‘‘ପ୍ରତିଥର ଭଟ୍ଟି (ଭାଟି) ଜଳିଲେ, ମୁଁ ଆହତ ହୁଏ।’’

ସଲମା ଲୋହାର୍‌ ଙ୍କ ଆଙ୍ଗୁଠିର ମୂଳ ଭାଗରେ ଆଘାତ ଲାଗିଛି ଏବଂ ତାଙ୍କ ବାମ ହାତର ଦୁଇଟି ଆଙ୍ଗୁଠି ଖୋଲିଯାଇଛି। ସେ ଭାଟିରୁ କିଛି ମୁଠା ପାଉଁଶ ହାତରେ ଉଠାନ୍ତି ଏବଂ ଘା’ର ଶୀଘ୍ର ଉପଶମ ପାଇଁ ସେଥିରେ ମଳି ଦିଅନ୍ତି ।

ଏହି ୪୧ ବର୍ଷୀୟା ମହିଳାଙ୍କ ପରିବାର ସେହି ଛଅଟି ଲୋହାର୍‌ (କମାର) ପରିବାର ମଧ୍ୟରୁ ଅନ୍ୟତମ ଯେଉଁମାନେ ସୋନିପତ୍‌ର ବହାଲଗଡ଼ ବଜାରରେ ଧାଡ଼ି ଧାଡ଼ି ହୋଇ ରହିଥିବା ଗୋଟିଏ ଜୁଗ୍ଗି (ବସ୍ତି ଘର)କୁ ନିଜ ବାସସ୍ଥାନ ଭାବେ ଆପଣେଇ ନେଇଛନ୍ତି। ଗୋଟିଏ ପଟେ ବଜାରର ବ୍ୟସ୍ତବହୁଳ ସଡ଼କ ଏବଂ ଅନ୍ୟପଟେ ନଗର ନିଗମର ଅଳିଆ ଗଦା ରହିଛି। ନିକଟରେ ଏକ ସରକାରୀ ଶୌଚାଳୟ ଓ ପାଣି ଟ୍ୟାଙ୍କର ରହିଛି ଏବଂ ସଲମା ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଏସବୁ ସୁବିଧା ଉପରେ ନିର୍ଭର କରିଥା’ନ୍ତି।

ଜୁଗ୍ଗିରେ ବିଦ୍ୟୁତ ସଂଯୋଗ ନାହିଁ ଏବଂ ୪-୬ ଘଣ୍ଟା ଧରି ଲଗାତାର ବର୍ଷା ହେଲେ ସମ୍ପୂର୍ଣ୍ଣ ବସ୍ତିରେ ପାଣି ଭର୍ତ୍ତି ହୋଇଯାଏ- ଗତ ଅକ୍ଟୋବର (୨୦୨୩ରେ) ଠିକ୍‌ ଏପରି ହୋଇଥିଲା। ଏଭଳି ପରିସ୍ଥିତିରେ ସେମାନେ ଗୋଡ଼ ଉପରକୁ ଉଠାଇ ନିଜ ଖଟ ଉପରେ ବସିପଡ଼ନ୍ତି ଏବଂ ପାଣି ଛାଡ଼ିବାକୁ ଅପେକ୍ଷା କରି ରୁହନ୍ତି ଯାହା ୨-୩ ଦିନ ଲାଗିଥାଏ। ‘‘ସେହି ସମୟରେ ଖୁବ୍‌ ଉତ୍କଟ ଦୁର୍ଗନ୍ଧ ହୋଇଥାଏ,’’ ସଲ୍‌ମାଙ୍କ ପୁଅ ଦିଲଶାଦ୍‌ କୁହନ୍ତି।

‘‘କିନ୍ତୁ ଆମେ ଆଉ କୁଆଡ଼େ ଯିବୁ?’’ ସଲମା ପଚାରନ୍ତି । ‘‘ଆମେ ଜାଣିଛୁ ଯେ ଏଠାରେ ଅଳିଆ ଗଦା ପାଖରେ ରହି ଆମେ ବାରମ୍ବାର ରୋଗରେ ପଡ଼ୁଛୁ। ଏଠାରେ ବସୁଥିବା ମାଛି ଆମ ଖାଦ୍ୟରେ ମଧ୍ୟ ବସୁଛି । କିନ୍ତୁ ଆମେ ଆଉ କେଉଁ ଆଡ଼େ ଯିବୁ?’’

ଗଡ଼ିଆ, ଗଡ଼ିୟା ବା ଗଡ଼ୁଲିୟା ଲୋହାର୍‌ ମାନଙ୍କୁ ରାଜସ୍ଥାନରେ ଯାଯାବର ଜନଜାତି (ଏନଟି) ସହିତ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ କରାଯାଇଛି । ଏହି ସମ୍ପ୍ରଦାୟର ଲୋକମାନେ ଦିଲ୍ଲୀ ଓ ହରିୟାଣାରେ ମଧ୍ୟ ରୁହନ୍ତି । କିନ୍ତୁ ଗୋଟିଏ ପଟେ ଯେଉଁଠି ଦିଲ୍ଲୀରେ ସେମାନଙ୍କୁ ଯାଯାବର ଜନଜାତି ମାନ୍ୟତା ମିଳିଛି ଅନ୍ୟପଟେ ହରିୟାଣାରେ ସେମାନେ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ ହୋଇଛନ୍ତି ।

ବଜାରର ଯେଉଁ ଭାଗରେ ସେମାନେ ରହୁଛନ୍ତି ତାହା ରାଜ୍ୟ ରାଜପଥ ୧୧ ପାର୍ଶ୍ୱରେ ରହିଛି ଏବଂ ସେଠାରେ ବହୁ ସଂଖ୍ୟାରେ ସତେଜ ପନିପରିବା, ମିଠା, ତେଜରାତି, ବିଦ୍ୟୁତ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀର ଖୁଚୁରା ବିକ୍ରେତାଙ୍କ ଦୋକାନ ରହିଛି। ଷ୍ଟଲ୍‌ କରି ଦୋକାନ ପକାଇଥିବା ମାଲିକମାନେ ବଜାର ବନ୍ଦ ହେବା ପରେ ଏହି ସ୍ଥାନରୁ ଚାଲି ଯାଆନ୍ତି ।

Left: The Lohars call this juggi in Bahalgarh market, Sonipat, their home.
PHOTO • Sthitee Mohanty
Right: Salma Lohar with her nine-year-old niece, Chidiya
PHOTO • Sthitee Mohanty

ବାମ : ସୋନିପତର ବହାଲଗଡ଼ ବଜାରରେ ରହୁଥିବା ଲୋହାର୍‌ ଏସବୁ ଜୁଗ୍ଗିକୁ ନିଜ ଘର ବୋଲି ମାନି ନେଇଛନ୍ତି । ଡାହାଣ : ସଲମା ଲୋହାର୍‌ ନିଜ ୯ ବର୍ଷର ଝିଆରୀ ଚିଡ଼ିୟା ସହିତ ବସିଛନ୍ତି

They sell ironware like kitchen utensils and agricultural implements including sieves, hammers, hoes, axe heads, chisels, kadhais , cleavers and much more. Their home (and workplace) is right by the road in the market
PHOTO • Sthitee Mohanty
They sell ironware like kitchen utensils and agricultural implements including sieves, hammers, hoes, axe heads, chisels, kadhais , cleavers and much more. Their home (and workplace) is right by the road in the market
PHOTO • Sthitee Mohanty

ସେମାନେ ରୋଷେଇ ଘର ଏବଂ ଚାଷ କାମରେ ବ୍ୟବହୃତ ଲୁହା ସରଞ୍ଜାମ ଯଥା ଚାଲୁଣୀ, ହାତୁଡ଼ି, କୋଦାଳ, କୁରାଢ଼ି, ନିହାଣ, କଢ଼େଇ, କାତି ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରନ୍ତି । ସେମାନଙ୍କ ଘର ଓ କାର୍ଯ୍ୟସ୍ଥଳୀ ଠିକ୍‌ ବଜାର ରାସ୍ତା କଡ଼ରେ ଅଛି

କିନ୍ତୁ ସଲ୍‌ମାଙ୍କ ଭଳି ଲୋକଙ୍କ ପାଇଁ, ଏହି ବଜାର ସେମାନଙ୍କ ବାସସ୍ଥାନ ଓ କାର୍ଯ୍ୟସ୍ଥଳୀ।

‘‘ସକାଳ ୬ଟାରେ ମୋର ଦିନ ଆରମ୍ଭ ହୁଏ। ସୂର୍ଯ୍ୟ ଉଦୟ ହେବା ସହିତ ମୋତେ ଭାଟି ଜଳାଇବା, ମୋ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ତା’ପରେ କାମ ଆରମ୍ଭ କରିବାକୁ ହୁଏ,’’ ୪୧ ବର୍ଷ ବୟସ୍କା ସଲ୍‌ମା କୁହନ୍ତି । ନିଜ ସ୍ୱାମୀ ବିଜୟଙ୍କ ସହିତ ସେ ଦିନରେ ଦୁଇ ଥର ଲମ୍ବା ସମୟ ପର୍ଯ୍ୟନ୍ତ ଭାଟିରେ କାମ କରନ୍ତି। ଉଭୟ ଅଦରକାରୀ ଲୁହାକୁ ତରଳାଇବା ପରେ ପିଟି ପିଟି ସେଥିରେ ନୂଆ ସରଞ୍ଜାମ ତିଆରି କରନ୍ତି। ଦିନ ଭରି ସେମାନେ ଚାରି-ପାଞ୍ଚଟି ସରଞ୍ଜାମ ତିଆରି କରିପାରନ୍ତି।

ଅପରାହ୍ଣରେ ସଲମାଙ୍କୁ ନିଜ କାମରୁ ସାମାନ୍ୟ ଫୁରସତ୍‌ ମିଳିଥାଏ, ଯେତେବେଳେ ସେ ଖଟ ଉପରେ ବସି ଗୋଟିଏ କପ୍‌ ଗରମ ଚା’ର ଆନନ୍ଦ ଉପଭୋଗ କରନ୍ତି। ଏହି ସମୟରେ ତାଙ୍କର ଦୁଇ ପିଲା ତାଙ୍କ ପାଖରେ ବସିଥାନ୍ତି - ଏକମାତ୍ର ଝିଅ ତନୁକୁ ୧୬ ବର୍ଷ ହୋଇଥିବା ବେଳେ ସବୁଠୁ ସାନ ପୁଅ ଦିଲଶାଦକୁ ୧୪ ବର୍ଷ । ତାଙ୍କ ଯା’ଙ୍କ ଝିଅ - ଶିବାନୀ, କାଜଲ ଓ ଚିଡ଼ିୟା ମଧ୍ୟ ପାଖରେ ବୁଲୁଛନ୍ତି । ନଅ ବର୍ଷର ଝିଅ ଚିଡ଼ିୟା ହିଁ କେବଳ ସ୍କୁଲ୍ ଯାଇଥାଏ।

‘‘ଆପଣ କ’ଣ ଏଥିରେ ହ୍ୱାଟ୍ସଆପ୍‌ କରିପାରିବେ?’’ ସଲ୍‌ମା ପଚାରନ୍ତି। ‘‘ସର୍ବପ୍ରଥମେ ମୋ କାମ ବିଷୟରେ ଲେଖିବେ!’’

ତାଙ୍କ ବେଉସାର ସରଞ୍ଜାମ ଏବଂ ଅନ୍ତିମ ରୂପ ନେଇଥିବା ଉତ୍ପାଦଗୁଡ଼ିକ ଅପରାହ୍ଣର ଟାଣ ଖରାରେ ଚମକୁଛି - ସେଥିରେ ଚାଲୁଣୀ, ହାତୁଡ଼ି, କୋଦାଳ, କୁରାଢ଼ି, ନିହାଣ, କଢ଼େଇ, କାତି ଓ ଅନ୍ୟାନ୍ୟ ସରଞ୍ଜାମ ରହିଛି ।

ବଡ଼ ଧାତୁ ପାତ୍ର ପାଖରେ ବସି ସେ କୁହନ୍ତି, ‘‘ଏ ଜୁଗ୍ଗିରେ ଆମ ସରଞ୍ଜାମଗୁଡ଼ିକ ସବୁଠୁ ମୂଲ୍ୟବାନ ସାମଗ୍ରୀ। ତାଙ୍କର ବିଶ୍ରାମ ସମୟ ସରିଯାଇଛି, ହାତରେ ଥିବା ଚା’ କପ୍‌ ବଦଳରେ ଏବେ ହାତୁଡ଼ି ଓ ନିହାଣ ରହିଛି। ବାରମ୍ବାର ଅଭ୍ୟାସ ଯୋଗୁ ଅତି ସହଜରେ ସେ ଗୋଟିଏ ବାସନର ନିମ୍ନ ଭାଗରେ ହାତୁଡ଼ି ସାହାଯ୍ୟରେ କଣା କରୁଛନ୍ତି । ଦୁଇ ଥର ହାତୁଡ଼ିରେ ପିଟିବା ପରେ ସେ ଚାଲୁଣିର କୋଣକୁ ବଦଳାଇ ଦେଉଛନ୍ତି । ‘‘ଏହି ଚାଲୁଣୀ ରୋଷେଇ କାମ ପାଇଁ ନୁହେଁ । ଚାଷୀ ଶସ୍ୟ ଚଲେଇବା ପାଇଁ ଏହାକୁ ବ୍ୟବହାର କରନ୍ତି ।’’

Left: Salma’s day begins around sunrise when she cooks for her family and lights the furnace for work. She enjoys a break in the afternoon with a cup of tea.
PHOTO • Sthitee Mohanty
Right: Wearing a traditional kadhai ( thick bangle), Salma's son Dilshad shows the hammers and hoes made by the family
PHOTO • Sthitee Mohanty

ବାମ : ସୂର୍ଯ୍ୟ ଉଦୟ ସହିତ ସଲ୍‌ମାଙ୍କ ପାଇଁ ଦିନର ଆରମ୍ଭ ହୋଇଥାଏ। ପ୍ରଥମେ ସେ ନିଜ ପରିବାର ପାଇଁ ରୋଷେଇ କରନ୍ତି ଓ କାମ ଆରମ୍ଭ କରିବା ଲାଗି ଭାଟିରେ ନିଆଁ ଲଗାନ୍ତି। ଅପରାହ୍ଣରେ କାମରୁ ସାମାନ୍ୟ ବିଶ୍ରାମ ନେଇ ସେ ଚା’ ପିଅନ୍ତି । ଡାହାଣ : ସଲମା ହାତରେ ଗୋଟିଏ ପାରମ୍ପରିକ କଢ଼ାଇ (ମୋଟା ଚୁଡ଼ି) ପିନ୍ଧିଛନ୍ତି, ଏବଂ ତାଙ୍କ ପୁଅ ଦିଲଶାଦ ପରିବାର ଦ୍ୱାରା ତିଆରି ହାତୁଡ଼ି ଓ କୋଦାଳ ଦେଖାଉଛି

Salma uses a hammer and chisel to make a sieve which will be used by farmers to sort grain. With practiced ease, she changes the angle every two strikes
PHOTO • Sthitee Mohanty
Salma uses a hammer and chisel to make a sieve which will be used by farmers to sort grain. With practiced ease, she changes the angle every two strikes
PHOTO • Sthitee Mohanty

ସଲ୍‌ମା ଏକ ନିହାଣ ଓ ହାତୁଡ଼ି ସହାୟତାରେ ଚାଲୁଣୀ ତିଆରି କରୁଛନ୍ତି, ଯାହାକୁ ଚାଷୀମାନଙ୍କ ଦ୍ୱାରା ଶସ୍ୟ ବାଛିବା ଲାଗି ଉପଯୋଗ କରାଯିବ। ବାରମ୍ବାର ଅଭ୍ୟାସ ଯୋଗୁ ଦକ୍ଷତା ହାସଲ କରିଥିବାରୁ ପ୍ରତି ଦୁଇ ଥର ହାତୁଡ଼ି ପିଟିବା ପରେ ସେ ଚାଲୁଣୀର କୋଣକୁ ବଦଳାଇ ଦେଉଛନ୍ତି

ଭିତରେ, ବିଜୟ ଭାଟି ପାଖରେ ବସି କାମ କରୁଛନ୍ତି ଯାହାକୁ ସେମାନେ ଦିନକୁ ଦୁଇ ଥର - ସକାଳେ ଓ ସନ୍ଧ୍ୟାରେ ଜଳାଇଥା’ନ୍ତି।  ଯେଉଁ ଲୁହା ରଡ଼କୁ ସେ ଆକାର ଦେଉଛନ୍ତି, ତାହା ତାତି ଲାଲ୍‌ ହୋଇଯାଇଛି, କିନ୍ତୁ ଧାତୁର ଏହି ଉତ୍ତାପକୁ ନେଇ ତାଙ୍କର ଯେମିତି କିଛି ଚିନ୍ତା ନାହିଁ । ଭାଟି ଜଳିବାକୁ କେତେ ସମୟ ଲାଗେ ବୋଲି ପଚାରିଲେ ଉତ୍ତରରେ ସେ ହସି ଦିଅନ୍ତି, ‘‘ଭିତରୁ ଏକ ଆଲୋକ ବାହାରିଲେ ଆମକୁ ଜଣାପଡ଼ିଯାଏ। ବାୟୁମଣ୍ଡଳରେ ଆର୍ଦ୍ରତା ଥିବା କାରଣରୁ ଭାଟି ଜଳିବାକୁ ଅଧିକ ସମୟ ଲାଗିଥାଏ। ସାଧାରଣତଃ ଏହି କାମରେ ଆମକୁ ଗୋଟିଏରୁ ଦୁଇ ଘଣ୍ଟା ସମୟ ଲାଗିଥାଏ, କିନ୍ତୁ ଆମେ ବ୍ୟବହାର କରୁଥିବା କୋଇଲା ଉପରେ ଏହା ନିର୍ଭର କରିଥାଏ।’’

କୋଇଲା ଦାମ୍‌ କିଲୋପ୍ରତି ୧୫ରୁ ୭୦ ଟଙ୍କା ମଧ୍ୟରେ ହୋଇଥାଏ। ଏହା କୋଇଲାର ଗୁଣବତ୍ତା ଉପରେ ନିର୍ଭର କରେ।  ଅଧିକ ମାତ୍ରାରେ କୋଇଲା କିଣିବା ପାଇଁ ସଲମା ଓ ବିଜୟ ଉତ୍ତର ପ୍ରଦେଶର ଇଟା ଭାଟିକୁ ଯାଆନ୍ତି ।

ବିଜୟ ନିହାଇ ଉପରେ ତତଲା ଲୁହା ଖଣ୍ଡକୁ ରଖି ହାତୁଡ଼ି ପିଟନ୍ତି ଏବଂ ତାହାର ଗୋଟିଏ ଭାଗକୁ ଚେପ୍‌ଟା କରିବାର କାମ ଆରମ୍ଭ କରନ୍ତି । ଛୋଟ ଭାଟି ଲୁହାକୁ ସମ୍ପୂର୍ଣ୍ଣ ଭାବେ ତରଳାଇବାକୁ ସକ୍ଷମ ନୁହେଁ, ସେଥିପାଇଁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ।

ଲୋହାର୍‌ମାନେ ନିଜକୁ ଷୋଡ଼ଶ ଶତାବ୍ଦୀର ରାଜସ୍ଥାନର ସେହି ସମ୍ପ୍ରଦାୟର ବଂଶଜ ବୋଲି କହିଥା’ନ୍ତି ଯେଉଁମାନଙ୍କ ବେଉସା ଥିଲା ଅସ୍ତ୍ରଶସ୍ତ୍ର ତିଆରି କରିବା। ପରବର୍ତ୍ତୀ ବର୍ଷଗୁଡ଼ିକରେ ମୋଗଲ୍‌ମାନେ ଚିତ୍ତୋର୍‌ଗଡ଼ ଅକ୍ତିଆର କରିବା ପରେ ସେମାନେ ଉତ୍ତର ଭାରତର ବିଭିନ୍ନ ଭାଗକୁ ଚାଲିଯାଇଥିଲେ। ‘‘ସେମାନେ ଆମର ପୂର୍ବଜ ଥିଲେ। ଏବେ ଆମେ ସମ୍ପୂର୍ଣ୍ଣ ଭିନ୍ନ ଜୀବନ ନିର୍ବାହ କରୁଛୁ,’’ ବିଜୟ ସ୍ମିତ ହସି କୁହନ୍ତି । ‘‘କିନ୍ତୁ ଆମେ ଆଜି ବି ସେହି କାରୀଗରୀକୁ ନେଇ କାମ କରୁଛୁ ଯାହା ସେମାନେ ଆମକୁ ଶିଖାଇଥିଲେ। ଆମେ ଏ ଯେଉଁ କଢ଼ାଇ (ମୋଟା ଚୁଡ଼ି) ପିନ୍ଧିଛୁ ତାହା ମଧ୍ୟ ସେମାନଙ୍କ ଦାନ।’’

ଏବେ ସେ ଏହି କାରୀଗରୀକୁ ନିଜ ପିଲାମାନଙ୍କୁ ଶିଖାଇବା ଆରମ୍ଭ କରିଛନ୍ତି। ‘‘ଏହି କାମରେ ଦିଲଶାଦ୍‌ ସବୁଠୁ ଦକ୍ଷ,’’ ସେ କୁହନ୍ତି । ସଲମା ଓ ବିଜୟଙ୍କ ସବା ସାନ ପୁଅ ହେଉଛି ଦିଲଶାଦ୍‌। ସରଞ୍ଜାମ ଆଡ଼କୁ ଇସାରା କରି ସେ କହିଥାଏ, ‘‘ସେଗୁଡ଼ିକ ହଥୋଡ଼ା (ହାତୁଡ଼ି)। ବଡ଼ଗୁଡ଼ିକୁ ଘନ୍‌ କୁହନ୍ତି। ବାପୁ (ବାପା) ଗରମ ଚିମୁଟାରେ ଧରନ୍ତି ଏବଂ ସେଗୁଡ଼ିକର ମୋଡ଼କୁ ସଠିକ୍‌ ଆକାର ଦେବା ପାଇଁ କେଞ୍ଚି (କଇଁଚି) ଉପଯୋଗ କରନ୍ତି।’’

ଚିଡ଼ିୟା ହାତ ବିଞ୍ଚଣାର ହେଣ୍ଡଲକୁ ଧରି ବୁଲାଉଛି, ଯାହାଦ୍ୱାରା ଭାଟିର ତାପମାତ୍ରାକୁ ନିୟନ୍ତ୍ରିତ ରଖାଯାଇପାରିବ। ଆଖପାଖରେ ଶୁଖିଲା ପାଉଁଛ ଉଡ଼ିଲେ ସେ ହସି ଉଠୁଛି ।

The bhatti’s (furnace) flames are unpredictable but the family has to make do
PHOTO • Sthitee Mohanty
The bhatti’s (furnace) flames are unpredictable but the family has to make do
PHOTO • Sthitee Mohanty

ଭାଟିରୁ ବାହାରୁଥିବା ନିଆଁ ହୁଳାକୁ ଭରସା କରି ହେବ ନାହିଁ, କିନ୍ତୁ ପରିବାର ଲୋକମାନେ ଏହା ଉପରେ ନିର୍ଭର କରିଥା’ନ୍ତି

The sieves, rakes and scythes on display at the family shop. They also make wrenches, hooks, axe heads, tongs and cleavers
PHOTO • Sthitee Mohanty
The sieves, rakes and scythes on display at the family shop. They also make wrenches, hooks, axe heads, tongs and cleavers
PHOTO • Sthitee Mohanty

ପରିବାରର ଦୋକାନ ପାଖରେ ରଖାଯାଇଥିବା ଚାଲୁଣୀ, ଖୁରୁପି ଏବଂ ଦା’। ସେମାନେ ମଧ୍ୟ  ରେଞ୍ଚି, ହୁକ୍‌, କୁରାଢ଼ି, ଚିମୁଟା ଏବଂ  କାତି ତିଆରି କରନ୍ତି

ଦୋକାନକୁ ଜଣେ ମହିଳା ଛୁରୀ କିଣିବାକୁ ଆସିଛନ୍ତି । ଛୁରୀ ଦାମ୍ ୧୦୦ ଟଙ୍କା ବୋଲି ସଲ୍‌ମା ତାଙ୍କୁ କହୁଛନ୍ତି। ମହିଳା ଉତ୍ତର ଦେଉଛନ୍ତି, ‘‘ମୁଁ ୧୦୦ ଟଙ୍କା ଦେଇ ଏହାକୁ କିଣିବାକୁ ଚାହୁଁନାହିଁ। ଅଧିକ ଶସ୍ତାରେ ମିଳୁଥିବା ପ୍ଲାଷ୍ଟିକ୍‌ ଛୁରୀ ମୁଁ କିଣିପାରିବି।’’ ମୂଲଚାଲ କରି ସେମାନେ ୫୦ଟଙ୍କାରେ ଦର ଧାର୍ଯ୍ୟ କରୁଛନ୍ତି।

ମହିଳା ଜଣଙ୍କ ଚାଲିଯିବା ପରେ ସଲ୍‌ମା ଦୀର୍ଘଶ୍ୱାସ ନିଅନ୍ତି । ପରିବାର ନିଜର ଭରଣ-ପୋଷଣ ଯୋଗ୍ୟ ପର୍ଯ୍ୟାପ୍ତ ଲୁହା ସାମଗ୍ରୀ ବିକ୍ରି କରିପାରୁନାହିଁ। ପ୍ଲାଷ୍ଟିକ୍‌ ନିର୍ମିତ ସାମଗ୍ରୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା କଷ୍ଟକର ହୋଇପଡ଼ୁଛି । ସେମାନେ ଦ୍ରୁତ ଉତ୍ପାଦନ କିମ୍ବା ଶସ୍ତା ଦର ସହିତ ପ୍ରତିଯୋଗିତା କରିପାରୁନାହାନ୍ତି ।

‘‘ଆମେ ଏବେ ପ୍ଲାଷ୍ଟିକ୍‌ ବିକ୍ରି ଆରମ୍ଭ କରିଛୁ,’’ ସେ କୁହନ୍ତି । ‘‘ମୋ ଭିଣୋଇଙ୍କର ତାଙ୍କ ଜୁଗ୍ଗି ସାମ୍ନାରେ ଗୋଟିଏ ପ୍ଲାଷ୍ଟିକ୍‌ ଦୋକାନ ଅଛି ଏବଂ ମୋ ଭାଇ ଦିଲ୍ଲୀ ନିକଟ ଟିକରୀ ସୀମାରେ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରନ୍ତି।’’ ସେମାନେ ବଜାରରେ ଥିବା ଅନ୍ୟ ବ୍ୟବସାୟୀଙ୍କ ଠାରୁ ପ୍ଲାଷ୍ଟିକ୍‌ ସାମଗ୍ରୀ କିଣନ୍ତି ଏବଂ ସେଗୁଡ଼ିକୁ ଅନ୍ୟତ୍ର ବିକ୍ରି କରିଥାନ୍ତି, କିନ୍ତୁ ଏବେ ସୁଦ୍ଧା ସେମାନଙ୍କୁ କୌଣସି ଲାଭ ମିଳିନାହିଁ ।

ତନୁ କହିଥାଏ ଯେ ଦିଲ୍ଲୀରେ ତାଙ୍କ ମାମୁଁମାନେ ଅଧିକ ରୋଜଗାର କରୁଛନ୍ତି। ‘‘ବଡ଼ ସହରରେ ଲୋକମାନେ ଏପରି ଜିନିଷ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି। ସେମାନଙ୍କ ପାଇଁ ୧୦ ଟଙ୍କାର ସେତେ ବେଶୀ ମହତ୍ୱ ନାହିଁ। ଯେକୌଣସି ଗ୍ରାମୀଣଙ୍କ ପାଇଁ ଏହା ଅଧିକ ମୂଲ୍ୟ ଏବଂ ସେ ଏହାକୁ ଆମ ପାଇଁ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ। ଏହି କାରଣରୁ ମୋ ମାମୁଁମାନେ ଅଧିକ ଟଙ୍କା ରୋଜଗାର କରୁଛନ୍ତି।’’

*****

‘‘ମୁଁ ମୋ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଚାହୁଁଛି,’’ ସଲ୍‌ମା କୁହନ୍ତି। ପ୍ରଥମ ଥର ମୁଁ ତାଙ୍କୁ ୨୦୨୩ରେ ଭେଟିଥିଲି। ମୁଁ ନିକଟରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଛାତ୍ରୀ ଥିଲି। ‘‘ମୁଁ ଚାହୁଁଛି ଯେ ସେମାନେ ଜୀବନରେ ସଫଳ ହୁଅନ୍ତୁ।’’ ଆବଶ୍ୟକ କାଗଜପତ୍ର ନଥିବା କାରଣରୁ ତାଙ୍କ ବଡ଼ ପୁଅ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହେବା ପରେ ସେ ଏହାକୁ ଅଧିକ ହୃଦୟଙ୍ଗମ କରିପାରିଛନ୍ତି। ବର୍ତ୍ତମାନ ତାଙ୍କୁ ୨୦ ବର୍ଷ ।

‘‘ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ମୁଁ ସବୁ ଆଡ଼େ ଦୌଡ଼ିଲି ସେମାନେ ଯାହା ମାଗିଲେ - ଆଧାର, ରାସନ କାର୍ଡ, ଜାତି କାଗଜପତ୍ର ସବୁ ଦେଲି। ଅନେକ କାଗଜପତ୍ରରେ ଟିପଚିହ୍ନ ଦେଲି, କିନ୍ତୁ ଏହା ବଦଳରେ ମୋତେ କିଛି ମିଳିଲା ନାହିଁ ।’’

Left: Vijay says that of all his children, Dilshad is the best at the trade.
PHOTO • Sthitee Mohanty
Right: The iron needs to be cut with scissors and flattened to achieve the right shape. When the small furnace is too weak to melt the iron, applying brute force becomes necessary
PHOTO • Sthitee Mohanty

ବାମ : ବିଜୟ କୁହନ୍ତି ତାଙ୍କର ସବୁ ପିଲାଙ୍କ ମଧ୍ୟରେ ଦିଲଶାଦ ଏହି କାମରେ ସବୁଠୁ ବେଶୀ ଦକ୍ଷ। ଡାହାଣ : ଲୁହାକୁ କଇଁଚି ସାହାଯ୍ୟରେ କାଟିବାକୁ ପଡ଼ିଥାଏ ଏବଂ ସଠିକ ଆକାର ଦେବା ପାଇଁ ତାହାକୁ ଚେପଟା କରିବାକୁ ପଡ଼ିଥାଏ। ଯେହେତୁ ଭାଟି ଛୋଟ ଏବଂ ଲୁହାକୁ ସମ୍ପୂର୍ଣ୍ଣ ତରଳାଇବାକୁ ସକ୍ଷମ ନୁହେଁ, ସେଥିପାଇଁ ଏହି କାମରେ ବହୁତ ପରିଶ୍ରମ ଲାଗିଥାଏ

ଗତ ବର୍ଷ ଦିଲଶାଦକୁ ଷଷ୍ଠ ଶ୍ରେଣୀରୁ ନିଜ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଛି । ସେ କହିଥାଏ, ‘‘ସରକାରୀ ବିଦ୍ୟାଳୟରେ ହେଉଥିବା ପାଠପଢ଼ାରେ କିଛି ଶିଖିବା ଭଳି ନାହିଁ, କିନ୍ତୁ ମୋ ଭଉଣୀ ତନୁ ଅନେକ କଥା ଜାଣିଛି । ସେ ଜଣେ ଭଲ ପାଠ ପଢ଼ୁଥିବା ଛାତ୍ରୀ।’’ ତନୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଶେଷ କରିଛି, କିନ୍ତୁ ଏବେ ସେ ଆଗକୁ ପଢ଼ିବାକୁ ଚାହୁଁନାହିଁ। ପାଖ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉନାହିଁ, ସେଥିପାଇଁ ତାକୁ ଗୋଟିଏ ଘଣ୍ଟା ପାଦରେ ଚାଲି ଚାଲି ତିନି କିଲୋମିଟର ଦୂର ଖେୱାରାରେ ଥିବା ସ୍କୁଲକୁ ଯିବାକୁ ହେବ ।

‘‘ଲୋକମାନେ ମୋତେ ଖରାପ ଦୃଷ୍ଟିରେ ଦେଖନ୍ତି,’’ ତନୁ କୁହେ । ‘‘ସେମାନେ ଖରାପ କଥା କୁହନ୍ତି। ଏତେ ଖରାପ କଥା ଯେ ମୁଁ ତାହା କହିପାରିବି ନାହିଁ।’’ ତେଣୁ ତନୁ ଏବେ ଘରେ ରହି ମା’ବାପାଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରୁଛି ।

ସାର୍ବଜନୀନ ଟ୍ୟାଙ୍କର ପାଖରେ ଥାଇ ପରିବାର ଲୋକଙ୍କୁ ଗାଧୋଇବାକୁ ପଡ଼ିଥାଏ। ତନୁ କୋମଳ ସ୍ୱରରେ କହିଥାଏ, ‘‘ଖୋଲାରେ ଗାଧୋଇବା ବେଳେ ଯେ କେହି ଆମକୁ ଦେଖିପାରିବେ।’’ କିନ୍ତୁ ଥରେ ସାର୍ବଜନୀନ ଶୌଚାଳୟକୁ ଗଲେ ୧୦ ଟଙ୍କା ଦେବାକୁ ପଡ଼ିଥାଏ। ପରିବାରର ସବୁ ଲୋକଙ୍କ ପାଇଁ ଏହା ଯଥେଷ୍ଟ ମହଙ୍ଗା। ଶୌଚାଳୟ ଥିବା ଘରଟିଏ ଭଡ଼ା ନେବା ପାଇଁ ସେମାନଙ୍କ ଆୟ ଯଥେଷ୍ଟ ନୁହେଁ । ସେଥିପାଇଁ ବାଧ୍ୟ ହୋଇ ସେମାନଙ୍କୁ ରାସ୍ତା କଡ଼ରେ ଦିନ ବିତାଇବାକୁ ପଡ଼ିଥାଏ।

ପରିବାରରେ କେହି କୋଭିଡ-୧୯ ଟିକା ନେଇନାହାନ୍ତି । ରୋଗରେ ପଡ଼ିବାର ସ୍ଥିତିରେ ସେମାନଙ୍କୁ ବଢ଼ ଖାଲସା କିମ୍ବା ସେୱଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)କୁ ଯିବାକୁ ପଡ଼ିଥାଏ। ଘରୋଇ କ୍ଲିନିକ୍‌ ମହଙ୍ଗା ହୋଇଥିବା କାରଣରୁ ସେମାନଙ୍କ ପାଇଁ ତାହା ଅନ୍ତିମ ଆଶ୍ରୟ ହୋଇଥାଏ।

ସଲମା ବହୁତ ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିଥା’ନ୍ତି । ‘‘ହାତରେ ଟଙ୍କା ନଥିଲେ, ଆମେ ଅଳିଆ ସଂଗ୍ରହକାରୀଙ୍କ ପାଖକୁ ଯାଉ,’’ ସେ କୁହନ୍ତି । ‘‘ସେମାନଙ୍କ ଠାରୁ ପ୍ରାୟ ୨୦୦ ଟଙ୍କାରେ ପୋଷାକ କିଣିଥାଉ।’’

ବେଳେ ବେଳେ ତାଙ୍କ ପରିବାର ସୋନିପତର ଅନ୍ୟ ବଜାରକୁ ମଧ୍ୟ ଯାଇଥାଏ। ତନୁ କୁହେ, ‘‘ଆମେ ସମସ୍ତେ ରାମ ଲୀଳା ଦେଖିବାକୁ ଯିବୁ, ଯାହା ଆଉ କିଛିଦିନ ପରେ ରାମନବମୀ ଅବସରରେ ଆୟୋଜିତ ହେବ । ଯଦି ଆମ ପାଖରେ ଟଙ୍କା ଥିବ ତା’ହେଲେ ଆମେ ଚାଟ୍‌ ଜଳଖିଆ ଖାଇବୁ ।’’

‘‘ମୋ ନାଁ ମୁସଲମାନ୍‌ ଙ୍କ ଭଳି ହୋଇଥିଲେ ମଧ୍ୟ ମୁଁ ଜଣେ ହିନ୍ଦୁ,’’ ସଲମା କୁହନ୍ତି । ‘‘ଆମେ ସବୁ ଠାକୁରଙ୍କୁ ପୂଜା କରୁ - ହନୁମାନ, ଶିବ, ଗଣେଶ।’’

‘‘ଆଉ ଆମେ ଆମ କାମ ମାଧ୍ୟମରେ ନିଜ ପୂର୍ବଜମାନଙ୍କୁମଧ୍ୟ ପୂଜା କରିଥାଉ!’’ ଦିଲସାଦ୍‌ ମଝିରେ ହସ୍ତକ୍ଷେପ କରି କହିଥାଏ, ଏଥିରେ ତା’ର ମା’ ହସନ୍ତି ।

*****

Left: The family has started selling plastic items as ironware sales are declining with each passing day.
PHOTO • Sthitee Mohanty
Right: They share their space with a calf given to them by someone from a nearby village
PHOTO • Sthitee Mohanty

ବାମ : ଲୁହା ସାମଗ୍ରୀ ବିକ୍ରି ଦିନକୁ ଦିନ କମୁଥିବା କାରଣରୁ ଏହି ପରିବାର ପ୍ଲାଷ୍ଟିକ୍‌ ସାମଗ୍ରୀ ବିକ୍ରି ଆରମ୍ଭ କରି ଦେଇଛି । ଡାହାଣ : ନିକଟସ୍ଥ ଗୋଟିଏ ଗାଁର ଜଣେ ବ୍ୟକ୍ତି ଦେଇଥିବା ଗୋଟିଏ ବାଛୁରୀକୁ ମଧ୍ୟ ସେମାନେ ପାଖରେ ରଖିଛନ୍ତି

ବଜାରରେ ବିକ୍ରି ମାନ୍ଦା ଥିଲେ ସଲମା ଓ ବିଜୟ ପାଖ ଗାଁକୁ ଯାଇ ସେମାନଙ୍କ ସାମଗ୍ରୀ ବିକ୍ରି କରନ୍ତି । ମାସକୁ ଥରେ କିମ୍ବା ଦୁଇ ଥର ଏପରି ହୋଇଥାଏ । ଗାଁରେ ସାମଗ୍ରୀ ବିକ୍ରି ହେବା ବିରଳ । କିନ୍ତୁ ଯେତେବେଳେ ବିକ୍ରି ହୁଏ ସେମାନେ ଅତିବେଶୀରେ ଗୋଟିଏ ଥରରେ ୪୦୦ ରୁ ୫୦୦ ଟଙ୍କା ରୋଜଗାର କରିଥା’ନ୍ତି । ସଲମା କୁହନ୍ତି, ‘‘ବେଳେବେଳେ ଆମେ ଏତେ ବୁଲିଥାଉ ଯେ ଗୋଡ଼ ଛିଣ୍ଡି ପଡ଼ିଲା ଭଳି ଲାଗେ ।’’

ବେଳେ ବେଳେ ଗାଁ ଲୋକମାନେ କ୍ଷୀର ଦେଉଥିବା ଗାଈ ଠାରୁ ଅଲଗା କରିବା ଲାଗି କମ ବୟସର ବାଛୁରୀ ସେମାନଙ୍କୁ ଦେଇ ଦିଅନ୍ତି । ନିଜ ପାଇଁ ଭଲ ଘରଟିଏ ଭଡ଼ା ନେବା ଲାଗି ପରିବାର ଆୟ ଯଥେଷ୍ଟ ନୁହେଁ । ବାଧ୍ୟ ହୋଇ ସେମାନଙ୍କୁ ରାସ୍ତା କଡ଼ରେ ଜୀବନ ବିତାଇବାକୁ ପଡ଼ୁଛି ।

କିଶୋରୀ ତନୁ ସେହି ମଦ୍ୟପମାନଙ୍କର ଅଣ ଦେଖା କରିଥାଏ ଯେଉଁମାନେ ରାତିର ଅନ୍ଧକାରରେ ତା’ର ପିଛା କରନ୍ତି । ଦିଲଶାଦ କୁହେ, ‘‘ଆମେ ଅନେକ ଥର ସେମାନଙ୍କୁ ମାଡ଼ ମାରିଥାଉ କିମ୍ବା ଗାଳି ଦେଇଥାଉ। ଆମ ମା’ ଓ ଭଉଣୀମାନେ ଏଠାରେ ଶୁଅନ୍ତି ।’’

ନିକଟରେ ନିଜକୁ ନଗର ନିଗମ (ସୋନିପତ ମହାନଗର ନିଗମ) ବୋଲି ପରିଚୟ ଦେଇ କିଛି ଲୋକ ଏହି ସ୍ଥାନରୁ ଅନ୍ୟତ୍ର ଚାଲିଯିବା ଲାଗି ସେମାନଙ୍କୁ କହିଥିଲା । ଜୁଗ୍ଗି ବସ୍ତି ପଛ ପଟେ ଥିବା ଅଳିଆ ଗଦାକୁ ରାସ୍ତା ପାଇଁ ଗେଟ୍‌ ତିଆରି ହେବ, ସେଥିପାଇଁ ସେମାନଙ୍କୁ ନିଜ କବଜାରେ ଥିବା ସରକାରୀ ଜମିକୁ ଖାଲି କରିବାକୁ ହେବ।

ସେଠାକୁ ଯାଇଥିବା ଅଧିକାରୀମାନେ ଆଧାର କାର୍ଡ, ରାସନ କାର୍ଡ ଏବଂ ଅନ୍ୟ କାଗଜପତ୍ର ମାଧ୍ୟମରେ ପରିବାରଗୁଡ଼ିକ ଠାରୁ ତଥ୍ୟ ସଂଗ୍ରହ କରିଥିଲେ, କିନ୍ତୁ ସେଠାକୁ ନିଜ ଗସ୍ତ ସମ୍ପର୍କରେ କୌଣସି ବିଧିବଦ୍ଧ ପ୍ରମାଣ ଦେଇନଥିଲେ। ସେଥିପାଇଁ ଏଠାରେ ରହୁଥିବା କୌଣସି ବ୍ୟକ୍ତି ସେମାନଙ୍କ ପରିଚୟକୁ ନେଇ ନିଶ୍ଚିତ ହୋଇପାରୁନାହାନ୍ତି । ପ୍ରତି ଦୁଇ ମାସରେ ଧରି ଏଭଳି ଗସ୍ତ ହୋଇଥାଏ।

‘‘ଆମକୁ ଜମି ମିଳିବ ବୋଲି ସେମାନେ କୁହନ୍ତି,’’ ତନୁ କହିଥାଏ। ‘‘କେମିତିକା ଜମି? କେଉଁଠି? ଏହା ବଜାର ଠାରୁ ଦୂରରେ କି? ସେମାନେ ଏସବୁ କିଛି ଆମକୁ କହିନଥିଲେ।’’

Nine-year-old Chidiya uses a hand-operated fan to blow the ashes away from the unlit bhatti . The family earn much less these days than they did just a few years ago – even though they work in the middle of a busy market, sales have been slow since the pandemic
PHOTO • Sthitee Mohanty
Nine-year-old Chidiya uses a hand-operated fan to blow the ashes away from the unlit bhatti . The family earn much less these days than they did just a few years ago – even though they work in the middle of a busy market, sales have been slow since the pandemic
PHOTO • Sthitee Mohanty

ନଅ ବର୍ଷର ଚିଡ଼ିୟା ଲିଭି ଯାଇଥିବା ଭାଟିରୁ ପାଉଁଶ କାଢ଼ିବା ଲାଗି ହାତ ବିଞ୍ଚଣାର ଉପଯୋଗ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ପରିବାରର ରୋଜଗାର ବହୁତ କମିଯାଇଛି । ତେବେ ସେମାନେ ବ୍ୟସ୍ତ ବଜାର ମଝିରେ କାମ କରୁଛନ୍ତି, ତଥାପି ମହାମାରୀ ପରେ ସେମାନଙ୍କ ବିକ୍ରି ଯଥେଷ୍ଟ ହ୍ରାସ ପାଇଛି

ଗୋଟିଏ ମାସରେ ଏହି ପରିବାର ପ୍ରାୟ ୫୦,୦୦୦ ଟଙ୍କା ରୋଜଗାର କରିଥାଏ ବୋଲି ସେମାନଙ୍କ ଆୟ ପ୍ରମାଣପତ୍ରରେ ଉଲ୍ଲେଖ ଅଛି । କିନ୍ତୁ ସେମାନେ ଏବେ ମାତ୍ର ୧୦,୦୦୦ ଟଙ୍କା ପାଖାପାଖି ରୋଜଗାର କରିପାରୁଛନ୍ତି । ଟଙ୍କା ଦରକାର ହେଲେ ସେମାନେ ସମ୍ପର୍କୀୟଙ୍କ ଠାରୁ ଋଣ ନିଅନ୍ତି । ସମ୍ପର୍କୀୟ ଯେତେ ନିକଟତର ହୋଇଥା’ନ୍ତି ସେମାନଙ୍କ ଉପରେ ଲାଗୁ ସୁଧ ଦର ସେତେ କମ୍‌ ହୋଇଥାଏ। ତିଆରି କରିଥିବା ମାଲ୍‌ ବିକ୍ରି ପରେ ସେମାନେ ନିଜ କରଜ ସୁଝନ୍ତି, କିନ୍ତୁ ମହାମାରୀ ପରେ ସେମାନଙ୍କ ବିକ୍ରି ଯଥେଷ୍ଟ ହ୍ରାସ ପାଇଛି ।

‘‘କୋଭିଡ ଆମ ପାଇଁ ଭଲ ସମୟ ଥିଲା,’’ ତନୁ କହିଥାଏ । ‘‘ସମ୍ପୂର୍ଣ୍ଣ ବଜାର ଶାନ୍ତ ଥିଲା। ଆମେ ସରକାରୀ ଟ୍ରକରୁ ରାସନ ପାଇଥିଲୁ। ଲୋକମାନେ ଆସି ମାସ୍କ ବାଣ୍ଟୁଥିଲେ ।’’

ସଲମା ଅଧିକ ଅଭିଯୋଗ କରିଥାନ୍ତି, ‘‘ମହାମାରୀ ପରେ ଲୋକମାନେ ଆମକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଛନ୍ତି । ସେମାନଙ୍କ ଆଖିରେ ଆମ ପ୍ରତି ଘୃଣା ରହିଛି।’’ ସେମାନେ ବାହାରକୁ ବାହାରିଲେ ସ୍ଥାନୀୟ ଲୋକମାନେ ଅଭଦ୍ର ଭାଷାରେ କହିବା ସହିତ ସେମାନଙ୍କୁ ଜାତିସୂଚକ ଗାଳି ଦିଅନ୍ତି ।

‘‘ସେମାନେ ଆମକୁ ନିଜ ଗାଁରେ ରହିବାକୁ ଦିଅନ୍ତି ନାହିଁ । ସେମାନେ ଆମ ଜାତିକୁ ନେଇ କାହିଁକି ଗାଳି ଦେଉଛନ୍ତି ମୁଁ ବୁଝିପାରୁନାହିଁ ।’’ ସଲମା ଚାହାନ୍ତି ଯେ ସମାଜ ସେମାନଙ୍କୁ ସମାନ ମାନ୍ୟତା ଦେଉ । ‘‘ ରୋଟି (ରୁଟି) ତ’ ଆମ ପାଇଁ ଓ ତାଙ୍କ ପାଇଁ ସମାନ। ସମସ୍ତେ ତ’ ଗୋଟିଏ ଜିନିଷ ଖାଉଛନ୍ତି । ଆମେ ଆଉ ସେହି ଧନୀଙ୍କ ମଧ୍ୟରେ କି ଫରକ ରହିଛି?’’

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Sthitee Mohanty

ସ୍ଥିତୀ ମହାନ୍ତି ହରିୟାଣାର ଅଶୋକା ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ସାହିତ୍ୟ ଏବଂ ଗଣମାଧ୍ୟମ ଅଧ୍ୟୟନ ବିଷୟରେ ସ୍ନାତକ ଶିକ୍ଷା ଅର୍ଜନ କରୁଛନ୍ତି । ଓଡ଼ିଶାର କଟକ ଜିଲ୍ଲା ନିବାସୀ ସ୍ଥିତୀ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ପ୍ରଭେଦ ଏବଂ ଭାରତର ଲୋକମାନଙ୍କ ପାଇଁ ‘ବିକାଶ’ର ଅର୍ଥ କ’ଣ ସେ ବିଷୟରେ ଅଧ୍ୟୟନ କରିବା ଲାଗି ବିଶେଷ ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sthitee Mohanty
Editor : Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Swadesha Sharma
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE