ଅଗଷ୍ଟରେ ପାନ୍ନା ଜିଲ୍ଲାରେ ବର୍ଷା ହୋଇଛି ଏବଂ ଜଳ ଧାରଣାର ପୂର୍ଣ୍ଣ କ୍ଷମତା ଅନୁଯାୟୀ କୈଥାବାରୋ ଡ୍ୟାମ୍ ଭର୍ତ୍ତି ହୋଇ ଯାଇଛି । ପାନ୍ନା ଟାଇଗର ରିଜର୍ଭ (PTR) ନିକଟବର୍ତ୍ତି ପାହାଡ଼ରୁ ଏହା ବୋହି ଆସୁଛି ।
ସୁରେନ ଆଦିବାସୀ ହାତୁଡ଼ି ଧରି ଡ୍ୟାମ ନିକଟକୁ ଆସନ୍ତି। ପ୍ରବାହିତ ଜଳଧାରାକୁ ଯତ୍ନର ସହ ଦେଖନ୍ତି, ଯାଞ୍ଚ କରନ୍ତି ଯେ କୌଣସି ନୂତନ ପଥର କିମ୍ବା ଆବର୍ଜନା ପ୍ରବାହକୁ ଅବରୋଧ କରୁନାହିଁ ତ । ପ୍ରବାହିତ ଜଳଧାରାକୁ ଭଲ ଦିଗରେ ଗତି କରିବା ପାଇଁ ସେ ହାତୁଡ଼ି ବ୍ୟବହାର କିଛି ପଥରକୁ ଏପଟ-ସେପଟ କରନ୍ତି ।
‘‘ମୁଁ ଦେଖିବା ପାଇଁ ଆସିଛି ଭଲ ଭାବରେ ଜଳ ପ୍ରବାହିତ ହେଉଛି କି ନାହିଁ,’’ ସେ ‘ପରୀ’କୁ କୁହନ୍ତି । “ହଁ, ଏହା ପ୍ରବାହିତ ହେଉଛି,” ମୁଣ୍ଡ ହଲାଇ ଆଶ୍ୱସ୍ତ ହୁଅନ୍ତି ବିଲପୁରା ଗାଁର କ୍ଷୁଦ୍ର ଚାଷୀ ଯେ କିଛି ମିଟର ତଳମୁଣ୍ଡରେ ତାଙ୍କ ଧାନ ଫସଲ ଶୁଖିଯିବ ନାହିଁ।
ଛୋଟ ଡ୍ୟାମ୍ ଉପରେ ନଜର ପକାନ୍ତି ଏବଂ ସେ କୁହନ୍ତି, “ଏହା ଏକ ବଡ଼ ଆଶୀର୍ବାଦ । ଧାନ ହୋଇପାରେ, ଗହମ ବି । ଏହାପୂର୍ବରୁ ମୁଁ ଏଠାରେ ଥିବା ଏକ ଏକର ଜମିକୁ ଜଳସେଚନ କରି ଚାଷ କରି ପାରୁନଥିଲି ।”
ବିଲପୁରାର ଲୋକମାନେ ଡ୍ୟାମ ନିର୍ମାଣରେ ସାହାଯ୍ୟ କରିଛନ୍ତି, ଯାହା ସେମାନଙ୍କ ପାଇଁ ଆଶୀର୍ବାଦ ସଦୃଶ ।
ପ୍ରାୟ ଏକ ହଜାର ଲୋକଙ୍କ ଗାଁ, ବିଲପୁରାରେ ପ୍ରାୟତଃ ଗଣ୍ଡ ଆଦିବାସୀ (ଅନୁସୂଚିତ ଜନଜାତି) କୃଷକ ଅଛନ୍ତି, ପ୍ରତ୍ୟେକଙ୍କ ନିକଟରେ କିଛି ଗୋରୁ-ଗାଈ ଅଛନ୍ତି । ୨୦୧୧ ଜନଗଣନା ରେକର୍ଡ ଅନୁସାରେ ଗାଁରେ କେବଳ ଗୋଟିଏ ହ୍ୟାଣ୍ଡପମ୍ପ ଏବଂ ଗୋଟିଏ କୂଅ ଅଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥରରେ ଆଚ୍ଛାଦିତ ହୋଇଥିବା ପୋଖରୀ ନିର୍ମାଣ କରାଯାଇଛି, କିନ୍ତୁ ସ୍ଥାନୀୟ ଲୋକ କହିଛନ୍ତି ଯେ ସେଠାରେ କୌଣସି ଜଳଧାରଣ ଅଂଚଳ ନାହିଁ ଏବଂ, ‘‘ପାନି ରୁକତା ନହିଁ ହୈ (ଜଳ ରହେ ନାହିଁ) ।’’








