ଦକ୍ଷିଣ ଦିଲ୍ଲୀର ଏକ ପବରେ ତିନି ବନ୍ଧୁଙ୍କର ବିୟର ମୂଲ୍ୟ ସେମାନଙ୍କୁ ସେଠାରେ ବିଶ୍ୱକପ୍‍ ମ୍ୟାଚ ଦେଖିବାରୁ ନିରୁତ୍ସାହିତ କରିପାରେ ଯାହାକି ଇଶ୍ୱରୀଙ୍କର ୧୭ଜଣିଆ ପରିବାରର ମାସିକ ଆୟ- କେବଳ ମାତ୍ର ୧,୦୦୦ଟଙ୍କା-ମିରଟ ନିକଟସ୍ଥ ଖେର୍ଖି ଗାଁରେ ଫୁଟବଲ୍ଗୁଡିକୁ ସିଲେଇ କରି ମିଳେ। ଘରର ସମସ୍ତ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ସେମାନେ ସକାଳୁ ଶଯ୍ୟା ତ୍ୟାଗ କରନ୍ତି, ପୁରୁଷମାନେ ବାହାରକୁ କାମ କରିବା ପାଇଁ ଯିବା ପରେ, ଘରର ସମସ୍ତ ମହିଳା ଓ ପିଲାମାନେ ରୁଟିନ୍‍ ସାତଘଣ୍ଟିଆ କଷ୍ଟକର କାର୍ଯ୍ୟରେ ମନୋନିବେଶ କରନ୍ତି। ନିଜର ୬୦ ବର୍ଷରେ ଉପନୀତ ହୋଇଥିବା ଇଶ୍ୱରୀ କୁହନ୍ତି, ପରିବାରର ମହିଳାମାନେ କରୁଥିବା ଏହି କାର୍ଯ୍ୟକୁ ନେଇ ପୁରୁଷମାନେ କୌଣସି ଆପତ୍ତି କରନ୍ତି ନାହିଁ ଯେହେତୁ ସେମାନଙ୍କୁ କଞ୍ଚା ମାଲ୍‍ ଆଣିବା ଓ ଉତ୍ପାଦିତ ଦ୍ରବ୍ୟଗୁଡିକୁ ଦେବା ବ୍ୟତିତ ଅନ୍ୟ କୌଣସି କାମ ପାଇଁ ଘର ବାହାରକୁ ଯିବା ପାଇଁ ପଡ଼େ ନାହିଁ। ଏହି ପରିବାରର ଅନ୍ୟ ଏକ ଆର୍ଥିକ ଉତ୍ସ ହେଉଛି ଏକ ଛୋଟିଆ କୃଷି ଜମି- ଏହି ଫୁଟବଲ୍-ସିଲେଇ ବ୍ୟବସାୟରେ ନିୟୋଜିତ ଥିବା ମିରଟ ଚାରିପଟେ ଥିବା ପାଖାପାଖି ୫୦ଟି ଗାଁର ଲୋକମାନଙ୍କର ଏହିପରି ଆୟର ଅନ୍ୟ କୌଣସି ଉତ୍ସ ନାହିଁ।

ଇଶ୍ୱରୀଙ୍କର ପରିବାର ହେଉଛି ଦଳିତ ସଂପ୍ରଦାୟର- ମିରଟ ଚାରିପଟେ ଥିବା ପ୍ରାୟ ଅଧିକାଂଶ ୫୦ - ବିଷମ ଗାଁରେ ‘ଫୁଟବଲ୍ ନିର୍ମାତାମାନେ’ ହେଉଛନ୍ତି ମୁସଲିମ୍‍ କିମ୍ବା ଭୂମିହୀନ ଦଳିତ ଶ୍ରମିକ। ହାରାହାରି ସାତ ଘଣ୍ଟାରେ ଜଣେ ବୟସ୍କ ତିନୋଟି ଫୁଟବଲ୍ ସିଲେଇ କରିପାରିବ; ଏକ ପିଲା ଅତି ବେଶିରେ ଦୁଇଟି କରିପାରିବ। ଏଥିପାଇଁ ସେମାନଙ୍କୁ ପ୍ରତି ଛୋଟରୁ ମଧ୍ୟମ ଧରଣର ବଲ୍ ପାଇଁ ୩ ଟଙ୍କା ଓ ବଡ ବଲ୍ ପାଇଁ ୫ ଟଙ୍କା ପାରିଶ୍ରମିକ ଦିଆଯାଏ। ଏକ ଛଅ ଜଣିଆ ପରିବାର ଦିନକୁ ଆଠଟି ଫୁଟବଲ୍ ତିଆରି କରିପାରନ୍ତି, ମାସକୁ ୬୦୦ରୁ ୯୦୦ ଟଙ୍କାଠାରୁ ଅଧିକ ରୋଜଗାର କରିବା କଥା ଚିନ୍ତା କରିପାରନ୍ତି ନାହିଁ, ଏହି ମୂଲ୍ୟ ଚାହିଦା ଅନୁସାରେ ବଦଳିଥାଏ। ଏପରିକି ସ୍ଥାନୀୟ ବଜାରରେ ଫୁଟବଲ୍‌ର ମୂଲ୍ୟ ୧୦୦ଟଙ୍କାରୁ ୩୦୦ଟଙ୍କା ମଧ୍ୟରେ ରହିଥାଏ। ଯଦି ସିଲେଇ ଖୋଲିଯାଏ, ଏହାର ମରାମତି ବାବଦକୁ ଖର୍ଚ୍ଚ କଣ୍ଟ୍ରାକ୍ଟର ଶ୍ରମିକମାନଙ୍କର ମଜୁରିରୁ କାଟି ଦିଅନ୍ତି। ଅତ୍ୟଧିକ ନଷ୍ଟ କ୍ଷେତ୍ରରେ, ଯେପରିକି ବ୍ଲାଡର୍‍ କଣା ହେବା, ଏହାର ସମୁଦାୟ ମୂଲ୍ୟ ନିର୍ମାତାମାନଙ୍କଠାରୁ ଆଦାୟ କରାଯାଏ।

ଭାରତ ହେଉଛି ପାକିସ୍ତାନ ପରେ ଦ୍ୱିତୀୟ ସର୍ବାଧିକ ଫୁଟବଲ୍ ତିଆରି କରୁଥିବା ଦେଶ; ପାକିସ୍ତାନର ସିଆଲକୋଟ ଏବଂ ଭାରତର ଜଳନ୍ଧର ଓ ମିରଟ ହେଉଛି କ୍ରୀଡା ଉପକରଣର ମୁଖ୍ୟ ଉତ୍ପାଦନ କେନ୍ଦ୍ର। ଏହି ବର୍ଷ ବିଶ୍ୱ କପ୍ ଉପଲକ୍ଷେ ସିଆଲକୋଟ ପାଖାପାଖି ୫୫ ମିଲିୟନ ଫୁଟବଲ୍ ଜର୍ମାନୀକୁ ରତ୍ପାନି କରିଛି; ଜଳନ୍ଧର ୨୦୦୨ ମସିହାରେ ’ଷ୍ଟାର କଣ୍ଟ୍ରାକ୍ଟ’ ପାଇଥିଲା। ଯେତେବେଳେ ବିଶ୍ୱକପ ନିକଟତର ହୁଏ, ଫୁଟବଲ୍‌ର ଚାହିଦା ହଠାତ୍‍ ବୃଦ୍ଧି ପାଏ, ଅନେକ କଣ୍ଟ୍ରାକ୍ଟର ଦିନକୁ ୨୫,୦୦୦ ଫୁଟବଲ୍ ତିଆରି କରିବାକୁ କୁହନ୍ତି। ଏହି କ୍ୱଚିତ୍‍ ବମ୍ପର ଉତ୍ସବ ସମୟରେ ବଲ୍ ପିଛା ମଜୁରୀ ମାତ୍ର ୫୦ ପଇସା ବୃଦ୍ଧି ପାଇଥାଏ। କୌଣସି ୟୁନିୟନର ଅଭାବ, ମୂଲଚାଲ କରିବାର ଅକ୍ଷମତା କିମ୍ବା ବିକଳ୍ପ ରୋଜଗାରର ଅଭାବରୁ ସେମାନେ ସହଜରେ ରାଜି ହୋଇ ଯାଆନ୍ତି। ସେମାନେ ଯଦି ପ୍ରଚଳିତ ରେଟରେ କାମ କରିବାକୁ ଅରାଜି ହୁଅନ୍ତି, ଅନ୍ୟ କେହି ଏହାଠାରୁ କମ୍‍ ମୂଲ୍ୟରେ କାମ କରିବାକୁ ରାଜି ହୋଇଯିବ- ଏହି ଉପାୟରେ ,ସେମାନେ ଅନ୍ତତଃ ପକ୍ଷେ ’କିଛି’ ରୋଜଗାର କରିପାରୁଛନ୍ତି।

ଫୁଟଵଲ ନିର୍ମାତାମାନଙ୍କର ’ମୁଖ୍ୟାଳୟ’ ଭାବରେ ଜଣାଶୁଣା ସିସୋଲାର ଛୋଟ ଘର ଏବଂ ସଂକୀର୍ଣ୍ଣ ଗଳିଗୁଡ଼ିକୁ ଯେକୌଣସି ଦିନ ଗଲେ ଦେଖିବେ, ମହିଳା ଓ ପିଲାମାନେ ରଙ୍ଗୀନ ପଞ୍ଚଭୁଜାକାର ରବର ସାମଗ୍ରୀକୁ ଏକ ଦୋମୁନିଆ ଛୁଞ୍ଚି ସାହାଯ୍ୟରେ ବ୍ୟବସାୟ ପାଇଁ ବ୍ୟବହୃତ କାଠ ଯନ୍ତ୍ର ଉପରେ ନଇଁ କରି ସିଲେଇ କରୁଥିବେ। ଯାହାର ଆଙ୍ଗୁଠି ଯେତେ ଚଞ୍ଚଳ, ମୁନିଆ ଛୁଞ୍ଚି ଦ୍ୱାରା ଛିଦ୍ରଗୁଡିକ ସେତେ ଶିଘ୍ର ହୋଇଥାଏ ଯେଉଁଗୁଡିକୁ ସିଲ୍‍କ ସୂତା ଦ୍ୱାରା ସିଲେଇ କରାଯାଇଥାଏ। ଅନେକ ଘଣ୍ଟାଧରି ଟେରେଇ ଚାହିଁବା ଦ୍ୱାରା ଦୃଷ୍ଟି ଶକ୍ତିର କ୍ଷତି ନିଶ୍ଚିତ ରୂପେ ଘଟିଥାଏ। ସ୍ଥାନୀୟ କର୍ମକର୍ତ୍ତା ଶେର ମହମ୍ମଦ ଖାନ କୁହନ୍ତି,"ସଠିକ୍ ଭାବରେ ବସିବା ପାଇଁ ସେମାନଙ୍କୁ କେହି କେବେବି ଟ୍ରେନିଂ ଦେଇନାହାନ୍ତି ଏବଂ ସେମାନେ ପିଠି ଯନ୍ତ୍ରଣାରେ ପୀଡିତ ହୁଅନ୍ତି"। କୌଣସି ସ୍ଥାନୀୟ ସ୍ୱାସ୍ଥ୍ୟସେବା ଉପଲବ୍ଧ ନଥିବାରୁ, ଗ୍ରାମବାସୀମାନେ ଦେଶୀ ଓ ଘରୋଇ ଉପଚାର ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି। ଯଦିଓ ସେଠାରେ ଅଳ୍ପ କେତେକ ଡାକ୍ତର ଅଛନ୍ତି, ସେମାନେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅସମର୍ଥ।

PHOTO • Shalini Singh

ବିଶ୍ୱ କପ୍ ଋତୁ ପିଲାମାନଙ୍କର ସ୍କୁଲ ଯିବା ବନ୍ଦକରି ଦେଇଛି; ଅତ୍ୟଧିକ ଚାହିଦା ସେମାନଙ୍କୁ ଘରେ ରହି ବଲ୍ ସିଲେଇ କରିବାକୁ ବାଧ୍ୟ କରିଛି ଯାହାକି ସେମାନଙ୍କ ପରିବାରର ଆୟ ବୃଦ୍ଧି କରିବ। ଖାନ୍‍ କୁହନ୍ତି ଗାଁରେ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି। ପ୍ରତିମାସକୁ ଫି ଓ ଷ୍ଟେସନାରୀ ସାମଗ୍ରୀ ସହିତ ଘରୋଇ ବିଦ୍ୟାଳୟର ଖର୍ଚ୍ଚ ପିଲା ପିଛା ହେଉଛି ୫୦୦ଟଙ୍କା, ଯାହା ସେମାନଙ୍କର ସାମର୍ଥ୍ୟ ବାହାରେ। ପ୍ରତି ଘରେ ହାରାହାରି ତିନୋଟି ପିଲାରୁ ଅଧିକ ଥିବାରୁ,ସେମାନଙ୍କର ଶିକ୍ଷାଗତ ଖର୍ଚ୍ଚ ତୁଲାଇବା କଷ୍ଟକର। ସେମାନଙ୍କର ପିଲାମାନଙ୍କ ପାଇଁ କାମ ହେଉଛି ଏକମାତ୍ର ନିର୍ଭରଯୋଗ୍ୟ ବିକଳ୍ପ ବୋଲି ଅନେକ ପରିବାର ବିଶ୍ୱାସ କରନ୍ତି।

କଣ୍ଟ୍ରାକ୍ଟରଙ୍କ ପକ୍ଷରୁ କୁହାଯାଇଥିବା କାହାଣୀ ସାମାନ୍ୟ ଉତ୍ସାହଜନକ ମନେହୁଏ। ସିଶୋଲର ହାତଗଣତି କଣ୍ଟ୍ରାକ୍ଟରମାନଙ୍କ ମଧ୍ୟରୁ ୬୦ବର୍ଷୀୟ ଚନ୍ଦରଭାନ ଜଣେ। ସେ କୁହନ୍ତି ଫୁଟବଲ୍‌ର ଆକାର ଅନୁଯାୟୀ ମଜୁରି ସ୍ଥିର କରାଯାଇଛି: ଛୋଟ ବଲ୍‌ର ମୂଲ୍ୟ ୪ଟଙ୍କା, ଏବଂ ବଡ଼ର ମୂଲ୍ୟ ୫.୫ଟଙ୍କା। ଗ୍ରାମବାସୀମାନେ ଭିନ୍ନ ମୂଲ୍ୟ କହୁଥିବା କଥା କହିବାରୁ ସେ ମୁଣ୍ଡ ହଲାଇ ଅସ୍ୱୀକାର କଲେ। ଚନ୍ଦରଭାନଙ୍କ ଭଳି କଣ୍ଟ୍ରାକ୍ଟରମାନେ ରବର ଇଣ୍ଡଷ୍ଟ୍ରି ଏଜେଣ୍ଟମାନଙ୍କଠାରୁ ସିନ୍ଥେଟିକ ଫୁଟବଲ୍ ତିଆରି ସାମଗ୍ରୀ ସିଟ୍‍ଗୁଡିକ ପ୍ରତି ସିଟ୍‍ ପିଛା ୨୬ଟଙ୍କା ହିସାବରେ କିଣନ୍ତି। ତା’ପରେ ମେସିନ୍‍ ସାହାଯ୍ୟରେ ସିଟ୍‍ଗୁଡିକୁ ପଞ୍ଚଭୁଜାକାର ଖଣ୍ଡରେ କଟାଯାଏ। ଗୋଟିଏ ସିଟରୁ ଗୋଟିଏ ଫୁଟବଲ୍ ତିଆରି ହୁଏ। ଏହା ସହ ଯୋଗ କରନ୍ତୁ: ସୂତା କିଲୋ ପିଛା ୨୨୦ଟଙ୍କା, ବଲ୍ ପିଛା ମଜୁରୀ ୩-୪ଟଙ୍କା- ଗୋଟିଏ ବଲ୍ ତିଆରି କରିବା ପାଇଁ ଖର୍ଚ୍ଚ ହେଉଛି ପାଖାପାଖି ୩୧-୩୨ଟଙ୍କା। ଏଣେତେଣେ ଅନାଇ, ଚନ୍ଦରଭାନ କୁହନ୍ତି ସେ ସର୍ବାଧିକ ଏକ ରୁ ଦୁଇ ଟଙ୍କା ଲାଭ ରଖି ଡିଷ୍ଟ୍ରିବ୍ୟୁଟରଙ୍କୁ ବିକ୍ରି କରିଦିଅନ୍ତି। ଗତ ଦଶବର୍ଷ ହେଲା ଶ୍ରମ ହାର ଅପରିବର୍ତ୍ତିତ ରହିଛି, ଯଦିଓ ବହୁତ ଅଧିକ ନୁହେଁ। ଚନ୍ଦରଭାନ ଦାବି କରନ୍ତି,"ଆମେ ମଧ୍ୟ ଏହି ହାରରେ କାମ କରିଛୁ"। ମୁଦ୍ରାସ୍ଫୀତି ବିଷୟରେ ଉଲ୍ଲେଖ କଲେ ଏବଂ ସେ ଅସ୍ପଷ୍ଟ ସ୍ୱରରେ କିଛି କହିଲେ।

ମରାମତି ଖର୍ଚ୍ଚ କଟାଯିବା ଓ ତାଙ୍କ ମୂଲ୍ୟରେ ରାଜି ନହେଲେ ଅନ୍ୟ କାହାଦ୍ୱାରା କାମ କରାଇବାର ଧମକ ବିଷୟରେ ତାଙ୍କର ମତାମତ କ’ଣ? ଚନ୍ଦରଭାନ ସ୍ପଷ୍ଟ ଭାବରେ କହିଲେ ଯେ ସେ କ୍ଷତିର ଭରଣା ନିଜ ପକେଟରୁ କରନ୍ତି; ଅନ୍ୟ ବିଷୟରେ ସେ ବାସ୍ତବିକ ଦୃଷ୍ଟିକୋଣର ଉଦାହରଣ ଦେଇ କହିଲେ। "ଏହି ଦେଶରେ ବେକାରୀ ସମସ୍ୟା ଲାଗିରହିଛି; ଅତି କମରେ ଆମେ ସେମାନଙ୍କୁ କାମ ଦେଉଛୁ ଯାହାଦ୍ୱାରା ସେମାନେ ନିଜକୁ ପ୍ରତିପୋଷଣ କରିପାରିବେ।" ଚନ୍ଦରଭାନଙ୍କର ଦୁଇଟି ପୁଅ ଅଛନ୍ତି; ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କାମରେ ସାହାଯ୍ୟ କରୁଥିବା ବେଳେ ଅନ୍ୟ ଜଣକ କଲେଜରେ ପଢୁଛି। ସେ କୁହନ୍ତି,"ମୋର ଦ୍ୱିତୀୟ ପୁଅକୁ ମୁଁ ସପ୍ଲାୟର୍‍ କିମ୍ବା ଡିଷ୍ଟ୍ରିବ୍ୟୁଟର୍‍ କରିବି"।

ଶିଶୁ ଶ୍ରମ ବିରୋଧରେ ଗ୍ଲୋବାଲ୍ ମାର୍ଚ୍ଚ ହେଉଛି ଏକ ଆନ୍ତର୍ଜାତୀୟ ସାମାଜିକ ଆନ୍ଦୋଳନ ଯାହା ଫୁଟବଲ୍ ଶିଳ୍ପରୁ ଶିଶୁ ଶ୍ରମକୁ ହଟାଇବା ପାଇଁ ସଂଗ୍ରାମ ସହିତ ଜଡିତ ରହି ଆସିଅଛି। ୨୦୦୨ ରେ, ସେମାନେ କ୍ରୀଡା ସାମଗ୍ରୀ ଶିଳ୍ପରେ ବିଶେଷ କରି ଫୁଟବଲ୍ ଉତ୍ପାଦନ ୟୁନିଟରେ କାର୍ଯ୍ୟ କରୁଥିବା ପିଲାମାନଙ୍କର ଅସୁବିଧାକୁ ନେଇ ଫିଫାକୁ ନିବେଦନ କରିଥିଲେ। ଏହା ଯୋଗୁଁ ଉଭୟ ଭାରତୀୟ ଏବଂ ପାକିସ୍ତାନୀ ଫୁଟବଲ୍ ନିର୍ମାଣ କ୍ଷେତ୍ର ଉପରେ ନଜର ରଖିବା ପାଇଁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ସ୍ପୋର୍ଟିଂ ଗୁଡ୍ସ ଇଣ୍ଡଷ୍ଟ୍ରିର ସହଯୋଗରେ ଫିଫା ଆଚରଣ ସଂହିତା ପ୍ରବର୍ତ୍ତନ କଲା। ଗ୍ଲୋବାଲ୍ ମାର୍ଚ୍ଚ ଅନୁଯାୟୀ, ଫିଫା ନିଜସ୍ୱ ବିଚାରଧାରା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି ଏବଂ ଶିଶୁ ଶ୍ରମକୁ ହଟାଇବା ପାଇଁ ପ୍ରତିଶ୍ରୁତି ସତ୍ତ୍ୱେ ୧୦,୦୦୦ ପିଲା ଜଳନ୍ଧର ଏବଂ ମିରଟରେ ଫୁଟବଲ୍ ନିର୍ମାଣରେ ଜଡିତ ଅଛନ୍ତି। ଗ୍ଲୋବାଲ୍ ମାର୍ଚ୍ଚର ଚେୟାରମ୍ୟାନ୍ କୈଳାସ ସତ୍ୟାର୍ଥୀ କହିଛନ୍ତି ଯେ ଏହି ଗୋଷ୍ଠୀର ଭାରତୀୟ ବିଭାଗ, ବଚପନ ବଚାଓ ଆନ୍ଦୋଳନ ମିରଟର ଜାନିଖୁର୍ଡ ବ୍ଲକର ୧୦ ଟି ଗାଁକୁ ‘ଶିଶୁ ଅନୁକୂଳ ଗ୍ରାମ’ ଭାବରେ ଗଢି ତୋଳିବାକୁ ଚେଷ୍ଟା କରୁଛନ୍ତି, ଯେଉଁଠାରେ ଏହା ସୁନିଶ୍ଚିତ ହେବ ଯେ ପିଲାମାନେ ନିୟମିତ ବିଦ୍ୟାଳୟକୁ ଯିବେ। ଏହି ପ୍ରୟାସର ଏକ ଉଦାହରଣ ଭାବରେ ଦୌରାଲା ବ୍ଲକର ପୋହଲି ଗ୍ରାମକୁ ଦର୍ଶାଯାଇଛି।

ଏହି ସମୟରେ, ସିସୋଲାରେ, ଯଦି ଆପଣ ଏଠାର ପିଲାମାନଙ୍କୁ ପଚାରନ୍ତି କିଏ ସର୍ବୋତ୍ତମ ଫୁଟବଲ୍ ଖେଳାଳୀ, ସେମାନେ ସମସ୍ତେ ଏକ ସଙ୍ଗରେ ଚିତ୍କାର କରି କୁହନ୍ତି, “ଧୋନି! ସଚିନ୍! ” ସେମାନଙ୍କୁ ପଚାର ବିଶ୍ୱକପ୍‌ରେ କିଏ ପରାଜିତ ହେବ ଏବଂ ଏହାର ଉତ୍ତର ହେଉଛି: “ପାକିସ୍ତାନ!” ଖାନ୍‍ ହସନ୍ତି; ସେ କୁହନ୍ତି, ଏହି ଶିଶୁ ଫୁଟବଲ୍-ନିର୍ମାତାମାନେ ଜାଣିଥିବା ଏକମାତ୍ର ଖେଳ ହେଉଛି କ୍ରିକେଟ୍।

ଏହି କାହାଣୀଟି ପ୍ରଥମେ ତେହେଲକାରେ ପ୍ରକାଶିତ ହୋଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Shalini Singh

شالنی سنگھ، پاری کی اشاعت کرنے والے کاؤنٹر میڈیا ٹرسٹ کی بانی ٹرسٹی ہیں۔ وہ دہلی میں مقیم ایک صحافی ہیں اور ماحولیات، صنف اور ثقافت پر لکھتی ہیں۔ انہیں ہارورڈ یونیورسٹی کی طرف سے صحافت کے لیے سال ۲۰۱۸-۲۰۱۷ کی نیمن فیلوشپ بھی مل چکی ہے۔

کے ذریعہ دیگر اسٹوریز شالنی سنگھ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE