କ୍ୟାମେରା ହେଉଛି ଗୋଟିଏ ଛିଦ୍ର ଥିବା ଧାତବ ପିଣ୍ଡଟିଏ ଚିତ୍ର ଥାଏ ଆପଣଙ୍କ ମନ ଭିତରେ ଅଭିପ୍ରାୟ ହିଁ ନିରୂପଣ କରେ ବିଷୟ
ପି. ସାଇନାଥ

ନଇଁବା, ସନ୍ତୁଳନ ରଖିବା, ଗଢ଼ିବା, ଉଠାଇବା, ଟେକି ଧରିବା, ଓଳାଇବା, ରାନ୍ଧିବା, ପରିବାର ପ୍ରତିପୋଷଣ, ପଶୁପାଳନ, ପଢ଼ିବା, ଲେଖିବା, ବୁଣିବା, ସଙ୍ଗୀତ ପ୍ରସ୍ତୁତି, ନୃତ୍ୟ, ଗାୟନ ଏବଂ ଉତ୍ସବ ପାଳନ... ଏମିତି ଅନେକ ବିଷୟକୁ ନେଇ ଉତ୍ତୋଳିତ ଫଟୋ ସହିତ ଲେଖାର ସମ୍ମିଶ୍ରଣରୁ ଫୁଟି ଉଠେ ଗ୍ରାମୀଣ ଭାରତରେ ମଣିଷର ଜୀବନ ଓ କାର୍ଯ୍ୟଧାରାର ଗଭୀରତମ ପରିସରରେ ବିଦ୍ୟମାନ ସୂକ୍ଷ୍ମାତିସୂକ୍ଷ୍ମ ଦିଗ ସମୂହ।

‘ପରୀ’ର ଫଟୋଗୁଡ଼ିକରେ ଦୃଶ୍ୟରୂପରେ ରହିଛି ସାମୂହିକ ସ୍ମୃତିର ଅତୀତ। ସେଗୁଡ଼ିକ କେବଳ ଆମ ଜୀବନ କାଳର ଏକ ଆବେଗହୀନ ଦସ୍ତାବିଜ୍‌ ପ୍ରସ୍ତୁତି ନୁହେଁ, ବରଂ ଆମ ସହିତ ଆମ ଚାରିପଟେ ରହିଥିବା ପୃଥିବୀକୁ ସଂଯୋଗ କରୁଥିବା ଏକ ଉନ୍ମୁକ୍ତ ପ୍ରବେଶ ପଥ। ଆମର ଫଟୋ ସଂଗ୍ରହରେ ରହିଛି ସେହି ସବୁ କାହାଣୀ, ଯାହା ମୁଖ୍ୟଧାରାର ଗଣମାଧ୍ୟମରେ ପ୍ରକାଶିତ ହୋଇନାହିଁ- ସେ ସବୁ ହେଉଛି ଦଳିତ ଓ ଅବହେଳିତ ମଣିଷ, ସ୍ଥାନ, ଭୂମି, ଜୀବିକା ଏବଂ ପରିଶ୍ରମର କାହାଣୀ।

ଫଟୋ ମାଧ୍ୟମରେ ପରିବେଷିତ ଆନନ୍ଦ, ସୌନ୍ଦର୍ଯ୍ୟ, ସୁଖ, ଦୁଃଖ, ଶୋକ, ବିସ୍ମୟ ଏବଂ ଭୟଙ୍କର ସତ୍ୟରେ ଲୁଚି ରହିଥାଏ ମଣିଷ ଜୀବନର ସମସ୍ତ କ୍ଷଣଭଙ୍ଗୁର ଏବଂ ଦୁର୍ବଳ ସମୟର କଥା। କୌଣସି ଲେଖାରେ ରହିଥିବା ମଣିଷଟି କେବଳ ଫଟୋର ବିଷୟବସ୍ତୁ ନୁହେଁ। ଫଟୋରେ ଥିବା ବ୍ୟକ୍ତିଙ୍କ ନାଁ ଜାଣିଲେ ହିଁ ତାଙ୍କ ପ୍ରତି ସହାନୁଭୂତି ଜାତ ହୁଏ। ଏବଂ କେବଳ ଗୋଟିଏ କ୍ଷୁଦ୍ର ଲେଖାରୁ ହିଁ ଶୁଭିଥାଏ ଅନେକ ବିଶାଳ ସତ୍ୟର ସ୍ୱର।

କିନ୍ତୁ ଏହା କେବଳ ସେତେବେଳେ ସମ୍ଭବ, ଯେତେବେଳେ କି ଫଟୋରେ ଥିବା ବ୍ୟକ୍ତି ଏବଂ ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଭାବ ସ୍ଥାପିତ ହୁଏ। ଯେ କୌଣସି କାରଣରୁ ପ୍ରଭୂତ କ୍ଷତି ସହି ଅକଥନୀୟ ଯନ୍ତ୍ରଣାରେ କାଳ କାଟୁଥିବା ସେହି ବ୍ୟକ୍ତିମାନଙ୍କର ଫଟୋ ଉଠାଇବା ଲାଗି ସେମାନେ ଆମକୁ ସମ୍ମତି ପ୍ରଦାନ କରିଛନ୍ତି କି ? ସେହି ନିର୍ଯାତିତ ବ୍ୟକ୍ତିମାନଙ୍କର ଆତ୍ମସମ୍ମାନ ରକ୍ଷା କରି ଆମେ ସେମାନଙ୍କ ଫଟୋ ଉଠାଇ ପାରିବା କି ? କେଉଁ ପ୍ରସଙ୍ଗରେ ଆମେ ସେହି ବ୍ୟକ୍ତିମାନଙ୍କର ଫଟୋ ଉଠାଇବା ? ସାଧାରଣ ଲୋକଙ୍କ ନିତିଦିନିଆ ଜୀବନର କାହାଣୀ ଶୁଣାଉଥିବା ସେହି ଫଟୋଚିତ୍ର ସମୂହର ସୃଷ୍ଟି ଅନ୍ତରାଳରେ ନିହିତ ଅଭିପ୍ରାୟର ରୂପରେଖ କ’ଣ ?

ବାସ୍ତବ କ୍ଷେତ୍ରରେ ଫଟୋ ଉଠାଇବା ସମୟରେ ଆମ ଫଟୋଗ୍ରାଫରମାନଙ୍କ ମନରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଥାଏ ଯେ, କୌଣସି ଲେଖା ପାଇଁ କେତେ ଦିନ ବା କେତେ ବର୍ଷ ଧରି ଫଟୋ ଉଠାଇବା ଦରକାର, ଏବଂ କାହା ଫଟୋ ଉଠାଇବା ଦରକାର- ବିଶିଷ୍ଟ କଳାକାରମାନଙ୍କର, ଆଦିବାସୀ ଉତ୍ସବର, ଆନ୍ଦୋଳନରତ ଚାଷୀମାନଙ୍କର ନା ଆଉ କାହାର।

ବିଶ୍ୱ ଫଟୋଗ୍ରାଫି ଦିବସରେ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରୁଛୁ ‘ପରୀ’ରେ ପ୍ରକାଶିତ ନିଜ ନିଜର ଲେଖା ନିମନ୍ତେ ଫଟୋଗ୍ରାଫରମାନେ ଉଠାଇ ଥିବା କେତେକ ଫଟୋଚିତ୍ରର ସମାହାର। ସେମାନେ ଲେଖିଛନ୍ତି ସେମାନଙ୍କ ଫଟୋ ଉଠା ପ୍ରଣାଳୀର କଥା, ଯାହା ସେମାନଙ୍କ ଚିତ୍ରରେ ନିହିତ ତଥ୍ୟାବଳୀ ଉପରେ ଆଲୋକପାତ କରେ। ନିମ୍ନରେ ସେହି ସବୁ ଚିତ୍ରକୁ ଅକ୍ଷରକ୍ରମରେ ସଜେଇ ରଖାଯାଇଛି।

ମହାରାଷ୍ଟ୍ରର ମୁମ୍ବାଇରେ ଆକାଂକ୍ଷା

PHOTO • Aakanksha

ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ସ୍ୱରବଦ୍ଧ ଜୀବନଯାତ୍ରା ଶୀର୍ଷକ ମୋ ଲେଖାରେ ପ୍ରକାଶିତ ଏହି ଫଟୋରେ ସାରଙ୍ଗୀ ବାଦକ କିଷନ ଯୋଗୀ ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ତାଙ୍କ କଳା ପରିବେଷଣ କରୁଛନ୍ତି। ତାଙ୍କ ସହିତ ଅଛି ତାଙ୍କର ଛଅ ବର୍ଷୀୟା ଝିଅ ଭାରତୀ।

ଏହି ଲେଖାରେ ରହିଛି ପିଲାଦିନରୁ ମୁଁ ଭେଟିଥିବା ଏମିତି ଅନେକ କଳାକାରଙ୍କ ଜୀବନ କାହାଣୀର ପ୍ରତିଧ୍ୱନି। ସେମାନଙ୍କୁ ମୁଁ ଦେଖିଛି, ଶୁଣିଛି, ହେଲେ କେବେ ବି ସେମାନଙ୍କୁ ଜଣେ ଜଣେ କଳାକାର ଭାବେ ସ୍ୱୀକାର କରିନାହିଁ। ଏବଂ ସେହି କାରଣରୁ ହିଁ ଏହି ଲେଖାର ପ୍ରସ୍ତୁତି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଥିଲା।

ଏହି ଫଟୋଟିରେ ରହିଛି ସେମାନଙ୍କ ଜୀବନ ଯାତ୍ରାର ତୀବ୍ର ଛନ୍ଦ, ଗତିଶୀଳ ଟ୍ରେନ୍‌ ଭିତରେ ଲୋକଙ୍କ ଭିଡ଼ କାଟି ଗୋଟିଏରୁ ଆଉ ଗୋଟିଏ ଡବାକୁ ଯିବା ପଛରେ ରହିଥିବା ଅଦମ୍ୟ ପ୍ରୟାସର ପ୍ରତିଛବି।

ସେମାନଙ୍କ ଜୀବନ ଯାତ୍ରାର ବେଗ ମୋତେ ଅଣନିଃଶ୍ୱାସୀ କରିଦେଉଥିଲା। ଟ୍ରେନ୍‌ରେ ଗୋଟିଏରୁ ଆଉ ଗୋଟିଏ ଡବାକୁ ଯାଇ ନିଜ କଳା ପରିବେଷଣ କରିବାକୁ ସ୍ଥାନ ଖୋଜି ନେଉଥିବା କିଷନ ଭାୟାଙ୍କ ଫଟୋ ନେବା ପାଇଁ ମୋତେ କେଉଁ ସ୍ଥାନରେ ରହିବାକୁ ପଡ଼ିବ ତାହା ମୁଁ ସ୍ଥିର କରି ନେଉଥିଲି। ହେଲେ ତାଙ୍କ ସଙ୍ଗୀତ ଅପରିବର୍ତ୍ତିତ ରହିଥିଲା, ଟ୍ରେନ୍‌ ଥିଲା ତାଙ୍କର ମଞ୍ଚ।

କ୍ୟାମେରାର ଭିଉଫାଇଣ୍ଡର ଭିତର ଦେଇ ତାଙ୍କୁ ଚାହିଁଲା ବେଳେ ପ୍ରଥମେ ମୁଁ ଭାବିଥିଲି ଯେ, ତାଙ୍କ ପାଖରେ କ୍ୟାମେରା ଥିବାରୁ ସେ ହୁଏତ କିଛିଟା ସଚେତନ ହୋଇପଡ଼ିବେ। ହେଲେ ମୋର ଏ ଭାବନା ଥିଲା ଭୁଲ- ତାଙ୍କ ଭିତରେ ଥିବା କଳାକାର ଜଣକ କେବଳ ନିଜ କଳାରେ ହିଁ ମଜି ଯାଇଥିଲା।

ତାଙ୍କ କଳାରେ ଥିଲା ଅଫୁରନ୍ତ ଶକ୍ତି। ତାଙ୍କୁ ଘେରି ରହିଥିବା ଅନ୍ୟ ଯାତ୍ରୀମାନଙ୍କର କ୍ଳାନ୍ତଶ୍ରାନ୍ତ ଚେହେରା ଭିତରେ ସେ ଥିଲେ ଏକ ବ୍ୟତିକ୍ରମ। ଏ ଫଟୋରେ ସେହି ଦ୍ୱେତ ମନୋଭାବକୁ ଧରି ରଖିବାକୁ ମୁଁ ଚେଷ୍ଟା କରିଥିଲି।

*****

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗରେ ବିନାଇଫର ଭରୁଚା

PHOTO • Binaifer Bharucha

ଅରୁଣାଚଳର ପକ୍ଷୀ: ବିପଦରେ କଳରବ ଶୀର୍ଷକ ଲେଖା ପାଇଁ ମୁଁ ଏହି ଫଟୋ ଉଠାଇଥିଲି।

ଆଇତି ଥାପାଙ୍କ (ଚିତ୍ରରେ ଅଛନ୍ତି) ପଛରେ ଧାଁ ଦଉଡ଼ କରି, ଗଛଲତା ଭର୍ତ୍ତି ସାପ ଭଳି ଅଙ୍କାବଙ୍କା ରାସ୍ତାରେ ତଳ ଉପର ହୋଇ, ମସୃଣ କାଦୁଅ ଉପରେ ପାଦ ଖସିଯାଉଥିବା ଅବସ୍ଥାରେ ରହି ମୋ ଦେହରେ ଜୋକ ନ ଲାଗନ୍ତୁ ବୋଲି ଆଶା କରୁଥିଲି ମୁଁ। କେବେ କେମିତି ନିରବତା ଭିତରେ ଶୁଭୁଥିଲା ପକ୍ଷୀଙ୍କ କାକଳି। ଜଳବାୟୁ ପରିବର୍ତ୍ତନ ଉପରେ ଏକ ଲେଖା ପ୍ରସ୍ତୁତି ନିମନ୍ତେ ଆମେ ଥିଲୁ ଅରୁଣାଚଳ ପ୍ରଦେଶର ଇଗଲ୍‌ନେଷ୍ଟ ଅଭୟାରଣ୍ୟରେ।

୨୦୨୧ ମସିହାରୁ, ଏଠାରେ ବିଭିନ୍ନ ପକ୍ଷୀ ପ୍ରଜାତି ଉପରେ ଅଧ୍ୟୟନ କରୁଥିବା ଏକ ଗବେଷକ ଦଳର ସଦସ୍ୟା ଥିଲେ ଆଇତି। ଜଙ୍ଗଲ ଭିତରେ ଏହି ଦଳ ଦ୍ୱାରା ବସାଯାଇଥିବା ମିଷ୍ଟ ନେଟ୍‌ ନାମକ ଏକ ଜାଲରେ ପକ୍ଷୀଙ୍କୁ ଧରାଯାଉଥିଲା। ଧୀରସ୍ଥିର ଭାବରେ ଅଡୁଆ ସୂତାରୁ ପକ୍ଷୀମାନଙ୍କୁ ବାହାର କରିବା ଖୁବ୍‌ କଷ୍ଟସାଧ୍ୟ ଥିଲା। ହେଲେ, ସେ ଏହି କାମକୁ ଅଳ୍ପ ସମୟ ଭିତରେ କରିପାରୁଥିଲେ, ତାହା ବି ସତର୍କ ଭାବରେ।

‘ରଫସ୍ କ୍ୟାପ୍‌ଡ ବାବଲର’ ନାମକ ଏକ ପକ୍ଷୀକୁ କୋମଳ ଆଖିରେ ଚାହିଁ ରହିଥିଲେ ଆଇତି ଏବଂ ଏହି ଫଟୋ ଉଠାଇବା ସମୟରେ ମୋ ଛାତି ଭିତରଟା କିଛି ମାତ୍ରାରେ ଥରି ଉଠିଥିଲା। ଏହା ଥିଲା ସେହି ମୁହୂର୍ତ୍ତ, ଯେତେବେଳେ ପ୍ରକୃତି କୋଳରେ ରହିଥିବା ମଣିଷ ଓ ସ୍ତନ୍ୟପାୟୀ ବନ୍ୟପ୍ରାଣୀ ମଧ୍ୟରେ ଏକ ସୁମଧୁର ସଂପର୍କ ସ୍ଥାପିତ ହୋଇଥିଲା। ସେହି ଦୃଶ୍ୟ ଥିଲା ଅତୀବ ମନୋରମ। ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାର୍ଯ୍ୟରତ ଏକ ପୁରୁଷ ପ୍ରଧାନ ଗବେଷକ ଦଳରେ ସାମିଲ ଦୁଇ ଜଣ ସ୍ଥାନୀୟ ମହିଳା ସଦସ୍ୟାଙ୍କ ଭିତରୁ ସେ ଥିଲେ ଜଣେ।

ଲିଙ୍ଗଗତ ଅବରୋଧର ଧାରା ଭଙ୍ଗ କରିପାରିଥିବା ଆଇତି ଥିଲେ ଦୃଢ଼ମନା ଅଥଚ ଭଦ୍ର ସ୍ୱଭାବର। ଏହି ଲେଖା ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା ତାଙ୍କର ଏହି ପ୍ରତିଚ୍ଛବି।

*****

ତାମିଲନାଡୁର ରାମନାଥପୁରମ୍‌ରେ ଦୀପ୍ତି ଅସ୍ଥାନା

PHOTO • Deepti Asthana

ତାମିଲନାଡୁର ରାମେଶ୍ୱରମଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି ତୀର୍ଥନଗରୀ ଧନୁଶକୋଡ଼ି। ଏହାର ଗୋଟିଏ ପଟେ ବଙ୍ଗୋପସାର ଏବଂ ଅନ୍ୟ ପଟେ ଭାରତ ମହାସାଗର। ସତେ ଯେମିତି ସମୁଦ୍ର ଭିତରକୁ ପଶି ଯାଇଛି କେରାଏ ସ୍ଥଳଭାଗ – ବେଶ୍‌ ଆକର୍ଷଣୀୟ ଏହାର ଅବସ୍ଥିତି। ଖରା ଛଅ ମାସ କାଳ ଏଠାକାର ଲୋକେ ବଙ୍ଗୋପସାଗରରେ ମାଛ ଧରନ୍ତି ଏବଂ ପବନର ଗତି ବଦଳିଲେ ଭାରତ ମହାସାଗର ଆଡ଼େ ମୁହାଁନ୍ତି।

ଭଗ୍ନ ଧନୁ: ଧନୁଶକୋଡ଼ିର ମନେ ନଥିବା ଲୋକମାନେ ଶୀର୍ଷକ ଲେଖା ପ୍ରସ୍ତୁତି ପାଇଁ ମୁଁ ଏଠାରେ ପହଞ୍ଚିବାର କିଛି ଦିନ ପରେ ବୁଝି ପାରିଲି ଯେ, ଏ ଅଞ୍ଚଳର ଜଳାଭାବ ସମସ୍ୟା ଉତ୍କଟ ରୂପ ଧାରଣ କରିଛି।

ଦୁଇ ପଟେ ସମୁଦ୍ର ରହିଥିବାରୁ ମଧୁର ପାଣି ପାଇବା ଏଠାକାର ଲୋକଙ୍କ ପାଇଁ ଖୁବ୍‌ କଷ୍ଟକର କାମ। ନିତିଦିନିଆ ବ୍ୟବହାର ପାଇଁ ମହିଳାମାନେ ହାତରେ ମାଟି ଖୋଳି ନିଜ ନିଜ ପାତ୍ରରେ ପାଣି ଭରି ନିଅନ୍ତି।

ଏବଂ ଖୁବ୍‌ ଶୀଘ୍ର ପାଣି ଲୁଣିଆ ହୋଇଯାଉଥିବାରୁ ଏହି କାମକୁ ଥର ଥର କରି ବାରମ୍ବାର କରିବାକୁ ପଡ଼େ।

ପ୍ରଚ୍ଛଦପଟ୍ଟରେ ଏକ ବିଶାଳ ଭୂଖଣ୍ଡ ଏବଂ ସମ୍ମୁଖରେ ଦଳେ ମହିଳା ଏହି ଚିତ୍ରକୁ ଆକର୍ଷଣୀୟ କରେ। ଏହା ସହିତ ଏହି ଚିତ୍ରରେ ପ୍ରତିଟି ମଣିଷର ଅଧିକାର ରୂପେ ବିବେଚିତ ଜୀବନ ଧାରଣର ମୌଳିକ ଆବଶ୍ୟକତାର ଅଭାବ ମଧ୍ୟ ଦର୍ଶାଯାଇଛି।

*****

ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଇନ୍ଦ୍ରଜିତ ଖମ୍ବେ

PHOTO • Indrajit Khambe

ଓମ୍‌ପ୍ରକାଶ ଚଭନ, ଗତ ୩୫ ବର୍ଷ ହେଲା ଦଶାବତାର ଥିଏଟରରେ ଜଣେ ମହିଳା ଚରିତ୍ରରେ  ଅଭିନୟ କରିଆସୁଛନ୍ତି। ତାଙ୍କର ୮,୦୦୦ରୁ ଅଧିକ ନାଟକରେ ଅଭିନୟର ଅଭିଜ୍ଞତା ରହିଛି ଏବଂ ଏହି କଳା ଅଭିନୟ କ୍ଷେତ୍ରରେ ସେ ବେଶ୍‌ ସୁପରିଚିତ। ଦର୍ଶକଙ୍କ ମଧ୍ୟରେ ଦଶାବତାରର ଆକର୍ଷଣକୁ ସେ ଅତୁଟ ରଖିପାରିଛନ୍ତି, ଯାହାକି ଦଶାବତାର ନାଟକର ଏକ ଆକର୍ଷଣୀୟ ରାତି ଶୀର୍ଷକରେ ପ୍ରକାଶିତ ଲେଖାରେ ପ୍ରତିଫଳିତ ହୋଇଛି।

ଦଶ ବର୍ଷରୁ ଅଧିକ ସମୟ ହେଲା ମୁଁ ତାଙ୍କର କାର୍ଯ୍ୟଧାରାକୁ ନଥିଭୁକ୍ତ କରିଆସୁଛି ଏବଂ ମୋର ଏହି ଲେଖା ପାଇଁ ଜଣେ ପ୍ରତିଷ୍ଠିତ କଳାକାର ରୂପରେ ତାଙ୍କର ଚିତ୍ରଟିଏ ଚାହୁଁଥିଲି। କିଛି ବର୍ଷ ତଳେ ସତାର୍ଡା ଗାଁରେ ସେ ଅଭିନୟ କରୁଥିବା ସମୟରେ ମୋତେ ଏହି ସୁଯୋଗ ମିଳିଥିଲା। ଏହି ଚିତ୍ରରେ (ଉପରେ) ସେ ନାଟକର ଏକ ନାରୀ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହି ଫଟୋରେ ତାଙ୍କୁ ଉଭୟ ଅବତାରରେ ଦେଖିବାକୁ ମିଳିପାରିବ। ଏହି ଗୋଟିଏ ଚିତ୍ର ହିଁ ବୟାନ କରେ ନାରୀ ଭୂମିକାରେ ଅଭିନୟ କରୁଥିବା ଜଣେ ପୁରୁଷଙ୍କ ଉତ୍ତରାଧିକାର ବାର୍ତ୍ତା।

*****

ଛତିଶଗଡ଼ର ରାୟଗଡ଼ରେ ଜୟଦୀପ ମିତ୍ର

PHOTO • Joydip Mitra

ଏମିତି ଏକ ସମୟରେ ମୁଁ ରାମଦାସ ଲାମ୍ବଙ୍କ ଲିଖିତ ରାପ୍‌ଟ ଇନ୍‌ ଦି ନେମ୍‌ ପଢୁଥାଏ, ଯେଉଁ ସମୟରେ କି ଦକ୍ଷିଣପନ୍ଥୀ ହିନ୍ଦୁମାନଙ୍କ ଦ୍ୱାରା ରାମଙ୍କର ଏକ ସଂପୂର୍ଣ୍ଣ ବିପରୀତ ଅର୍ଥବୋଧକ ବ୍ୟାଖ୍ୟା ସାରା ଭାରତରେ ଆଦୃତ ହେଉଥାଏ।

ତେଣୁ ମୁଁ ସଂଖ୍ୟାଗରିଷ୍ଠ ଲୋକଙ୍କ ଦ୍ୱାରା ଗୃହୀତ ଏହି ବର୍ଣ୍ଣନର ବିକଳ୍ପ ଖୋଜିବା ଲାଗି ତୁରନ୍ତ ସ୍ଥିର କଲି ଏବଂ ଏହା ଫଳରେ ହିଁ ମୁଁ ରାମନାମୀଙ୍କ ନିକଟରେ ପହଞ୍ଚିଲି। ତା’ପରଠାରୁ ମୁଁ ସେମାନଙ୍କୁ ଭଲ ଭାବରେ ଜାଣିବା ସହିତ ସେମାନଙ୍କର ଏକ ଅଂଶ ଭାବରେ କାଳାତିପାତ କରିବାକୁ ବର୍ଷ ବର୍ଷ ଧରି ଚେଷ୍ଟା କଲି।

ରାମଙ୍କ ନାମରେ ଶୀର୍ଷକ ଲେଖାରେ ସନ୍ନିହିତ ଏହି ଚିତ୍ରଟି ସେହି ନିମ୍ନବର୍ଗର ବ୍ୟକ୍ତିମାନଙ୍କର ପ୍ରତିନିଧିତ୍ୱ କରେ, ଯେଉଁମାନଙ୍କ ହାତରେ କ୍ଷମତା ଥିଲେ, ହୁଏତ ଭାରତର ସାଂପ୍ରତିକ ଅଧଃପତନକୁ ଏଡ଼ାଇ ଦିଆଯାଇପାରିଥାଆନ୍ତା।

*****

ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ମୁଜାମିଲ ଭଟ

PHOTO • Muzamil Bhat

ଜିଗର ଦେଦ୍‌ଙ୍କ ଦୁଃଖ ଶୀର୍ଷକ ମୋର ଲେଖା ପାଇଁ ଜିଗର ଦେଦଙ୍କ ଚେହେରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ତାଙ୍କ ଜୀବନ ସଂପର୍କରେ ଅନେକ କଥା କହେ।

ବିଶ୍ୱ ମହାମାରୀ କୋଭିଡ୍‌-୧୯ ଦୁର୍ବିପାକ ସମୟରେ ଜିଗର ଦେଦ୍‌ଙ୍କ ଜୀବନ ସଂଘର୍ଷ ସଂପର୍କରେ ମୁଁ ଗୋଟିଏ ସ୍ଥାନୀୟ ଖବରକାଗଜରୁ ଜାଣିବାକୁ ପାଇଲି। ତାଙ୍କୁ ସାକ୍ଷାତ କରି ତାଙ୍କ ଜୀବନ ବୃତ୍ତାନ୍ତ ଜାଣିବା ଲାଗି ମୁଁ ଉତ୍ସୁକ ହୋଇପଡ଼ିଲି।

ତାଙ୍କୁ ଦେଖା କରିବା ଲାଗି ଡାଲ ହ୍ରଦରେ ତାଙ୍କ ହାଉସ୍‌ବୋଟକୁ ଯାଇଥିବା ବେଳେ ସେ ଗଭୀର ଚିନ୍ତାମଗ୍ନ ଅବସ୍ଥାରେ ଗୋଟିଏ କୋଣରେ ବସିଥିଲେ। ପରବର୍ତ୍ତୀ ୮-୧୦ ଦିନ ଧରି ମୁଁ ତାଙ୍କୁ ଦେଖା କରିବାକୁ ଯାଇଥିଲି। ସେ ମୋତେ ଶୁଣାଇଥିଲେ ୩୦ ବର୍ଷ ଧରି ଏକା ଏକା ବିତାଇଥିବା ତାଙ୍କ ସଂଘର୍ଷମୟ ଜୀବନର କାହାଣୀ।

ଏହି ଲେଖା ପ୍ରସ୍ତୁତ କରିବା ସମୟରେ ମୋ ଆଗରେ ସବୁଠାରୁ କଷ୍ଟକର କାମ ଥିଲା, ଗୋଟିଏ କଥାକୁ ତାଙ୍କୁ ବାରମ୍ବାର ଶୁଣାଇବା। କାରଣ, ସେ ବାର୍ଦ୍ଧକ୍ୟଜନିତ ସ୍ମରଣହୀନତା ରୋଗରେ ପୀଡ଼ିତ ଥିଲେ। ତାଙ୍କ ପକ୍ଷରେ ଅନେକ କଥା ମନେ ରଖିବା କଷ୍ଟକର ଥିଲା ଏବଂ ବେଳେବେଳେ ସେ ମୋତେ ଚିହ୍ନି ପାରୁ ନଥିଲେ।

ଏହା ମୋର ସବୁଠାରୁ ପ୍ରିୟ ଫଟୋଚିତ୍ର। କାରଣ, ଏଥିରେ ତାଙ୍କ ମୁହଁର କୁଞ୍ଚନ ସ୍ପଷ୍ଟ ଦେଖାଯାଏ। ମୋ ପାଇଁ ପ୍ରତିଟି କୁଞ୍ଚନ ପଛରେ ରହିଛି ଗୋଟିଏ ଗୋଟିଏ କାହାଣୀ।

*****

ତାମିଲନାଡୁର ତିରୁଭାଲ୍ଲୁରରେ ପଲାନି କୁମାର

PHOTO • M. Palani Kumar

ଗୋବିନ୍ଦାମ୍ମାଙ୍କ ଉପରେ ରିପୋର୍ଟ ପ୍ରସ୍ତୁତ କରିବା ଥିଲା ଏକ ଦୀର୍ଘକାଳୀନ ପ୍ରକଳ୍ପ। ଲକ୍‌ଡାଉନ୍‌ ପୂର୍ବରୁ ଏବଂ ପରେ, ମୁଁ ତାଙ୍କ ସହିତ ୨-୩ ବର୍ଷ ଧରି କଥାବାର୍ତ୍ତା କରିଛି। ତାଙ୍କ ପରିବାରର ତିନିଟି ପିଢ଼ିକୁ ମୁଁ ଫଟୋରେ ତୋଳି ଧରିଛି। ସେମାନେ ହେଲେ-ଗୋବିନ୍ଦାମ୍ମା, ତାଙ୍କ ମାଆ, ତାଙ୍କ ପୁଅ ଏବଂ ତାଙ୍କ ନାତିନାତୁଣୀ।

ଗୋବିନ୍ଦାମ୍ମା: ‘ସାରା ଜୀବନ ମୁଁ ପାଣିରେ କାଟିଛି’ , ଶିରୋନାମାରେ ମୋର ଏହି ଲେଖା ପ୍ରକାଶିତ ହୋଇଥିଲା ଏବଂ ଉତ୍ତର ଚେନ୍ନାଇର ପରିବେଶ ସଂକଟ ସଂପର୍କିତ ହୋଇଥିବାରୁ ଏହାକୁ ବହୁ ଲୋକ ପଢ଼ିବା ସହିତ ଜଣେ ଅନ୍ୟ ଜଣଙ୍କ ପାଖକୁ ପଠାଇବାରେ ଲାଗିଥିଲେ।

ଏହାର ପ୍ରଭାବରେ ତିରୁବାଲ୍ଲୁର ଜିଲ୍ଲାପାଳ ଲୋକଙ୍କୁ ପଟ୍ଟା (ଜମିର ମାଲିକାନା ସଂକ୍ରାନ୍ତ କାଗଜପତ୍ର) ଏବଂ ଭତ୍ତା ପ୍ରଦାନ କରିଥିଲେ। ଏହା ସହିତ ସେମାନଙ୍କ ପାଇଁ ନୂଆ ଘର ତିଆରି କରାଯାଇଥିଲା। ସେଥିପାଇଁ ଏହି ଲେଖାରେ ସନ୍ନିବେଶିତ ଏହି ଫଟୋଟି ମୋ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କ ସମସ୍ୟାକୁ ପରବର୍ତ୍ତୀ ସ୍ତରକୁ ନେବାରେ ଏହା ସକ୍ଷମ ହୋଇଥିଲା।

ଆପଣ କହିପାରନ୍ତି ଯେ, ଏହି ଫଟୋଟି ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା।

*****

ଓଡ଼ିଶାର ରାୟଗଡ଼ାରେ ପୁରୁଷୋତ୍ତମ ଠାକୁର

PHOTO • Purusottam Thakur

ନିୟମଗିରିରେ ଏକ ବିବାହ ଶୀର୍ଷକ ମୋର ରିପୋର୍ଟ ପ୍ରସ୍ତୁତି ସମୟରେ ଟିନା ନାମ୍ନୀ ଏହି କୁନି ଝିଅଟିକୁ ମୁଁ ଭେଟିଥିଲି। ସେ ଗୋଟିଏ ବିବାହ ଉତ୍ସବକୁ ଆସିଥିଲା। ମୁଁ ତା’ର ଏହି ଫଟୋ ନେବା ସମୟରେ ସେ ତା ବାପାଙ୍କ ସହିତ ତାଙ୍କ ମାଟି ଘରର ବାରଣ୍ଡାରେ ଠିଆ ହୋଇଥିଲା।

ଝିଅଟି ଗୁଡ଼ାଖୁରେ (ତମାଖୁ ଓ ପୋଚା ଗୁଡ଼ରୁ ପ୍ରସ୍ତୁତ ପେଷ୍ଟ୍‌) ତା’ର ଦାନ୍ତ ଘଷୁଥିଲା। ଫଟୋ ଉଠାଇବା ସମୟରେ ତା’ର ସହଜ ସ୍ୱଭାବ ମୋତେ ଭଲ ଲାଗିଥିଲା।

ଏହି ଫଟୋଟିରୁ ମୋର ମନେ ପଡ଼ିଯାଏ ଆଦିବାସୀଙ୍କ ଜୀବନ ଦର୍ଶନ। କେବଳ ସେମାନଙ୍କ ନିଜ ନିଜର ଜମି କି ନିୟମଗିରି ପାହାଡ଼ର ସୁରକ୍ଷା ନୁହେଁ, ବରଂ ସେ ଅଞ୍ଚଳର ସମଗ୍ର ପରିବେଶକୁ- ଯାହା ଉପରେ ନିର୍ଭର କରୁଥିଲା ସେମାନଙ୍କ ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ଜୀବନର ଭିତ୍ତି - ସୁରକ୍ଷିତ ରଖିବା ଲାଗି ସେମାନଙ୍କ ସଂଘର୍ଷକୁ ବି ଏହା ଦର୍ଶାଉଥିଲା।

ମାନବ ସଭ୍ୟତା ପାଇଁ ଏହା କେତେଦୂର ଗୁରୁତ୍ୱପୂର୍ଣ୍ଣ, ସେ ସଂପର୍କରେ ସାରା ପୃଥିବୀକୁ ଏହା ଏକ ବାର୍ତ୍ତା ଦେଉଥିଲା।

*****

ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀରେ ରାହୁଲ ଏମ୍‌

PHOTO • Rahul M.

ମୋର ଲେଖା ପାଇଁ ମୁଁ ୨୦୧୯ରେ ଏହି ଫଟୋଟି ଉଠାଇଥିଲି। ଶୀର୍ଷକ ଥିଲା 'ଓଃ, ସେଇ ଘର, ଏହା ଏବେ ସମୁଦ୍ରରେ ଅଛି-ଏଇ ସେଇଠି!' । ଏକଦା ଉପ୍ପଦାର ମତ୍ସ୍ୟଜୀବୀମାନଙ୍କ କଲୋନି କେମିତି ଦିଶୁଥିଲା, ସେ କଥାକୁ ମୁଁ ମନେ ରଖିବାକୁ ଚାହୁଁଥିଲି।

ଜଳବାୟୁ ପରିବର୍ତ୍ତନ ସଂପର୍କିତ ଲେଖା ପାଇଁ କାହାଣୀ ଖୋଜୁଥିବା ବେଳେ ସମୁଦ୍ର ଜୁଆର ଯୋଗୁଁ ପ୍ରଭାବିତ ଅନେକ ଗାଁ ରହିଥିବା କଥା ମୁଁ ଜାଣିପାରିଲି। ଏହି ଫଟୋର ବାମ ପଟେ ଧ୍ୱସ୍ତ କୋଠାଟି ମୋତେ ଆକର୍ଷିତ କଲା ଏବଂ ଧୀରେ ଧୀରେ ଏହା ମୋର ସମଗ୍ର ଫଟୋ ଓ ଲେଖାର କେନ୍ଦ୍ରରେ ସ୍ଥାନିତ ହେଲା।

ଦିନ ଥିଲା, ଲୋକଙ୍କ କୋଳାହଳରେ ପୂରି ଉଠୁଥିଲା ଏହି କୋଠା। ୫୦ ବର୍ଷ ତଳେ ଏହି କୋଠାରେ ରହିବାକୁ ଆସିଥିବା ପରିବାରର ସଦସ୍ୟମାନେ ଏବେ ଏହା ସଂଲଗ୍ନ ଗଳିରେ ରହୁଛନ୍ତି। ଉପ୍ପଦାରେ ପୁରୁଣା ବୋଲି ଯାହା କିଛି ବି ଥିଲା, ଏବେ ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି।

ମୁଁ ଭାବିଲି, ହୁଏତ ଆଗକୁ ଏହି କୋଠାଟିର ପାଳି ପଡ଼ିବ। ଅନେକ ଲୋକ ବି ଏହା କହିଲେ। ତେଣୁ ମୁଁ ବାରମ୍ବାର ଏହି କୋଠା ଦେଖିବାକୁ ଯାଉଥିଲି, ଏହାର ଫଟୋ ନେଉଥିଲି ଏବଂ ଏ ସଂପର୍କରେ ଜାଣିବା ପାଇଁ ଲୋକଙ୍କ ସହିତ ସାକ୍ଷାତ କରୁଥିଲି। ଏବଂ ପରିଶେଷରେ, ୨୦୨୦ ମସିହାରେ ସମୁଦ୍ର ଏହି କୋଠାକୁ ନିଜ ଗର୍ଭକୁ ଟାଣି ନେଲା। ଏତେ ଶୀଘ୍ର ଏହା ଘଟିବ ବୋଲି ମୁଁ ବି କଳ୍ପନା କରି ନଥିଲି।

*****

ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ରୀ ତାୟନ ମୁଖାର୍ଜୀ

PHOTO • Ritayan Mukherjee

ମୋର ସୁନ୍ଦରବନରେ, ବାଘ ଛାୟାରେ ଏକ ବିବାହ ଶୀର୍ଷକ ଲେଖାରେ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ମନ ମୋହି ନେଉଥିଲା ନିତ୍ୟାନନ୍ଦ ସରକାରଙ୍କ କଳା କୌଶଳ। ଏବଂ ମୋ ଫଟୋଗୁଡ଼ିକରେ ମୁଁ ଦେଖାଇବାକୁ ଚାହୁଁଥିଲି ଏଠାକାର ରଜତ ଜୁବୁଲି ଗାଁରେ ପରଲୋକଗତ କନ୍ୟାପିତା ଅର୍ଜୁନ ମଣ୍ଡଳଙ୍କ ସ୍ମୃତି ମଧ୍ୟରେ ଆୟୋଜିତ ଗୋଟିଏ ବିବାହ ଉତ୍ସବରେ ତାଙ୍କ ପରିବାର ଲୋକଙ୍କ ଯୋଗଦାନ। ୨୦୧୯ରେ ଗଙ୍ଗା ନଦୀ ମୁହାଣର ତ୍ରିକୋଣଭୂମି ଅଞ୍ଚଳରେ ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ ଅର୍ଜୁନ ଏବଂ ତାଙ୍କ ବିୟୋଗଜନିତ ଦୁଃଖ ସହିତ ସଂଘର୍ଷ କରୁଥିଲେ ତାଙ୍କ ପରିବାର ଲୋକେ।

ନିତ୍ୟାନନ୍ଦ ଜଣେ କୃଷକ ତଥା କଳାକାର। ସେ ଝୁମୁର ଗୀତ, ମା ବୋନ୍‌ବିବି ନାଟକ, ଏବଂ ପାଲା ଗାନ୍‌ ପ୍ରଭୃତି ଲୋକକଳା ପରିବେଷଣ କରୁଥିଲେ। ୫୩ ବର୍ଷର ଏହି କୃଷକ ଜଣକ ଏ ଅଞ୍ଚଳର ଜଣେ ପୁରୁଖା ପାଲା ଗାନ୍‌ କଳାକାର ଏବଂ ୨୫ ବର୍ଷରୁ ଅଧିକ ସମୟ ରହେଲା ସେ ଏହି କଳା ପରିବେଷଣ କରିଆସୁଛନ୍ତି। ସେ ଏକାଧିକ ଦଳ ସହିତ ମିଶି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରନ୍ତି।

*****

ମହାରାଷ୍ଟ୍ରର ମୁମ୍ବାଇରେ ରିୟା ବେହ୍‌ଲ

PHOTO • Riya Behl

୨୦୨୧ ମସିହା ଜାନୁଆରୀ ୨୪ ତାରିଖ ଦିନ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ସଂଯୁକ୍ତ ସେତକରୀ କାମଗାର ମୋର୍ଚ୍ଚା ତରଫରୁ ଆୟୋଜିତ ଦୁଇ ଦିନିଆ ଧାରଣାରେ ଯୋଗ ଦେବା ପାଇଁ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କୃଷକ ଆସି ପହଞ୍ଚିଥିଲେ। ଏ ସଂପର୍କରେ ମୁଁ ମୁମ୍ବାଇରେ ଚାଷୀଙ୍କ ଧାରଣା: 'କଳା ଆଇନ ଫେରାଇ ନିଅ' ଶୀର୍ଷକ ଲେଖା ଲେଖିଥିଲି।

ସେଦିନ ବଡ଼ି ଭୋରରୁ ମୁଁ ସେଠାରେ ପହଞ୍ଚିଥିଲି ଏବଂ ସେତେବେଳକୁ ଦଳ ଦଳ ହୋଇ କୃଷକମାନେ ସେଠାରେ ଆସି ପହଞ୍ଚି ସାରିଥିଲେ। ଗତ ସନ୍ଧ୍ୟାରେ କେତେବେଳେ ଏତେ ବଡ଼ ଏକ କୃଷକ ଦଳ ଆସି ଏଠାରେ ପହଞ୍ଚିଥିଲେ ବୋଲି ଜାଣିବାକୁ ଆମେ ସବୁ ରିପୋର୍ଟରମାନେ ଅପେକ୍ଷା କରିଥିଲୁ ଏବଂ ସେମାନଙ୍କର ସବୁଠାରୁ ଭଲ ଫଟୋ ନେଇପାରିବୁ ବୋଲି ଆଶାରେ ନିଜ ନିଜର ପ୍ରସ୍ତୁତି ଚଳାଇଥିଲୁ। ଫଟୋଗ୍ରାଫରମାନେ ରାସ୍ତାର ଡିଭାଇଡର ଉପରେ, କେତେକ ମଟରଗାଡ଼ି ଉପରେ ଏବଂ ନିଜ ନିଜର କ୍ୟାମେରା ଲେନ୍‌ସ ମୁତାବକ ଅନ୍ୟାନ୍ୟ ସୁବିଧାଜନକ ସ୍ଥାନରେ ରହିଥିଲେ। ଗୋଟିଏ ଆଖି କ୍ୟାମେରାରେ ଲଗାଇ ରହିଥିଲୁ ଏବଂ କେତେବେଳେ କୃଷକମାନଙ୍କର ଏହି ମହାସମୁଦ୍ର ଅଣଓସାରିଆ ରାସ୍ତାକୁ ଆସିବ ଏବଂ ବନ୍ୟାଜଳ ଭଳି ମାଡ଼ିଯାଇ ମଇଦାନରେ ପହଞ୍ଚିବ ବୋଲି ଅପେକ୍ଷା କରିଥିଲୁ।

ପ୍ରଥମ ଥର ପାଇଁ ମୁଁ ‘ପରୀ’ ପାଇଁ କାମ କରୁଥିଲି ଏବଂ ଏ କଥା ଖୁବ୍‌ ଭଲ ଭାବରେ ଜାଣିଥିଲି ଯେ ଆଉ ୫ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ମୋତେ ସେହି ଫଟୋ ଉଠାଇବାକୁ ପଡ଼ିବ ଯାହା କି ପ୍ରକାଶଯୋଗ୍ୟ ହୋଇପାରିବ। ମୋ ପାଇଁ ବଡ଼କଥା ଥିଲା ଠିକ୍‌ ଭାବରେ ଠିକ୍‌ ସ୍ଥାନରେ ରହିବା। କିନ୍ତୁ ମୁମ୍ବାଇ ନଗରୀ ଆମକୁ କଷ୍ଟରୁ ରିହାତି ଦେଇଥିଲା, କାରଣ ଠିକ୍‌ ଆମ ବିପରୀତ ପାଖରେ ଥିଲା ଛତ୍ରପତି ଶିବାଜୀ ଟର୍ମିନସ୍‌- ଏକ ଐତିହାସିକ ରେଳ ଷ୍ଟେସନ, ଏବଂ ଏହା ଉଜ୍ଜ୍ୱଳ ହଳଦିଆ, ନୀଳ ଏବଂ ସବୁଜ ରଙ୍ଗରେ ଉଦ୍‌ଭାସିତ ହୋଇଉଠିଥିଲା। ମୁଁ ଜାଣିଗଲି ଯେ ଏହା ହିଁ ମୋ ଫଟୋର ପୃଷ୍ଠଭୂମିରେ ରହିବ।

ହଠାତ୍‌, ଶୋଭାଯାତ୍ରାକାରୀ କୃଷକଙ୍କ ଭିଡ଼ରେ ଭରିଗଲା ରାସ୍ତା, ସେମାନେ ଆଗେଇ ଚାଲିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ‘ଏଆଇକେଏସ୍‌ଏସ୍‌’ର ଲାଲ ଟୋପି ପିନ୍ଧିଥିଲେ।  ଏହା ହିଁ ମୋର ସବୁଠାରୁ ପ୍ରିୟ ଫଟୋ। କାରଣ ଏଥିରେ ସମ୍ଭବତଃ ପ୍ରଥମ ଥର ପାଇଁ ଏହି ମହାନଗରୀକୁ ଆସିଥିବା ଦୁଇ ଯୁବତୀଙ୍କ ବିସ୍ମୟଭରା ମୁହୂର୍ତ୍ତର ପ୍ରତିଚ୍ଛବି ରହିଥିଲା। ସେହି ମୁହୂର୍ତ୍ତକ ମଧ୍ୟରେ ହିଁ ଯାହା କିଛି ସମ୍ଭବ ସେ ସବୁକୁ ସାଉଁଟି ନେବାକୁ ବସିଥିଲେ ସେମାନେ। ଦିନ ଯାକ ସେମାନେ ଏକ ଅସ୍ଥାୟୀ ଶିବିରରେ କାଟିଥିଲେ, ଓଜନିଆ ବ୍ୟାଗ ଓ ଖାଦ୍ୟର ଭାର ବୋହିଥିଲେ, ଏବଂ କୃଷକମାନଙ୍କର ଏହି ବିଶାଳ ଦଳର ବେଗ ସହିତ ତାଳ ଦେଇ ନପାରି ଧିମେଇ ଯାଇଥିଲେ। ସମ୍ଭବତଃ କୃଷକମାନେ ବି ଲମ୍ବା ଯାତ୍ରା ଯୋଗୁଁ କ୍ଳାନ୍ତ ହୋଇପଡ଼ିଥିଲେ ଏବଂ ଯେତେ ଶୀଘ୍ର ସମ୍ଭବ ବିଶ୍ରାମ ନେବାକୁ ମଇଦାନରେ ଜାଗା ଖୋଜୁଥିଲେ। ହେଲେ ଏହି ମହିଳାମାନେ ନିଜ ପାଇଁ ଗୋଟିଏ ସେକେଣ୍ଡ ଅଟକି ଯାଇଥିଲେ ଏବଂ ସେହି ମୁହୂର୍ତ୍ତକର ସାକ୍ଷୀ ହୋଇପାରି ମୁଁ ନିଜକୁ ଭାଗ୍ୟବାନ ମଣୁଥିଲି।

*****

ଓଡ଼ିଶାର ରାୟଗଡ଼ାରେ ପି. ସାଇନାଥ

PHOTO • P. Sainath

ଫଟୋ, ଭାରତର

ଗର୍ବର ସହ ଫଟୋ ଉଠାଇଥିଲେ ଜମି ମାଲିକ। ତାଙ୍କର ସେହି ଲମ୍ବା ଶରୀର ସମ୍ମୁଖରେ ଥିଲେ ନଅ ଜଣ ମହିଳା ଶ୍ରମିକ, କ୍ଷେତରେ ଚାରା ରୋପଣ କରୁଥିଲେ। ଗୋଟିଏ ଦିନର କାମ ପାଇଁ ଯାହା ମଜୁରି ଦେବା କଥା, ସେ ତୁଳନାରେ ସେ  ସେମାନଙ୍କୁ ୬୦ ପ୍ରତିଶତ କମ୍‌ ଦେଉଥିଲେ।

ଏଇ ମାତ୍ର ପ୍ରକାଶିତ ହୋଇଥିଲା ୨୦୦୧ ଜନଗଣନା ରିପୋର୍ଟ, ଏବଂ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ନଅ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଅତିକ୍ରମ କରିଥିଲା। ଏବଂ ଗୋଟିଏ ଝଲକରେ ଆମେ ଦେଖୁଥିଲୁ ଭାରତର ବହୁଗୁଣିତ ବାସ୍ତବତାକୁ।

ପୁରୁଷ ଜମି ମାଲିକ ଜଣକ ଗର୍ବରେ ମୁଣ୍ଡ ଉଠାଇ ଠିଆ ହୋଇଥିଲେ। ମହିଳାମାନେ କ୍ଷେତରେ ନଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ ଦଶ ପ୍ରତିଶତ ହିଁ ଆତ୍ମବିଶ୍ୱାସର ସହିତ ସିଧାସଳଖ ଠିଆ ହୋଇଥିଲେ। ବାକି ୯୦ ପ୍ରତିଶତ ଭୂମି ଉପରକୁ ନଇଁ ପଡ଼ିଥିଲେ।

କ୍ୟାମେରା ଲେନ୍‌ସରେ ‘୧’ ପରେ ୯ଟି ଶୂନ ଲାଗିଲା ଭଳି ଦିଶୁଥିଲା। ତାହା ହେଉଛି ଶହେ କୋଟି- ତାହା ହିଁ ଭାରତ।

*****

ମହାରାଷ୍ଟ୍ରର କୋଲ୍‌ହାପୁରରେ ସଂକେତ ଜୈନ

PHOTO • Sanket Jain

ଏହି ଫଟୋଟି ରହିଛି କୋଲ୍ହାପୁର: ପହିଲମାନଙ୍କ ଖୋରାକ, ଆହୁରି ଅନେକ ଉତ୍କଟ ସମସ୍ୟା ଶୀର୍ଷକ ମୋ ଲେଖାରେ।

ଯେ କୌଣସି କୁସ୍ତି ପ୍ରତିଯୋଗିତାରେ କିମ୍ବା ତାଲିମ ସମୟରେ ପହିଲମାନମାନଙ୍କୁ ଖୁବ୍‌ ଧ୍ୟାନ ସହକାରେ ନଜର ରଖିବାକୁ ପଡ଼େ, ବିପକ୍ଷ ପ୍ରତିଯୋଗୀଙ୍କ ଚାଲ୍‌ ବୁଝିବାକୁ ହୁଏ ଏବଂ ଗୋଟିଏ ସେକେଣ୍ଡରୁ କମ୍‌ ସମୟ ଭିତରେ ସ୍ଥିର କରିବାକୁ ହୁଏ କି କେମିତି ସେମାନେ ପ୍ରତିପକ୍ଷର ମୁକାବିଲା କରିବେ, ଆତ୍ମରକ୍ଷା କରିବେ ନା ଆକ୍ରମଣ କରିବେ।

ହେଲେ ଏହି ଫଟୋରେ ପହିଲମାନ ସଚିନ ସାଲୁଙ୍ଖେ ହତାଶ ଓ ଚାପଗ୍ରସ୍ତ ଭଳି ମନେ ହେଉଛନ୍ତି। ବାରମ୍ବାର ବନ୍ୟା ଏବଂ କୋଭିଡ୍‌ ବିଶ୍ୱ ମହାମାରୀ ଯୋଗୁଁ ଗ୍ରାମୀଣ ପହିଲମାନମାନଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଲା ଏବଂ ସେମାନେ କୃଷି ଶ୍ରମିକ ଭାବେ ବା ଅନ୍ୟ କୌଣସି ଛୋଟମୋଟ କାମ କରିବାକୁ ବାଧ୍ୟ ହେଲେ। ପ୍ରତିକୂଳ ପ୍ରଭାବ ଏତେ ବେଶୀ ଥିଲା ଯେ କୁସ୍ତି ଆଖଡ଼ାକୁ ଫେରିବା ଲାଗି ସମସ୍ତ ଚେଷ୍ଟା ସତ୍ତ୍ୱେ ସଚିନ ସେ ଦିଗରେ ଧ୍ୟାନ ଦେଇ ପାରିଲେନି।

ଏମିତି ସ୍ଥିତିରେ ଏହି ଫଟୋଟି ଉଠା ହୋଇଥିଲା, ଯେଉଁଥିରେ ପହିଲମାନମାନଙ୍କ ବାସ୍ତବ ଦୁଃଖ ପ୍ରତିଫଳିତ। ଜଳବାୟୁ କ୍ଷେତ୍ରରେ ବିପର୍ଯ୍ୟୟ ଯୋଗୁଁ ସେମାନଙ୍କ ଜୀବନଧାରା ଆହୁରି ସମସ୍ୟାଜଡ଼ିତ ହୋଇପଡ଼ିଛି।

*****

କର୍ଣ୍ଣାଟକର ହାଭେରିରେ ଏସ୍‌. ସେନ୍ଥାଲିର

PHOTO • S. Senthalir

ପ୍ରଥମ ଥର ପାଇଁ ମୁଁ ଯେବେ ହାଭେରି ଜିଲ୍ଲାର କୋନାନ୍ତାଲେ ଗାଁରେ ରତ୍ନବାଙ୍କ ଘରକୁ ଯାଇଥିଲି, ତାହା ଥିଲା ଫସଲ ଅମଳ ଋତୁ। ରତ୍ନବା ଟମାଟୋ ଫସଲ କରୁଥିଲେ ଏବଂ ଅମଳ ପରେ ସେଥିରୁ ମଞ୍ଜି ବାହାର କରିବା ଲାଗି ସେଗୁଡ଼ିକୁ ଛେଚି ଦିଆଯାଇଥିଲା। ଏହି ମଞ୍ଜିକୁ ଶୁଖାଇ ଜିଲ୍ଲା ସଦର ମହକୁମାରେ ରହିଥିବା ବଡ଼ ବଡ଼ ବିହନ ଉତ୍ପାଦକ କମ୍ପାନୀକୁ ପଠାଯାଉଥିଲା।

ବାସ୍ତବରେ, ହାତରେ ପରାଗ ସଙ୍ଗମ କରାଇବା ଋତୁ ଆରମ୍ଭ ହେବା ଲାଗି ମୋତେ ଆଉ ତିନି ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ମହିଳାମାନେ ବଡ଼ି ଭୋରରୁ ଉଠି ଫୁଲରେ ପରାଗ ସଙ୍ଗମ କରାଇବା ଦିଗରେ କାମ ଆରମ୍ଭ କରିଦେଉଥିଲେ।

ମୁଁ ତାଙ୍କ ପଛେ ପଛେ କ୍ଷେତକୁ ଯାଉଥିଲି ଏବଂ ଧାଡ଼ି ଧାଡ଼ି ଗଛ ମଝିରେ ଘଣ୍ଟା ଘଣ୍ଟା ଧରି ରହି ତାଙ୍କ କାମକୁ ଫଟୋରେ ତୋଳି ଧରୁଥିଲି ଏବଂ ଏ ସଂପର୍କିତ ମୋର ଲେଖାର ଶୀର୍ଷକ ଥିଲା ହାଭେରିରେ, ଅନେକ ସ୍ୱପ୍ନ ଓ ପରାଗ ସଂଗମରେ ସଂଘର୍ଷରତ ରତ୍ନବା , ଯେଉଁଥିରେ ନଥିଭୁକ୍ତ ହୋଇଛି ତାଙ୍କ କାମର ବିବରଣୀ।

ଏହି ଗୋଟିକ ଲେଖା ପାଇଁ ତାଙ୍କର ଆସ୍ଥାଭାଜନ ହେବା ଲାଗି ମୁଁ ଛଅ ମାସ କାଳ ପ୍ରାୟ ସବୁ ଦିନ ରତ୍ନବାଙ୍କ ଘରକୁ ଯାଉଥିଲି।

ଏହା ମୋର ସବୁଠାରୁ ପ୍ରିୟ ଫଟୋ ମଧ୍ୟରୁ ଅନ୍ୟତମ, କାରଣ ଏଥିରେ ସେ କାମ କରୁଥିବା ବେଳର ଭାବଭଙ୍ଗୀ ରହିଛି। ଏହି ଭଙ୍ଗୀରୁ ହିଁ ଜଣାଯାଏ ଯେ, ସଙ୍କର ଜାତୀୟ ବିହନ ପ୍ରସ୍ତୁତି ଲାଗି ମହିଳାମାନେ କରୁଥିବା ଏହି କାମ କେତେ କଠିନ ଓ ଶ୍ରମଯୁକ୍ତ। ତାଙ୍କର ଏହି ବିହନ ପ୍ରସ୍ତୁତି କାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ ହେଲା ହାତ ଦେଇ ଫୁଲରେ ପରାଗ ସଙ୍ଗମ କରାଇବା ଏବଂ ଏଥି ଲାଗି ସେ ନଇଁଥିବା ଅବସ୍ଥାରେ ଏକାଦିକ୍ରମେ ତିନିରୁ ଚାରି ଘଣ୍ଟା ବିତାଇ ଦିଅନ୍ତି।

*****

ମହାରାଷ୍ଟ୍ରର ମୁମ୍ବାଇରେ ଶ୍ରୀରଙ୍ଗ ସ୍ୱା ର୍ଗେ

PHOTO • Shrirang Swarge

ଦୀର୍ଘ ଯାତ୍ରା: କ୍ଷତାକ୍ତ ପାଦ ଓ ଦୃଢ଼ ମନୋବଳ ଶୀର୍ଷକ ଲେଖାରେ ସ୍ଥାନିତ ଏହି ଫଟୋଟି କୃଷକମାନଙ୍କ ପଦଯାତ୍ରା ସଂପର୍କିତ ମୋର ସବୁଠାରୁ ପ୍ରିୟ ଫଟୋ। କାରଣ ଏଥିରେ ନିହିତ ପଦଯାତ୍ରା ଲାଗି ଦୃଢ଼ ମନୋବଳ, ଯାହା କି ଏହି ଲେଖାର ମୂଳପିଣ୍ଡ।

ମୁଁ ଦେଖିଲି ଯେ, ନେତାମାନେ ଯେତେବେଳେ ଭାଷଣ ଦେଉଥିଲେ ଏହି କୃଷକ ଜଣକ ଗୋଟିଏ ଟ୍ରକ୍‌ ଉପରେ ବସି ପତାକା ହଲାଉଥିଲେ। ତୁରନ୍ତ ମୁଁ ଟ୍ରକ୍‌ ପାଖ ଦେଇ ଆଗେଇ ଗଲି ଏବଂ ମୁଖ୍ୟ ରାସ୍ତାକୁ ଆସିବା ପରେ ବସି ରହିଥିବା କୃଷକମାନଙ୍କ ଭିଡ଼କୁ ମୋ କ୍ୟାମେରାରେ ଫଟୋ ଫ୍ରେମର ପଛପଟେ ଦେଖିଲି। ମୁଁ ଜାଣିଥିଲି ଆଉ ଅଧିକ ସମୟ ଅପେକ୍ଷା କଲେ ଏହି ଫ୍ରେମ୍‌ ହୁଏତ ମିଳିବନି।

ଏହି ଫଟୋରେ ରହିଛି ପଦଯାତ୍ରା ପଛର ଦୃଢ଼ ମନୋବଳ। ଏହା ପାର୍ଥଙ୍କ ଦ୍ୱାରା ଖୁବ ଭଲ ଭାବରେ ଲିଖିତ ଲେଖାର ପ୍ରତିନିଧିତ୍ୱ କରେ ଏବଂ ଏଥିରେ ପ୍ରତିବାଦକାରୀ କୃଷକମାନଙ୍କ ଅଖଣ୍ଡ ଇଚ୍ଛାଶକ୍ତି ପ୍ରତିଫଳିତ ହୁଏ। କୃଷକମାନଙ୍କ ପଦଯାତ୍ରା ସମୟରେ ଏହି ଫଟୋଟି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା ଏବଂ ବ୍ୟାପକ ଭାବେ ପ୍ରସାରିତ ଏବଂ ପ୍ରକାଶିତ ହୋଇଥିଲା।

*****

ଜାମ୍ମୁ ଓ କାଶ୍ମୀରର କାରଗିଲ ଜିଲ୍ଲାରେ ଶୁଭ୍ରା ଦୀକ୍ଷିତ

PHOTO • Shubhra Dixit

ପୁର୍ଗିର ତାଇସୁରୁରେ ଲୋକେ ଯେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ସେହି ଭାଷାରେ ସ୍କୁଲରେ ପାଠ ପଢ଼ାଯାଏ ନାହିଁ। ସ୍କୁଲରେ ଇଂଲିଶ ଓ ଉର୍ଦ୍ଦୁ ପଢ଼ାଯାଏ। ଉଭୟ ଭାଷା ପିଲାମାନଙ୍କ ପାଇଁ ଦୁରୂହ ଓ କଠିନ। ଇଂଲିଶରେ ପଢ଼ାବହି ବି ସେହିଭଳି। କେବଳ ଭାଷା ନୁହେଁ, ଉଦାହରଣରେ ବର୍ଣ୍ଣିତ କାହାଣୀଗୁଡ଼ିକର କଥାବସ୍ତୁ ବି ଏଠାକାର ନିତିଦିନିଆ ଜୀବନ ଏବଂ ଏ ଅଞ୍ଚଳର ଲୋକଙ୍କ ଅନୁଭୂତିଠାରୁ ସଂପୂର୍ଣ୍ଣ ଭିନ୍ନ।

ସୁରୁ ଉପତ୍ୟକାରେ ମହରମ ପାଳନ ଶୀର୍ଷକ ମୋ ଲେଖାରେ, ପଢ଼ାବହି ପ୍ରତି ଅନାଗ୍ରହୀ ହାଜିରା ଏବଂ ବାତୁଲ ସୌର ମଣ୍ଡଳ ସଂପର୍କରେ ଶିକ୍ଷାଲାଭ କରୁଛନ୍ତି। ବିଭିନ୍ନ ଗ୍ରହ, ସୂର୍ଯ୍ୟ ଓ ଚନ୍ଦ୍ର ସଂପର୍କରେ ଜାଣିବାକୁ ଆଗ୍ରହ ଥିବାରୁ ସେମାନେ ନିଜେ ନିଜର ବହି ଦେଖି ଶିଖୁଛନ୍ତି।

ମହରମ ପର୍ବ ପାଳନ ସମୟରେ ଏହି ଫଟୋ ନିଆଯାଇଥିଲା। ତେଣୁ ଏହି ଝିଅମାନେ କଳା ପୋଷାକ ପିନ୍ଧିଛନ୍ତି ଏବଂ ପାଠପଢ଼ା ସାରି ସେମାନେ ଏକାଠି ଇମାମବାଡ଼ାକୁ ଯିବେ।

*****

ତାମିଲନାଡୁର ତିରୁଭାଲ୍ଲୁରରୁ ସ୍ମିତା ତୁମୁଲୁରୁ

PHOTO • Smitha Tumuluru

ରସାଳ ଫଳଟିରୁ ଖଣ୍ଡେ କାମୁଡ଼ି ଦେଲା ପରେ କ୍ରିଷ୍ଣନ ମୁହଁରେ ହସ ଫୁଟି ଉଠିଲା। ତା ପାଟିରେ ଲେସି ହୋଇଯାଇଥିଲା ଲାଲ-ଗୋଲାପି ରଙ୍ଗ। ତାକୁ ଦେଖି ଅନ୍ୟ ସବୁ ପିଲା ବି କୁରୁଳି ଉଠିଲେ ଏବଂ ଏହି ଫଳଟି ପାଇଁ ଧସ୍ତାଧସ୍ତି ହେଲେ। ସେମାନେ ସମସ୍ତେ ମିଶି କେତେକ ନାଧେଲ୍ଲି ପାଝାମ ସଂଗ୍ରହ କରିନେଲେ। ସାଧାରଣତଃ ବଜାରରେ ଏହି ଫଳ ମିଳେନାହିଁ। ସ୍ପଷ୍ଟ ବୁଝି ହେଉଥିବା କାରଣରୁ ଏହାକୁ ସେମାନେ କହନ୍ତି “ଲିପ୍‌ଷ୍ଟିକ୍‌ ଫଳ”। ଆମେ ସମସ୍ତେ ଏହି ଫଳରୁ ଖଣ୍ଡେ ଲେଖାଏଁ ଖାଇଲୁ ଏବଂ ଆମ ଗୋଲାପି ଓଠ ସହିତ ସେଲ୍‌ଫି ନେଲୁ।

ଏହି ଫଟୋଟି ବାଙ୍ଗାଲାମେଡୁରେ ପୋତାଧନ ଖନନ ଶୀର୍ଷକ ମୋର ଲେଖାରେ ରହିଛି। ଏଥିରେ ରହିଛି ଏକ ଆମୋଦଦାୟକ ମୁହୂର୍ତ୍ତର ପ୍ରତିଚ୍ଛବି। ନିଜ ପଲ୍ଲୀ ଗାଁ ପାଖ ବୁଦୁବୁଦୁକିଆ ଜଙ୍ଗଲରୁ ଏହି ଫଳ ଖୋଜିବାକୁ ଯାଇଥିବା କେତେକ ଇରୁଲାର ପୁରୁଷ ଓ ଛୋଟପିଲାଙ୍କର ଆଗ୍ରହଭରା ମୁହୂର୍ତ୍ତ।

ପୃଷ୍ଠଭୂମିରେ ଥିବା ପିଲାଟି କଣ୍ଟାଗଛ ଏବଂ ଲମ୍ବା ଲମ୍ବା ଘାସ ଭିତରୁ ଏହି ଫଳ ଖୋଜିବାରେ ଲାଗିଛି ଏବଂ ମୋ ମତରେ ଏହି ପିଲାଟି ବିନା ଚିତ୍ରଟି ଅସଂପୂର୍ଣ୍ଣ ରହିଯାଇଥାଆନ୍ତା। ଇରୁଲାର ସଂପ୍ରଦାୟର ପିଲାମାନେ ଛୋଟବେଳରୁ ହିଁ ସେମାନଙ୍କ ଚାରିପଟେ ଘେରି ରହିଥିବା ଜଙ୍ଗଲ ସଂପର୍କରେ ଭଲ ଭାବରେ ଜାଣିଥାଆନ୍ତି ଏବଂ ଏହା ହିଁ ଏହି ଲେଖାର ମୂଳ ବିଷୟବସ୍ତୁ।

ଇରୁଲାମାନଙ୍କ ସହିତ ମୋ ଅନୁଭୂତିର ଏକ ସ୍ମରଣୀୟ ଅଂଶ ହୋଇ ରହିବ ‘ଲିପ୍‌ଷ୍ଟିକ୍‌ ଫଳ’ର ଏହି ମୁହୂର୍ତ୍ତ।

*****

ରାଜସ୍ଥାନର ଉଦୟପୁରରେ ଶ୍ୱେ ତା ଡାଗା

PHOTO • Sweta Daga

ସେତେବେଳେ ମୁଁ କେମିତି ଭଲ ଫଟୋ ଉଠାଇବାକୁ ହୁଏ ତାହା ଶିଖୁଥିଲି ଏବଂ ତେଣୁ, ବିହନ ସଂରକ୍ଷକ ଶୀର୍ଷକ ଏହି ଲେଖା ପାଇଁ ଅନେକଗୁଡ଼ିଏ ଫଟୋ ଉଠାଇଥିଲି।

ଏବେ ଯେତେବେଳେ ମୁଁ ପଛକୁ ଫେରି ଚାହେଁ, ମୁଁ ଭାବେ ମୁଁ ଅନେକ ଭିନ୍ନ ଭାବରେ ଅନେକ କିଛି କରିପାରିବି, ଏବଂ ତାହା ହିଁ ମୋର ଯାତ୍ରାପଥ – ଭୁଲ ନ କଲେ ଆପଣ ଆଗେଇ ପାରିବେନି।

ପ୍ରଥମେ ଥିବା ଚାମନି ମୀନାଙ୍କ ହସହସ ମୁହଁର ଫଟୋଟି ବେଶ ଦର୍ଶନୀୟ। ଏଭଳି ଏକ ଫଟୋ ଉଠାଇବା ଭାଗ୍ୟର କଥା ବୋଲି ମୁଁ ମନେ କରେ, ସେଇ ହସହସ ମୁହଁ ସହିତ !

*****

ଗୁଜରାଟର ଦହେଜରୁ ଉମେଶ ସୋଲାଙ୍କି

PHOTO • Umesh Solanki

୨୦୨୩ ମସିହା ଏପ୍ରିଲର ପ୍ରଥମ ଭାଗ। ମୁଁ ଥିଲି ଗୁଜରାଟର ଦାହୋଡ଼ ଜିଲ୍ଲା ଅନ୍ତର୍ଗତ ଖରସାନା ଗାଁରେ। ଗୋଟିଏ ସପ୍ତାହରୁ କିଛି ଅଧିକ ସମୟ ଆଗରୁ ଏହି ଜିଲ୍ଲାରେ ବିଷାକ୍ତ ନର୍ଦ୍ଦମା ଟାଙ୍କି ସଫା କରିବାକୁ ଯାଇଥିବା ପାଞ୍ଚ ଜଣ ଆଦିବାସୀ ପିଲାଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁଜରାଟର ଦହେଜରେ ବିଷାକ୍ତ ବାଷ୍ପରୁ ମୃତ୍ୟୁ ଶୀର୍ଷକ ଲେଖା ପାଇଁ ମୋତେ ସେହି ମୃତକମାନଙ୍କ ପରିବାର ଲୋକ ଏବଂ ମରଣ ମୁହଁରୁ ବର୍ତ୍ତିଯାଇଥିବା ଶ୍ରମିକମାନଙ୍କୁ ଭେଟିବାର ଥିଲା।

ଭବେଶଙ୍କ ପରିବାର ସହିତ ମୋତେ ରହିବାର ଥିଲା। ସେ ଥିଲେ ସେହି ୨୦ ବର୍ଷୀୟ ‘ଭାଗ୍ୟଶାଳୀ’ ଶ୍ରମିକ ଯେ କି ମରଣ ମୁହଁରୁ ବର୍ତ୍ତି ଯାଇଥିଲେ, ହେଲେ ତାଙ୍କ ଆଖି ଆଗରେ ତିନି ଜଣ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ଥିଲେ ତାଙ୍କର ୨୪ ବର୍ଷୀୟ ଭାଇ ପରେଶ। ପରିବାରର ପୁରୁଷମାନଙ୍କ ସହିତ କିଛି ସମୟ କଥାବାର୍ତ୍ତା କରିବା ପରେ ସେମାନଙ୍କ ଘର ଆଡ଼କୁ ଯିବା ବାଟରେ ମୁଁ ପରେଶ କଟାରାଙ୍କ ମାଆ ସପନା ବେନ୍‌ଙ୍କୁ ଦେଖିଲି। ସେ ତାଙ୍କ କଚ୍ଚା ଘର ବାହାରେ ଭୂମି ଉପରେ ଶୋଇ ରହିଥିଲେ। ମୋତେ ଦେଖି ସେ ଉଠିଲେ ଏବଂ କାନ୍ଥକୁ ଆଉଜି ବସିଲେ। ମୁଁ ତାଙ୍କ ଫଟୋ ନେଇପାରିବି କି ବୋଲି ପଚାରିଲି। ଧୀର ଭାବରେ ମୁଣ୍ଡ ହଲାଇଲେ ସେ।

ଅସହନୀୟ ଦୁଃଖ, ଦୁର୍ଦ୍ଦଶା ଏବଂ କ୍ରୋଧ ମିଶା ଆଖିରେ ସେ ସିଧାସଳଖ କ୍ୟାମେରାକୁ ଚାହିଁଲେ। ତାଙ୍କ ଚାରିପଟେ ଥିବା ହଳଦିଆ ଛାୟା ହିଁ ତାଙ୍କ ମନର ଦୁର୍ବଳ ଅବସ୍ଥାକୁ ସୂଚାଉଥିବା ଭଳି ମନେ ହେଲା। ଆଜି ଯାଏଁ ମୁଁ ଉଠାଇଥିବା ସବୁ ଫଟୋ ଭିତରୁ ଏହା ଥିଲା ସର୍ବାଧିକ ଭାବୋଦ୍ଦୀପକ। ମୁଁ ଭାବିନେଲି ଯେ ମୁଁ ସବୁ କଥା କହି ସାରିଛି। ଗୋଟିଏ ଫ୍ରେମ୍‌ରେ ବାନ୍ଧି ହୋଇ ରହିଛି ଚାରିଟି ପରିବାରର ଦୁଃଖଭରା କାହାଣୀ।

*****

ମହାରାଷ୍ଟ୍ରର ନାନ୍ଦୁରବାରରେ ଜିଶାନ ଏ ଲତିଫ

PHOTO • Zishaan A Latif

ଏହା ଥିଲା ପଲ୍ଲବୀ (ପରିବର୍ତ୍ତିତ ନାମ)ଙ୍କ ଜୀବନର ଏକ ଦୁଃଖଦ ଅନୁଭୂତି। ଶରୀର ବାହାରକୁ ବାହାରି ରହିଥିବା ତାଙ୍କ ଗର୍ଭାଶୟର ଚିକିତ୍ସା ହୋଇପାରି ନଥିଲା। ଯେଉଁ ଶାରୀରିକ କଷ୍ଟକୁ ସେ ସହି ଆସିଥିଲେ, ତାହା ଯେ କୌଣସି ପୁରୁଷଙ୍କ ବୋଧଶକ୍ତି ବାହାରେ ଥିଲା। ତାଙ୍କର ସେହି ଛୋଟ କୁଡ଼ିଆ ଘରଟିରେ ତାଙ୍କ ଫଟୋ ଉଠାଇବା ବେଳେ ଦୃଢ଼ ମନୋବଳ ପ୍ରକାଶିତ ହୋଇଥିଲା। କଚ୍ଚା ଘରଟି ରହିଥିଲା ପାହାଡ଼ ଉପର ଉଠାଣି ସ୍ଥାନରେ ଅବସ୍ଥିତ ଗୋଟିଏ ପଲ୍ଲୀ ଗାଁରେ। ତାଙ୍କ ରୋଗର ଚିକିତ୍ସା ପାଇଁ ସେଠାରୁ ବାହାରି ନିକଟବର୍ତ୍ତୀ ସରକାରୀ ଚିକିତ୍ସାଳୟରେ ପହଞ୍ଚିବାକୁ ଦୁଇ ଘଣ୍ଟା ଲାଗୁଥିଲା। ତାହା ବି ଅସ୍ଥାୟୀ ଚିକିତ୍ସା, ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନଥିଲା। ' ମୋ ଜରାୟୁ ବାହାରି ଆସୁଛି' ଶୀର୍ଷକ ଲେଖା ପାଇଁ ଉଠାଯାଇଥିବା ଏହି ଫଟୋରେ ଫୁଟି ଉଠୁଥିଲା ତାଙ୍କ ଦୁଃସ୍ଥିତି।

ଦୁର୍ବଳତା ସତ୍ତ୍ୱେ ସେ ସିଧା ଠିଆ ହୋଇଥିବା ଅବସ୍ଥାରେ ମୁଁ ଏହି ଫଟୋ ଉଠାଇଥିଲି। ଭିଲ ଆଦିବାସୀ ମହିଳାଙ୍କର ଏକ ପ୍ରତୀକ ସେ, ନିଜେ ଅସୁସ୍ଥ ଥାଇ ବି ପରିବାର ଓ ସଂପ୍ରଦାୟକୁ ସୁଖ ବାଣ୍ଟୁଥିବା ଜଣେ ମହିଳା।

ପ୍ରଚ୍ଛଦ ଅଳଙ୍କରଣ : ସନ୍ୱିତୀ ଆୟାର

ଅନୁବାଦ: ଓଡ଼ିଶାଲାଇଭ୍‍

Binaifer Bharucha

बिनाइफ़र भरूचा, मुंबई की फ़्रीलांस फ़ोटोग्राफ़र हैं, और पीपल्स आर्काइव ऑफ़ रूरल इंडिया में बतौर फ़ोटो एडिटर काम करती हैं.

की अन्य स्टोरी बिनायफ़र भरूचा
Editor : PARI Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE