୨୦୧୮ ମସିହାରେ ଗାଡ୍ଡାମିଡି ରାଜେଶ୍ୱରୀ ଜଣେ ଜମିମାଲିକ ହେଲେ। “ମୁଁ ବହୁତ ଖୁସି ଥିଲି! ମୁଁ ଜଣେ ମହିଳା ହୋଇ ବି ଜମିର ମାଲିକ ହେବି।”

ହାତରେ ଧରିଥିବା ଆନୁଷ୍ଠାନିକ ସତ୍ତ୍ୱାଧିକାରୀ ଡିଡ୍‌କୁ ଗର୍ବର ସହ ଚାହିଁ ସେ ଅନ୍ତତଃପକ୍ଷେ ସେତିକି ଭାବିଲେ।

ପାଞ୍ଚ ବର୍ଷ ପରେ ମଧ୍ୟ ତାଙ୍କ ଗାଁ ୟେଙ୍କେପଲ୍ଲୀଠାରୁ ୩୦ କିଲୋମିଟର ଦୂର ବାରୱାଡ୍‌ରେ ଟ. ୩୦, ୦୦୦ ଦେଇ କିଣିଥିବା ୧.୨୮ ଏକର ଜମି ଉପରେ ତାଙ୍କର ମାଲିକାନାକୁ ରାଜ୍ୟ ସରକାର ସ୍ୱୀକୃତି ଦେବା ପାଇଁ ସେ ଅପେକ୍ଷା କରି ରହିଛନ୍ତି।

ଜମି କିଣିବାର କିଛି ମାସ ମଧ୍ୟରେ, ରାଜେଶ୍ୱରୀଙ୍କୁ ଟାଇଟଲ୍ ଡିଡ୍, ଏନକ୍ୟୁମ୍ବ୍ରାନ୍ସ ଷ୍ଟେଟମେଣ୍ଟ ଏବଂ ପଟ୍ଟାଦାର ପାସବୁକ୍ ପାଇବା ପାଇଁ ଆବଶ୍ୟକ କରୁଥିବା ସମସ୍ତ ଡକ୍ୟୁମେଣ୍ଟ୍ ମିଳିଗଲା। କିନ୍ତୁ ସେସବୁ ବ୍ୟର୍ଥ ହୋଇଗଲା। “ଏବେକୁ ପାଞ୍ଚ ବର୍ଷ ବିତିଗଲାଣି ଏବଂ ମୁଁ ତଥାପି ମୋର ପଟ୍ଟାଦାର [ଜମି ମାଲିକ] ପାସବୁକ୍ ପାଇନାହିଁ। ପଟ୍ଟାଦାର ପାସବୁକ୍ ବିନା, ଏହା(ଜମି) କ’ଣ ପ୍ରକୃତରେ ମୋର?”

ଜମିର ମାଲିକାନା କିପରି ସ୍ଥାନାନ୍ତରିତ ହୋଇଛି ତାହା ଟାଇଟଲ୍ ଡିଡ୍ ଦର୍ଶାଉଥିବାବେଳେ, ପଟ୍ଟାଦାର୍ ପାସବୁକ୍ ମାଲିକାନା ବିଷୟରେ ଅଧିକ ବିବରଣୀ ପ୍ରଦାନ କରେ। ପାସବୁକ୍‌ରେ ପଟ୍ଟାଦାରଙ୍କ ନାମ, ସର୍ଭେ ନମ୍ବର, ଜମି ପ୍ରକାର ଏବଂ ଅଧିକ ବିବରଣୀ ଅଛି। ଏଥିରେ ମାଲିକଙ୍କ ପାସପୋର୍ଟ ଫଟୋ ଏବଂ ତହସିଲଦାରଙ୍କ ଦସ୍ତଖତ ମଧ୍ୟ ଅଛି।

Gaddamidi Rajeshwari holding the title deed for the land she bought in 2018. ' It’s been five years now and I still haven’t received my pattadar [land owner] passbook'
PHOTO • Amrutha Kosuru

ଗାଡ୍ଡାମିଡି ରାଜେଶ୍ୱରୀ ୨୦୧୮ରେ କିଣିଥିବା ଜମିର ଟାଇଟଲ୍ ଡିଡ୍ ଧରିଛନ୍ତି। 'ଏବେକୁ ପାଞ୍ଚ ବର୍ଷ ହେଲାଣି ଏବଂ ମୁଁ ମୋର ପଟ୍ଟାଦାର [ଜମି ମାଲିକ] ପାସବୁକ୍ ପାଇ ନାହିଁ'

ଅକ୍ଟୋବର ୨୦୨୦ ରେ ଜମି ଏବଂ ପଟ୍ଟାଦାର ପାସ୍ ବୁକ୍‌ରେ ତେଲେଙ୍ଗାନା ଅଧିକାର ଆଇନ, ୨୦୨୦ ଅନ୍ତର୍ଗତ ଏକ ଅନଲାଇନ୍ ଜମିଜମା ରେକର୍ଡ ପରିଚାଳନା ବ୍ୟବସ୍ଥା - ଧରଣୀ ପୋର୍ଟାଲ୍ ଆରମ୍ଭ ହେବାପରେ ରାଜେଶ୍ୱରୀଙ୍କ ଆଶା ବଢ଼ି ଯାଇଥିଲା।

ଏହାର ଶୁଭାରମ୍ଭ ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହାକୁ କୃଷକ ଅନୁକୂଳ ପଦକ୍ଷେପ ବୋଲି ସମ୍ବୋଧିତ କରି କହିଥିଲେ, “ଏହି ପ୍ଲାଟଫର୍ମ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବ। ଲୋକମାନଙ୍କୁ ଏ ଅଫିସରୁ ସେ ଅଫିସ ଦୌଡ଼ିବା ଦରକାର ପଡ଼ିବ ନାହିଁ।”

ରାଜେଶ୍ୱରୀଙ୍କ ସ୍ୱାମୀ ରାମୁଲୁ କହନ୍ତି, “ଆମେ ଆଶା କରିଥିଲୁ ଯେ ଧରଣୀ [ପୋର୍ଟାଲ୍] ଆମ ସମସ୍ୟାର ସମାଧାନ କରିବ ଏବଂ ଶେଷରେ ଆମେ ଆମର ପାସବୁକ୍ ପାଇବୁ। ୨୦୧୯ ଶେଷ ଯାଏଁ ଆମେ ମାସକୁ ଅତି କମ୍‌ରେ ଦୁଇ ଥର ତହସିଲଦାରଙ୍କ ଅଫିସକୁ ଯାଉଥିଲୁ।"

୨୦୨୦ ରେ, ଯେତେବେଳେ ଏହି ଦମ୍ପତି ଧରଣୀ ପୋର୍ଟାଲ୍‌ରେ ଯାଞ୍ଚ କରିଥିଲେ, ସେମାନେ ଜାଣିବାକୁ ପାଇଲେ ଯେ ପୋର୍ଟାଲ୍‌ରେ ସେମାନଙ୍କ ଜମିର ସର୍ଭେ ନମ୍ବର ହିଁ ନାହିଁ। ଏବଂ, ଏହାକୁ ହସ୍ତକୃତ ଭାବରେ ଯୋଗ କରାଯାଇପାରିବ ନାହିଁ।

ବିକରାବାଦର କିଷାନମିତ୍ର ଜିଲ୍ଲା ସଂଯୋଜକ ତଥା ପରାମର୍ଶଦାତା ଭାର୍ଗବୀ ବୁପ୍ପାଲା ସ୍ୱୀକାର କରିଛନ୍ତି,“ଧରଣୀ ପୋର୍ଟାଲ୍‌ରେ ଏକ ପ୍ରମୁଖ ସମସ୍ୟା ହେଉଛି ଯେକୌଣସି ତ୍ରୁଟି (ଯେପରିକି ନାମ, ଏକର କିମ୍ବା ନିଖୋଜ ସର୍ଭେ ନମ୍ବର) ସଂପାଦନା / ପରିବର୍ତ୍ତନ କରିବାର ବିକଳ୍ପ ବର୍ତ୍ତମାନ ସୀମିତ ଅଟେ।”

Left: Ramulu and Rajeshwari spent Rs. 30,000 to buy 1.28 acres of land in Barwad, 30 kilometres from their home in Yenkepalle village.
PHOTO • Amrutha Kosuru
Right: Mudavath Badya in his home in Girgetpalle village in Vikarabad district
PHOTO • Amrutha Kosuru

ବାମ: ରାମୁଲୁ ଏବଂ ରାଜେଶ୍ୱରୀ ତାଙ୍କ ଗାଁ ୟେଙ୍କେପଲ୍ଲୀଠାରୁ ୩୦ କିଲୋମିଟର ଦୂର ବାରୱାଡ୍‌ରେ ୧.୨୮ ଏକର ଜମି କିଣିବା ପାଇଁ ଟ. ୩୦, ୦୦୦ ଖର୍ଚ୍ଚ କରିଛନ୍ତି। ଡାହାଣ: ବିକାରାବାଦ ଜିଲ୍ଲାର ଗିର୍ଗେଟପଲ୍ଲୀ ଗାଁରେ ଥିବା ତାଙ୍କ ଘରେ ମୁଦାଭତ ବଦ୍ୟା

ମାଲିକଙ୍କ ନାମରେ ଏକ ତ୍ରୁଟି ଯୋଗୁଁ ପ୍ରାୟ ୨୦ କିଲୋମିଟର ଦୂରରେ ବିକାରାବାଦ ଜିଲ୍ଲାର ଗିର୍ଗେଟପଲ୍ଲୀରେ ମୁଦାଭତ ବାଦ୍ୟାଙ୍କୁ ତାଙ୍କ ଜମିର ଆଇନଗତ ଅଧିକାର ମିଳି ପାରି ନାହିଁ। ପୋର୍ଟାଲ୍‌ରେ ତାଙ୍କ ନାମ ‘ବଦ୍ୟା ଲାମ୍ବଡା’ ଭାବରେ ରେକର୍ଡ କରାଯାଇଛି, ଲାମ୍ବଡା ହେଉଛି ତାଙ୍କ ସମୁଦାୟର ନାମ ଯାହା କି ତେଲେଙ୍ଗାନାରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ। ତାଙ୍କ ନାମ ‘ମୁଦାଭତ ବଦ୍ୟା’ ଲେଖାଯିବା ଉଚିତ।

ବଦ୍ୟାଙ୍କର ଦୁଇ ଏକର ଜମି ଅଛି ଯାହାକୁ ସେ ୪୦ ବର୍ଷ ପୂର୍ବେ କିଣିଥିଲେ। ୮୦ ବର୍ଷୀୟ ବଦ୍ୟା କୁହନ୍ତି, “ଜମି ମାଲିକ ହେବା ପୂର୍ବରୁ ମୁଁ ଅନ୍ୟମାନଙ୍କ ଜମିରେ ଚାଷ କରୁଥିଲି, ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲି ଏବଂ ଅନେକ ବର୍ଷ ଯାଏଁ ଇଟାଭାଟିରେ ଖଟିଲି।” ସେ ମକା ଏବଂ ବାଜରା ଚାଷ କରିଥିଲେ କିନ୍ତୁ ତାଙ୍କ କହିବା କଥା ହେଲା, “ଚାଷରୁ ମିଳୁଥିବା ଟଙ୍କାରେ କେବେବି ଆମର ଗୁଜୁରାଣ ମେଣ୍ଟେ ନାହିଁ। ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଫସଲ ନଷ୍ଟ ହୋଇଯାଉଥିଲା। ”

ତାଙ୍କ ନାଁ ଭୁଲ୍‌ ଭାବରେ ପଞ୍ଜୀକୃତ ହୋଇଥିବାରୁ ସେ ତେଲେଙ୍ଗାନାର ଏକ କଲ୍ୟାଣକାରୀ ଯୋଜନା ରାଇଥୁ ବନ୍ଧୁ ଯୋଜନାର ଲାଭ ପାଇ ପାରୁ ନାହାନ୍ତି। ଏହି ଯୋଜନାରେ ଅତି କମ୍‌ରେ ଏକ ଏକର ଜମି ଥିବା ଚାଷୀଙ୍କୁ ବର୍ଷକୁ ଦୁଇଥର ରବି ଏବଂ ଖରିଫ ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଏ।

ବିକାରାବାଦ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଅଧିକାରୀ ତାଙ୍କ ନାମ ପ୍ରକାଶ ନ କରି କହିଛନ୍ତି ଯେ ସେମାନେ ଏହାକୁ ସଂଶୋଧନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଧରଣୀରେ ଥିବା ସମସ୍ୟାକୁ ନେଇ ରାଜନୀତି କରାଯାଉଛି।  ବର୍ତ୍ତମାନ ସମୟରେ ୧୦ ଟି ବିବରଣୀ ଅଛି ଯେପରିକି ନାମ, ଆଧାର, ଫଟୋ, ଲିଙ୍ଗ କିମ୍ବା ଜାତି ଯାହା ‘ନିର୍ଦ୍ଦିଷ୍ଟ ଜମି ପ୍ରସଙ୍ଗ’ ବର୍ଗରେ ସଂଶୋଧିତ ହୋଇପାରିବ।

ପ୍ରାୟ ୪୦ କିଲୋମିଟର ଦୂର ବୋପାନୱାରମ୍ ଗାଁରେ ରଙ୍ଗେୟାଙ୍କ ନାମ ଧରଣୀ ପୋର୍ଟାଲରେ ସଠିକ ଭାବରେ ଲେଖାଯାଇଥିଲେ ମଧ୍ୟ ସେ ରାଇଥୁ ବନ୍ଧୁ ଯୋଜନାର ଟଙ୍କା ପାଇ ପାରୁ ନାହାନ୍ତି। ରଙ୍ଗେୟାଙ୍କର ବୋପାନୱାରମ୍ ଗାଁରେ ପାଞ୍ଚ ଏକର ଜମି ଅଛି। ୧୯୮୯ ରେ ତାଙ୍କୁ ଏହି ଜମି ଦିଆଯାଇଥିଲା। ରଙ୍ଗେୟା ବେଡ଼ା ଜଙ୍ଗମ୍ ସମୁଦାୟର ଅଟନ୍ତି ଯାହା ରାଜ୍ୟରେ ଏକ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ।

Left: Rangayya suddenly stopped receiving money from the Rythu Bandhu scheme even though his name is spelt perfectly on the Dharani portal
PHOTO • Amrutha Kosuru
Badya bought two acres in Girgetpalle but his name was spelt incorrectly, he has not received the Rythu Bandhu money. Badya with his youngest son Govardhan (black shirt) in their one-room house
PHOTO • Amrutha Kosuru

ବାମ: ରଙ୍ଗେୟାଙ୍କୁ ହଠାତ୍ ରାଇଥୁ ବନ୍ଧୁ ଯୋଜନାରୁ ଟଙ୍କା ମିଳିବା ବନ୍ଦ ହୋଇଗଲା ଯଦିଓ ତାଙ୍କ ନାମ ଧରଣୀ ପୋର୍ଟାଲରେ ଠିକ୍ ଭାବରେ ଲେଖାଯାଇଛି। ଡାହାଣ: ବଦ୍ୟା ଗିର୍ଗେଟପଲ୍ଲୀରେ ଦୁଇ ଏକର କିଣିଥିଲେ କିନ୍ତୁ ତାଙ୍କ ନାମର ବନାନ ଭୁଲ୍ ଲେଖାଯାଇଥିଲା, ସେ ରାଇଥୁ ବନ୍ଧୁ ଯୋଜନାର ଟଙ୍କା ପାଇ ନାହାନ୍ତି। ବଦ୍ୟା ତାଙ୍କ ସବା ସାନପୁଅ ଗୋବର୍ଦ୍ଧନ (କଳା ସାର୍ଟ) ସହିତ ଗୋଟିଏ କୋଠରୀ ବିଶିଷ୍ଟ ଘରେ

“ମୁଁ ୨୦୧୯-୨୦୨୦ ମଧ୍ୟରେ ତିନୋଟି କିସ୍ତି ପାଇଥିଲି। ମୋର ଜମି ଧରଣୀ ପୋର୍ଟାଲରେ ଡିଜିଟାଇଜ୍ ହୋଇଗଲା ପରେ ମୋତେ ଟଙ୍କା ମିଳିବା ବନ୍ଦ ହୋଇଗଲା,” ୬୭ ବର୍ଷୀୟ ରଙ୍ଗେୟା ସ୍ପଷ୍ଟ କରିଛନ୍ତି। ସେ ପ୍ରତ୍ୟେକ କିସ୍ତିରେ ୨୫, ୦୦୦ଟଙ୍କା (ଏକର ପିଛା ୫୦୦୦ଟଙ୍କା) ପାଉଥିଲେ।

“କୌଣସି ଅଧିକାରୀ ମୋତେ ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି। ବୋଧହୁଏ ସେମାନେ ନିଜେ ଜାଣି ନାହାଁନ୍ତି ଯେ କ’ଣ କହିବେ କି ଏମିତି କାହିଁକି ହେଉଛି।”

ଭାର୍ଗବୀ କହିଛନ୍ତି ଯେ ପୋର୍ଟାଲରେ ହସ୍ତକୃତ ଭାବରେ ତ୍ରୁଟି ସଂଶୋଧନ କରିବା ପାଇଁ କୌଣସି ବିକଳ୍ପ ନାହିଁ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଜଣେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ଭାର୍ଗବୀ ଆହୁରି ମଧ୍ୟ କହିଛନ୍ତି, “ପ୍ରଦାନ କରାଯାଇଥିବା ଜମି କ୍ଷେତ୍ରରେ, ପୋର୍ଟାଲରେ କେବଳ ଉତ୍ତରାଧିକାରୀଙ୍କ ନାମ ପରିବର୍ତ୍ତନ କରିବାକୁ ବିକଳ୍ପ ରହିଛି।” ପ୍ରଦାନ କରାଯାଇଥିବା ଜମି ବିକ୍ରି ହୋଇପାରିବ ନାହିଁ, କିନ୍ତୁ କେବଳ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର ହୋଇପାରିବ।

ବଦ୍ୟା ତାଙ୍କ ସବା ସାନପୁଅ ଗୋବର୍ଦ୍ଧନଙ୍କ ସହ ଗିର୍ଗେଟପଲ୍ଲୀରେ ଏକ କୋଠରୀ ବିଶିଷ୍ଟ କଚ୍ଚା ଘରେ ରହୁଛନ୍ତି; ଛଅ ବର୍ଷ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି।

ସେ କେବଳ ରାଇଥୁ ବନ୍ଧୁ ପାଣ୍ଠି ପାଉନାହାଁନ୍ତି ତା ନୁହେଁ, ତାଙ୍କ ଗାଁ ଗିର୍ଗେଟପଲ୍ଲୀ ବିକାରାବାଦ ମ୍ୟୁନିସିପାଲିଟିରେ ମିଶ୍ରିତ ହେବା ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା) ଅଧୀନରେ ତାଙ୍କର ଦିନ ପିଛା ରୋଜଗାର ୨୬୦ ଟଙ୍କା ମଧ୍ୟ ତାଙ୍କୁ ମିଳୁନି।

୨୦୨୧ ମସିହାରେ ବିକାରାବାଦ ରାଜସ୍ୱ ବିଭାଗରେ ତାଙ୍କ ନାମ ପରିବର୍ତ୍ତନ କରିବାକୁ ଏକ ଅଭିଯୋଗ ଅନୁରୋଧ ପଞ୍ଜୀକରଣ କରିଥିଲେ। କିନ୍ତୁ ତାର କିଛି ସମାଧାନ କରାଯାଇ ନାହିଁ।

“ମୋର ସବା ସାନ ପୁଅ ମୋତେ ଜମି ବିକ୍ରି କରିବାକୁ କହିଲା। ସେ କହିଲା ଜମି ବିକା ଟଙ୍କାରେ କାର୍‌ କିଣିବ ଆଉ ଟ୍ୟାକ୍ସି ଡ୍ରାଇଭର ହେବ। କିନ୍ତୁ ମୁଁ ଏହା କଲି ନାହିଁ ବୋଧହୁଏ ମୋର ତାହା କରିବା ଉଚିତ ହୋଇଥାନ୍ତା,” ବଦ୍ୟା କହିଛନ୍ତି।

*****

'Cotton is the only crop we can plant due to the lack of money and water in the region,' says Ramulu.
PHOTO • Amrutha Kosuru
Rajeshwari making jonne roti in their home in Yenkepalle village
PHOTO • Amrutha Kosuru

ରାମୁଲୁ କହିଛନ୍ତି, ‘କପା ହେଉଛି ଏକମାତ୍ର ଫସଲ ଯାହା ଆମେ ଏହି ଅଞ୍ଚଳରେ ଟଙ୍କା ଏବଂ ଜଳ ଅଭାବରୁ ଲଗାଇ ପାରିବୁ’।  ରାଜେଶ୍ୱରୀ ୟେଙ୍କେପଲ୍ଲୀ ଗାଁରେ ନିଜ ଘରେ ଜୋନି ରୋଟି ତିଆରି କରୁଛନ୍ତି

ଶେଷରେ, ନଭେମ୍ବର ୨୦୨୨ରେ, ରାଜେଶ୍ୱରୀ ଏବଂ ରାମୁଲୁ ନିଖୋଜ ସର୍ଭେ ନମ୍ବର ସମ୍ପର୍କରେ ବିକାରାବାଦସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆବେଦନ ଦାଖଲ କରିଥିଲେ।

ସେହିଦିନଠାରୁ, ସେମାନେ ସପ୍ତାହରେ ଥରେ କୋଟେପଲ୍ଲୀ ତହସିଲଦାର କାର୍ଯ୍ୟାଳୟ ଏବଂ ବିକାରାବାଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି। ବିକାରାବାଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସେମାନଙ୍କ ଘରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ। ସେମାନେ ଏକ ବସ୍ ଧରନ୍ତି ଏବଂ ଥରେ ଯିବା ଆସିବା କଲେ ଜଣ ପିଛା ୪୫ ଟଙ୍କା ଭଡ଼ା ଦେବାକୁ ପଡ଼େ। ସେମାନେ ସକାଳେ ଯାଇ ସନ୍ଧ୍ୟାରେ ଫେରି ଆସନ୍ତି। “ମୋର ଦୁଇ ପିଲା ସ୍କୁଲକୁ ଗଲା ପରେ ଆମେ ପାସବୁକ୍ ପାଇବା ଆଶାରେ ଘରୁ ବାହାରିପଡ଼ୁ,” ରାଜେଶ୍ୱରୀ କହନ୍ତି।

୨୦୧୮ ସରି ଆସିଲା ଦିନଠାରୁ ସେମାନେ ବାରୱାଡ୍‌ରେ ସେମାନଙ୍କର ୧.୨୮ ଏକର ଜମିରେ ଚାଷ କରିଆସୁଛନ୍ତି। “ଆମେ ଜୁନ୍ ମାସରେ [କପା] ଲଗାଉ ଏବଂ ଜାନୁଆରୀ ମଝି ଆଡ଼କୁ ଫୁଲ ଫୁଟିଥାଏ। ଟଙ୍କା ଆଉ ପାଣିର ଅଭାବରେ ଆମେ ଏହି ଅଞ୍ଚଳରେ କେବଳ କପା ହିଁ ଚାଷ କରିପାରୁଛୁ,” ରାମୁଲୁ କୁହନ୍ତି। ସେମାନେ ବାର୍ଷିକ ଏକ କ୍ୱିଣ୍ଟାଲ କପା ଅମଳ କରନ୍ତି ଏବଂ ଏହାକୁ ୭, ୭୫୦ ଟଙ୍କାରେ ବିକ୍ରି କରନ୍ତି।

ପାସବୁକ୍ ନ ଥିବାରୁ ସେମାନେ ରାଇଥୁ ବନ୍ଧୁ ଯୋଜନା ଅଧୀନରେ ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଦମ୍ପତି କହିଛନ୍ତି ଯେ ଆଠଟି କିସ୍ତିରେ ସେମାନେ ପ୍ରାୟ ୪୦, ୦୦୦ ଟଙ୍କା ହରାଇଛନ୍ତି।

ଭାର୍ଗବୀ କହିଛନ୍ତି ଯେ ସେମାନେ ଏକକାଳୀନ ଭାବରେ ବକେୟା ଦେୟ ପାଇବାର ସମ୍ଭାବନା ନାହିଁ।

Left: Rangayya finds it odd that he doesn't get money under Rythu Bandhu but recieves money under a central government's scheme.
PHOTO • Amrutha Kosuru
Right: Rajeshwari and Ramulu have started herding goats after taking a loan from a moneylender
PHOTO • Amrutha Kosuru

ବାମ: ରଙ୍ଗେୟା ନିଜେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ସେ ରାଇଥୁ ବନ୍ଧୁ ଯୋଜନା ଅଧୀନରେ ଟଙ୍କା ପାଉ ନାହାନ୍ତି କିନ୍ତୁ କେନ୍ଦ୍ର ସରକାରଙ୍କର ଏକ ଯୋଜନାର ଟଙ୍କା ପାଉଛନ୍ତି। ଡାହାଣ: ରାଜେଶ୍ୱରୀ ଏବଂ ରାମୁଲୁ ଜଣେ ସାହୁକାରଙ୍କଠାରୁ ଋଣ ନେବା ପରେ ଛେଳି ପାଳିବା ଆରମ୍ଭ କରିଛନ୍ତି

ବୋପାନୱାରାମ୍ ଗାଁର ରଙ୍ଗେୟା ରାଇଥୁ ବନ୍ଧୁ ଲାଭରୁ ବଞ୍ଚିତ ହୋଇଛନ୍ତି ଏବଂ କହିଛନ୍ତି ଯେ କମ୍ ପାଣ୍ଠି ଥିବାରୁ ସେ କେବଳ ଜୁନ୍‌ରୁ ଡିସେମ୍ବର ମାସ ଭିତରେ ବାଜରା ଏବଂ ହଳଦୀ ବୁଣିପାରିବେ।

ରଙ୍ଗେୟାଙ୍କ ପାଇଁ ଆଶାର କିରଣ ହେଉଛି କେନ୍ଦ୍ର ସରକାରଙ୍କ ପୋର୍ଟାଲ ତାଙ୍କୁ ଚିହ୍ନିଛି - ସେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ( ପିଏମ୍-କିଷାନ୍ ) ରୁ ତାଙ୍କର ପ୍ରାପ୍ୟ ପାଉଛନ୍ତି। ଏହି ଯୋଜନା ଅଧୀନରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କର ଆଧାର-ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ବର୍ଷକୁ ୬, ୦୦୦ ଟଙ୍କା ସରକାରଙ୍କ ତରଫରୁ ଜମା କରାଯାଏ।

ରଙ୍ଗେୟା ପ୍ରଶ୍ନ କରିଛନ୍ତି, “ଯଦି କେନ୍ଦ୍ର ସରକାର ମୋତେ ହିତାଧିକାରୀ ବୋଲି ଚିହ୍ନଟ କରିଛନ୍ତି, ତେବେ ରାଜ୍ୟ ସରକାର ମୋତେ ହିତାଧିକାରୀ ତାଲିକାରୁ କାହିଁକି ହଟାଇ ଦେଇଛନ୍ତି? ଧରଣୀ ଆରମ୍ଭ ହେବା ପରେ ହିଁ ଏଭଳି ହୋଇଛି।”

*****

ଜମି ମାଲିକ ଭାବରେ ମାନ୍ୟତା ପାଇବାକୁ ଅପେକ୍ଷା କରି ଥକି ଯାଇଥିଲେ, ରାଜେଶ୍ୱରୀ ଏବଂ ରାମୁଲୁ। ଶେଷରେ ଜାନୁୟାରୀ ୨୦୨୩ ରେ, ପଶୁପାଳନ ଆରମ୍ଭ କରିଥିଲେ - ସେମାନେ ଗୋଲା ସମୁଦାୟର ଅଟନ୍ତି ଯେଉଁମାନେ ପାରମ୍ପରିକ ଗୋପାଳକ ଅଟନ୍ତି। ରାମୁଲୁ ଜଣେ ସାହୁକାରଙ୍କଠାରୁ ମାସକୁ ୩ ପ୍ରତିଶତ ସୁଧ ହାରରେ ୧ ଲକ୍ଷ ଟଙ୍କା କରଜ ଆଣିଛନ୍ତି।  ଗୋଟିଏ ବର୍ଷ ପାଇଁ ମାସକୁ ତାଙ୍କୁ ୩୦୦୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ଏହା ହେଉଛି କେବଳ ସୁଧ।

“କିଛି ମାସ ପରେ ଆମେ ଛେଳି ବିକ୍ରି କରିବା ଆରମ୍ଭ କରିବୁ। ପ୍ରତ୍ୟେକ ଛୁଆ ଛେଳି ୨, ୦୦୦-୩, ୦୦୦ [ଟଙ୍କାରେ] ବିକ୍ରି ହେବ ଏବଂ ବଢ଼ିଲା ଛେଳି ସ୍ୱାସ୍ଥ୍ୟ ଉପରେ ନିର୍ଭର କରି ୫, ୦୦୦-୬, ୦୦୦ ପର୍ଯ୍ୟନ୍ତ ବିକ୍ରି ହେବ,” ରାମୁଲୁ ସ୍ପଷ୍ଟ କରିଛନ୍ତି।

ସେମାନେ ଆଉ ଏକ ବର୍ଷ ପାଇଁ ପାସବୁକ୍ ପାଇଁ ଚେଷ୍ଟା ଜାରି ରଖିବେ ବୋଲି ଭାବିଛନ୍ତି, କିନ୍ତୁ କ୍ଳାନ୍ତ ରାଜେଶ୍ୱରୀ କୁହନ୍ତି, “ବୋଧହୁଏ ଜମି ମାଲିକାନା ମୋ ଭାଗ୍ୟରେ ନାହିଁ।”

ରଙ୍ଗ ଦେ ଠାରୁ ପ୍ରାପ୍ତ ଅନୁଦାନ ସହାୟତାରେ ଏହି କାହାଣୀ ପ୍ରସ୍ତୁତ ହୋଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Amrutha Kosuru

امریتا کوسورو، ۲۰۲۲ کی پاری فیلو ہیں۔ وہ ایشین کالج آف جرنلزم سے گریجویٹ ہیں اور اپنے آبائی شہر، وشاکھاپٹنم سے لکھتی ہیں۔

کے ذریعہ دیگر اسٹوریز Amrutha Kosuru
Editor : Sanviti Iyer

سنویتی ایئر، پیپلز آرکائیو آف رورل انڈیا کی کنٹینٹ کوآرڈینیٹر ہیں۔ وہ طلباء کے ساتھ بھی کام کرتی ہیں، اور دیہی ہندوستان کے مسائل کو درج اور رپورٹ کرنے میں ان کی مدد کرتی ہیں۔

کے ذریعہ دیگر اسٹوریز Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE