ଗ୍ରୀଷ୍ମ ଋତୁରେ ଲଦାଖ ସୁରୁ ଉପତ୍ୟାକାରେ ଥିବା ବିଭିନ୍ନ ଗ୍ରାମର ପରିବେଶ ଜୀବନ୍ତ ହୋଇ ଉଠେ । ଅନାବନା ଜଙ୍ଗଲୀ ଫୁଲ ଏବଂ ବରଫାବୃତ୍ତ ପାହାଡ଼ ଚାରିପାଖରୁ ଘେରି ରହିଥିବା ଏହି ଉପତ୍ୟାକାରେ ଝରଣାଗୁଡ଼ିକ ସବୁଜ ସୁନ୍ଦର କ୍ଷେତ ଦେଇ ବୋହି ଯାଇଥାଏ । ଦିନରେ ଏକ ସୁନ୍ଦର ନୀଳ ଆକାଶ ଏବଂ ରାତିରେ ଆକାଶଗଙ୍ଗା ସ୍ପଷ୍ଟ ଭାବେ ଦେଖିହୁଏ ।
କାରଗିଲ୍ ଜିଲ୍ଲାର ଏହି ଉପତ୍ୟାକାରେ ପରିବେଶ ସହ ପିଲାମାନଙ୍କର ଏକ ସମ୍ବେଦନଶୀଳ ସମ୍ପର୍କ ରହିଛି । ୨୦୨୧ ମସିହାରେ ତାଇ ସୁରୁ ଗାଁରେ ଏହି ଫଟୋ ଉଠା ଯାଇଥିଲା । ଏଠାରେ ଝିଅମାନେ ପଥର ଉପରେ ଚଢ଼ିଥାନ୍ତି, ଫୁଲ ସଂଗ୍ରହ କରିଥାନ୍ତି କିମ୍ବା ଶୀତ ଋତୁରେ ବରଫ ସହ ଖେଳିଥାନ୍ତି ଓ ଝରଣାକୁ ଡେଇଁଥାନ୍ତି । ଖରାଦିନେ ପିଲାମାନେ ଅଧିକାଂଶ ସମୟରେ ଯଅ କ୍ଷେତରେ ଖେଳି ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।
କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଅନ୍ୟ ଏକମାତ୍ର ଜିଲ୍ଲା ଲେହ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ କାରଗିଲ୍ ଜିଲ୍ଲା ଏହା ଠାରୁ ଦୂର, ଉପାନ୍ତ ଏବଂ ବିଚ୍ଛିନ୍ନ ହୋଇ ରହିଛି ।
କାରଗିଲ୍, କାଶ୍ମୀର ଉପତ୍ୟାକାରେ ରହିଛି ବୋଲି ଅନ୍ୟତ୍ର ଅଧିକାଂଶ ଲୋକ ଭ୍ରମରେ ଥାଆନ୍ତି, କିନ୍ତୁ ଏହା ଠିକ୍ ନୁହେଁ । କାଶ୍ମୀରରେ ଅଧିକ ସଂଖ୍ୟାରେ ସୁନ୍ନି ମୁସଲମାନ ରହୁଥିବା ବେଳେ କାରଗିଲ୍ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଶିୟା ଇସଲାମ ମାନ୍ୟତାରେ ବିଶ୍ୱାସ କରିଥାନ୍ତି ।
ସୁରୁ ଉପତ୍ୟାକାର ଶିୟା ମୁସଲମାନମାନେ କାରଗିଲ୍ ସହରଠାରୁ ଦକ୍ଷିଣରେ ୭୦ କିଲୋମିଟର ଦୂରରେ ଥିବା ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର ତାଇ ସୁରୁକୁ ମାନ୍ୟତା ଦେଇଥାନ୍ତି । ଏଠାକାର ଲୋକମାନଙ୍କ ପାଇଁ, ଇସାଲମୀୟ ନବବର୍ଷର ପ୍ରଥମ ମାସ – ମହରମରେ ଇମାମ ହୁସୈନଙ୍କ ପାଇଁ ଗଭୀର ସ୍ମୃତିଚାରଣ କରାଯାଇଥାଏ । ଇମାମ ହୁସୈନ ହେଉଛନ୍ତି ପୈଗମ୍ବର ମହମ୍ମଦଙ୍କ ନାତି । ୬୮୦ ଖ୍ରୀଷ୍ଟାବ୍ଦ, ଅକ୍ଟୋବର ୧୦ ତାରିଖରେ କର୍ବଲା ଯୁଦ୍ଧ (ଆଧୁନିକ ଇରାକରେ ଅବସ୍ଥିତ)ରେ ସେ ଓ ତାଙ୍କର ୭୨ ଜଣ ସହଯୋଗୀ ପ୍ରାଣ ହରାଇଥିଲେ ।
ମହରମ ସମୟରେ ପାଳନ କରାଯାଉଥିବା ଧାର୍ମିକ କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିଥାନ୍ତି । ଅଲଗା ଅଲଗା ଦିନରେ ଶୋଭାଯାତ୍ରା ବାହାରିଥାଏ ଯାହାକୁ ଜୁଲୁସ କିମ୍ବା ଦସ୍ତା ବୋଲି କୁହାଯାଇଥାଏ । ଏଥିମଧ୍ୟରୁ ସବୁଠୁ ବଡ଼ ଶୋଭାଯାତ୍ରା ମହରମର ଦଶମ ଦିନ- ଅଶୁର ଉପଲକ୍ଷେ ପାଳନ କରାଯାଇଥାଏ – ଯେଉଁଦିନ ହୁସୈନ ଏବଂ ତାଙ୍କର ସହଯୋଗୀମାନେ କର୍ବଲା ଯୁଦ୍ଧରେ ପ୍ରାଣ ହରାଇଥିଲେ। କିଛି ପୁରୁଷମାନେ ଜଞ୍ଜିର ଓ ପାତ ସାହାଯ୍ୟରେ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି ଯାହାକୁ କମା ଜାନି କୁହାଯାଏ। ଏହାଛଡ଼ା ସମସ୍ତେ ଛାତି ବାଡ଼େଇ (ସୀନା ଜାନି) ଶୋକ ପ୍ରକଟ କରିଥାନ୍ତି ।
ଅଶୁର ଦିନ ପୂର୍ବ ରାତିରେ, ମହିଳାମାନେ ମସଜିଦରୁ ଇମାମବରା (ସମାବେଶ ସ୍ଥଳୀ)କୁ ଶୋଭାଯାତ୍ରାରେ ଯାଇଥାନ୍ତି, ବାଟ ସାରା ସେମାନେ ମର୍ସିୟା ଏବଂ ନୋହା (ବିଳାପ ଏବଂ ଶୋକଗୀତ) ଗାଇଥାନ୍ତି । (ଚଳିତ ବର୍ଷ ଅଗଷ୍ଟ ୮-୯ ତାରିଖରେ ଅଶୁର ପଡ଼ୁଛି)
ହୁସୈନ ଏବଂ ଅନ୍ୟମାନଙ୍କର ସହନଶୀଳତା ଏବଂ ବଳିଦାନକୁ ମନେ ପକାଇବା ପାଇଁ ମହରମ ସମୟରେ ଇମାମବରାରେ ସମସ୍ତେ ଦିନକୁ ଦୁଇ ଥର ଆୟୋଜନ କରାଯାଉଥିବା ମଜଲିସ (ଧାର୍ମିକ ସମାରୋହ) ପାଇଁ ଏକତ୍ରିତ ହୋଇଥାନ୍ତି । ସମାବେଶ କୋଠରୀରେ ପୁରୁଷ (ଏବଂ ପୁଅ ପିଲାମାନେ) ଏବଂ ମହିଳାମାନେ ଅଲଗା ଅଲଗା ବସି ଆଘା (ଧାର୍ମିକ ମୁଖ୍ୟଙ୍କ) ପ୍ରବଚନ ଶୁଣିଥାନ୍ତି । ସେ କର୍ବଲା ଯୁଦ୍ଧ ଏବଂ ତତ୍ସଂକ୍ରାନ୍ତ ଘଟଣାର ଅଧ୍ୟାୟଗୁଡ଼ିକୁ ବର୍ଣ୍ଣନା କରିଥାନ୍ତି ।
କିନ୍ତୁ କୋଠରୀ ଉପର ମହଲାରେ ଥିବା ଜାଲି ବାଲକୋନୀକୁ ଛୋଟ ଝିଅମାନେ ଅକ୍ତିଆର କରି ନେଇଥାନ୍ତି । ଏହି ସ୍ଥାନ ସେମାନଙ୍କୁ ତଳେ ଚାଲିଥିବା ଗତିବିଧିର ଏକ ସୁବିଧାଜନକ ଦୃଶ୍ୟ ପ୍ରଦାନ କରିଥାଏ । ଏହାକୁ ‘ପିଞ୍ଜରା’, ବା ପଞ୍ଜୁରୀ କୁହାଯାଏ, ଏହି ଶବ୍ଦ କାରାବାସ ଏବଂ ବନ୍ଦୀ ହୋଇ ରହିବାର ଭାବନାକୁ ପ୍ରକଟ କରିଥାଏ । ତେବେ ଝିଅମାନଙ୍କ ପାଇଁ ଏହି ସ୍ଥାନ ସ୍ୱାଧୀନତା ଏବଂ ଖେଳ ଲାଗି ସୁଯୋଗ ଆଣି ଦେଇଥାଏ ।
ଏକ ନିର୍ଦ୍ଦିଷ୍ଟ ସମୟରେ ଯେତେବେଳେ ଇମାମବରାର ପରିବେଶ ଶୋକରେ ଭରିଯାଏ, ମନୋଭାବ ଅଚାନକ ବଦଳି ଯାଇଥାଏ ଏବଂ ଝିଅମାନେ ନିଜ ମୁଣ୍ଡ ତଳକୁ ପୋତି କାନ୍ଦିଥାନ୍ତି – କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନୁହେଁ ।
ଯଦିଓ ମହରମ ଶୋକ ପାଳନର ମାସ ଭାବେ ପରିଚିତ, ପିଲାମାନଙ୍କ ଦୁନିଆରେ ଏହା ସାଙ୍ଗମାନଙ୍କୁ ଭେଟିବା ଏବଂ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ସମୟ ବିତାଇବା ଲାଗି ସୁଯୋଗ ଆଣି ଦେଇଥାଏ । କିଛି ପୁଅ ପିଲାମାନେ ସ୍ୱେଚ୍ଛାକୃତ ଭାବେ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି, ତେବେ ଝିଅ ପିଲାଙ୍କ ପାଇଁ ଏହି ପ୍ରଥା ନିଷିଦ୍ଧ। ଅନ୍ୟମାନେ ଯାହା କରିଥାନ୍ତି ଝିଅମାନେ କେବଳ ତାହାର ସାକ୍ଷୀ ହୋଇଥାନ୍ତି ।
ଅଧିକାଂଶ ସମୟରେ, ମହରମ ପର୍ବର ବର୍ଣ୍ଣନା ପୁରୁଷମାନଙ୍କ ଦ୍ୱାରା ଆତ୍ମଘାତ ଏବଂ ରକ୍ତପାତ ଉପରେ କେନ୍ଦ୍ରିତ ହୋଇଥିବା ଦେଖାଯାଏ । କିନ୍ତୁ ଶୋକ ପାଳନର ଆଉ ଏକ ମାର୍ଗ ରହିଛି, ମହିଳାଙ୍କ ମାର୍ଗ – ଗମ୍ଭୀର ଏବଂ ଦୁଃଖଦ ।
ଅନୁବାଦ : ଓଡ଼ିଶାଲାଇଭ୍