ଲାକ୍ଷାଦ୍ୱୀପ ଦ୍ୱୀପ ସମୂହରେ ବିଭିନ୍ନ ଦ୍ୱୀପରେ ପ୍ରଚୁର ମାତ୍ରାରେ ନଡ଼ିଆ ଗଛ ଦେଖିବାକୁ ମିଳିଥାଏ ଏବଂ ଏଥିରେ ଫଳୁଥିବା ନଡ଼ିଆର ଚୋପାରୁ କତା ବାହାର କରିବା ଏଠାକାର ଏକ ପ୍ରମୁଖ ଉଦ୍ୟୋଗ।

ମାଛ ଧରିବା ଓ ନଡ଼ିଆ ଚାଷ କରିବା ସହିତ କତା ବାହାର କରିବା ଏଠାକାର ଏକ ପ୍ରମୁଖ ବେଉସା। ଲାକ୍ଷାଦ୍ୱୀପର ସାତଟି ନଡ଼ିଆ ଡିଫାଇବରିଂ ୟୁନିଟ୍‌, ଛଅଟି କତା ରଶି ଉତ୍ପାଦନ କେନ୍ଦ୍ର ଏବଂ ସାତଟି ତନ୍ତୁ କର୍ଲିଂ ୟୁନିଟ୍‌ ରହିଛି (୨୦୧୧ ଜନଗଣନା ଅନୁଯାୟୀ)।

ଏହି କ୍ଷେତ୍ରରେ ଦେଶର ପ୍ରାୟ ୭ ଲକ୍ଷ ଶ୍ରମିକ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା ଯେଉଁମାନେ ମୁଖ୍ୟତଃ କତା ତନ୍ତୁକୁ ଘୂରାଇ ସେଥିରୁ ରାଶି ବାହାର କରିବା କାମରେ ନିୟୋଜିତ ଥାଆନ୍ତି। ପ୍ରଯୁକ୍ତିର ଅଗ୍ରଗତି ଏବଂ ହାତକାମ ଛାଡ଼ି ମେସିନ କାମକୁ ଆପଣାଇବା ସତ୍ତ୍ୱେ, କତା ଜାତୀୟ ସାମଗ୍ରୀ ତିଆରି କରିବା ଏବେ ବି ଏକ ଶ୍ରମସାଧ୍ୟ କାର୍ଯ୍ୟ ହୋଇ ରହିଛି।

ଲାକ୍ଷାଦ୍ୱୀପର କୱରତ୍ତିଠାରେ ଥିବା କତା ଉତ୍ପାଦନ ତଥା ପ୍ରଦର୍ଶନ କେନ୍ଦ୍ରଠାରେ ୧୪ ଜଣ ମହିଳାଙ୍କ ଏକ ଦଳ କତା ବାହାର କରିବା ଏବଂ ସେଥିରୁ ରଶି ତିଆରି କରିବା ଲାଗି ଛଅଟି ମେସିନ ଚଲାଇଥାନ୍ତି। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଆଠ ଘଣ୍ଟା ଲେଖାଏଁ କାମ କଲେ ସେମାନଙ୍କୁ ମାସିକ ପାରିଶ୍ରମିକ ବାବଦରେ ୭,୭୦୦ ଟଙ୍କା ମିଳିଥାଏ। ୫୦ ବର୍ଷ ବୟସ୍କା ରେହମତ ବେଗମ ବି. କୁହନ୍ତି, ଗୋଟିଏ ସିଫ୍ଟର ପ୍ରଥମ ପର୍ଯ୍ୟାୟରେ ରଶି ତିଆରି କରାଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସରଞ୍ଜାମ ସଫା କରାଯାଇଥାଏ। ଏହି ରଶିଗୁଡ଼ିକୁ କେରଳରେ ଥିବା କୟର ବୋର୍ଡକୁ କିଲୋଗ୍ରାମ ପ୍ରତି ୩୫ ଟଙ୍କାରେ ବିକ୍ରି କରାଯାଏ।

ଏହି ଡିବ୍ରିଫିଂ ଏବଂ କର୍ଲିଂ ୟୁନିଟ୍‌ ଆସିବା ପୂର୍ବରୁ, କତାର ତନ୍ତୁକୁ ପାରମ୍ପରିକ ଭାବେ ନଡ଼ିଆ ଖୋଳପାର ଚୋପା ଉପରୁ ହାତରେ ବାହାର କରାଯାଉଥିଲା, ସୂତା ଭଳି କଟାଯାଉଥିଲା ଏବଂ ସେଗୁଡ଼ିକୁ ମୋଡ଼ି ଚଟେଇ, ରାଶି ଓ ଜାଲ ତିଆରି କରାଯାଉଥିଲା। ଫାତିମା କୁହନ୍ତି, ‘‘ଆମର ଜେଜେବାପା, ମା’ ସକାଳ ପାଞ୍ଚଟାରୁ ଉଠୁଥିଲେ, ଏବଂ ଗୋଟିଏ ମାସ ପାଇଁ ବାଲିରେ ନଡ଼ିଆକୁ ପୋତିବା ଲାଗି କୱରତ୍ତିର ଉତ୍ତର ଦିଗରେ ଥିବା ସମୁଦ୍ର ପାଖକୁ ଯାଉଥିଲେ।’’

୩୮ ବର୍ଷୀୟା ମହିଳା ଜଣଙ୍କ ସେହି ପଦ୍ଧତିକୁ ପ୍ରଦର୍ଶନ କରି ଆହୁରି କୁହନ୍ତି, ‘‘ସେମାନେ ଏପରି ଭାବେ ନଡ଼ିଆ ତନ୍ତୁକୁ ପେଷି ସେଥିରୁ ରଶି ତିଆରି କରୁଥିଲେ । କୱରତ୍ତିରେ ଥିବା ଆକାଶବାଣୀର ସମାଚାର ପାଠକ କୁହନ୍ତି, ‘‘ଆଜିର ରଶି ଉନ୍ନତ ମାନର ନୁହେଁ, ଏଗୁଡ଼ିକ ବହୁତ ହାଲୁକା।’’

ଲାକ୍ଷାଦ୍ୱୀପ ବିତ୍ରା ଗ୍ରାମର ଅବଦୁଲ ଖଦାର ପୂର୍ବରୁ କିଭଳି ହାତରେ ନଡ଼ିଆ କତା ରଶି ତିଆରି କରୁଥିଲେ ସେ ବିଷୟରେ ସ୍ମରଣ କରିଥାନ୍ତି। ସେ ଏହି ରଶି ବ୍ୟବହାର କରି ନିଜ ଡଙ୍ଗାକୁ ବାନ୍ଧୁଥିଲେ ବୋଲି ଏହି ୬୩ ବର୍ଷ ବୟସ୍କ ମତ୍ସ୍ୟଜୀବୀ ଜଣଙ୍କ କୁହନ୍ତି । ପଢ଼ନ୍ତୁ: ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜର ଅବକ୍ଷୟମୁଖୀ ପ୍ରବାଳ ଚଟାଣ

କୱରତ୍ତି କତା ଉତ୍ପାଦନ କେନ୍ଦ୍ରରେ କାର୍ଯ୍ୟରତ ଅବଦୁଲ ଖଦାର ଏବଂ ଅନ୍ୟ ଶ୍ରମିକମାନେ ଉଭୟ ପାରମ୍ପରିକ ଏବଂ ଆଧୁନିକ ପଦ୍ଧତିରେ କତା ତନ୍ତୁରୁ ରଶି ପ୍ରସ୍ତୁତ କରିବା ସମୟର ପ୍ରକ୍ରିୟାକୁ ଏହି ଭିଡିଓରେ ଦର୍ଶାଯାଇଛି।

ଭିଡିଓ ଦେଖନ୍ତୁ : ଲାକ୍ଷାଦ୍ୱୀପରେ ନଡ଼ିଆଠାରୁ କତା ପର୍ଯ୍ୟନ୍ତ

ଅନୁବାଦ : ଓଡ଼ିଶାଲାଇଭ୍‍

Sweta Daga

ଶ୍ୱେତା ଡାଗା ବାଙ୍ଗାଲୋରର ଜଣେ ଲେଖିକା ଓ ଫଟୋଗ୍ରାଫର ଏବଂ ୨୦୧୫ର PARI ଫେଲୋ । ସେ ବିଭିନ୍ନ ମଲ୍‌ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ଏବଂ ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମସ୍ୟା ଏବଂ ସାମାଜିକ ଅସମାନତା ବିଷୟରେ ଲେଖନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସ୍ୱେତା ଦାଗା
Editor : Siddhita Sonavane

ସିଦ୍ଧିତା ସୋନାଭାନେ ଜଣେ ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ବିଷୟବସ୍ତୁ ସମ୍ପାଦକ। ସେ ୨୦୨୨ ମସିହାରେ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ ସେଠାକାର ଇଂରାଜୀ ବିଭାଗରେ ଜଣେ ଭିଜିଟିଂ ଫାକଲ୍ଟି ଭାବରେ କାର୍ଯ୍ୟ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Siddhita Sonavane
Video Editor : Urja

ଉର୍ଜା ହେଉଛନ୍ତି ପିପୁଲସ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସହଯୋଗୀ ଭିଡିଓ ଏଡିଟର୍। ଜଣେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ସେ କାରିଗରୀ, ଜୀବିକା ଏବଂ ପରିବେଶରେ ରୁଚି ରଖନ୍ତି। ଉର୍ଜା ମଧ୍ୟ ପରୀର ସୋସିଆଲ ମିଡିଆ ଟିମ୍ ସହ କାମ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Urja
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE