ଆସନ୍ତୁ ଏବେ ମୂଳରୁ ଆରମ୍ଭ କରିବା...
୨୦୧୪ ପରଠାରୁ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ) ଭାରତୀୟ ବିବିଧତାର କାଳଜୟୀ କାହାଣୀକୁ ଲିପିବଦ୍ଧ କରି ଆସୁଛି। ଏହି କାହାଣୀ ଭାରତୀୟ ଭାଷାଗୁଡ଼ିକଠାରୁ ଆରମ୍ଭ ହୋଇଥାଏ। ଦେଶର ଗ୍ରାମାଞ୍ଚଳରେ ୮୩୩ ନିୟୁତ ଲୋକ ୭୦୦ ଭିନ୍ନ ଭିନ୍ନ ଭାଷାରେ କଥା ହୋଇଥାନ୍ତି, ୮୬ଟି ଭିନ୍ନ ଲିପି ବ୍ୟବହାର କରିଥାନ୍ତି। କୌଣସି ଲିପି ନଥିବା କଥିତ ଭାଷାଗୁଡ଼ିକ ସମେତ ଏସବୁ ଭାଷା ଭାରତୀୟ ସାଂସ୍କୃତିକ ବିବିଧତାର କେନ୍ଦ୍ରରେ ରହିଛନ୍ତି । ଏଗୁଡ଼ିକ ବିନା, ଲୋକମାନଙ୍କ କାହାଣୀକୁ ନେଇ ଏକ ସଂକଳନ ପ୍ରସ୍ତୁତିକୁ ସାକାର କରିବା ତ’ ଦୂରର କଥା ଏ ବିଷୟରେ କଳ୍ପନା ସୁଦ୍ଧା କରାଯାଇପାରିବ ନାହିଁ। ଏସବୁ ଭାରତୀୟ ଭାଷାଗୁଡ଼ିକରେ ଅନୁବାଦ ପରୀର ପ୍ରତ୍ୟେକ କାହାଣୀର ଯାତ୍ରାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।
‘‘ଏହି ସଂକଳ୍ପ ସାମ୍ବାଦିକତା ଜାଗତରେ ଅଗ୍ରଣୀ ଭାବେ ରହି ଆସିଛି; ଏହା ଅନୁବାଦକୁ ସାମାଜିକ ନ୍ୟାୟର ଦୃଷ୍ଟିକୋଣରେ ଦେଖିଥାଏ,’’ ସ୍ମିତା ଖାଟୋର କୁହନ୍ତି। ‘‘ଅଧିକାଂଶ ଗ୍ରାମୀଣ ଭାରତୀୟ ଏବେବି ଇଂରାଜୀ ଭାଷାଠାରୁ ଅନେକ ଆଲୋକବର୍ଷ ପଛରେ ରହିଥିବା ସମୟରେ, ଜ୍ଞାନର ସୃଷ୍ଟି ଓ ବିତରଣ ଯେପରି ଇଂରାଜୀ-ଶିକ୍ଷିତ, ଇଂରାଜୀ କହୁଥିବା ସ୍ୱଚ୍ଛଳ ବର୍ଗଙ୍କ ମଧ୍ୟରେ ସୀମିତ ନରହିବ ତାହା ପରୀ ସୁନିଶ୍ଚିତ କରିଥାଏ।’’
ସମ୍ପାଦକ ଓ ଅନୁବାଦକମାନଙ୍କୁ ନେଇ ଆମର ଟିମ୍ ବାରମ୍ବାର ଶବ୍ବଗୁଡ଼ିକର ସାଂସ୍କୃତିକ ପୃଷ୍ଠଭୂମି, ବାକ୍ୟାଂଶଗୁଡ଼ିକର ଉପଯୁକ୍ତ ପ୍ରୟୋଗ ଏବଂ ଆହୁରି ଅନେକ ବିଷୟ ଉପରେ ଲଗାତାର ବିତର୍କ, ଆଲୋଚନା ଓ ତଥ୍ୟ ଆଦାନପ୍ରଦାନ କରିଥାନ୍ତି। କିଛି ଦିନ ପୂର୍ବର କଥା...
ସ୍ମିତା : ପୁରୁଷୋତ୍ତମ ଠାକୁର ଲେଖିଥିବା ସେହି ପ୍ରସଙ୍ଗ କଥା ମନେ ପକାନ୍ତୁ ଯେଉଁଥିରେ ସେ ଏକ ଦୃଶ୍ୟର ବର୍ଣ୍ଣନା କରିଛନ୍ତି, ତେଲଙ୍ଗାନାର ଇଟାଭାଟିରେ କାମ କରୁଥିବା କୁରୁମପୁରୀ ପଞ୍ଚାୟତର କିଛି ପ୍ରବାସୀ ଶ୍ରମିକ ତାଙ୍କୁ ଦେଖି କେତେ ଖୁସି ହୋଇଯାଇଥିଲେ? ସେମାନଙ୍କ ମଧ୍ୟରୁ ଜଣେ ବୟସ୍କ ଲୋକ ତାଙ୍କୁ କହିଥାଏ, ‘ଅନେକ ଦିନ ପରେ ଓଡ଼ିଆ କହୁଥିବା ଜଣେ ଲୋକଙ୍କୁ ମୁଁ ଭେଟିଛି। ଆପଣଙ୍କୁ ଦେଖି ମୁଁ ବହୁତ ଖୁସି!’
ଆହୁରି ଏକ ପ୍ରସଙ୍ଗରେ ମହାରାଷ୍ଟ୍ରରୁ ଜ୍ୟୋତି ଶିନୋଲି ଜଣେ ପ୍ରବାସୀ ଶ୍ରମିକଙ୍କ ପୁଅ ରଘୁ ବିଷୟରେ ଲେଖିଥିଲେ। ରଘୁ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଏକ ନୂଆ ସ୍କୁଲରେ ଅଭ୍ୟସ୍ତ ହେବା ଯେଉଁଠି ଶିକ୍ଷକ ଓ ସହପାଠୀମାନେ ଏପରି ଏକ ଭାଷାରେ କଥା ହେଉଛନ୍ତି ଯାହା ସେ ବୁଝିପାରୁନାହାନ୍ତି । କାହାଣୀରେ ପୁଅର ମା’ ଗାୟତ୍ରୀ କୁହନ୍ତି, ‘‘ମାତ୍ର ତିନି ସପ୍ତାହ ପର୍ଯ୍ୟନ୍ତ ଚେନ୍ନାଇ ସ୍କୁଲରେ ପଢ଼ିବା ପରେ, ସେ ଦିନେ କାନ୍ଦି କାନ୍ଦି ଘରକୁ ଫେରିଥିଲା। ସେ କହିଥିଲା ଯେ, ସେ ଆଉ ସ୍କୁଲକୁ ଯିବାକୁ ଚାହୁଁ ନାହିଁ । କାରଣ ସେ କିଛି ବୁଝିପାରୁନାହିଁ ଏବଂ ସମସ୍ତେ ରାଗିଯାଇ ତା’ ସହିତ କଥା ହେଉଥିବା ତା’କୁ ଲାଗୁଛି ।’’
ଗ୍ରାମୀଣ ଭାରତରେ ଲୋକଙ୍କ ପାଇଁ ଭାଷାଗତ ପରିଚୟ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ଯେତେବେଳେ ସେମାନେ ଜୀବିକା ସନ୍ଧାନରେ ଦୂରବର୍ତ୍ତୀ ସ୍ଥାନକୁ ପଳାୟନ କରିବା ଲାଗି ବାଧ୍ୟ ହୋଇଥାନ୍ତି ।









