“ମୁଁ ଏଥିରେ ସୁନେଲି ବର୍ଡର ଆଉ କିଛି ପ୍ଲିଟ୍‌ ଲଗାଇ ଦେବି। ଆମେ ଏହାର ହାତରେ କିଛି କଟ୍‌-ଆଉଟ୍‌ ବି ଲଗାଇ ପାରିବା, ହେଲେ ସେଥିପାଇଁ ଆଉ ୩୦ ଟଙ୍କା ଲାଗିବ।”

ଏ ସବୁ ହେଲା ଗ୍ରାହକମାନଙ୍କ ସହିତ ଶାରଦା ମକୱାନାଙ୍କ ନିତିଦିନିଆ କଥାବାର୍ତ୍ତାର କେତେକ ଅଂଶ । ସେ କହନ୍ତି ଯେ, କେତେକ ଗ୍ରାହକ, ବ୍ଲାଉଜ୍‌ରେ ହାତର ଲମ୍ବା କେତେ ରହିବ, ଏଥିରେ କି ପ୍ରକାରର ଲେସ୍‌ ବା ଫିତା ଲାଗିବ ଏବଂ ପିଠି ପଟ ଖୋଲା ରଖି ଶାଢ଼ି ସହିତ ପିନ୍ଧାଯାଉଥିବା ବ୍ଲାଉଜ୍‌ର ଫିତାରେ କେତେ ଓଜନର ଟାସେଲ୍‌ ବା ଗୁଚ୍ଛ ଲାଗିବ ପ୍ରଭୃତି ବିଷୟରେ ଖୁବ୍‌ ସଚେତନ । “ମୁଁ କପଡ଼ାରେ ଫୁଲ ତିଆରି କରିପାରେ ଏବଂ ସୁନ୍ଦର ଦେଖାଯିବା ପାଇଁ ବ୍ଲାଉଜରେ ଲଗାଇ ପାରେ,” ନିଜ ଦକ୍ଷତାକୁ ନେଇ ଗର୍ବର ସହ ସେ କହନ୍ତି ଏବଂ ଠିକ୍‌ କେମିତି ଏହା କରିବାକୁ ହୁଏ ତାହା ଆମକୁ କରି ଦେଖାଇ ଦିଅନ୍ତି।

କୁଶଲଗଡ଼ର ମହିଳାମାନଙ୍କର ମନପସନ୍ଦର ଫେସନ୍‌ ପରାମର୍ଶଦାତା କହିଲେ ଶାରଦା ଓ ତାଙ୍କ ଭଳି ଏଠାକାର ଅନ୍ୟ ଶାଢ଼ି-ବ୍ଲାଉଜ୍‌ କାରିଗରମାନଙ୍କୁ ବୁଝାଏ । କାହିଁକି ନା, ଶାଢ଼ି ପିନ୍ଧୁଥିବା ଏଠାକାର ପ୍ରାୟ ସବୁ ଝିଅ ଓ ମହିଳା, ୮୦  ସେଣ୍ଟିମିଟରର ସେହି କପଡ଼ା ଖଣ୍ଡଟିକୁ ସିଲେଇ କରିବା ଲାଗି ଦରଜି ଦରକାର କରନ୍ତି।

ଅନ୍ୟଥା ପୁରୁଷ ପ୍ରଧାନ ଏକ ସମାଜରେ, ଯେଉଁଠି ମହିଳାମାନଙ୍କୁ ସର୍ବସାଧାରଣ ବୈଠକରେ ସ୍ୱର ଉଠାଇବାର ସୁଯୋଗ ମିଳେନି, ଏବଂ ଯେଉଁଠି ଜନ୍ମକାଳୀନ ହିସାବ ଭିତ୍ତିରେ ପ୍ରତି ୧,୦୦୦ ପୁରୁଷ ପିଛା ମହିଳାଙ୍କ ସଂଖ୍ୟା ୮୭୯ ଭଳି ପୁରୁଷ ତୁଳନାରେ ମହିଳାଙ୍କ ହାର ଉଦ୍‌ବେଗଜନକ (ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ, ଏନ୍‌ଏଫଏଚ୍‌ଏସ୍‌- ୫ ), ମହିଳାଙ୍କ ପୋଷାକ ପରିଧାନ ଉପରେ ସେମାନଙ୍କର ହିଁ କର୍ତ୍ତୃତ୍ୱ ରହିବା କିଛିଟା ଉତ୍ସାହଜନକ ମନେ ହୁଏ।

ରାଜସ୍ଥାନର ବାଂଶୱାଡ଼ା ଜିଲ୍ଲା ଅନ୍ତର୍ଗତ ଏହି ଛୋଟିଆ ସହର ସାରା ଦରଜି ଦୋକାନ । ପୁରୁଷଙ୍କ ପୋଷାକ ସିଲେଇ କରୁଥିବା ଦରଜିମାନେ ମୁଖ୍ୟତଃ ଦୁଇ ପ୍ରକାରର । ଶାର୍ଟ ଓ ପ୍ୟାଣ୍ଟ ସିଲେଇ କରୁଥିବା ଦରଜି ଏବଂ  କୁର୍ତ୍ତା ଭଳି ବିବାହକାଳୀନ ପରିଧାନ, ଏମିତି କି ଶୀତ ଦିନେ ବରପାତ୍ର ପାଇଁ କୋଟ୍‌ ସିଲେଇ କରୁଥିବା ଦରଜି । ଉଭୟଙ୍କ କାମ ପ୍ରାୟତଃ ଧରାବନ୍ଧା ରୀତିର, କେବେ କେମିତି ହାଲୁକା ଗୋଲାପି କିମ୍ବା ଲାଲ ରଙ୍ଗ ବ୍ୟତୀତ ସବୁବେଳେ ସେମିତି ସେଇ ଗୋଟିଏ ରଙ୍ଗର କପଡ଼ାରେ କାମ।

PHOTO • Priti David
PHOTO • Priti David

ବାମ : ବାଂଶୱାଡ଼ାର କୁଶଲଗଡ଼ରେ ଗୋଟିଏ ଦୋକାନ ଭର୍ତ୍ତି ରାସ୍ତାର ଦୃଶ୍ୟ । ଡାହାଣ : ତାଙ୍କ ଦୋକାନ ଆଗରେ ଠିଆ ହୋଇଛନ୍ତି ଶାରଦା ମକୱାନା

ଅନ୍ୟପକ୍ଷରେ ଶାଢ଼ି-ବ୍ଲାଉଜ୍‌ ଦରଜିମାନଙ୍କ ଦୋକାନରେ ସତେ ଯେମିତି ବିଭିନ୍ନ ରଙ୍ଗର ସମାବେଶ, କୁଞ୍ଚକୁଞ୍ଚିଆ ଟାସେଲ, ଚକ୍‌ଚକିଆ ଗୋଟା (ସୁନେଲି ଓ ରୁପେଲି ରଙ୍ଗର ବ୍ଲାଉଜ୍‌ ଧାର), ଏବଂ ଦୋକାନ ସାରା ବିଛେଇ ହୋଇ ପଡ଼ିଥିବା ବିଭିନ୍ନ ରଙ୍ଗର କପଡ଼ା ଖଣ୍ଡ । “ଆପଣ ଆଉ କିଛି ସପ୍ତାହ ପରେ, ବିବାହ ଋତୁ ଆରମ୍ଭ ସମୟରେ ଆସିବା କଥା,” କହିଲା ବେଳେ ଉଦ୍‌ଭାସିତ ହୋଇଉଠେ ୩୬ ବର୍ଷୀୟା ଶାରଦାଙ୍କ ମୁଖମଣ୍ଡଳ । “ସେତେବେଳକୁ ମୁଁ ଖୁବ୍‌ ବ୍ୟସ୍ତ ରହୁଥିବି ।” କେବଳ ବର୍ଷା ଋତୁକୁ ହିଁ ସେ ନାପସନ୍ଦ କରନ୍ତି । ଏହି ସମୟରେ କେହି ବାହାରକୁ ବାହାରନ୍ତିନି ଏବଂ ତାଙ୍କ କାରବାର ମାନ୍ଦା ହୋଇଯାଏ ।

ଶାରଦାଙ୍କ ଅନୁମାନ ଅନୁସାରେ, ୧୦,୬୬୬ ଲୋକସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ଏହି ଛୋଟିଆ ସହରରେ  ୪୦୦ରୁ ୫୦୦ ବ୍ଲାଉଜ କାରିଗର ଅଛନ୍ତି । ହେଲେ. କୁଶଲଗଡ଼ ବାଂଶୱାଡ଼ାର ବୃହତ୍ତମ ତହସିଲ ଏବଂ ଏହାର ଲୋକସଂଖ୍ୟା ୩ ଲକ୍ଷରୁ ଅଧିକ । ଏବଂ ତାଙ୍କ ଗ୍ରାହକମାନେ ୨୫ କିଲୋମିଟର ଦୂରରୁ ବି ଆସନ୍ତି । “ଉକାଲା, ବାଓଲିପଡ଼ା, ସର୍ବା, ରାମଗଡ଼ ଏବଂ ଅନ୍ୟାନ୍ୟ ଗାଁରେ ମୋର ଗ୍ରାହକମାନେ ଅଛନ୍ତି,” ସେ କହନ୍ତି, । “ଥରେ ମୋ ପାଖକୁ ଆସିବା ପରେ ସେମାନେ ଆଉ କାହା ପାଖକୁ ଯାଆନ୍ତି ନାହିଁ,” ଅଳ୍ପ ହସି ସେ କହନ୍ତି । ତାଙ୍କ କହିବା କଥା ଯେ ତାଙ୍କ ପାଖକୁ ଆସୁଥିବା ଗ୍ରାହକମାନେ ଲୁଗାପଟା ସଂପର୍କରେ ତ କହନ୍ତି, ତା ସହିତ ସାଧାରଣ ଜୀବନ ଯାତ୍ରା, ସେମାନଙ୍କ ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ଭବିଷ୍ୟତ କଥା ବି କହନ୍ତି ।

କାମ ଆରମ୍ଭ କରିବା ସମୟରେ ସେ ୭,୦୦୦ ଟଙ୍କା ଦେଇ ଗୋଟିଏ ସିଙ୍ଗର ସିଲେଇ ମେସିନ କିଣିଥିଲେ ଏବଂ ଦୁଇ ବର୍ଷ ପରେ, ଶାଢ଼ିରେ ପିକୋ (ଧାରରେ ଲାଗୁଥିବା କପଡ଼ା) ଲଗାଇବା ଭଳି ଛୋଟମୋଟ କାମ କରିବାକୁ ଗୋଟିଏ ପୁରୁଣା ଉଷା ସିଲେଇ ମେସିନ୍‌ କିଣିଲେ । ପିକୋ ଲଗାଇବା ଲାଗି ଶାଢ଼ି ପିଛା ୧୦ ଟଙ୍କା ମିଳେ । ସେ ପେଟିକୋଟ୍‌ ଏବଂ ପଟିଆଲା ସୁଟ୍‌ ( ଶାଲୱାର କାମିଜ୍‌ ) ମଧ୍ୟ ସିଲେଇ କରନ୍ତି ଏବଂ ଏଥିପାଇଁ ଯଥାକ୍ରମେ ୬୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ପାଉଣା ନିଅନ୍ତି ।

ସେ ମଧ୍ୟ ଜଣେ ବିୟୁଟିସିଆନ୍‌ ଭାବରେ କାମ କରି ରୋଜଗାର କରନ୍ତି । ତାଙ୍କ ଦୋକାନ ପଛପଟେ, ସେଲୁନ୍‌ରେ କେଶବିନ୍ୟାସ ଲାଗି ବ୍ୟବହୃତ ହେଉଥିବା ଏକ ଚଉକି, ଗୋଟିଏ ବଡ଼ ଦର୍ପଣ ଏବଂ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ରହିଛି । ତାଙ୍କର ବିଭିନ୍ନ ସୌନ୍ଦର୍ଯ୍ୟ ଚର୍ଚ୍ଚା ସେବା ମଧ୍ୟରେ ରହିଛି ଭ୍ରୂଲତା ସଜେଇବା ବା ଥ୍ରେଡିଂ, ଶରୀରରୁ ଲୋମ ବାହାର କରିବା, ବ୍ଲିଚିଂ ଏବଂ ଛୋଟପିଲାମାନଙ୍କର, ବିଶେଷତଃ ଅମାନିଆ ଶିଶୁମାନଙ୍କର କେଶ କାଟିବା । ଏ ସବୁ ଲାଗି ସେ ୩୦ରୁ ୯୦ ଟଙ୍କା ପର୍ଯ୍ୟନ୍ତ ପାଉଣା ନିଅନ୍ତି । “ବଡ଼ ବଡ଼ ପାର୍ଲରକୁ ମହିଳାମାନେ ଫେସିଆଲ୍ (ମୁଖମଣ୍ଡଳ ପ୍ରସାଧନ) ପାଇଁ ଯାଆନ୍ତି,” ସେ ସୂଚାଇ ଦିଅନ୍ତି ।

PHOTO • Priti David
PHOTO • Priti David

ଦୋକାନର ସାମନା ପଟ ଶାରଦାଙ୍କ ହାତ ତିଆରି ବ୍ଲାଉଜ୍‌ରେ ଭରି ରହିଥିବା (ଡାହାଣ) ବେଳେ ପଛ ପଟେ ଗୋଟିଏ କେଶବିନ୍ୟାସ ଲାଗି ଉଦ୍ଦିଷ୍ଟ ଚଉକି, ବଡ଼ ଦର୍ପଣ ଏବଂ ପ୍ରସାଧନ ସାମଗ୍ରୀ (ବାମ) ରହିଛି

ତାଙ୍କୁ ଦେଖା କରିବାକୁ ହେଲେ ଆପଣଙ୍କୁ କୁଶଲଗଡ଼ର ମୁଖ୍ୟ ବଜାରକୁ ଯିବାକୁ ପଡ଼ିବ। ସେଠାକାର ଏକାଧିକ ବସ୍‌ ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୪୦ ଖଣ୍ଡ ବସ୍‌ ଛାଡ଼ିଥାଏ । ଏସବୁ ବସ୍‌ରେ ଗୁଜରାଟ ଓ ମଧ୍ୟ ପ୍ରଦେଶକୁ ପ୍ରବାସୀ ଶ୍ରମିକମାନେ ଯାଇଥାଆନ୍ତି। ବାଂଶୱାଡ଼ା ଜିଲ୍ଲାର ଚାଷବାସ କେବଳ ବର୍ଷାପାଣି ଉପରେ ନିର୍ଭର କରେ ଏବଂ ଏଠାରେ ଜୀବିକାର ଅନ୍ୟ ପନ୍ଥା ନଥିବାରୁ ଏଠାକାର ବହୁ ଲୋକ ଅଭାବରେ ପଡ଼ି କାମଧନ୍ଦା ଖୋଜିବାକୁ ଅନ୍ୟ ରାଜ୍ୟକୁ ଯାଆନ୍ତି ।

ସକାଳୁ ସକାଳୁ ପୋହା (ଚୁଡ଼ା) ଓ ଜଲେବି (ଜିଲାପି) ବିକୁଥିବା ଛୋଟ ଛୋଟ ମିଠା ଦୋକାନରେ ଲାଗି ରହିଥିବା ଭିଡ଼ କାଟି ଆଗକୁ ଗଲେ ପଡ଼େ ସହରର ପାଞ୍ଚାଲ ମୋହଲ୍ଲା ଏବଂ ସେହିଠାରେ ହିଁ ଶାରଦାଙ୍କର ବଖୁରିକିଆ ଦରଜି ଦୋକାନ ତଥା ବିୟୁଟି ପାର୍ଲର ।

ଆଠ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିଲେ ଏହି ୩୬ ବର୍ଷୀୟା ମହିଳା । ତାଙ୍କ ସ୍ୱାମୀ ଥିଲେ ଟ୍ୟାକ୍‌ସି ଡ୍ରାଇଭର ଏବଂ ଯକୃତ ରୋଗ ସହିତ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଥିଲେ । ଶାରଦା ଏବଂ ତାଙ୍କ ପିଲାମାନେ ଏବେ ଶୁର ଘରେ ଏବଂ ତାଙ୍କ ସ୍ୱର୍ଗତ ପତିଙ୍କ ଭାଇଙ୍କ ପରିବାର ସହ ରହୁଛନ୍ତି ।

ଜଣେ ଭଦ୍ରମହିଳାଙ୍କ ସହିତ ଆକସ୍ମିକ ଦେଖାସାକ୍ଷାତରୁ ହିଁ ତାଙ୍କ ଜୀବନର ଗତି ବଦଳି ଗଲା ବୋଲି କହନ୍ତି ଏହି ବିଧବା ଯୁବତୀ ଜଣକ । “ଅଙ୍ଗନବାଡ଼ିରେ ମୁଁ ଜଣେ ମ୍ୟାଡାମଙ୍କୁ ଭେଟିଲି ଏବଂ ସାକ୍ଷୀ’ କେନ୍ଦ୍ରକୁ ଆସି ଯାହା କିଛି ଶିଖିବାକୁ ଚାହୁଁଛ ଶିଖିବାକୁ ଚେଷ୍ଟା କର ବୋଲି ସେ ମୋତେ କହିଲେ । ଏହି କେନ୍ଦ୍ର ଏକ ଅଣ-ଲାଭକରୀ କାର୍ଯ୍ୟକ୍ରମର ଅଂଶବିଶେଷ ଏବଂ ଏଥିରେ ଯୁବତୀମାନଙ୍କୁ ସେମାନଙ୍କ ବ୍ୟାବସାୟିକ ଦକ୍ଷତା ବୃଦ୍ଧି ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଏ । ନିର୍ଦ୍ଧାରିତ ସମୟ ସହିତ ଅନ୍ୟ ଯେ କୌଣସି ସମୟରେ ବି କେନ୍ଦ୍ରକୁ ଯାଇହୁଏ ଏବଂ ତେଣୁ ସେ ତାଙ୍କ ଘରକାମ ସାରି ସେଠାକୁ ଯାଆନ୍ତି । କେବେକେବେ ସେଠାରେ ସେ ଘଣ୍ଟାଏ ତ ଆଉ କେବେ ଅଧା ଦିନ କାଟି ଦିଅନ୍ତି । ଏହି କେନ୍ଦ୍ରରେ ଜଣ ପିଛା ୨୫୦ ଟଙ୍କା ହିସାବରେ ଛାତ୍ରୀମାନଙ୍କୁ ଦେୟ ଦେବାକୁ ପଡ଼େ ।

PHOTO • Priti David
PHOTO • Priti David

ଏକ ଅଣ ଲାଭକରୀ ଅଭିଯାନର ଅଂଶବିଶେଷ ଏବଂ ଯୁବତୀମାନଙ୍କୁ ସେମାନଙ୍କ ବ୍ୟାବସାୟିକ ଦକ୍ଷତା ବୃଦ୍ଧି ଦିଗରେ ତାଲିମ ଦେଉଥିବା ସାକ୍ଷୀ କେନ୍ଦ୍ରରେ ଶାରଦା ସିଲେଇ କାମ ଶିଖିଲେ

PHOTO • Priti David
PHOTO • Priti David

ତିନି ପିଲାଙ୍କୁ ଶାରଦାଙ୍କ ଦାୟି ତ୍ୱରେ ଛାଡ଼ି ଆଠ ବର୍ଷ ତଳେ ଆଖି ବୁଜିଥିଲେ ତାଙ୍କ ସ୍ୱାମୀ । ନିଜ ରୋଜଗାରରୁ ଏକ ଭିନ୍ନ ଅନୁଭୂତି ମିଳେ , ଶାରଦା କହନ୍ତି

“ମୋତେ ସିଲେଇ କାମ ଭଲ ଲାଗୁଥିଲା ଏବଂ ଆମକୁ ସେ ସଂପର୍କରେ ଭଲ ଭାବରେ ଶିକ୍ଷା ଦିଆଗଲା,” କଥା ଆଗକୁ ବଢ଼ାଇ କହନ୍ତି କୃତଜ୍ଞ ଶାରଦା । କେବଳ ବ୍ଲାଉଜ୍‌ ସିଲେଇ ନୁହେଁ, ଅନ୍ୟ କାମ ଶିଖିବାକୁ ବି ତାଙ୍କୁ ସେମାନେ ଉତ୍ସାହିତ କରିଥିଲେ । “ମୁଁ ସେମାନଙ୍କୁ କହିଲି, ମୋତେ ଆପଣ ଯାହା ଇଚ୍ଛା ତାହା ଶିଖାଇ ଦିଅନ୍ତୁ । ଏବଂ ୧୫ ଦିନ ଭିତରେ ମୁଁ ଏଥିରେ ଓସ୍ତାଦ୍‌ ହୋଇଗଲି ।” ନିଜର ଏହି ନୂଆ ଦକ୍ଷତାକୁ ସାଥୀରେ ନେଇ ନିଜର ଦୋକାନ ଖୋଲିବାକୁ ସ୍ଥିର କଲେ ଉଦ୍ୟମୀ ଶାରଦା।

କୁଛ ଔର ହି ମଜା ହୈ, ଖୁଦ କୀ କମାୟୀ (ନିଜ ରୋଜଗାରର କିଛିଟା ଅଲଗା ଅନୁଭୂତି ରହିଛି),” କହନ୍ତି ଏହି ତିନିଟି ପିଲାର ମାଆ ଜଣକ, ଯେ କି ନିତିଦିନିଆ ଖର୍ଚ୍ଚ ପାଇଁ ଶାଶୂଘର ଲୋକଙ୍କ ଉପରେ ନିର୍ଭର କରିବାକୁ ଚାହୁଁ ନଥିଲେ । “ମୋ ନିଜ ଗୋଡ଼ରେ ମୁଁ ଠିଆ ହେବାକୁ ଚାହେଁ।”

ତାଙ୍କ ବଡ଼ ଝିଅ ୨୦ ବର୍ଷୀୟା ଶିବାନୀ ନର୍ସ ହେବା ଲାଗି ବାଂଶୱାଡ଼ାର ଏକ କଲେଜରେ ପଢୁଥିବା ବେଳେ ୧୭ ବର୍ଷର ହର୍ଷିତା ଏବଂ ୧୨ ବର୍ଷର ଯୁବରାଜ କୁଶଲଗଡ଼ର ସ୍କୁଲରେ ପଢୁଛନ୍ତି । ସେ କହନ୍ତି, ତାଙ୍କ ପିଲାମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଗି ସରକାରୀ ସ୍କୁଲକୁ ପସନ୍ଦ କଲେ ଏବଂ ୧୧ଶ ଶ୍ରେଣୀକୁ ଆସିବା ପରେ ବେସରକାରୀ ସ୍କୁଲ ଛାଡ଼ି ଦେଲେ । “ବେସରକାରୀ ସ୍କୁଲରେ ଶିକ୍ଷକମାନେ ଖୁବ୍‌ ଶୀଘ୍ର ବଦଳୁ ଥାଆନ୍ତି।”

ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଶାରଦା ବିବାହ କରିଥିଲେ । ତାଙ୍କ ବଡ଼ଝିଅ ସେହି ବୟସରେ ପହଞ୍ଚିବା ବେଳେ ତା’ର ମାଆ ଅପେକ୍ଷା କରିବାକୁ ଚାହୁଁଥିଲେ ବି, ଏହି ବିଧବା ଯୁବତୀଙ୍କ କଥା କେହି ଶୁଣିଲେନି । ଆଜି ସେ ଓ ତାଙ୍କ ଝିଅ ସେ ସମୟରେ କାଗଜପତ୍ରରେ ହୋଇଥିବା ସେହି ବିବାହକୁ ରଦ୍ଦ କରିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଏହା ହେଲେ ହିଁ ତାଙ୍କ ଝିଅ ନିଜ ଜୀବନ ବିତାଇବାକୁ ମୁକ୍ତ ହୋଇପାରିବ।

ଶାରଦାଙ୍କ ଦୋକାନକୁ ଲାଗି ରହିଥିବା ଆଉ ଏକ ଦୋକାନ ଯେତେବେଳେ ଖାଲି ପଡ଼ିଲା, ସେ ତାଙ୍କର ଜଣେ ବାନ୍ଧବୀକୁ ଏଠାରେ ଦରଜି ଦୋକାନ କରିବାକୁ ପ୍ରବର୍ତ୍ତାଇଲେ । ତାଙ୍କ ବାନ୍ଧବୀ ମଧ୍ୟ ଜଣେ ବିଧବା ମାଆ । “ପ୍ରତି ମାସରେ ଭିନ୍ନ ଭିନ୍ନ ରୋଜଗାର ହେଉଥିଲେ ହେଁ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଥିବାରୁ ମୋତେ ଭଲ ଲାଗୁଛି।”

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Editor : Vishaka George

विशाखा जॉर्ज बंगळुरुस्थित पत्रकार आहे, तिने रॉयटर्ससोबत व्यापार प्रतिनिधी म्हणून काम केलं आहे. तिने एशियन कॉलेज ऑफ जर्नलिझममधून पदवी प्राप्त केली आहे. ग्रामीण भारताचं, त्यातही स्त्रिया आणि मुलांवर केंद्रित वार्तांकन करण्याची तिची इच्छा आहे.

यांचे इतर लिखाण विशाखा जॉर्ज
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE