‘‘ଏଠାରେ ଏକ ବିଶାଳ ସଖୁଆ ଗାଛ (ଗଛ) ଥିଲା। ହିଜଲା ଗାଁ ଏବଂ ଏହାର ଆଖପାଖ ଲୋକମାନେ ଏହି ସ୍ଥାନରେ ଏକାଠି ହେଉଥିଲେ ଏବଂ ବୈସି (ବୈଠକ) କରୁଥିଲେ। ପ୍ରତିଦିନ ଏଠାରେ ଜମୁଥିବା ଭିଡ଼କୁ ଦେଖିବା ପରେ ଇଂରେଜମାନେ ଏହି ଗଛକୁ କାଟି ଦେବାକୁ ନିଷ୍ପତ୍ତି ନେଲେ... କିନ୍ତୁ ସେଥିରୁ ରକ୍ତ ଝରିଲା। ତା’ପରେ ଗଣ୍ଡି ପଥରରେ ପରିବର୍ତ୍ତିତ ହୋଇଗଲା।’’

ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଯେଉଁଠି ଏହି ଗଛ ଥିଲା, ସେଠାରେ ବସି ରାଜେନ୍ଦ୍ର ବାସ୍କି ଶହ ଶହ ବର୍ଷ ପୁରୁଣା କାହାଣୀ ଶୁଣାଉଛନ୍ତି। ‘‘ସେହି ଗଛର ଗଣ୍ଡି,’’ ୩୦ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ କୁହନ୍ତି, ‘‘ଏବେ ଦେବତା ମାରାଙ୍ଗ ବୁରୁଙ୍କ ପୂଜା ପାଇଁ ଏକ ପବିତ୍ର ସ୍ଥାନ ପାଲଟିଛି। ସାନ୍ତାଳ (ଯେଉଁମାନଙ୍କୁ ସାନ୍ଥାଳ ମଧ୍ୟ କୁହାଯାଏ) ଆଦିବାସୀମାନେ ପୂଜା କରିବା ଲାଗି ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ଏହି ସ୍ଥାନକୁ ଆସନ୍ତି। ବାସ୍କି ଜଣେ ଚାଷୀ ଏବଂ ସେ ବର୍ତ୍ତମାନ ମାରାଙ୍ଗ ବୁରୁଙ୍କ ନାୟକୀ (ପୂଜାରୀ) ଅଟନ୍ତି।

ହିଜଲା ଗ୍ରାମ ସାନ୍ତାଳ ପରଗନା ଡିଭିଜନରେ ଏବଂ ଦୁମକା ସହର ବାହାରେ ଅବସ୍ଥିତ। ୨୦୧୧ର ଜନଗଣନା ଅନୁଯାୟୀ ଏଠାକାର ଜନସଂଖ୍ୟା ୬୪୦। ପ୍ରସିଦ୍ଧ ସାନ୍ତାଳ ହୁଲ୍‌ - ବ୍ରିଟିଶ ପ୍ରଶାସନ ବିରୋଧରେ ସାନ୍ତାଳମାନଙ୍କ ସବୁଠୁ ବଡ଼ ଆନ୍ଦୋଳନ ଥିଲା ଯାହାକି ୩୦ ଜୁନ୍‌ ୧୮୫୫ରେ ହିଜଲାଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ଭଗନାଡିହ ଗ୍ରାମ (ଯାହା ଭୋଗନାଡିହ ନାମରେ ମଧ୍ୟ ପ୍ରସିଦ୍ଧ)ରେ ସିଦୋ ଓ କାନ୍‌ହୁ ମୁର୍ମୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା।

PHOTO • Rahul
PHOTO • Rahul

ବାମ: ଗୋଟିଏ ଗଛର ମୂଳ ଗଣ୍ଡି ଯେଉଁଠି ମାରାଙ୍ଗ ବୁରୁଙ୍କୁ ଏବେ ସାନ୍ତାଳମାନେ ପୂଜା କରୁଛନ୍ତି ଡାହାଣ: ରାଜେନ୍ଦ୍ର ବାସ୍କି ମାରାଙ୍ଗ ବୁରୁଙ୍କ ବର୍ତ୍ତମାନର ନାୟକୀ (ପୂଜାରୀ) ଅଟନ୍ତି

PHOTO • Rahul
PHOTO • Rahul

ବାମ: ପରିସର ଚତୁଃପାର୍ଶ୍ୱରେ ଉନବିଂଶ ଶତାବ୍ଦୀରେ ଇଂରେଜମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏକ ଫାଟକ ଡାହାଣ: ମେଳାରେ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ସାନ୍ତାଳ କଳାକାର

ହିଜଲା ଗ୍ରାମ ରାଜମହଲ ପର୍ବତମାଳାର ଏକ ସମ୍ପ୍ରସାରିତ ଭାଗ ହିଜଲା ପାହାଡ଼ ଚତୁଃପାର୍ଶ୍ୱରେ ଅବସ୍ଥିତ। ତେଣୁ ଯଦି ଆପଣ ଗାଁର କୌଣସି ଗୋଟିଏ ସ୍ଥାନରୁ ଚାଲିବା ଆରମ୍ଭ କରିବେ, ତା’ହେଲେ ଆପଣ ଗୋଟିଏ ଚକ୍କର ବୁଲିବା ପରେ ଫେରି ଆସିପାରିବେ।

‘‘ସେଠାରେ (ଗଛ ପାଖରେ) ଆମ ପୂର୍ବଜମାନେ ସାରା ବର୍ଷ ପାଇଁ ନୀତିନିୟମ ପ୍ରସ୍ତୁତ କରୁଥିଲେ,’’ ୫୦ ବର୍ଷ ବୟସ୍କ ସୁନୀଲାଲ ହାଁସଦା କୁହନ୍ତି, ଯିଏକି ୨୦୦୮ ପରଠାରୁ ଗାଁର ମୁଖିଆ ଦାୟିତ୍ୱ ନିର୍ବାହ କରୁଛନ୍ତି। ଗଛର ମୂଳ ଗଣ୍ଡି ଥିବା ସ୍ଥାନ ଏବେ ବି ବୈଠକ ପାଇଁ ସବୁଠୁ ପସନ୍ଦଯୋଗ୍ୟ ସ୍ଥାନ ହୋଇ ରହିଛି ବୋଲି ହାଁସଦା କହିଥା’ନ୍ତି।

ହିଜଲାରେ ହାଁସଦାଙ୍କର ୧୨ ବିଘା ଜମି ରହିଛି ଏବଂ ଏଥିରେ ସେ ଖରିଫ୍‌ ଋତୁରେ ଚାଷ କରିଥାନ୍ତି। ଅବଶିଷ୍ଟ ମାସରେ, ସେ ଦୁମକା ସହରରେ ଚାଲିଥିବା ନିର୍ମାଣ କାମରେ ଜଣେ ଦିନ ମଜୁରିଆ ଭାବେ କାମ କରିଥାନ୍ତି ଏବଂ କାମ ପାଇଁ ତାଙ୍କୁ ଦୈନିକ ୩୦୦ ଟଙ୍କାର ପାରିଶ୍ରମିକ ମିଳିଥାଏ। ବାସ୍ତବରେ ହିଜଲା ଗାଁରେ ରହୁଥିବା ସମସ୍ତ ୧୩୨ ପରିବାର ମଧ୍ୟରୁ ଅଧିକାଂଶ ସାନ୍ତାଳ ଏବଂ ସେମାନେ ଜୀବିକା ପାଇଁ କୃଷି ଓ ମଜୁରି ଶ୍ରମ ଉପରେ ନିର୍ଭର କରିଥାନ୍ତି। ଗତ କିଛି ବର୍ଷ ହେବ ଅନିୟମିତ ବର୍ଷା ଯୋଗୁଁ ଅଧିକରୁ ଅଧିକ ଲୋକ ସଂକଟଗ୍ରସ୍ତ ପ୍ରବାସୀ ରୂପରେ ବାହାରକୁ କାମ କରିବାକୁ ଚାଲି ଯାଉଛନ୍ତି।

PHOTO • Rahul
PHOTO • Rahul

ପ୍ରତିବର୍ଷ ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ଆୟୋଜିତ ହେଉଥିବା ହିଜଲା ମେଳାରେ ନୃତ୍ୟ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥାଏ

PHOTO • Rahul
PHOTO • Rahul

ବାମ: ହିଜଲା ମେଳାର ଏକ ଦୃଶ୍ୟ ଡାହାଣ: ମାରାଙ୍ଗ ବୁରୁର ପୂର୍ବତନ ନାୟକୀ ସୀତାରାମ ସୋରେନ୍‌

ମାରାଙ୍ଗ ବୁରୁଙ୍କୁ ସମର୍ପିତ ଏକ ଗୁରୁତ୍ୱପୂର୍ଣ୍ଣ ମେଳା ମଧ୍ୟ ହିଜଲାଠାରେ ଆୟୋଜିତ ହୋଇଥାଏ। ମୟୂରାକ୍ଷୀ ନଦୀ ତଟରେ ଫେବୃଆରୀ ମାସରେ ବସନ୍ତ ପଞ୍ଚମୀ ବେଳକୁ ଏକ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ସାନ୍ତାଳ ପରଗନାର ତତ୍କାଳୀନ ଉପ ଆୟୁକ୍ତ ଆର. କେଷ୍ଟେୟାର୍ସଙ୍କ ଅଧୀନରେ ୧୮୯୦ ମସିହାଠାରୁ ଏହି ମେଳା ଆରମ୍ଭ ହୋଇଥିଲା ବୋଲି ଝାଡ଼ଖଣ୍ଡ ସରକାରଙ୍କ ଏକ ନୋଟିସ୍‌ରେ ଉଲ୍ଲେଖ ରହିଛି।

ଦୁମକାସ୍ଥିତ ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟରେ ସାନ୍ତାଳି ଭାଷାର ପ୍ରାଧ୍ୟାପକ ଡକ୍ଟର ଶର୍ମିଲା ସୋରେନ ପରୀକୁ କହିଥିଲେ, କୋଭିଡ-୧୯ ସମୟରେ ଦୁଇ ବର୍ଷକୁ ଛାଡ଼ି ହିଜଲା ମେଳା ପ୍ରତିବର୍ଷ ଆୟୋଜିତ ହୋଇଛି। ଏହି ମେଳାରେ ଭାଲା (ବର୍ଚ୍ଛା) ଏବଂ ତଲୱାର (ଖଣ୍ଡା) ଠାରୁ ଆରମ୍ଭ କରି ଢୋଲ୍‌ (ଢୋଲ ବାଜା) ଓ ଦୌରା (ବାଉଁଶ ଝୁଡ଼ି) ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଜିନିଷ ଏଠାକୁ ଆଣି ବିକ୍ରି କରାଯାଏ। ପୁରୁଷ ଓ ମହିଳାଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଏ।

କିନ୍ତୁ ସ୍ଥାନୀୟ ଲୋକମାନେ ବାହାରକୁ ଚାଲିଯିବା କାରଣରୁ, ‘‘ଏହି ମେଳାରେ ଆଉ ଆଦିବାସୀ ସଂସ୍କୃତିର ପ୍ରଭାବ ନାହିଁ,’’ ମାରାଙ୍ଗ ବୁରୁଙ୍କ ପୂର୍ବତନ ନାୟକୀ ସୀତାରାମ ସୋରେନ (୬୦) କୁହନ୍ତି। ସେ ଆହୁରି କୁହନ୍ତି, ‘‘ଆମ ପରମ୍ପରା ପ୍ରଭାବ ହରାଉଛି ଏବଂ ଅନ୍ୟ (ସହରୀ) ପ୍ରଭାବର ଆଧିପତ୍ୟ ଏବେ ଦେଖିବାକୁ ମିଳୁଛି।’’

ଅନୁବାଦ : ଓଡ଼ିଶାଲାଇଭ୍‍

Rahul

ରାହୁଲ ହେଉଛନ୍ତି ଝାଡଖଣ୍ଡର ଜଣେ ସ୍ୱାଧୀନ ରିପୋର୍ଟ। ସେ ପଶ୍ଚିମର ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ପରିବେଶଗତ ସମସ୍ୟା ବିଷୟରେ ରିପୋର୍ଟ ପ୍ରସ୍ତୁତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Rahul
Editors : Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Dipanjali Singh
Editors : Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Devesh
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE