“କ୍ୟାମେରା ହେଉଛି ଗୋଟିଏ ଛିଦ୍ର ଥିବା ଧାତବ ପିଣ୍ଡଟିଏ। ଚିତ୍ର ଥାଏ ଆପଣଙ୍କ ମନ ଭିତରେ। ଅଭିପ୍ରାୟ ହିଁ ନିରୂପଣ କରେ ବିଷୟ।”
ପି. ସାଇନାଥ
ନଇଁବା, ସନ୍ତୁଳନ ରଖିବା, ଗଢ଼ିବା, ଉଠାଇବା, ଟେକି ଧରିବା, ଓଳାଇବା, ରାନ୍ଧିବା, ପରିବାର ପ୍ରତିପୋଷଣ, ପଶୁପାଳନ, ପଢ଼ିବା, ଲେଖିବା, ବୁଣିବା, ସଙ୍ଗୀତ ପ୍ରସ୍ତୁତି, ନୃତ୍ୟ, ଗାୟନ ଏବଂ ଉତ୍ସବ ପାଳନ... ଏମିତି ଅନେକ ବିଷୟକୁ ନେଇ ଉତ୍ତୋଳିତ ଫଟୋ ସହିତ ଲେଖାର ସମ୍ମିଶ୍ରଣରୁ ଫୁଟି ଉଠେ ଗ୍ରାମୀଣ ଭାରତରେ ମଣିଷର ଜୀବନ ଓ କାର୍ଯ୍ୟଧାରାର ଗଭୀରତମ ପରିସରରେ ବିଦ୍ୟମାନ ସୂକ୍ଷ୍ମାତିସୂକ୍ଷ୍ମ ଦିଗ ସମୂହ।
‘ପରୀ’ର ଫଟୋଗୁଡ଼ିକରେ ଦୃଶ୍ୟରୂପରେ ରହିଛି ସାମୂହିକ ସ୍ମୃତିର ଅତୀତ। ସେଗୁଡ଼ିକ କେବଳ ଆମ ଜୀବନ କାଳର ଏକ ଆବେଗହୀନ ଦସ୍ତାବିଜ୍ ପ୍ରସ୍ତୁତି ନୁହେଁ, ବରଂ ଆମ ସହିତ ଆମ ଚାରିପଟେ ରହିଥିବା ପୃଥିବୀକୁ ସଂଯୋଗ କରୁଥିବା ଏକ ଉନ୍ମୁକ୍ତ ପ୍ରବେଶ ପଥ। ଆମର ଫଟୋ ସଂଗ୍ରହରେ ରହିଛି ସେହି ସବୁ କାହାଣୀ, ଯାହା ମୁଖ୍ୟଧାରାର ଗଣମାଧ୍ୟମରେ ପ୍ରକାଶିତ ହୋଇନାହିଁ- ସେ ସବୁ ହେଉଛି ଦଳିତ ଓ ଅବହେଳିତ ମଣିଷ, ସ୍ଥାନ, ଭୂମି, ଜୀବିକା ଏବଂ ପରିଶ୍ରମର କାହାଣୀ।
ଫଟୋ ମାଧ୍ୟମରେ ପରିବେଷିତ ଆନନ୍ଦ, ସୌନ୍ଦର୍ଯ୍ୟ, ସୁଖ, ଦୁଃଖ, ଶୋକ, ବିସ୍ମୟ ଏବଂ ଭୟଙ୍କର ସତ୍ୟରେ ଲୁଚି ରହିଥାଏ ମଣିଷ ଜୀବନର ସମସ୍ତ କ୍ଷଣଭଙ୍ଗୁର ଏବଂ ଦୁର୍ବଳ ସମୟର କଥା। କୌଣସି ଲେଖାରେ ରହିଥିବା ମଣିଷଟି କେବଳ ଫଟୋର ବିଷୟବସ୍ତୁ ନୁହେଁ। ଫଟୋରେ ଥିବା ବ୍ୟକ୍ତିଙ୍କ ନାଁ ଜାଣିଲେ ହିଁ ତାଙ୍କ ପ୍ରତି ସହାନୁଭୂତି ଜାତ ହୁଏ। ଏବଂ କେବଳ ଗୋଟିଏ କ୍ଷୁଦ୍ର ଲେଖାରୁ ହିଁ ଶୁଭିଥାଏ ଅନେକ ବିଶାଳ ସତ୍ୟର ସ୍ୱର।
କିନ୍ତୁ ଏହା କେବଳ ସେତେବେଳେ ସମ୍ଭବ, ଯେତେବେଳେ କି ଫଟୋରେ ଥିବା ବ୍ୟକ୍ତି ଏବଂ ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଭାବ ସ୍ଥାପିତ ହୁଏ। ଯେ କୌଣସି କାରଣରୁ ପ୍ରଭୂତ କ୍ଷତି ସହି ଅକଥନୀୟ ଯନ୍ତ୍ରଣାରେ କାଳ କାଟୁଥିବା ସେହି ବ୍ୟକ୍ତିମାନଙ୍କର ଫଟୋ ଉଠାଇବା ଲାଗି ସେମାନେ ଆମକୁ ସମ୍ମତି ପ୍ରଦାନ କରିଛନ୍ତି କି ? ସେହି ନିର୍ଯାତିତ ବ୍ୟକ୍ତିମାନଙ୍କର ଆତ୍ମସମ୍ମାନ ରକ୍ଷା କରି ଆମେ ସେମାନଙ୍କ ଫଟୋ ଉଠାଇ ପାରିବା କି ? କେଉଁ ପ୍ରସଙ୍ଗରେ ଆମେ ସେହି ବ୍ୟକ୍ତିମାନଙ୍କର ଫଟୋ ଉଠାଇବା ? ସାଧାରଣ ଲୋକଙ୍କ ନିତିଦିନିଆ ଜୀବନର କାହାଣୀ ଶୁଣାଉଥିବା ସେହି ଫଟୋଚିତ୍ର ସମୂହର ସୃଷ୍ଟି ଅନ୍ତରାଳରେ ନିହିତ ଅଭିପ୍ରାୟର ରୂପରେଖ କ’ଣ ?
ବାସ୍ତବ କ୍ଷେତ୍ରରେ ଫଟୋ ଉଠାଇବା ସମୟରେ ଆମ ଫଟୋଗ୍ରାଫରମାନଙ୍କ ମନରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଥାଏ ଯେ, କୌଣସି ଲେଖା ପାଇଁ କେତେ ଦିନ ବା କେତେ ବର୍ଷ ଧରି ଫଟୋ ଉଠାଇବା ଦରକାର, ଏବଂ କାହା ଫଟୋ ଉଠାଇବା ଦରକାର- ବିଶିଷ୍ଟ କଳାକାରମାନଙ୍କର, ଆଦିବାସୀ ଉତ୍ସବର, ଆନ୍ଦୋଳନରତ ଚାଷୀମାନଙ୍କର ନା ଆଉ କାହାର।
ବିଶ୍ୱ ଫଟୋଗ୍ରାଫି ଦିବସରେ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରୁଛୁ ‘ପରୀ’ରେ ପ୍ରକାଶିତ ନିଜ ନିଜର ଲେଖା ନିମନ୍ତେ ଫଟୋଗ୍ରାଫରମାନେ ଉଠାଇ ଥିବା କେତେକ ଫଟୋଚିତ୍ରର ସମାହାର। ସେମାନେ ଲେଖିଛନ୍ତି ସେମାନଙ୍କ ଫଟୋ ଉଠା ପ୍ରଣାଳୀର କଥା, ଯାହା ସେମାନଙ୍କ ଚିତ୍ରରେ ନିହିତ ତଥ୍ୟାବଳୀ ଉପରେ ଆଲୋକପାତ କରେ। ନିମ୍ନରେ ସେହି ସବୁ ଚିତ୍ରକୁ ଅକ୍ଷରକ୍ରମରେ ସଜେଇ ରଖାଯାଇଛି।






















