ଚମନି ମୀନା ତାଙ୍କ ବୟସ ମନେ ପକାଇ ପାରନ୍ତିନି, କିନ୍ତୁ ସେ ମନେ ରଖିଛନ୍ତି ଯେ ତାଙ୍କ ଯୁବାବସ୍ଥାରେ ଖାଦ୍ୟର ସ୍ୱାଦ ଖୁବ୍‌ ଭଲ ଥିଲା: “ଆଜିକାଲି ଏହା ଅଲଗା ଲାଗୁଛି । ଆଉ ଆପଣ ଖାଦ୍ୟର ସେହି ସମାନ ବାସ୍ନା ପାଉନାହାନ୍ତି । ଦେଶୀ (ସ୍ୱଦେଶୀ) ବିହନ ଆଉ ନାହିଁ । ଏବେ ବିଭିନ୍ନ କିସମ ଖୋଜିବା କଷ୍ଟକର।”

ରାଜସ୍ଥାନର ଉଦୟପୁର ସହର ଉପକଣ୍ଠ ଘାଟି ଗାଁରେ ରହୁଥିବା ଚମନିବାଇଙ୍କୁ ପ୍ରାୟ ୮୦ ବର୍ଷ ହେଲାଣି ବୋଲି ସେ ମନେ କରନ୍ତି ଏବଂ ପିଲାବେଳରୁ ହିଁ ସେ ବିହନ ସଞ୍ଚୟ କରିଆସୁଛନ୍ତି । ଚମନିବାଇ ମନେ ପକାନ୍ତି ଯେ, କେମିତି ସେ ଓ ତାଙ୍କ ସ୍ୱାମୀ ସେମାନଙ୍କ ଘର ଓ କ୍ଷେତ ଗଢ଼ିଥିଲେ ଏବଂ କେବଳ ବଞ୍ଚି ରହିବା ପାଇଁ ହିଁ କେତେ କାମ କରିବାକୁ ପଡ଼ିଥିଲା । ତଥାପି, ସେ କହନ୍ତି, ସେମାନଙ୍କ ଯୁବାବସ୍ଥାରେ ଜୀବନ ଓ ଖାଦ୍ୟ ଏବର ତୁଳନାରେ ଭଲ ଥିଲା ।

PHOTO • Sweta Daga

ଦେଶୀ ସୋରିଷ ବିହନ

ବର୍ଷ ବର୍ଷ ଧରି ଚମନିବାଇ ଓ ତାଙ୍କ ପରିବାର ବିଭିନ୍ନ କିସମର ସ୍ଥାନୀୟ ବିହନ ସଂରକ୍ଷଣ କରିଛନ୍ତି । ଏବେ ତାଙ୍କ ଜ୍ଞାନ ଓ ଅନୁଭୂତିକୁ ସେ ତାଙ୍କ ବୋହୂମାନଙ୍କୁ ସମର୍ପି ଦେଇଛନ୍ତି । ସେ କହିଲେ, “ମହିଳାମାନେ ଭଲ ଭାବରେ ବିହନ ସଞ୍ଚିପାରନ୍ତି’’ । ‘‘ସେମାନେ ସେଗୁଡ଼ିକର ଯତ୍ନ ନିଅନ୍ତି ଏବଂ ସେଗୁଡ଼ିକୁ ବଦଳାଇ ନୂଆ ବିହନ ରଖିବା କଥା ମନେ ରଖନ୍ତି । ଏହି ପ୍ରକ୍ରିୟା ହେଉଛି, ଟିକିନିଖି ବିବରଣୀର କଥା ।”

PHOTO • Sweta Daga

ଚମନିବାଇ ବୁଝାଇ ଦିଅନ୍ତି ଜଣେ କୃଷକ ପାଇଁ ବିହନ କେତେ ଗୁରୁତ୍ୱପୂର୍ଣ୍ଣ

PHOTO • Sweta Daga

ଜୈବିକକୋଳଥ ବିହନ

ଯେତେବେଳେ ସେମାନେ ବିବାହ କଲେ, ଚମନିବାଇଙ୍କ ବୋହୂ ଚମ୍ପାବାଇ ଓ ଡଲିବାଇ ଜାଣି ନଥିଲେ ଯେ ବିହନକୁ କେମିତି ରଖାଯିବ ଏବଂ ସଂରକ୍ଷଣ କରାଯିବ। ବର୍ଷ ବର୍ଷ ଧରି ସେମାନେ ସେମାନଙ୍କ ଶାଶୁଙ୍କୁ ନିରୀକ୍ଷଣ କଲେ ଏବଂ ତାଙ୍କର ପାରମ୍ପରିକ ଜ୍ଞାନ ଓ କୌଶଳକୁ ଆପଣେଇ ନେଲେ । ଏବେ, ଗୋଟିଏ ଦଶନ୍ଧିର ଅନୁଭବ ପରେ, ସେମାନେ ଯାହା ସବୁ ଶିଖିଥିଲେ ମତେ ଦେଖାଇବାକୁ ଉତ୍ସୁକ ଥିଲେ ।

PHOTO • Sweta Daga

ଚମନିବାଇ ତାଙ୍କର ଦୁଇ ବୋହୂଙ୍କ ସହିତ ବସିଛନ୍ତି

ଏହି ପରିବାର ସାଇତି ରଖିବା ପାଇଁ ମାଟି କାଦୁଅରେ ତିଆରି ବଡ଼ ବଡ଼ ପାତ୍ର ବ୍ୟବହାର କରନ୍ତି । ପ୍ରାକୃତିକ ଓ ସ୍ଥାନୀୟ ସାମଗ୍ରୀରୁ ତିଆରି ଏହି ସବୁ ପାତ୍ରରେ ବିହନ ଥଣ୍ଡା ରହେ ।

PHOTO • Sweta Daga

ଘର ତିଆରି ମାଟି ପାତ୍ର ବିହନର ଅଖଣ୍ଡତାକୁ ସଂରକ୍ଷଣ କରେ

ବିହନକୁ ଶୁଖିଲା ରଖିବା ପାଇଁ, ଏହି ପାତ୍ରରେ ବଡ଼ କଣାଟିଏ କରି ଏଥିରେ ପୁରୁଣା ମକାର ତୁଷ ପୂରାଇ ଦିଆଯାଏ । କୀଟମାନଙ୍କୁ ଦୂରେଇ ରଖିବା ପାଇଁ ଏହାର ବାହାର ପଟେ କିରାସିନି, ନିମ୍ବ ଏବଂ ପାଉଁଶର ପ୍ରଲେପ ଦିଆଯାଏ ।

PHOTO • Sweta Daga

ଶୁଖିଲା ମକାର ତୁଷ ପ୍ରତିରୋଧକ ଭଳି କାମ କରେ

PHOTO • Sweta Daga

ପରବର୍ତ୍ତୀ ଅମଳ ଋତୁ ପାଇଁ ଭଲ କଖାରୁର ମଞ୍ଜି ସାଇତି ରଖାଯାଏ

ମଞ୍ଜି ଥିବା ବଡ଼ ବଡ଼ ଲାଉ ଓ କଖାରୁକୁ ମଧ୍ୟ ସାଇତି ରଖନ୍ତି ମୀନା ପରିବାର। ବେଳେବେଳେ, ସେମାନେ କୋଠି ବୋଲି କୁହାଯାଉଥିବା ସ୍ୱତନ୍ତ୍ର ଭାବେ ନିର୍ମିତ କାନ୍ଥ ପଛପଟେ ମଞ୍ଜିଗୁଡ଼ିକୁ ବାହାର କରନ୍ତି । ଏହି ସ୍ଥାନରେ ମଞ୍ଜିଗୁଡ଼ିକ ସୁରକ୍ଷିତ ରହେ ।

PHOTO • Sweta Daga

ପରିବାରର ବିହନ ସଞ୍ଚୟ ପ୍ରଣାଳୀ ତଦାରଖ କରୁଛନ୍ତି ଜଣେ ସ୍ଥାନୀୟ ସାମାଜିକ କର୍ମୀ ପାନ୍ନାଲାଲ

“ମୋର ସେ ସମୟର କଥା ମନେ ଅଛି, ଯେତେବେଳେ ଆମ ଗାଁରେ ବନ୍ୟାପାଣି ମାଡ଼ିଯାଇଥିଲା,” ଅତୀତକୁ ମନେ ପକାଇ କହନ୍ତି ଚମନିବାଇ । “ତାହା ଥିଲା ୧୯୭୩ ମସିହା ଏବଂ ଆମ ଗାଁର ସବୁ ଘର ନଷ୍ଟ ହୋଇଯାଇଥିଲା । ଆମର ସବୁ ଜିନିଷପତ୍ର ବି ନଷ୍ଟ ହୋଇଯାଇଥିଲା, କିନ୍ତୁ ମୋର ସବୁଠୁ ବେଶୀ ଚିନ୍ତା ଥିଲା ବିହନ ପାଇଁ । ତାହା ଥିଲା ମୋ ପାଇଁ ପ୍ରଥମ କଥା ଏବଂ ସେହି ସବୁ ବିହନ ଏବେ ବି ମୋ ପାଖରେ ଅଛି । ଜଣେ ଚାଷୀର ଜୀବନରେ ସେଗୁଡ଼ିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ।”

ବହୁ ବର୍ଷ ତଳେ, ତାଙ୍କ ପରିବାର ବିହନ ସଞ୍ଚୟ ଓ ଅଦଳବଦଳ ଦିଗରେ କାର୍ଯ୍ୟ ଆରମ୍ଭ କଲେ । ଯାହା ଦ୍ୱାରା ସେମାନେ ଅନେକ ଲୁପ୍ତପ୍ରାୟ କିସମର ବିହନକୁ ସ୍ଥାନୀୟ ଚାଷୀମାନଙ୍କୁ ବାଣ୍ଟିପାରିଲେ। ଏହା ବଦଳରେ ଚାଷୀମାନେ ଯେତିକି ବିହନ ନେଉଥିଲେ ତା’ର ଦେଢ଼ ଗୁଣ ବିହନ ଦେଇ ଋଣ ପରିଶୋଧ କରୁଥିଲେ ।

PHOTO • Sweta Daga

ଦେଶୀ ବିରି

ଚମନିବାଇଙ୍କ ପରିବାର ଏବେ ବି ସେମାନଙ୍କ ପରିବାରର ଆବଶ୍ୟକତା ପାଇଁ ଜୈବିକ ଚାଷ କରୁଥିଲେ ହେଁ ଆଜିକାଲି ବଜାରରେ ପ୍ରଚଳିତ ଧାରାର ଚାପ ବଢ଼ିବାରେ ଲାଗିଛି । ତାଙ୍କ ପୁଅ କେଶରାମ ମୀନା କହିଲେ, “ସରକାର ମାଗଣାରେ ଦେଉଥିବା ବିହନ କିମ୍ବା ସାର ଆମେ କାହିଁକି ନେଉନାହୁଁ ବୋଲି ଗାଁର ଅନେକ ଚାଷୀ ମୋତେ ପଚାରନ୍ତି । ସେମାନେ ମୋତେ ମୁର୍ଖ ବୋଲି କହନ୍ତି । କିନ୍ତୁ ସେସବୁ ସମାନ ଫସଲ ନୁହେଁ । ଆମେ ଘରେ ସେସବୁ ଖାଉନାହିଁ ।”

PHOTO • Sweta Daga

ହସହସ ମୁହଁରେ ନିଜର କ୍ଷୁଦ୍ର କ୍ଷେତ ବିଷୟ କହନ୍ତି ଚମନିବାଇଙ୍କ ପୁଅ କେଶରାମ

ବହୁ ଦଶନ୍ଧି ଧରି ଏହି ପରିବାର ବହୁବିଧ ଫସଲ ଚାଷ କରିଆସୁଛନ୍ତି । ଏପରିକି ଆଜି ବି ସେମାନେ ପ୍ରତି ତିନି ମାସରେ ସେମାନଙ୍କ ଫସଲ ବଦଳାଇ ଥାଆନ୍ତି । କିନ୍ତୁ, ବଜାର ଉପରେ ନିର୍ଭରଶୀଳତା ବଢୁଥିବାରୁ ଏହାର ନକାରାତ୍ମକ ପ୍ରଭାବ ଗାଁ ଉପରେ ପଡ଼ିବାରେ ଲାଗିଛି । ନିଜ ଆବଶ୍ୟକତା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଅମଳ କରିବାରେ ଅକ୍ଷମ ହୋଇ ବହୁ ପରିବାର ପରିପୂରକ ଭୋଜନ ପାଇଁ ବଜାର ଆଡ଼କୁ ମୁହାଁଇଛନ୍ତି । ଚମନିବାଇ କହିଲେ ଯେ ତାଙ୍କ ଯୁବାବସ୍ଥାରେ ସବୁ କିଛି ସେମାନଙ୍କ କ୍ଷେତରୁ ଅମଳ କରାଯାଉଥିଲା । ସେମାନେ କେବଳ ଲୁଣ କିଣିବାକୁ ବଜାର ଯାଉଥିଲେ ।

PHOTO • Sweta Daga

ନିଜ ବ୍ୟବହାର ପାଇଁ ସ୍ୱଦେଶୀ ମକାମଞ୍ଜି ସାଇତି ରଖିଛନ୍ତି ଏହି ପରିବାର

ସେ କହନ୍ତି ଯେ, ତାଙ୍କ ସ୍ୱାମୀ ବଞ୍ଚିଥିବା ବେଳେ ପରିବେଶ ଭିନ୍ନ ଥିଲା । “ସେତେବେଳେ ଭଲ ବର୍ଷା ହେଉଥିଲା । ତେଣୁ ଆମ ପାଇଁ ପାଣିର ଅଭାବ ନଥିଲା । ଏବେ ଏହା ଏକ ସଂଘର୍ଷ । ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି, କାରଣ ଗରମ ବଢୁଛି ।”

ଭାରତର ବହୁ କୃଷକ ମହିଳା, କିନ୍ତୁ ସେମାନଙ୍କ କାର୍ଯ୍ୟ ଭିତ୍ତିରେ ସେମାନଙ୍କୁ ସ୍ୱୀକୃତି ଦିଆଯାଉନାହିଁ । ଗ୍ରାମୀଣ ଭାରତର କେତେକ ଭାଗରେ, ବେଳେବେଳେ, ଆର୍ଥିକ ମୂଲ୍ୟ ଭିତ୍ତିରେ ବିହନକୁ “ଅଣ୍ଡିରା” କିମ୍ବା “ମାଈ” ଭାବରେ ଚିହ୍ନଟ କରାଯାଉଛି । କପା, ତମାଖୁ ଏବଂ କଫି ସମେତ ବିଭିନ୍ନ ଅର୍ଥକାରୀ ଫସଲ ଲାଗି ଅଣ୍ଡିରା ବିହନର ଉପାଦେୟତା ଅଧିକ । ପନିପରିବା ଏବଂ କେତେକ ଛୁଇଁକୁ ମାଈ ବିହନ ବୋଲି ବିବେଚନା କରାଯାଉଛି, କାରଣ ସେଗୁଡ଼ିକ ପରିବାରର ପ୍ରତିପୋଷଣ କରିଥାଆନ୍ତି ।

PHOTO • Sweta Daga

ଦିନକର କାମ ପାଇଁ ଯାଉଥିବା ଜଣେ ଚାଷୀ: ଅଧିକାଂଶ ମହିଳା, କିନ୍ତୁ କାମ ପାଇଁ ସେମାନଙ୍କୁ ସ୍ୱୀକୃତି ମିଳୁନାହିଁ

ପାନ୍ନାଲାଲ ପଟେଲ, ଜଣେ କୃଷକ ଏବଂ ସାମାଜିକ କର୍ମୀ । ସେ ଚାଷବାସ ସଂପର୍କିତ ବିଭିନ୍ନ କାର୍ଯ୍ୟ ଏବଂ ବିହନ ସଂରକ୍ଷଣ ପ୍ରଣାଳୀ ଦିଗରେ ମେୱାର ଅଞ୍ଚଳର ମହିଳା କୃଷକଙ୍କ ସହ କାର୍ଯ୍ୟ କରିଆସୁଛନ୍ତି । ସେ ବୁଝାଇ ଦେଲେ ଯେ ଜୈବିକ ଚାଷ କରି ଜୀବନଧାରଣ କରିବା କେତେ କଷ୍ଟକର । “ମେୱାରର ସେହି ସବୁ ମହିଳା ଗୋଷ୍ଠୀକୁ ଆମେ ସମର୍ଥନ କଲୁ ଯେଉଁମାନେ ବଜାରରେ ବିକିବା ଲାଗି ନିଜ ନିଜ ଫସଲରୁ ମୂଲ୍ୟଯୁକ୍ତ ଶସ୍ୟ ଅମଳ କରୁଥିଲେ । କିନ୍ତୁ ଶସ୍ୟ ଉତ୍ପାଦନର ଧାରା ବଜାୟ ରଖିବା କଷ୍ଟକର ହେଲା । ନଗଦ ଟଙ୍କା ଏବଂ ଫସଲ ଆମ ପାଇଁ ଆହ୍ୱାନ ସୃଷ୍ଟି କଲା । ମହିଳାମାନଙ୍କ ପାଇଁ ବ୍ୟବସାୟ କରିବା ଆହୁରି କଷ୍ଟକର, କାରଣ ସେମାନଙ୍କୁ ସବୁବେଳେ ପରିବାରରୁ ସମର୍ଥନ ମିଳେନାହିଁ । ସେମାନେ ଏକା ସାଙ୍ଗରେ ପରିବାର ଓ ପୁଞ୍ଜି ପରିଚାଳନା କରିବାକୁ ଚେଷ୍ଟା କଲେ । ସ୍ଥାନୀୟ ବିହନ ସବୁ ନଷ୍ଟ ହୋଇଗଲା ।”

PHOTO • Sweta Daga

ପାନ୍ନାଲାଲ ପଟେଲଙ୍କ ସହ ଆଲୋଚନାରତ ମୀନା ପରିବାର

ସୌଭାଗ୍ୟବଶତଃ, ଚମନିବାଇଙ୍କ ନାତିନାତୁଣୀମାନେ ପରିବାରର ପାରମ୍ପରିକ ଜୈବିକ ଚାଷକାମ ଜାରି ରଖିବାକୁ ଚାହାନ୍ତି । ଜେଜେ ମାଆଙ୍କ କାର୍ଯ୍ୟ ଓ ଜ୍ଞାନର ମୂଲ୍ୟକୁ ସେମାନେ ବୁଝିପାରନ୍ତି । ହେଲେ ସେମାନଙ୍କ ପାଇଁ ସଫଳତା ଲାଭ କରିବା ଦିନକୁ ଦିନ କଷ୍ଟକର ହେବାରେ ଲାଗିଛି ବୋଲି ସ୍ୱୀକାର କରନ୍ତି ।

PHOTO • Sweta Daga

ଚମନିବାଇଙ୍କ ପରିବାରର ଚାଷଜମି, ଯେଉଁଠି ସେମାନେ ଘରେ ବ୍ୟବହାର ଲାଗି ଜୈବିକ ଫସଲ ଏବଂ ବିକିବା ଲାଗି ବ୍ୟାବସାୟିକ ଫସଲ କରନ୍ତି

ଇତ୍ୟବସରରେ, ରାଜସ୍ଥାନରେ ଆନୁବଂଶିକ ଭାବେ ପରିବର୍ତ୍ତିତ ବିହନ ପ୍ରଚଳନ ଦିଗରେ ପ୍ରଚେଷ୍ଟା ଚାଲିଛି ଯାହାକୁ କି ବହୁ କୃଷକ ଓ ସାମାଜିକ କର୍ମୀ ବିରୋଧ କରୁଛନ୍ତି । ଏହା ଫଳରେ ସେମାନଙ୍କ ନିଜସ୍ୱ କ୍ଷେତରେ କ’ଣ ଉପୁଜାଇବେ ବୋଲି ସ୍ଥିର କରିବାକୁ କୃଷକମାନଙ୍କର ସଂଘର୍ଷ ଆହୁରି ବଢ଼ିପାରେ । ହୁଏତ ଏହା ସେମାନଙ୍କୁ ନୂଆ ନୂଆ ସରକାରୀ ନୀତି ଆପଣେଇ ନେବାକୁ ବାଧ୍ୟ କରିବ ଯାହାକି ସେମାନଙ୍କ ନିଜର ଓ ନିଜ ପରିବାରର ଭାର ସମ୍ଭାଳିବା କ୍ଷମତାକୁ ପ୍ରତିହତ କରିବ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga