ମୂଲ୍ୟବୋଧକୁ ନେଇ ବାସ୍ତବ ପ୍ରଶ୍ନ । ଆଉ ଏ ମୂଲ୍ୟବୋଧ ଜୀବନର ଏକ ଅଂଶବିଶେଷ । ଆମେ ନିଜକୁ ପ୍ରକୃତିର ଏକ ସ୍ୱରୂପ ଭାବେ ଦେଖିଥାଉ । ଯେବେ ସେମାନେ ଲଢ଼ିଥାନ୍ତି, ଆଦିବାସୀମାନେ ସରକାର କିମ୍ବା ଏକ ନିଗମ ବିରୋଧରେ ଲଢ଼େଇ କରିନଥାନ୍ତି । ସେମାନଙ୍କ ନିଜର ଏକ ‘ଭୂମି ସେନା’ ରହିଛି ଏବଂ ସେମାନେ ଲୋଭ ଓ ସ୍ୱାର୍ଥପରତା ପୂରି ରହିଥିବା ମୂଲ୍ୟବୋଧ ବିରୋଧରେ ଲଢ଼େଇ କରିଥାନ୍ତି ।

ଏସବୁ ସଭ୍ୟତାର ବିକାଶର ସହ ଆରମ୍ଭ ହୋଇଛି – ଆମେ ଯେତେବେଳେ ବ୍ୟକ୍ତିବାଦର ଅଭ୍ୟୁଦୟକୁ ଦେଖିବା ଆରମ୍ଭ କଲୁ, ସେତେବେଳେ ଆମେ ମଣିଷକୁ ପ୍ରକୃତି ଠାରୁ ଅଲଗା ବୋଲି ବିଚାର କଲୁ । ଏହି ଠାରୁ ହିଁ ଆରମ୍ଭ ହେଲା ସବୁ ବିବାଦ । ଥରେ ଆମେ ନିଜକୁ ନଦୀ ଠାରୁ ଅଲଗା କରିବା ପରେ, ଆମ ଦ୍ୱାରା ପରିତ୍ୟକ୍ତ ବର୍ଜ୍ୟ ଜଳ, ରାସାୟନିକ ଏବଂ ଶିଳ୍ପ ବର୍ଜ୍ୟକୁ ସେହି ନଦୀଗର୍ଭକୁ ଛାଡ଼ିବା ଲାଗି କୁଣ୍ଠାବୋଧ କଲୁ ନାହିଁ । ଆମେ ଏକ ଉତ୍ସ ଭାବରେ ନଦୀକୁ ଅଧିକାର କରିବା ଆରମ୍ଭ କରିବା। ଥରେ ଆମେ ନିଜକୁ ପ୍ରକୃତି ଠାରୁ ଭିନ୍ନ ଏବଂ ଶକ୍ତିଶାଳୀ ଭାବେ ବିଚାର କରିବା ପରଠାରୁ, ଆମେ ଏହାକୁ ନଷ୍ଟ କରିବା ଏବଂ ଶୋଷଣ କରିବା ଆରମ୍ଭ କଲୁ। ଅନ୍ୟପକ୍ଷରେ, ଏକ ଆଦିବାସୀ ସମୁଦାୟର ମୂଲ୍ୟବୋଧ, କେବଳ ସାଧାରଣ ମୂଲ୍ୟବୋଧ ନୁହେଁ, ଯାହାକି ଖଣ୍ଡେ କାଗଜରେ ଲେଖା ହୋଇଛି । ଆମ ମୂଲ୍ୟବୋଧ ହେଉଛି ଆମ ଜୀବନଶୈଳୀ ।

ଜିତେନ୍ଦ୍ର ବାସବଙ୍କୁ ଶୁଣନ୍ତୁ ଦେହୱାଲି ଭିଲିରେ ତାଙ୍କ କବିତା ପଢନ୍ତୁ

ପ୍ରତିଷ୍ଠା ପାଣ୍ଡ୍ୟାଙ୍କୁ ଶୁଣନ୍ତୁ ଇଂରାଜୀ ଅନୁବାଦରେ କବିତା ପଢ଼ନ୍ତୁ

ମୁଁ ପୃଥିବୀ ଗର୍ଭର ସନ୍ତାନ

ମୁଁ ଅଟେ ପୃଥିବୀର ଜଡ଼-ବୀଜ-ଭ୍ରୂଣ
ମୁଁ ଅଟେ ସୂର୍ଯ୍ୟ, ଅନୁଭୂତି, ଉତ୍ତାପର ଭାବ, ମୁଁ ଶାଶ୍ୱତ
ମୁଁ ମଧ୍ୟ ଭୀଲ, ମୁଣ୍ଡା, ବୋଡୋ, ଗୋଣ୍ଡ, ସାନ୍ତାଳ ।
ମୁଁ ଶହ ଶହ ବର୍ଷ ତଳେ ଜନ୍ମ ନେଇଥିବା ପ୍ରଥମ ମଣିଷ ।
ତୁମେ ମୋ ଭିତରେ ଜୀବିତ,
ମୋତେ ନେଇ ସମ୍ପୂର୍ଣ୍ଣ ଭାବେ ବଞ୍ଚି ରୁହ
ମୁଁ ଏ ପୃଥିବୀରେ ସ୍ୱର୍ଗ
ମୁଁ ଅଟେ ପୃଥିବୀର ଜଡ଼-ବୀଜ-ଭ୍ରୂଣ
ମୁଁ ଅଟେ ସୂର୍ଯ୍ୟ, ଅନୁଭୂତି, ଉତ୍ତାପର ଭାବ, ମୁଁ ଶାଶ୍ୱତ

ମୁଁ ସହ୍ୟାଦ୍ରୀ, ଶତପୁର, ବିନ୍ଧ୍ୟ, ଆରାବଳୀ
ମୁଁ ହିମାଳୟର ଶିଖର, ଦକ୍ଷିଣ ସମୁଦ୍ରର ସ୍ପର୍ଶ
ମୋ ଭିତରେ ପୂରି ରହିଛି ଉତ୍ତରପୂର୍ବର ଉଜ୍ଜ୍ୱଳ ସବୁଜିମା ।
ତୁମେ ଯେବେ ଗଛଟିଏ କାଟି ଦିଅ, ପାହାଡ଼କୁ ବିକି ଦିଅ
ଏମିତି କରି ମୋର ନିଲାମ କରିଥାଅ
ତୁମେ ନଦୀଟିଏ ଶୁଖାଇ ଦେଲେ ମୁଁ ମରିଯାଏ
ତୁମେ ନିଜ ଶ୍ୱାସରେ ମୋତେ ଆଘ୍ରାଣ କରିଥାଅ
ମୁଁ ଅଟେ ଜୀବନର ଅମୃତ
ମୁଁ ଅଟେ ପୃଥିବୀର ଜଡ଼-ବୀଜ-ଭ୍ରୂଣ
ମୁଁ ଅଟେ ସୂର୍ଯ୍ୟ, ଅନୁଭୂତି, ଉତ୍ତାପର ଭାବ, ମୁଁ ଶାଶ୍ୱତ

ସବୁପରେ ତୁମେ ମୋ ସନ୍ତାନ
ତୁମେ ମୋ ରକ୍ତ ବି ।
ପ୍ରଲୋଭନ, ଲୋଭ ଏବଂ କ୍ଷମତାର ଅନ୍ଧକାର
ତୁମକୁ ବାସ୍ତବ ଦୁନିଆ ଦେଖିବାକୁ ଦେଉନାହିଁ ।
ତୁମେ ପୃଥିବୀକୁ କହିପାର ପୃଥିବୀ
ଆମେ ତା’କୁ ମା’ କହୁ
ତୁମେ ନଦୀକୁ କହିପାର ନଦୀ
ସେ ଆମ ପାଇଁ ଆମ ଭଉଣୀ
ତୁମ ପାଇଁ ପାହାଡ଼ମାନେ କେବଳ ପାହାଡ଼,
ସେମାନେ କିନ୍ତୁ ଆମକୁ ଭାଇ ଡାକନ୍ତି
ସୂର୍ଯ୍ୟଙ୍କୁ ଆମେ ଜେଜେ ବୋଲି କରିଥାଉ ସମ୍ବୋଧନ
ଜହ୍ନ ଆମର ମାମୁ ।
ଏହି ସମ୍ପର୍କ ପାଇଁ
ମୋତେ ଟାଣିବାକୁ ହେବ ଏକ ରେଖା
ତୁମ ଏବଂ ମୋ ଭିତରେ, ସେମାନେ କୁହନ୍ତି ।
କିନ୍ତୁ ମୁଁ ଶୁଣିବାକୁ ମନା କରିଥାଏ । ମୁଁ ଭାବେ
ତୁମେ ଆପେ ଆପେ ବଦଳି ଯିବ ।
ମୁଁ ବରଫକୁ ଶୁଖାଇ ଦେବା ଭଳି ଉତ୍ତାପ
ମୁଁ ଅଟେ ପୃଥିବୀର ଜଡ଼-ବୀଜ-ଭ୍ରୂଣ
ମୁଁ ଅଟେ ସୂର୍ଯ୍ୟ, ଅନୁଭୂତି, ଉତ୍ତାପର ଭାବ, ମୁଁ ଶାଶ୍ୱତ

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Jitendra Vasava

ଜିତେନ୍ଦ୍ର ବାସବ ଗୁଜରାଟ ନର୍ମଦା ଜିଲ୍ଲାର ମହୁପଡ଼ା ଗାଁର ଜଣେ କବି, ଯିଏ ଦେହୱାଲି ଭିଲି ଭାଷାରେ ଲେଖନ୍ତି। ସେ ଆଦିବାସୀ ସାହିତ୍ୟ ଏକାଡେମୀ (୨୦୧୪) ର ପ୍ରତିଷ୍ଠାତା ସଭାପତି ଏବଂ ଆଦିବାସୀ ସ୍ୱରଗୁଡ଼ିକ ଉଦ୍ଦେଶ୍ୟରେ ସମର୍ପିତ ଏକ କବିତା ପତ୍ରିକା ଲାଖାରାର ସମ୍ପାଦକ। ସେ ମଧ୍ୟ ଆଦିବାସୀ ମୌଖିକ ସାହିତ୍ୟ ଉପରେ ଚାରିଟି ପୁସ୍ତକ ପ୍ରକାଶିତ କରିଛନ୍ତି। ତାଙ୍କର ଡକ୍ଟରେଟ ଗବେଷଣା ନର୍ମଦା ଜିଲ୍ଲାର ଭିଲମାନଙ୍କ ମୌଖିକ ଲୋକ କଥାଗୁଡ଼ିକର ସାଂସ୍କୃତିକ ଓ ପୌରାଣିକ ଦିଗ ଉପରେ କେନ୍ଦ୍ରିତ ଥିଲା। ପରୀରେ ପ୍ରକାଶିତ ତାଙ୍କର କବିତାଗୁଡ଼ିକ ତାଙ୍କର ଆଗାମୀ ଓ ପ୍ରଥମ କବିତା ସଂଗ୍ରହରୁ ଅଣାଯାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jitendra Vasava
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE