ଦୀର୍ଘ ଦିନ ଧରି ଜଣେ ଜେଜେମାଆର ଭୂମିକା ନିର୍ବାହ କରିଆସିଥିବା ବୁଟେ ମାଝି ଏବେ ତାଙ୍କର ଛଅଟି ନାତୁଣୀ ଏବଂ ଦୁଇ ନାତିଙ୍କ ପାଇଁ ଚିନ୍ତାଗ୍ରସ୍ତ। ସେମାନଙ୍କୁ ତାଙ୍କ ପାଖରେ ଛାଡ଼ି ଚାଲି ଯାଇଛି ତାଙ୍କ ପୁଅ। ସବା ସାନ ନାତୁଣୀ ଛଅ ବର୍ଷର ଜାନକୀ। ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ହିଆଲଗାଁର ଏହି ୭୦ ବର୍ଷୀୟା ଗୋଣ୍ଡ ଆଦିବାସୀ ମହିଳା କହନ୍ତି, “ମୋତେ ଜଣାନାହିଁ, କେମିତି ସେମାନଙ୍କୁ ଆମେ ପାଳିପୋଷି ମଣିଷ କରିବୁ।”

ଦୁଇ ବର୍ଷ ତଳେ ତାଙ୍କ ୫୦ବର୍ଷର ପୁଅ ନୃପ ମାଝିଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଜାଣିଛନ୍ତି ଯେ, କିଡ୍‌ନୀ କାମ ନ କରିବାରୁ ସେ ପ୍ରାଣ ହରାଇଲେ। ସେ ଥିଲେ ଜଣେ ପ୍ରବାସୀ ଶ୍ରମିକ, ଏବଂ ତାଙ୍କ ୪୭ ବର୍ଷୀୟା ସ୍ତ୍ରୀ ନାମନିଙ୍କ ସହିତ ମିଶି ଇଟାଭାଟିରେ କାମ କରିବା ଲାଗି ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁକୁ ଯାଉଥିଲେ।

ନାମନି କହନ୍ତି, “୨୦୧୯ନଭେମ୍ବର ମାସରେ ଆମେ ଚେନ୍ନାଇର ଗୋଟିଏ ଇଟାଭାଟିରେ କାମ କରିବାକୁ ଯାଇଥିଲୁ।” ତାଙ୍କ କହିବା ଅନୁସାରେ, ପରିବାରର ୧୦ ଜଣ ସେଠାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ତାଙ୍କ ସ୍ୱାମୀ ୫୦ ବର୍ଷୀୟ ନୃପ, ତାଙ୍କର ୨୪ ବର୍ଷର ବଡ଼ପୁଅ ଯୁଧିଷ୍ଠିର ଏବଂ ତା’ର ସ୍ତ୍ରୀ ୨୧ ବର୍ଷୀୟା ପରମିଳା, ପୂର୍ଣ୍ଣମୀ (୧୯), ସଜନୀ (୧୬), କୁମାରୀ (୧୫) ଏବଂ ତା’ର ସ୍ୱାମୀ ଦୀନେଶ (୨୧)। ସେ ଆହୁରି କହନ୍ତି, “ଏଠାକାର ସର୍ଦ୍ଦାର (ଠିକାଦାର) ପାଖରୁ ଆମେ ସମସ୍ତେ ଜଣ ପିଛା ୨୫,୦୦୦ ଟଙ୍କା ହିସାବରେ ଅଗ୍ରୀମ ପାଉଣା ନେଇଥିଲୁ।” ପରିବାର ସହିତ ସାମିଲ ହୋଇଥିଲେ ୧୦ ବର୍ଷର ସାବିତ୍ରୀ ଏବଂ ଛଅ ବର୍ଷୀୟା ଜାନକୀ। ସେମାନଙ୍କୁ କୌଣସି ପାଉଣା ଦିଆଯାଇ ନଥିଲା।

କୋଭିଡ୍‌-୧୯ଲକ୍‌ଡାଉନ୍‌ ଯୋଗୁଁ ୨୦୨୦ଜୁନ୍‌ ମାସରେ ସେମାନେ ସମସ୍ତେ ନିଜ ଗାଁକୁ ଫେରିଆସିଲେ। ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଓଡ଼ିଶା ସରକାର ଅସ୍ଥାୟୀ ଡାକ୍ତରୀ ଚିକିତ୍ସା କେନ୍ଦ୍ର ସହିତ ବିଭିନ୍ନ ସ୍କୁଲ ଏବଂ ଗୋଷ୍ଠୀ କେନ୍ଦ୍ରରେ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରିଥିଲେ। ସେ ସମୟର କଥା ମନେ ପକାଇ ନାମନି କହନ୍ତି, “ଆମେ ଗାଁ ସ୍କୁଲରେ ୧୪ ଦିନ ରହିଲୁ। ସେଠାରେ ରହିବା ପାଇଁ ମୋତେ ଓ ମୋ ସ୍ୱାମୀଙ୍କୁ (ଓଡ଼ିଶା ସରକାରଙ୍କ ତରଫରୁ )୨,୦୦୦ଟଙ୍କା ଲେଖାଏଁ ମିଳିଲା।”

Namani Majhi sitting with her children in front of their house in Hial village in Balangir district.
PHOTO • Anil Sharma
Her mother-in-law, Bute Majhi
PHOTO • Anil Sharma

ବଲାଙ୍ଗୀର ଜିଲ୍ଲା ହିଆଲ ଗାଁରେ,ସେମାନଙ୍କ ଘର ଆଗରେ ପିଲାମାନଙ୍କ ସହିତ ବସିଛନ୍ତି ନାମନି ମାଝି। ତାଙ୍କ ଶାଶୁ ବୁଟେ ମାଝି

ହେଲେ ଖୁବ୍‌ ଶୀଘ୍ର ବାସ୍ତବ ସ୍ଥିତି ବଦଳିବାରେ ଲାଗିଲା। ସେ ସମୟର କଥା ମନେ ପକାନ୍ତି ନାମନି, “ସେ (ତାଙ୍କ ସ୍ୱାମୀ ନୃପ) ଚେନ୍ନାଇରେ ହିଁ ଅସୁସ୍ଥ ହୋଇପଡ଼ିଥିଲେ। ସେଠାକାର ସେଠ୍‌ (ସ୍ଥାନୀୟ ଠିକାଦାର) ତାଙ୍କୁ ଗ୍ଲୁକୋଜ୍‌ ପାଣି ଓ କେତେକ ଔଷଧ ଦେଉଥିଲେ। ଆମେ ଗାଁକୁ ଫେରି ଆସିବା ପରେ ବି ତାଙ୍କ ଦେହ ଭଲ ହେଲା ନାହିଁ।” ଚିକିତ୍ସା ପାଇଁ ସେ ତାଙ୍କୁ କଣ୍ଟାବାଞ୍ଜି ସରକାରୀ ହାସପାତାଳକୁ ନେଇଗଲେ। କଥା ଯୋଡ଼ି ନୃପଙ୍କ ମାଆ ବୁଟେ କହିଲେ,“ମୋ ପୁଅର ରକ୍ତଝାଡ଼ା ଆରମ୍ଭ ହେଲା।”

ଘରଲୋକେ ତାଙ୍କୁ ସିନ୍ଧେକେଲା ଓ ରାମପୁରର ବିଭିନ୍ନ ସରକାରୀ ହାସପାତାଳକୁ ନେଇଗଲେ। ଶେଷରେ ପୁଣି କଣ୍ଟାବାଞ୍ଜି ହାସପାତାଳକୁ ଫେରି ଆସିଲେ ଏବଂ ସେଠାରେ ଡାକ୍ତର କହିଲେ ଯେ ତାଙ୍କ ଶରୀରରେ କମ୍‌ଜୋରି (ଦୁର୍ବଳତା) ରହିଥିଲା। “ଆମ ପାଖରେ ପଇସାପତ୍ର ନଥିଲା। ତେଣୁ ଆମେ ଗାଁକୁ ଫେରିଆସି ପଇସା ଯୋଗାଡ଼ କଲୁ। ପୁଣି ଯେତେବେଳେ ଡାକ୍ତରଖାନାକୁ ଗଲୁ, ଡାକ୍ତର କେତେକ ପରୀକ୍ଷା କରାଇଲେ ଏବଂ ତାଙ୍କର ଦୁଇଟି ଯାକ କିଡ୍‌ନି ଅକାମୀ ହେବାରେ ଲାଗିଛି  ବୋଲି କହିଲେ।”

ଯେ କୌଣସି ମତେ ସ୍ୱାମୀଙ୍କୁ ଭଲ କରିବା ପାଇଁ ବିକଳ୍ପ ରାସ୍ତା ଖୋଜିବାକୁ ନାମନି ମନସ୍ଥିର କରିସାରିଥିଲେ ଏବଂ ବୈକଳ୍ପିକ ଔଷଧ ବଳରେ ଚିକିତ୍ସା କରିବାକୁ ସ୍ଥିର କଲେ। ସେ କହିଲେ, “ତାଙ୍କୁ ସିନ୍ଧେକେଲା (୨୫ କିଲୋମିଟର ଦୂର) ନେଇ ଆୟୁର୍ବେଦ ଚିକିତ୍ସା କରାଇବାକୁ ମୋ ବାପାମାଆ କହିଲେ। ସେତେବେଳକୁ ସେ ମାସେ ହେଲା ଔଷଧ ଖାଇ ସାରିଥିଲେ ହେଁ ରୋଗ ଭଲ ହେଉ ନଥିଲା।” ଯେତେବେଳେ ତାଙ୍କ ଅବସ୍ଥା ବିଗିଡ଼ିବା ଆରମ୍ଭ ହେଲା, ସେମାନେ ତାଙ୍କୁ ସେଠାରୁ ୪୦ କିଲୋମିଟର ଦୂର ପାଟଣାଗଡ଼ ନିକଟ ରାମପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ।

୨୦୨୧ ମସିହା ମାର୍ଚ୍ଚ ମାସରେ ନୃପ ପ୍ରାଣ ହରାଇଲେ, ଆଉ ପଛରେ ଛାଡ଼ିଗଲେ ଆଠ ଜଣ ଛୁଆପିଲା, ସବା ସାନର ବୟସ ମାତ୍ର ଛଅ।

Namani holding her eight-month-old granddaughter, Dhartiri.
PHOTO • Anil Sharma
While being photographed, Janaki tries to hide behind her mother Namani
PHOTO • Anil Sharma

ତାଙ୍କ ଆଠ ମାସର ନାତୁଣୀ ଧରିତ୍ରୀକୁ କୋଳରେ ଧରିଛନ୍ତି ନାମନି। ଫଟୋ ଉଠାଇଲା ବେଳେ ତା ର ମାଆ ନାମନିଙ୍କ ପଛରେ ଲୁଚି ଯିବାକୁ ଉଦ୍ୟମ କରୁଛି ଜାନକୀ

ତାଙ୍କ ଚିକିତ୍ସା ବାବଦ ଖର୍ଚ୍ଚଭରଣା ଦିଗରେ ସରକାରୀ କ୍ଷତିପୂରଣ ମିଳିଲେ ସେମାନେ ଆଉ କିଛି ଦିନ ଚଳିଯାଇପାରିବେ ବୋଲି ଆଶା ରଖିଥିଲେ ନାମନି। ତେଣୁ ପୁଣି ବାହାର ରାଜ୍ୟକୁ ଯିବେ କି ନାହିଁ ବୋଲି ସ୍ଥିର କରିପାରିନଥିଲେ। “ଆମକୁ ହୁଏତ ପୁଣି ବାହାରକୁ ଯିବାକୁ ପଡ଼ିପାରେ, କାରଣ ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ ଆମେ କରିଥିବା ଋଣ ଶୁଝିବାକୁ ପଡ଼ିବ। ଯଦି ଆମେ ସରକାରଙ୍କଠାରୁ କିଛି ସାହାଯ୍ୟ ପାଇବୁ ତେବେ ଆମେ ଆଉ ଯିବୁ ନାହିଁ।”

ପରଲୋକଗତ ନୃପ ସେହି ଅଳ୍ପ କେତେ ଶତାଂଶ ଓଡ଼ିଆ ଶ୍ରମିକଙ୍କ ଭିତରୁ ଜଣେ, ଯେ କି କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯିବା ପୂର୍ବରୁ ରାଜ୍ୟ କଲ୍ୟାଣ ବୋର୍ଡରେ ଜଣେ ହିତାଧିକାରୀ ରୂପେ ୨୦୧୮ରେ ନାମ ପଞ୍ଜୀକୃତ କରାଇଥିଲେ। କିନ୍ତୁ ସେଥିରୁ ସେମାନଙ୍କୁ ମିଳିବାକୁ ଥିବା କୌଣସି ଅର୍ଥରାଶି ତାଙ୍କ ପରିବାର ପାଇ ନଥିଲେ। ନାମନି ଯେଉଁ ‘ସାହାଯ୍ୟ’ କଥା କହୁଛନ୍ତି, ତାହା ହେଲା ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପାଖରୁ ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କୁ ମିଳିବାକୁ ଥିବା ଦୁଇ ଲକ୍ଷ ଟଙ୍କା। ସେ କହନ୍ତି, “ସେମାନେ (ଶ୍ରମ ବିଭାଗ ଅଧିକାରୀମାନେ) କହୁଛନ୍ତି ଯେ, ଆମେ ତିନି ବର୍ଷ ଧରି ଟଙ୍କା ପଇଠ (ନବୀକରଣ ବାବଦ) କରିନାହୁଁ। ତେଣୁ ଆମକୁ ଟଙ୍କା ମିଳିପାରିବ ନାହିଁ।”

ଭାରତର ‘କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ’ (CAG)ଙ୍କ ଆର୍ଥିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର ଏହି ଅର୍ଥକୁ ଅଟକ ରଖିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନକୁ ସୂଚାଏ। ଏହି ରିପୋର୍ଟରେ କୁହାଯାଇଛି, “ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ପୂର୍ବକ ୨୦୨୦-୨୧ ମସିହାରେ  ଶ୍ରମିକ ସେସ୍‌ ବାବଦରେ ଆଦାୟ କରାଯାଇଥିବା ୪୦୬.୪୯ କୋଟି ଟଙ୍କାକୁ ‘ସରକାରୀ ହିସାବ ଖାତା’ ବାହାରେ ‘ଫିକ୍‌ସଡ ଡିପୋଜିଟ୍‌’ ଏବଂ ‘ଫ୍ଲେକ୍‌ସି ସେଭିଂସ’ ଆକାଉଣ୍ଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସରକାରୀ ଟ୍ରେଜେରୀ ଶାଖାରେ ରଖାଯାଇଛି।”

ବୁଟେ କହନ୍ତି, “ନୃପର ଦେହ ଖରାପ ହେବା ସମୟରେ ଆର୍ଥିକ ସହାୟତା ମାଗିବା ପାଇଁ ସେ ତାଙ୍କ ଭଉଣୀ (ଏକମାତ୍ର ଭଉଣୀ) ଉମେଙ୍କ ପାଖକୁ ଯାଇଥିଲେ। ଉମେ ବିବାହିତା, ଏବଂ ପାଖ ଏକ ଗାଁରେ (ମାଲପଡ଼ା, ମାଲପଦା ନାଁରେ ବି ପରିଚିତ) ରହନ୍ତି। ବୁଟେ କହିଲେ, “ସେ ତାଙ୍କୁ ତାଙ୍କର ଗହଣା ଦେଇଦେଲେ। ଦୁହିଁଙ୍କ ମଧ୍ୟରେ ପରସ୍ପର ପ୍ରତି ଏହିଭଳି ସ୍ନେହ ଭାବନା ରହିଛି।” ନୃପ ସେହି ଗହଣାକୁ ବନ୍ଧା ପକାଇ କେଇ ହଜାର ଟଙ୍କା ଆଣିଥିଲେ ଏବଂ ସେ ସବୁ ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଗଲା।

Left: The two kachha houses in which the family of late Nrupa Majhi live.
PHOTO • Anil Sharma
Right: These stones were purchased by Bute and her husband Gopi Majhi to construct their house under Indira Awaas Yojna, but Gopi's demise has paused that work
PHOTO • Anil Sharma

ବାମ : ସ୍ୱର୍ଗତ ନୃପ ମାଝିଙ୍କ ପରିବାର ରହୁଥିବା ଦୁଇଟି କଚ୍ଚା ଘର। ଡାହାଣ : ଇନ୍ଦିରା ଆବାସ ଯୋଜନାରେ ଘର ତିଆରି କରିବା ପାଇଁ ବୁଟେ ଓ ତାଙ୍କ ସ୍ୱାମୀ ଗୋପୀ ମାଝି ଏହି ପଥରଗୁଡ଼ିକ କିଣିଥିଲେ। କିନ୍ତୁ ଗୋପୀଙ୍କ ମୃତ୍ୟୁ ଯୋଗୁଁ କାମ ଅଟକି ରହିଥିଲା

୨୦୧୩ ମସିହାରେ ବୁଟେ ଓ ତାଙ୍କ ପରଲୋକଗତ ସ୍ୱାମୀ ଗୋପୀ ମାଝିଙ୍କ ନାଁରେ ସରକାରୀ ଘରଟିଏ ଅନୁମୋଦିତ ହୋଇଥିଲା। ୨୦୧୪ରେ ଗୋପୀ ମାଝିଙ୍କର ମୃତ୍ୟୁ ହେଲା। ବୁଟେ କହିଲେ, “ମାଝି ବଞ୍ଚିଥିବା ସମୟରେ ଆମେ ତିନିଟି କିସ୍ତିରେ ୪୦,୦୦୦ ଟଙ୍କା ପାଇଥିଲୁ- ପ୍ରଥମେ ୧୦,୦୦୦, ତା’ପରେ ୧୫,୦୦୦ ଏବଂ ପୁଣି୧୫,୦୦୦ ଟଙ୍କା।” ଘର ତିଆରି କରିବା ଲାଗି ତାଙ୍କ ପରିବାର ଲୋକେ ପଥର ଓ ବାଲି କିଣିଥିଲେ। କିନ୍ତୁ ଗୋପୀ ମାଝିଙ୍କ ମୃତ୍ୟୁ ପରେ ଘର ତିଆରି କାମ ଅଟକି ଯାଇଥିଲା।

ବ୍ୟବହୃତ ନ ହୋଇ ପଡ଼ି ରହିଥିବା ପଥର ଗଦା ଆଡ଼କୁ ଆଙ୍ଗୁଠି ଦେଖାଇ ବୁଟେ କହିଲେ, “ଯାହା ଯେମିତି କରି ଆମେ ଏହି କଚ୍ଚା ଘରେ ଚଳୁଛୁ।”

ବୁଟେ ତାଙ୍କ ପୁଅ ଓ  ବୋହୂଙ୍କ ଅନୁରୂପ ନୁହଁନ୍ତି ଏବଂ କାମଧନ୍ଦା ଲାଗି ଅନ୍ୟ ରାଜ୍ୟକୁ କେବେହେଲେ ଯାଇନାହାନ୍ତି। ସେ କହିଲେ,“ଆମେ ଆମ ପାରିବାରିକ ଜମି ଚାଷ କରି ଚଳୁଥିଲୁ। ନୃପ ହିଁ ପ୍ରଥମେ କାମ କରିବା ଲାଗି ଅନ୍ୟ ରାଜ୍ୟକୁ ଯିବା ଆରମ୍ଭ କରିଥିଲା।” ନିଜ ଜମି ବନ୍ଧା ପକାଇ ଗାଁର ଗଉନ୍ତିଆ (ସାହୁକାର)ଙ୍କ ପାଖରୁ ତାଙ୍କ ପରିବାର ୧୦,୦୦୦ ଟଙ୍କା ଋଣ ନେଇଥିଲେ।

ବୁଟେ ଆହୁରି କହିଲେ, “ଯୁଧିଷ୍ଠିର (ନୃପଙ୍କ ପୁଅ) କାମ କରିବାକୁ ଯିବ ଏବଂ ସେହି ଜମିକୁ ମୁକୁଳାଇବ।”

*****

ବିବାହ କରିବା ପୂର୍ବରୁ ନାମନି କେବେହେଲେ କାମଧନ୍ଦା ପାଇଁ ଓଡ଼ିଶା ବାହାରକୁ ଯାଇ ନଥିଲେ। ଦମ୍ପତି ଭାବରେ ସେମାନେ ପ୍ରଥମ ଥର ପାଇଁ ଆନ୍ଧ୍ର ପ୍ରଦେଶର ମେହବୁବ ନଗରକୁ ଯାଇଥିଲେ। ସେତେବେଳେ ତାଙ୍କ ବଡ଼ପୁଅ ଯୁଧିଷ୍ଠିର ତୃତୀୟ ଶ୍ରେଣୀରେ ପଢୁଥିଲା। ନାମନି କହନ୍ତି, “ସେତେବେଳେ ଅଗ୍ରୀମ ବାବଦରେ ଖୁବ୍‌ କମ୍‌ ଟଙ୍କା ମିଳିଥିଲା- ଆମେ ପାଇଥିଲୁ ୮,୦୦୦ ଟଙ୍କା। କେଉଁ ବର୍ଷ ମୋର ମନେ ନାହିଁ, ହେଲେ ସଜନୀ (ଝିଅ) ମାତ୍ର କେଇ ମାସର ହୋଇଥିଲା ଏବଂ ତେଣୁ ତାକୁ ଆମେ ସାଙ୍ଗରେ ନେଇଯାଇଥିଲୁ।” ତାହା ଥିଲା ୧୭ ବର୍ଷ ତଳର କଥା - ତା’ପରଠାରୁ ସେମାନେ କାମଧନ୍ଦା ପାଇଁ ପ୍ରତି ବର୍ଷ ଭିନ୍ନ ଭିନ୍ନ ସ୍ଥାନକୁ ଯାଇଆସୁଛନ୍ତି।

Left: Bute standing in front of her mud house along with her grandchildren and great grandchildren .
PHOTO • Anil Sharma
Right: Namani's eldest son Judhisthir holding his daughter Dhartiri
PHOTO • Anil Sharma

ବାମ: ତାଙ୍କ ମାଟିଘର ଆଗରେ ନାତିନାତୁଣୀ ଓ ଅଣନାତିନାତୁଣୀଙ୍କ ସହ ଠିଆ ହୋଇଛନ୍ତି ବୁଟେ। ଡାହାଣ: ନାମନିଙ୍କ ବଡ଼ପୁଅ ଯୁଧିଷ୍ଠିର ତାଙ୍କ ଝିଅ ଧରିତ୍ରୀକୁ କାଖେଇ ଧରିଛନ୍ତି

ପ୍ରଥମ ଥର ଯାଇ ଆସିବା ପରେ, ପ୍ରତି ବର୍ଷ ବାହାର ରାଜ୍ୟକୁ ଯିବାରେ ଲାଗିଛନ୍ତି ଏହି ପରିବାର। ସେ କହନ୍ତି, “ପରେ ଦୁଇ ବର୍ଷ ପାଇଁ ଆମେ ପୁଣି ଆନ୍ଧ୍ର ପ୍ରଦେଶକୁ ଗଲୁ। ସେତେବେଳେ ଆମକୁ ପ୍ରାୟ ୯,୫୦୦ ଟଙ୍କା ଅଗ୍ରୀମ ମିଳିଥିଲା।” ପରବର୍ତ୍ତୀ ଚାରି ବର୍ଷ କାଳ ସେମାନେ ପୁଣି ଯାଇଥିଲେ ଏବଂ ପୂରା ଦଳ ପାଇଁ ଅଗ୍ରୀମ ଟଙ୍କା ଧୀରେ ଧୀରେ ବଢ଼ି ଜଣ ପିଛା ୧୫,୦୦୦ ଟଙ୍କାରେ ପହଞ୍ଚିଥିଲା।

୨୦୧୯ରେ ଚେନ୍ନାଇ ଯିବା ସମୟରେ ସବୁଠାରୁ ଅଧିକ ଟଙ୍କା ମିଳିଥିଲା- ଅଗ୍ରୀମ  ବାବଦରେ ୨୫,୦୦୦ ଟଙ୍କା। ଚେନ୍ନାଇରେ ପ୍ରତି ୧,୦୦୦ଇଟା ଗଢ଼ିବା ଲାଗି ତାଙ୍କ ଦଳର ଶ୍ରମିକମାନେ ପ୍ରାୟ ୩୫୦ ଟଙ୍କା ରୋଜଗାର କରୁଥିଲେ। ଏବଂ ଗୋଟିଏ ସପ୍ତାହରେ ଚାରିଜଣିଆ ଏକ ଶ୍ରମିକ ଦଳର ପ୍ରତିଟି ସଦସ୍ୟ୧,୦୦୦ରୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରୁଥିଲେ।

ସେମାନଙ୍କୁ ସପ୍ତାହକୁ ଥରେ ପାଉଣା ମିଳୁଥିଲା ଏବଂ ସେହି ପଇସାରେ ସେମାନେ ଖାଦ୍ୟ ସାମଗ୍ରୀ, ସାବୁନ, ଶାମ୍ପୁ ଏବଂ ଅନ୍ୟାନ୍ୟ ଜିନିଷପତ୍ର କିଣାକିଣି କରୁଥିଲେ। ମଜୁରି ସଂପର୍କରେ ବୁଝାଇବାକୁ ଯାଇ ନାମନି କହିଲେ, “ସାପ୍ତାହିକ ପାଉଣା ଦେବା ସମୟରେ ସୁପରଭାଇଜର ଅଗ୍ରୀମ ବାବଦକୁ କିଛି ଟଙ୍କା କାଟି ରଖନ୍ତି ଏବଂ ବଳକା ଟଙ୍କା ଆମ ମଜୁରି ବାବଦରେ ଦିଅନ୍ତି।” ପୂରା ଅଗ୍ରୀମ ଟଙ୍କା କଟା ହେବା ଯାଏଁ ଏହିଭଳି ଭାବରେ ଚାଲେ।

ଶେଷରେ, ଅଧିକାଂଶ ଶ୍ରମିକ ୧୦୦ ଟଙ୍କାରୁ ବି କମ୍‌ ମଜୁରି ପାଇଥାଆନ୍ତି। ଯାହାକି ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ତୁଳନାରେ ଅଧାରୁ ବି କମ୍‌। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟର ମୁଖ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟାଳୟର ନିର୍ଦ୍ଧାରଣ ଅନୁସାରେ ଚେନ୍ନାଇ ଭଳି ସହରାଞ୍ଚଳରେ ଭାଟି ଇଟା ତିଆରି କରୁଥିବା ଶ୍ରମିକମାନେ ଦିନକୁ (ପ୍ରତି ୧,୦୦୦ ଇଟା ପାଇଁ) ୬୧୦ ଟଙ୍କା ମଜୁରି ପାଇବା ଉଚିତ।

ନୃପ ଓ ତାଙ୍କ ପରିବାରକୁ ମିଳୁଥିବା ମଜୁରିରେ ଏହି ସବୁ ଶ୍ରମ ଆଇନର ଖୋଲାଖୋଲି ଉଲ୍ଲଂଘନ ପରିଲକ୍ଷିତ ହୁଏ।

Namani holding a labour card issued by the Balangir district labour office. It has been more than a year since her husband died and Namani is struggling to get the death benefits that his family are entitled to under the Odisha Building and other Construction Workers Act, 1996
PHOTO • Anil Sharma
It has been more than a year since her husband died and Namani is struggling to get the death benefits that his family are entitled to under the Odisha Building and other Construction Workers Act, 1996
PHOTO • Anil Sharma

ନାମନି ବଲାଙ୍ଗୀର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ଶ୍ରମ କାର୍ଡ ଧରିଛନ୍ତି। ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ବର୍ଷକରୁ ଅଧିକ କାଳ ହେଲାଣି ଏବଂ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ-୧୯୯୬ ଅନ୍ତର୍ଗତ ତାଙ୍କ ପରିବାରକୁ ମିଳିବାକୁ ଥିବା ମୃତ୍ୟୁକାଳୀନ ସୁବିଧା ପାଇବା ଲାଗି ସଂଘର୍ଷ ଅବ୍ୟାହତ ରଖିଛନ୍ତି ନାମନି

କାମଧନ୍ଦା ପାଇଁ ଓଡ଼ିଶାରୁ ବାହାର ରାଜ୍ୟକୁ ଯାଉଥିବା ଅଧିକାଂଶ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ କୋଠାବାଡ଼ି ଏବଂ
ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିଲେ ହେଁ ସେମାନେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ-୧୯୯୬ ଅନୁସାରେ ପଞ୍ଜୀକୃତ ହୋଇନାହାନ୍ତି। ଏହି ଆଇନ ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ପଦକ୍ଷେପ ନିମନ୍ତେ ଉଦ୍ଦିଷ୍ଟ।

ହେଲେ, ନୃପ ନିଜକୁ ଏହି ଆଇନ ଅନୁସାରେ ପଞ୍ଜୀକୃତ କରାଇଥିଲେ। କିନ୍ତୁ ଛୋଟ ଏକ ତ୍ରୁଟି ପାଇଁ ଏବେ ତାଙ୍କ ପରିବାରକୁ ଦଣ୍ଡ ଭୋଗିବାକୁ ପଡୁଛି। ନିୟମାନୁସାରେ ଏହି ସୁବିଧା ପାଇବାକୁ ହେଲେ ଜଣେ ପଞ୍ଜୀକୃତ ଶ୍ରମିକଙ୍କୁ ଲଗାତାର ତିନି ବର୍ଷ ପାଇଁ ବର୍ଷକୁ ୫୦ ଟଙ୍କା ହିସାବରେ ଦେବାକୁ ପଡ଼ିବ। ଏହି ଅର୍ଥ କେବଳ ବଲାଙ୍ଗୀରର ଶ୍ରମ ବିଭାଗ କାର୍ଯ୍ୟାଳୟରେ ପ୍ରଦାନ କରାଯାଇପାରିବ, ଯାହାକି ବଲାଙ୍ଗୀର ଜିଲ୍ଲା ହିଆଲ ଗାଁର ସେମାନଙ୍କ ଘରଠାରୁ ୮୦ କିଲୋମିଟର ଦୂରରେ।

୨୦୨୨ ମସିହା ମେ ୧ ତାରିଖ ପରେ ଏହି ପ୍ରକ୍ରିୟା ଅନ୍‌ଲାଇନ୍‌ ହୋଇଥିଲା। ଚେନ୍ନାଇ ଯିବାର ଠିକ୍‌ ପୂର୍ବରୁ ନୃପ ତାଙ୍କ ଶ୍ରମିକ କାର୍ଡ ପାଇଥିଲେ। ଲକ୍‌ଡାଉନ୍‌ ଏବଂ ଅସୁସ୍ଥତା କାରଣରୁ ଟଙ୍କା ଦାଖଲ କରିବା ଲାଗି ସେ ଜିଲ୍ଲା ଅଫିସ୍‌କୁ ଯାଇପାରି ନଥିଲେ। ଏବେ ଯେଉଁ ସବୁ ସୁବିଧା ପାଇବାକୁ ତାଙ୍କ ପରିବାର ହକ୍‌ଦାର, ତାହା ଦାବି କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି।

ଏ ସଂକ୍ରାନ୍ତରେ ଏହି ରିପୋର୍ଟର ବଲାଙ୍ଗୀର ଜିଲ୍ଲା ମାଜିଷ୍ଟ୍ରେଟ୍‌ ତଥା ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଏବଂ ତାଙ୍କ ସରକାରୀ ହ୍ୱାଟ୍‌ସଆପ୍‌ ନମ୍ବରରେ ଯୋଗାଯୋଗ କରି ନାମନି ଓ ତାଙ୍କ ପରିବାରକୁ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ଅନ୍ତର୍ଗତ ମୃତ୍ୟୁ ପରବର୍ତ୍ତୀ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହି ଲେଖା ପ୍ରକାଶିତ ହେବା ବେଳକୁ ଏ ସଂପର୍କରେ କୌଣସି ଉତ୍ତର ମିଳି ନଥିଲା।

ଅନୁବାଦ : ଓଡ଼ିଶାଲାଇଭ୍‍

Anil Sharma

انل شرما، اوڈیشہ کے کانٹا بانجی شہر میں مقیم ایک وکیل، اور وزیر اعظم کی دیہی ترقیاتی فیلو اسکیم، وزارت دیہی ترقی، حکومت ہند کے سابق فیلو ہیں۔

کے ذریعہ دیگر اسٹوریز Anil Sharma
Editor : S. Senthalir

ایس سینتلیر، پیپلز آرکائیو آف رورل انڈیا میں بطور رپورٹر اور اسسٹنٹ ایڈیٹر کام کر رہی ہیں۔ وہ سال ۲۰۲۰ کی پاری فیلو بھی رہ چکی ہیں۔

کے ذریعہ دیگر اسٹوریز S. Senthalir
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE