‘‘କେହି ଜଣେ ଏସବୁ ଗୀତକୁ ପଢ଼ନ୍ତୁ, ଆଉ ତା’ପରେ ଆପଣମାନଙ୍କ ପାଇଁ ମୁଁ ଏହାକୁ ପୁଣିଥରେ ସ୍ୱରରେ ସଜାଇଦେବି ଏବଂ ଗାଇବି,’’ ଦାଦୁ ସାଲଭେ ଆମକୁ କୁହନ୍ତି।

୭୦ ବର୍ଷରୁ ଅଧିକ ବୟସ ଟପି ସାରିଥିଲେ ସୁଦ୍ଧା ଆମ୍ବେଦକରବାଦୀ ଆନ୍ଦୋଳନର ଏହି ବୃଦ୍ଧ ସୈନିକ ଏବେ ବି ନିଜ ଲକ୍ଷ୍ୟକୁ ନେଇ ସଂକଳ୍ପବଦ୍ଧ ଅଛନ୍ତି। ଅସମାନତା ବିରୋଧରେ ଲଢ଼ିବା ଏବଂ ନିର୍ଣ୍ଣାୟକ ସାମାଜିକ ପରିବର୍ତ୍ତନ ଆଣିବା ଲାଗି ନିଜ ସ୍ୱରକୁ ଉପଯୋଗ କରିବା ଏବଂ ହାର୍ମୋନିୟମ ବଜାଇବା ପାଇଁ ସେ ପ୍ରସ୍ତୁତ ହୋଇଯାଆନ୍ତି।

ଅହମ୍ମଦନଗର ସହରରେ ଥିବା ଗୋଟିଏ ବଖରା ବିଶିଷ୍ଟ ତାଙ୍କ ଘରେ, ଆମ୍ବେଦକରଙ୍କ ପ୍ରତି ଆଜୀବନ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି  ଆମ ସାମ୍ନାରେ ପ୍ରକଟ ହୋଇଥାଏ। ତାଙ୍କର ଗୁରୁ ତଥା ପ୍ରସିଦ୍ଧ ଭୀମ ଶାହିର ବାମନଦାଦା କର୍ଦକଙ୍କ ଏକ ଫ୍ରେମ ହୋଇଥିବା ଫଟୋ କାନ୍ଥରେ ଥିବା ଏକ ଥାକ ଉପରେ ଥୁଆ ହୋଇଛି, ଏଥିରେ ମଧ୍ୟ ତାଙ୍କର ବିଶ୍ୱସ୍ତ ସାଥୀ: ତାଙ୍କର ହାର୍ମୋନିୟମ, ତବଲା ଓ ଢୋଲକୀ ରହିଛି।

ଦାଦୁ ସାଲଭେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ଭୀମ ଗୀତ ଗାଇବାର ଯାତ୍ରାକୁ ବର୍ଣ୍ଣନା କରିବାକୁ ବସି ଯାଇଛନ୍ତି।

ମହାରାଷ୍ଟ୍ରର ଅହମ୍ମଦନଗରରେ ଥିବା ନାଲେଗାଓଁ (ଗୌତମନଗର ନାମରେ ମଧ୍ୟ ପରିଚିତ) ରେ ୯ ଜାନୁଆରୀ ୧୯୫୨ ମସିହାରେ ସାଲଭେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ନାନା ଯାଦବ ସେନାବାହିନୀରେ କାର୍ଯ୍ୟରତ ଥିଲେ ଏବଂ ଏବଂ ମା’ ତୁଲସାବାଈ ଜଣେ ଗୃହିଣୀ ହେବା ସହିତ ଦିନ ମଜୁରିଆ ଭାବେ କାମ କରୁଥିଲେ।

In Dadu Salve's home in Ahmednagar is a framed photo of his guru, the legendary Bhim Shahir Wamandada Kardak , and his musical instruments: a harmonium, tabla and dholaki.
PHOTO • Amandeep Singh
Salve was born in Nalegaon in Ahmadnagar district of Maharashtra
PHOTO • Raitesh Ghate

ବାମ : ଅହମ୍ମଦନଗରରେ ଥିବା ଦାଦୁ ସାଲଭେଙ୍କ ଘରେ ତାଙ୍କ ଗୁରୁ ବିଶିଷ୍ଟ ଭୀମ ସାହିର ବାମନଦାଦା କର୍ଦକଙ୍କ ଏକ ଫ୍ରେମ ହୋଇଥିବା ଫଟୋ, ହାର୍ମୋନିଅମ, ତବଲା ଓ ଢୋଲକି ରଖାଯାଇଛି। ଡାହାଣ : ସାଲଭେ ମହାରାଷ୍ଟ୍ରର ଅହମ୍ମଦନଗର ସହରାଞ୍ଚଳ ଜିଲ୍ଲା (ଗୌତମନଗର ନାମରେ ମଧ୍ୟ ପରିଚିତ)ର ନାଲେଗାଓଁଠାରେ ଜନ୍ମଗ୍ରହଣ କରିଥିଲେ

ବ୍ରିଟିଶ ସେନାରେ କାର୍ଯ୍ୟରତ ଥିବା ତାଙ୍କ ପିତାଙ୍କ ଭଳି ପୁରୁଷମାନେ ଦଳିତ ମାନସିକତାରେ ପରିବର୍ତ୍ତନ ଆଣିବାରେ ମଧ୍ୟ ସହାୟକ ସାଜିଥିଲେ। ସୁରକ୍ଷିତ ଦରମା ସହିତ ସ୍ଥିର ଚାକିରି ଓ ଯଥେଷ୍ଟ ଖାଦ୍ୟ ମିଳିବା କାରଣରୁ ସେମାନେ ଔପଚାରିକ ଶିକ୍ଷା ଗ୍ରହଣ କରିପାରିଥିଲେ ଏବଂ ଏହା ସେମାନଙ୍କ ପାଇଁ ଦୁନିଆର ଦ୍ୱାର ଖୋଲି ଦେଇଥିଲା। ଏହା ମଧ୍ୟ ସେମାନଙ୍କର ଦୃଷ୍ଟିକୋଣ ବଦଳାଇ ଦେଇଥିଲା ଏବଂ ସେମାନେ ଉତ୍ପୀଡ଼ନ ବିରୋଧରେ ଲଢ଼େଇ କରିବା ଓ ତା’ର ମୁକାବିଲା କରିବା ପାଇଁ ଅଧିକ ସଶକ୍ତ ତଥା ଅନୁପ୍ରାଣିତ ହୋଇପାରିଥିଲେ।

ଦାଦୁଙ୍କ ବାପା ସେନାରୁ ଅବସର ନେବା ପରେ ଜଣେ ପୋଷ୍ଟମ୍ୟାନ ଭାବେ ଭାରତୀୟ ଡାକ ସେବାରେ ଯୋଗ ଦେଇଥିଲେ। ସେ ଆମ୍ବେଦକରବାଦୀ ଆନ୍ଦୋଳନରେ ବେଶ୍ ସକ୍ରିୟ ଥିଲେ ଯାହାକି ସେ ଦିନଗୁଡ଼ିକରେ ବହୁଳ ପ୍ରସାରିତ ଥିଲା। ପିତାଙ୍କ ସମ୍ପୃକ୍ତି କାରଣରୁ ଦାଦୁ ଏହି ଆନ୍ଦୋଳନକୁ ଅତି ନିକଟରୁ ଦେଖିବା ଓ ଅନୁଭବ କରିବା ଲାଗି ସକ୍ଷମ ହୋଇପାରିଥିଲେ।

ନିଜ ମାତାପିତାଙ୍କ ବ୍ୟତୀତ, ଦାଦୁ ନିଜ ପରିବାରରେ ଆଉ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ଥିଲେ, ଆଉ ସେ ହେଉଛନ୍ତି ତାଙ୍କର ଜେଜେବାପା ଯାଦବ ସାଲଭେ, ଯିଏକି କଡୁବାବା ନାମରେ ପରିଚିତ ଥିଲେ।

ସେ ଆମକୁ ଲମ୍ବା ଦାଢ଼ି ରଖିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କ କାହାଣୀ ଶୁଣାଇଥାନ୍ତି, ଯାହାଙ୍କୁ ବିଦେଶ ମାଟିରେ ଜଣେ ଗବେଷିକା ପଚାରିଥିଲେ, ‘‘ଆପଣ କାହିଁକି ଏତେ ଲମ୍ବା ଦାଢ଼ି ବଢ଼ାଇଛନ୍ତି?’’ ଏକଥା ଶୁଣି ୮୦ ବର୍ଷ ବୟସ୍କ ବୃଦ୍ଧ ଜଣଙ୍କ କାନ୍ଦିବାକୁ ଲାଗିଥିଲେ; ପରେ ସେ ଶାନ୍ତ ହେଲେ ଏବଂ ତାଙ୍କୁ ନିଜ କାହାଣୀ ଶୁଣାଇଥିଲେ।

‘‘ବାବାସାହେବ ଆମ୍ବେଦକର ଅହମ୍ମଦନଗର ଜିଲ୍ଲା ଗସ୍ତରେ ଆସିଥିଲେ। ମୁଁ ତାଙ୍କୁ ଆମ ଗାଁ ହରେଗାଓଁ ଆସିବା ପାଇଁ ଅନୁରୋଧ କଲି। ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ତାଙ୍କୁ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲା।’’ କିନ୍ତୁ ବାବାସାହେବଙ୍କ ପାଖରେ ସମୟ ନଥିଲା ଏବଂ ସେଥିପାଇଁ ସେ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରତିଶ୍ରୁତି ଦେଲେ ଯେ ସେ ଆଉଥରେ ଆସିଲେ ତାଙ୍କ ଗାଁକୁ ଯିବେ। ସେହି ବ୍ୟକ୍ତି ଶପଥ ନେଲେ ଯେ ବାବାସାହେବ ତାଙ୍କ ଗାଁକୁ ଆସିଲେ ଯାଇ ସେ ନିଜ ଦାଢ଼ି କାଟିବେ।

ସେ ଅନେକ ବର୍ଷ ଅପେକ୍ଷା କଲେ; ତାଙ୍କର ଦାଢ଼ି ବଢ଼ି ଚାଲିଲା। ୧୯୫୬ ମସିହାରେ ବାବା ସାହେବଙ୍କର ଦେହାନ୍ତ ଘଟିଲା। ‘‘ଦାଢ଼ି ବଢ଼ି ଚାଲିଛି। ମୁଁ ମରିବା ପର୍ଯ୍ୟନ୍ତ ଦାଢ଼ି ଏମିତି ରହିଥିବ,’’ ସେ ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଥିଲେ। ସେ ଗବେଷିକା ହେଉଛନ୍ତି ଆମ୍ବେଦକରବାଦୀ ଆନ୍ଦୋଳନର ପ୍ରସିଦ୍ଧ ବିଦ୍ୱାନ ଇଲିଏନର ଜିଲିଅଟ ଏବଂ ସେ ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଦୁ ସାଲଭେଙ୍କ ଜେଜେବାପା କଡୁବାବା।

*****

ଦାଦୁ ମାତ୍ର ପାଞ୍ଚ ଦିନର ହୋଇଥିବା ସମୟରେ ତାଙ୍କର ଦୃଷ୍ଟିଶକ୍ତି ଚାଲି ଯାଇଥିଲା। କେହି ତାଙ୍କର ଦୁଇ ଆଖିରେ କିଛି ବୁନ୍ଦା ଔଷଧ ପକାଇ ଦେଇଥିଲେ ଯାହାଫଳରେ ତାଙ୍କର ଦୃଷ୍ଟିଶକ୍ତି ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। କୌଣସି ଚିକିତ୍ସା କାମ କଲା ନାହିଁ ଏବଂ ସେ ଆଉ କେବେ ଦୁନିଆ ଦେଖିବାକୁ ସକ୍ଷମ ହେଲେ ନାହିଁ। ସ୍କୁଲରେ ପଢ଼ିବା ତ’ ଦୂରର କଥା ସେ ସବୁଦିନ ପାଇଁ ଘର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିଲେ।

ସେ ନିଜ ଘର ପାଖରେ ଥିବା ଏକତାରୀ  ଭଜନ ଗାୟକମାନଙ୍କ ସହିତ ଯୋଗ ଦେଲେ, ସେଠାରେ କାଠ, ଚମଡ଼ା ଓ ଧାତୁରେ ତିଆରି ବାଜା ଡିମଡି  ବଜାଉଥିଲେ।

‘‘ମୋର ମନେ ଅଛି କେହି ଜଣେ ଆସି କହିଲେ ଯେ ବାବାସାହେବଙ୍କ ପରଲୋକ ଘଟିଛି। ସେ କିଏ ମୁଁ ଜାଣିନଥିଲି କିନ୍ତୁ ଲୋକମାନେ କାନ୍ଦୁଥିବାର ମୁଁ ଯେତେବେଳେ ଶୁଣିଲି, ମୁଁ ବୁଝିପାରିଲି ଯେ ସେ ନିଶ୍ଚେ ଜଣେ ମହାନ ବ୍ୟକ୍ତି ହୋଇଥିବେ,’’ ସେଦିନ କଥା ମନେ ପକାଇ ଦାଦୁ କୁହନ୍ତି।

‘ମାତ୍ର ପାଞ୍ଚ ଦିନର ହୋଇଥିବା ବେଳେ ମୁଁ ମୋର ଦୃଷ୍ଟିଶକ୍ତି ହରାଇଥିଲି’ ରେ ଦାଦୁ ସାଲଭେଙ୍କୁ ତାଙ୍କ ଜୀବନ କାହାଣୀ କହୁଥିବାର ଦେଖନ୍ତୁ

ବାବାସାହେବ ଦିକ୍ଷିତ ଅହମ୍ମଦନଗରରେ ଦତ୍ତା ଗାୟନ ମନ୍ଦିର ନାମକ ଏକ ସଙ୍ଗୀତ ବିଦ୍ୟାଳୟ ଚଲାଉଥିଲେ, କିନ୍ତୁ ଦାଦୁ ସେଠାରେ ଶିକ୍ଷା ଲାଭ କରିବାର ଖର୍ଚ୍ଚ ବହନ କରିବାକୁ ସକ୍ଷମ ନଥିଲେ। ସେହି ସମୟରେ, ରିପବ୍ଲିକାନ ପାର୍ଟୀର ଜଣେ ବିଧାୟକ ଆର.ଡି ପୱାର ଆର୍ଥିକ ସହାୟତା ଦେଲେ ଏବଂ ଦାଦୁ ସେଠାରେ ନାମ ଲେଖାଇଥିଲେ। ପୱାର ମଧ୍ୟ ତାଙ୍କୁ ଏକ ନୂଆ ହାର୍ମୋନିୟମ କିଣି ଦେଇଥିଲେ ଏବଂ ୧୯୭୧ ମସିହାରେ ଦାଦୁ ସଙ୍ଗୀତ ବିଶାରଦ ପରୀକ୍ଷାରେ ପାସ୍‌ କରିଥିଲେ।

ଏହାପରେ ତତ୍କାଳୀନ ସମୟର ଜଣେ ପ୍ରସିଦ୍ଧ କୱାଲି ସଙ୍ଗୀତଜ୍ଞ ମେହମୁଦ କୱାଲ ନିଜାମୀଙ୍କ ସହିତ ଯୋଗ ଦେବାକୁ ଗଲେ। ସେ ତାଙ୍କ କାର୍ଯ୍ୟକ୍ରମରେ ଗାଇବା ଆରମ୍ଭ କରିଥିଲେ। ଏହା ଦାଦୁଙ୍କ ପାଇଁ ଏକମାତ୍ର ରୋଜଗାର ଉତ୍ସ ଥିଲା। ତା’ପରେ ସେ ସଙ୍ଗମନିରରେ କମ୍ରେଡ ଦତ୍ତା ଦେଶମୁଖଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କଳା ପାଠକ ନାମକ ଆଉ ଏକ ସଙ୍ଗୀତ ଦଳରେ ଯୋଗ ଦେଇଥିଲେ। ଆଉ ଜଣେ କମ୍ରେଡ ଭାସ୍କର ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନାଟକ ବାସୁଦେବାଚ୍ଚା ଦାଉରା ପାଇଁ ସେ ସଙ୍ଗୀତ ପ୍ରସ୍ତୁତ କରିଥିଲେ।

ଦାଦୁ ଲୋକ କବି  ନାମରେ ପ୍ରସିଦ୍ଧ କେଶବ ସୁଖ ଅହୀରଙ୍କୁ ମଧ୍ୟ ଶୁଣୁଥିଲେ। ଅହୀର ସେହି ଛାତ୍ରଛାତ୍ରୀଙ୍କ ଏକ ସମୂହ ସହିତ ଯାଇଥିଲେ ଯେଉଁମାନେ ନାସିକର କାଲାରାମ ମନ୍ଦିରରେ ପ୍ରବେଶ ଉପରେ ରହିଥିବା ପ୍ରତିବନ୍ଧକ ବିରୋଧରେ ଆନ୍ଦୋଳନ କରୁଥିଲେ। ସେ ନିଜ ଗୀତଗୁଡ଼ିକ ମାଧ୍ୟମରେ ଆମ୍ବେଦକରଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏବଂ ଯେତେବେଳେ ଅହୀର ଭୀମରାଓ କରଦକଙ୍କ ଜଲସା ଶୁଣିଲେ, ତାଙ୍କୁ କିଛି ଗୀତ ଲେଖିବା ପାଇଁ ପ୍ରେରଣା ମିଳିଲା।

ପରେ, ଅହୀର ନିଜର ସମ୍ପୂର୍ଣ୍ଣ ସମୟ ଜଲସାକୁ ସମର୍ପି ଦେଇଥିଲେ ଏବଂ ନିଜ ସଙ୍ଗୀତ ମାଧ୍ୟମରେ ଦଳିତ ଚେତନା ଜାଗ୍ରତ କରିବାରେ ନିୟୋଜିତ ରହିଥିଲେ।

୧୯୫୨ ମସିହାରେ, ସିଡ୍ୟୁଲ କାଷ୍ଟ ଫେଡରେସନର ଜଣେ ପ୍ରାର୍ଥୀ ଭାବେ ଆମ୍ବେଦକର ମୁମ୍ବାଇରୁ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅହୀର ‘ନବ ଭାରତ ଜଲସା ମଣ୍ଡଳ’ ଆରମ୍ଭ କରିଥିଲେ ଏବଂ ଜଲସା ପାଇଁ ନୂଆ ଗୀତ ଲେଖି ଡକ୍ଟର ଆମ୍ବେଦକରଙ୍କ ଲାଗି ପ୍ରଚାର କରିଥିଲେ। ଦାଦୁ ସାଲଭେ ଏହି ମଣ୍ଡଳ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକୁ ଶୁଣୁଥିଲେ।

ଦେଶ ସ୍ୱାଧୀନ ହେବା ସମୟରେ, ଅହମ୍ମଦନଗର ବାମପନ୍ଥୀ ଆନ୍ଦୋଳନର ଗଡ଼ ଥିଲା। ଦାଦୁ ସାଲଭେ କୁହନ୍ତି, ‘‘ଅନେକ ନେତା ପ୍ରାୟତଃ ଆମ ଘରକୁ ଆସୁଥିଲେ ଏବଂ ମୋ ପିତାଙ୍କ ସହିତ କାମ କରୁଥିଲେ। ସେହି ସମୟରେ, ଦାଦାସାହେବ ରୂପାୱତେ, ଆର. ଡି. ପୱାରଙ୍କ ଭଳି ଲୋକମାନେ ଆମ୍ବେଦକରବାଦୀ ଆନ୍ଦୋଳନରେ ସକ୍ରିୟ ଥିଲେ। ସେମାନେ ଅହମ୍ମଦନଗରରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।’’

Madhavrao Gaikwad and his wife Sumitra collect material around Wamandada Kardak. The couple  have collected more than 5,000 songs written by hand by Wamandada himself. Madhavrao is the one who took Dadu Salve to meet Wamandada
PHOTO • Amandeep Singh

ମାଧବରାଓ ଗାୟକୱାଡ଼ ଏବଂ ତାଙ୍କ ପତ୍ନୀ ସୁମିତ୍ରା ବାମନଦାଦାଙ୍କ ପାଖରେ ରହି ସଂଗୀତ ସଂଗ୍ରହ କରିଥାନ୍ତି। ଏହି ଦମ୍ପତି ବାମନଦାଦାଙ୍କ ହସ୍ତଲିଖିତ ୫,୦୦୦ରୁ ଅଧିକ ଗୀତକୁ ସଂଗ୍ରହ କରିଛନ୍ତି । ମାଧବରାଓ ହିଁ ଦାଦୁ ସାଲଭେଙ୍କୁ ବାମନଦାଦାଙ୍କ ସହିତ ଭେଟ କରାଇ ଦେଇଥିଲେ

ଦାଦୁ ସର୍ବସାଧାରଣ ସଭାରେ ଅଂଶଗ୍ରହଣ କରୁଥିଲେ ଏବଂ ବି. ସି. କାମ୍ବଲେ ଏବଂ ଦାଦାସାହେ ରୂପାୱତେଙ୍କ ଭାଷଣ ଶୁଣୁଥିଲେ। ପରେ ଏହି ଦୁଇ ଜଣେ ନେତାଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିଲା ଯାହାକି ଆମ୍ବେଦକରବାଦୀ ଆନ୍ଦୋଳନରେ ଦୁଇ ଗୋଷ୍ଠୀକୁ ଜନ୍ମ ଦେଇଥିଲା। ଏହି ରାଜନୈତିକ ଘଟଣାକ୍ରମରେ ଅନୁପ୍ରାଣିତ ହୋଇ ଅନେକ ଗୀତ ରଚନା କରାଗଲା। ଦାଦୁ କୁହନ୍ତି, ‘‘ଉଭୟ ଗୋଷ୍ଠୀ କାଲଗୀ-ତୁରା (ଏପରି ଗୀତ ଯେଉଁଥିରେ ଗୋଟିଏ ଦଳ ପ୍ରଶ୍ନ କରନ୍ତି କିମ୍ବା ବିବୃତ୍ତି ଦେଇଥାନ୍ତି ଏବଂ ଅନ୍ୟ ଦଳ ଉତ୍ତର ଦେଇଥାନ୍ତି/ସେହି ବିବୃତିର ଜବାବ ରଖିଥାନ୍ତି) ରେ ଭଲ ଥିଲେ।’’

नार म्हातारपणी फसली!

लालजीच्या घरात घुसली!!

ବାର୍ଦ୍ଧକ୍ୟ ଅବସ୍ଥାରେ ମହିଳା ଜଣଙ୍କ ନାଚାର ହୋଇଯାଇଛନ୍ତି
ଏବଂ ଲାଲଜୀଙ୍କ ଘରେ ପ୍ରବେଶ କରିଛନ୍ତି!

ଏହାର ଅର୍ଥ ହେଉଛି ଦାଦା ସାହେବଙ୍କ ମୁଣ୍ଡ ଖରାପ ହୋଇଯାଇଛି ଏବଂ ସେ ବାମପନ୍ଥୀଙ୍କ ସହ ସାମିଲ ହୋଇଯାଇଛନ୍ତି।

ଦାଦାସାହେବଙ୍କ ଗୋଷ୍ଠୀ ଏହାର ଜବାବ ଦେଇଥିଲେ:

तू पण असली कसली?
पिवळी टिकली लावून बसली!

ନିଜକୁ ଦେଖ, ତୁମେ ଜଣେ ମହିଳା!
ଆଉ ତୁମ କପାଳରେ ଥିବା ସେ ହଳଦିଆ ବିନ୍ଦିକୁ ଦେଖ!

ଏହାର ଅର୍ଥ ବିଷୟରେ ଦାଦୁ କୁହନ୍ତି ଯେ: ‘‘ବି. ସି. କାମ୍ବଲେ ଦଳର ପତାକାରେ ନୀଳ ଅଶୋକ ଚକ୍ର ସ୍ଥାନରେ ହଳଦିଆ ପୂର୍ଣ୍ଣଚନ୍ଦ୍ର ଚିହ୍ନ ଲଗାଇ ଦେଇଥିଲେ। ଏଠାରେ ତାହାକୁ ହିଁ ଦର୍ଶାଯାଇଥିଲା।’’

ଦାଦାସାହେବ ରୂପାୱତେ ବି ସି କାମ୍ବଲେଙ୍କ ଗୋଷ୍ଠୀ ସହ ରହିଥିଲେ। ପରେ ସେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ତାଙ୍କୁ ମଧ୍ୟ ଏକ ସଙ୍ଗୀତ ମାଧ୍ୟମରେ ସମାଲୋଚନା କରାଯାଇଥିଲା।

अशी होती एक नार गुलजार
अहमदनगर गाव तिचे मशहूर
टोप्या बदलण्याचा छंद तिला फार
काय वर्तमान घडलं म्होरं S....S....S
ध्यान देऊन ऐका सारं

ଜଣେ ସ୍ନେହୀ ଓ ଯୁବା ମହିଳା
ପ୍ରସିଦ୍ଧ ଅହମ୍ମଦନଗର ସହରରୁ ଆସିଛନ୍ତି
ସେ ନିଜ ଦଳ ବଦଳାଇବାକୁ ଭଲ ପାଆନ୍ତି
ପରେ କ’ଣ ଘଟିଲା ଜାଣିବାକୁ ଚାହୁଁଛନ୍ତି କି?
ଧ୍ୟାନ ଦିଅନ୍ତୁ ଓ ସବୁ କଥା ଜାଣନ୍ତୁ…

‘‘ମୁଁ ଆମ୍ବେଦକରବାଦୀ ଆନ୍ଦୋଳନର ଏହି କାଲଗି-ତୁରା ଶୁଣି ବଡ଼ ହୋଇଛି,’’ ଦାଦୁ କୁହନ୍ତି।

Dadu Salve and his wife Devbai manage on the meagre pension given by the state government to folk artists. Despite these hardships, his commitment to the Ambedkarite movement and his music are still the same
PHOTO • Amandeep Singh
Dadu Salve and his wife Devbai manage on the meagre pension given by the state government to folk artists. Despite these hardships, his commitment to the Ambedkarite movement and his music are still the same
PHOTO • Labani Jangi

ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାରମାନଙ୍କୁ ମିଳୁଥିବା ସ୍ୱଳ୍ପ ଭତ୍ତାରେ ଦାଦୁ ସାଲଭେ ଓ ତାଙ୍କ ପତ୍ନୀ ଜୀବନ ନିର୍ବାହ କରୁଛନ୍ତି। ଏସବୁ କଷ୍ଟ ସତ୍ତ୍ୱେ, ଆମ୍ବେଦକରବାଦୀ ଆନ୍ଦୋଳନ ଏବଂ ନିଜ ସଙ୍ଗୀତ ପ୍ରତି ତାଙ୍କର ସମର୍ପଣ ପୂର୍ବ ଭଳି ବଜାୟ ରହିଛି

*****

୧୯୭୦ ମସିହା ଦାଦୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ଗାୟକ ବାମନ ଦାଦା କର୍ଦକଙ୍କୁ ଭେଟିଥିଲେ ଯିଏକି ଡକ୍ଟର ଆମ୍ବେଦକରଙ୍କ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଆନ୍ଦୋଳନକୁ ମହାରାଷ୍ଟ୍ର ଏବଂ ରାଜ୍ୟ ବାହାରେ ପହଞ୍ଚାଇଥିଲେ। ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଏହି କାମ କରିଥିଲେ।

ମାଧବରାଓ ଗାୟକୱାଡ଼ (୭୫) ବାମନଦାଦା କର୍ଦକଙ୍କ ପାଖରେ ରହି ସଙ୍ଗୀତ ସଂକଳନ କରୁଥିଲେ। ସେ ହିଁ ଦାଦୁ ସାଲଭେଙ୍କୁ ବାମନଦାଦାଙ୍କ ସହିତ ଭେଟ କରାଇ ଦେଇଥିଲେ। ମାଧବରାଓ ଓ ତାଙ୍କର ପତ୍ନୀ ସୁମିତ୍ରା (୬୧) ମିଶି ବାମନଦାଦାଙ୍କ ଦ୍ୱାରା ଲିଖିତ ୫,୦୦୦ରୁ ଅଧିକ ସଙ୍ଗୀତର ସଂକଳନ ପ୍ରସ୍ତୁତ କରିଛନ୍ତି।

ମାଧବରାଓ କୁହନ୍ତି, ‘‘୧୯୭୦ ମସିହାରେ ସେ ନାଗରରୁ ଆସିଥିଲେ। ଆମ୍ବେଦକରଙ୍କ କାମ ଓ ବାର୍ତ୍ତାର ପ୍ରଚାର ପାଇଁ ସେ ‘ଗାୟନ’ (ସଙ୍ଗୀତ) ଦଳ ଗଠନ କରିବା ଲାଗି ବେଶ୍ ଆଗ୍ରହୀ ଥିଲେ। ଦାଦୁ ସାଲଭେ ଆମ୍ବେଦକରଙ୍କ ବିଷୟରେ ଗୀତ ଗାଉଥିଲେ, କିନ୍ତୁ ତାଙ୍କ ପାଖରେ ବେଶୀ ଭଲ ଗୀତ ନଥିଲା। ତେଣୁ ସେ ବାମନଦାଦାଙ୍କୁ ଭେଟିବାକୁ ଗଲେ ଏବଂ ତାଙ୍କୁ କହିଲେ, ‘ଆମେ ଆପଣଙ୍କ ଗୀତ ଚାହୁଁଛୁ’।’’

ଜବାବରେ ବାମନଦାଦା କହିଲେ ଯେ, ସେ କେବେବି ଗୋଟିଏ ଜାଗାରେ ନିଜର କାମ ରଖିନଥାନ୍ତି: ‘‘ମୁଁ ଲେଖେ, ଗାଏ ଏବଂ ସେହି ସ୍ଥାନ ଛାଡ଼ି ଚାଲିଯାଏ।’’

ମାଧବରାଓ ସେଦିନ କଥା ମନେ ପକାଇ କୁହନ୍ତି, ‘‘ଏପରି ଏକ ସମ୍ପତ୍ତି ନଷ୍ଟ ହୋଇଯାଉଥିବା ଦେଖି ଆମେ ଦୁଃଖିତ ହେଲୁ। ସେ (ବାମନଦାଦା) ଆମ୍ବେଦକରବାଦୀ ଆନ୍ଦୋଳନ ପାଇଁ ନିଜର ସାରା ଜୀବନକୁ ସମର୍ପି ଦେଇଥିଲେ।’’

ତାଙ୍କର କାମକୁ ସଂକଳିତ କରିବାର ଆଗ୍ରହ ନେଇ, ବାମନଦାଦା ଯେଉଁଠି ସଂଗୀତ ପରିବେଷଣ କରୁଥିଲେ ମାଧବରାଓ ସେଠାକୁ ଦାଦୁ ସାଲଭେଙ୍କୁ ନେଇ ଯାଉଥିଲେ: ‘‘ଦାଦୁ ତାଙ୍କୁ ହାର୍ମୋନିୟମରେ ସହଯୋଗ କରୁଥିଲେ ଏବଂ ସେ ଗାଉଥିବା ଗୀତକୁ ମୁଁ ଲେଖି ରଖୁଥିଲି। ସବୁକିଛି ଲାଇଭ୍‌ (ପ୍ରତ୍ୟକ୍ଷ ଭାବେ) ଚାଲିଥିଲା।’’

ସେ ୫,୦୦୦ରୁ ଅଧିକ ଗୀତକୁ ପ୍ରକାଶ କରିବାକୁ ଗଲେ। ଏହା ସତ୍ତ୍ୱେ, ପ୍ରାୟ ୩,୦୦୦ ଗୀତ ଲୋକଲୋଚନକୁ ଆସିପାରିଲା ନାହିଁ। ‘‘ଆର୍ଥିକ ସମସ୍ୟା କାରଣରୁ ମୁଁ ଏହା କରିପାରିଲି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ କହିପାରିବି ଯେ, କେବଳ ଦାଦୁ ସାଲଭେଙ୍କ କାରଣରୁ ମୁଁ ଆମ୍ବେଦକରବାଦୀ ଆନ୍ଦୋଳନର ଜ୍ଞାନ ଓ ବୌଦ୍ଧିକତାକୁ ସଂରକ୍ଷିତ କରି ରଖିପାରିଲି,’’ ସେ କୁହନ୍ତି।

ବାମନଦାଦାଙ୍କ କାମରେ ଦାଦୁ ସାଲଭେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ସେ କଳା ପାଠକ ନାମରେ ମଧ୍ୟ ଏକ ନୂଆ ଦଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ସେ ନିଜ ସହିତ ଶଙ୍କର ତାବଜୀ ଗାୟକୱାଡ଼, ସଞ୍ଜୟ ନାଥ ଯାଦବ, ରଘୁ ଗଙ୍ଗାରାମ ସାଲଭେ ଏବଂ ମିଲିନ୍ଦ ଶିନ୍ଦେଙ୍କୁ ନେଇଥିଲେ। ଏହି ଦଳକୁ ଭୀମ ସନ୍ଦେଶ ଗାୟନ ଦଳ ବା ଆମ୍ବେଦକରଙ୍କ ବାର୍ତ୍ତା ପ୍ରଚାର କରୁଥିବା ଏକ ଗାୟକ ଦଳ ବୋଲି କୁହାଗଲା।

ସେମାନେ ଏକ ଲକ୍ଷ୍ୟ ପୂରଣ ପାଇଁ ଗୀତ ଗାଇଥିଲେ। ତେଣୁ ସେମାନଙ୍କ ସଙ୍ଗୀତରେ କାହା ପ୍ରତି କୌଣସି ଆକ୍ଷେପ ନଥାଇ ଏକ ସ୍ପଷ୍ଟ ବାର୍ତ୍ତା ଦେଉଥିଲା।

ଦାଦୁ ଆମ ପାଇଁ ଏହି ଗୀତ ଗାଇଥାନ୍ତି:

ଏହି ଭିଡିଓରେ, ଦାଦୁ ଗୀତ ଗାଉଛନ୍ତି ଏବଂ ଗୁରୁଙ୍କ ପାଇଁ ତାଙ୍କ ମନରେ ରହିଥିବା ସମ୍ମାନକୁ ବ୍ୟକ୍ତ କରୁଛନ୍ତି : ‘ମୁଁ ବାମନଦାଦାଙ୍କ ଶିଷ୍ୟ’

उभ्या विश्वास ह्या सांगू तुझा संदेश भिमराया
तुझ्या तत्वाकडे वळवू आता हा देश भिमराया || धृ ||
जळूनी विश्व उजळीले असा तू भक्त भूमीचा
आम्ही चढवीला आता तुझा गणवेश भिमराया || १ ||
मनुने माणसाला माणसाचा द्वेष शिकविला
तयाचा ना ठेवू आता लवलेश भिमराया || २ ||
दिला तू मंत्र बुद्धाचा पवित्र बंधुप्रेमाचा
आणू समता हरू दीनांचे क्लेश भिमराया || ३ ||
कुणी होऊ इथे बघती पुन्हा सुलतान ह्या भूचे
तयासी झुंजते राहू आणुनी त्वेष भिमराया || ४ ||
कुणाच्या रागलोभाची आम्हाला ना तमा काही
खऱ्यास्तव आज पत्करला तयांचा रोष भिमराया || ५ ||
करील उत्कर्ष सर्वांचा अशा ह्या लोकशाहीचा
सदा कोटी मुखांनी ह्या करू जयघोष भिमराया || ६ ||
कुणाच्या कच्छपी लागून तुझा वामन खुळा होता
तयाला दाखवित राहू तयाचे दोष भिमराया || ७ ||

ଆମକୁ ଆପଣଙ୍କ ବାର୍ତ୍ତା ଦୁନିଆରେ ପହଞ୍ଚାଇବା ଲାଗି ଦିଅନ୍ତୁ, ହେ ଭୀମରାୟା
ଆମେ ସେ ସମସ୍ତଙ୍କୁ ଆପଣଙ୍କ ସିଦ୍ଧାନ୍ତ ଅନୁପ୍ରାଣିତ କରାଇବୁ, ହେ ଭୀମରାୟା ||୧||
ହେ ଭୂମିପୁତ୍ର, ଆପଣ ନିଜେ ଜଳି ଏ ଦୁନିଆକୁ ଆଲୋକ ଦେଖାଇଛନ୍ତି
ଏଠାରେ ଆମେ ଆପଣଙ୍କୁ ଅନୁସରଣ କରୁଛୁ ଏବଂ ଆପଣଙ୍କ ପୋଷାକ ପିନ୍ଧି ନେଇଛୁ ହେ ଭୀମରାୟା ||୨||
ଅନ୍ୟମାନଙ୍କୁ ଘୃଣା କରିବା ଲାଗି ମନୁ ଆମମାନଙ୍କୁ ଶିଖାଇ ଥିଲେ
ଏବେ ଆମେ ତାଙ୍କୁ ଦୂରେଇ ଦେବାକୁ ଶପଥ ନେଉଛୁ ହେ ଭୀମରାୟା ||୩||
ଆପଣ ଆମକୁ ବୁଦ୍ଧଙ୍କ ଭ୍ରାତୃତ୍ୱର ବାର୍ତ୍ତା ଦେଇଛନ୍ତି
ଆମେ ଆଣିବୁ ସମାନତା, ଆଉ ଗରିବଙ୍କ ଯନ୍ତ୍ରଣା ଦୂର କରିବୁ ହେ ଭୀମରାୟା||୪||
କିଛି ଲୋକ ପୁଣିଥରେ ଏ ଭୂମିରେ ରାଜତ୍ୱ କରିବା ଲାଗି ଚାହୁଁଛନ୍ତି
ଆମ ଏକତାର ଶକ୍ତି ବଳରେ ଆମେ ଲଢ଼ିବୁ ହେ ଭୀମରାୟା ||୫||
ସେମାନେ ଖୁସି ହୁଅନ୍ତୁ ଅବା ରାଗନ୍ତୁ, ଆମେ ଖାତିର କରୁନା
ଆମର ସତ୍ୟ ପାଇଁ ଆମେ ସେମାନଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଅଛୁ, ହେ ଭୀମରାୟା ||୬||
ବାମନ (କର୍ଦକ) କ’ଣ ବୋକା ହୋଇଛନ୍ତି ଯେ ସେମାନଙ୍କ କଥାରେ ଫସିଯିବେ?
ଆମେ ସବୁବେଳେ ସେମାନଙ୍କୁ ଆଇନା ଦେଖାଇବୁ, ହେ ଭୀମରାୟା

ଦାଦୁଙ୍କୁ ଯେତେବେଳେ କୌଣସି କାର୍ଯ୍ୟକ୍ରମ ପାଇଁ ଡକାଯାଉଥିଲା ସେ ବାମନଦାଦାଙ୍କ ଗୀତ ଗାଉଥିଲେ। ଲୋକମାନେ ସବୁ ପାରିବାରିକ କାର୍ଯ୍ୟକ୍ରମ କିମ୍ବା ଶିଶୁ ଜନ୍ମ ଅଥବା କୌଣସି ବୟସ୍କ କିମ୍ବା ରୋଗୀଣା ବ୍ୟକ୍ତିଙ୍କ ମୃତ୍ୟୁ ଭଳି ସମୟରେ ଆମ୍ବେଦକରବାଦୀ ଗୀତ ଗାଇବା ଲାଗି ତାଙ୍କ ଦଳ କଳା ପାଠକକୁ ଡାକୁଥିଲେ।

ଦାଦୁଙ୍କ ଭଳି ଲୋକମାନେ ଆମ୍ବେଦକରବାଦୀ ଆନ୍ଦୋଳନରେ ନିଜର ଯୋଗଦାନ ଦେବା ପାଇଁ ଗୀତ ଗାଉଥିଲେ। ଏହି ସଙ୍ଗୀତ ଦଳ କେବେ କିଛି ପାରିଶ୍ରମିକ ଆଶା କରୁନଥିଲେ। ତେବେ ପ୍ରଶଂସାସୂଚକ ଭାବେ ଲୋକମାନେ ମୁଖ୍ୟ ଗାୟକଙ୍କୁ ଗୋଟିଏ ନଡ଼ିଆ ଦେଉଥିଲେ ଏବଂ କଳାକାରମାନଙ୍କୁ ଚା’ ପିଇବାକୁ ଦେଉଥିଲେ। ବାସ୍‌ ସେତିକି। ‘‘ମୁଁ ଗାଇ ପାରୁଛି, ତେଣୁ ଏହାକୁ ମୁଁ ଏ ଆନ୍ଦୋଳନରେ ନିଜର ଯୋଗଦାନ ଭାବେ ଚୟନ କରିଛି। ମୁଁ ବାମନଦାଦାଙ୍କ ପରମ୍ପରାକୁ ଆଗେଇ ନେବାକୁ ଚେଷ୍ଟା କରୁଛି ଏବଂ ଆଗକୁ ନେଉଛି,’’ ଦାଦୁ କୁହନ୍ତି।

*****

ଆମ୍ବେଦକର ଏବଂ ତାଙ୍କର ଶିକ୍ଷା କିଭଳି ସମାଜରେ ପରିବର୍ତ୍ତନ ଆଣିଥିଲା ସେ ବିଷୟରେ ଦାଦୁ ଗୀତ ଗାଉଥିବା ଏହି ଭିଡିଓରେ ଦେଖନ୍ତୁ: ଏହା ଆପଣଙ୍କ ଜନ୍ମ ଥିଲା, ହେ ଭୀମ!

ମହାରାଷ୍ଟ୍ରର ଅନେକ ଗାୟକମାନଙ୍କ ପାଇଁ ବାମନଦାଦା ଗୁରୁ ଭଳି ସମ୍ମାନ ପାଇଥାନ୍ତି, କିନ୍ତୁ ଦାଦୁଙ୍କ ଜୀବନରେ ସେ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି। ଦୃଷ୍ଟିଶକ୍ତି ନଥିବା କାରଣରୁ, ଦାଦୁ କେବଳ ଶୁଣି ଶୁଣି ମନେ ରଖିବା ଜରିଆରେ ତାଙ୍କ ଗୀତସବୁକୁ ସାଇତି ରଖିଛନ୍ତି। ସେ ୨,୦୦୦ରୁ ଅଧିକ ଗୀତ ମନେ ରଖିଛନ୍ତି। କେବଳ ଗୀତ ନୁହେଁ, ଗୀତ ବିଷୟରେ ସବୁକିଛି – ଯଥା କେତେବେଳେ ଏହା ଲେଖା ହୋଇଥିଲା, ଏହାର ପରିଦୃଶ୍ୟ, ମୂଳ ସ୍ୱର…. ଦାଦୁ ଆପଣଙ୍କୁ ସବୁକିଛି କହିପାରିବେ। ସେ ମଧ୍ୟ ବାମନଦାଦାଙ୍କ ଜାତିବିରୋଧୀ ଗୀତ ସଂଯୋଜନା କରିଛନ୍ତି ଯାହାକି ମହାରାଷ୍ଟ୍ରରେ ବ୍ୟାପକ ଭାବେ ବୋଲାଯାଇଥାଏ।

ସଙ୍ଗୀତ ଶିକ୍ଷା ହାସଲ କରିଥିବା କାରଣରୁ, ଦାଦୁ ବାମନଦାଦାଙ୍କଠାରୁ ଗୋଟିଏ ପାଦ ଆଗରେ ରହିଥିଲେ- ସେ ଏକ କବିତା କିମ୍ବା ଗୀତର ସ୍ୱର, ଲୟ, ତାଳ ଏବଂ ଛନ୍ଦର ପରିଭାଷାକୁ ଜାଣିଥିଲେ। ସେ ନିଜ ଗୁରୁଙ୍କ ସହିତ ପ୍ରାୟତଃ ଏ ବିଷୟରେ ଆଲୋଚନା କରିଥାନ୍ତି; ଗୁରୁଙ୍କ ମୃତ୍ୟୁ ପରେ ସେ ତାଙ୍କର ଅନେକ ଗୀତର ସ୍ୱର ସଂଯୋଜନା କରିଛନ୍ତି ଏବଂ କିଛି ପୁରୁଣା ସ୍ୱରକୁ ପୁନର୍ବାର ସଙ୍ଗୀତରେ ସଜାଇଛନ୍ତି। ଆମକୁ ତାହା ଦର୍ଶାଇବା ଲାଗି ସେ ପ୍ରଥମେ ବାମନଦାଦାଙ୍କ ମୂଳ ଗୀତ ଶୁଣାଇଥିଲେ ଏବଂ ତା’ପରେ ନିଜର ସ୍ୱର ସଂଯୋଜନା ଶୁଣାଇ ଫରକ ବିଷୟରେ କହିଥିଲେ।

भीमा तुझ्या मताचे जरी पाच लोक असते
तलवारीचे तयांच्या न्यारेच टोक असते

ହେ ଭୀମ! ଯଦିଓ ମାତ୍ର ପାଞ୍ଚ ଜଣ ଆପଣଙ୍କ ସହିତ ସହମତ ଅଛନ୍ତି
ସେମାନଙ୍କର ଅସ୍ତ୍ର ଅନ୍ୟମାନଙ୍କଠାରୁ ଧାରୁଆ ହେବ

ସେ ବାମନଦାଦାଙ୍କର ଏତେ ବିଶ୍ୱସ୍ତ ଥିଲେ ଯେ ତାଙ୍କର ଗୁରୁ ତାଙ୍କୁ ନିଜ ମୃତ୍ୟୁ ବିଷୟରେ ମଧ୍ୟ ଏକ ଗୀତ ଦେଇଥିଲେ।

राहील विश्व सारे, जाईन मी उद्याला
निर्वाण गौतमाचे, पाहीन मी उद्याला

ଦୁନିଆ ସେମିତି ରହିଛି, କିନ୍ତୁ ମୁଁ ଚାଲି ଯାଉଛି
ଆଉ ମୁଁ ଗୌତମଙ୍କ ନିର୍ବାଣର ସାକ୍ଷୀ ରହିଛି

ଦାଦୁ ଏହାକୁ ଏକ ଶାନ୍ତିଦାୟକ ସ୍ୱରରେ ସଜାଇ ଥିଲେ ଏବଂ ଜଲସା ରେ ପରିବେଷଣ କରିଥିଲେ।

*****

ଦାଦୁଙ୍କ ଜୀବନ ଓ ରାଜନୀତିରେ ସଙ୍ଗୀତ ଏକ ଅଭିନ୍ନ ଅଙ୍ଗ।

ସେ ଏପରି ଏକ ସମୟରେ ଗୀତ ଗାଇଥିଲେ ଯେତେବେଳେ ଆମ୍ବେଦକରଙ୍କ ଉପରେ ପ୍ରସିଦ୍ଧ ଲୋକଗୀତ ଓ ସଙ୍ଗୀତର ସ୍ଥିତି ସୁଦୃଢ଼ ହେଉଥିଲା। ଭୀମରାଓ କର୍ଦକ, ଲୋକକବି ଅର୍ଜୁନ ଭାଲେରାଓ, ବୁଲଦାନାର କେଦାର ଭ୍ରାତା, ପୁଣେର ରାଜାନନ୍ଦ ଗଡ଼ପାୟଲେ, ଶ୍ରବଣ ୟଶବନ୍ତେ ଏବଂ ବାମନଦାଦା କର୍ଦକ ଏହି ଲୋକପ୍ରିୟ ଗୀତର ଗୁରୁ ଥିଲେ।

ଦାଦୁ ଏଥିମଧ୍ୟରୁ ଅନେକ ଗୀତକୁ ନିଜ ସଙ୍ଗୀତ ପ୍ରତିଭା ଏବଂ ନିଜ ସ୍ୱର ବଳରେ ଲୋକପ୍ରିୟ କରାଇଥିଲେ ଏବଂ ସଙ୍ଗୀତର ଏହି ସମ୍ପତ୍ତିକୁ ନେଇ ଗ୍ରାମାଞ୍ଚଳରେ ପହଞ୍ଚାଇଥିଲେ। ଏସବୁ ଗୀତ ଜରିଆରେ ହିଁ ଆମ୍ବେଦକରଙ୍କ ପରଲୋକ ପରେ ଜନ୍ମିତ ପିଢ଼ି ତାଙ୍କ ଜୀବନ, ତାଙ୍କ କାର୍ଯ୍ୟ ଓ ତାଙ୍କର ବାର୍ତ୍ତା ବିଷୟରେ ଜାଣିବାକୁ ପାଇଥିଲେ। ବର୍ତ୍ତମାନର ପିଢ଼ିଙ୍କ ମଧ୍ୟରେ ଏହି ଆନ୍ଦୋଳନକୁ ଆଗକୁ ନେବା ଏବଂ ସେମାନଙ୍କର ପ୍ରତିବଦ୍ଧତାକୁ ନିର୍ମାଣ କରିବାରେ ଦାଦୁ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଅନେକ କବି ଚାଷ ଜମିରେ ପରିଶ୍ରମରତ ଚାଷୀଙ୍କ ସଂଘର୍ଷ ଓ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବା ଲାଗି ଲଢ଼େଇ କରୁଥିବା ଦଳିତମାନଙ୍କ ସଂଘର୍ଷକୁ ପଦ୍ୟରେ ସଜାଇଥିଲେ। ସେମାନେ ତଥାଗତ ବୁଦ୍ଧ, କବୀର, ଜୋତିବା ଫୁଲେ ଏବଂ ଡକ୍ଟର ଆମ୍ବେଦକରଙ୍କ ଜୀବନ ଓ ବ୍ୟକ୍ତିତ୍ୱର ବାର୍ତ୍ତାକୁ ପ୍ରଚାର କରିବା ଲାଗି ଗୀତ ଲେଖିଥିଲେ। ଯେଉଁ ଲୋକମାନେ ପଢ଼ି କିମ୍ବା ଲେଖି ପାରୁନଥିଲେ, ଏ ଗୀତଗୁଡ଼ିକ ସେମାନଙ୍କ ପାଇଁ ଶିକ୍ଷା ଥିଲା। ଦାଦୁ ସାଲଭେ ନିଜ ସଙ୍ଗୀତ ଓ ହାର୍ମୋନିୟମ ଜରିଆରେ ଏସବୁ ଗୀତକୁ ଅଧିକରୁ ଅଧିକ ଲୋକଙ୍କ ପାଖକୁ ନେଇଯାଇଥିଲେ। ଏସବୁ ଗୀତ ଲୋକମାନଙ୍କ ଚେତନାର ଏକ ଅଭିନ୍ନ ଅଙ୍ଗ ହୋଇପାରିଥିଲା।

ଏସବୁ ଗୀତର ବାର୍ତ୍ତା ଏବଂ ଶାହୀର ମାନଙ୍କ ଦ୍ୱାରା ସେଗୁଡ଼ିକର ଶକ୍ତିଶାଳୀ ଉଚ୍ଚାରଣ ଗ୍ରାମାଞ୍ଚଳରେ ଜାତିପ୍ରଥା ବିରୋଧୀ ଆନ୍ଦୋଳନକୁ ପ୍ରସାରିତ କରିବାରେ ସହାୟକ ହୋଇଥିଲା। ଏସବୁ ଗୀତ ଆମ୍ବେଦକରଙ୍କ ଆନ୍ଦୋଳନରେ ଏକ ସକାରାତ୍ମକ ପ୍ରାଣଶକ୍ତି ସଞ୍ଚାର କରିଥିଲା ଏବଂ ସମାନତା ପାଇଁ ଲଢ଼େଇରେ ଦାଦୁ ନିଜକୁ ଜଣେ କ୍ଷୁଦ୍ର ସେନାନୀ ଭାବେ ବିବେଚନା କରୁଥିଲେ।

‘ଦାଦୁ ସାଲଭେ’ଙ୍କ ସ୍ୱର ଏବଂ ଦୂରଦୃଷ୍ଟି’ ବିଷୟରେ ଗବେଷକ ମେହବୁବ ଶେଖ କଥା ହେଉଥିବା ଦେଖନ୍ତୁ

ଏସବୁ ଗୀତକୁ ସେ କେବେ ବି ରୋଜଗାରର ମାଧ୍ୟମ କରିନଥିଲେ। ତାଙ୍କ ପାଇଁ ଏହା ଏକ ଲକ୍ଷ୍ୟ ଥିଲା। କିନ୍ତୁ, ଆଜି ୭୨ ବର୍ଷ ବୟସରେ ସେ ନିଜର ସେହି ଅଧିକାଂଶ ସାହସ ଓ ଶକ୍ତି ହରାଇଛନ୍ତି। ୨୦୦୫ରେ ତାଙ୍କର ଏକମାତ୍ର ପୁଅ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ତାଙ୍କର ବୋହୂ ଓ ତିନି ଜଣ ନାତିନାତୁଣୀଙ୍କ କଥା ତାଙ୍କୁ ବୁଝିବାକୁ ପଡ଼ୁଥିଲା। ପରେ, ତାଙ୍କର ବୋହୂ ଯେତେବେଳେ ପୁନର୍ବିବାହ କରିବାକୁ ଚାହିଁଲେ, ଦାଦୁ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇଥିଲେ। ସେ ଓ ତାଙ୍କର ପତ୍ନୀ ଦେବବାଈ ଏହି ଛୋଟ ବଖୁରିକିଆ ଘରକୁ ଚାଲିଆସିଥିଲେ। ୬୫ ବର୍ଷ ବୟସ୍କା ଦେବବାଇ ଏବେ ଅସୁସ୍ଥ ଓ ଶଯ୍ୟାଶାୟୀ। ଲୋକ କଳାକାରମାନଙ୍କୁ ମିଳୁଥିବା ସ୍ୱଳ୍ପ ଭତ୍ତାରେ ଏହି ବୃଦ୍ଧ ଦମ୍ପତିଙ୍କୁ ଚଳିବାକୁ ପଡ଼ୁଛି। ଏତେ କଷ୍ଟ ସହିବା ସତ୍ତ୍ୱେ ଆମ୍ବେଦକରବାଦୀ ଆନ୍ଦୋଳନ ଏବଂ ସଙ୍ଗୀତ ପ୍ରତି ତାଙ୍କ ସମର୍ପଣ ଏବେ ସୁଦ୍ଧା ବଜାୟ ରହିଛି।

ବର୍ତ୍ତମାନ ପ୍ରଚଳିତ ସଙ୍ଗୀତଗୁଡ଼ିକୁ ଦାଦୁ ମାନ୍ୟତା ଦିଅନ୍ତି ନାହିଁ। ‘‘ଆଜିର କଳାକାରମାନେ ଏସବୁ ଗୀତକୁ ବିକ୍ରି କରୁଛନ୍ତି। ସେମାନେ ନିଜର ବିଦାଗୀ (ପାରିଶ୍ରମିକ) ଓ ପ୍ରତିଷ୍ଠା ପାଇଁ ଆଗ୍ରହୀ। ଏହା ଦେଖିବା ବେଶ କଷ୍ଟକର,’’ ସେ ଦୁଃଖର ସହିତ କୁହନ୍ତି।

ଆମ ଭିତରୁ ଯେଉଁମାନେ ଦାଦୁ ସାଲଭେଙ୍କୁ ତାଙ୍କର ପରିଚିତ ଗୀତଗୁଡ଼ିକୁ ସ୍ମରଣ କରିବା, ନିଜର ହାର୍ମୋନିୟମ ବଜାଇବାର ଦେଖିଛନ୍ତି ସେମାନେ ଜାଣିଛନ୍ତି ଯେ ସେ କେବଳ ଆମ୍ବେଦକର ଓ ବାମନଦାଦାଙ୍କ ବିଷୟରେ ଉଲ୍ଲେଖ କରିଥାନ୍ତି, ଏହା ଆମକୁ ଆଶାବାଦୀ କରି ଦେଇଥାଏ ଏବଂ ହତାଶା ଓ ନିରାଶା ମଧ୍ୟରୁ ବାହାରିବାରେ ସାହାଯ୍ୟ କରିଥାଏ।

ଶାହିରମାନଙ୍କ ଅମରବାଣୀ ଏବଂ ନିଜ ସ୍ୱର ମାଧ୍ୟମରେ ଦାଦୁ ସେହି ନୂଆ ଚେତନାର ସୂତ୍ରପାତ କରିଛନ୍ତି ଯାହାକୁ ବାବାସାହେବ ଆମ୍ବେଦକର ସମସ୍ତଙ୍କ ପାଇଁ ଆଣିଥିଲେ। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହି ଦଳିତ ଶାହିରୀ  ଆହୁରି ଅନେକ ସାମାଜିକ କଳୁଷତାର ମୁକାବିଲା କରିଥିଲେ ଏବଂ ଅନ୍ୟାୟ ଓ ପକ୍ଷପାତ ବିରୋଧରେ ଲଢ଼େଇ କରିଥିଲେ। ଦାଦୁ ସାଲଭେଙ୍କ ସ୍ୱର ଚାରି ଆଡ଼େ ଗୁଞ୍ଜରିତ ହୋଇଥାଏ।

ଆମେ ଆମ ସାକ୍ଷାତକାର ସାରିବାକୁ ଯାଉଥିବା ବେଳେ ଦାଦୁ କ୍ଳାନ୍ତ ଦେଖାଯାଉଛନ୍ତି ଏବଂ ନିଜ ଶଯ୍ୟାରେ ଶୋଇବାକୁ ଚାଲି ଆସୁଛନ୍ତି। ମୁଁ ଯେତେବେଳେ ତାଙ୍କୁ କିଛି ନୂଆ ଗୀତ ବିଷୟରେ ପଚାରୁଛି, ସେ ପୁଣି ଥରେ ଧ୍ୟାନ ଦେଇ କହୁଛନ୍ତି, ‘‘ଏ ଗୀତଗୁଡ଼ିକୁ କାହାଦ୍ୱାରା ପଢ଼ାଇ ଦିଅନ୍ତୁ, ମୁଁ ପୁଣିଥରେ ଆପଣଙ୍କ ପାଇଁ ସ୍ୱର ଦେଇ ଗାଇଦେବି।’’

ଆମ୍ବେଦକରବାଦୀ ଆନ୍ଦୋଳନର ଏହି ମହାନ ସୈନିକ ଏବେବି ଅସମାନତା ବିରୋଧରେ ଲଢ଼ିବା ଏବଂ ଦୀର୍ଘସ୍ଥାୟୀ ସାମାଜିକ ପରିବର୍ତ୍ତନ ଆଣିବା ଲାଗି ନିଜ ସ୍ୱରକୁ ଉପଯୋଗ କରିବା ଓ ହାର୍ମୋନିୟମ ବଜାଇବା ଲାଗି ଆଗ୍ରହୀ ଅଛନ୍ତି।


ଏହି ଲେଖାର ମୂଳରୂପ ମରାଠୀ ଭାଷାରେ ଲେଖାଯାଇଥିଲା

ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହଭାଗିତାରେ ଇଣ୍ଡିଆ ଫାଉଣ୍ଡେସନ ଫର୍‌ ଦ ଆର୍ଟସ୍‌ ପକ୍ଷରୁ ସେମାନଙ୍କର ଆର୍କାଇଭ୍ସ ଓ ମ୍ୟୁଜିୟମ ପ୍ରୋଗ୍ରାମ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ‘ଇନଫ୍ଲୁଏନ୍ସିଆଲ ଶାହିର୍ସ, ନ୍ୟାରେଟିଭ୍ସ ଫ୍ରମ ମରାଠୱାଡ଼ା’ ଶୀର୍ଷକ  ପ୍ରକଳ୍ପ ସଂଗ୍ରହର ଏକ ଅଂଶବିଶେଷ ଭାବେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ନୂଆଦିଲ୍ଲୀର ଗେଟେ ଇନଷ୍ଟିଚ୍ୟୁଟ/ମାକ୍ସ ମୁଲର ଭବନର ଆଂଶିକ ସହଯୋଗରେ ଏହା ସମ୍ଭବ ହୋଇପାରିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Keshav Waghmare

କେଶବ ୱାଘମାରେ ମହାରାଷ୍ଟ୍ରର ପୁଣେଠାରେ ଅବସ୍ଥାପିତ ଜଣେ ଲେଖକ ଓ ଗବେଷକ। ସେ ୨୦୧୨ରେ ଗଠିତ ହୋଇଥିବା ଦଳିତ ଆଦିବାସୀ ଅଧିକାର ଆନ୍ଦୋଳନ (ଡିଏଏଏ)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ବହୁ ବର୍ଷ ଧରି ମରାଠୱାଡ଼ା ସମ୍ପ୍ରଦାୟକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Keshav Waghmare
Editor : Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ମେଧା କାଲେ
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE