୧୮୮୫ ମସିହା ଫେବ୍ରୁଆରୀ ୧୫ ତାରିଖ ଦିନ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଦ୍ୱାରା ସ୍ଥାପିତ ବିଦ୍ୟାଳୟର ମୁକ୍ତା ସାଲଭେ ନାମ୍ନୀ ଜଣେ ଦଳିତ ଛାତ୍ରୀ ଗୋଟିଏ ପ୍ରବନ୍ଧ ଲେଖିଥିଲେ, ଯାହାର ଶୀର୍ଷକ ଥିଲା ‘ ମାଙ୍ଗ୍- ମହାରାଣାଚ୍ୟା ଦୁଖାଭିଷାୟୀ ’ (‘ମାଙ୍ଗ ଓ ମାହାରମାନଙ୍କ ଦୁଃଖ ସଂପର୍କରେ’)। ମରାଠୀ ପାକ୍ଷିକ ପତ୍ରିକା ଜ୍ଞାନୋଦୟ ରେ ଏହା ପ୍ରକାଶ ପାଇଥିଲା। ଏହ ଅଗ୍ନିବର୍ଷୀ ପ୍ରବନ୍ଧରେ ସେ ଧର୍ମର ଜଗୁଆଳିମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ: “ଯେଉଁ ଧର୍ମରେ କେବଳ ଜଣଙ୍କୁ ବିଶେଷ ଅଧିକାର ଦିଆଯାଇଥାଏ ଏବଂ ଅନ୍ୟମାନଙ୍କୁ ସେଥିରୁ ବଞ୍ଚିତ କରାଯାଏ, ସେଭଳି ଧର୍ମ ପୃଥିବୀରୁ ଲୋପ ପାଇଯିବା ଆବଶ୍ୟକ ଏବଂ ଆମ ଚେତନାରେ ଏଭଳି (ପକ୍ଷପାତମୂଳକ) ଧର୍ମ କଦାପି ପ୍ରବେଶ କରିବା ଉଚିତ ନୁହେଁ।”

ତାଙ୍କ ମାଙ୍ଗ ସଂପ୍ରଦାୟ ଲୋକଙ୍କ ବିଷୟରେ ଲେଖିବା ସମୟରେ ମୁକ୍ତା ସାଲଭେଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ବ୍ରାହ୍ମଣ ଶାସକ ଓ ସମାଜର ଅନ୍ୟ ସମସ୍ତେ କିଭଳି ଦଳିତମାନଙ୍କ ଉପରେ ଅତ୍ୟାଚାର କରୁଥିଲେ, ତାହା ତାଙ୍କର ଏହି ଚେତନା ଉଦ୍ଦୀପକ ଲେଖାରୁ ଜାଣିହୁଏ। ମୁକ୍ତାଙ୍କ ଭଳି କାଡୁବାଇଖରାତ ଆଲନ୍ଦିର ଆଧ୍ୟାତ୍ମିକ ଗୁରୁମାନଙ୍କୁ ଚ୍ୟାଲେଞ୍ଜ କଲେ ଏବଂ ଆଧ୍ୟାତ୍ମିକତା ଏବଂ ଧର୍ମ ସଂପର୍କିତ ଏକ ବିତର୍କରେ ସେମାନଙ୍କୁ ପରାସ୍ତ କଲେ। ସାଧାରଣ ଲୋକଙ୍କ ଦୁଃଖ ଓ ସଂଘର୍ଷର କାହାଣୀକୁ କାଡୁବାଇ ଗୀତରେ ଗାଇ ଶୁଣାନ୍ତି। ତାଙ୍କ ଗୀତଗୁଡ଼ିକ ଗଭୀର ଅର୍ଥ ଓ ଦର୍ଶନ ସମ୍ବଳିତ। ଏହି ଗୀତଗୁଡ଼ିକରେ ସାମାଜିକ ସମାନତାର ମୂଲ୍ୟବୋଧ ବର୍ଣ୍ଣନା ସହିତ ବାବାସାହେବ ଆମ୍ବେଦକରଙ୍କ ପ୍ରତି ତାଙ୍କ କୃତଜ୍ଞତା ପ୍ରକାଶ ପାଇଥାଏ।

*****

काखेत पोरगं हातात झाडनं डोईवर शेणाची पाटी
कपडा न लत्ता, आरे, खरकटं भत्ता
फजिती होती माय मोठी

माया भीमानं, भीमानं माय सोन्यानं भरली ओटी
मुडक्या झोपडीले होती माय मुडकी ताटी
फाटक्या लुगड्याले होत्या माय सतरा गाठी
पोरगं झालं सायब अन सुना झाल्या सायबीनी
सांगतात ज्ञानाच्या गोष्टी

सांगू सांगू मी केले, केले माय भलते कष्ट
नव्हतं मिळत वं खरकटं आणि उष्टं
असाच घास दिला भीमानं
झकास वाटी ताटी होता

तवा सारंग चा मुळीच पत्ता नव्हता
पूर्वीच्या काळात असंच होतं
बात मायी नाय वं खोटी
माया भीमानं, मया बापानं,
माया भीमानं माय, सोन्यानं भरली ओटी

ମୋ କାଖରେ ଶିଶୁ ଓ ହାତରେ ଝାଡୁ,
ମୁଣ୍ଡରେ ଗୋବର ଭର୍ତ୍ତି ଟୋକେଇ
ଅଳିଆ ମୋ ଅଳଙ୍କାର, ଅଇଁଠା ଖାଦ୍ୟ ମୁଠାକ ମୋ ପାଉଣା
ମୋତେ ବିଶ୍ୱାସ କର, ବିରାଟ ଏକ ଅପବାଦର ବୋଝ ଥିଲା ଜୀବନ

ମୋ ଭୀମ, ହଁ, ମୋହରି ଭୀମ, ସେ ମୋ ଜୀବନରେ ଭରିଦେଲା ସୁବର୍ଣ୍ଣ
ମୋ ଭଙ୍ଗା କୁଡ଼ିଆରେ ଥିଲା ଏକ ଭଙ୍ଗା କବାଟ
ଚିରା ଶାଢ଼ିରେ ଅଗଣିତ ଗଣ୍ଠି ପଡ଼ିଥିଲା
ଏବେ ମୋ ପୁଅ ଜଣେ ଅଫିସର, ମୋ ବୋହୂ ବି
କେମିତି ଯେ ମୋତେ ସେମାନେ କହନ୍ତି ଜ୍ଞାନବିଜ୍ଞାନର କଥା

ଏତେ ଦୁଃଖକଷ୍ଟର ବୋଝ ମୁଁ ବୋହିଲି ଏବଂ କଠିନ ପରିଶ୍ରମ କଲି
ଏମିତି କି ଭୋଜନ ପାଇଁ ନଥିଲା ବାସି କିମ୍ବା ଅଇଁଠା ଖାଦ୍ୟ କଣିକା
ହେଲେ ଭୀମ ଆସିଲେ ଏବଂ ଆମକୁ ଖୁଆଇ ଦେଲେ
ଅତି ସୁନ୍ଦର ଏକ ଥାଳିରୁ ଓ ଗିନାରୁ

ସେଠାକାର ଦୃଶ୍ୟପଟ୍ଟରେ ନ ଥିଲେ କବି ସାରଙ୍ଗ
ସେ ଯୁଗରେ ଆମେ ଏମିତି ଜୀଉଁଥିଲୁ
ମିଛ ମୁଁ କହୁନି ପ୍ରିୟ ବନ୍ଧୁ ମୋର
ମୋ ଭୀମ, ମୋ ବାପା, ମୋ ଜୀବନରେ ସେ ହିଁ ଭରିଦେଲେ ସୁବର୍ଣ୍ଣ ସମ୍ଭାର

PHOTO • Courtesy: TISS Tuljapur
PHOTO • Courtesy: TISS Tuljapur

କିଛି ବର୍ଷ ତଳେ ତୁଲଜାପୁରର ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସରେ ଆୟୋଜିତ ଡକ୍ଟର ଆମ୍ବେଦକର ମେମୋରିଆଲ ଲେକଚରରେ କାଡୁବାଇ ଖରାତ ଏବଂ ତାଙ୍କ ଏକତାରି

ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସକାଶେ ରଚିତ ଏବଂ ପରିବେଷିତ ହଜାର ହଜାର ଗୀତ ଆମେ ଶୁଣିଛୁ। କିନ୍ତୁ ଏଥିରୁ ଅଳ୍ପ କେତୋଟି ହିଁ ଆମ ମନକୁ ଛୁଇଁ ପାରିଛି ଏବଂ ଏଗୁଡ଼ିକ ଏତେ ଲୋକପ୍ରିୟ ହୋଇଛି ଯେ ଏହା ଆମ ସାମୂହିକ ସ୍ମୃତିର ଅଂଶବିଶେଷ ହୋଇ ରହିଆସିଛି। କାଡୁବାଇ ଖରାତଙ୍କ ଏହି ଗୀତଟି ସେହି ସ୍ତରରେ ପହଞ୍ଚି ପାରିଛି। ଲୋକଙ୍କ ଘର ଓ ହୃଦୟରେ ସ୍ଥାନ ପାଇସାରିଥିବା ଏହି ଗୀତଟି ଖୁବ ଲୋକପ୍ରିୟ ଏବଂ ଘରେ ଘରେ ଏହା ଆମ୍ବେଦକରଙ୍କ ଉପରେ ରଚିତ ସର୍ବାଧିକ ଲୋକପ୍ରିୟ ଗୀତ ହୋଇ ରହିଛି।

ଏହି ଗୀତର ଏଭଳି ଲୋକପ୍ରିୟତା ପଛରେ ବହୁ କାରଣ ରହିଛି। ଭାବାବେଗ ପାଇଁ ସଠିକ ଶବ୍ଦ, ସ୍ପଷ୍ଟ ସ୍ୱର ସଂଯୋଜନା, ଅନନ୍ୟ ଧ୍ୱନି ଓ ବାଦ୍ୟଯନ୍ତ୍ର ଏବଂ ତା ସହିତ କାଡୁବାଇ ଖରାତଙ୍କ ସ୍ୱତନ୍ତ୍ର ଗୁରୁଗମ୍ଭୀର କଣ୍ଠ ସ୍ୱର। ସେ ଜଣେ ସରଳ ବ୍ୟକ୍ତି, ଯିଏ କି କଲରସ୍ ଏବଂ ଜୀ ଟିଭି ଚ୍ୟାନେଲରେ ପ୍ରସାରିତ ଜଲସା ମହାରାଷ୍ଟ୍ର ଶୀର୍ଷକ କାର୍ଯ୍ୟକ୍ରମ ଜରିଆରେ ଲୋକଲୋଚନକୁ ଆସିଲେ। କିନ୍ତୁ ସେଠାରେ ପହଞ୍ଚିବା ନିମନ୍ତେ ତାଙ୍କୁ କେତେ ସଂଘର୍ଷପୂର୍ଣ୍ଣ ଯାତ୍ରା କରିବାକୁ ପଡ଼ିଥିଲା ସେ ସଂପର୍କରେ ଆମେ ଖୁବ୍ କମ୍ ଜାଣିଛୁ। କାଡୁବାଇଙ୍କ ଜୀବନରେ ଏଭଳି ଅନେକ ଅନୁଭୂତି ରହିଛି ଯାହା ତାଙ୍କ ନାମର ଯଥାର୍ଥତା ପ୍ରତିପାଦନ କରିଥାଏ। (ମରାଠୀ ଭାଷାରେ କାଡୁ ଶବ୍ଦର ଅର୍ଥ ପିତା ଏବଂ ଅଶୁଭ ନଜର ର ପ୍ରକୋପରୁ ସୁରକ୍ଷିତ ରଖିବା ଲାଗି ମରାଠୱାଡ଼ା ଅଞ୍ଚଳର ଝିଅମାନଙ୍କ ପାଇଁ ଏହା ଏକ ଲୋକପ୍ରିୟ ନାଁ।)

କାଡୁବାଇଙ୍କ ବାପା ଥିଲେ ତୁକାରାମ କାମ୍ବଲେ...

ପିଲାଟି ଦିନରୁ ଦାରିଦ୍ର୍ୟର କଷଣ ସହି ବଢ଼ି ଆସିଥିବା କାଡୁବାଇ ମାତ୍ର ୧୬ ବର୍ଷ ବୟସରେ ବିବାହ କରିଥିଲେ ଏବଂ ବିବାହର ଅଳ୍ପ କେଇଟା ବର୍ଷ ପରେ ତାଙ୍କ ସ୍ୱାମୀ ହୃଦଘାତରେ ପ୍ରାଣ ହରାଇଥିଲେ। ଏହା ପରେ ତାଙ୍କୁ ହିଁ ତାଙ୍କର ତିନିଟି ସନ୍ତାନ- ଦୁଇଟି ପୁଅ ଓ ଗୋଟିଏ ଝିଅ- ସହିତ ଜୀବନ ଜଞ୍ଜାଳର ବୋଝ ମୁଣ୍ଡାଇବାକୁ ପଡ଼ିଥିଲା। ବାପାଙ୍କ ଏକତାରି ବଜାଇ ଏବଂ ପାରମ୍ପରିକ ଭଜନ-କୀର୍ତ୍ତନ (ଭକ୍ତି ସଙ୍ଗୀତ) ଗାଇ ଗାଇ ସେ ଘରକୁ ଘର ଘୂରି ବୁଲିଲେ। ବୈଦିକ ଯୁଗରେ, ଥରେ ଗାର୍ଗୀ ଏବଂ ମୈତ୍ରେୟୀଙ୍କ ଭଳି ବିଦୁଷୀମାନେ ଧର୍ମର ଦ୍ୱାରପାଳମାନଙ୍କ ସହିତ ବିତର୍କ କରିଥିଲେ। ଠିକ ସେହିଭଳି, ଥରେ କାଡୁବାଇ ଆଲନ୍ଦିର ମନ୍ଦିର ପ୍ରାଙ୍ଗଣରେ ଆଧ୍ୟାତ୍ମ୍ୟବାଦର ବଡ଼ପଣ୍ଡାମାନଙ୍କ ସହିତ ତର୍କ କରିଥିଲେ। ଅନେକ ପ୍ରକାରର ଭକ୍ତି ସଙ୍ଗୀତ ପରିବେଷଣ କରି ବହୁ ବର୍ଷ ଅତିବାହିତ କରିଥିଲେ ହେଁ ଏହା ଦିନକୁ ଦୁଇ ବେଳାର ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ନଥିଲା। ତେଣୁ ସେ ଜାଲନା ଜିଲ୍ଲାରେ ଥିବା ତାଙ୍କ ଗାଁ ଛାଡ଼ି ଔରଙ୍ଗାବାଦ ଯିବାକୁ ସ୍ଥିର କଲେ।

PHOTO • Imaad ul Hasan
PHOTO • Imaad ul Hasan

ଔରଙ୍ଗାବାଦ-ବୀଡ୍ ବାଇପାସ୍ ରୋଡ୍ ନିକଟ ଏକ ଗୈରାନ (ଗୋଚର) ଜମିରେ କାଡୁବାଇ ଏକ ଛୋଟ ଟିଣ କୁଡ଼ିଆ ତିଆରି କଲେ। ଏବେ ସେ ବୌଦ୍ଧ ଧର୍ମାବଲମ୍ବୀ ଏବଂ ସେ କହନ୍ତି, ବାବାସାହେବଙ୍କ ପ୍ରେମ, ସ୍ନେହ, ପ୍ରେରଣା ଓ ଶକ୍ତି ବଳରେ ଗଢ଼ି ଉଠିଥିବା ପୃଥିବୀକୁ ହିଁ ସେ ଦେଖିଆସିଛନ୍ତି

ହେଲେ ସେ ଔରଙ୍ଗାବାଦରେ କେଉଁଠି ରହିବେ? ଔରଙ୍ଗାବାଦ-ବୀଡ୍ ବାଇପାସ୍ ରୋଡ ପାଖ ଏକ ଗୈରାନ (ସରକାରଙ୍କ ମାଲିକାନାରେ ଥିବା ଗୋଚର ଜମି) ଜମିରେ ସେ ଏକ ଛୋଟ କୁଡ଼ିଆଟିଏ ତିଆରି କଲେ ଏବଂ ପିଇବା ପାଣି ଓ ବିଦ୍ୟୁତ ସଂଯୋଗ ଭଳି ମୌଳିକ ସୁବିଧା ନ ଥିବା ସତ୍ତ୍ୱେ ସେ ସେଠାରେ ରହିବାରେ ଲାଗିଲେ। ଆଜି ବି ସେ ସେହିଠାରେ ରହୁଛନ୍ତି। ପ୍ରଥମେ ପ୍ରଥମେ କିଛି ଦିନ ପାଇଁ ମୀରା ଉମାପ ତାଙ୍କ ସଙ୍ଗୀତ ପରିବେଷଣ ଦଳରେ କାଡୁବାଇଙ୍କୁ ସାମିଲ କଲେ। କିନ୍ତୁ ସେଠାରୁ ମିଳୁଥିବା ପଇସା ତାଙ୍କର ତିନି ପିଲାଙ୍କ ଭରଣପୋଷଣ ପାଇଁ ଯଥେଷ୍ଟ ନଥିଲା। କାଡୁବାଇ କହନ୍ତି, “ତାହା ଥିଲା ବର୍ଷା ଋତୁ ଏବଂ ପ୍ରାୟ ସପ୍ତାହ ଧରି ଆମେ ସୂର୍ଯ୍ୟଙ୍କୁ ଦେଖି ନଥିଲୁ। ମୁଁ ମଧ୍ୟ କୌଣସି କାମ ଲାଗି ଘରୁ ବାହାରକୁ ଯାଇ ପାରୁ ନଥିଲି। ତିନିଟି ଯାକ ପିଲା ଭୋକରେ ଆଉଟୁପାଉଟୁ ହେଉଥିଲେ। ମୁଁ ଘରକୁ ଘର ବୁଲି ଭଜନ ଗାଇଲି। ଜଣେ ମହିଳା କହିଲେ, ‘ଡକ୍ଟର ଆମ୍ବେଦକରଙ୍କ ଉପରେ ରଚିତ ଗୀତ ଗାଅ।’ ମୁଁ ଗୀତଟିଏ ଗାଇଲି ଏବଂ ତାଙ୍କୁ ମୋ ପିଲାମାନେ ଭୋକ ଉପାସରେ ରହୁଥିବା କଥା କହିଲି। ସେ ତାଙ୍କ ରନ୍ଧାଘରକୁ ଗଲେ ଏବଂ ତାଙ୍କ ନିଜ ପରିବାର ପାଇଁ କିଣିଥିବା କେତେକ ଖାଦ୍ୟସାମଗ୍ରୀ ଆଣି ମୋତେ ଦେଲେ, ଯାହା କି ଆମର ଗୋଟିଏ ମାସ ପାଇଁ ଯଥେଷ୍ଟ ଥିଲା। ସେ ମୋ ପିଲାମାନଙ୍କ ଭୋକ ଉପାସକୁ ବୁଝିପାରିଥିଲେ। ”

“ଆମ୍ବେଦକରଙ୍କ ଗୀତ ଆମ ପେଟକୁ ଖାଦ୍ୟ ଦେଲା। ମୋର ସମଗ୍ର ଜୀବନ ବଦଳି ଗଲା। ମୁଁ ଭଜନ-କୀର୍ତ୍ତନ ଛାଡ଼ି ଡକ୍ଟର ଆମ୍ବେଦକରଙ୍କ ପଥ ଅନୁସରଣ କରିବା ଆରମ୍ଭ କଲି। ସେହି ପଥରେ ଚାଲିବି ବୋଲି ଦୃଢ଼ନିଶ୍ଚିତ ହୋଇ ମୁଁ ୨୦୧୬ରେ ହିନ୍ଦୁ ଧର୍ମ ତ୍ୟାଗ କରିଲି ଏବଂ ମୋ ନିଜର ମତାଙ୍ଗ ଜାତି ବି ଛାଡ଼ିଲି। ମୁଁ ବୁଦ୍ଧଙ୍କ ଧମ୍ମ (ବୌଦ୍ଧଧର୍ମ) ଗ୍ରହଣ କରିନେଲି।”

କାଡୁବାଇ ତାଙ୍କ ସ୍ୱାମୀ ଓ ପିତାଙ୍କୁ ମଧ୍ୟ ହରାଇଥିଲେ। କିନ୍ତୁ ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନଯାତ୍ରାରେ ସବୁବେଳେ ତାଙ୍କ ସାଙ୍ଗରେ ରହିଥିଲା ତାଙ୍କର ଏକତାରି ଏବଂ ସୁଲଳିତ କଣ୍ଠସ୍ୱର। ତେଣୁ ତାଙ୍କ ବାପା ଓ ସ୍ୱାମୀଙ୍କ ମୃତ୍ୟୁ ପରେ ବି ସେ ଭାଙ୍ଗି ପଡ଼ି ନଥିଲେ।

ବଞ୍ଚି ରହିବା ପାଇଁ କାଡୁବାଇଙ୍କ ସଂଘର୍ଷ କାଳରେ ଦୁଇଟି ଜିନିଷ ତାଙ୍କ ସାଙ୍ଗରେ ରହିଥିଲା: ଏକତାରି ଏବଂ ତାଙ୍କ କଣ୍ଠସ୍ୱର। ବାବାସାହେବଙ୍କ ପ୍ରେମ, ସ୍ନେହ, ପ୍ରେରଣା ଓ ଶକ୍ତି ବଳରେ ତିଷ୍ଠି ରହିଥିବା ବିଶ୍ୱର ସାମନା କରିଥିଲେ ସେ।

ଘରକୁ ଘର ବୁଲି ଗୀତ ଗାଇ ଭିକ ମାଗିବାଠାରୁ ଆରମ୍ଭ କରି ଆଜିକାର ମହାରାଷ୍ଟ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତି ରୂପରେ ଉଭା ହେବା ପର୍ଯ୍ୟନ୍ତ ତାଙ୍କର ସୁଦୀର୍ଘ ଯାତ୍ରାପଥ ସବୁ ଦୃଷ୍ଟିକୋଣରୁ ବେଶ୍ ଉଲ୍ଲେଖନୀୟ। ତାଙ୍କ ସାଥୀ ଭାବରେ ଏକତାରି ଗୋଟିକ ତାଙ୍କ ସହିତ ୩୦ ବର୍ଷ ହେଲା ରହିଆସିଛି।

ଭିଡିଓ ଦେଖନ୍ତୁ:‘ବାବାସାହେବଙ୍କ ସଂପର୍କରେ ଗୀତ ଗାଇବା ହିଁ ମୋ ପିଲାମାନଙ୍କୁ ମଣିଷ କରିବାରେ ସାହାଯ୍ୟ କଲା’

*****

ଅଜନ୍ତା ଗୁମ୍ଫା (ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ) ସମୂହର୧୭ ନମ୍ବର ଗୁମ୍ଫାରେ ଏକତାରି ସଂପର୍କିତ ସର୍ବପୁରାତନ ସୂଚନା ମିଳିଥାଏ। ସେଠାରେ ଗୁମ୍ଫାର କାନ୍ଥରେ ଗୋଟିଏ ଚିତ୍ରପଟ୍ଟ ରହିଛି। ମହାରାଷ୍ଟ୍ରରେ ପ୍ରତିଟି ଜାତି ଗୋଷ୍ଠୀର ନିଜ ପସନ୍ଦର ଗୋଟିଏ ଲେଖାଏଁ ବାଦ୍ୟୟନ୍ତ୍ର ରହିଛି। ଏହି ବାଦ୍ୟଯନ୍ତ୍ରକୁ ସେମାନଙ୍କର ଧାର୍ମିକ ପ୍ରଥା ପାଳନରେ ଏବଂ ସାଂସ୍କୃତିକ ଉଦ୍ଦେଶ୍ୟରେ ବାଦନ କରାଯାଏ। ମାଙ୍ଗ ଜାତି ଦ୍ୱାରା ହାଲଗି ବଜାଯାଏ; ଡାକଲୱାରଙ୍କ ଦ୍ୱାରା କିଙ୍ଗଡ଼ି ; ଧାଙ୍ଗରଙ୍କ ଦ୍ୱାରା ଗାଜି ଢାଲ ; ୟାଲାମ୍ମା ଦେବୀଙ୍କ ଅନୁଗାମୀମାନଙ୍କ ଦ୍ୱାରା ଚାନ୍ଦକ ; ଗୋସାବିଙ୍କ ଦ୍ୱାରା ଡାବରୁ ଏବଂ ମାହାର ସଂପ୍ରଦାୟ ଦ୍ୱାରା ଢୋଲକି ଏବଂ ଟୁନଟୁନେ ବଜାଯାଇଥାଏ।

ମୁମ୍ବାଇ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପ୍ରାଧ୍ୟାପକ ଡକ୍ଟର ନାରାୟଣ ଭୋସଲେ କହନ୍ତି ଯେ, ଡାବରୁ ବାଦ୍ୟଯନ୍ତ୍ର ପରିବେଷଣ ପରମ୍ପରା ହେତୁ ଗୋସାବୀ ସଂପ୍ରଦାୟକୁ ଡାବରୁ-ଗୋସ୍ୱାମୀ ନାମରେ ପରିଚିତ। ମାତୃପ୍ରଧାନ ସମାଜ ସଂପର୍କରେ ଭଜନ ଗାଉଥିବା ଭାଟ୍ ସଂପ୍ରଦାୟର ଲୋକେ ଭାଟ ଭାବରେ ପରିଚିତ। ସେମାନେ ଟୁନଟୁନେ ଏବଂ ସମ୍ବଲ ବାଦନ କରନ୍ତି।

ଏକତାରି ଏବଂ ଟୁନଟୁନେ ର ଆକାର ଏକାଭଳି। କିନ୍ତୁ ସେଗୁଡ଼ିକରୁ ଉତ୍ପନ୍ନ ଧ୍ୱନି, ବାଦନ ଶୈଳୀ ଏବଂ ବାଦ୍ୟଯନ୍ତ୍ର ନିର୍ମାଣ ପ୍ରକ୍ରିୟା ଭିନ୍ନ ଭିନ୍ନ। ଉଚ୍ଚଜାତି କ୍ଷେତ୍ରରେ ମାହାର ଓ ମାଙ୍ଗମାନଙ୍କ ଭଳି ଏକତାରି ବଜାଇ ଭଜନ ଗାଇବା ପରମ୍ପରା ଦେଖାଯାଏ ନାହିଁ କିମ୍ବା କ୍ୱଚିତ୍ ଦେଖାଯାଏ। ଏହି ସବୁ ସଂପ୍ରଦାୟର ସାଂସ୍କୃତିକ ଜୀବନରେ ଏସବୁ ବାଦ୍ୟଯନ୍ତ୍ର ଅଭିନ୍ନ ଅଙ୍ଗ ସଦୃଶ। ଦୈନନ୍ଦିନ ଜୀବନର ବିଭିନ୍ନ ସାମାଜିକ ଏବଂ ଧାର୍ମିକ ଉତ୍ସବ ପାଳନ ସମୟରେ ଏହି ବାଦ୍ୟଯନ୍ତ୍ର ବାଦନ କରାଯାଏ।

ଏକତାରି ସଂପର୍କରେ ଲୋକପ୍ରିୟ ଶାହିର ସାମ୍ଭାଜୀ ଭଗତ କହନ୍ତି: “ଏହାର ଧ୍ୱନି ଓ ଲୟ ବିୟୋଗାତ୍ମକ ଭାବଧାରା ସହ ଘନିଷ୍ଠ ଭାବେ ଜଡ଼ିତ। ଏହାର ‘ଡିଙ୍ଗ୍ ନାଗ୍, ଡିଙ୍ଗ୍ ନାଗ୍....’ ଧ୍ୱନି ଯନ୍ତ୍ରଣାକୁ ସୂଚାଏ। ଏହାର ଲୟ ରାଗ ଭୈରବୀରୁ ଉଦ୍ଧୃତ, ଯାହା କି ଦୁଃଖକୁ ସୂଚାଉ ଥିବା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ପାରମ୍ପରିକ ରାଗ। ଏକତାରି ଶୁଣିଲା ବେଳେ ଆପଣ ପୂରା ଭୈରବୀ ରାଗକୁ ଅନୁଭବ କରନ୍ତି। ଏକତାରି ସହିତ ପରିବେଷଣ କରାଯାଉଥିବା ପ୍ରାୟ ସବୁ ଭଜନ ଭୈରବୀ ରାଗ ଆଧାରରେ ସଂଯୋଜିତ ହୋଇଥାଏ। ଏହା ଭୈରବୀରୁ ଆରମ୍ଭ ହୁଏ ଏବଂ ଭୈରବୀରେ ହିଁ ଶେଷ ହୁଏ।”

ହିନ୍ଦୁ ଧର୍ମର ଭକ୍ତି ପରମ୍ପରାରେ ଦୁଇଟି ବିଭାଗ ରହିଛି: ସଗୁଣ (ଯେଉଁଠାରେ ଦେବଦେବୀଙ୍କର ସାକାର ରୂପ ରହିଛି) ଏବଂ ନିର୍ଗୁଣ (ଯେଉଁଠି ଦେବଦେବୀଙ୍କର ଦୃଶ୍ୟମାନ ଆକାର ନାହିଁ)। ସଗୁଣ ପରମ୍ପରାର କେନ୍ଦ୍ରରେ ରହିଛି ଦେବଦେବୀ ଏବଂ ମନ୍ଦିରର ଆକାର। କିନ୍ତୁ, ନିର୍ଗୁଣ ପରମ୍ପରାରେ, ମନ୍ଦିର ବା ମୂର୍ତ୍ତିର ସ୍ଥାନ ନାହିଁ। ପନ୍ଥା ଅନୁସରଣକାରୀମାନେ ଭଜନ ଗାଇଥାଆନ୍ତି। ସେମାନଙ୍କ ପାଇଁ ସଙ୍ଗୀତ ହିଁ ପୂଜା ଏବଂ ସେମାନେ ଏହାକୁ ଲୋକଙ୍କ ନିକଟରେ ପରିବେଷଣ କରି ନିଜ ନିଜର ଦେବତା ବା ଦେବୀଙ୍କ ପୂଜା କରିଥାଆନ୍ତି। ବୌଦ୍ଧ ଧର୍ମ ଅବଲମ୍ବନ କରିବା ପୂର୍ବରୁ, ମହାରାଷ୍ଟ୍ରର ମାହାର ସଂପ୍ରଦାୟର ଲୋକେ କବୀର ଏବଂ ଢାଗୋଜୀ-ମେଘୋଜୀଙ୍କ ଅନୁଗାମୀ ଥିଲେ।

आकाश पांघरुनी
जग शांत झोपलेले
घेऊन एकतारी
गातो कबीर दोहे

ଖୋଲା ଆକାଶ ତଳେ
ଶୋଇଥାଏ ସାରା ସଂସାର
ସାଙ୍ଗରେ ଥାଏ ଏକତାରି
ତାଙ୍କ ଦୋହା (ଦ୍ୱିପଦୀ)ରେ ଗାଆନ୍ତି କବୀର

କବୀରଙ୍କ ସବୁ ଭଜନ ଏକତାରି ବାଦନ ସହିତ ପରିବେଷଣ ପାଇଁ ଉଦ୍ଦିଷ୍ଟ। ଏହି ସବୁ ଗୀତରେ ତାଙ୍କ ପରିଶ୍ରମ ଏବଂ ଜୀବନର ଅନୁଭୂତି, ଦର୍ଶନ ଏବଂ ସଂସାର ପ୍ରତି ଦୃଷ୍ଟିକୋଣ ପରିସ୍ଫୁଟିତ ହୋଇଥାଏ।

ଭିଡିଓ ଦେଖନ୍ତୁ:‘ଏକତାରି ସହିତ ଆପଣ ଯେ କୌଣସି ଗୀତ ଗାଇ ପାରିବେ’

ଦଳିତ ଓ ନିଷ୍ପେଷିତ ଲୋକଙ୍କ ଜୀବନରେ କବୀର ଏକ ଆଧ୍ୟାତ୍ମିକ ଏବଂ ସଙ୍ଗୀତମୟ ପ୍ରେରଣାର ଉତ୍ସ। ହାତରେ ଏକତାରି ଧରି ବିଭିନ୍ନ ଯାଯାବର ସଂପ୍ରଦାୟର ଲୋକେ ଏବଂ ବୁଲି ବୁଲି ଗାଉଥିବା ଗାୟକମାନେ ସାରା ଦେଶରେ ତାଙ୍କ ବାର୍ତ୍ତା ପହଞ୍ଚାଇଛନ୍ତି। କବୀରଙ୍କ ସଂପର୍କରେ ଗବେଷଣା କରୁଥିବା ଜଣେ ବିଦ୍ୱାନ ପୁରୁଷୋତ୍ତମ ଅଗ୍ରୱାଲ କହନ୍ତି ଯେ, କବୀରଙ୍କ ପ୍ରଭାବ କେବଳ ହିନ୍ଦୀଭାଷୀ ଅଞ୍ଚଳ ଏବଂ ପଞ୍ଜାବରେ ସୀମିତ ହୋଇ ରହିନାହିଁ। ଓଡ଼ିଆ ଏବଂ ତେଲୁଗୁଭାଷୀ ଅଞ୍ଚଳ ସହିତ ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ସେ ପହଞ୍ଚିଥିଲେ।

୧୯୫୬ ପୂର୍ବରୁ, ମହାରାଷ୍ଟ୍ରରେ ଏବଂ ଏହାର ସୀମାକୁ ଲାଗିଥିବା ଆନ୍ଧ୍ର, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ମାହାର ସଂପ୍ରଦାୟର ଲୋକଙ୍କୁ ‘ଅସ୍ପୃଶ୍ୟ’ ବିବେଚିତ କରାଯାଉଥିଲା ଏବଂ ସେମାନେ ସମସ୍ତେ କବୀରଙ୍କ ଅନୁଗାମୀ ଥିଲେ। ସେମାନେ ଥିଲେ କବୀରପନ୍ଥୀ। ମହାରାଷ୍ଟ୍ରର ଋଷିପ୍ରତିମ ସନ୍ଥ ତୁକାରାମ ମଧ୍ୟ କବୀରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ କବୀର ଓ କବୀରପନ୍ଥୀ ପରମ୍ପରାର ପ୍ରଭାବ ବଳରେ ହିଁ ଏକତାରି ଏହି ସବୁ ସଂପ୍ରଦାୟରେ ପ୍ରବେଶ କରିଥିଲା।

ଦଳିତ ପରିବାର ସମୂହ, ବିଶେଷତଃ ମାହାର ଓ ଇତିହାସରେ ଅଛୁଆଁ ରୂପେ ପରିଗଣିତ ଅନ୍ୟ ସଂପ୍ରଦାୟର ଲୋକେ ଏକତାରି ବଜାଇ ଗାଇବା ପ୍ରଥା ଅନୁସରଣ କରନ୍ତି। ଆଜି ମଧ୍ୟ ଏହି ବାଦ୍ୟଯନ୍ତ୍ରର ପ୍ରଚଳନ ରହିଛି। ପରିବାରର କେହି ମରିଗଲେ ସେମାନେ ଏକତାରି ବଜାଇ ଭଜନ ଗାଇଥାଆନ୍ତି। ସେମାନେ ସେହି ସବୁ ଭଜନ ଗାଆନ୍ତି ଯେଉଁଥିରେ କବୀରଙ୍କ ଦର୍ଶନର ବିଭିନ୍ନ ମୂଳନୀତି ବ୍ୟାଖ୍ୟା କରାଯାଇଥାଏ। ଜୀବନର ପରିପୂର୍ଣ୍ଣତା, ଏହାର ଭାବଧାରା, ସଦାଚାର ଏବଂ ମୃତ୍ୟୁର ନିଶ୍ଚିତତା ହିଁ ବିଶ୍ୱ ପ୍ରତି କବୀରଙ୍କ ଦୃଷ୍ଟିକୋଣର ଆଧାର ଏବଂ ଏହାକୁ ସେ ତାଙ୍କ ଦୋହା (ଦ୍ୱିପଦୀ) ଓ ଭଜନରେ ବ୍ୟାଖ୍ୟା କରିଛନ୍ତି। କବୀର, ନାଥ ଏବଂ ୱାରକାରୀ ସଂପ୍ରଦାୟର (ଭକ୍ତି ଯୁଗର) ଶହ ଶହ ଗୀତ ଜାଣିଛନ୍ତି କାଡୁବାଇ।

କାଡୁବାଇ ଗାଆନ୍ତି କବୀରଙ୍କ ରଚିତ ଗଗନ ମୈଁ ଆଗ ଲଗି ହେଁ ଭାରି (ଆକାଶରେ ଲାଗିଛି ଉଗ୍ର ଓ ଭୀଷଣ ନିଆଁ)
ଏବଂ ତୁକାରାମଙ୍କ ଏକ ଅଭଙ୍ଗ :

विठ्ठला तुझे धन अपार
करीन नामाचा या गजर
धन चोरला दिसत नाही

डोळे असून ही शोधत राही

ହେ ବିଠଲ, ତମ ନାଁରେ ରହିଛି ଅସୀମ ସଂପତ୍ତି
ମୁଁ ତମର ହିଁ ନାମ ଜପ କରିବି!
କେହି ଚୋର ଏହାକୁ ଦେଖିପାରିବନି
ଅଥଚ ଆଖି ଥାଇ ଏହାକୁ ଖୋଜିବାରେ ଲାଗିଥିବ

କାଡୁବାଇଙ୍କ ଭଳି ଅନେକ ଏହିଭଳି ସ୍ୱରବଦ୍ଧ ଗୀତ ସବୁ ଗାଉଥିଲେ ସୁଦ୍ଧା ଡକ୍ଟର ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଆନ୍ଦୋଳନର ଦିନକୁ ଦିନ ବଢୁଥିବା ପ୍ରଭାବ ଯୋଗୁଁ ସେମାନେ ଅନ୍ୟାନ୍ୟ ଗୀତ ଗାଇବାରେ ଲାଗିଲେ।

ଏକତାରି ବଜାଇ କବୀରଙ୍କ ଭଜନଗୁଡ଼ିକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇ ପାରିଥିବା ମଧ୍ୟପ୍ରଦେଶର ପ୍ରଖ୍ୟାତ ଗାୟକ ପ୍ରହଲ୍ଲାଦ ସିଂହ ତିପାଣିଆ ଥିଲେ ବାଲାଇ ଜାତି ସମୂହର। ଏମାନଙ୍କ ସାମାଜିକ ସ୍ଥିତି ମହାରାଷ୍ଟ୍ରରେ ମାହାରଙ୍କ ସଦୃଶ ଥିଲା। ମଧ୍ୟ ପ୍ରଦେଶର ବୁରହାନପୁର, ମାଲୱା ଏବଂ ଖଣ୍ଡୱା ଅଞ୍ଚଳ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ଅଞ୍ଚଳରେ ବାଲାଇମାନେ ବସତି ସ୍ଥାପନ କରିଥିଲେ। ଦଳିତମାନେ ସମ୍ମୁଖୀନ ହୋଇଆସୁଥିବା ଜାତିଆଣ ଅତ୍ୟାଚାର ସଂପର୍କରେ ବିଷଦ ଭାବରେ ବର୍ଣ୍ଣନା କରି ଲୋକଙ୍କୁ ଏହା ବୁଝାଇବା ସମୟରେ ଡକ୍ଟର ଆମ୍ବେଦକର ବାଲାଇ ସଂପ୍ରଦାୟର ଉଦାହରଣ ଦେଉଥିଲେ। ଯଦି ଆମେ ବିଭିନ୍ନ ଗାଁର ରାଜସ୍ୱ ଦଲିଲପତ୍ର ଅନୁଧ୍ୟାନ କରିବା, ତେବେ ଦେଖିବା ଯେ ପ୍ରାୟ ଶହେ ବର୍ଷ ପୂର୍ବରୁ ମାହାରମାନେ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ପହରା ଦେଉଥିଲେ, ଜମିଜମା ମାପଚୁପରେ ସହାୟତା କରୁଥିଲେ ଏବଂ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ସଂପର୍କୀୟମାନଙ୍କୁ ସୂଚନା ଦେଉଥିଲେ। ସମାଜରେ ଏହା ହିଁ ଥିଲା ସେମାନଙ୍କ ଭୂମିକା। ମଧ୍ୟ ପ୍ରଦେଶରେ ଠିକ୍ ଏହି ସବୁ କାମରେ ବାଲାଇମାନଙ୍କୁ ନିୟୋଜିତ କରାଯାଉଥିଲା। ଗ୍ରାମରକ୍ଷୀଙ୍କୁ ବାଲାଇ ବୋଲି କୁହାଯାଉଥିଲା। ବ୍ରିଟିଶ ଅମଳରେ ସେହି ଏକା ଜାତିକୁ ମାହାର ଭାବରେ ନାମିତ କରାଗଲା। ଏଭଳି ରୂପାନ୍ତରଣ କିଭଳି ସମ୍ଭବ ହେଲା ? ଖଣ୍ଡୱା ଓ ବୁରହାନପୁରରେ ବ୍ରିଟିଶ ପ୍ରଶାସନ ଲକ୍ଷ୍ୟ କରିଥିଲା ଯେ, ମଧ୍ୟପ୍ରଦେଶର ବାଲାଇ ଏବଂ ମହାରାଷ୍ଟ୍ରର ମାହାରମାନେ ଏକାଭଳି- ସେମାନଙ୍କ ଜୀବନଶୈଳୀ, ପ୍ରଥା, ସାମାଜିକ ରୀତିନୀତି ଏବଂ କାର୍ଯ୍ୟମଧ୍ୟ ସମାନ ଧରଣର। ତେଣୁ ମାହାର ଜାତିର ଲୋକମାନଙ୍କୁ ମଧ୍ୟପ୍ରଦେଶରେ ବାଲାଇ ଭାବରେ ଘୋଷିତ କରାଗଲା। ୧୯୪୨-୪୩ ମସିହାରେ ସେମାନଙ୍କ ଜାତି ମାହାର ବୋଲି କାଗଜପତ୍ରରେ ପୁଣି ଉଲ୍ଲେଖ କରାଗଲା। ଏହା ହିଁ ବାଲାଇମାନଙ୍କ ଜୀବନ ବୃତ୍ତାନ୍ତ।

*****

PHOTO • Imaad ul Hasan

ମହାରାଷ୍ଟ୍ରରେ ଆଜି କାଡୁବାଇ ଜଣେ ବିଶିଷ୍ଟ ବ୍ୟକ୍ତି ପାଲଟି ଯାଇଛନ୍ତି। ୩୦ ବର୍ଷରୁ ଅଧିକ ସମୟ ହେଲା ତାଙ୍କ ସାଥୀରେ ରହିଆସିଛି ଏକତାରି

ପ୍ରହଲ୍ଲାଦ ସିଂହ ତିପାଣିଆ ଏବଂ ଶବନମ ବୀରମଣି ( କବୀର ପ୍ରକଳ୍ପର) କବୀରଙ୍କ ଭଜନ ଗାଇବା ସମଯରେ ଏକତାରି ବଜାଇ ଥାଆନ୍ତି।

ଦେଶର ବିଭିନ୍ନ ଭାଗରେ- ଭଜନ ଗାୟକ ଓ ଭ୍ରମଣକାରୀ କଳାକାରମାନଙ୍କ ପାଖରେ ଏକତାରି ବାଦ୍ୟଯନ୍ତ୍ର ଦେଖାଯାଇଥାଏ। ପ୍ରାୟ ୧୦୦ରୁ ୧୨୦ ସେଣ୍ଟିମିଟର ଲମ୍ବା ଏକତାରି ର ଅନେକ ନାଁ ରହିଛି। କର୍ଣ୍ଣାଟକରେ ଏହାକୁ କୁହାଯାଏ ଏକନାଦ ; ପଞ୍ଜାବରେ ତୁମ୍ବି ; ବଙ୍ଗରେ ବାଉଲ ; ଏବଂ ନାଗାଲାଣ୍ଡରେ ତାତି କୁହାଯାଏ। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଏହା ବୁରା ବୀଣା ନାମରେ ପରିଚିତ। ଛତିଶଗଡ଼ର ଆଦିବାସୀମାନେ ସେମାନଙ୍କ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏକତାରି ବ୍ୟବହାର କରିଥାଆନ୍ତି।

ଏକତାରି ରେ ଏକ ଚେପଟା ଶୁଖିଲା ଲାଉ ଭିତରକୁ ସଫା କରାଯାଇଏହାକୁ ଧ୍ୱନି ସୃଷ୍ଟି କରିବା ଲାଗି ବ୍ୟବହାର କରାଯାଏ। ଏହାର ସରୁ ମୁହଁରେ ଚମଡ଼ାରେ ତିଆରି ଏକ ପରଦା ଲଗାଯାଏ। ଏହି ଧ୍ୱନି ସୃଷ୍ଟିକାରୀ ଶୁଖିଲା ଲାଉ ଭିତରେ ଏକ ଫମ୍ପା ଭେଲୁ (ଏକପ୍ରକାର ବାଉଁଶ) ପୂରାଯାଏ। ଲାଉ ଭିତରୁ ଏହି ଭେଲୁ ର ତଳଭାଗ ବାହାରିଥାଏ ଏବଂ ଏଥିରେ ତାର ଲଗାଇ ଦିଆଯାଏ। ଏହି ତାରକୁ ଭେଲୁ ର ଆର ଭାଗରେ ଲାଗିଥିବା ଗୋଟିଏ ବାଉଁଶ ଖୁଣ୍ଟାରେ ବାନ୍ଧି ଦିଆଯାଏ। ଏହାର ତାରକୁ ବିଶି ଆଙ୍ଗୁଠି କିମ୍ବା ମଝି ଆଙ୍ଗୁଠିରେ ଧରି ଏହାକୁ ବଜାଯାଏ।

ଅନ୍ୟାନ୍ୟ ଅନେକ ବାଦ୍ୟଯନ୍ତ୍ର ତୁଳନାରେ ଏକତାରି (ଗୋଟିଏ ତାର ଲାଗିଥିବା ଲାଉ ତୁମ୍ବା)ର ଆକାର ଏବଂ ଗଠନ ପ୍ରକ୍ରିୟା ଖୁବ ସରଳ। ଲାଉ ବା କଖାରୁ, କାଠ, ବାଉଁଶ ଏବଂ ତାର ସହଜରେ ମିଳିଯାଏ। ଏଥିରେ ବ୍ୟବହୃତ କଖାରୁ ତୁମ୍ବାରୁ ହିଁ ସର୍ବୋତ୍ତମ ଧ୍ୱନି ବାହାରେ ବୋଲି ବିବେଚନା କରାଯାଏ। ଆଫ୍ରିକୀୟ ବାଦ୍ୟଯନ୍ତ୍ର ସମୂହରେ ମଧ୍ୟ ଏହାକୁ ବ୍ୟାପକ ଭାବରେ ବ୍ୟବହାର କରାଯାଏ। ଏକତାରି ରୁ ଗୋଟିଏ ମୂଳ ସ୍ୱର ଏବଂ ମୌଳିକ ଲୟସୃଷ୍ଟି ହୋଇଥାଏ। ଏହାର ଧ୍ୱନି ଅନୁସାରେ ଗାୟକ ନିଜ କଣ୍ଠସ୍ୱର ଏବଂ ଗୀତର ଗତିକୁ ସଜାଡ଼ି ନେଇପାରନ୍ତି। ଏହା ଏକ ପ୍ରାଚୀନ ଏବଂ ସ୍ୱଦେଶୀ ବାଦ୍ୟଯନ୍ତ୍ର। ପ୍ରଥମେ ଏହାର ତାର ବି ଚମଡ଼ାରୁ ତିଆରି ହେଉଥିଲା। ଏହି ଚମଡ଼ା ପଶୁ ଶରୀର ଭିତର ଭାଗରୁ ବାହାର କରାଯାଉଥିଲା। କର୍ଣ୍ଣାଟକର ୟାଲାମ୍ମା ଦେବୀଙ୍କ ପୂଜା ସମଯରେ ଏବେ ବି ଚମଡ଼ା ତାର ଲାଗିଥିବା ଏକତାରି ବଜାଯାଏ। ଏହାକୁ ଜୁମ୍ବାରୁକ ବୋଲି କହନ୍ତି। ତେଣୁ ଆମେ କହିପାରିବା ଯେ ସର୍ବପ୍ରଥମ ସଙ୍ଗୀତର ସ୍ୱର ଓ ସର୍ବପ୍ରଥମ ଲୟ ଗୋଟିଏ ଚମଡ଼ାର ଖୋଳ ଓ ଚମଡ଼ାରେ ତିଆରି ତାରରୁ ସୃଷ୍ଟ ଧ୍ୱନିରୁ ବାହାର କରାଯାଇଥିଲା। ଏବଂ ତାହା ହିଁ ଥିଲା ପ୍ରଥମ ସଙ୍ଗୀତ ବାଦ୍ୟଯନ୍ତ୍ର। କୃଷିପ୍ରଧାନ ସମାଜରେ ଧାତୁର ଆବିଷ୍କାର ହେବା ପରେ ହିଁ ଧାତୁରେ ତିଆରି ତାର ବ୍ୟବହାର କରାଯାଇଥିଲା। ପୃଥିବୀର ସବୁ ଭାଗରେ ଗୋଟିଏ ତାର ଲାଗିଥିବା ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ଆବିଷ୍କୃତ ଓ ବ୍ୟବହୃତ ହୋଇଛି। ରାସ୍ତାକଡ଼ର ସଙ୍ଗୀତଜ୍ଞ ଏବଂ ଯାଯାବର ସଂପ୍ରଦାୟର ଜୀବନ ଧାରା ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ବ୍ୟବହୃତ ଏହି ବାଦ୍ୟଯନ୍ତ୍ର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

ବିଶ୍ୱାସ କରାଯାଏ ଯେ, ଭାରତରେ ଭକ୍ତି ଆନ୍ଦୋଳନ ଯୁଗର ସାଧୁସନ୍ଥ ଏବଂ କବିମାନେ ଏକତାରି ର ବହୁଳ ବ୍ୟବହାର କରୁଥିଲେ। ହେଲେ, ଐତିହାସିକ ଦୃଷ୍ଟିକୋଣରୁ ଏହା ନିରାଟ ସତ୍ୟ ନୁହେଁ। ଆମେ ଜାଣିଛୁ ଯେ. କବୀର, ମୀରାବାଇ ଓ କେତେକ ସୁଫି ସନ୍ଥ ଗୀତ ଗାଇବା ସମୟରେ ଏକତାରି ବ୍ୟବହାର କରୁଥିଲେ। କିନ୍ତୁ ମହାରାଷ୍ଟ୍ରରେ ନାମଦେବଙ୍କଠାରୁ ଆରମ୍ଭ କରି ତୁକାରାମଙ୍କ ପର୍ଯ୍ୟନ୍ତ ବହୁ ସନ୍ଥ କବି ତାଲ (ଘଣ୍ଟ), ଚିପଲି (ଧାତବ ଥାଳିଆ ଲାଗିଥିବା କାଠରେ ତିଆରି ବାଦ୍ୟ) ଏବଂ ମୃଦଙ୍ଗ (ହାତରେ ବଜାଯାଉଥିବା ଢୋଲ) ବ୍ୟବହାର କରିଛନ୍ତି। ଅନେକ ଚିତ୍ର ଏବଂ ପ୍ରତିଚ୍ଛବିରେ ସାଧୁସନ୍ଥମାନେ ହାତରେ ବୀଣା ଧରିଥିବା ଦେଖାଯାଏ।

ମରାଠୀ ବିଶ୍ୱକୋଷରେ ଉଲ୍ଲେଖ ରହିଛି: “ଭାରତୀୟ ସଙ୍ଗୀତରେ ବ୍ୟବହାର କରାଯାଉଥିବା ବୀଣା ଏକ ପ୍ରାଚୀନ ତାର ସଂଲଗ୍ନ ବାଦ୍ୟଯନ୍ତ୍ର। ବୈଦିକ ମନ୍ତ୍ର ଜପ କରିବା ସମୟରେ ସ୍ୱରର ତାଳ ଗଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା।” ଯଦିଓ ଆମେ ନାମଦେବ ଓ ତୁକାରାମଙ୍କ ଭଳି ସନ୍ଥମାନଙ୍କର ଚିତ୍ରରେ ଏହାକୁ ଦେଖୁ ତଥାପି ତୁକାରାମଙ୍କ ଲିଖିତ ଅଭଙ୍ଗ ର କୌଣସି ସ୍ଥାନରେ ଏ ସଂପର୍କରେ ସଂକେତ ଦିଆଯାଇନାହିଁ। କିନ୍ତୁ ତାଲ, ଚିପଲି ଏବଂ ମୃଦଙ୍ଗ ଭଳି ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ସଂପର୍କରେ ବିଭିନ୍ନ ସ୍ଥାନରେ ସୂଚାଇ ଦିଆଯାଇଥିବା ଦେଖାଯାଏ।

ହାତରେ ବୀଣା ଧରିଥିବା ତୁକାରାମଙ୍କ ପ୍ରତିଚ୍ଛବି ଏହି ସନ୍ଥଙ୍କର ବ୍ରାହ୍ମଣବାଦୀ ଭାବମୂର୍ତ୍ତିର ପ୍ରତିନିଧିତ୍ୱ କରେ ବୋଲି ଆମେ କହିପାରିବା।

ଭିଡିଓ ଦେଖନ୍ତୁ: ‘କେହି ହେଲେ ୱାମନଦାଦାଙ୍କ ପ୍ରତିଭାର ସମକକ୍ଷ ହୋଇପାରିବେନି’

ଲୋକଙ୍କ ଦୈନନ୍ଦିନ ଜୀବନର କୌଣସି ଅଂଶର ଯାଥାର୍ଥ୍ୟ ପ୍ରତିପାଦିତ କରୁଥିବା ବିଭିନ୍ନ ଦିଗ ବ୍ରାହ୍ମଣବାଦୀ ଚିନ୍ତାଧାରା ଦ୍ୱାରା ଅଭିପ୍ରେତ। ଦେବଦେବୀ, ସାଂସ୍କୃତିକ ପ୍ରଥା ଏବଂ ଅନ୍ୟାନ୍ୟ ସାମୂହିକ ସମ୍ବେଦନଶୀଳତାରେ ବ୍ରାହ୍ମଣବାଦୀ ପରମ୍ପରା ପ୍ରତିଫଳିତ ହେବା ସହିତ ସେଗୁଡ଼ିକର ମୂଳ ପ୍ରକୃତି ଏବଂ ଚରିତ୍ର ବଦଳି ଯାଇଥାଏ। ଇଂରେଜମାନେ ଭାରତ ଉପରେ ବିଜୟ ହାସଲ କରି ଦେଶର ବିଭିନ୍ନ ଅଞ୍ଚଳରେ ଶାସନ କ୍ଷମତା ହାତକୁ ନେବା ପରେ ଏବଂ ପେଶୱାର ପତନ ପରବର୍ତ୍ତୀ ସମୟରେ ବ୍ରାହ୍ମଣବାଦୀ ସାମାଜିକ ବ୍ୟବସ୍ଥା ନିଜସ୍ୱ ପ୍ରଭାବ ହରାଇଲା। ସମାଜରେ ନିଜର କ୍ଷମତାହୀନ ସ୍ଥିତି ଜନିତ କ୍ଷତିଭରଣା ସକାଶେ, ବ୍ରାହ୍ମଣମାନେ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କର ପତିଆରା ଜାହିର କଲେ। ଏବଂ ସେହି ସାମାଜିକ ପ୍ରକ୍ରିୟାରେ, ଶ୍ରମଜୀବୀ ଶ୍ରେଣୀର ଅଧିକାରଭୁକ୍ତ ଅନେକ ଶିଳ୍ପକଳା ରୂପ ଏବଂ ସଙ୍ଗୀତରେ ବ୍ୟବହୃତ ବାଦ୍ୟଯନ୍ତ୍ର ଏହି ଉଦୀୟମାନ ସାଂସ୍କୃତିକ କ୍ଷମତା କେନ୍ଦ୍ରର ଅକ୍ତିଆରକୁ ଚାଲିଗଲା।

ଶ୍ରମଜୀବୀ ଶ୍ରେଣୀର ଲୋକେ ଏହି କଳା ଓ ବାଦ୍ୟଯନ୍ତ୍ର ଉପରୁ ନିଜର ପ୍ରକୃତ ମାଲିକାନା ଓ ଅଧିକାରଭୁକ୍ତ ନିୟନ୍ତ୍ରଣ ହରାଇ ବସିଲେ ଏବଂ ପରିଶେଷରେ ଯେଉଁ ଲୋକମାନେ ଏସବୁ ସୃଷ୍ଟି କରିଥିଲେ ସେହିମାନଙ୍କୁ ହିଁ କଳା ଓ ସଙ୍ଗୀତ କ୍ଷେତ୍ରରୁ ହଟାଇ ଦିଆଗଲା।

ମୃଦଙ୍ଗ ହେଉଛି ୱାରାକାରି ପରମ୍ପରାରେ ବ୍ୟବହୃତ ହାତରେ ବଜାଯାଉଥିବା ଢୋଲ ଏବଂ ଦକ୍ଷିଣ ଭାରତର ଅସ୍ପୃଶ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଚମଡ଼ାରୁ ତିଆରି ଦ୍ରାବିଡ଼ମାନଙ୍କର ଏକ ବାଦ୍ୟଯନ୍ତ୍ର। ଅନ୍ୟପକ୍ଷରେ, ବୀଣା ଭାଗବତ ପରମ୍ପରା ଅନ୍ତର୍ଭୁକ୍ତ ଏବଂ ଉତ୍ତର ଭାରତରେ ଏହା ଅଧିକ ଅନୁସୃତ।ସମ୍ଭବତଃ ଏହି ପାରମ୍ପରିକ କଳାକାର ଗୋଷ୍ଠୀମାନଙ୍କ ଦ୍ୱାରା ହିଁ ୱାରାକାରି ସଂପ୍ରଦାୟରେ ବୀଣା ର ବ୍ୟବହାର ଆରମ୍ଭ କରାଯାଇଥିଲା। ସେହିଭଳି ଏକତାରି, ସମ୍ବଲ, ଟିମକି, ଟୁନଟୁନେ ଏବଂ କିଙ୍ଗଡ଼ି ଭଳି ବାଦ୍ୟଯନ୍ତ୍ର ବି ପ୍ରଥମେ ଭାରତର ବିଭିନ୍ନ ଦଳିତ ଓ ନିଷ୍ପେଷିତ ସଂପ୍ରଦାୟ ଦ୍ୱାରା ତିଆରି କରାଯାଇଥିଲା। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହାର କରାଯାଉଥିବା ବୀଣା, ସନ୍ତୁର ଏବଂ ସାରଙ୍ଗୀ ପ୍ରଭୃତି ବାଦ୍ୟଯନ୍ତ୍ରର ପ୍ରଚଳନ ପ୍ରଥମେ ପର୍ସିଆରେ ହୋଇଥିଲା ଏବଂ ସେଠାରୁ ‘ସିଲକ ରୁଟ୍’ ନାମରେ ପରିଚିତ ବାଣିଜ୍ୟିକ ପଥ ଦେଇ ଭାରତକୁ ଆସିଥିଲା। ପ୍ରସିଦ୍ଧ ବୀଣାବାଦକମାନେ ଏବେ ପାକିସ୍ତାନରେ ଅଛନ୍ତି ଏବଂ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପରମ୍ପରା ସେହିଠାରେ ହିଁ ସୁରକ୍ଷିତ ରହିଛି। ପାକିସ୍ତାନର କ୍ୱେଟାରେ ଏମିତି ବହୁ କଳାକାର ଅଛନ୍ତି ଯେଉଁମାନେ କି ବୀଣା ସନ୍ତୁର ଭଳି ବାଦ୍ୟଯନ୍ତ୍ର ତିଆରି କରନ୍ତି. ଯାହାକି ମୁଖ୍ୟତଃ ବ୍ରାହ୍ମଣବାଦୀ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ହୁଏ। ଭାରତରେ କାନପୁର, ଆଜମେର ଓ ମିରାଜର ମୁସଲମାନ ଶିଳ୍ପୀମାନେ ଏହି ସବୁ ବାଦ୍ୟଯନ୍ତ୍ର ତିଆରି କରନ୍ତି।

ଆମ ଦେଶର ଦଳିତ ଓ ନିଷ୍ପେଷିତ ସଂପ୍ରଦାୟର ଲୋକେ ହିଁ ପ୍ରଥମେ ଚମଡ଼ାରେ ତିଆରି ବାଦ୍ୟୟନ୍ତ୍ର ଏବଂ ତାର ଲାଗିଥିବା ଅନେକ ବାଦ୍ୟଯନ୍ତ୍ର ସୃଷ୍ଟି କରିଥିଲେ। ସେମାନଙ୍କ ପାଇଁ ଏହା ଥିଲା କଳା ଓ ସଙ୍ଗୀତରେ ବ୍ରାହ୍ମଣବାଦୀ ପରମ୍ପରାର ବିକଳ୍ପ। ବ୍ରାହ୍ମଣମାନେ ସାଂସ୍କୃତିକ ଜୀବନ ଉପରେ ସେମାନଙ୍କ ଆଧିପତ୍ୟ ଜାହିର କରିବା ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଏବଂ ନୃତ୍ୟକୁ ବ୍ୟବହାର କରୁଥିଲେ।

*****

ଏକତାରି ବଜାଇ କାଡୁବାଇ ଗାଉଥିବା ଗୀତଗୁଡ଼ିକ ଖୁବ୍ ଶ୍ରୁତିମଧୁର ଥିଲା। ଏହି ବାଦ୍ୟଯନ୍ତ୍ରଟି ତାଙ୍କ ଗୀତରେ ସ୍ପଷ୍ଟତା ଆଣିବା ସହିତ ସେଥିରେ ଗଭୀର ଭାବାବେଗ ଭରି ଦେଉଥିଲା।

‘ଆସ, ଏହି ଗପଟିକୁ ଶୁଣ,’ ଏହି ଢଙ୍ଗରେ ହିଁ ଏକତାରି ବଜାଇବା ସହିତ ରାସ୍ତାରେ ଆମ୍ବେଦକରଙ୍କ ଗୀତ ଗାଇ ଗାଇ ଘରକୁ ଘର ଘୂରି ବୁଲୁଥିଲେ ବିଳାସ ଘୋଗରେ, ପ୍ରହଲାଦ ଶିନ୍ଦେ, ବିଷ୍ଣୁ ଶିନ୍ଦେ ଏବଂ କାଡୁବାଇ ଖରାତଙ୍କ ଭଳି ଆମ୍ବେଦକରଙ୍କ ଅନୁଗାମୀ ଶାହିର ମାନେ। ସାରା ବିଶ୍ୱରେ ଯାଯାବରମାନଙ୍କ ବାଦ୍ୟଯନ୍ତ୍ର ରୂପେ ପରିଚିତ ଏହି ଏକତାରି ସବୁବେଳେ ଘୂରି ବୁଲୁଥିଲା।

ଭିଡିଓ ଦେଖନ୍ତୁ: ‘ମୁଁ ଅନ୍ଧବିଶ୍ୱାସରୁ ମୁକ୍ତି ପାଇଲି’

ଏକତାରି ଅସ୍ପୃଶ୍ୟମାନଙ୍କ ସଙ୍ଗୀତ ଜଗତର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ରହିଆସିଛି ଏବଂ ସେମାନଙ୍କ ଆଧ୍ୟାତ୍ମିକ ଅଭ୍ୟୁଦୟରେ ମଧ୍ୟ ଏହି ଯନ୍ତ୍ରଟିଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ବିଜ୍ଞାନର ବିକାଶ ଏବଂ ନୂଆ ନୂଆ ବାଦ୍ୟଯନ୍ତ୍ରର ପ୍ରଚଳନ ଆରମ୍ଭ ହେବା ସହିତ ଲୋକକଳାରେ ବ୍ୟବହୃତ ଏକତାରି ଭଳି ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକ ମଧ୍ୟ ଲୁଚିଗଲେ। ହୁଏତ ହାତରେ ଏକତାରି ବଜାଇ ଗୀତ ଗାଉଥିବା କଳାକାରମାନଙ୍କ ମଧ୍ୟରେ କାଡୁବାଇ ହିଁ ଶେଷ କଳାକାର। ଆଜିକାଲି  ଆମ୍ବେଦକରୀ ଗୀତ ଗାଉଥିବା ଗାୟକମାନେ ଏକତାରି ବଦଳରେ ଅନ୍ୟାନ୍ୟ ବ୍ରାହ୍ମଣବାଦୀ ଏବଂ ଆଧୁନିକ ସଙ୍ଗୀତର ଧାରାକୁ ଆପଣେଇ ନେଲେଣି।

ଆମ୍ବେଦକରଙ୍କ ଉପରେ ରଚିତ ନୂଆ ନୂଆ ଗୀତକୁ ୱାତ ମାଝୀ ବାଘତୟ ରିକସାବାଲା (ମୋ ପାଇଁ ରିକସାବାଲା ଅପେକ୍ଷା କରିଛି)ଭଳି ଲୋକପ୍ରିୟ ମରାଠୀ ଗୀତର ସ୍ୱରରେ ସଜାଇ ଦିଆଯାଉଛି। କଥା ଏହା ନୁହେଁ ଯେ ଆଧୁନିକ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ, ପ୍ରଶ୍ନ ହେଉଛି ଏହା ଗୀତର ଶୈଳୀ ସହିତ ଖାପ ଖାଉଛି ତ ? ଗୀତରେ ନିହିତ ବାର୍ତ୍ତା ଦିଆଯାଇ ପାରୁଛି ତ ? ଏହା ସବୁ ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ? ଏହା ଦ୍ୱାରା ଗୀତର ଅର୍ଥ ଠିକ ଭାବରେ ଉପସ୍ଥାପିତ ହୋଇପାରୁଛି କି ? ଏସବୁ ବାସ୍ତବିକ ପ୍ରଶ୍ନ। ଆଧୁନିକ ବାଦ୍ୟଯନ୍ତ୍ର ମାନବ ସମାଜ ଦ୍ୱାରା ଗଢ଼ାଯାଇଛି ଏବଂ ଏହା ଆମ ସଙ୍ଗୀତର ବିକାଶ ଦିଗରେ ବ୍ୟବହୃତ ହେବା ଉଚିତ। କିନ୍ତୁ ଆମ୍ବେଦକରୀ ଗୀତକୁ ସିନେମା ଗୀତ ଭଳି ସ୍ୱରବଦ୍ଧ କରାଯାଉଛି। ଏଗୁଡ଼ିକ ତୀବ୍ର ଧ୍ୱନି ସୃଷ୍ଟି କରିବା ସହିତ କୋଳାହଳରେ ଭରି ରହିଥାଆନ୍ତି ଏବଂ ଶ୍ରୁତିକଟୁ ହୁଅନ୍ତି। ଏସବୁର ସ୍ୱର ଅତି କର୍କଶ ହେବାରେ ଲାଗିଛି। କେବଳ ପ୍ରଶଂସକ ସୃଷ୍ଟି ଏବଂ ନିଜର ପରିଚୟ ପ୍ରତିପାଦିତ କରିବା କଥା ବାଦ୍‌ ଦେଲେ, ଏସବୁ ଗୀତରେ ଆମ୍ବେଦକରଙ୍କ ଗଭୀର ଜୀବନ ଦର୍ଶନ ନାହିଁ। ସଚେତନତା ବିନା ଏବଂ ଗୀତରେ ନିହିତ ଦର୍ଶନକୁ ନ ବୁଝି ପରୀକ୍ଷଣ ଚାଲିଥିବାରୁ ଏସବୁ ଗୀତର ତାଳେ ତାଳେ ଲୋକେ ନାଚିବା ଯାହା ସାର ହେବ। ଏସବୁ ବେଶୀ ଦିନ ରହିବ ନାହିଁ, ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ କି ଲୋକଙ୍କ ସାମୂହିକ ସ୍ମୃତିର ଅଂଶବିଶେଷ ହୋଇପାରିବ ନାହିଁ।

କାଡୁବାଇଙ୍କ ସ୍ୱରରେ ରହିଥିଲା ହଜାର ହଜାର ବର୍ଷର ଦାସତ୍ୱ ବିରୋଧୀ ସ୍ୱର। କାଡୁବାଇ ହେଉଛନ୍ତି ଜନଗଣଙ୍କ ଗାୟିକା, ଯିଏ କି ଅତି ଦରିଦ୍ର ଅବସ୍ଥା ଏବଂ ପ୍ରତିକୂଳ ପରିସ୍ଥିତିରୁ ହିଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଗୀତରୁ ଆମେ ଜାତି ଓ ଧର୍ମକୁ ବୁଝିପାରୁ, ଅସ୍ପୃଶ୍ୟତା ଏବଂ ଦାସତ୍ୱର ପରିଧିରେ ରହିଥିବା ଲୋକଙ୍କ ପ୍ରତି ନୃଶଂସତା ଏବଂ ଅମାନବିକତାକୁ ହୃଦୟଙ୍ଗମ କରିପାରୁ। ତାଙ୍କ ଏକତାରି ରେ ସେ ତାଙ୍କ ପରିବାର ଓ ସଂପ୍ରଦାୟର ସମୃଦ୍ଧ ପରମ୍ପରାକୁ ବହନ କରନ୍ତି। ଆମ ମନକୁ ଛୁଇଁଯାଏ ତାଙ୍କର ଏକତାରି ଗୀତଗୁଡ଼ିକ।

मह्या भिमाने माय सोन्याने भरली ओटी
किंवा
माझ्या भीमाच्या नावाचं
कुंकू लावील रमाने
अशी मधुर, मंजुळ वाणी
माझ्या रमाईची कहाणी

ମୋ ଭୀମ ମୋ ଜୀବନରେ ଭରିଦେଲେ ସୁବର୍ଣ୍ଣ
କିମ୍ବା
ମୋ ଭୀମଙ୍କ ନାଁରେ
ରାମ ଲଗାଇଦେଲେ କୁଙ୍କୁ (ସିନ୍ଦୂର)
ଏମିତି ଏକ ମଧୁର ଓ ସୁଲଳିତ ସ୍ୱର
ଏହା ହିଁ ମୋ ରାମାଇଙ୍କ କାହାଣୀ

ଏହି ଗୀତ ମାଧ୍ୟମରେ ଜଣେ ସାଧାରଣ ଲୋକ ବି ଆମ୍ବେଦକରଙ୍କ ଚିନ୍ତାଧାରାକୁ ବୁଝିପାରିବ। ଏଥିରେ ରହିଛି ଆମ୍ବେଦକରଙ୍କ ପ୍ରତି କୃତଜ୍ଞତା, ନିତିଦିନିଆ ଜୀବନର ସଂଘର୍ଷ ଏବଂ ଜୀବନର ଦୁଃଖକଷ୍ଟ, ଗଭୀର ଆଧ୍ୟାତ୍ମ୍ୟବାଦ... ଆଉ ଜୀବନକୁ ଆହୁରି ନିବିଡ଼ ଭାବେ ବୁଝିବାର ପ୍ରୟାସ। ହାତଗଣତି କେଇ ଜଣ ଲୋକ ହିଁ ନିଜ କଣ୍ଠସ୍ୱରକୁ ବ୍ୟବହାର କରି ଘୂରି ବୁଲିଛନ୍ତି ଏବଂ ସଂଘର୍ଷ କରିଛନ୍ତି। ଗୋଟିଏ ପଟେ ସେମାନେ ସାମାଜିକ ବ୍ୟବସ୍ଥାର ପ୍ରତିବାଦ କରିଛନ୍ତି, ଏବଂ ଆରପଟେ, ସେମାନଙ୍କ ସ୍ୱର ଓ ବାଦ୍ୟଯନ୍ତ୍ର ବଳରେ ହିଁ ଉଜ୍ଜୀବିତ ହୋଇଛି ଆମ ଇତିହାସର ସ୍ମୃତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ କାଡୁବାଇ।

ଏହି ଲେଖାର ମୂଳରୂପ ମରାଠୀ ଭାଷାରେ ଲେଖାଯାଇଥିଲା

ଏଥିରେ ସନ୍ନିହିତ ମଲଟିମିଡିଆ ଉପାଦାନ, ଇଣ୍ଡିଆ ଫାଉଣ୍ଡେସନ ଫର ଆର୍ଟସ୍ ପକ୍ଷରୁ ସେମାନଙ୍କ ଆର୍କାଇଭ ଆଣ୍ଡ ମ୍ୟୁଜିୟମ୍ ପ୍ରୋଗ୍ରାମ ନିମନ୍ତେ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ PARIର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା, ‘ଇନଫ୍ଲୁଏନସିଆଲ ଶାହିରସ, ନ୍ୟାରେଟିଭସ ଫ୍ରମ୍ ମରାଠୱାଡ଼ା’ଶୀର୍ଷକ ପ୍ରକଳ୍ପ ନିମନ୍ତେ ସଂଗ୍ରହ ସମୂହର ଅଂଶବିଶେଷ। ନୂଆଦିଲ୍ଲୀର ମାକ୍ସ ମୁଲର ଭବନସ୍ଥିତ ଗୋଥେ ଇନଷ୍ଟିଚ୍ୟୁଟର ଆଂଶିକ ସହଯୋଗ ବଳରେ ଏହା ସମ୍ଭବ ହୋଇପାରିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Keshav Waghmare

କେଶବ ୱାଘମାରେ ମହାରାଷ୍ଟ୍ରର ପୁଣେଠାରେ ଅବସ୍ଥାପିତ ଜଣେ ଲେଖକ ଓ ଗବେଷକ। ସେ ୨୦୧୨ରେ ଗଠିତ ହୋଇଥିବା ଦଳିତ ଆଦିବାସୀ ଅଧିକାର ଆନ୍ଦୋଳନ (ଡିଏଏଏ)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ବହୁ ବର୍ଷ ଧରି ମରାଠୱାଡ଼ା ସମ୍ପ୍ରଦାୟକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Keshav Waghmare
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Editor : Vinutha Mallya

ବିନୁତା ମାଲ୍ୟା ଜଣେ ସାମ୍ବାଦିକା ଓ ସମ୍ପାଦିକା। ପୂର୍ବରୁ ସେ ପିପୁଲ୍ସ ଆର୍କାଇଭ୍‌ ଅଫ ରୁରଲ ଇଣ୍ଡିଆର ସମ୍ପାଦକୀୟ ମୁଖ୍ୟ ଥିଲେ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Vinutha Mallya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE