ଉଚ୍ଚକୋଟୀର ଫ୍ୟାଶନ, ଦ୍ରୁତ ଧାବମାନ ଫ୍ୟାଶନ, ଏବଂ ଯୌନତୃଷ୍ଣା।
ବିଳାସପୂର୍ଣ୍ଣ ଭ୍ରମଣ, ମିତବ୍ୟୟୀ ଭ୍ରମଣ, କିମ୍ବା ଅସରନ୍ତି ଭ୍ରମଣ !
ମିମ୍, ପ୍ରଚଳିତ ନୃତ୍ୟଭଙ୍ଗୀ, ହାସ୍ୟରସାତ୍ମକ ଏବଂ ବେଳେବେଳେ କଳ୍ପନାତୀତ ଭାବେ ଭୟାବହ ଫିଲଟର୍ ।

ଅନଲାଇନରେ ଏହିଭଳି କେତେକ ବିଷୟବସ୍ତୁ ଆମର ଦୃଷ୍ଟି ଆକର୍ଷଣ କରେ । କିନ୍ତୁ. ‘ପରୀ’ରେ, ଆମ ପାଖରେ ଏମିତି କୌଣସି ବିଷୟବସ୍ତୁ ନାହିଁ ସତ, ତଥାପି ଆମେ ସାମାଜିକ ଗଣମାଧ୍ୟମର ଜଟିଳ ଦୁନିଆରେ ଦର୍ଶକଙ୍କୁ ଆମ ସହ ଯୋଡ଼ି ରଖିବାରେ ସକ୍ଷମ ହୋଇଛୁ । କେମିତି ? ଏକ ଅତୀବ ସ୍ପଷ୍ଟ ଅଥଚ ସ୍ୱଳ୍ପ ବ୍ୟବହୃତ ଉପାୟ ମାଧ୍ୟମରେ: ତଥ୍ୟସମୃଦ୍ଧ ରିପୋର୍ଟ ଏବଂ ଶକ୍ତିଶାଳୀ ଉପସ୍ଥାପନ ଶୈଳୀ ।

ବର୍ଷ ଶେଷରେ, ବିଭିନ୍ନ ବର୍ଗର ଦର୍ଶକ କିଭଳି ଆମ କାର୍ଯ୍ୟକୁ ଗ୍ରହଣ କରିଛନ୍ତି ସେ ସଂପର୍କରେ ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଚାହୁଁଛୁ ।  (ଏହି ଛୋଟ କ୍ଲିପ ଟି ମଧ୍ୟ ଦେଖନ୍ତୁ) ।

ଆମର ବନସୱାଡ଼ାର ପରମ୍ପରା: ମହିଳାମାନଙ୍କୁ ଚଉକିରେ ବସିବା ମନା । ଶୀର୍ଷକ ପୋଷ୍ଟକୁ ଲକ୍ଷ ଲକ୍ଷ ବ୍ୟକ୍ତି ପ୍ରଶଂସା କରିଛନ୍ତି । ନୀଲାଞ୍ଜନ ନନ୍ଦୀଙ୍କର ଏହି ଆଲେଖ୍ୟଟି ରାଜସ୍ଥାନର ସେହି ମହିଳାମାନଙ୍କ ସଂପର୍କରେ, ଯେଉଁମାନେ ପୁରୁଷ କିମ୍ବା ବୟସ୍କ ଲୋକଙ୍କ ଉପସ୍ଥିତିରେ କେବେହେଲେ ଚଉକିରେ କିମ୍ବା ଅନ୍ୟ କୌଣସି ଉଚ୍ଚ ସ୍ଥାନରେ ବସି ନାହାନ୍ତି । ଇନଷ୍ଟାଗ୍ରାମରେ ଏହି ରିଲ କୁ ସାତ ଲକ୍ଷ ଲୋକ ଦେଖିଥିଲେ ଏବଂ ସମାନ ଧରଣର ବ୍ୟବହାରକୁ ଅଙ୍ଗେ ନିଭାଇଥିବା ଶହ ଶହ ମହିଳା ଏଥିରେ ନିଜ ନିଜର ମନ୍ତବ୍ୟ ଦେଇଥିଲେ ଏବଂ ଠିକ୍ ସେହିଭଳି, ଛୋଟିଆ କଥାଟିଏ ଭଳି ମନେ ହେଉଥିବା ଏହି ପ୍ରସଙ୍ଗର ଗୁରୁତ୍ୱକୁ କେତେକ ସ୍ୱୀକାର କରିଥିଲେ ତ ଅନ୍ୟ କେତେକ ଏହାକୁ ସ୍ୱପ୍ନରେ ମଧ୍ୟ ଭାବିପାରିବେ ନାହିଁ ବୋଲି ମତ ଦେଇଥିଲେ। “ଏଭଳି ପ୍ରସଙ୍ଗକୁ ପରଖିବା ଲାଗି ଦରଦୀ ନଜରଟିଏ ଦରକାର” ବୋଲି ମଲିକା କୁମାର ନାମକ ଜଣେ ପାଠକଙ୍କ ମତାମତ ବୋଧହୁଏ ସାଧାରଣ ଲୋକଙ୍କର ନିତିଦିନିଆ ଜୀବନ ସଂପର୍କିତ ଏଭଳି ରିପୋର୍ଟ ପ୍ରତି ସବୁଠାରୁ ବଡ଼ ସ୍ୱୀକୃତି ।

ପ୍ରଶଂସା ଆମକୁ ଆହୁରି ଉତ୍ସାହର ସହ କାମ କରିବାକୁ ପ୍ରେରଣା ଦିଏ ଏବଂ ପାଠକମାନେ ନାନା ପ୍ରକାରରେ ଏହା କରିଥାଆନ୍ତି: ସେମାନେ ଏଭଳି ରିପୋର୍ଟରୁ କେତେ କ’ଣ ଶିଖିଲେ ବୋଲି ଆମକୁ ଜଣାନ୍ତି ଏବଂ ସ୍ୱାଧୀନ ତଥା ଅନୁସନ୍ଧାନମୂଳକ ସାମ୍ବାଦିକତାର ଏହି ଅବିରତ ଧାରାକୁ ଅବ୍ୟାହତ ରଖିବା ଲାଗି ‘ପରୀ’ର ବିଭିନ୍ନ କାର୍ଯ୍ୟକ୍ରମକୁ ନିଜ ନିଜର ଅବଦାନ ପ୍ରଦାନ କରିଥାଆନ୍ତି ।

ମଦୁରାଇର ମଲ୍ଲୀଫୁଲ ବଜାରର ରଙ୍ଗିନ ତଥା କୋଳାହଳପୂର୍ଣ୍ଣ ବଜାର ସଂପର୍କିତ ଅପର୍ଣ୍ଣା କାର୍ତ୍ତିକେୟନଙ୍କର ଏକ ଭିଡିଓ ରେ ବିଗତ ଦିନର ଅନେକ ସ୍ମୃତିକୁ ସେମାନେ ସାଉଁଟି ପାରିଛନ୍ତି ବୋଲି ସମଗ୍ର ପୃଥିବୀର ବିଭିନ୍ନ ସ୍ଥାନରୁ ପାଠକମାନେ ଆମକୁ ଜଣାଇଥିଲେ । ନମ୍ରତା କିଲପାଡ଼ି କହନ୍ତି, “ଏତେ ସୁନ୍ଦର ଲେଖା । ଏହି ଚିତ୍ର ଦେଖି ଲାଗିଲା ସତେ ଯେମିତି ଏଥିରୁ ଝରି ପଡ଼ୁଛି ମଲ୍ଲୀଫୁଲର ମିଠା ମିଠା ବାସ୍ନା ।” ଆମେ ଯେଉଁ ସବୁ ସ୍ଥାନରୁ ରିପୋର୍ଟ କରୁ, ସେହି ସବୁ ସ୍ଥାନକୁ ଲୋକଙ୍କୁ ନେଇଯିବାରେ କି ଆନନ୍ଦ ସତେ । ଆମ ସହ ସାକ୍ଷାତକାରରେ ନିତିଦିନିଆ ଜୀବନର କଥା କହିଥିବା ଲୋକଙ୍କ ଅନୁଭୂତି ବିନା ଏହା ସମ୍ଭବ ହୋଇପାରି ନଥାଆନ୍ତା ।

ଇନଷ୍ଟାଗ୍ରାମରେ ଆମର ସବୁଠାରୁ ଲୋକପ୍ରିୟ ଭିଡିଓ ହେଉଛି ପୁଣେର ସୁମନ ମୋରେ ନାମ୍ନୀ ଜଣେ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ମହିଳାଙ୍କ ସଂପର୍କିତ ୩୦ ସେକେଣ୍ଡର ଏକ କ୍ଷୁଦ୍ର ଦୃଶ୍ୟାବଳୀ, ଯେଉଁଥିରେ ସେ ତାଙ୍କ କଥାରେ ଶବ୍ଦର ସାମର୍ଥ୍ୟ ପ୍ରତିପାଦିତ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଲୋକେ କରୁଥିବା ଅଳିଆକୁ ସେମାନେ ସଫା କରୁଥିବା ବେଳେ  କାହିଁକି ତାଙ୍କ ଭଳି ମହିଳାଙ୍କୁ କଚରେୱାଲି (ଆବର୍ଜନା ମହିଳା) ବୋଲି କୁହାଯାଉଛି । ସୁମନଙ୍କ ସଂପର୍କିତ ଏହି କ୍ଲିପ୍ ଦେଖିଥିଲେ ୧୨ ଲକ୍ଷ ଦର୍ଶକ ଏବଂ ଅନେକ ଲୋକ ତାଙ୍କୁ ପ୍ରଶଂସା କରିବା ସହିତ ଏହାକୁ ସାମାଜିକ ଅଜ୍ଞତା ଓ ଉଦାସୀନତାର ଆଖ୍ୟା ଦେଇଥିଲେ । ଏମିତି କି ଜଣେ ପାଠକ କହିଥିଲେ, “ମୁଁ ସ୍ୱୀକାର କରୁଛି ଯେ ମୁଁ ବି ସେଇ ଶବ୍ଦଟିକୁ ( କଚରେୱାଲି ) ପ୍ରୟୋଗ କରିଆସୁଛି । ଏଣିକି ମୁଁ ଆଉ ଏହା କରିବି ନାହିଁ।” ନିଷ୍ପେଷିତ ସଂପ୍ରଦାୟ ଏବଂ ସେମାନଙ୍କ ଅନୁଭୂତିକୁ ନେଇ ସାମ୍ବାଦିକତା କିଭଳି ଏକ ଚିନ୍ତାଶୀଳ ସମାଜ ଗଠନରେ ସହାୟକ ହୋଇପାରେ, ତାହା ଏଥିରୁ ପ୍ରମାଣିତ ହୁଏ ।

ନୂଆ ନୂଆ ଦୃଷ୍ଟିଭଙ୍ଗୀ ନିର୍ମାଣ ନିମନ୍ତେ ଏହି ସବୁ ରିପୋର୍ଟକୁ ଶ୍ରେଣୀଗୃହରେ ବ୍ୟବହାର ପୂର୍ବକ ପ୍ରଣୀତ ଆମର ଶିକ୍ଷା କାର୍ଯ୍ୟକ୍ରମ ସଂପର୍କରେ ମତାମତ ଦେବାକୁ ଯାଇ ଟୁଇଟର ବ୍ୟବହାରକାରୀ ବିଷ୍ଣୁସେଜହ୍ୱାଟ (@Vishnusayswhat) କହନ୍ତି, “ଆପଣ ଯେତେବେଳେ ଏ କଥା ବୁଝିପାରନ୍ତି ଯେ, ଜଣେ ବ୍ୟକ୍ତିଙ୍କ ପାଖରେ କାହିଁକି ଅନ୍ୟ ଜଣଙ୍କ ତୁଳନାରେ କମ ରହିଛି ଏବଂ ଏ ଦିଗରେ ସେମାନେ ଯେତେ କଠିନ ପରିଶ୍ରମ କଲେ ବି ତାହା ଅତି କମ୍‌ ମନେ ହେଉଛି, ସେହି ସମୟରୁ ହିଁ ଆପଣ ଭାରତକୁ ଆଉ ଅଧିକ ଭଲ ଭାବରେ ବୁଝିବା ଆରମ୍ଭ କରିବେ।”

ଆଉ ଏହି ବାର୍ତ୍ତା ବ୍ୟାପିଯାଇଛି ଅନେକ ଦୂର, ଅନେକ ପରିସର ପର୍ଯ୍ୟନ୍ତ -  ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଜୀନତ ଅମନ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ‘ପରୀ’ର କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, “ମୁଖ୍ୟଧାରାର ଗଣମାଧ୍ୟମରୁ ଗ୍ରାମ୍ୟ ଜୀବନର ବାସ୍ତବ କାହାଣୀ ଉଭେଇ ଯାଉଥିବା ମୁଁ ଲକ୍ଷ୍ୟ କରିଛି, ଏବଂ ମୁଁ ଜାଣିଛି ଯେ ଆଜିକାଲି ତଥାକଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂପର୍କିତ ଅତି ତୁଚ୍ଛ ପ୍ରସଙ୍ଗକୁ ଖବର ଜଗତରେ କେତେ ସ୍ଥାନ ଦିଆଯାଉଛି ।” ଏକଥା ସତ ଯେ, ଠିକ୍ ମାର୍ଗରେ କାମ କରୁଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ଅସ୍ୱୀକାର କରିହେବ ନାହିଁ । ତାଙ୍କର ଏହି ପୋଷ୍ଟ ପ୍ରକାଶ ପାଇବାର ମାତ୍ର ୨୪ ଘଣ୍ଟା ଭିତରେ ଆମକୁ ହଜାର ହଜାର ସଂଖ୍ୟାରେ ନିଷ୍ଠାପର ‘ଫଲୋଅର୍’ ମିଳିଥିଲେ । ସେହିଭଳି ଆମ ପାଇଁ ଆଉ ଏକ ଆଶ୍ଚର୍ଯ୍ୟ ଓ ଆନନ୍ଦଭରା ମୁହୂର୍ତ୍ତ ଥିଲା ହଲିଉଡ୍ ଅଭିନେତା ଏବଂ ମନୋରଞ୍ଜନ କଳାକାର ଜନ୍ ସେନା ଆମକୁ ଟୁଇଟରରେ ଫଲୋ କରିବାର ସମୟ !

ହେଲେ. ଆମ ରିପୋର୍ଟରୁ ଜାଣିବା ପରେ ସମାଜ ଯେତେବେଳେ କୌଣସି ସଂପ୍ରଦାୟକୁ ସହଯୋଗ ପ୍ରଦାନ କରେ, ତାହା ହିଁ ଆମ ପାଇଁ ସବୁଠାରୁ ଆନନ୍ଦଦାୟକ କଥା । ଆମକୁ ମିଳୁଥିବା ଅଗଣିତ ପ୍ରସ୍ତାବ ଆମକୁ ସବୁବେଳେ ଅଭିଭୂତ କରିଆସିଛି । ଏହିଭଳି ଏକ ରିପୋର୍ଟରେ , ଚିକିତ୍ସା ବାବଦ ଅତ୍ୟଧିକ ଖର୍ଚ୍ଚ ତୁଲାଇବାକୁ ଯାଇ ନୟାନ୍ତ ହୋଇପଡ଼ିଥିବା ବୟସ୍କ ଚାଷୀ ସୁବାୟା ଓ ଦେବାମ୍ମାଙ୍କ ଚିକିତ୍ସା ଖର୍ଚ୍ଚର ଏକ ବଡ଼ ଭାଗ ତୁଲାଇବାକୁ ଅନେକ ପାଠକ ପର୍ଯ୍ୟାପ୍ତ ଅର୍ଥଦାନ କରିଥିଲେ ଏବଂ ସେମାନଙ୍କ ଝିଅ ବାହାଘର ଖର୍ଚ୍ଚ ଦିଗରେ ମଧ୍ୟ ଦାନ ଦେଇଥିଲେ । କିଶୋରୀ ବର୍ଷା କଦମ ଜଣେ ପ୍ରତିଭାମୟୀ କ୍ରୀଡ଼ାବିତ୍ । ହେଲେ ତାଙ୍କ ପ୍ରତିଭାର ବାସ୍ତବ ବିକାଶ ଦିଗରେ ଅନ୍ତରାୟ ହୋଇଥିଲା ପରିବାରର ଆର୍ଥିକ ପରିସ୍ଥିତି ଏବଂ ସରକାରୀ ସହାୟତାର ଅଭାବ । ପାଠକମାନେ ତାଙ୍କୁ ଅର୍ଥ ସହାୟତା ଦେବା ସହିତ, ସେ ଦୌଡ଼ିବା ପାଇଁ ଜୋତା ଦେଇଥିଲେ ଏବଂ ଏମିତି କି ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ସାହାଯ୍ୟ ପ୍ରଦାନ କରିଥିଲେ ।

ନିଷ୍ଠୁରତା ଏବଂ ହୃଦୟହୀନତା ଭଳି ଅବଗୁଣ ଲାଗି ଇଣ୍ଟରନେଟ୍ ପରିଚିତ ହୋଇଥିବା ସତ୍ତ୍ୱେ ଏବେ ବି ଦୁନିଆରେ ଦୟାଶୀଳତା ଭରି ରହିଛି ବୋଲି ଆମ ପାଠକମାନେ ଆମକୁ ମନେ ପକାଇ ଦିଅନ୍ତି ।

ସାମାଜିକ ଗଣମାଧ୍ୟମରେ ଏ ପର୍ଯ୍ୟନ୍ତ ଆପଣ ଯଦି ଆମକୁ ଫଲୋ କରିନାହାନ୍ତି ତେବେ ଆପଣ ଆମର ନିମ୍ନରେ ପ୍ରଦତ୍ତ ହ୍ୟାଣ୍ଡଲରେ ଏହା କରିପାରିବେ, ଏଥିରେ ଆମେ ହିନ୍ଦୀ, ତାମିଲ ଏବଂ ଉର୍ଦ୍ଦୁ ଭାଷାରେ ବି ରହିଛୁ ।
ଫେସବୁକ୍
ଲିଙ୍କଡଇନ୍
ଇନଷ୍ଟାଗ୍ରାମ
ଟ୍ୱିଟର

‘ପରୀ’ର ସୋସିଆଲ ମିଡିଆ ଟିମ୍ ସହିତ ସ୍ୱେଚ୍ଛାରେ କାମ କରିବାକୁ ଚାହୁଁଥିଲେ [email protected] କୁ ଲେଖନ୍ତୁ

ଯଦି ଆମେ କରୁଥିବା କାମ ପ୍ରତି ଆପଣଙ୍କର ଆଗ୍ରହ ରହିଛି ଏବଂ ଆପଣ ‘ପରୀ’ରେ ଆପଣଙ୍କ ଅବଦାନ ସାମିଲ କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମକୁ [email protected] ମେଲ୍ ଆଇଡିରେ ଲେଖନ୍ତୁ । ଆମ ସହିତ କାମ କରିବା ଲାଗି ମୁକ୍ତବୃତ୍ତି ଏବଂ ସ୍ୱାଧୀନ ଲେଖକ, ରିପୋର୍ଟର, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସଂପାଦକ, ଚିତ୍ରଶିଳ୍ପୀ ଏବଂ ଗବେଷକମାନଙ୍କୁ ଆମେ ସ୍ୱାଗତ କରୁଛୁ ।

‘ପରୀ’ ଏକ ଲାଭକାରୀ ସଂସ୍ଥା ନୁହେଁ ଏବଂ ଆମର ବହୁଭାଷୀ ଅନଲାଇନ୍ ପତ୍ରିକା ଏବଂ ଅଭିଲେଖାଗାରକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆମେ ନିର୍ଭର କରୁ । ଆପଣ ଯଦି ‘ପରୀ’କୁ କିଛି ଦାନ ଦେବାକୁ ଚାହାଁନ୍ତି, ତେବେ DONATE ଉପରେ କ୍ଲିକ୍ କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE