चाण्डालश्च वराहश्च कुक्कुटः श्वा तथैव च ।
रजस्वला च षण्ढश्च नैक्षेरन्नश्नतो द्विजान् ॥

ଚାଣ୍ଡାଳ, ଗ୍ରାମ୍ୟ ଶୂକର, କୁକୁଡା, କୁକୁର,
ରଜବତୀ ନାରୀ ଓ ନପୁଂସକ ଆଦି ଦ୍ଵିଜମାନଙ୍କୁ ଚାହିଁବେ ନାହିଁ।

— ମନୁସ୍ମୃତି ୩॰୨୩୯

କେବଳ ଚାହିଁ ଦେବା ନୁହେଁ, ନ’ ବର୍ଷ ବୟସ ବାଳକଟିର ପାପ ତହିଁରୁ କାହିଁ କେତେ ଗୁଣା ଅଧିକ। ତୃତୀୟ ଶ୍ରେଣୀରେ ପଢୁଥିବା ଇନ୍ଦ୍ର କୁମାର ମେଘୱାଲ ନିଜ ଶୋଷକୁ ଅଟକାଇ ପାରିଲା ନାହିଁ। ଦଳିତ ପିଲା ହୋଇଥିଲେ ବି ଉଚ୍ଚ ଜାତିର ଶିକ୍ଷକମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ରହିଥିବା ମାଠିଆରୁ ପାଣି ପିଇଦେଲା।

ସେଥିପାଇଁ ତାକୁ ଦଣ୍ଡ ଦିଆଗଲା! ରାଜସ୍ଥାନର ସୁରଣା ଗାଁରେ ଥିବା ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷକ ରୂପେ କାମ କରୁଥିବା ଉଚ୍ଚ ଜାତିର ୪୦ ବର୍ଷ ବୟସ୍କ ଚୈଲ ସିଂ ବାଳକଟିକୁ ନିର୍ଦ୍ଦୟ ଭାବେ ପିଟିଲେ।

ପଚିଶି ଦିନ ଧରି ଚିକିତ୍ସା ପାଇଁ ସାତଟି ଡାକ୍ତରଖାନା ବୁଲିବା ପରେ ଶେଷକୁ ଯାଲୋର ଜିଲ୍ଲାର ସେହି ଛୋଟ ପିଲାଟି ସ୍ଵାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଅହମ୍ମଦାବାଦ ସହରରେ ପ୍ରାଣ ହରାଇଲା।

ପ୍ରତିଷ୍ଠା ପାଣ୍ଡ୍ୟାଙ୍କ କବିତା ଆବୃତ୍ତି ଶୁଣନ୍ତୁ

ଡବାରେ ପୋକ

ଏକଦା ଏକ ସମୟରେ
ବିଦ୍ୟାଳୟରେ ଥିଲା ଗୋଟିଏ ମାଠିଆ।
ଠାକୁର ପରି ରହିଥିଲେ ଶିକ୍ଷକ,
ଭର୍ତ୍ତି ହୋଇ ରହିଥିଲା ତିନିଟି ଥଳି -
ଗୋଟିଏ ବ୍ରାହ୍ମଣଙ୍କର,
ଗୋଟିଏ ରାଜାଙ୍କର,
ଓ କଣା ପଇସାଟିଏ ଥିବା ଅନ୍ୟଟି ହେଲା ସେମାନେ ଯୋଗାଡୁ ଥିବା ଦଳିତଙ୍କର।

ଏକଦା ଏକ ଅଣ-ଦେଶରେ
ଦାରୁଣ ଏକ ସମୟରେ,
ପିଲାଟିଏକୁ ମାଠିଆ ଦେଲା ଶିକ୍ଷା -
“ଶୋଷ ହେଉଛି ଅପରାଧ
ଦ୍ଵିଜବର ଶିକ୍ଷକ ତୋର,
କ୍ଷତ ଚିହ୍ନ ପରି ଜୀବନ
ଓ ତୁ ଗୋଟିଏ ପୋକରେ ପିଲା
ଡବାରେ ହୋଇଛୁ ରଖା।’’

ଅଦ୍ଭୁତ ସେଇ ଡବାର ନାଁ: ସନାତନୀଦେଶ ,
“ତୋ ଦେହର ଚର୍ମ ପାପରେ ପିଲା,
ଅଭିଶପ୍ତ ତୋର ଜାତି।’’
ତା’ ସତ୍ତ୍ୱେ ପତଳା କାଗଜ ପରି ଜିଭ
ବାଲିବନ୍ତଠାରୁ ଅଧିକ ଶୁଷ୍କ,
ପିଇଦେଲା ବୁନ୍ଦାଏ ସାହାସ।

ଓଃ!
ଅସହ୍ୟ ସେଇ ଶୋଷ,
ବହିରେ ପଢା ହୁଏ ପରା: “ଦିଅ, ଭଲ ପାଅ ଓ ବାଣ୍ଟି ନିଅ”!
ସାହାସରେ ଲମ୍ବିଗଲା ତା’ର ଆଙ୍ଗୁଠିଗୁଡ଼ିକ,
ଛୁଇଁଦେଲା ହେମାଳ ମାଠିଆ,
ଶିକ୍ଷକ ହେଲେ ଠାକୁର
ଓ ସେ ନ’ ବର୍ଷର ବାଳୁତ ମାତ୍ର!

ମୁଥ ପରେ ମୁଥ ଓ ଗୋଇଠା ପରେ ଗୋଇଠା
ଓ ପିଠିରେ ପ୍ରବଳ ବେତ ମାଡ,
ସାବାଡ଼ କରିଲା ସେହି ବାଳକକୁ,
ଅଜଣା ଅସୀମ ସେହି କ୍ରୋଧ।
ଠାକୁରେ ହସିଲେ ମିଠାଳିଆ ଗୀତ ଭଳି ହୋଇ ଅଭିଭୂତ।

ବାଁ ଆଖିରେ ଆଞ୍ଚୁଡା ଦାଗ,
ଡାହାଣ ଆଖି ଫୁଲା,
ଜାମୁକୋଳିଆ ଓଠଟି ତା’ର
ଶିକ୍ଷକଙ୍କୁ ଖୁସି ଦେଲା।
ପବିତ୍ର ତାଙ୍କ ଶୋଷ , ଓ ଜାତି ଅତି ଶୁଦ୍ଧ,
ତାଙ୍କ ହୃଦୟ ଏକ ରନ୍ଧ୍ର
ମୃତ୍ୟୁ ଯେଉଁଠି ସହ୍ୟ।

ଏକ ଦୀର୍ଘଶ୍ଵାସ ଓ ଗୋଟିଏ ‘କାହିଁକି’
ଏବଂ ଗଭୀର ଘୃଣାବୋଧରେ,
ସେହି ଶୋଷ ନାମିତ ହେଲା
ଅଣାୟତ କ୍ରୋଧ!
ଶ୍ରେଣୀଗୃହର କଳାପଟା ଶ୍ମଶାନର ମାଛି ପରି ଗଣଗଣେଇଲା।

ଏକଦା ଏକ ସମୟରେ
ଗୋଟିଏ ବିଦ୍ୟାଳୟରେ ମଢଟିଏ ଥିଲା,
ହଁ ଆଜ୍ଞା, ହଁ ଆଜ୍ଞା! କଥା ତିନି ଟୋପାର!
ଗୋଟିଏ ମନ୍ଦିର ର,
ଗୋଟିଏ ରାଜମୁକୁଟ ର,
ଆଉ ଗୋଟିଏ ମାଠିଆର ଯେଉଁଥିରେ ଦଳିତଙ୍କୁ ବୁଡେଇ ମାରି ଦିଆଯାଏ।

କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ

Joshua Bodhinetra

ଯୋଶୁଆ ବୋଧିନେତ୍ର କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ତୁଳନାତ୍ମକ ସାହିତ୍ୟରେ ଏମ୍.ଫିଲ୍ ଡିଗ୍ରୀ ହାସଲ କରିଛନ୍ତି । ସେ PARIର ଜଣେ ଅନୁବାଦକ, ଜଣେ କବି, କଳା ଲେଖକ, କଳା ସମୀକ୍ଷକ ଏବଂ ସାମାଜିକ କର୍ମୀ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Joshua Bodhinetra
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan