ଗ୍ରୀଷ୍ମ ଋତୁରେ ଲଦାଖ ସୁରୁ ଉପତ୍ୟାକାରେ ଥିବା ବିଭିନ୍ନ ଗ୍ରାମର ପରିବେଶ ଜୀବନ୍ତ ହୋଇ ଉଠେ । ଅନାବନା ଜଙ୍ଗଲୀ ଫୁଲ ଏବଂ ବରଫାବୃତ୍ତ ପାହାଡ଼ ଚାରିପାଖରୁ ଘେରି ରହିଥିବା ଏହି ଉପତ୍ୟାକାରେ ଝରଣାଗୁଡ଼ିକ ସବୁଜ ସୁନ୍ଦର କ୍ଷେତ ଦେଇ ବୋହି ଯାଇଥାଏ । ଦିନରେ ଏକ ସୁନ୍ଦର ନୀଳ ଆକାଶ ଏବଂ ରାତିରେ ଆକାଶଗଙ୍ଗା ସ୍ପଷ୍ଟ ଭାବେ ଦେଖିହୁଏ ।

କାରଗିଲ୍‌ ଜିଲ୍ଲାର ଏହି ଉପତ୍ୟାକାରେ ପରିବେଶ ସହ ପିଲାମାନଙ୍କର ଏକ ସମ୍ବେଦନଶୀଳ ସମ୍ପର୍କ ରହିଛି । ୨୦୨୧ ମସିହାରେ ତାଇ ସୁରୁ ଗାଁରେ ଏହି ଫଟୋ ଉଠା ଯାଇଥିଲା । ଏଠାରେ ଝିଅମାନେ ପଥର ଉପରେ ଚଢ଼ିଥାନ୍ତି, ଫୁଲ ସଂଗ୍ରହ କରିଥାନ୍ତି କିମ୍ବା ଶୀତ ଋତୁରେ ବରଫ ସହ ଖେଳିଥାନ୍ତି ଓ ଝରଣାକୁ ଡେଇଁଥାନ୍ତି । ଖରାଦିନେ ପିଲାମାନେ ଅଧିକାଂଶ ସମୟରେ ଯଅ କ୍ଷେତରେ ଖେଳି ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଅନ୍ୟ ଏକମାତ୍ର ଜିଲ୍ଲା ଲେହ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ କାରଗିଲ୍‌ ଜିଲ୍ଲା ଏହା ଠାରୁ ଦୂର, ଉପାନ୍ତ ଏବଂ ବିଚ୍ଛିନ୍ନ ହୋଇ ରହିଛି ।

କାରଗିଲ୍‌, କାଶ୍ମୀର ଉପତ୍ୟାକାରେ ରହିଛି ବୋଲି ଅନ୍ୟତ୍ର ଅଧିକାଂଶ ଲୋକ ଭ୍ରମରେ ଥାଆନ୍ତି, କିନ୍ତୁ ଏହା ଠିକ୍‌ ନୁହେଁ । କାଶ୍ମୀରରେ ଅଧିକ ସଂଖ୍ୟାରେ ସୁନ୍ନି ମୁସଲମାନ ରହୁଥିବା ବେଳେ କାରଗିଲ୍‌ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଶିୟା ଇସଲାମ ମାନ୍ୟତାରେ ବିଶ୍ୱାସ କରିଥାନ୍ତି ।

ସୁରୁ ଉପତ୍ୟାକାର ଶିୟା ମୁସଲମାନମାନେ କାରଗିଲ୍‌ ସହରଠାରୁ ଦକ୍ଷିଣରେ ୭୦ କିଲୋମିଟର ଦୂରରେ ଥିବା ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର ତାଇ ସୁରୁକୁ ମାନ୍ୟତା ଦେଇଥାନ୍ତି । ଏଠାକାର ଲୋକମାନଙ୍କ ପାଇଁ, ଇସାଲମୀୟ ନବବର୍ଷର ପ୍ରଥମ ମାସ – ମହରମରେ ଇମାମ ହୁସୈନଙ୍କ ପାଇଁ ଗଭୀର ସ୍ମୃତିଚାରଣ କରାଯାଇଥାଏ । ଇମାମ ହୁସୈନ ହେଉଛନ୍ତି ପୈଗମ୍ବର ମହମ୍ମଦଙ୍କ ନାତି । ୬୮୦ ଖ୍ରୀଷ୍ଟାବ୍ଦ, ଅକ୍ଟୋବର ୧୦ ତାରିଖରେ କର୍ବଲା ଯୁଦ୍ଧ (ଆଧୁନିକ ଇରାକରେ ଅବସ୍ଥିତ)ରେ ସେ ଓ ତାଙ୍କର ୭୨ ଜଣ ସହଯୋଗୀ ପ୍ରାଣ ହରାଇଥିଲେ ।

ମହରମ ସମୟରେ ପାଳନ କରାଯାଉଥିବା ଧାର୍ମିକ କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିଥାନ୍ତି । ଅଲଗା ଅଲଗା ଦିନରେ ଶୋଭାଯାତ୍ରା ବାହାରିଥାଏ ଯାହାକୁ ଜୁଲୁସ କିମ୍ବା ଦସ୍ତା ବୋଲି କୁହାଯାଇଥାଏ । ଏଥିମଧ୍ୟରୁ ସବୁଠୁ ବଡ଼ ଶୋଭାଯାତ୍ରା ମହରମର ଦଶମ ଦିନ- ଅଶୁର ଉପଲକ୍ଷେ ପାଳନ କରାଯାଇଥାଏ – ଯେଉଁଦିନ ହୁସୈନ ଏବଂ ତାଙ୍କର ସହଯୋଗୀମାନେ କର୍ବଲା ଯୁଦ୍ଧରେ ପ୍ରାଣ ହରାଇଥିଲେ। କିଛି ପୁରୁଷମାନେ ଜଞ୍ଜିର ଓ ପାତ ସାହାଯ୍ୟରେ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି ଯାହାକୁ କମା ଜାନି କୁହାଯାଏ। ଏହାଛଡ଼ା ସମସ୍ତେ ଛାତି ବାଡ଼େଇ (ସୀନା ଜାନି) ଶୋକ ପ୍ରକଟ କରିଥାନ୍ତି ।

PHOTO • Shubhra Dixit

ଫଟୋ • ତାଇ ସୁରୁ ଗ୍ରାମ, କାରଗିଲ୍‌ ସହରଠାରୁ ୭୦ କିଲୋମିଟର ଦୂର ସୁରୁ ଉପତ୍ୟାକାରେ ରହିଛି। ଏଠାରେ ପ୍ରାୟ ୬୦୦ ଲୋକ ବସବାସ କରିଥାନ୍ତି । ଏହା କାରଗିଲ୍‌ ଜିଲ୍ଲାର ତୈଫସୁର ତହସିଲ ମୁଖ୍ୟାଳୟ ଭାବେ କାର୍ଯ୍ୟ କରିଥାଏ

ଅଶୁର ଦିନ ପୂର୍ବ ରାତିରେ, ମହିଳାମାନେ ମସଜିଦରୁ ଇମାମବରା (ସମାବେଶ ସ୍ଥଳୀ)କୁ ଶୋଭାଯାତ୍ରାରେ ଯାଇଥାନ୍ତି, ବାଟ ସାରା ସେମାନେ ମର୍ସିୟା ଏବଂ ନୋହା (ବିଳାପ ଏବଂ ଶୋକଗୀତ) ଗାଇଥାନ୍ତି । (ଚଳିତ ବର୍ଷ ଅଗଷ୍ଟ ୮-୯ ତାରିଖରେ ଅଶୁର ପଡ଼ୁଛି)

ହୁସୈନ ଏବଂ ଅନ୍ୟମାନଙ୍କର ସହନଶୀଳତା ଏବଂ ବଳିଦାନକୁ ମନେ ପକାଇବା ପାଇଁ ମହରମ ସମୟରେ ଇମାମବରାରେ ସମସ୍ତେ ଦିନକୁ ଦୁଇ ଥର ଆୟୋଜନ କରାଯାଉଥିବା ମଜଲିସ (ଧାର୍ମିକ ସମାରୋହ) ପାଇଁ ଏକତ୍ରିତ ହୋଇଥାନ୍ତି । ସମାବେଶ କୋଠରୀରେ ପୁରୁଷ (ଏବଂ ପୁଅ ପିଲାମାନେ) ଏବଂ ମହିଳାମାନେ ଅଲଗା ଅଲଗା ବସି ଆଘା (ଧାର୍ମିକ ମୁଖ୍ୟଙ୍କ) ପ୍ରବଚନ ଶୁଣିଥାନ୍ତି । ସେ କର୍ବଲା ଯୁଦ୍ଧ ଏବଂ ତତ୍‌ସଂକ୍ରାନ୍ତ ଘଟଣାର ଅଧ୍ୟାୟଗୁଡ଼ିକୁ ବର୍ଣ୍ଣନା କରିଥାନ୍ତି ।

କିନ୍ତୁ କୋଠରୀ ଉପର ମହଲାରେ ଥିବା ଜାଲି ବାଲକୋନୀକୁ ଛୋଟ ଝିଅମାନେ ଅକ୍ତିଆର କରି ନେଇଥାନ୍ତି । ଏହି ସ୍ଥାନ ସେମାନଙ୍କୁ ତଳେ ଚାଲିଥିବା ଗତିବିଧିର ଏକ ସୁବିଧାଜନକ ଦୃଶ୍ୟ ପ୍ରଦାନ କରିଥାଏ । ଏହାକୁ ‘ପିଞ୍ଜରା’, ବା ପଞ୍ଜୁରୀ କୁହାଯାଏ, ଏହି ଶବ୍ଦ କାରାବାସ ଏବଂ ବନ୍ଦୀ ହୋଇ ରହିବାର ଭାବନାକୁ ପ୍ରକଟ କରିଥାଏ । ତେବେ ଝିଅମାନଙ୍କ ପାଇଁ ଏହି ସ୍ଥାନ ସ୍ୱାଧୀନତା ଏବଂ ଖେଳ ଲାଗି ସୁଯୋଗ ଆଣି ଦେଇଥାଏ ।

ଏକ ନିର୍ଦ୍ଦିଷ୍ଟ ସମୟରେ ଯେତେବେଳେ ଇମାମବରାର ପରିବେଶ ଶୋକରେ ଭରିଯାଏ, ମନୋଭାବ ଅଚାନକ ବଦଳି ଯାଇଥାଏ ଏବଂ ଝିଅମାନେ ନିଜ ମୁଣ୍ଡ ତଳକୁ ପୋତି କାନ୍ଦିଥାନ୍ତି – କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନୁହେଁ ।

ଯଦିଓ ମହରମ ଶୋକ ପାଳନର ମାସ ଭାବେ ପରିଚିତ, ପିଲାମାନଙ୍କ ଦୁନିଆରେ ଏହା ସାଙ୍ଗମାନଙ୍କୁ ଭେଟିବା ଏବଂ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ସମୟ ବିତାଇବା ଲାଗି ସୁଯୋଗ ଆଣି ଦେଇଥାଏ । କିଛି ପୁଅ ପିଲାମାନେ ସ୍ୱେଚ୍ଛାକୃତ ଭାବେ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି, ତେବେ ଝିଅ ପିଲାଙ୍କ ପାଇଁ ଏହି ପ୍ରଥା ନିଷିଦ୍ଧ। ଅନ୍ୟମାନେ ଯାହା କରିଥାନ୍ତି ଝିଅମାନେ କେବଳ ତାହାର ସାକ୍ଷୀ ହୋଇଥାନ୍ତି ।

ଅଧିକାଂଶ ସମୟରେ, ମହରମ ପର୍ବର ବର୍ଣ୍ଣନା ପୁରୁଷମାନଙ୍କ ଦ୍ୱାରା ଆତ୍ମଘାତ ଏବଂ ରକ୍ତପାତ ଉପରେ କେନ୍ଦ୍ରିତ ହୋଇଥିବା ଦେଖାଯାଏ । କିନ୍ତୁ ଶୋକ ପାଳନର ଆଉ ଏକ ମାର୍ଗ ରହିଛି, ମହିଳାଙ୍କ ମାର୍ଗ – ଗମ୍ଭୀର ଏବଂ ଦୁଃଖଦ ।

PHOTO • Shubhra Dixit

ଯଅ କ୍ଷେତରେ ଖେଳୁଛନ୍ତି ଜନ୍ନତ, ତାଇ ସୁରୁରେ ପିଲାମାନେ ଏହି ଗତିବିଧିରେ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି

PHOTO • Shubhra Dixit

ଜନ୍ନତ (ବାମ) ଏବଂ ଅର୍କୋ ଫାତିମା ଜଙ୍ଗଲୀ ଫୁଲ ଶଯ୍ୟା ଉପରେ ବସିଛନ୍ତି ଯାହାକି ଗ୍ରୀଷ୍ମ ଋତୁରେ ଚାଷ ଜମିରେ ଫୁଟିଥାଏ


PHOTO • Shubhra Dixit

ସକାଳ ବେଳା ବିଦ୍ୟାଳୟରେ ବିତିଥାଏ ଏବଂ ସନ୍ଧ୍ୟା ସମୟ ଖେଳ ଓ ଘରପଢ଼ାରେ ଅତିବାହିତ ହୋଇଯାଏ । ସପ୍ତାହାନ୍ତରେ, ବଣଭୋଜି ଆୟୋଜିତ ହୁଏ । ଏଠାରେ, ମୋହାଦିସା (୧୧) ବଣଭୋଜିକୁ ଯାଇଥିବା ସମୟରେ ଏକ ଝରଣାରେ ଖେଳୁଛନ୍ତି


PHOTO • Shubhra Dixit

ଲଦାଖର ସୁରୁ ଉପତ୍ୟାକାରେ ଥିବା ତାଇ ସୁରୁରେ ଦୁଇ ଜଣ ଝିଅ ଏକ ପଥର ଉପରକୁ ଚଢ଼ୁଛନ୍ତି । ଏହି ଉପତ୍ୟାକାର ପିଲାମାନଙ୍କର ସେମାନଙ୍କ ପରିବେଶ ସହ ଏକ ସମ୍ବେଦନଶୀଳ ସମ୍ପର୍କ ରହିଛି

PHOTO • Shubhra Dixit

୧୦ ଏବଂ ୧୧ ବର୍ଷର ହାଜିରା ଓ ଜହରା ବାତୁଲ, ଅଗଷ୍ଟ ୨୦୨୧ରେ ଆୟୋଜିତ ମହରମ ସମୟରେ ଇମାମବରାକୁ ଯିବା ପୂର୍ବରୁ ହାଜିରାଙ୍କ ଘରେ ମିଶି ପାଠ ପଢ଼ୁଛନ୍ତି


PHOTO • Shubhra Dixit

ଅଗଷ୍ଟ ୧୬, ୨୦୨୧ରେ, ଗାଁ ଇମାବରାରେ ଆୟୋଜିତ ଏକ ଜନସମାବେଶରେ ପୁରୁଷମାନେ ସୀନା ଜାନି (ଛାତି ବାଡ଼େଇବାର ପରମ୍ପରା) ପାଳନ କରୁଛି । ହଲ୍‌ ଭିତରେ ପୁରୁଷ ଏବଂ ମହିଳାମାନଙ୍କୁ ଏକ କଳା କପଡ଼ା ପୃଥକ କରିଥାଏ


PHOTO • Shubhra Dixit

ଉପର ମହଲାର ଜାଲି ବାଲକୋନୀ ବା ପିଞ୍ଜରାରୁ ଝିଅମାନେ ହଲ୍‌ ଭିତରକୁ ଚାହିଁ ରହିଛନ୍ତି । ହଲ୍‌ରେ ପାଳନ କରାଯାଉଥିବା ପ୍ରଥାଠାରୁ ଦୂରରେ, ଏହି ସ୍ଥାନ ସେମାନଙ୍କୁ ଖେଳିବା ପାଇଁ ସ୍ୱାଧୀନତା ପ୍ରଦାନ କରିଥାଏ


PHOTO • Shubhra Dixit

ଅଗଷ୍ଟ ୨୦୨୧ର ଏକ ରାତିରେ ମହରମ ପାଇଁ ଏକତ୍ରିତ ସମାବେଶରେ ସାଙ୍ଗମାନେ ମିଶି ପିଞ୍ଜରାରେ ସମୟ ବିତାଉଛନ୍ତି


PHOTO • Shubhra Dixit

ସାଙ୍ଗମାନେ ମିଶି ଫୋଟକା ଫୁଟାଉଛନ୍ତି


PHOTO • Shubhra Dixit

୧୨ ବର୍ଷ ବୟସ୍କା ଏବଂ ୧୦ ବର୍ଷ ବୟସ୍କା ପିଲା ଭିଡିଓ ଗେମ୍‌ ଖେଳିବାରେ ବ୍ୟସ୍ତ । ଅନ୍ୟ ସ୍ଥାନ ଭଳି ତାଇ ସୁରୁର ପିଲାମାନେ ଟିଭି ଓ ସୋସିଆଲ୍‌ ମିଡିଆ ନିଶାରେ ଥାଆନ୍ତି, ଯଦିଓ ଗାଁର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଇଣ୍ଟରନେଟ୍‌ କାମ କରିଥାଏ

PHOTO • Shubhra Dixit

ଇମାମବରାର କାନ୍ଥ ଉପରେ ଚଢ଼ିବା ଲାଗି ଚେଷ୍ଟା; ଧରା ପଡ଼ିଲେ ଗାଳି ଶୁଣିବାର ଆଶଙ୍କା ରହିଛି


PHOTO • Shubhra Dixit

ଇମାମବରା ବାହାରେ, ବୟସ୍କଙ୍କ ଦୃଷ୍ଟି ଆଢ଼ୁଆଳରେ ଝିଅଟିଏ ବିଜୟ ସୂଚକ ସଙ୍କେତ ପ୍ରଦର୍ଶନ କରୁଛି


PHOTO • Shubhra Dixit

ଅଶୁର ଦିନ ରାତିରେ ପୁରୁଷଙ୍କଠାରୁ ଅଲଗା ଏକ  ଶୋଭାଯାତ୍ରାରେ ବାହାରିବା ପରେ ମହିଳାମାନେ ନୋହା ଉଚ୍ଚାରଣ କରୁଥିବା ସମୟରେ ପିଲାମାନେ ଦେଖୁଛନ୍ତି। ଏହି ପ୍ରଥା, ଇସଲାମୀୟ ମାସ ମହରମର ଦଶମ ଦିନରେ ପାଳନ କରାଯାଇଥାଏ। ଏହି ଅବସରରେ କର୍ବଲା ଯୁଦ୍ଧରେ ପ୍ରାଣ ହରାଇଥିବା ଇମାମ ହୁସୈନଙ୍କ ପ୍ରତି ଶୋକ ବ୍ୟକ୍ତ କରାଯାଏ


PHOTO • Shubhra Dixit

ଅଗଷ୍ଟ ୧୯, ୨୦୨୧ ଅଶୁର ଦିବସ ଉପଲକ୍ଷେ ପ୍ରାନ୍ତି ଗାଁର ମହିଳାମାନଙ୍କ ଏକ ଶୋଭାଯାତ୍ରା ତାଇ ସୁରୁ ଅଭିମୁଖେ ବାହାରିଛି


PHOTO • Shubhra Dixit

ଅଗଷ୍ଟ ୨୦୨୧ ଅଶୁର ଦିବସ ଉପଲକ୍ଷେ ପୁରୁଷମାନଙ୍କର ଏକ ଜୁଲୁସ

PHOTO • Shubhra Dixit

ପୁରୁଷମାନଙ୍କ ଶୋଭାଯାତ୍ରା ସହ ସମାନ ହେବା ଲାଗି ଝିଅମାନେ ଚେଷ୍ଟା କରୁଛନ୍ତି


PHOTO • Shubhra Dixit

ତାଇ ସୁରୁର ଝିଅମାନଙ୍କର ଏକ ଦଳ ମାର୍ସିୟା (ବିଳାପ) ଉଚ୍ଚାରଣ କରୁଛନ୍ତି ଏବଂ ଅଶୁର ଅବସରରେ ସୀନା ଜାନି (ଛାତି ବାଡ଼େଇବାର ପରମ୍ପରା) ପାଳନ କରୁଛନ୍ତି


PHOTO • Shubhra Dixit

ଜାମ୍ପାନ୍‌ ସହିତ ଅଶୁର ଶେଷ ହେଉଛି । ଇମାମ ହୁସୈନଙ୍କ ଭଉଣୀ ଜୈନାବ କର୍ବଲା ପରିଦର୍ଶନ କରୁଛନ୍ତି ବୋଲି ଦର୍ଶାଉଥିବା ଏକ ପାଲିଙ୍କି ଗାଁରେ ଥିବା ଏକ ଖୋଲା ପଡ଼ିଆକୁ ନିଆଯାଉଛି । ସେହି ପଡ଼ିଆ କତଲ-ଇ-ଗାହର ପ୍ରତୀକ, ଯେଉଁଠି ୟାଜିଦର ଶାସକ ଉମାୟଦ ଖଲିଫାଙ୍କ ବିରୋଧରେ ଯୁଦ୍ଧ ଲଢ଼ି ଇମାମ ହୁସୈନ ଓ ତାଙ୍କର ସହଯୋଗୀମାନେ ପ୍ରାଣ ହରାଇଥିଲେ


PHOTO • Shubhra Dixit

କତଲ-ଇ-ଗାହଠାରେ ଝିଅମାନେ ପ୍ରାର୍ଥନା କରୁଛନ୍ତି


PHOTO • Shubhra Dixit

ଅଶୁର ଉପଲକ୍ଷେ କତଲ୍‌ – ଇ – ଗାହଠାରେ କରବଲା ଯୁଦ୍ଧର ନାଟ୍ୟାଭିନୟ ପାଇଁ ସବୁ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି


PHOTO • Shubhra Dixit

ଅଗଷ୍ଟ ୨୦୨୧ରେ ଅଶୁର ର କିଛିଦିନ ପରେ ତାଇ ସୁରୁରେ ଏକ ଜୁଲୁସ (ଶୋଭାଯାତ୍ରା) ବାହାରୁଛି


PHOTO • Shubhra Dixit

ଅଶୁର ର କିଛି ଦିନ ପରେ ଗାଁ ଦେଇ ଅତିକ୍ରମ କରୁଛି ଇମାମ ହୁସୈନଙ୍କ କଫିନର ଏକ ପ୍ରତୀକାତ୍ମକ ତାବୁତ ଯାହା ନିକଟରେ ତାଇ ସୁରୁର ମହିଳାମାନେ ଶୋକ ପ୍ରକଟ କରୁଛନ୍ତି


PHOTO • Shubhra Dixit

ସେପ୍ଟେମ୍ବର ୨୦୨୧ରେ ଏକ ଜୁଲୁସ ବାହାରିବା ପରେ ତାଇ ସୁରୁର ଜନସମୁଦାୟ ମିଶି ପ୍ରାର୍ଥନା  କରୁଛନ୍ତି । କର୍ବଲା ସହିଦଙ୍କ ପ୍ରତି ସେମାନଙ୍କର ଶୋକପାଳନ ମହରମ ପରେ ପଡ଼ୁଥିବା ମାସ ସଫର ପର୍ଯ୍ୟନ୍ତ ଜାରି ରହିଥାଏ

ଅନୁବାଦ : ଓଡ଼ିଶାଲାଇଭ୍‍

Photos and Text : Shubhra Dixit

شبھرا دیکشت ایک آزاد صحافی، فوٹوگرافر اور فلم ساز ہیں۔

کے ذریعہ دیگر اسٹوریز Shubhra Dixit
Photo Editor : Binaifer Bharucha

بنائیفر بھروچا، ممبئی کی ایک فری لانس فوٹوگرافر ہیں، اور پیپلز آرکائیو آف رورل انڈیا میں بطور فوٹو ایڈیٹر کام کرتی ہیں۔

کے ذریعہ دیگر اسٹوریز بنیفر بھروچا
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE