‘‘ମୁଁ ଯେତେବେଳେ ପ୍ରଥମ ଡୋକ୍ରାକୁ ଦେଖିଲି, ଏହା ମୋତେ କୁହୁକ ଭଳି ଲାଗିଲା’’, ୪୧ ବର୍ଷ ବୟସ୍କ ପୀଯୁଶ ମଣ୍ଡଳ କୁହନ୍ତି । ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଏହି ଶିଳ୍ପୀ ଜଣଙ୍କ ଗତ ୧୨ ବର୍ଷ ଧରି ଏହି କଳାରେ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ଗଢ଼ି ଆସୁଛନ୍ତି। ଏହି ପ୍ରକ୍ରିୟାରେ ଲଷ୍ଟ ୱାକ୍ସ (ମହମ ଢାଞ୍ଚାରେ ତରଳ ଧାତୁ ଭରି ମୂର୍ତ୍ତି ଗଢ଼ିବା) ପଦ୍ଧତି ବ୍ୟବହାର କରାଯାଏ ଯାହାକି ଭାରତରେ ସବୁଠୁ ପ୍ରାଚୀନ ପାରମ୍ପରିକ ଧାତବ ମୂର୍ତ୍ତି ନିର୍ମାଣ ପଦ୍ଧତି। ଏହାର ଉତ୍ପତ୍ତି ସିନ୍ଧୁ ସଭ୍ୟତା ସମୟରେ ହୋଇଥିଲା।

ଡୋକ୍ରା (ବା ଢୋକ୍ରା) ନାମକ ଏକ ଯାଯାବର ଶିଳ୍ପୀଙ୍କ ସମୁଦାୟକୁ ଦର୍ଶାଇଥାଏ ଯେଉଁମାନେ ପୂର୍ବ ଭାରତରେ ନିରନ୍ତର ଭାବେ ଘୂରି ବୁଲିଥାନ୍ତି।

ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ଦେଇ ବ୍ୟାପିଥିବା ଛୋଟନାଗପୁର ମାଳଭୂମିରେ ପ୍ରଚୁର ପରିମାଣରେ ତମ୍ବା ଗଚ୍ଛିତ ହୋଇ ରହିଛି । ଏହା ପିତ୍ତଳ ଓ କଂସା ମିଶ୍ର ଧାତୁର ଏକ ପ୍ରମୁଖ ଉପାଦାନ ଯେଉଁଥିରେ ଡୋକ୍ରା ମୂର୍ତ୍ତି ଗଢ଼ାଯାଇଥାଏ। ଭାରତର ଅଧିକାଂଶ ସ୍ଥାନରେ ଡୋକ୍ରା କଳାର ପ୍ରଚଳନ ରହିଛି, କିନ୍ତୁ ବାଙ୍କୁଡ଼ା, ବର୍ଦ୍ଧମାନ ଓ ପୁରୁଲିଆ ଜିଲ୍ଲାର ‘ବଙ୍ଗୀୟ ଡୋକ୍ରା’କୁ ଭୌଗଳିକ ମାନ୍ୟତା ପ୍ରମାଣପତ୍ର ମିଳିଛି।

ଡୋକ୍ରା ମୂର୍ତ୍ତି ତିଆରି କରିବାର ପ୍ରଥମ ପଦକ୍ଷେପ ହେଉଛି ମାଟିର ଏକ ମୂଳ ଆକୃତିକୁ ରୂପ ଦେବା - ଏହା ଆକୃତିର ମୂଳ ଢାଞ୍ଚା ହୋଇଥାଏ। ମହୁମାଛି ବସାର କିମ୍ବା ଶାଳ ଗଛର ଅଠାରେ ପ୍ରସ୍ତୁତ ମହମରେ ବିଭିନ୍ନ ଆକାର ଓ କାରୁକାର୍ଯ୍ୟର ବିସ୍ତୃତ ଡିଜାଇନ ଏହି ମାଟିର ମୂଳ ଢାଞ୍ଚା ଉପରେ ରଖାଯାଇଥାଏ। ଥରେ ଏହା ହୋଇସାରିବା ପରେ, ପରବର୍ତ୍ତୀ ସମୟରେ ତରଳ ମହମ ବାହାରକୁ ଆସିବା ପାଇଁ ଗୋଟିଏ କିମ୍ବା ଦୁଇଟି ମାର୍ଗ ଖୋଲା ରଖାଯାଇ ମାଟିର ଆଉ ଏକ ପରସ୍ତ ଭିତରେ ମହମ ଢାଞ୍ଚାକୁ ସଂଲଗ୍ନ କରାଯାଇଥାଏ। ସେହି ଖୋଲା ମାର୍ଗ ମାଧ୍ୟମରେ ତରଳ ଧାତୁକୁ ଭର୍ତ୍ତି କରାଯାଇଥାଏ।

ସୀମା ପାଲ ମଣ୍ଡଳ କୁହନ୍ତି, ‘‘ଏହି ପ୍ରକ୍ରିୟା ପାଇଁ ପ୍ରକୃତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଶାଳ ଗଛ ମିଳିବ ନାହିଁ, ଆମେ ତାହାର ଅଠାକୁ ମହମ ପ୍ରସ୍ତୁତିରେ ବ୍ୟବହାର କରିପାରିବୁ ନାହିଁ । ମହୁ କିମ୍ବା ମହୁମାଛି ବସା ବିନା, ମୁଁ ମହମ ପାଇପାରିବି ନାହିଁ।’’ ଡୋକ୍ରା କାଷ୍ଟିଂ ପାଇଁ ବିଭିନ୍ନ କିସମର ମାଟି ଉପଲବ୍ଧତା ଏବଂ ଅନୁକୂଳ ପାଣିପାଗ ଅତି ଜରୁରି ହୋଇଥାଏ।

ଥରେ ମାଟିର ବାହାର ପରସ୍ତ ଶୁଖିଯିବା ପରେ, ପୀଯୁଶ ଏବଂ ତାଙ୍କର ସହଯୋଗୀମାନେ ସେମାନଙ୍କ ଷ୍ଟୁଡିଓରେ ଥିବା ଦୁଇଟି ୩ରୁ ୫ ଫୁଟ ଗଭୀର ଇଟା ଓ ମାଟି ଭାଟି ମଧ୍ୟରୁ ଗୋଟିଏରେ ତାହାକୁ ଗରମ କରିଥାନ୍ତି। ମାଟି ପୋଡ଼ିଯିବା ପରେ, ମହମ ତରଳି ଯାଇ ତରଳ ଧାତୁ ଭର୍ତ୍ତି ହୋଇଥିବା ଗାତ ବାଟେ ବାହାରି ଆସିଥାଏ। ଏହାପରେ ମାଟି ଢାଞ୍ଚାକୁ ଗୋଟିଏ ଦିନ ପାଇଁ କିମ୍ବା ଶୀଘ୍ର ଦରକାର ହୋଇଥିଲେ ୪ରୁ ୫ ଘଣ୍ଟା ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ। ପରେ ଏହାକୁ ଭାଙ୍ଗି ଏହା ଭିତରେ ଥିବା ମୂର୍ତ୍ତିକୁ ବାହାର କରାଯାଏ।

ଭିଡିଓ ଦେଖନ୍ତୁ : ଡୋକ୍ରା, ରୂପାନ୍ତରଣର କଳା

ଅନୁବାଦ: ଓଡ଼ିଶାଲାଇଭ୍‍

Sreyashi Paul

ଶ୍ରେୟଶୀ ପଲ୍‌ ପଶ୍ଚିମବଙ୍ଗର ଶାନ୍ତିନିକେତନରେ ରହୁଥିବା ଜଣେ ନିରପେକ୍ଷ ଗବେଷିକା ଏବଂ ସୃଜନଶୀଳ କପି ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sreyashi Paul
Text Editor : Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Swadesha Sharma
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE