‘‘ଆପଣମାନେ ଆଲୋକରେ ଜନ୍ମ ନେଇଛନ୍ତି ଏବଂ ଆମେ ଅନ୍ଧାରରେ ଜନ୍ମ ନେଇଛୁ,’’ ନନ୍ଦରାମ ଜାମୁନକର ତାଙ୍କ ମାଟି ଘର ବାହାରେ ବସି କୁହନ୍ତି । ଆମେ ଅମରାବତୀ ଜିଲ୍ଲାର ଖଡ଼ିମାଲ ଗ୍ରାମରେ ଅଛୁ ଯେଉଁଠି ଆସନ୍ତା ଏପ୍ରିଲ୍‌ ୨୬ ତାରିଖରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମତଦାନ ହେବ । ନନ୍ଦରାମ ଯେଉଁ ଅନ୍ଧକାର ବିଷୟରେ କହୁଛନ୍ତି ତାହା ଏକ ନିଷ୍ଠୁର ବାସ୍ତବତା; ମହାରାଷ୍ଟ୍ରର ଏହି ଆଦିବାସୀ ଗାଁ କେବେ ହେଲେ ବିଜୁଳି ଆଲୁଅ ଦେଖିନାହିଁ ।

‘‘ପ୍ରତି ପାଞ୍ଚ ବର୍ଷରେ ଥରେ, କେହି ଜଣେ ଆସିଥାଏ ଏବଂ ବିଦ୍ୟୁତ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥାଏ। କିନ୍ତୁ କେବଳ ବିଦ୍ୟୁତ କଥା ଛାଡ଼ନ୍ତୁ, ସେମାନଙ୍କର ଆଉ କେବେ ଦେଖା ମିଳିନଥାଏ,’’ ଏହି ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ କହିଥାନ୍ତି। ବର୍ତ୍ତମାନର ସାଂସଦ ତଥା ସ୍ୱାଧୀନ ପ୍ରାର୍ଥୀ ନବନୀତ୍‌ କୌର ରାଣା ୨୦୧୯ରେ ଶିବସେନା ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦରାଓ ଅଦସୁଲ୍‌ଙ୍କୁ ପରାସ୍ତ କରି ଏଠାରୁ ବିଜୟୀ ହୋଇଥିଲେ। ଚଳିତ ବର୍ଷ ସେ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଭାବେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଚିଖଲଦରା ତାଲୁକାରେ ଥିବା ଏହି ଗାଁରେ ୧୯୮ ପରିବାର (୨୦୧୧ ଜନଗଣନା) ରୁହନ୍ତି, ସେମାନେ ମୁଖ୍ୟତଃ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଉପରେ ନିର୍ଭରଶୀଳ। ଗାଁର କିଛି ଲୋକଙ୍କ ପାଖରେ ଜମି ମାଲିକାନା ରହିଛି ଯେଉଁଥିରେ ସେମାନେ ମୁଖ୍ୟତଃ ବର୍ଷା ଆଧାରିତ ଫସଲ ମକା ଚାଷ କରିଥାନ୍ତି। ଅନୁସୂଚିତ ଜନଜାତି (ଏସଟି) ବହୁଳ ଖଡ଼ିମଲ ଗାଁକୁ ବର୍ତ୍ତମାନ ସୁଦ୍ଧା ଜଳଯୋଗାଣ ଓ ବିଦ୍ୟୁତ ସଂଯୋଗ ଭଳି ସୁବିଧା ପହଞ୍ଚି ପାରିନାହିଁ। କୋର୍କୁ ଆଦିବାସୀ ସମ୍ପ୍ରଦାୟର ନନ୍ଦରାମ କୋର୍କୁ ଭାଷାରେ କଥା ହୁଅନ୍ତି, ଯାହାକୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦୧୯ରେ ଲୁପ୍ତପ୍ରାୟ ଭାଷା ମାନ୍ୟତା ପ୍ରଦାନ କରାଯାଇଛି।

'ଏଥର ଆମ ଗାଁରେ କୌଣସି ରାଜନେତାଙ୍କୁ ପୂରାଇ ଦେବୁ ନାହିଁ। ଦୀର୍ଘ ଦିନ ଧରି ସେମାନେ ଆମକୁ ବୋକା ବନେଇ ଆସୁଛନ୍ତି, କିନ୍ତୁ ଆଉ ନୁହେଁ'

‘‘ପରିସ୍ଥିତି ବଦଳିବା ଆଶାରେ ଆମେ ୫୦ ବର୍ଷ ଧରି ଭୋଟ୍‌ ଦେଇ ଆସୁଛୁ, କିନ୍ତୁ ଆମେ ପ୍ରତାରଣାର ଶିକାର ହୋଇଛୁ,’’ ନନ୍ଦରାମଙ୍କ ପାଖରେ ବସି ତାଙ୍କୁ ଶାନ୍ତ୍ୱନା ଦେଇ ଦିନେଶ ବେଲକର କୁହନ୍ତି । ତାଙ୍କୁ ନିଜର ଆଠ ବର୍ଷର ପୁଅକୁ ୧୦୦ କିଲୋମିଟର ଦୂର ଗୋଟିଏ ବୋର୍ଡିଂ ସ୍କୁଲକୁ ପଠାଇବାକୁ ପଡ଼ିଛି । ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି, କିନ୍ତୁ ଭଲ ରାସ୍ତା ଓ ପରିବହନ ସୁବିଧା ନଥିବାରୁ ନିୟମିତ ଶିକ୍ଷକ ଆସନ୍ତି ନାହିଁ । ୩୫ ବର୍ଷ ବୟସ୍କ ଦିନେଶ କୁହନ୍ତି, ‘‘ସେମାନେ ସପ୍ତାହକୁ ଦୁଇ ଥର ଏଠାକୁ ଆସନ୍ତି।’’

‘‘ଅନେକ ନେତା ଏଠାକୁ ଆସି ସରକାରୀ ପରିବହନ ସେବା ବସ୍‌ ଚାଲିବାର ପ୍ରତିଶ୍ରୁତି ଦିଅନ୍ତି,’’ ରାହୁଲ କୁହନ୍ତି, ‘‘କିନ୍ତୁ ନିର୍ବାଚନ ପରେ ସେମାନେ ଏଠାରୁ ଗାଏବ୍‌ ହୋଇଯାଆନ୍ତି।’’ ୨୪ ବର୍ଷ ବୟସ୍କ ରାହୁଲ ଜଣେ ମନରେଗା ଶ୍ରମିକ । ପରିବହନ ସେବା ନଥିବା କାରଣରୁ ଠିକ୍‌ ସମୟରେ କାଗଜପତ୍ର ଦାଖଲ କରିନପାରିବାରୁ ତାଙ୍କୁ କଲେଜ୍‌ ପାଠପଢ଼ା ଛାଡ଼ିବାକୁ ପଡ଼ିଛି । ‘‘ଆମେ ସମ୍ପୂର୍ଣ୍ଣ ଭାବେ ଶିକ୍ଷା ଛାଡ଼ି ଦେଇଛୁ,’’ ସେ ଆହୁରି କହିଥାନ୍ତି ।

‘‘ଶିକ୍ଷା କଥା ପଛରେ, ପ୍ରଥମେ ଆମକୁ ପାଣି ଦରକାର,’’ ନନ୍ଦରାମ ଅଧିକ ଭାବପ୍ରବଣ ହୋଇ ଟିକିଏ ବଡ଼ ପାଟିରେ କୁହନ୍ତି । ମେଳଘାଟର ଉପରିସ୍ତ କ୍ଷେତ୍ରରେ ଦୀର୍ଘଦିନ ଧରି ଜଳସଂକଟ ରହିଆସିଛି ।

PHOTO • Swara Garge ,  Prakhar Dobhal
PHOTO • Swara Garge ,  Prakhar Dobhal

ବାମ : ନନ୍ଦରାମ ଜାମୁନକର (ହଳଦିଆ) ଏବଂ ଦିନେଶ ବେଲକର (ନାରଙ୍ଗି ଗାମୁଛା) ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ଖଡ଼ିମାଲ ଗ୍ରାମ ନିବାସୀ। ଗାଁକୁ ଏବେ ସୁଦ୍ଧା ଜଳଯୋଗାଣ କିମ୍ବା ବିଦ୍ୟୁତ ସଂଯୋଗ ମିଳିପାରିନାହିଁ । ଡାହାଣ : ଗାଁଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଏକ ଝର ପ୍ରାୟତଃ ଶୁଖିଯାଇଛି । ତେବେ ବର୍ଷା ଋତୁରେ, ଏହି ଅଞ୍ଚଳରେ ଥିବା ଜଳାଶୟ ପରିପୂର୍ଣ୍ଣ ହୋଇଯାଏ ଯାହାଫଳରେ ସଡ଼କ ଓ ସେତୁ କ୍ଷତିଗ୍ରସ୍ତ ହୋଇଥାଏ ଯାହାର ପ୍ରାୟତଃ ମରାମତି କରାଯାଏ ନାହିଁ

ପ୍ରତିଦିନ ଗାଁ ଲୋକମାନଙ୍କୁ ପାଣି ସଂଗ୍ରହ ପାଇଁ ୧୦ରୁ ୧୫ କିଲୋମିଟର ଚାଲିବାକୁ ପଡ଼ିଥାଏ ଏବଂ ମହିଳାମାନେ ମୁଖ୍ୟତଃ ଏହି କାମ କରିଥା’ନ୍ତି । ଗାଁର କୌଣସି ଗୋଟିଏ ପରିବାର ପାଖରେ ଟ୍ୟାପ୍‌ ପାଣି ସଂଯୋଗ ନାହିଁ । ତିନି କିଲୋମିଟର ଦୂର ନୱଲଗାଁଓରୁ ଜଳ ଯୋଗାଣ ପାଇଁ ସରକାର ପାଇପ ବିଛାଇଛନ୍ତି। କିନ୍ତୁ ଲମ୍ବା ଖରା ମାସରେ ପାଇପରେ ପାଣି ଆସେନାହିଁ। ସେମାନେ କୂଅରୁ ଯେଉଁ ପାଣି ସଂଗ୍ରହ କରିଥା’ନ୍ତି ତାହା ପାନୀୟ ଅନୁପଯୋଗୀ ହୋଇଥାଏ। ‘‘ଅଧିକାଂଶ ସମୟରେ ଆମେ ଗୋଳିଆ ପାଣି ପିଉ,’’ ଦିନେଶ କୁହନ୍ତି ।  ଏହାଦ୍ୱାରା ଅତୀତରେ ବିଶେଷ କରି ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଡାଇରିଆ ଓ ଟାଇଫଏଡ୍‌ ଭଳି ରୋଗ ବ୍ୟାପିବାର ନଜିର୍‌ ରହିଛି।

ଖଡ଼ିମାଲ ଗାଁର ମହିଳାଙ୍କ ପାଇଁ ଭୋର୍‌ ତିନି କିମ୍ବା ଚାରିଟାରୁ ଦିନ ଆରମ୍ଭ ହୋଇଥାଏ। ସେମାନେ ଜଳ ସଂଗ୍ରହ ପାଇଁ ଚାଲି ଚାଲି ଦୀର୍ଘ ବାଟ ଯାଆନ୍ତି । ୩୪ ବର୍ଷ ବୟସ୍କା ନାମ୍ୟା ରାମା ଧିକାର୍‌ କୁହନ୍ତି, ‘‘ଆମକୁ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥାଏ, ଆମେ କେତେବେଳେ ପହଞ୍ଚୁ ଏହା ତା’ ଉପରେ ନିର୍ଭର କରିଥାଏ।’’ ଛଅ କିଲୋମିଟର ଦୂରରେ ନିକଟସ୍ଥ ନଳକୂଅ ରହିଛି । ନଦୀ ଶୁଖିଯିବା ପରେ, ଏହି ସ୍ଥାନ ଭାଲୁ କିମ୍ବା ବେଳେବେଳେ ଉପର ମେଳଘାଟରେ ଥିବା ସେମାଡୋ ବ୍ୟାଘ୍ର ଅଭୟାରଣ୍ୟର ବାଘଙ୍କ ଭଳି ତୃଷାର୍ତ୍ତ ଜଙ୍ଗଲୀ ପ୍ରାଣୀ ଆଡ୍ଡା ପାଲଟିଯାଏ।

ପାଣି ଆଣିବା ଦିନର ପ୍ରଥମ କାମ। ନାମ୍ୟାଙ୍କ ଭଳି ମହିଳାଙ୍କୁ ସକାଳ ଆଠରେ ମନରେଗା କାର୍ଯ୍ୟସ୍ଥଳୀରେ କାମ କରିବା ଲାଗି ଯିବା ପୂର୍ବରୁ ସବୁ କାମ ସାରିବାକୁ ପଡ଼ିବ । ଦିନ ସାରା ଜମି ଖୋଳିବା ଭାରୀ ନିର୍ମାଣ ସାମଗ୍ରୀ ହାତରେ ବୋହିବା ଭଳି କଷ୍ଟକର କାମ କରିବା ପରେ ସେମାନଙ୍କୁ ସନ୍ଧ୍ୟା ୭ଟାରେ ପୁଣିଥରେ ପାଣି ଆଣିବା ପାଇଁ ଯିବାକୁ ପଡ଼ିଥାଏ। ‘‘ଆମକୁ ଆଦୌ ବିଶ୍ରାମ ମିଳେ ନାହିଁ। ଅସୁସ୍ଥ ଥିଲେ, ଏପରିକି ଗର୍ଭବତୀ ଥିଲେ ମଧ୍ୟ ଆମେ ପାଣି ଆଣୁ,’’ ନାମ୍ୟା କୁହନ୍ତି, ‘‘ପିଲା ଜନ୍ମ ଦେବା ପରେ, ଆମକୁ ଦୁଇରୁ ତିନି ଦିନ ପାଇଁ ବିଶ୍ରାମ ମିଳିଥାଏ।

PHOTO • Swara Garge ,  Prakhar Dobhal
PHOTO • Prakhar Dobhal

ବାମ : ଅନେକ ବର୍ଷ ଧରି ଉପର ମେଳଘାଟ କ୍ଷେତ୍ରରେ ଗୁରୁତର ଜଳସଂକଟ ଲାଗି ରହିଛି ଏବଂ ଦିନକୁ ଦୁଇ ଥର ମହିଳାମାନେ ପାଣି ଆଣିବାର ବୋଝ ମୁଣ୍ଡେଇଥା’ନ୍ତି । ‘ପହଞ୍ଚିଥିବା ସମୟକୁ ଆଧାର କରି ଆମକୁ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ,’ ନାମ୍ୟା ରାମା ଧିକାର କୁହନ୍ତି । ଡାହାଣ : ନିକଟସ୍ଥ ନଳକୂପ ଗାଁଠାରୁ ଛଅ କିଲୋମିଟର ଦୂରରେ ରହିଛି

PHOTO • Prakhar Dobhal
PHOTO • Swara Garge ,  Prakhar Dobhal

ବାମ : ଗାଁର ଅଧିକାଂଶ ଲୋକ ମନରେଗା କାର୍ଯ୍ୟସ୍ଥଳୀରେ କାମ କରନ୍ତି । ଗାଁରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ ଏବଂ ଗୋଟିଏ ମାତ୍ର ପ୍ରାଥମିକ ବିଦ୍ୟାଳୟରେ ନିୟମିତ ପାଠପଢ଼ା ହୁଏ ନାହିଁ । ଡାହାଣ : ନାମ୍ୟା ରାମା ଧିକାର (ଗୋଲାପୀ ଶାଢ଼ି) କୁହନ୍ତି ମହିଳାଙ୍କୁ କାମରୁ ବିଶ୍ରାମ ମିଳେ ନାହିଁ, ଏପରିକି ପିଲା ଜନ୍ମ କରିବା ପରେ ସୁଦ୍ଧା

ଚଳିତ ବର୍ଷ ନିର୍ବାଚନ ଆସନ୍ନ ହେବା ସହିତ ନାମ୍ୟା ଦୃଢ଼ ସଂକଳ୍ପ ନେଇଛନ୍ତି । ‘‘ଗାଁରେ ଟ୍ୟାପ୍‌ ସଂଯୋଗ ନହେବା ପର୍ଯ୍ୟନ୍ତ ମୁଁ ଭୋଟ୍‌ ଦେବି ନାହିଁ ।’’

ତାଙ୍କର ଏଭଳି ନିଷ୍ପତ୍ତିକୁ ଗାଁର ଅନ୍ୟମାନେ ସ୍ୱୀକାର କରିଛନ୍ତି।

‘‘ରାସ୍ତା, ବିଦ୍ୟୁତ ଓ ପାଣି ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆମେ ଭୋଟ୍‌ ଦେବୁ ନାହିଁ,’’ ଖଡ଼ିମାଲର ପୂର୍ବତନ ସରପଞ୍ଚ ବବନୁ ଜାମୁନକର (୭୦)  କୁହନ୍ତି, ‘‘ଆମେ ଆମ ଗାଁରେ କୌଣସି ରାଜନେତାଙ୍କୁ ପୂରାଇ ଦେବୁ ନାହିଁ । ବର୍ଷ ଧରି ସେମାନେ ଆମକୁ ଠକି ଆସିଛନ୍ତି, କିନ୍ତୁ ଆଉ ନୁହେଁ।’’

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Swara Garge

ସ୍ଵରା ଗାର୍ଗେ ୨୦୨୩ର ‘ପରୀ’ ଇଣ୍ଟର୍ଣ୍ଣ ଓ ପୁଣେସ୍ଥିତ ଏସଆଇଏମସିର ଶେଷ ବର୍ଷ ସ୍ନାତକୋତ୍ତର ଛାତ୍ରୀ। ସେ ଗ୍ରାମୀଣ ସମସ୍ୟା, ସଂସ୍କୃତି ଓ ଆର୍ଥିକ ସ୍ଥିତି ଆଦିରେ ଆଗ୍ରହ ରଖୁଥିବା ଜଣେ ଦୃଶ୍ୟକାରୀ କଥାକାର।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Swara Garge
Student Reporter : Prakhar Dobhal

ପ୍ରଖର ଧୋବାଲ ୨୦୨୩ର ‘ପରୀ’ ଇଣ୍ଟର୍ଣ୍ଣ ଓ ପୁଣେସ୍ଥିତ ଏସଆଇଏମସିର ସ୍ନାତକୋତ୍ତର ଛାତ୍ର। ଗ୍ରାମୀଣ ସମସ୍ୟା, ରାଜନୀତି ଓ ସଂସ୍କୃତି ଆଦି ସମ୍ପର୍କରେ ଆଗ୍ରହ ରଖୁଥିବା ପ୍ରଖର ଜଣେ ମନୋଜ୍ଞ ଫଟୋଗ୍ରାଫର ଓ ବୃତ୍ତଚିତ୍ର ନିର୍ମାତା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Prakhar Dobhal
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE