ସୁରଟରେ କାମ କରୁଥିବା ଓଡ଼ିଶାର ଗଞ୍ଜାମ ଜିଲ୍ଲାର କଳ ମଷ୍ଟର ୪୫ବର୍ଷ ବୟସ୍କ ପ୍ରମୋଦ ବିଷୋୟୀ କୁହନ୍ତି, “ଗତ ଗୋଟିଏ ବର୍ଷରେ ୨୭ଟି ଅନ୍ତିମ ସଂସ୍କାର କରାଇଛି। ”ଏହି ଶ୍ରମିକମାନଙ୍କ ପରିବାର ଏତେ ଗରିବ ଯେ ଦାହ ସଂସ୍କାର ପାଇଁ ଗୁଜରାଟ ଆସିପାରିବେ ନାହିଁ।

ବିକାଶ ଗୌଡ଼ ଯେତେବେଳେ ମୃତ୍ୟୁବରଣ କଲେ ସେତେବେଳେ ତାଙ୍କ ବାପା ଓ ଭାଇମାନେ ବି ତାଙ୍କ ପାଖରେ ଥିଲେ। ହୃଦୟହୀନ କଳତନ୍ତ ଜଗତକୁ ପ୍ରବେଶ କରିବାର ମାତ୍ର ୨୪ଘଣ୍ଟା ମଧ୍ୟରେ ୧୬ବର୍ଷ ବୟସ୍କ ବିକାଶ ପ୍ରାଣ ହରାଇଲେ। ସୁରଟର ବେଦ୍ ରୋଡରେ ଥିବା ଏକ ଲୁଗାକଳରେ କାମ କରିବା ପାଇଁ ଏହି କିଶୋର ୧,୬୦୦ କିଲୋମିଟର ଦୂରରେ ଥିବା ନିଜ ଗାଁ ଗଞ୍ଜାମର ଲୁଣ୍ଡାଜୁଆଳିରୁ ଏଠାକୁ ଆସିଥିଲେ। ଚଳିତବର୍ଷ ଏପ୍ରିଲ୍ ୨୫ ତାରିଖରେ ସେ ଏକ ମେସିନର ଷ୍ଟାଟର ଦବାଇବା ବେଳେ ତାଙ୍କ ଶରୀର ଦେଇ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ସ୍ରୋତ (ହାଇ ଭୋଲଟେଜ୍ କରେଣ୍ଟ) ଚାଲୁ ହୋଇଗଲା। ତାଙ୍କ ବାପା ଓ ଦୁଇ ବଡ଼ ଭାଇ ପାଖାପାଖି ମେସିନରେ କାମ କରୁଥିଲେ।

“ସମସ୍ତେ ଜାଣିଥିଲେ ମେସିନରେ ତ୍ରୁଟି ଅଛି। ଆଗରୁ ବି ଆମେ ହାଲକା କରେଣ୍ଟ ଖାଇଛୁ. . .। କିନ୍ତୁ କେବେ ଭାବିନଥିଲୁ ଏହା ମୋ ପୁଅକୁ ମାରିଦେବ”। ଏହା କୁହନ୍ତି ବିକାଶଙ୍କ ବାପା ଚରଣ ଗୌଡ଼। ସେ ତିନି ଦଶକ ଧରି ସୁରଟରେ କାମ କରି ଆସୁଛନ୍ତି। ସେ କୁହନ୍ତି, “ ମୁଁ ଭାବିଲି ସାନପୁଅକୁ ନେଇ ଏଠାକୁ ଆସିଲେ ପରିବାର ପାଇଁ କିଛି ଅର୍ଥ ସଞ୍ଚୟ କରିବା ସମ୍ଭବ ହେବ। ”

A young worker works on an embroidery machine in a unit in Fulwadi
PHOTO • Aajeevika Bureau (Surat Centre)
Pramod Bisoyi with loom workers in Anjani. He works as a master in the loom units at Anjani. He migrated from Barampur, Ganjam in the early 1990s. On account of his strong social networks built over the years, Bisoyi brings with him young workers to join the looms every year
PHOTO • Reetika Revathy Subramanian

ଫୁଲୱାଡ଼ିର ଏକ ୟୁନିଟରେ ଯୁବ ଶ୍ରମିକ ଏମ୍ବ୍ରୋଡୋରୀ ମେସିନରେ। ଡାହାଣ: ଲୁମ୍ ମାଷ୍ଟର (କଳ ମାଷ୍ଟର) ପ୍ରମୋଦ ବିଷୋୟୀ ଅଞ୍ଜାନିଠାରେ ଅନ୍ୟ ଶ୍ରମିକମାନଙ୍କ ସହ

ଦୁଇ ସପ୍ତାହ ପରେ ମେ’ ୧୦ ତାରିଖରେ ସୁରଟ ମହାନଗର କ୍ଷେତ୍ରର ସଚିନଷଣ ଥିବା ଗୁଜରାଟ ଇଣ୍ଡଷ୍ଟ୍ରିଆଲ୍ ଡେଭେଲଫମେଣ୍ଟ କର୍ପୋରେସନ୍ ଅଞ୍ଚଳରେ ରାଜେଶ ଅଗ୍ରୱାଲ ଏକ ମେସିନ୍ ଭିତରକୁ ଟାଣି ହୋଇଗଲେ। ମହାରାଷ୍ଟ୍ରରୁ ଆସିଥିବା ଏହି ପ୍ରବାସୀ ଶ୍ରମିକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କଲେ। ଏହି ଦୁର୍ଘଟଣାରେ ବାହାରେ ଜମା ହୋଇଥିବା ଭିଡ଼ ମଧ୍ୟରେ ଥିବା ଜଣେ ସହ-ଶ୍ରମିକ କହିଥିଲେ, “ସେ ମେସିନଟି ପୁରୁଣା। ବିଦ୍ୟୁତ୍ କାଟ୍ ନହେଲେ ଏହା ବନ୍ଦ ହୁଏନାହିଁ। ରାଜେଶ ବୋଧେ ସୂତା ସଜାଡ଼ିବା ପାଇଁ ଭିତରେ ହାତ ଭର୍ତ୍ତି କରିଥିବ ଏବଂ ମେସିନ୍ ତାଙ୍କୁ ଟାଣିନେଇଥିବ। ସେ ଦିନଠାରୁ ୟୁନିଟରେ ତାଲା ପଡ଼ିଛି।

ଶ୍ରମିକ ଓ ମେସିନ୍ ମାଷ୍ଟରମାନେ କୁହନ୍ତି- ସୁରଟର ବିଭିନ୍ନ ଲୁଗାକଳମାନଙ୍କରେ ବିଦ୍ୟୁତ୍ ଆଘାତ ଲାଗିବା, ପୋଡ଼ିଯିବା, ମୁଣ୍ଡ ବୁଲାଇ ପଡ଼ିଯିବା, ଆଙ୍ଗୁଠି କଟିଯିବା, ହାତ କଟିଯିବା ଓ ମୃତ୍ୟୁର ବହୁ ଘଟଣା ଘଟେ। ଯାହା ବିଷୟରେ ଖବର ମିଳେନି କିମ୍ବା କ୍ଷତିପୂରଣ ମିଳେନି। “ଏ ସବୁ ପ୍ରାୟ ସବୁଦିନ ଘଟେ”।

ପଲିଷ୍ଟର ସୂତାରେ ଝୁଲୁଛି ଜୀବନ

ଉତ୍ତର ସୁରଟର ମୀନାନଗର ଅଞ୍ଚଳର ୧,୦୦୦ ବର୍ଗଫୁଟ୍ ପରିମିତ ଅଞ୍ଚଳ ଉପରେ ଏକ ୟୁନିଟ୍, ସେଠାରେ ୧୦୦ରୁ ଅଧିକ କପଡ଼ା ତିଆରି ମେସିନ୍ ଲାଗି ଲାଗି ଚାଲୁ ରହିଛି। ସେଗୁଡ଼ିକ ମଝିରେ ଫାଙ୍କ ଟିକେ ବି ନାହିଁ। ପ୍ରତି ସିଫ୍ଟରେ ସେଠାରେ କାମ କରୁଥିବା ପ୍ରାୟ ୮୦ରୁ ୧୦୦ ଶ୍ରମିକ କାମ କରିବା ବେଳେ ହାତ ମେଲେଇବା ପାଇଁ ବି ଟିକେ ସ୍ଥାନ ପାଆନ୍ତିନି। ଏଠାରେ ପ୍ରତି ସିଫ୍ଟ ୧୨ ଘଣ୍ଟିଆ, ସକାଳ ୭ରୁ ସନ୍ଧ୍ୟା ୭ ଓ ସନ୍ଧ୍ୟା ୭ରୁ ସକାଳ ୭। ୟୁନିଟରେ ଲାଗିଥିବା ବହୁ ସିସିଟିଭି କ୍ୟାମେରା ଶ୍ରମିକମାନଙ୍କ ପ୍ରତିଟି କାମ ଉପରେ ନଜର ରଖିଥାଏ। ସେମାନଙ୍କ ପାଇଁ ଥିବା ସାର୍ବଜନୀନ ଶୌଚାଳୟ କିଛି ଦୂରରେ ଅଛି। ମେ’ ମାସର ୪୧ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ବି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନାହିଁ। ଶ୍ରମିକମାନେ ନିକଟସ୍ଥ ଚା’ ଦୋକାନମାନଙ୍କରୁ ପିଇବା ପାଣି ଆଣନ୍ତି। ୟୁନିଟରେ ଝରକା ମଧ୍ୟ ନାହିଁ।

କାମ କରିବା ବେଳେ ଏହି ଶ୍ରମିକମାନେ ସୂତା ଶୀଘ୍ର ବୁଣିହେବା ପାଇଁ ଖୁବ୍ ଜୋର୍ ଜୋରରେ ହାତ ଗୋଡ଼ ଚଲାନ୍ତି। ଏଠାରେ ପ୍ରତି ମିନିଟର ହିସାବ ରୁହେ। ମିନିଟ୍ ନୁହେଁ, ବରଂ ପ୍ରତି ସେକେଣ୍ଡର ହିସାବ ରହେ କହିଲେ ଅଧିକ ପ୍ରାସଙ୍ଗିକ ହେବ ବୋଲି କୁହନ୍ତି କଳତନ୍ତ ମାଷ୍ଟର ଶ୍ରୀ ବିଷୋୟୀ। ଶ୍ରମିକମାନେ ପିସ୍ (ଖଣ୍ଡ) ଆକାରରେ ପାଉଣା ପାଆନ୍ତି। ମିଟର ପିଛା ୧.୧୦ରୁ ୧.୫୦ ଟଙ୍କା ପର୍ଯ୍ୟନ୍ତ ପାଆନ୍ତି। ତେଣୁ ସେମାନେ ବିଶ୍ରାମ ନେବା ପାଇଁ କିମ୍ବା ନଷ୍ଟ କରିବା ପାଇଁ ସମୟ ବ୍ୟୟ କରିପାରିବେ ନାହିଁ। ସେମାନଙ୍କୁ ଛୁଟି ମିଳେ ଯେତେବେଳେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ମେସିନ୍ ବନ୍ଦ ହୁଏ। ବିଷୋୟୀ କୁହନ୍ତି, ମାସକୁ ପ୍ରାୟ ୩୬୦ ଘଣ୍ଟା ପରିଶ୍ରମ କରି ଶ୍ରମିକମାନେ ୭,୦୦୦ରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ସେ ମଧ୍ୟରୁ ରହିବା ଖାଇବାରେ ଅତି କମରେ ସାଢ଼େ ତିନିହଜାର ଟଙ୍କା ଖର୍ଚ୍ଚ ହୋଇଯାଏ।

ମାସକୁ ପ୍ରାୟ ୩୬୦ ଘଣ୍ଟା ପର୍ଯ୍ୟନ୍ତ କାମ କରି ସୁରଟ୍ର ସୂତାକଳ ଶ୍ରମିକମାନେ ଭାରତରେ ବ୍ୟବହୃତ ହେଉଥିବା ସମୁଦାୟ ପଲିଷ୍ଟରର ପ୍ରାୟ ୯୦ ପ୍ରତିଶତ ଉତ୍ପାଦନ କରିଥାନ୍ତି। ଭଦୋଦରାସ୍ଥିତ ବେସରକାରୀ ସଂସ୍ଥା ପିପୁଲ୍ସ ଟ୍ରେନିଙ୍ଗ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ପିଟିଆରସି)ର୨୦୧୭ ଅଗଷ୍ଟରେ ପ୍ରକାଶିତ “ଲେବର କଣ୍ଡିସନ୍ ଇନ୍ ସୁରଟ୍ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରୀ” ରିପୋର୍ଟ ଅନୁଯାୟୀ ପ୍ରତିଦିନ ଏଠାରେ ପ୍ରାୟ ୩୦ ମିଲିୟନ୍ ମିଟର ସାଦା କପଡ଼ା ଓ ୨୫ ମିଲିୟନ୍ ମିଟର ଅନ୍ତିମ ପ୍ରସ୍ତୁତି କପଡ଼ା ଉତ୍ପାଦିତ ହୋଇଥାଏ।

The newly constructed powerloom units in Surat have no windows, no scope for any ventilation. Inside these units are hundreds of workers, clocking in 12 hour shifts.
PHOTO • Reetika Revathy Subramanian

ସୁରଟର ଅସଂଖ୍ୟ ଝରକାବିହୀନ ୟୁନିଟରେ ଶହ ଶହ ଶ୍ରମିକ ୧୨ ଘଣ୍ଟିଆ ସିଫ୍ଟରେ ବଧିର କରିଦେବା ପରି ଭୀଷଣ ଶବ୍ଦ ମଧ୍ୟରେ କଠିନ ପରିଶ୍ରମ କରନ୍ତି

ସେମାନେ କାମ କରୁଥିବା ଲୁଗାକଳ ୟୁନିଟଗୁଡ଼ିକ ସୁରଟ୍ ଓ ଏହା ବାହାରେ ପାଣ୍ଡେସରା, ଉଢ଼ନା, ଲିମ୍ବାୟତ, ଭେସ୍ତାନ, ସଚିନ, କଟରଗାମ୍, ବେଦ୍ ରୋଡ୍ ଓ ଅଞ୍ଜନିରେ ଅଛି। ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କାମ କରୁଥିବା ଅନୁଷ୍ଠାନ ଆଜୀବିକା ବ୍ୟୁରୋର ଆକଳନ ଅନୁଯାୟୀ ସୁରଟ୍ ସହର ଓ ସଂଲଗ୍ନ ଅଞ୍ଚଳରେ ପ୍ରାୟ ୧.୫ ଅୟୁତ  ତନ୍ତ ମେସିନ୍ ଅଛି।

ଏହି ଲୁଗାକଳଗୁଡ଼ିକ ଶ୍ରମିକମାନଙ୍କ ପାଇଁ ବହୁ ସଂଖ୍ୟକ ଛୋଟ ବଡ଼ ଏବଂ ଘାତକ ଆଘାତର ସ୍ଥଳ। ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମରୁ ଆସିଛନ୍ତି। ପିଟିଆର୍‌ସି ଅଧ୍ୟୟନରୁ ଜଣାପଡିଛି ୨୦୧୨ ଓ ୨୦୧୫ ମଧ୍ୟରେ ସୁରଟ୍‌ର ବିଭିନ୍ନ ଟେକ୍ସଟାଇଲ୍‌ ପ୍ରୋସେସିଂ ୟୁନିଟ୍‌ରେ ୮୪ଟି ବଡ଼ ଦୁର୍ଘଟଣାରେ ୧୧୪ ଜଣ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ଏହି ସମୟ ମଧ୍ୟରେ ୩୭୫ ଜଣ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଗୁଜୁରାଟର ଔଦ୍ୟୋଗିକ ନିରାପତ୍ତା ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ସୂଚନା ଅଧିକାର ଆଇନ୍‌ ଆବେଦନ ଦ୍ୱାରା ଏହି ତଥ୍ୟ ମିଳିଛି। ଏହା ବ୍ୟତୀତ ସହରରେ ଅନେକ ଅଣପଞ୍ଜିକୃତ କଳତନ୍ତ ୱାର୍କସପ୍ ରହିଛି। ଏଠାରେ ହେଉଥିବା ମୃତ୍ୟୁ ଏବଂ ଦୁର୍ଘଟଣା ବିଷୟରେ କୌଣସି ତଥ୍ୟ ନାହିଁ।

କୌଣସି ଔପଚାରିକ ସମ୍ପୂର୍ଣ୍ଣ ତଥ୍ୟ ଉଭୟ ପଞ୍ଜିକୃତ ଏବଂ ଅଣପଞ୍ଜିକୃତ ଲୁଗାକଳରୁ ମିଳିନାହିଁ।

ପିଟିଆର୍‌ସିର ନିର୍ଦ୍ଦେଶକ ଜଗ୍‌ଦିଶ ପଟେଲଙ୍କ ସୂଚନା ଅନୁଯାୟୀ ଏଠାରେ ଅଧିକାଂଶ ଲୁଗାକଳ କାରଖାନା ଆଇନ୍‌ ବଦଳରେ ଦୋକାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଆଇନ୍‌ ଅଧିନରେ ପଞ୍ଜିକୃତ ହୋଇଛି। କାରଖାନା ଆଇନ୍‌ ଅଧୀନରେ ଦୁର୍ଘଟଣା କିମ୍ବା ମୃତ୍ୟୁ କ୍ଷେତ୍ରରେ ଶ୍ରମିକମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାର ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି ଯାହାକି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଆଇନ୍‌ରେ ନାହିଁ।

ଶ୍ରମିକମାନେ କୌଣସି ଚୁକ୍ତିନାମା ପାଆନ୍ତି ନାହିଁ। ମୌଖିକ ଭାବରେ ନିଯୁକ୍ତି ମିଳେ। ତେଣୁ ପ୍ରତିଥର ପର୍ବପର୍ବାଣୀ ବା ବିବାହ ଋତୁରେ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ଶ୍ରମିକମାନେ ନିଶ୍ଚିନ୍ତ ନଥାନ୍ତି, ସେମାନେ ପୁଣି ସୁରଟ୍ ଫେରିବା ବେଳକୁ ସେମାନଙ୍କ ଚାକିରି ଥିବ ନା ନାହିଁ। ଏକତା କୁହନ୍ତି ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚ (ପିଏସ୍ଏସ୍ଏମ୍)ର ଜନୈକ ସଦସ୍ୟ ପ୍ରହ୍ଲାଦ ସ୍ୱାଇଁ। ୨୦୧୬ ମସିହାରେ ସୁରଟ୍ ଓ ତତ୍ ସଂଲଗ୍ନ ଅଞ୍ଚଳରେ ଲୁଗାକଳ ଓ ବସ୍ତ୍ର ଶ୍ରମିକମାନଙ୍କ ସଂଘ ଭାବରେ ଏହି ମଞ୍ଚ ସ୍ଥାପନା ହୋଇଥିଲା”। ଗଞ୍ଜାମର ବଡ଼ଖଣ୍ଡି ଗ୍ରାମର ପ୍ରବାସୀ ଶ୍ରମିକ ୩୬ ବର୍ଷ ବୟସ୍କ ସୀମାଞ୍ଚଳ ସାହୁ କୁହନ୍ତି, “ଆମେ ଫେରିବା ବେଳେ ଯେ ଚାକିରି ଥିବ ଏ କଥାର କୌଣସି ଗ୍ୟାରେଣ୍ଟି ନଥାଏ। ଏଥିସହ ଯେତିକି ଦିନ ଛୁଟିରେ ଯାଆନ୍ତି ସେ ଦିନଗୁଡ଼ିକର ମଜୁରି ମଧ୍ୟ କଟାଯାଏ। “

Loom in Fulwadi
PHOTO • Reetika Revathy Subramanian

ଫୁଲୱାଡ଼ିର ଏକ ଲୁଗାକଳ: ଯେତେବେଳେ ଶ୍ରମିକମାନେ ଥାଆନ୍ତି ସେତେବେଳେ ହାତଗୋଡ ହଲାଇବା ପାଇଁ ମଧ୍ୟ ସ୍ଥାନ ନଥାଏ। ପୁଣି ପ୍ରତି ମିନିଟ୍ର ସୂତାବୁଣା ବି ହିସାବରେ ଥାଏ। ତେଣୁ ବିଶ୍ରାମ ଖୁବ୍ ବିରଳ

“ମୂଲଚାଲ କରିବାର କ୍ଷମତା ନଥିବାରୁ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣା ଓ ମୃତ୍ୟୁ କ୍ଷେତ୍ରରେ ପ୍ରାୟ କିଛି କରିହୁଏନି। ”  ଏ କଥା କୁହନ୍ତି ସୁରଟ୍ ମ୍ୟୁନିସିପାଲିଟି କର୍ପୋରେସନର ପରିମଳ ନିରୀକ୍ଷକ ଜେ.କେ. ଗାମ୍ବିଟ୍। “ଶ୍ରମିକମାନଙ୍କ ପରିବାର ଦୂରରେ ଗାଁରେ ଥା’ନ୍ତି, ସୁରଟରେ ସେମାନଙ୍କ ବନ୍ଧୁମାନେ ମଧ୍ୟ ଲୁଗାକଳ କର୍ମଚାରୀ। ପୋଲିସ୍ ଷ୍ଟେସନ ଦୌଡ଼ିବା କିମ୍ବା କର୍ତ୍ତୃପକ୍ଷଙ୍କ ପାଖକୁ ଦୌଡ଼ିବା ପାଇଁ ସେମାନଙ୍କ ପାଖରେ ସମୟ ବା କାହିଁ ? ଆଘାତ ଓ ମୃତ୍ୟୁ ଘଟଣାର କୌଣସି ଔପଚାରିକ ଦସ୍ତାବିଜ୍ ମଧ୍ୟ ନଥାଏ। କେସ୍ ତୁରନ୍ତ ବନ୍ଦ କରିଦିଆଯାଏ”, ସେ କହନ୍ତି।

ସାଧାରଣତଃ ଲୁଗାକଳରେ ମୃତ୍ୟୁ ଘଟିଲେ ପୋଲିସରେ ମାମଲା ପଞ୍ଜିକରଣ କରାଯାଏ। କିନ୍ତୁ ତାହା ଆଇନ୍ ଓ ଡାକ୍ତରୀ ଔପଚାରିକତା ପାଇଁ। କିନ୍ତୁ ଏ ମାମଲାରେ କାହାକୁ ଗିରଫ କରାଯିବା ବିରଳ। କ୍ଷତିପୂରଣ ଦାବି କରିବା ପାଇଁ ପରିବାରକୁ ଶ୍ରମ ବିଭାଗରେ ଆବେଦନ କରିବାକୁ ହୁଏ। ଯଦି କ୍ଷତିପୂରଣ ପାଇଁ ଦାବି କରାଯାଏ ତେବେ ଶ୍ରମିକଙ୍କ ଚାକିରି ବିପଦରେ ପଡ଼ିଯାଏ। କାରଣ ଏହା ମାଲିକଙ୍କୁ ଅସନ୍ତୁଷ୍ଟ କରିଦେଇପାରେ। ଅଧିକାଂଶ ଅଦାଲତ ବାହାରେ ବୁଝାମଣା କରି ଇସ୍ତଫା ଦେଇଦିଅନ୍ତି।

ତେଣୁ ତରୁଣ ବିକାଶ ଗୌଡ଼ଙ୍କ ମୃତ୍ୟୁର ଚାରିଦିନ ପରେ ଏପ୍ରିଲ୍ ୨୯ ତାରିଖରେ ତାଙ୍କ ନିଯୁକ୍ତିଦାତା ପରିବାରକୁ ୨.୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଓ ସ୍ପଷ୍ଟ ଭାବେ ଉଲ୍ଲେଖ କଲେ ଯେ ଏହା ପରେ ଆଉ କିଛି ଦାବି କରାଯାଇପାରିବ ନାହିଁ। ଅଧିକାଂଶ କ୍ଷେତ୍ରରେ ନିଯୁକ୍ତିଦାତାମାନେ ମାତ୍ର ୫୦,୦୦୦ଟଙ୍କା କ୍ଷତିପୂରଣ ଦିଅନ୍ତି ଓ ସେଥିପାଇଁ ମାସାଧିକ ସମୟ ଲାଗିଯାଏ। କିନ୍ତୁ ବିକାଶଙ୍କ ମାମଲାରେ ପିଏସ୍ଏସ୍ଏମ୍ ଓ ଆଜୀବିକା ବ୍ୟୁରୋ ହସ୍ତକ୍ଷେପ କରିବା ଫଳରେ କ୍ଷତିପୂରଣ ପରିମାଣ ବୃଦ୍ଧି ପାଇଲା ଓ ଅର୍ଥ ପ୍ରଦାନ ମଧ୍ୟ ତ୍ୱରାନ୍ୱିତ ହେଲା।

ତିନୋଟି ଚାକିରି ବିପଦରେ ଥିବାରୁ ପରିବାର  ମଧ୍ୟ ରାଜି ହୋଇଗଲେ।

ଗଞ୍ଜାମରୁ ଗୁଜରାଟ

ସୁରଟ ଓଡ଼ିଆ କଲ୍ୟାଣ ଅନୁଷ୍ଠାନର ଜନୈକ ସଦସ୍ୟ ରାଜେଶ କୁମାର କୁମାର ପାଢ଼ୀଙ୍କ ଅନୁଯାୟୀ ସୁରଟରେ ଗଞ୍ଜାମରୁ ପ୍ରାୟ ୮୦୦,୦୦୦ ଶ୍ରମିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ସହରର ବସ୍ତ୍ର ଶିଳ୍ପ କ୍ଷେତ୍ରରେ କାମ କରନ୍ତି। ଶ୍ରୀ ପାଢ଼ୀଙ୍କ କହିବା ଅନୁଯାୟୀ, ଯଦିଓ ଗଞ୍ଜାମ ଓଡ଼ିଶାର ଏକ ବିକଶିତ ଜିଲ୍ଲା ଭାବେ ପରିଗଣିତ ତଥାପି ଓଡ଼ିଶାରୁ ସୁରଟକୁ କାମ ପାଇଁ ଯିବା ପ୍ରାୟ ୪୦ ବର୍ଷ ତଳେ ଆରମ୍ଭ ହୋଇଥିଲା। ପିଟିଆର୍ସିର ରିପୋର୍ଟ ଅନୁଯାୟୀ ପ୍ରାକୃତିକ ସମ୍ପଦ ସଙ୍କୁଚିତ ହେବା, କୃଷି ଉପଯୋଗୀ ଭୂମି ହ୍ରାସ ପାଇବା ଓ ଏଥିସହ ନିୟମିତ ବନ୍ୟା ଓ ମରୁଡ଼ି ସେମାନଙ୍କୁ କାମ ସନ୍ଧାନରେ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ କରିଛି।

ତେବେ ପିଟିଆରସିର ନିର୍ଦ୍ଦେଶକ ଜଗଦୀଶ ପଟେଲଙ୍କ ମନ୍ତବ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ସେ କହନ୍ତି, ‘ଗଞ୍ଜାମରୁ ଆସିଥିବା ପ୍ରବାସୀ ଶ୍ରମିକମାନେ କିନ୍ତୁ ସୁରଟର ଅନ୍ୟ ଗୃହ ଉଦ୍ୟୋଗ ହୀରା କ୍ଷେତ୍ରରେ ନିଯୁକ୍ତି ପାଆନ୍ତି ନାହିଁ। ଏ କ୍ଷେତ୍ରରେ ନିଯୁକ୍ତି ସ୍ଥାନୀୟ ଗୁଜରାଟୀ ଶ୍ରମିକଙ୍କ ପାଇଁ ସଂରକ୍ଷିତ। କାରଣ ମାଲିକମାନେ କେବଳ ନିଜର ଭରସା ଥିବା କାରିଗରମାନଙ୍କୁ ହିଁ ନିଯୁନ୍ତି ଦିଅନ୍ତି। ଗଞ୍ଜାମର ଶ୍ରମିକମାନେ ଲୁଗାକଳର ସବୁଠାରୁ ତଳିଆ କର୍ମଚାରୀ ଭାବରେ କାମ କରନ୍ତି। ବର୍ଷ ବର୍ଷ ଧରି ପ୍ରତିଦିନ ସେମାନେ ସେହି ଏକାପ୍ରକାର କାମ ଅର୍ଥାତ୍ ଏକା ପ୍ରକାର ମେସିନ୍ ଚଲାନ୍ତି। ’

ତଥାପି ଶ୍ରମିକମାନେ କୁହନ୍ତି, ବରଂ ଗାଁଠାରୁ ଏ ସ୍ଥିତି ଭଲ। ପିଏସ୍ଏସ୍ଏମର ଜନୈକ ସଦସ୍ୟ ସୀମାଞ୍ଚଳ ସାହୁ କୁହନ୍ତି, ‘ଗଞ୍ଜାମରେ ପରିସ୍ଥିତି ଖୁବ୍ କଷ୍ଟକର। ପ୍ରଥମେ ହୁଏତ କିଛି ଶ୍ରମିକ କାମ ସନ୍ଧାନରେ ଏକୁଟିଆ ଆସିଥିବେ। କିନ୍ତୁ ଏବେ ସେମାନେ ବଡ଼ ବଡ଼ ଦଳ ହୋଇ ଆସୁଛନ୍ତି। ଅଧିକାଂଶ ଦଳରେ ପରିବାରର ସଦସ୍ୟ ଏବଂ ପାଖ ପଡ଼ୋଶୀ ଅଛନ୍ତି।

Simanchala Sahu, a migrant worker from Odisha’s Ganjam district has been working in a powerloom unit on Ved Road for the last two decades. He works for 12 hours every day, and gets paid on a piece-rate basis
PHOTO • Aajeevika Bureau (Surat Centre)
Forty-year-old Shambunath Sahu runs a mess for the loom workers in Fulwadi on Ved Road. A migrant from Polasara town in Ganjam, Sahu feeds over 100 workers every day
PHOTO • Reetika Revathy Subramanian

ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ଆସିଥିବା ସୀମାଞ୍ଚଳ ସାହୁ (ବାମ) ଗତ ଦୁଇ ଦଶକ ଧରି ସେ ବେଦ୍ ରୋଡରେ ଏକ ଲୁଗାକଳରେ କାମ କରୁଛନ୍ତି। ଗଞ୍ଜାମର ପୋଲସରା ସହରରୁ ଆସିଥିବା ଶମ୍ଭୁନାଥ ସାହୁ (ଡାହାଣ) ବେଦ୍ ରୋଡରେ ଲୁଗାକଳ ଶ୍ରମିକଙ୍କ ପାଇଁ ଏକ ମେସ୍ ପରିଚାଳନା କରୁଛନ୍ତି

ଲୁଗାକଳ ଉଦ୍ୟୋଗରେ ଅଧିକାଂଶ ପ୍ରବାସୀ ଶ୍ରମିକ ପୁରୁଷ। ସୁରଟରେ ଗଞ୍ଜାମରୁ ଆସିଥିବା ମହିଳାଙ୍କ ସଂଖ୍ୟା ଖୁବ୍ କମ୍। ସେମାନେ ମୁଖ୍ୟତଃ କପଡ଼ା କାଟିବା ୟୁନିଟ୍ କିମ୍ବା ଏମ୍ବ୍ରୋଡୋରି ୟୁନିଟରେ କାମ କରନ୍ତି  କିମ୍ବା ଘରୁ ଖଣ୍ଡ ହିସାବରେ କାମ କରନ୍ତି। କିଛି ମହିଳା ସେମାନଙ୍କ ସ୍ୱାମୀମାନେ ସୁରଟରେ ନିଜର ସ୍ଥିତି ସୁଦୃଢ଼ କରିବା ପରେ ଏଠାକୁ ଚାଲିଆସିଛନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ପୁରୁଷ ଶ୍ରମିକମାନେ ସେମାନଙ୍କ ପରିବାରଠାରୁ ଦୂରରେ ଏଠାରେ ରୁହନ୍ତି। ସେମାନେ ବର୍ଷେ କିମ୍ବା ଦୁଇବର୍ଷ କେଇସପ୍ତାହ ପାଇଁ ଥରେ ନିଜ ଘରକୁ ଯାଇପାରନ୍ତି। (ଏହି ପ୍ରସଙ୍ଗର ପରବର୍ତ୍ତୀ ଅଂଶରେ ଅଧିକ ତଥ୍ୟ ରହିଛି। )

ସୁରଟରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରୁ ଅଧିକ ଦଳିତ କେଉଟ ଜାତିର। ସେମାନେ ନିଜ ଗାଁରେ କେଉଟ କିମ୍ବା ନୌକାର ମାଝୀ ଭାବରେ କାମ କରନ୍ତି। ସୀମାଞ୍ଚଳ ସାହୁଙ୍କ ପରି କିଛି ଶ୍ରମିକ ପଛୁଆ ବର୍ଗର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ। ଆୟର ମୁଖ୍ୟ ଉତ୍ସ କୃଷି। କିନ୍ତୁ ଏହା ଜଳବାୟୁ ଏବଂ ବନ୍ୟା ପରିସ୍ଥିତି ଉପରେ ଅତ୍ୟଧିକ ନିର୍ଭରଶୀଳ। ଏହାବ୍ୟତୀତ ଅନ୍ୟ କୌଣସି ସୁଯୋଗ ନାହିଁ ବୋଲି କୁହନ୍ତି ଶ୍ରୀ ସ୍ୱାଇଁ। ‘”ଏହା ହିଁ ଅଧିକାଂଶଙ୍କୁ ସୁରଟକୁ ବାଟ କଢ଼ାଇ ଆଣିଛି। କିଛି ନହେଲେ ସେମାନେ ଏଠାରେ କିଛି ରୋଜଗାର କରିପାରିବେ ଏବଂ ପରିବାର ପାଖକୁ ପଠାଇ ପାରିବେ। ଯଦିଓ ଏଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟର ମୂଲ୍ୟ ଦେବାକୁ ହୋଇଥାଏ। ”

ଏହି ଅସହାୟତା କାରଖାନାମାନଙ୍କରେ ଉଚ୍ଚସ୍ତରୀୟ ଶୋଷଣକୁ ଏକ  ସାଧାରଣ ଧାରାରେ ପରିଣତ କରିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରୁ ସୁରଟରେ ଲୁଗାକଳ ଶ୍ରମିକ ଭାବରେ କାମ କରୁଥିବା ୩୮ବର୍ଷୀୟ ହୃଷିକେଶ ରାଉତ କୁହନ୍ତି, ‘ଜଣେ ଶ୍ରମିକ ଆହତ ହେଲେ କିମ୍ବା ମୃତ୍ୟୁବରଣ କଲେ ତା’ ବଦଳରେ ପ୍ରତିଦିନ ବହୁ ସଂଖ୍ୟକ ଯୁବ ଓ ଆଶାୟୀ ଶ୍ରମିକ ଏହି ସହରକୁ ଛୁଟି ଆସୁଛନ୍ତି। ଶ୍ରୀ ରାଉତ ୨୦୧୭ ଫେବୃଆରୀରେ ଏକ ବିଦ୍ୟୁତ୍ ଖୁଣ୍ଟି ଦୁର୍ଘଟଣାରେ ନିଜର ତିନି ଆଙ୍ଗୁଠି ହରାଇଛନ୍ତି। ସେ କୁହନ୍ତି “ମାଲିକମାନେ ମଧ୍ୟ ଠିକ୍ ଭାବରେ ଜାଣନ୍ତି ଛୋଟମୋଟ ଆଘାତ ବା ଦୁର୍ଘଟଣା ଗାଁର ପରିସ୍ଥିତି ତୁଳନାରେ ଅଧିକ ଖରାପ ନୁହେଁ। ” ଶ୍ରୀ ରାଉତ ବର୍ତ୍ତମାନ ସୁରଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି। ସୁରଟର ପାଣ୍ଡେସରା ଶିଳ୍ପାଞ୍ଚଳରେ ଥିବା ତାଙ୍କର ବଖରାଏ ଘରେ ଏ ଦୁର୍ଘଟଣା ଘଟିଥିବାରୁ କ୍ଷତିପୂରଣର ବି କୌଣସି ଆଶା ନାହିଁ।

ଦୈନିକ ସଂଘର୍ଷ , ସ୍ଥାୟୀ ପ୍ରଭାବ

ଦୀର୍ଘ କଷ୍ଟକର କାର୍ଯ୍ୟନିର୍ଘଣ୍ଟ ସହ କମ୍ ମଜୁରି। ଏଥିସହ ଆଉ ଅନ୍ୟ ସମସ୍ୟା ମଧ୍ୟ ଅଛି। ଲୁଗାକଳରେ କାମ କରୁଥିବା ଅଧିକରୁ ଅଧିକ ଶ୍ରମିକ ଏବେ ବଧିର ପାଲଟିଯାଉଛନ୍ତି। କାରଣ ତୀବ୍ର ଏବଂ ଉଚ୍ଚ ଶବ୍ଦ ମଧ୍ୟରେ ସେମାନେ ନିୟମିତ ଭାବରେ କାମ କରୁଛନ୍ତି। ଆଜୀବିକା ବ୍ୟୁରୋର ସେଣ୍ଟର କୋର୍ଡିନେଟର ସଞ୍ଜୟ ପଟେଲ୍ କହିଛନ୍ତି, ‘ଲୁଗାକଳ ୟୁନିଟ୍ ଭିତରେ ହାରାହାରି ଶବ୍ଦସ୍ତର ୧୧୦ ଡେସିବଲରୁ ଅଧିକ। ଚଳିତ ବର୍ଷ ଜାନୁଆରୀ ମାସରେ ଏହି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଲୁଗାକଳର ୬୫ଜଣ ଶ୍ରମିକଙ୍କ ଶବଣ ଶକ୍ତି ପରୀକ୍ଷା କରାଯାଥିଲା। ଏହି ରିପୋର୍ଟ ଭେଲୋରସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ ଓ ଡାକ୍ତରଖାନାକୁ ପଠାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି – ୯୫ ପ୍ରତିଶତ କ୍ଷେତ୍ରରେ ସେମାନଙ୍କ ବଧିରତା ଭିନ୍ନଭିନ୍ନ ସ୍ତରରେ। ଶ୍ରବଣଶକ୍ତିହୀନତା ଶ୍ରମିକମାନଙ୍କ ପାଇଁ ସାଧାରଣ ଘଟଣା ପାଲଟିଯାଉଥିବା ବେଳେ ଏହା ସେମାନଙ୍କ ଦୈନନ୍ଦିନ ଶାରୀରିକ ପରିଶ୍ରମକୁ କୌଣସିମତେ କମ୍ କରୁନି। ମାଲିକମାନେ ମଧ୍ୟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରୁନାହାନ୍ତି। ସେମାନେ କୌଣସି ସୁରକ୍ଷା ଉପକରଣ ଦେଉନାହାନ୍ତି. . . ଏବଂ ଶ୍ରମିକମାନେ ମଧ୍ୟ ଏ ନେଇ ପ୍ରଶ୍ନ କରିପାରିବେ ନାହିଁ।

Rushikesh Rout, 38, a former powerloom unit worker lost three fingers in a freak accident in June last year. He now works as a security guard, carrying with him little hope to be compensated for his lost fingers.
PHOTO • Reetika Revathy Subramanian

୩୮ବର୍ଷ ବୟସ୍କ ପୂବର୍ତନ ଲୁଗାକଳ କର୍ମଚାରୀ ହୃଷିକେଶ ରାଉତ ଗତବର୍ଷ ଦୁର୍ଘଟଣାରେ ନିଜର  ତିନିଆଙ୍ଗୁଠି ହରାଇଛନ୍ତି

ୟୁନିଟ୍ ମଧ୍ୟରେ ଥିବା ମେସିନ୍ ମାନ ଶ୍ରମିକମାନଙ୍କ ପାଇଁ ଅଧିକ ଘାତକ ହେଉଛି। ଅଞ୍ଜନୀ ଇଣ୍ଡଷ୍ଟ୍ର୍ରିଆଲ୍ ଇଷ୍ଟେଟର ମାଲିକ ଯେ କି ନିଜ ଲୁଗାକଳରେ ୮୦ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି , ସେ ଲେଖକଙ୍କୁ କହିଥିଲେ - ଏହି ଗଞ୍ଜାମ ଶ୍ରମିକମାନଙ୍କୁ ଚୀନ୍, ଜର୍ମାନୀ ଏବଂ କୋରିଆରୁ ଆମଦାନୀ ହୋଇ ଆସିଥିବା ଉଚ୍ଚମାନର ମେସିନରେ କାମ କରିବା ପାଇଁ ଅନୁମତି ଦିଆଯାଏ ନାହିଁ। ସେମାନେ କେବଳ ଏହି ଶସ୍ତା ଦେଶୀ ମେସିନରେ କାମ କରନ୍ତି। ଏଥିରେ କାମ କରିବା କଷ୍ଟ ଏବଂ ଶବ୍ଦ ମଧ୍ୟ ଅଧିକ। ଏହାକୁ ଖଟ୍ ଖଟ୍ ମେସିନ୍ ବୋଲି ସେମାନେ କହନ୍ତି। କାରଣ ଏହା ସେମିତି ଶବ୍ଦ କରେ। ଏହା ଦାମୀ ମେସିନ ପରି ସମାନ କାମ କରେ। କିନ୍ତୁ ସ୍ଥାନୀୟ ମାର୍କେଟରେ ବିକ୍ରି ପାଇଁ ନିମ୍ନମାନର କପଡ଼ା ଏଥିରେ ପ୍ରସ୍ତୁତ କରାଯାଏ। ଉଚ୍ଚମାନର ମେସିନରେ ଉଚ୍ଚମାନର କପଡ଼ା ପ୍ରସ୍ତୁତ ହୋଇ ରପ୍ତାନୀ କରାଯାଏ କିମ୍ବା ବଡ଼ବଡ଼ ସହରକୁ ପଠାଯାଏ।

ଅଞ୍ଜନୀ ଶିଳ୍ପାଞ୍ଚଳର ସେକ୍ଟର ବି-୪ରେ ଥିବା ଲୁଗାକଳ କର୍ମଚାରୀ ସଂଘର ସଂସ୍ଥାପକ ସଦସ୍ୟ ନିତିନ ଭୟାନୀ କୁହନ୍ତି- ମାଲିକମାନେ ସାଧାରଣତଃ ମେସିନରେ ସେନସର୍ ପରି ନିରାପତ୍ତା ଉପାୟ ନିମନ୍ତେ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ। ଏହି ସେନସର୍ ଗୁଡ଼ିକ ଖୁବ୍ ଦାମୀ ଏବଂ ଗତ ଚାରିବର୍ଷ ହେବ ବସ୍ତ୍ର ଶିଳ୍ପର ଅବସ୍ଥା ମଧ୍ୟ ଭଲ ନାହିଁ।

ତେବେ ଭୟାନୀଙ୍କ ବିଶ୍ୱାସ ଅଧିକାଂଶ କ୍ଷେତ୍ରରେ ଶ୍ରମିକମାନେ ଦୁର୍ଘଟଣା ଏବଂ ଆଘାତ ପାଇଁ ନିଜେ ଦାୟୀ। ସେ କୁହନ୍ତି, “ଅଧିକାଂଶ ସମୟରେ ସେମାନେ ନିଶାସକ୍ତ ଥାଆନ୍ତି ଏବଂ କାମରେ ଧ୍ୟାନ ଦିଅନ୍ତି ନାହିଁ। ମାଲିକମାନେ ରାତିରେ ଶ୍ରମିକମାନଙ୍କୁ ତଦାରଖ କରିବାକୁ ନଥାନ୍ତି। ଅଧିକାଂଶ ଦୁର୍ଘଟଣା ଏହି ସମୟରେ ହିଁ ଘଟେ ”।

ଯେଉଁମାନେ କୌଣସି ପ୍ରକାର ଦୁର୍ଘଟଣାରେ ଅଙ୍ଗ ହରାଇବା କିମ୍ବା ଆଘାତ ପାଇବାରୁ ବର୍ତ୍ତିଯାଇଥାନ୍ତି, ସେମାନେ ସେହି ସମାନ ମେସିନରେ ବର୍ଷ ପରେ ବର୍ଷ ଏପରିକି ଦଶକ ଦଶକ ଧରି କାମ କରନ୍ତି। ସେମାନଙ୍କ ପାଇଁ କିଛି ନୂଆ କୌଶଳ ଶିଖିବା ବା ପଦୋନ୍ନତି ପାଇବାର କୌଣସି ସମ୍ଭାବନା ନଥାଏ। ଫୁଲବାଡ଼ିରେ ଶ୍ରମିକମାନଙ୍କ ମେସ୍ ଚଳାଉଥିବା ୪୦ବର୍ଷୀୟ ବୟସ୍କ ଶମ୍ଭୁନାଥ ସାହୁ କୁହନ୍ତି- ଏହି ଉଦ୍ୟୋଗରେ ଉପରକୁ ଉଠିବା ଆଦୌ ସହଜ ନୁହେଁ। ଏପରିକି ୬୫ବର୍ଷ ବୟସ୍କ ଶ୍ରମିକ ମଧ୍ୟ ସେହି ସମାନ ମେସିନରେ କାମ କରନ୍ତି। ଫଳରେ ସେମାନେ ଖୁବ୍ ଶୀଘ୍ର ବୟସ୍କ ପାଲଟିଯାଆନ୍ତି। ଶ୍ରୀ ସାହୁ ଗଞ୍ଜାମର ପୋଲସରା ସହରରୁ କାମ ସନ୍ଧାନରେ ଏଠାକୁ ଆସିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Reetika Revathy Subramanian

ریتکا ریوتی سبرامنیم، ممبئی کی ایک صحافی اور محقق ہیں۔ وہ مغربی ہندوستان میں غیر روایتی شعبہ میں مزدوروں کی مہاجرت پر کام کررہے این جی او، آجیوکا بیورو کے ساتھ ایک سینئر صلاح کار کے طور پر کام کرتی ہیں۔

کے ذریعہ دیگر اسٹوریز Reetika Revathy Subramanian
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE