସେବା ଭିତ୍ତିଭୂମି ଉପରେ ସମସ୍ତ ସର୍ବଭାରତୀୟ ସର୍ବେକ୍ଷଣ ସାମିଲ ରହିଛି। ଭାରତରେ ପ୍ରାୟ ୨୦ ପ୍ରତିଶତ ପରିବାର ପାଖରେ କୌଣସି ସ୍ଵଚ୍ଛତା ସୁବିଧା ନାହିଁ, ‘‘ରାତିରେ, ଏକମାତ୍ର ଶୌଚାଳୟ ହେଉଛି ରେଳ ଧାରଣା,’’ ପାଟନା ବସ୍ତିର ଝିଅମାନେ କୁହନ୍ତି ।

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ-୫ (୨୦୧୯-୨୦୨୧) ରେ ଦର୍ଶାଯାଇଛି ଯେ ଗ୍ରାମାଞ୍ଚଳର ସବୁ ମହିଳାମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ମହିଳାଙ୍କ ପାଖରେ ସ୍ୱଚ୍ଛ ଋତୁସ୍ରାବଜନିତ ସାମଗ୍ରୀ ଉପଲବ୍ଧ ଥିବା ବେଳେ ସହରାଞ୍ଚଳରେ ରହୁଥିବା ସବୁ ମହିଳାମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ମହିଳା ଏହି ସୁବିଧା ପାଇଥାନ୍ତି। ‘ସ୍ୱଚ୍ଛ ଋତୁସ୍ରାବଜନିତ ସାମଗ୍ରୀ’ ମଧ୍ୟରେ ସାନିଟାରୀ ନାପକିନ, ମେନଷ୍ଟ୍ରୁଆଲ କପ୍‌, ଟାମ୍ପୋନ୍‌ – ଏବଂ ଖଣ୍ଡେ କପଡ଼ା ମଧ୍ୟ ସାମିଲ ରହିଛି। ଅଧିକାଂଶ ସାନିଟାରୀ ନାପକିନରେ ଉଚ୍ଚସ୍ତରର ବିଷାକ୍ତ ରାସାୟନିକ ରହିଥିବା ଅଧ୍ୟୟନରୁ ଜଣାପଡ଼ିଛି ।

PHOTO • Design Courtesy: Aashna Daga

ମହିଳାମାନେ ନିଜର ପ୍ରଜନନ ସ୍ଵାସ୍ଥ୍ୟ ସହ ଜଡ଼ିତ ନିଷ୍ପତ୍ତି ନେବାର ଅଧିକାରକୁ ‘‘ଭେଦଭାବ, ବଳପ୍ରୟୋଗ ଏବଂ ହିଂସା ମୁକ୍ତ’’ ରଖିପାରିବେ ଏବଂ ଦ ଇଣ୍ଡିଆନ ୱିମେନ୍‌ ହେଲଥ୍‌ ଚାର୍ଟରରେ ଏହାକୁ ସୁରକ୍ଷିତ ରଖାଯାଇଛି । ଏସବୁ ଅଧିକାରକୁ ପୂରଣ କରିବା ଲାଗି ଶସ୍ତା ସ୍ଵାସ୍ଥ୍ୟସେବା ପାଇବା ଜରୁରି ଅଟେ। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ-୫ (୨୦୧୯-୨୧) ଅନୁଯାୟୀ, ୮୦ ପ୍ରତିଶତ ମହିଳା ଏକ ଜନ ସ୍ଵାସ୍ଥ୍ୟ କେନ୍ଦ୍ର, ସାଧାରଣତଃ ଏକ ପୌରପାଳିକା ଡାକ୍ତରଖାନା କିମ୍ବା ଏକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନିଜର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଇଛନ୍ତି । ତଥାପି ଦେଶରେ ଏଭଳି ପ୍ରତିଷ୍ଠାନର ଘୋର ଅଭାବ ରହିଛି ।

ଜାମ୍ମୁ ଓ କାଶ୍ମୀରର ୱାଜିରିଥାଲ ଗ୍ରାମବାସୀଙ୍କ ପାଇଁ ସବୁଠୁ ନିକଟତମ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର (ପିଏଚସି) ପାଞ୍ଚ କିଲୋମିଟର ଦୂରରେ ରହିଛି ।

ଏଥିରେ ମଧ୍ୟ କର୍ମଚାରୀ ଓ ଆନୁସଙ୍ଗିକ ସୁବିଧାର ଅଭାବ ରହିଛି। କାଶ୍ମୀରର ବାନ୍ଦିପୋର ଜିଲ୍ଲାରେ ଥିବା ବଡ଼ଗାମ୍‌ ପିଏଚସିରେ କେବଳ ଜଣେ ମାତ୍ର ନର୍ସ ଅଛନ୍ତି। ‘‘ଜରୁରି ପରିସ୍ଥିତି ହେଉ କିମ୍ବା ଗର୍ଭପାତ, ଅଥବା ଗର୍ଭନଷ୍ଟ, ସେମାନେ ସମସ୍ତେ ସିଧାସଳଖ ଗୁରେଜ୍‌କୁ ଯାଇଥାନ୍ତି,’’ ୱାଜିରିଥାଲର ଜଣେ ଅଙ୍ଗନୱାଡ଼ି କର୍ମୀ ରାଜା ବେଗମ ପରୀକୁ କହିଥିଲେ। ‘‘ଆଉ ଯଦି ଏକ ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ, ତା’ହେଲେ ସେମାନେ ଶ୍ରୀନଗରର ଲାଲ ଡେଡ୍‌ ଡାକ୍ତରଖାନାକୁ ଯିବା ଲାଗି ବାଧ୍ୟ ହୁଅନ୍ତି । ଏହା ଗୁରେଜଠାରୁ ପ୍ରାୟ ୧୨୫ କିଲୋମିଟର ଦୂରରେ ରହିଛି ଏବଂ ଖରାପ ପାଗରେ ସେଠାରେ ପହଞ୍ଚିବାକୁ ୯ ଘଣ୍ଟା ଲାଗିଥାଏ’’, ସେ ଆହୁରି କହିଥିଲେ।

PHOTO • Design Courtesy: Aashna Daga

ଗ୍ରାମୀଣ ସ୍ଵାସ୍ଥ୍ୟ ପରିସଂଖ୍ୟାନ ୨୦୨୧-୨୨ରେ ଦର୍ଶାଯାଇଛି ଯେ, ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୩୪,୫୪୧ରୁ ଅଧିକ ଅକ୍‌ଜିଲାରୀ ନର୍ସ ମିଡୱାଇଭସ୍‌ (ଏଏନଏମ) ପଦବୀ ଖାଲି ରହିଛି। ଏହା ଅତ୍ୟନ୍ତ ଚିନ୍ତାଜନକ ତଥ୍ୟ କାରଣ, ମହିଳାମାନେ କୌଣସି ସ୍ଵାସ୍ଥ୍ୟ ସମସ୍ୟା ହେଲେ ପ୍ରଥମେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ (ଆଶା), ଏଏନଏମ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଯୋଗାଯୋଗ କରିଥାନ୍ତି ।

ଅକ୍ସଫାର୍ମ ଇଣ୍ଡିଆର ଅସମାନତା ରିପୋର୍ଟ ୨୦୨୧: ଭାରତର ଅସମାନ ସ୍ଵାସ୍ଥ୍ୟସେବା କାହାଣୀ ଅନୁଯାୟୀ, ଭାରତରେ ପ୍ରତି ୧୦,୧୮୯ ଲୋକଙ୍କ ପାଇଁ ଜଣେ ଏଲୋପାଥୀ ଡାକ୍ତର ଏବଂ ପ୍ରତି ୯୦,୩୪୩ ଜଣ ଲୋକଙ୍କ ପାଇଁ ଗୋଟିଏ ସରକାରୀ ଡାକ୍ତରଖାନା ରହିଛି ।

PHOTO • Design Courtesy: Aashna Daga

ବର୍ତ୍ତମାନର ଚିକିତ୍ସା ଭିତ୍ତିଭୂମି ତୁଳନାରେ ଭାରତରେ ସ୍ଵାସ୍ଥ୍ୟ ସେବାର ଚାହିଦା ଓ ଆବଶ୍ୟକତା ଖୁବ ଅଧିକ। ବିଭିନ୍ନ ଦେଶର ଲିଙ୍ଗଗତ ସମାନତା ସ୍ଥିତି ଉପରେ ଗ୍ଲୋବାଲ ଜେଣ୍ଡର ଗ୍ୟାପ ରିପୋର୍ଟ ବା ବିଶ୍ୱ ଲିଙ୍ଗ ତାରତମ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଏ। ୨୦୨୨ରେ ଏଥିରେ ସ୍ଥାନ ପାଇଥିବା ୧୪୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୫ରେ ରହିଛି। ‘ସ୍ଵାସ୍ଥ୍ୟ ଓ ଜୀବନ’କୁ ନେଇ ପ୍ରସ୍ତୁତ ସୂଚକାଙ୍କରେ ମଧ୍ୟ ଭାରତ ସର୍ବନିମ୍ନ ସ୍ତରରେ ରହିଛି । ଢାଞ୍ଚାଗତ ସ୍ତରରେ ଏଭଳି ଅଭାବ ରହିଥିବା କାରଣରୁ ଦେଶରେ ସ୍ଵାସ୍ଥ୍ୟ ସେବାର ସ୍ଥିତି ଏବଂ ମହିଳାମାନଙ୍କ ଜୀବନ ଉପରେ ଏହାର ପ୍ରଭାବକୁ ଭଲ ଭାବେ ବୁଝିବା ଜରୁରି ହୋଇପଡ଼ିଛି।

ପରୀ ଲାଇବ୍ରେରୀ ଏ ଦିଗରେ ଏକ ସାଧନ ହୋଇପାରିବ।

ଗ୍ରାଫିକ୍ସ ଡିଜାଇନ ନିମନ୍ତେ ଆମେ ପରୀ ଲାଇବ୍ରେରୀର ସ୍ୱେଚ୍ଛାସେବୀ ଆଶ୍ନା ଦାଗାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ।

ପ୍ରଚ୍ଛଦ ଅଳଙ୍କରଣ : ସ୍ୱଦେଶା ଶର୍ମା

ଅନୁବାଦ: ଓଡ଼ିଶାଲାଇଭ୍‍

PARI Library Team

The PARI Library team of Dipanjali Singh, Swadesha Sharma and Siddhita Sonavane curate documents relevant to PARI's mandate of creating a people's resource archive of everyday lives.

यांचे इतर लिखाण PARI Library Team
Editor : Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE