“ମୋର ଚାଷଜମି ନାହିଁ କି ମୋ ପୂର୍ବପୁରୁଷଙ୍କର ବି ନଥିଲା,” କମଲଜିତ କୌର କହନ୍ତି । “ତଥାପି, ମୁଁ ଯେତେ କମ୍‌ ହେଲେ ବି, ଆମ ଚାଷୀମାନଙ୍କ ସହାୟତା କରିବା ପାଇଁ ଏଠାକୁ ଆସିଛି । କାରଣ, ଆଜି ଯଦି ମୁଁ ତାହା ନ କରିବି, ତେବେ ଆଗାମୀ ଦିନରେ ମୋ ପିଲାମାନଙ୍କ ଥାଳିରେ ଆହାର ରଖିବା ଲାଗି ମତେ ବଡ଼ ବଡ଼ କମ୍ପାନୀର ଲୋଭ ସହ ଲଢ଼ିବାକୁ ପଡ଼ିବ ।”

ପଞ୍ଜାବ ଲୁଧିଆନାର ଜଣେ ଶିକ୍ଷୟିତ୍ରୀ ୩୫ ବର୍ଷୀୟା କମଲଜିତ ଓ ତାଙ୍କର କେତେକ ବନ୍ଧୁ ସିଂଘୁର ଏକ ଛାଇ ଜାଗାରେ ଦୁଇଟି ସିଲେଇ ମେସିନ ଚଲାଉଛନ୍ତି । ଥରକେ ତିନି ଦିନ ପାଇଁ ପାଳି କରି ସେମାନେ ଆନ୍ଦୋଳନ ସ୍ଥଳକୁ ଆସନ୍ତି, ଏବଂ ଏଠାରେ,ବିନା ପାଉଣାରେ, ଆନ୍ଦୋଳନରତ କୃଷକମାନଙ୍କର ସାର୍ଟରୁ ହଜି ଯାଇଥିବା ବୋତାମ ଲଗାଇ ଦିଅନ୍ତି କିମ୍ବା ଶାଲୱାର-କମୀଜ ଭଳି ପୋଷାକ ଚିରି ଯାଇଥିଲେ ସିଲେଇ କରିଦିଅନ୍ତି । ସେମାନଙ୍କର ଏହି ସିଲେଇ ଷ୍ଟଲକୁ ପ୍ରତି ଦିନ ପ୍ରାୟ ୨୦୦ ଲୋକ ଆସିଥାଆନ୍ତି ।

ସିଂଘୁରେ ଅନେକ ରଙ୍ଗରେ ଏବଂ ଅତି ଉଦାରତାପୂର୍ଣ୍ଣ ଢଙ୍ଗରେ ଏଭଳି ଅନେକ ସେବା ଉପଲବ୍‌ଧ ହେଉଛି– ଆଉ ଏ ସବୁ କେବଳ ଆନ୍ଦୋଳନକୁ ସମର୍ଥନ ଜଣାଇବା ଲାଗି ହିଁ କରାଯାଉଛି।

ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅଛନ୍ତି ଇର୍ଶାଦ (ପୂରା ନାଁ ମିଳିନାହିଁ) । ସିଂଘୁ ସୀମାରୁ ପ୍ରାୟ ଚାରି କିଲୋମିଟର ଦୂର କୁଣ୍ଡି ଶିଳ୍ପାଞ୍ଚଳରେ ଅବସ୍ଥିତ ଟିଡିଆଇ ମଲ୍‌ ବାହାରେ ଥିବା ଏକ ଅଣଓସାରିଆ ଗଳିମୁଣ୍ଡରେ, ଜଣେ ଶିଖ ଆନ୍ଦୋଳନକାରୀଙ୍କ ଅନାବୃତମୁଣ୍ଡକୁ ସେ ଖୁବ୍‌ ଜୋରରେ ମାଲିସ କରୁଛନ୍ତି । ଆଉ ଅନେକ ସେମାନଙ୍କ ପାଳି ପଡ଼ିବାକୁ ଅପେକ୍ଷା କରୁଛନ୍ତି । ଇର୍ଶାଦ କୁରୁକ୍ଷେତ୍ରର ଜଣେ ବାରିକ ଏବଂ ସେ କହନ୍ତି ଯେ ସେ କେବଳ ବିରାଦରୀ ବା ଭାଇଚାରା ଭାବ ଦୃଷ୍ଟିରୁ ଏଠାକୁ ଆସିଛନ୍ତି ।

ଏହି ରାସ୍ତାରେ ହିଁ ତାଙ୍କ ମିନି ଟ୍ରକ୍‌ ବାହାରେ ବସିଛନ୍ତି ସର୍ଦ୍ଦାର ଗୁରମିକ ସିଂହ ଏବଂ ତାଙ୍କ ଚାରିପଟେ ମାଗଣାରେ ମାଲିସ ପାଇଁ ଲୋକଙ୍କ ଭିଡ଼ ଜମିଛି । ପଞ୍ଜାବରୁ ସିଂଘୁ ଯାଏ, ଟ୍ରାକ୍‌ଟର ଟ୍ରଲିରେ ଖୁନ୍ଦାଖୁନ୍ଦି ହୋଇ ଆସିବା ପରେ ସେମାନଙ୍କର ମାଂସପେଶୀର ଯନ୍ତ୍ରଣା ଲାଘବ କରିବା ଲାଗି ଏହି ଭିଡ଼ ଜମିଛି । ସେ କାହିଁକି ଏଠାରେ ସାହାଯ୍ୟ କରିବାକୁ ଆସିଲେ ବୋଲି ବୁଝାଇବାକୁ ଯାଇ ସେ କହନ୍ତି, “ସେମାନେ ଏବେ ଆହୁରି ଅନେକ ପ୍ରକାର ଯନ୍ତ୍ରଣା ଭିତର ଦେଇ ଗତି କରୁଛନ୍ତି... ।”

ଚଣ୍ଡୀଗଡ଼ର ଜଣେ ଡାକ୍ତର ସୁରିନ୍ଦର କୁମାରଙ୍କ ପାଇଁ ସେବା ଯେଉଁ ରୂପ ନେଇଛି ତାହା ହେଲା ଅନ୍ୟ ଡାକ୍ତରମାନଙ୍କ ସହ ମିଶି ଏଠାରେ ଏକ ଚିକିତ୍ସା ଶିବିର ଖୋଲିବା । ଆନ୍ଦୋଳନ ସ୍ଥଳର ଅଂସଖ୍ୟ ଚିକିତ୍ସା ଶିବିର ଭିତରୁ ଏହା ଗୋଟିଏ । ସୁଦୂର କୋଲକାତା ଓ ହାଇଦ୍ରାବାଦରୁ ଆସିଥିବା ଡାକ୍ତରମାନେ ବି କେତେକ ଶିବିର ଚଳାଉଛନ୍ତି । ସୁରିନ୍ଦର କହନ୍ତି, “ଆମେ ଡାକ୍ତରୀ ଡିଗ୍ରୀ ହାସଲ ବେଳେ ଯେଉଁ ଶପଥ ନେଇଥିଲୁ, ତାହା ପୂରଣ କରିବାକୁ ହିଁ ଚେଷ୍ଟା କରୁଛୁ- ଏହି ହାଡ଼ଥରା ଶୀତରେ, ଦିନ ପରେ ଦିନ ବିତାଉଥିବା ବୟସ୍କମାନଙ୍କର ଚିକିତ୍ସା କରୁଛୁ । ସେମାନଙ୍କ ମଧ୍ୟରୁ ଅନେକ ଖୋଲା ରାସ୍ତାରେ ରହୁଛନ୍ତି ।”

Kamaljit Kaur, a teacher from Ludhiana, and her colleagues have brought two sewing machines to Singhu, and fix for free missing shirt-buttons or tears in salwar-kameez outfits of the protesting farmers – as their form of solidarity
PHOTO • Joydip Mitra

ଲୁଧିଆନାର ଜଣେ ଶିକ୍ଷୟିତ୍ରୀ କମଲଜିତ କୌର, ଏବଂ ତାଙ୍କ ସହକର୍ମୀମାନେ ସିଂଘୁକୁ ଦୁଇଟି ସିଲେଇ ମେସିନ ଆଣିଛନ୍ତି ଏବଂ ମାଗଣାରେ ଆନ୍ଦୋଳନକାରୀ କୃଷକମାନଙ୍କର ସାର୍ଟ ବୋତାମ ଲଗାଉଛନ୍ତି କିମ୍ବା ଚିରି ଯାଇଥିବା ଶାଲୱାର କମୀଜ ଭଳି ପୋଷାକ ସିଲେଇ କରୁଛନ୍ତି - ଏହା ହିଁ ସେମାନଙ୍କ ସମର୍ଥନର ପରିପ୍ରକାଶ

ଆନ୍ଦୋଳନକାରୀଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ, ଲୁଧିଆନାର ସତପାଲ ସିଂହ ଏବଂ ତାଙ୍କ ବନ୍ଧୁମାନେ ଏକ ଖୋଲା ଟ୍ରକ୍‌ରେ ବସାଯାଇଥିବା ବିରାଟ ଆଖୁ ପେଡ଼ା ମେସିନ୍‌ ସିଂଘୁକୁ ବୋହି ଆଣିଛନ୍ତି । ସାଧାରଣତଃ ଏହି ମେସିନ୍‌ଗୁଡ଼ିକ ଚିନିକଳରେ ବ୍ୟବହୃତ ହୁଏ । ଆନ୍ଦୋଳନ ସ୍ଥଳରେ ସତପାଲ ଆଣିଥିବା ମେସିନରୁ ତାଜା ମିଠା ଆଖୁ ରସ ବାହାର କରି ସେହି ବାଟ ଦେଇ ଯାଉଥିବା ସବୁ ଲୋକଙ୍କୁ ଦିଆଯାଉଛି । ପ୍ରତି ଦିନ ସେମାନେ ଗୋଟିଏ ପୂରା ଟ୍ରକ୍‌ ଭର୍ତ୍ତି ଆଖୁରୁ ରସ ବାହାର କରନ୍ତି । ଲୁଧିଆନା ଜିଲ୍ଲାରେ ଥିବା ସେମାନଙ୍କ ଗାଁ ଅଲିୱାଲରୁ ସଂଗୃହୀତ ଚାନ୍ଦାରେ ଏହି ଆଖୁ କିଣାଯାଇଥାଏ ।

କୁଣ୍ଡଲିର ସେହି ମଲ୍‌ ସମ୍ମୁଖ ଅଗଣାରେ ତାଙ୍କ କଳା ଘୋଡ଼ାକୁ ଗାଧୋଇ ଦେଉଥିବା ଭଟିଣ୍ଡାର ନିହାଙ୍ଗ ଅମନଦୀପ ସିଂହ କହନ୍ତି ଯେ ପଞ୍ଜାବର କୃଷି ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ସେ ସିଂଘୁରେ ଅଛନ୍ତି । ମଲ୍‌ ନିକଟ ଲଙ୍ଗରକୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ପରଶି ଦେବା ବ୍ୟତୀତ, ଅମନଦୀପ ଓ ଅନ୍ୟମାନେ (ସମସ୍ତେ ନିହାଙ୍ଗ ଗୋଷ୍ଠୀର, ଯେଉଁମାନେ ଶିଖ ଯୋଦ୍ଧାମାନଙ୍କର ଏକପ୍ରତୀକ) ସବୁ ସନ୍ଧ୍ୟାରେ, ଦିଲ୍ଲୀ ପୋଲିସ ଦ୍ୱାରା ବ୍ୟାରିକେଡ୍‌ ରୂପେ ବ୍ୟବହୃତ କଣ୍ଟେନରଗୁଡ଼ିକର ଛାଇରେ ସେମାନେ ସ୍ଥାପନ କରିଥିବା ଶିବିର ପାଖ ସ୍ଥାନରେ କୀର୍ତ୍ତନ କରନ୍ତି ।

ଅମୃତସରର ଗୁରବେଜ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଏବଂ ଅନ୍ୟ ଛାତ୍ରମାନଙ୍କ ସହିତ ସେ ସିଂଘୁରେ ଡେରା ପକାଇଥିବା କୃଷକମାନଙ୍କ ମଧ୍ୟରେ ଟ୍ରଲି ଟାଇମ୍‌ସ ଶୀର୍ଷକ ଏକ ସାପ୍ତାହିକ ଖବରକାଗଜ ବିତରଣ କରନ୍ତି । ସେମାନେ ଏକ ପ୍ରଶସ୍ତ ସ୍ଥାନକୁ କପଡ଼ା ଓ ପ୍ଲାଷ୍ଟିକ୍‌ ସିଟ୍‌ରେ ଘେରି ଶିବିର କରିଛନ୍ତି ଏବଂ ସେଠାରେ କାଗଜ ଓ କଲମ ରଖିଛନ୍ତି । ଯେ କେହି ସେଠାକୁ ଆସି ପୋଷ୍ଟର ପାଇଁ ସ୍ଲୋଗାନ୍‌ ଲେଖିପାରିବେ । ଏହି ସବୁ ପୋଷ୍ଟରର ଏକ ପ୍ରଦର୍ଶନୀ ସେଠାରେ ସବୁବେଳେ ଖୋଲା ରହିଛି ଏବଂ ସେମାନେ ସେଠାରେ ଏକ ମାଗଣା ପାଠାଗାର ମଧ୍ୟ ଚଳାଉଛନ୍ତି । ପଞ୍ଜାବ ବିଶ୍ୱବିଦ୍ୟାଳୟର ଆମ୍ବେଦକର ଛାତ୍ର ସଂଘର ସଦସ୍ୟମାନେ ମଧ୍ୟ ସିଂଘୁରେ ଏକ ମାଗଣା ପାଠାଗାର ଚଳାଇଛନ୍ତି ଏବଂ ସେମାନେ ପୋଷ୍ଟର ବି ତିଆରି କରୁଛନ୍ତି । ( ଶୀର୍ଷରେ କଭର ଫଟୋ ଦେଖନ୍ତୁ )

ରାତି ଘନେଇ ଆସିବା ସହିତ ଆମେ ଯେତେବେଳେ କୁଣ୍ଡଲିରୁ ସିଂଘୁ ସୀମାକୁ ଚାଲି ଚାଲି ଫେରୁ, ଅନେକ ସ୍ଥାନରେ ଅଟକି ରହି ନିଜକୁ ଉଷୁମ କରିବା ପାଇଁ ସେଠାରେ ଲାଗିଥିବା ନିଆଁ ଚାରିପଟେ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ସହ ଏକାଠି ବସୁ ।

ସେହି ରାସ୍ତାରେ ଆମେ ବାବା ଗୁରପାଲ ସିଂହଙ୍କୁ ମଧ୍ୟ ତାଙ୍କ ତମ୍ବୁ ଭିତରେ ସାକ୍ଷାତ କରୁ ଏବଂ ତାଙ୍କଠାରୁ ଚା’ ପିଇଲୁ । ସବୁବେଳେ ସେ ଚା’ ପ୍ରସ୍ତୁତ କରି ରଖିଥାଆନ୍ତି । ୮୬ ବର୍ଷୀୟ ବାବା ଗୁରପାଲ, ଜଣେ ତ୍ୟାଗୀ ଏବଂ ପଟିଆଲା ନିକଟ ଖାନ୍‌ପୁର ଗୋଣ୍ଡିୟା ଗୁରୁଦ୍ୱାରର ଜଣେ ଗ୍ରନ୍ଥି । ସେ ଜଣେ ବିଜ୍ଞ ବ୍ୟକ୍ତି ଏବଂ ଆମକୁ ଶିଖସଂପ୍ରଦାୟର ପରିଚୟ ଭିତ୍ତିକ ରାଜନୀତିର ଇତିହାସ ସଂପର୍କରେ ଶିକ୍ଷା ଦିଅନ୍ତି ଏବଂ କିଭଳି ଏକ ବୃହତ୍‌ ସାଧାରଣ ଉଦ୍ଦେଶ୍ୟ ସାଧନ ନିମନ୍ତେ କୃଷକମାନଙ୍କର ଏହି ଆନ୍ଦୋଳନ ସେହି ସଂପ୍ରଦାୟ ଭିତ୍ତିକ ସୀମା ଅତିକ୍ରମ କରି ସମଗ୍ର ଦେଶର ଏକ ଆନ୍ଦୋଳନରେ ପରିଣତ ହୋଇଛି, ତାହା ମଧ୍ୟ କହନ୍ତି ।

ବାବା ଗୁରପାଲଙ୍କୁ ମୁଁ ପଚାରେ ଯେ ସେ ଓ ତାଙ୍କ ବୟସ୍କ ସାଥୀମାନେ କାହିଁକି ସିଂଘୁ ସୀମାରେ ସେବା କରୁଛନ୍ତି ଏବଂ ଦିନକୁ ଆଠ ଘଣ୍ଟା ସମସ୍ତଙ୍କୁ ଚା’ ପିଇବାକୁ ଦେଉଛନ୍ତି । ରାତିର ଅନ୍ଧାରରେ ଦୃଶ୍ୟମାନ ଧୂଆଁ ଓ ନିଆଁର ସମାହାରକୁ ଚାହିଁ ସେ ଉତ୍ତର ଦିଅନ୍ତି, “ଏ ହେଉଛି ଆମେ ସମସ୍ତେ ବାହାରକୁ ଆସି ନିଜ ନିଜର ଭୂମିକା ନିର୍ବାହ କରିବାର ସମୟ, କାରଣ ଏହା ଏବେ ଭଲ ଓ ମନ୍ଦ ମଧ୍ୟରେ ପ୍ରତ୍ୟକ୍ଷ ସଂଗ୍ରାମରେ ପରିଣତ ହୋଇଛି । ଐତିହାସିକ କୁରୁକ୍ଷେତ୍ର ଯୁଦ୍ଧରେ ଏହା ହିଁ ଘଟିଥିଲା ।”

PHOTO • Joydip Mitra

କୁରୁକ୍ଷେତ୍ରରୁ ଆସିଥିବା ଜଣେ ବୟୋଜ୍ୟେଷ୍ଠ ସ୍ୱେଚ୍ଛାସେବୀ, ସେଠାକୁ ଆସୁଥିବା ଯେ କୌଣସି ଲୋକଙ୍କ ପାଇଁ ମେଥି ପରଟା ତିଆରି କରିବାରେ ଦିନର ଅଧିକାଂଶ ସମୟ ବ୍ୟୟ କରନ୍ତି । ସିଂଘୁରେ ସ୍ଥାପିତ ଅଧିକାଂଶ ଲଙ୍ଗର ରେ ସ୍ୱୟଂଚାଳିତ ରୁଟି ତିଆରି ମେସିନ୍‌ (କେତେକ ମେସିନ୍‌ରେ ଘଣ୍ଟାକୁ ୨,୦୦୦ରୁଟି ତିଆରି ହୁଏ ) ଲାଗିଥିବା ବେଳେ ନିଜକୁ ଏକ ପରଟା ତିଆରି ମେସିନ୍‌ରେ ପରିଣତ କରି ସେ ତାଙ୍କର ସେବା ପ୍ରଦାନ କରନ୍ତି ।

PHOTO • Joydip Mitra

ଲୁଧିଆନାର ସତପାଲ ସିଂହ (ଡାହାଣରେ ବସିଛନ୍ତି ଏବଂ ଆଖୁରସରେ ଲୁଣ ଛିଞ୍ଚୁଛନ୍ତି) ଏବଂ ତାଙ୍କ ସାଙ୍ଗମାନେ ଏକ ଖୋଲା ଟ୍ରକ୍‌ରେ ବିରାଟ ବଡ଼ ଆଖୁ ପେଡ଼ା ମେସିନ୍‌ ବସାଇ ସିଂଘୁକୁ ବୋହି ଆଣିଛନ୍ତି । ସାଧାରଣତଃ ଏହି ସବୁ ମେସିନ୍‌ ଚିନି କଳରେ କାମରେ ଲାଗେ । ଆନ୍ଦୋଳନ ସ୍ଥଳର ସେହି ରାସ୍ତା ଦେଇ ଯାଉଥିବା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ଏହି ମେସିନ୍‌ରୁ ମିଠା, ତାଜା ଆଖୁରସ ବାହାର କରାଯାଏ ।

PHOTO • Joydip Mitra

ଶିଖ କୃଷକମାନଙ୍କୁ ପଗଡ଼ି ବାନ୍ଧିବାରେ ସାହାଯ୍ୟ କରିବା ଏବଂ ଅନ୍ୟମାନଙ୍କ ଉପଯୋଗ ପାଇଁ ଟ୍ରକ୍‌ ପାର୍ଶ୍ୱରେ ଧାଡ଼ିକି ଧାଡ଼ି ଦର୍ପଣ ଲାଗିଛି । ଦିନ ତମାମ ଏହି ଟ୍ରକ୍‌ରୁ ଟୁଥ୍‌ବ୍ରସ୍, ଟୁଥ୍‌ପେଷ୍ଟ, ସାବୁନ ଏବଂ ହ୍ୟାଣ୍ଡ ସାନିଟାଇଜର ଭଳି ସାମଗ୍ରୀ ବିତରଣ କରାଯାଏ ।

PHOTO • Joydip Mitra

ହରିଆଣାର ଏକ ଗାଁରୁ ସିଂଘୁକୁ ସୌରଶକ୍ତି ପ୍ୟାନେଲ ଲାଗିଥିବା ଗୋଟିଏ ଟ୍ରକ୍‌ ପଠାଯାଇଛି । ଏହି ଟ୍ରକ୍‌ ପାର୍ଶ୍ୱରେ ଝୁଲୁଥିବା ମୋବାଇଲ ଚାର୍ଜର ପୋର୍ଟକୁ ଏଥିରୁ ଶକ୍ତି ଯୋଗାଇ ଦିଆଯାଏ । ଏହି ପ୍ରକୃତ ମୋବାଇଲ ଚାର୍ଜରରୁ ଆନ୍ଦୋଳନକାରୀମାନେ ନିଜ ନିଜର ଫୋନ୍‌ ଚାର୍ଜ କରନ୍ତି ।

PHOTO • Joydip Mitra

ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ଖୁକ୍ରାନା ଗାଁର ଯୁବକମାନେ ଜଣେ ପେସାଦାର ଜୋତା କାରିଗରଙ୍କୁ କାମରେ ନିୟୋଜିତ କରିଛନ୍ତି ଏବଂ ଆନ୍ଦୋଳନକାରୀ କୃଷକମାନଙ୍କ ଜୋତା ମରାମତିରେ ସେମାନେ ତାଙ୍କୁ ସାହାଯ୍ୟ କରନ୍ତି ।

PHOTO • Joydip Mitra

ସପ୍ତାହ ସପ୍ତାହ ଧରି ଖୋଲା ରାଜପଥ ଭଳି ସ୍ଥାନରେ ରହୁଥିବା ବେଳେ ଲୁଗାପଟା ଧୋଇବା ଏବଂ ସଫା ରଖିବା ଲାଗି ଅନେକ ସ୍ୱେଚ୍ଛାସେବୀ ଲଣ୍ଡ୍ରି ସେବା ଆରମ୍ଭ କରିଛନ୍ତି । ଏଥିପାଇଁ ଗୋଟିଏ ସ୍ଥାନରେ ଅଧ ଡଜନ ୱାସିଂମେସିନ୍‌ ରଖାଯାଇଛି ଏବଂ ଯେ କେହି ଏଠାକୁ ଆସି ସେମାନଙ୍କ ଲୁଗାପଟା ମେସିନ୍‌ରେ ସଫା କରିଦେବାକୁ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିପାରିବେ ।

PHOTO • Joydip Mitra

ସନ୍ଧ୍ୟାରେ ଏକ କୀର୍ତ୍ତନ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତ ହେବା ପାଇଁ ତାଙ୍କ ଘୋଡ଼ାକୁ ଗାଧୋଇ ଦେଉଛନ୍ତି ଅମନଦୀପ ସିଂହ । ସିଂଘୁରେ ଡେରା ପକାଇଥିବା ନିହାଙ୍ଗମାନଙ୍କର ଏକ ଗୋଷ୍ଠୀ ପ୍ରବଚନ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ସହିତ ସେଠାରେ ଅଟକୁଥିବା ଲୋକମାନଙ୍କୁ ନିଜ ଲଙ୍ଗରରୁ ଖାଦ୍ୟ ଦେଇଥାଆନ୍ତି

PHOTO • Joydip Mitra

ଜଳନ୍ଧରର ଜଣେ ଶିକ୍ଷୟିତ୍ରୀ ବଲଜିନ୍ଦର କୌର ଏକ ବଡ଼ ତମ୍ବୁ ଭିତରେ ରଖାଯାଇଥିବା ଅଂସଖ୍ୟ ଗଦି, କମ୍ବଳ, ତକିଆ ପ୍ରଭୃତିର ଦେଖାରଖା କରନ୍ତି । ସିଂଘୁରେ ଆନ୍ଦୋଳନରତ କୃଷକମାନଙ୍କୁ ଏବଂ ସେଠାରେ ଗୋଟିଏ କି ଦୁଇ ରାତି ବିତାଇବାକୁ ଚାହୁଁଥିବା ସେମାନଙ୍କ ସମର୍ଥକମାନଙ୍କୁ ଆରାମରେ ରହିବାକୁ ଦେବା ଲାଗି ଏହି ବ୍ୟବସ୍ଥା କରାଯାଇଛି

PHOTO • Joydip Mitra

ଫ୍ରେଣ୍ଡସ ଅଫ୍‌ ଭଗତ ସିଂହ ସୋସାଇଟି ର ସଦସ୍ୟମାନେ ଆନ୍ଦୋଳନକାରୀଙ୍କ ପାଇଁ ପ୍ରକାଶ ପାଉଥିବା ଟ୍ରଲି ଟାଇମ୍‌ସ’ ନାମକ ଏକ ଖବର ପତ୍ରିକା ବିତରଣ କରନ୍ତି । ସେମାନେ ମଧ୍ୟ ଏକ ମାଗଣା ପାଠାଗାର ଏବଂ ଏକ ପୋଷ୍ଟର ପ୍ରଦର୍ଶନୀର ପରିଚାଳନା କରନ୍ତି ଏବଂ ପ୍ରତି ସନ୍ଧ୍ୟାରେ ଆଲୋଚନା ଚକ୍ର ଆୟୋଜନ କରନ୍ତି ।

PHOTO • Joydip Mitra

ଆନ୍ଦୋଳନକାରୀମାନଙ୍କ ରହଣି ପାଇଁ ଏବଂ ଶୀତ ରାତିରେ ସେମାନଙ୍କୁ ଉଷୁମ ରଖିବା ପାଇଁ ପଞ୍ଜାବର ଏକ ବେସରକାରୀ ସଂଗଠନ ପକ୍ଷରୁ ସିଂଘୁର ଏକ ପେଟ୍ରୋଲ ପମ୍ପ ପରିସରରେ ୧୦୦ଟି ହାଇକିଂ ଟେଣ୍ଟ ସ୍ଥାପନ କରାଯାଇଛି ; ସେମାନେ ଏହାକୁ ଟେଣ୍ଟ ସିଟି କହୁଛନ୍ତି ।

PHOTO • Joydip Mitra

ଚଣ୍ଡୀଗଡ଼ର ଜଣେ ଡାକ୍ତର ସୁରିନ୍ଦର କୁମାର ଓ ଅନ୍ୟ କେତେକ ଡାକ୍ତରଙ୍କ ପାଇଁ ସେବାର ରୂପ ନେଇଛି ସିଂଘୁରେ ସ୍ଥାପିତ ଏକ ଡାକ୍ତରୀ ଚିକିତ୍ସା ଶିବିର । ଆନ୍ଦୋଳନ ସ୍ଥଳରେ ସ୍ଥାପିତ ଅଗଣିତ ଡାକ୍ତରୀ ଶିବିର ମଧ୍ୟରୁ ଏହା ଗୋଟିଏ-କେତେକ ଆକଳନରୁ ଜଣାଯାଏ ଯେ ସେଠାରେ ଏଭଳି ୩୦ରୁ ଅଧିକ ଚିକିତ୍ସା ଶିବିର ରହିଛି ।

PHOTO • Joydip Mitra

ସର୍ଦ୍ଦାର ଗୁରମିତ ସିଂହ ଜଣେ ହକିମ, ଜଣେ ଆତ୍ମଶିକ୍ଷିତ ବୋନ୍‌ ସେଟର୍‌ ବା ହାଡ଼ ଯୋଡ଼ାଳି ଓ ମାଂସପେଶୀ ଚିକିତ୍ସକ ମଧ୍ୟ ସିଂଘୁରେ ଅଛନ୍ତି ଏବଂ ଟ୍ରାକ୍‌ଟର ଟ୍ରଲିରେ ଖୁନ୍ଦାଖୁନ୍ଦି ହୋଇ ଦୀର୍ଘ ପଥ ଯାତ୍ରା କରି ସେଠାକୁ ଆସିଥିବା କ୍ଳାନ୍ତ ଶ୍ରାନ୍ତ ଲୋକଙ୍କ ମାଲିସ କରି ଦେଉଛନ୍ତି ।

PHOTO • Joydip Mitra

ସିଂଘୁର ଏକ ପଗଡ଼ି ଲଙ୍ଗର , ଯେଉଁଠାରେ ପଗଡ଼ି ବ୍ୟବହାରକାରୀମାନେ ମୁଣ୍ଡରେ ନୂଆ ପଗଡ଼ି ବାନ୍ଧିପାରିବେ ପଗଡ଼ି ବ୍ୟବହାର କରୁ ନଥିବା ଲୋକେ ବି ସେଠାକୁ ଯାଇ ପଗଡ଼ି ବାନ୍ଧି ଆନ୍ଦୋଳନ ପ୍ରତି ସମର୍ଥନ ଭାବ ପ୍ରକାଶ କରନ୍ତି ।

PHOTO • Joydip Mitra

୮୬ ବର୍ଷୀୟ ବାବା ଗୁରପାଲ ସିଂହ, ପଟିଆଲା ନିକଟ ଖାନ୍‌ପୁର ଗୋଣ୍ଡିୟା ଗୁରୁଦ୍ୱାରର ଜଣେ ଗ୍ରନ୍ଥି । ସେ ଜଣେ ବିଜ୍ଞ ବ୍ୟକ୍ତି ଏବଂ ଆମକୁ ଶିଖ ସଂପ୍ରଦାୟର ପରିଚୟ ଭିତ୍ତିକ ରାଜନୀତିର ଇତିହାସ ସଂପର୍କରେ ଶିକ୍ଷା ଦିଅନ୍ତି ଏବଂ କିଭଳି ଏକ ବୃହତ୍‌ ସାଧାରଣ ଉଦ୍ଦେଶ୍ୟ ସାଧନ ନିମନ୍ତେ କୃଷକମାନଙ୍କର ଏହି ଆନ୍ଦୋଳନ ସେହି ସଂପ୍ରଦାୟ ଭିତ୍ତିକ ସୀମା ଅତିକ୍ରମ କରି ଏବେ ସମଗ୍ର ଦେଶର ଏକ ଆନ୍ଦୋଳନରେ ପରିଣତ ହୋଇଛି, ତାହା ମଧ୍ୟ କହନ୍ତି । ସେ କହନ୍ତି, ଏହାହିଁ ଆମେ ସମସ୍ତେ ବାହାରକୁ ବାହାରି ନିଜ ନିଜର ଭୂମିକା ନିର୍ବାହ କରିବାର ସମୟ, କାରଣ ଏହା ଏବେ ଭଲ ଓ ମନ୍ଦ ମଧ୍ୟରେ ପ୍ରତ୍ୟକ୍ଷ ସଂଗ୍ରାମରେ ପରିଣତ ହୋଇଛି ।

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Joydip Mitra

Joydip Mitra is a freelance photographer based in Kolkata, who documents people, fairs and festivals across India. His work has been published in various magazines, including ‘Jetwings’, ‘Outlook Traveller’, and ‘India Today Travel Plus’.

Other stories by Joydip Mitra