“ପଢ଼ି ବସିଲେ ଆମ ବହି ଓ ଖାତା ଉପରେ ଟପ୍‌ଟପ୍ କରି ପାଣି ପଡ଼େ। ଗତ ବର୍ଷ (୨୦୨୨) ଘର ଭୁଶୁଡ଼ି ପଡ଼ିଥିଲା। ସବୁ ବର୍ଷ ଏମିତି ହୁଏ,” ଓଜନିଆ ପଥର ଓ ବାଉଁଶରେ ତିଆରି ତାଙ୍କ ଘର ବିଷୟରେ କହେ ଆଠ ବର୍ଷର ବିଶାଲ ଚଭନ।

ଆଲେଗାଓଁ ଜିଲ୍ଲା ପରିଷଦ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ବିଶାଲଙ୍କ ପରିବାର ବେଲଦାର ସଂପ୍ରଦାୟର- ଯାହା କି ମହାରାଷ୍ଟ୍ରରେ ଏକ ଯାଯାବର ଜନଜାତି ରୂପେ ତାଲିକାଭୁକ୍ତ।

ପୁଣି ସେ କହେ, “ଖାସ୍‌ କରି ବର୍ଷାଦିନେ ଏହି କୁଡ଼ିଆ ଘର ଭିତରେ ରହିବା ଖୁବ୍‌ କଷ୍ଟକର.. ଅନେକ ଜାଗାରୁ ପାଣି ଗଳେ।” ତେଣୁ ସେ ଓ ତା’ର ନଅ ବର୍ଷୀୟା ଭଉଣୀ ବୈଶାଳୀ ମିଶି ଘର ଭିତରେ କେଉଁ ସ୍ଥାନରେ ଛାତରୁ ପାଣି ଗଳୁ ନାହିଁ ଖୋଜି ସେଇଠି ପଢ଼ି ବସନ୍ତି। ଶିରୁର ତାଲୁକା ଅନ୍ତର୍ଗତ ଆଲେଗାଓଁ ପାଗା ଗାଁରେ ତାଙ୍କ ଘର।

ପାଠପଢ଼ା ପ୍ରତି ଦୁଇ ଭାଇଭଉଣୀଙ୍କ ଆଗ୍ରହ ଦେଖି ଗର୍ବ କରନ୍ତି ସେମାନଙ୍କ ଜେଜେମାଆ ଶାନ୍ତାବାଇ ଚଭନ। “ଆମ ଖାନଦାନ ରେ (ପରିବାରରେ) କେହି ହେଲେ ସ୍କୁଲ ଯାଇ ନଥିଲେ,” ବୋଲି କହନ୍ତି ଏହି ୮୦ ବର୍ଷୀୟା ବୃଦ୍ଧା ଜଣକ। “ପ୍ରଥମେ ମୋ ନାତିନାତୁଣୀମାନେ ହିଁ ଲେଖାପଢ଼ା ଶିଖିଲେ।”

କିନ୍ତୁ, ନିଜ ନାତିନାତୁଣୀଙ୍କ ସଂପର୍କରେ କହିବା ସମୟରେ ତାଙ୍କ କୁଞ୍ଚିତ ମୁହଁରେ ଗର୍ବ ମିଶ୍ରିତ ଦୁଃଖର ଛାପ ସ୍ପଷ୍ଟ ବାରି ହେଉଥିଲା। ଆଲେଗାଓଁ ପାଗା ବସ୍ତିରେ ସେମାନଙ୍କର ତାରପୁଲିନ ତିଆରି କୁଡ଼ିଆ ଘରେ ରହି ଶାନ୍ତାବାଇ କହନ୍ତି, “ଆମର ପକ୍କା ଘରଟିଏ ନାହିଁ, ଯେଉଁଠି କି ସେମାନେ ଆରାମରେ ପଢ଼ିପାରିବେ। ଏଠି ଲାଇଟ୍‌ ବି ନାହିଁ।”

Left: Nomadic families live in make-shift tarpaulin tents supported by bamboo poles.
PHOTO • Jyoti Shinoli
Right: Siblings Vishal and Vaishali Chavan getting ready to go to school in Alegaon Paga village of Shirur taluka.
PHOTO • Jyoti Shinoli

ବାମ: ଯାଯାବର ପରିବାରର ଲୋକେ ବାଉଁଶ ଖୁଣ୍ଟର ଢିରା ଦିଆହୋଇଥିବା ତାରପୁଲିନରେ ତିଆରି ଅସ୍ଥାୟୀ ଘରେ ରହନ୍ତି। ଡାହାଣ: ଶିରୁର ତାଲୁକାର ଆଲେଗାଓଁ ପାଗା ଗାଁ ସ୍କୁଲକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ବିଶାଲ ଏବଂ ବୈଶାଳୀ

Vishal studying in his home (left) and outside the Alegaon Zilla Parishad school (right)
PHOTO • Jyoti Shinoli
Vishal studying in his home (left) and outside the Alegaon Zilla Parishad school (right)
PHOTO • Jyoti Shinoli

ବିଶାଲ ଘରେ ପଢୁଥିବା ସମୟରେ (ବାମ) ଏବଂ ଆଲେଗାଓଁ ଜିଲ୍ଲା ପରିଷଦ ସ୍କୁଲ ବାହାରେ (ଡାହାଣ)

ବାଉଁଶ ଖୁଣ୍ଟର ଢିରା ଦିଆହୋଇ ଛାତ ତିଆରି ହୋଇଥିବା ଏହି ତିନିକୋଣିଆ ତାରପୁଲିନ କୁଡ଼ିଆ ଭିତରେ ପଶିବାକୁ ହେଲେ ପାଞ୍ଚ ଫୁଟରୁ ଅଧିକ ଉଚ୍ଚତାର ଜଣେ ଲୋକଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିବ। ବେଲଦାର, ପାର୍ଧି ଏବଂ ଭିଲ ଆଦିବାସୀମାନଙ୍କର ବସତିରେ ଥିବା ୪୦ଟି ଘର ଭିତରୁ ସେମାନଙ୍କର ଏହି କୁଡ଼ିଆଟି ଗୋଟିଏ। ପୁଣେ ଜିଲ୍ଲାର ଆଲେଗାଓଁ ପାଗା ଗାଁରୁ ଦୁଇ କିଲୋମିଟର ଦୂର ବାହାରେ ଏହି ବସତି ରହିଛି। ଶାନ୍ତାବାଇ କହନ୍ତି, “ଏମିତି ଏକ କୁଡ଼ିଆରେ ରହିବା କଷ୍ଟକର। କିନ୍ତୁ ଏହି ପିଲାମାନେ କିଛି କହନ୍ତିନି, ସେମାନେ ଚୁପ୍‌ଚାପ୍‌ ସବୁ ଚଳେଇ ନିଅନ୍ତି।”

କୁଡ଼ିଆଟିରେ ଲାଗିଥିବା ତାରପୁଲିନ ଖଣ୍ଡଗୁଡ଼ିକ ବି ଚିରି ଗଲାଣି। ଶେଷଥର ପାଇଁ ନଅ ବର୍ଷ ତଳେ ଏଗୁଡ଼ିକୁ ସେମାନେ ବଦଳାଇଥିଲେ ଏବଂ କୁଡ଼ିଆରେ କିଛି ମରାମତି କାମ ବି କରିଥିଲେ।

ନିଜ ବାପାମାଆଙ୍କ ସଂପର୍କରେ ବିଶାଲ କହେ, “ମୋ ବାପାମାଆ ସବୁବେଳେ କାମ କରିବାକୁ ବାହାରକୁ ଯାଇଥାଆନ୍ତି।” ସୁଭାଷ ଓ ଚନ୍ଦା ପୁଣେର ଏକ ପଥର କ୍ୱାରୀରେ କାମ କରନ୍ତି। ପଥର ଭାଙ୍ଗି ଏବଂ ଟ୍ରକ୍‌ରେ ବୋଝେଇ କରି ସେମାନେ ଦିନକୁ ଜଣ ପିଛା ୧୦୦ ଟଙ୍କା ମଜୁରି ପାଆନ୍ତି। ଏହାର ଅର୍ଥ ଦୁହେଁ ମିଶି ମାସକୁ ପ୍ରାୟ ୬,୦୦୦ ଟଙ୍କା ରୋଜଗାର କରନ୍ତି ଏବଂ ଏଥିରେ ହିଁ ପାଞ୍ଚଜଣିଆ ପରିବାର ଚଳିଥାଏ। ବିଶାଲର ମାଆ, ୪୨ ବର୍ଷୀୟା ଚନ୍ଦା କହନ୍ତି, “ତେଲ, ଖାଦ୍ୟଶସ୍ୟ, ସବୁ ତ ମହଙ୍ଗା ହେଲାଣି। ଆମେ ଆଉ କେମିତି ଟଙ୍କା ସଞ୍ଚୟ କରିବୁ ? କେମିତି ଘରଟିଏ ତିଆରି କରିବୁ ?”

*****

ଯାଯାବର ଭଳି ଜୀବନଯାପନ କରୁଥିବା ଆଦିବାସୀ ସଂପ୍ରଦାୟର ସଦସ୍ୟମାନେ ଘର ତିଆରି କରିବା ପାଇଁ ମହାରାଷ୍ଟ୍ରରେ ଏକ ସରକାରୀ କଲ୍ୟାଣକାରୀ ଯୋଜନା ରହିଛି ସତ, ହେଲେ ଏତେ କମ୍‌ ରୋଜଗାରରେ ଚଳୁଥିବା ଚଭନ ପରିବାର ଲାଗି ନିଜର ବୋଲି କଂକ୍ରିଟ୍‌ର ଘରଟିଏ ତିଆରି କରି ସେଥିରେ ରହିବା କେବଳ ଦିବାସ୍ୱପ୍ନ ମାତ୍ର। ଶବାରୀ ଆଦିବାସୀ ଘରକୁଲ ଯୋଜନା, ପାର୍ଧି ଘରକୁଲ ଯୋଜନା ଏବଂ ଯଶବନ୍ତରାଓ ଚଭନ ମୁକ୍ତ ବସାହତ ଯୋଜନା ଭଳି ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସେମାନଙ୍କର ଜାତି ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼େ। ଚନ୍ଦା କହନ୍ତି, “ଯେ କୌଣସି ଘରକୁଲ ଯୋଜନାରେ (ବାସଗୃହ ଯୋଜନାରେ) ଆମେ କିଏ ବୋଲି ଆମକୁ ପ୍ରମାଣ ଦେବାକୁ ପଡ଼ିବ। ଆମେ କେମିତି ଆମର ଜାତ୍‌ (ସଂପ୍ରଦାୟ) ପ୍ରମାଣ କରିବୁ?”

୨୦୧୭ର ଇଦାତେ କମିଶନ ରିପୋର୍ଟ ରେ ଦର୍ଶାଯାଇଛି ଯେ, ସାରା ଦେଶରେ ଯାଯାବର ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ବାସଗୃହ ଯୋଗାଣ କ୍ଷେତ୍ରରେ ସମସ୍ୟା ଲାଗି ରହିଛି। ଏହି ସମସ୍ୟା କଥା ଚନ୍ଦା ବି କହନ୍ତି, “ଆମେ କେମିତି ରହୁଛୁ ଆପଣ ଦେଖିପାରିବେ।” କମିଶନ ସର୍ଭେ କରିଥିବା ୯,୦୦୦ ପରିବାର ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଅଧା-ପକ୍କା କିମ୍ବା ଅସ୍ଥାୟୀ ଘରେ ରହୁଥିଲେ ଏବଂ ୮ ପ୍ରତିଶତ ନିଜ ନିଜ ପରିବାର ସହିତ ତମ୍ବୁ ପକାଇ ରହୁଥିଲେ।

Left and Right: Most nomadic families in Maharashtra live in thatched homes
PHOTO • Jyoti Shinoli
Left and Right: Most nomadic families in Maharashtra live in thatched homes.
PHOTO • Jyoti Shinoli

ବାମ ଏବଂ ଡାହାଣ: ମହାରାଷ୍ଟ୍ରର ଅଧିକାଂଶ ଯାଯାବର ପରିବାର କଚ୍ଚା ଘରେ ରହନ୍ତି

ସରକାରୀ ଯୋଜନାର ସୁବିଧା ପାଇବା ଲାଗି ଆବଶ୍ୟକ ପରିଚୟ ସମ୍ବନ୍ଧିତ କାଗଜପତ୍ର ହାସଲ କ୍ଷେତ୍ରରେ ରହିଥିବା ସମସ୍ୟା ସଂପର୍କରେ କରାଯାଇଥିବା ବହୁ ଆବେଦନ ଜାତୀୟ ବିମୁକ୍ତ, ଯାଯାବର ଏବଂ ଅର୍ଦ୍ଧ-ଯାଯାବର ଆଦିବାସୀ ସଂପ୍ରଦାୟ କମିଶନଙ୍କ ପାଖରେ ରେକର୍ଡ କରାଯାଇଛି। ମୋଟ ୪୫୪ରୁ ୩୦୪ଟି, ଅର୍ଥାତ୍‌ ସଂଖ୍ୟାଧିକ ଆବେଦନରେ ଜାତିଗତ ପ୍ରମାଣପତ୍ର ପାଇବାରେ ରହିଥିବା ସମସ୍ୟା ସଂପର୍କରେ କୁହାଯାଇଛି।

ମହାରାଷ୍ଟ୍ର ଅଧିସୂଚିତ ଜାତି , ଅଧିସୂଚିତ ଜନଜାତି, ବିମୁକ୍ତ ଜନଜାତି, ଯାଯାବର ଜନଜାତି ସଂପ୍ରଦାୟ, ଅନ୍ୟାନ୍ୟ ପଛୁଆ ଶ୍ରେଣୀ, ଏବଂ ସ୍ୱତନ୍ତ୍ର ପଛୁଆ ବର୍ଗ (ପ୍ରଦାନ ଓ ଯାଞ୍ଚ) ଜାତିଗତ ପ୍ରମାଣପତ୍ର ଆଇନ, ୨୦୦୦ ଅନୁସାରେ ଜାତିଗତ ପ୍ରମାଣପତ୍ର ପାଇବାକୁ ହେଲେ ଆବେଦନକାରୀ ସଂପୃକ୍ତ ଅଞ୍ଚଳର ସ୍ଥାୟୀ ବାସିନ୍ଦା କିମ୍ବା ନିର୍ଦ୍ଧାରିତ ତାରିଖ (ବିମୁକ୍ତ ଜାତି ଲାଗି ୧୯୬୧ ମସିହା) ସମୟରେ ସେମାନଙ୍କର ପୂର୍ବପୁରୁଷ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବାର ପ୍ରମାଣ ଦେବାକୁ ହେବ। ଶିରୁରର ଜଣେ ସାମାଜିକ କର୍ମୀ ସୁନୀତା ଭୋସଲେ କହନ୍ତି, “ଏହି ସର୍ତ୍ତ କାରଣରୁ ଜାତିଗତ ପ୍ରମାଣପତ୍ର ପାଇବା ଏତେ ସହଜ ନୁହେଁ।”

ସେ କହନ୍ତି, “ଅନେକ ପିଢ଼ି ଧରି ଏହି ଭଟକାୟା-ବିମୁକ୍ତ ଜାତି (ବିମୁକ୍ତ ସଂପ୍ରଦାୟ)ର ପରିବାରମାନେ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁ ଏବଂ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଘୂରି ବୁଲୁଛନ୍ତି। ତେଣୁ ୫୦-୬୦ ବର୍ଷ ତଳର ବାସିନ୍ଦା ପ୍ରମାଣ ସେମାନେ କେଉଁଠାରୁ ପାଇବେ ? ଏହି ଆଇନ ବଦଳିବା ଦରକାର।”

ଫାନ୍‌ସେ ପାର୍ଧି ସଂପ୍ରଦାୟର ସୁନୀତା ୨୦୧୦ରେ ‘କ୍ରାନ୍ତି’ ନାମକ ଏକ ଅଣ-ଲାଭକାରୀ ସଂଗଠନ ସ୍ଥାପନ କରିଥିଲେ। ଏହି ସଂଗଠନ ବିମୁକ୍ତ ବା ‘ଡିନୋଟିଫାଏଡ୍‌’ ଆଦିବାସୀ ସଂପ୍ରଦାୟ ବିରୋଧରେ ରହିଥିବା ମାମଲା ପରିଚାଳନା କରେ। ଜାତିଗତ ପ୍ରମାଣପତ୍ର, ଆଧାର କାର୍ଡ, ଖାଉଟି କାର୍ଡ ଏବଂ ଅନ୍ୟ ସରକାରୀ କାଗଜପତ୍ର ପାଇବାରେ ମଧ୍ୟ ଏହି ସଂଗଠନ ଲୋକଙ୍କର ସହାୟତା କରେ। ଯାହା ଫଳରେ ସେମାନେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବା ସହିତ ସେମାନଙ୍କ ବିରୋଧରେ ସଂଘଟିତ ଅତ୍ୟାଚାର ମାମଲାରେ ଲଢ଼ି ପାରନ୍ତି। ସୁନୀତା କହନ୍ତି, “୧୩ ବର୍ଷ ଭିତରେ ଆମେ ପ୍ରାୟ ୨,୦୦୦ ଲୋକଙ୍କୁ ଜାତିଗତ ପ୍ରମାଣପତ୍ର ହାସଲରେ ସହାୟତା କରିଛୁ।”

ପୁଣେ ଜିଲ୍ଲାର ଦୌଣ୍ଡ ଓ ଶିରୁର ତାଲୁକା ଏବଂ ଅହମ୍ମଦନଗର ଜିଲ୍ଲାର ଶ୍ରୀଗୋଣ୍ଡା ତାଲୁକା ଅନ୍ତର୍ଗତ ୨୨୯ଟି ଗାଁରେ କାର୍ଯ୍ୟରତ ‘କ୍ରାନ୍ତି’ ସଂଗଠନର ସ୍ୱେଚ୍ଛାସେବୀମାନେ ଫାସେ ପାର୍ଧି, ବେଲଦାର ଏବଂ ଭିଲ ଭଳି ବିମୁକ୍ତ ଜନଜାତି ସଂପ୍ରଦାୟର ପ୍ରାୟ ୨୫,୦୦୦ ଲୋକଙ୍କ ପାଇଁ କାମ କରନ୍ତି।

Left: Poor housing arrangements are common among nomadic tribes who find it difficult to access housing schemes without a caste certificate.
PHOTO • Jyoti Shinoli
Right: The office of the Social Justice and Special Assistance Department, Pune
PHOTO • Jyoti Shinoli

ବାମ: ଜାତିଗତ ପ୍ରମାଣପତ୍ର ବିନା ବାସଗୃହ ଯୋଜନାର ସୁବିଧା ନେଇ ପାରୁ ନଥିବା ଯାଯାବର ଜନଜାତି ସଂପ୍ରଦାୟର ଲୋକଙ୍କ ପାଇଁ ବାସଗୃହ ସମସ୍ୟା ଲାଗି ରହିଛି। ଡାହାଣ: ପୁଣେରେ ସାମାଜିକ ନ୍ୟାୟ ଏବଂ ସ୍ୱତନ୍ତ୍ର ସହାୟତା ବିଭାଗର କାର୍ଯ୍ୟାଳୟ

ସେ କହନ୍ତି ଯେ ପ୍ରମାଣପତ୍ର ହାସଲ ପ୍ରକ୍ରିୟା ଶ୍ରମସାଧ୍ୟ, ସମୟସାପେକ୍ଷ ଏବଂ ଖର୍ଚ୍ଚବହୁଳ। “ଆପଣ ନିଜ ହାତରୁ ପଇସା ଖର୍ଚ୍ଚ କରି ତାଲୁକା ଅଫିସ୍‌ ଯାଏ ଯିବେ, ସେଠାରେ ବାରମ୍ବାର ଜେରକ୍ସ (ଫଟୋକପି) କରିବାରେ ଖର୍ଚ୍ଚ କରିବେ। ଆପଣଙ୍କୁ ଗୋଟିଏ ପରେ ଆଉ ଗୋଟିଏ କରି କାଗଜପତ୍ର ଦାଖଲ କରିବାକୁ ପଡ଼ିବ। ସେ କ୍ଷେତ୍ରରେ ଲୋକେ ଜାତିଗତ ପ୍ରମାଣପତ୍ର ପାଇବାର ଆଶା ଛାଡ଼ି ଦିଅନ୍ତି,” ସରକାରୀ ପ୍ରକ୍ରିୟା ସଂପର୍କରେ ବୁଝାଇ ଦିଅନ୍ତି ସୁନୀତା।

*****

“ଆମ ପାଖରେ ନିଜଘର ବୋଲି କହିବାକୁ ଜାଗା ନାହିଁ,” ବିକ୍ରମ ବର୍ଡେ କହନ୍ତି, “ମୋ ପିଲାଦିନରୁ ଆଜି ଯାଏ ଆମେ କେତେଟା ଜାଗାରେ ରହିଲୁଣି, ମୁଁ କହିପାରିବିନି।” ଏହି ୩୬ ବର୍ଷୀୟ ବ୍ୟକ୍ତି ଆହୁରି କହନ୍ତି, “ଲୋକେ ଆମକୁ ବିଶ୍ୱାସ କରନ୍ତି ନାହିଁ। ଆଜି ବି। ସେଥିପାଇଁ ଆମେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଉ। ଆମେ କିଏ ବୋଲି ଥରେ ଜାଣିଗଲା ପରେ ଗାଁ ଲୋକେ ଆମକୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ କରନ୍ତି।”

ଦିନ ମଜୁରିଆ ବିକ୍ରମ, ଫାନ୍‌ସେ ପାର୍ଧି ଆଦିବାସୀ ସଂପ୍ରଦାୟର ଏବଂ ସେ ତାଙ୍କ ସ୍ତ୍ରୀ ରେଖାଙ୍କ ସହିତ ବଖୁରିକିଆ ଟିଣ ଛାତ ଘରେ ରହନ୍ତି। ଆଲେଗୋ ପାଗା ବସ୍ତିଠାରୁ ୧୫ କିଲୋମିଟର ଦୂର କୁରୁଲି ଗାଁ ଉପକଣ୍ଠରେ ଭିଲ ଓ ପାର୍ଧି ସଂପ୍ରଦାୟର ୫୦ଟି ପରିବାର ଲାଗି ସ୍ଥାପିତ ବସତିରେ ସେମାନଙ୍କର ଘର।

ବିକ୍ରମଙ୍କ ବୟସ ୧୩ ବର୍ଷ ହୋଇଥିବା ବେଳେ ୨୦୦୮ ମସିହାରେ ତାଙ୍କ ବାପାମାଆ ଜାଲନା ଜିଲ୍ଲାର ଜାଲନା ତାଲୁକ ଅନ୍ତର୍ଗତ ଭିଲପୁରୀ ଖୁର୍ଦ ଗାଁକୁ ପଳାଇ ଆସିଥିଲେ। ଝାପ୍‌ସା ଝାପ୍‌ସା ମନେ ଥିବା ଅତୀତ ସଂପର୍କରେ ସେ କହନ୍ତି, “ମୋର ମନେ ଅଛି ଯେ ଆମେ ଭିଲପୁରୀ ଖୁର୍ଦ ଗାଁ ବାହାରେ ଗୋଟିଏ କୁଡ଼ାଚା ଘର (ଚାଳିଆ ଘର) ଭିତରେ ରହୁଥିଲୁ। ମୋ ଜେଜେବାପା ଓ ଜେଜେମାଆ ମୋତେ କହୁଥିଲେ ଯେ ସେମାନେ କୁଆଡ଼େ ବୀଡ୍‌ର କେଉଁ ଏକ ସ୍ଥାନରେ ରହୁଥିଲେ।” (ପଢ଼ନ୍ତୁ: ଅପରାଧ ନାହିଁ, ଦଣ୍ଡର ବି ଶେଷ ନାହିଁ )

୨୦୧୩ରେ ସେ ପରିବାର ସହିତ ପୁଣେକୁ ପଳାଇ ଆସିଥିଲେ ଏବଂ ଏବେ ସେ ସେହିଠାରେ ରହୁଛନ୍ତି। ସେ ତାଙ୍କ ସ୍ତ୍ରୀ ରେଖା, ୨୮, ପୁଣେ ଜିଲ୍ଲାର ବିଭିନ୍ନ ଗାଁକୁ ଚାଷକାମ କରିବାକୁ ଯାଆନ୍ତି ଏବଂ ବେଳେବେଳେ ସେମାନେ ନିର୍ମାଣସ୍ଥଳରେ ବି କାମ କରନ୍ତି। ବିକ୍ରମ କହନ୍ତି, “ଦିନକରେ ଆମେ ମୋଟ ୩୫୦ ଟଙ୍କା ରୋଜଗାର କରୁ। କେବେ କେମିତି ୪୦୦ ଟଙ୍କା ବି ହୁଏ। ଆମକୁ ଦୁଇ ସପ୍ତାହରୁ ଅଧିକ କାମ ମିଳେନାହିଁ।”

Vikram Barde, a daily-wage worker, lives with his wife Rekha in a one-room house with a tin roof. ' We never had a place to call home,' the 36-year-old says, “I can’t recall how many times we have changed places since my childhood'
PHOTO • Jyoti Shinoli
Vikram Barde, a daily-wage worker, lives with his wife Rekha in a one-room house with a tin roof. ' We never had a place to call home,' the 36-year-old says, “I can’t recall how many times we have changed places since my childhood'.
PHOTO • Jyoti Shinoli

ବିକ୍ରମ ବର୍ଡେ ଜଣେ ଦିନ ମଜୁରିଆ ଏବଂ ପତ୍ନୀ ରେଖାଙ୍କ ସହିତ ସେ ଗୋଟିଏ ବଖୁରିକିଆ ଟିଣଛାତ ଘରେ ରହନ୍ତି। 'ଆମର କେବେ ବି ନିଜଘର ବୋଲି କହିବାକୁ ଜାଗାଟିଏ ନଥିଲା,” କହନ୍ତି ଏହି ୩୬ ବର୍ଷୀୟ ବ୍ୟକ୍ତି। “ମୋ ପିଲାଦିନରୁ ଆଜି ଯାଏ ଆମେ କେତେ ଥର ଜାଗା ବଦଳାଇଲୁଣି ତାହା ମୁଁ ମନେ ପକାଇ ପାରୁନି'

ଦୁଇ ବର୍ଷ ତଳେ, ଜାତିଗତ ପ୍ରମାଣପତ୍ର ଲାଗି ଆବେଦନ କରିବାକୁ ପ୍ରତି ମାସରେ ସେ ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ କରୁଥିଲେ। ତାଙ୍କ ଆବେଦନର ସ୍ଥିତି ଜାଣିବା ଲାଗି ପ୍ରତି ମାସରେ ତାଙ୍କୁ ସେଠାରୁ ୧୦ କିଲୋମିଟର ଦୂର ଶିରୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟକୁ ଯିବାଆସିବା କରିବାକୁ ପଡୁଥିଲା।

“ଭାଗୁଆଳି ଭଡ଼ାରେ ଗୋଟିଏ ଅଟୋରେ ଥରେ ଯିବାଆସିବା କରିବାକୁ ୬୦ ଟଙ୍କା ଖର୍ଚ୍ଚ ହୁଏ। ତା’ପରେ ଜେରକ୍‌ସ ଖର୍ଚ୍ଚ ଅଛି। ତା’ପରେ ଅଫିସ୍‌ରେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼େ। ମୁଁ ଦିନକର ମଜୁରି ହରାଏ। ମୋ ପାଖରେ ବାସିନ୍ଦା କିମ୍ବା ଜାତି ସଂପର୍କିତ କୌଣସି ପ୍ରମାଣ ନାହିଁ। ତେଣୁ ମୁଁ ସେଠାକୁ ଯିବା ବନ୍ଦ କରିଦେଲି,” ବିକ୍ରମ କହନ୍ତି।

ପୁଣେର ମୁଲଶି ତାଲୁକା ଅନ୍ତର୍ଗତ ବଡ଼ଗାଓଁରେ ଗୋଟିଏ ଆବାସିକ ସରକାରୀ ସ୍କୁଲରେ ସେମାନଙ୍କ ପିଲାମାନେ ପଢ଼ନ୍ତି। ୧୪ ବର୍ଷର କରନ ନବମ ଶ୍ରେଣୀରେ ଏବଂ ୧୧ ବର୍ଷର ସୋହମ ଷଷ୍ଠ ଶ୍ରେଣୀରେ ପଢ଼େ। “ଆମ ପିଲାମାନେ ହିଁ ଆମର ଏକମାତ୍ର ଆଶା। ସେମାନେ ଯଦି ଭଲ ପାଠ ପଢ଼ନ୍ତି, ତେବେ ସେମାନଙ୍କୁ ଆଉ ଏଣେତେଣେ ବୁଲିବାକୁ ପଡ଼ିବନି।”

ସରକାରଙ୍କ ବିଭିନ୍ନ ବାସଗୃହ ଯୋଗାଣ ଯୋଜନାରେ ଆର୍ଥିକ ସହାୟତା ପାଇଥିବା ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ସଂଖ୍ୟା ଜାଣିବା ଲାଗି ପୁଣେ ଡିଭିଜନର ସାମାଜିକ ନ୍ୟାୟ ଏବଂ ସ୍ୱତନ୍ତ୍ର ସହାୟତା ବିଭାଗର ଜଣେ ଅଧିକାରୀଙ୍କ ସହିତ ‘ପରୀ’ର ରିପୋର୍ଟର କଥାବାର୍ତ୍ତା କରିଥିଲେ। ଅଧିକାରୀ ଜଣକ କହିଲେ, “୨୦୨୧-୨୨ ଆର୍ଥିକ ବର୍ଷରେ ପୁଣେର ବାରାମତି ତାଲୁକା ଅନ୍ତର୍ଗତ ପାଣ୍ଡାରେ ଗାଁର ୧୦ଟି ଭିଜେଏନ୍‌ଟି (ବିମୁକ୍ତ ଜାତି ନୋଟିଫାଏଡ୍‌ ଟ୍ରାଇବ୍‌ସ) ପରିବାରଙ୍କୁ ୮୮.୩  ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ଏହା ବ୍ୟତୀତ, ଏ ବର୍ଷ (୨୦୨୩) ଯାଯାବର ସଂପ୍ରଦାୟର ଜନଜାତିଙ୍କ ପାଇଁ ଅନ୍ୟ କୌଣସି ପ୍ରସ୍ତାବ ଅନୁମୋଦିତ ହୋଇନାହିଁ।”

ତେଣେ ଆଲେଗାଓଁ ପାଗା ବସ୍ତିରେ, ତାଙ୍କ ନାତିନାତୁଣୀଙ୍କ ପାଇଁ ସୁଖଦ ଭବିଷ୍ୟତର ସ୍ୱପ୍ନ ଗଢ଼ିବାରେ ଲାଗିଥାଆନ୍ତି ଶାନ୍ତାବାଇ। ସେ କହନ୍ତି, “ମୋର ପୂରା ଭରସା ରହିଛି। ଆମେ ସିନା କଂକ୍ରିଟ କାନ୍ଥ ଘରେ ରହି ପାରିଲୁନି, ହେଲେ ନିଶ୍ଚିତ ଭାବରେ ମୋ ନାତିନାତୁଣୀମାନେ ହିଁ ନିଜର ଘରଟିଏ ତୋଳିବେ। ଏବଂ ସେମାନେ ସେଠାରେ ନିରାପଦରେ ରହିବେ।”

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli

ଜ୍ୟୋତି ଶିନୋଲି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜ୍ୟୋତି ଶିନୋଲି
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE